Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

୨୩ତମ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୨୩ତମ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି। ଏହି ଅବସରରେ ସେ ନିଜର ଅଭିଭାଷଣ ରଖିଥିଲେ। ଆସନ୍ତୁ ପଢିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ….

ମହାମହିମ ଗଣ,

ନମସ୍କାର!

ଆଜି ୨୩ତମ ଏସସିଓ ଶିଖର ସମ୍ମିଳନୀରେ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏସସିଓ ସମଗ୍ର ଏସୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପରେ ଉଭା ହୋଇଛି। ଏହି କ୍ଷେତ୍ର ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ ରହିଛି । ଆମ ସହଭାଗୀ ଐତିହ୍ୟ ଏହାର ଜୀବନ୍ତ ପ୍ରମାଣ। ଆମେ ଏହି କ୍ଷେତ୍ରକୁ କେବଳ ‘‘ସମ୍ପ୍ରସାରିତ ପଡ଼ୋଶୀ’’ ବୋଲି ଗ୍ରହଣ କରି ନାହୁଁ ବରଂ ଆମେ ଏହାକୁ ‘‘ବଡ଼ ପରିବାର’’ ଭଳି ଦେଖୁଛୁ।

ମହାମହିମ ଗଣ,

ଏସସିଓର ଅଧ୍ୟକ୍ଷ ଭାବେ ଭାରତ ଆମର ବହୁମୁଖୀ ସହଯୋଗକୁ ନୂଆ ଉଚ୍ଚତାକୁ ନେଇଯିବା ଲାଗି ନିରନ୍ତର ପ୍ରୟାସ କରିଛି । ଏସବୁ ପ୍ରୟାସ ଦୁଇଟି ମୌଳିକ ସିଦ୍ଧାନ୍ତ ଉପରେ ଆଧାରିତ । ପ୍ରଥମ, ବସୁଧୈବ କୁଟୁମ୍ବକମ୍‌ ଅର୍ଥାତ୍‌ ସାରା ବିଶ୍ୱ ଏକ ପରିବାର ଭଳି । ଏହି ସିଦ୍ଧାନ୍ତ, ପ୍ରାଚୀନ ସମୟରୁ ଆମ ସାମାଜିକ ଆଚରଣର ଅଭିନ୍ନ ଅଙ୍ଗ ହୋଇ ରହିଛି । ଆହୁରି ଆଧୁନିକ ସମୟରେ ମଧ୍ୟ ଆମ ପାଇଁ ଏକ ନୂଆ ପ୍ରେରଣା ଏବଂ ଶକ୍ତିର ଉତ୍ସ ପାଲଟିଛି । ଦ୍ୱିତୀୟଟି ହେଉଛି ସୁରକ୍ଷା, ଅର୍ଥାତ୍‌ ଆର୍ଥିକ ବିକାଶ, ଯୋଗାଯୋଗ, ଏକତା, ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ଏବଂ ପରିବେଶ ସୁରକ୍ଷା । ଏହା ଆମ ଅଧ୍ୟକ୍ଷତାର ବିଷୟବସ୍ତୁ ଏବଂ ଆମ ଏସସିଓ ସଂକଳ୍ପର ପ୍ରତିବିମ୍ବ।

ଭାରତ, ଏହି ଦୃଷ୍ଟିକୋଣ ସହିତ ଏସସିଓରେ ସହଯୋଗ ପାଇଁ ପାଞ୍ଚଟି ନୂଆ ସ୍ତମ୍ଭ ପ୍ରତିଷ୍ଠା କରିଛି :

  • ଷ୍ଟାର୍ଟଅପ୍‌ ଓ ଉଦ୍ଭାବନ
  • ପାରମ୍ପରିକ ଔଷଧ,
  • ଯୁବ ସଶକ୍ତିକରଣ,
  • ଡିଜିଟାଲ ସମାବେଶନ ଏବଂ
  • ସହଭାଗୀ ବୌଦ୍ଧ ଐତିହ୍ୟ

ମହାମହିମ ଗଣ,

ଭାରତ ନିଜର ଏସସିଓ ଅଧ୍ୟକ୍ଷତା ସମୟରେ ୧୪୦ରୁ ଅଧିକ କାର୍ଯ୍ୟକ୍ରମ, ସମ୍ମିଳନୀ ଓ ବୈଠକ ଆୟୋଜନ କରିଛି । ଆମେ ଏସସିଓର ସବୁ ପର୍ଯ୍ୟବେକ୍ଷକ ଓ ଆଲୋଚନା ସହଯୋଗୀମାନଙ୍କୁ ୧୪ଟି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିଛୁ । ଆଇଏସସିଓର ୧୪ଟି ମନ୍ତ୍ରୀସ୍ତରୀୟ ବୈଠକରେ, ଆମେ ମିଶି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପ୍ରସ୍ତୁତ କରିଛୁ । ଏହା ଜରିଆରେ ଆମେ ନିଜ ସହଯୋଗରେ ନୂଆ ଓ ଆଧୁନିକ ଦିଗକୁ ଯୋଡ଼ି ଚାଲିଛୁ – ଯଥା

  • ଊର୍ଜା କ୍ଷେତ୍ରରେ ଆଧୁନିକ ଇନ୍ଧନକୁ ନେଇ ସହଯୋଗ;
  • ପରିବହନ କ୍ଷେତ୍ରରେ ଅଙ୍ଗାରକାମ୍ଳ ହ୍ରାସ ପାଇଁ ସହଯୋଗ ଏବଂ ଡିଜିଟାଲ ରୂପାନ୍ତରଣରେ ସହଯୋଗ;
  • ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ।

ଏସସିଓରେ ସହଯୋଗ କେବଳ ସରକାରଙ୍କ ସ୍ତରରେ ସୀମିତ ନରହୁ ବୋଲି ଭାରତ ପ୍ରୟାସ କରୁଛି ।

ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ଭାରତର ଅଧ୍ୟକ୍ଷତା ଅଧୀନରେ ନୂଆ ପ୍ରୟାସ କରାଯାଇଛି ।

ପ୍ରଥମ ଥର, ଏସସିଓ ମିଲେଟ୍‌ ଖାଦ୍ୟ ମେଳା, ଚଳଚ୍ଚିତ୍ର ମହୋତ୍ସବ, ଏସସିଓ ସୁରଜକୁଣ୍ଡ ହସ୍ତଶିଳ୍ପ ମେଳା, ବୁଦ୍ଧିଜୀବୀ ସମ୍ମିଳନୀ, ସହଭାଗୀ ବୌଦ୍ଧ ଐତିହ୍ୟ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି।

ଏସସିଓର ପ୍ରଥମ ପର୍ଯ୍ୟଟନ ଏବଂ ସାଂସ୍କୃତିକ ରାଜଧାନୀ, ପ୍ରାଚୀନ ସହର ବାରାଣସୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ଏକ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

ଏସସିଓ ଦେଶଗୁଡ଼ିକର ଯୁବକମାନଙ୍କର ଉତ୍ସାହ ଓ ପ୍ରତିଭାକୁ ସାର୍ଥକ କରିବା ଲାଗି ଆମେ ଯୁବ ବୈଜ୍ଞାନିକ ସମ୍ମିଳନୀ, ଯୁବ ଲେଖକ ସମ୍ମିଳନୀ, ଯୁବ ଆବାସିକ ଗବେଷକ କାର୍ଯ୍ୟକ୍ରମ, ଷ୍ଟାର୍ଟଅପ୍‌ ଫୋରମ୍‌, ଯୁବ ପରିଷଦ ଭଳି ନୂଆ ମଞ୍ଚର ଆୟୋଜନ କରିଛୁ ।

ମହାମହିମ ଗଣ,

ବର୍ତ୍ତମାନ ସମୟରେ ବିଶ୍ୱର ପରିସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ରହିଛି । ବିବାଦ, ଉତ୍ତେଜନା ଓ ମହାମାରୀରେ ଘେରି ରହିଥିବା ବିଶ୍ୱରେ ଖାଦ୍ୟ, ଇନ୍ଧନ ଓ ସାର ସଂକଟ ସବୁ ଦେଶ ପାଇଁ ଏକ ବଡ଼ ଆହ୍ୱାନ ।

ଆମେ ସମସ୍ତେ ମିଶି ନିମ୍ନ ବିଷୟରେ ଚିନ୍ତା କରିବା ଉଚିତ୍‌ । ଆମେ ଏକ ସଂଗଠନ ରୂପରେ ଆମ ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଲାଗି ସମର୍ଥ କି?

ଆଧୁନିକ ଆହ୍ୱାନର ସାମ୍ନା କରିବା ଲାଗି ଆମେ ସକ୍ଷମ ଅଛୁ କି?

ଭବିଷ୍ୟତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏକ ସଂଗଠନ ରୂପରେ ଏସସିଓ ବିକଶିତ ହେଉଛି କି?

ଏ ପ୍ରସଙ୍ଗରେ ଏସସିଓରେ ସଂସ୍କାର ଓ ଆଧୁନିକୀକରଣ ପ୍ରସ୍ତାବକୁ ଭାରତ ସମର୍ଥନ କରୁଛି ।

ଏସସିଓ ଅଧୀନରେ ଭାଷା ସମ୍ବନ୍ଧୀୟ ବାଧା ଦୂର କରିବା ଲାଗି ଭାରତର ଏଆଇ ଆଧାରିତ ଭାଷା ପ୍ଲାଟଫର୍ମ ‘ଭାଷିଣୀ’କୁ ସମସ୍ତଙ୍କ ପାଇଁ ଉପଲବ୍ଧ କରି ଆମେ ଖୁସି ହେବୁ ।

ଏହା ସମାବେଶୀ ବିକାଶ ପାଇଁ ଡିଜିଟାଲ ପ୍ରଯୁକ୍ତିର ଏକ ଉଦାହରଣ ହୋଇପାରିବ ।

ମିଳିତ ଜାତିସଂଘ ସମେତ ଅନ୍ୟ ବିଶ୍ୱସ୍ତରୀୟ ସଂଗଠନରେ ସଂସ୍କାର ପାଇଁ ଏସସିଓ ଏକ ଦୃଢ଼ ସ୍ୱର ହୋଇପାରେ ।

ଆଜି ଇରାନ୍‌ ଏସସିଓ ପରିବାରରେ ଏକ ନୂଆ ସଦସ୍ୟ ଭାବେ ଯୋଡ଼ି ହେବାକୁ ଯାଉଥିବାରୁ ମୁଁ ଆନନ୍ଦିତ ।

ଏଥିପାଇଁ ରାଷ୍ଟ୍ରପତି ରାୟସୀ ଏବଂ ଇରାନର ଲୋକମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ଏଥିସହିତ ଆମେ ବେଲାରୁସର ଏସସିଓ ସଦସ୍ୟତା ପାଇଁ ଉତ୍ତରଦାୟିତ୍ୱ ବୁଝାମଣାରେ ସ୍ୱାକ୍ଷର କରାଯିବାକୁ ସ୍ୱାଗତ କରୁଛୁ ।

ଆଜି ଏସସିଓ ସହ ଯୋଡ଼ି ହେବା ଲାଗି ଅନ୍ୟ ଦେଶମାନେ ଆଗ୍ରହ ପ୍ରକଟ କରିବା ଏହି ସଂଗଠନର ମହତ୍ୱକୁ ପ୍ରମାଣିତ କରୁଛି ।

ଏହି ପ୍ରକ୍ରିୟାରେ, ଏସସିଓର ମୂଳ ଧ୍ୟାନ ମଧ୍ୟ-ଏସୀୟ ରାଷ୍ଟ୍ରମାନଙ୍କ ହିତ ଓ ଆକାଂକ୍ଷା ଉପରେ କେନ୍ଦ୍ରିତ ହେବ ସବୁଠୁ ଜରୁରୀ ।

ମହାମହିମ ଗଣ,

ଆତଙ୍କବାଦ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ପ୍ରମୁଖ ବିପଦ ପାଲଟିଛି । ଏହି ଆହ୍ୱାନର ମୁକାବିଲା କରିବା ଲାଗି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଆତଙ୍କବାଦ ଯେକୌଣସି ରୂପ, ଯେକୌଣସି ଅଭିବ୍ୟକ୍ତିରେ ଥାଉ ପଛେ, ଆମକୁ ଏହା ବିରୋଧରେ ମିଳିତ ଭାବେ ଲଢ଼େଇ କରିବାକୁ ହେବ । କିଛି ଦେଶ, ସୀମାପାର୍‌ ଆତଙ୍କବାଦକୁ ନିଜ ନୀତିର ଏକ ପ୍ରମୁଖ ଉପାଦାନ ଭାବେ ବ୍ୟବହାର କରିଥାନ୍ତି । ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥାନ୍ତି । ଏସସିଓ ଏପରି ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିବା ଲାଗି ସଂକୋଚ କରିବା ଉଚିତ୍‌ ନୁହେଁ । ଏଭଳି ଗମ୍ଭୀର ବିଷୟରେ ଦୋହରା ମାନଦଣ୍ଡ ଆପଣାଇବା ଆଦୌ ଉଚିତ୍‌ ନୁହେଁ । ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣର ମୁକାବିଲା କରିବା ଲାଗି ମଧ୍ୟ ଆମକୁ ଆପୋସ ସହଯୋଗ ବଢ଼ାଇବାକୁ ହେବ । ଏଥିରେ ଏସସିଓର ଆରଏଟିଏସ ବ୍ୟବସ୍ଥାର ବିଶେଷ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଦେଶଗୁଡ଼ିକର ଯୁବକମାନଙ୍କ ମଧ୍ୟରେ ଉଗ୍ରବାଦର ପ୍ରସାରକୁ ରୋକିବା ଲାଗି ମଧ୍ୟ ଆମକୁ ଆହୁରି ସକ୍ରିୟ ଭାବେ ପଦକ୍ଷେପ ନେବା ଉଚିତ୍‌ । ଉଗ୍ରବାଦ ବିଷୟ ଉପରେ ଆଜି ଜାରି କରାଯାଉଥିବା ମିଳିତ ବକ୍ତବ୍ୟ ଆମ ସହଭାଗୀ ପ୍ରତିବଦ୍ଧତାର ପ୍ରତୀକ ।

ମହାମହିମ ଗଣ,

ଆଫଗାନିସ୍ତାନର ସ୍ଥିତି ଆମ ସମସ୍ତଙ୍କ ସୁରକ୍ଷା ଉପରେ ସିଧା ପ୍ରଭାବ ପକାଇଛି । ଆଫଗାନିସ୍ତାନକୁ ନେଇ ଭାରତର ଚିନ୍ତା ଓ ଆଶା ଅଧିକାଂଶ ଏସସିଓ ଦେଶ ସହିତ ସମାନ । ଆମକୁ ଆଫଗାନିସ୍ତାନର ଲୋକଙ୍କ କଲ୍ୟାଣ ପାଇ ମିଳିମିଶି ପ୍ରୟାସ କରିବାକୁ ହେବ । ଆଫଗାନିସ୍ତାନ ନାଗରିକମାନଙ୍କୁ ମାନବୀୟ ସହାୟତା; ଏକ ସମାବେଶୀ ସରକାର ଗଠନ; ଆତଙ୍କବାଦ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଲଢ଼େଇ; ତଥା ମହିଳା, ଶିଶୁ ଓ ସଂଖ୍ୟାଲଘୁମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଆମର ସହଭାଗୀ ପ୍ରାଥମିକତା ଅଟେ। ଭାରତ ଏବଂ ଆଫଗାନିସ୍ତାନର ଲୋକମାନଙ୍କ ମଧ୍ୟରେ, ଶହ ଶହ ବର୍ଷ ପୁରୁଣା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଆମେ ଆଫଗାନିସ୍ତାନର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଯୋଗଦାନ ଦେଇଛୁ । ୨୦୨୧ର ଘଟଣାକ୍ରମ ପରେ ମଧ୍ୟ ଆମେ ମାନବୀୟ ସହାୟତା ପଠାଇ ଚାଲିଛୁ । ଆଫଗାନିସ୍ତାନର ଭୂମିକୁ ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରିବା କିମ୍ବା ଉଗ୍ରବାଦୀ ବିଚାରଧାରାକୁ ପ୍ରୋତ୍ସାହନ ଦେବା ଲାଗି ଉପଯୋଗ କରାଯିବା ଉଚିତ୍‌ ନୁହେଁ ।

ମହାମହିମ ଗଣ,

ଯେକୌଣସି କ୍ଷେତ୍ରର ବିକାଶ ପାଇଁ ମଜବୁତ ଯୋଗାଯୋଗ ସୁବିଧା ରହିବା ଅତି ଆବଶ୍ୟକ । ଉନ୍ନତ ଯୋଗାଯୋଗ ଆପୋସ ବ୍ୟବସାୟ ନୁହେଁ, ଆପୋସ ବିଶ୍ୱାସ ମଧ୍ୟ ବଢ଼ାଇଥାଏ। କିନ୍ତୁ ଏହି ପ୍ରୟାସରେ, ଏସସିଓ ଚାର୍ଟରର ମୂଳ ସିଦ୍ଧାନ୍ତ, ବିଶେଷ କରି ସଦସ୍ୟ ଦେଶମାନଙ୍କର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରିବା ଅତି ଆବଶ୍ୟକ। ଇରାନର ଏସସିଓ ସଦସ୍ୟତା ପରେ ଆମେ ଚାବାହର ବନ୍ଦରକୁ ଉନ୍ନତ ଭାବେ ଉପଯୋଗ କରିବା ଦିଗରେ କାମ କରିପାରିବା । ମଧ୍ୟ ଏସିଆର ଭୂଖଣ୍ଡ ଆବଦ୍ଧ ଦେଶମାନଙ୍କ ପାଇଁ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର, ଭାରତ ମହାସାଗର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଏକ ସୁରକ୍ଷିତ ଓ ସୁଗମ ରାସ୍ତା ହୋଇପାରିବ । ଆମେ ଏହାର ସମ୍ପୂର୍ଣ୍ଣ ସମ୍ଭାବନାକୁ ସାକାର ରୂପ ଦେବା ଉଚିତ୍‌ ।

ମହାମହିମ ଗଣ,

ଏସସିଓ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଏକ ତୃତୀୟାଂଶ ଭାଗର ପ୍ରତିନିଧିତ୍ୱ କରିଥାଏ। ଆଉ ଏହି କାରଣରୁ ପରସ୍ପରର ଆବଶ୍ୟକତା ଓ ସମ୍ବେଦନଶୀଳତାକୁ ବୁଝିବା ଆମର ସହଭାଗୀ ଉତ୍ତରଦାୟିତ୍ୱ । ଉନ୍ନତ ସହଯୋଗ ଏବଂ ସମନ୍ୱୟ ଜରିଆରେ ଆମେ ସବୁ ସମସ୍ୟାର ସମାଧାନ କରିବା ଉଚିତ୍‌ । ଆମେ ନିରନ୍ତର ଭାବେ ଜନକଲ୍ୟାଣ ପାଇଁ ପ୍ରୟାସ କରିବା ଆବଶ୍ୟକ । ଭାରତର ଅଧ୍ୟକ୍ଷତାକୁ ସଫଳ କରାଇବାରେ ଆପଣମାନଙ୍କ ଠାରୁ ଲଗାତର ସହଯୋଗ ମିଳିଛି । ଏଥିପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ମୁଁ ଏସସିଓର ପରବର୍ତ୍ତୀ ଅଧ୍ୟକ୍ଷ, କଜାଖସ୍ତାନର ରାଷ୍ଟ୍ରପତି ଏବଂ ମୋର ବନ୍ଧୁ ପ୍ରେସିଡେଣ୍ଟ ତୋକାୟେଭଙ୍କୁ ସାରା ଭାରତ ପକ୍ଷରୁ ଅନେକ ଅନେକ ଶୁଭକାମନା ଜଣାଉଛି । ଏସସିଓର ସଫଳତା ପାଇଁ ଭାରତ ସମସ୍ତଙ୍କ ସହିତ ମିଶି, ସକ୍ରିୟ ଭାବେ ନିଜର ଯୋଗଦାନ ଦେବା ପାଇଁ ସଂକଳ୍ପବଦ୍ଧ ।

ବହୁତ ବହୁତ ଧନ୍ୟବାଦ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୋଦୀଙ୍କ ସୁନାର ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଗୁଜୁରାଟ ବ୍ୟବସାୟୀ

Gold Statue of Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନାର ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟ ସୁରଟର ଜଣେ ସୁନା ବ୍ୟବସାୟୀ। ତାଙ୍କ ନାମ ହେଉଛି ବସନ୍ତ ବୋହରା। ସେ ରାଜସ୍ଥାନରୁ ଆସି ସୁରଟରେ ଦୀର୍ଘ ବର୍ଷ ଧରି ସୁନା ବ୍ୟବସାୟ କରୁଛନ୍ତି। ସେ ରାଧୀକା ଚେନ୍ସର ମାଲିକ।

ସେ ମୋଦୀଙ୍କର ୧୫୬ ଗ୍ରାମ ଓଜନର ଏହି ସୁନାର ମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହା ତାଙ୍କୁ ତିନିମାସ ସମୟ ଲାଗିଥିଲା। ଏଥିପାଇଁ ପ୍ରାୟ ୨୦ ଜଣ କାରୀଗର ଲାଗିଥିଲେ। ଏଥିରେ ଯେଉଁ ସୁନା ବ୍ୟବହାର ହୋଇଛି ତାହା ହେଉଛି ୧୮ କ୍ୟାରେଟର, ଯାହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ପ୍ରକୃତରେ ଏହି ମୂର୍ତ୍ତିଟିରେ ପ୍ରାୟ ୧୫୬ ଗ୍ରାମରୁ ଅଧିକ ସୁନା ବ୍ୟବହାର କରାଯାଇଥିଲା। ହେଲେ ଗତ ଡିସେମ୍ବର ମାସରେ ଗୁଜୁରାଟରେ ବିଜେପି ୧୮୨ ଆସନରୁ ୧୫୬ ଆସନରେ ବିଜୟ ଲାଭ କରିଥିବାରୁ ବସନ୍ତ ଏହାର ଓଜନକୁ ହ୍ରାସ କରି ୧୫୬ ଗ୍ରାମ କରିଛନ୍ତି। ସେଥିପାଇଁ ଏହି ସୁନାର ମୂର୍ତ୍ତି ବର୍ତ୍ତମାନ ବେଶ ଚର୍ଚ୍ଚାକୁ ଆସିଛି।

ବସନ୍ତ କୁହନ୍ତି ଯେ, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ ପ୍ରଶଂସକ। ତାଙ୍କର ଆଦର୍ଶରେ ସେ ଅନୁପ୍ରାଣିତ। ତାଙ୍କୁ କିପରି ସ୍ମରଣୀୟ ରଖିବି ସେଥିପାଇଁ ମୁଁ ଚିନ୍ତା କରୁଥିଲି। ଯେହେତୁ ମୁଁ ସୁନା ବ୍ୟବସାୟ କରେ ସେଥିପାଇଁ ସୁନାର ଏକ ମୂର୍ତ୍ତି ନିର୍ମାଣ କରିବି ବୋଲି ନିଷ୍ପତି କଲି।

ତେବେ ସେ ଏହି ମୂର୍ତ୍ତିକୁ ବର୍ତ୍ତମାନ ପାଇଁ କାହାକୁ ବିକ୍ରୟ କରିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ ଏହାର କୌଣସି ମୂଲ୍ୟ ସ୍ଥିର କରି ନାହାଁନ୍ତି। ବର୍ତ୍ତମାନ ପାଇଁ ସେ ଏହି ମୂର୍ତ୍ତିକୁ ନିଜ ପାଖରେ ରଖିବେ। କିଛି ବର୍ଷ ପରେ ସେ ବିକ୍ରୟ କରିବେ କି ନାହିଁ ଚିନ୍ତା କରିବେ ବୋଲି କହିଛନ୍ତି।

ପୂର୍ବରୁ ଷ୍ଟାଚ୍ୟୁ ଅଫ ୟୁନିଟର ଏକ ସୁନାର ମୂର୍ତ୍ତି ନିର୍ମାଣ କରି ବସନ୍ତ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତି ସମୟରେ ସେ ସେହି ମୂର୍ତ୍ତିକୁ ବିକ୍ରି କରି ଦେଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରି ସେ ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । ଏଥିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍‌ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯, ୨୦୨୨ ଦିନ ଅରୁଣାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢେ ନଅଟାବେଳେ ପ୍ରଧାନମନ୍ତ୍ରୀ ଇଟାନଗର ଠାରେ ଡୋନୟୀ ପୋଲୋ ବିମାନବନ୍ଦର ଉଦ୍‌ଘାଟନ କରିବା ସହ ୬୦୦ ମେଗାୱାଟ ଶକ୍ତି ସମ୍ପନ୍ନ କାମେଙ୍ଗ ଜଳ ବିଦ୍ୟୁତ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ପରେ ସେ ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚି ପ୍ରାୟ ଅପରାହ୍ନ ୨ଟାବେଳେ ‘କାଶୀ ତାମିଲ ସଙ୍ଗମମ୍‌’କୁ ଉଦ୍‌ଘାଟନ କରିବେ ।

-ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ-

ଉତ୍ତର-ପୂର୍ବାଞ୍ଚଳରେ ସଂଯୋଗୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଇଟାନଗର ଠାରେ ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନ ଫିଲ୍ଡ ବିମାନବନ୍ଦର “ଡୋନୟୀ ପୋଲୋ’ ବିମାନବନ୍ଦରୁ ଉଦ୍‌ଘାଟନ କରିବେ । ସୂର‌୍ୟ୍ୟ ଓ ଚନ୍ଦ୍ରକୁ ଯୁଗ ଯୁଗ ଧରି ଭାରତୀୟ ପରମ୍ପରାରେ ଆରଧନା କରଯାଉଥିବା ଅରୁଣାଚଳ ପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏହି ବିମାନବନ୍ଦର ନାମକରଣରେ ପ୍ରତିଫଳିତ ହୋଇଛି ।

ଅରୁଣାଚଳ ପ୍ରଦେଶର ଏହି ପ୍ରଥମ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ୬୪୦କୋଟି ଟଙ୍କା ବ୍ୟୟରେ ୬୯୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ନିର୍ମିତ ହୋଇଛି । ୨୩୦୦ମିଟର ରନୱେ ବିଶିଷ୍ଟ ଏହି ବିମାନବନ୍ଦର ସବୁପ୍ରକାର ପାଗ ନିମନ୍ତେ ଅନୁକୂଳ। ବିମାନ ବନ୍ଦର ଟର୍ମିନାଲ ଏକ ଆଧୁନିକ ଭବନ ଯେଉଁଠାରେ ଶକ୍ତି ସାମର୍ଥ୍ୟ, ଅକ୍ଷୟ ଶକ୍ତି ଓ ସମ୍ବଳର ପୁନଃ ପ୍ରକ୍ରିୟାକରଣ ଉପଲବ୍ଧ ।

ଇଟାନଗରରେ ନୂତନ ବିମାନବନ୍ଦର ସଂଯୋଗୀକରଣ ଉନ୍ନତ କରିବା ସହ ସେ ଅଞ୍ଚଳରେ ବାଣିଜ୍ୟ ଓ ପର‌୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟାଇ ଆର୍ଥିକ ଘଟାଇ ଆର୍ଥିକ ବିକାଶରେ ସହାୟକ ହେବ ।

ଏହି କାର‌୍ୟ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ୬୦୦ ମେଗାୱାଟ ବିଶିଷ୍ଟ କାମେଙ୍ଗ ଜଳବିଦ୍ୟୁତ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୮୪୫୦ କୋଟି ଟଙ୍କାର ଅଧିକ ବ୍ୟୟରେ ନିର୍ମିତ ଏହି କେନ୍ଦ୍ର ଅରୁଣାଚଳ ପ୍ରଦେଶର ପଶ୍ଚିମ କେମାଙ୍ଗ ଜିଲ୍ଲାର ୮୦ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ହୋଇଛି । ଏହା ଅରୁଣାଚଳ ପ୍ରଦେଶକୁ ଏକ ବଳକା ବିଦ୍ୟୁତ ରାଜ୍ୟରେ ପରିଣତ କରିବା ସହ ଜାତୀୟ ଗ୍ରୀଡକୁ ମଧ୍ୟ ସୁଦୃଢ କରିବ ।

ଏହି ପ୍ରକଳ୍ପ ସବୁଜ ଶକ୍ତି ବୃଦ୍ଧି ନେଇ ଦେଶର ଅଙ୍ଗୀକାରବଦ୍ଧତାକୁ ସାକାର କରିବ ।

ବାରଣାସୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ “ଏକ ଭାରତ ଶ୍ରେଷ୍ଠ ଭାରତ” ଚିନ୍ତାଧାରା ସରକାରଙ୍କ ବିଭିନ୍ନ କାର‌୍ୟ୍ୟରେ ପ୍ରତିଫଳିତ ହୋଇଛି । ଏହାର ଆଉ ଏକ ପଦକ୍ଷେପ ସ୍ୱରୂପ “କାଶୀ ତାମିଲ ସଙ୍ଗମମ୍‌’ ଏକ ମାସିକିଆ କାର‌୍ୟ୍ୟକ୍ରମ କାଶୀ (ବାରଣାସୀ)ଠାରେ ଆୟୋଜିତ ହେଉଛି । ନଭେମ୍ବର ୧୯ତାରିଖ ଦିନ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ ।

ତାମିଲନାଡୁ ଓ କାଶୀ ମଧ୍ୟରେ ରହିଥିବା ଯୁଗ ଯୁଗ ବ୍ୟାପୀ ପ୍ରାଚୀନ ସମ୍ପର୍କର ପୁନଃ ପ୍ରତିଷ୍ଠା ଓ ଏହାକୁ ଉତ୍ସବ ଭାବେ ପାଳନ କରିବା ହେଉଛି ଏହି କାର‌୍ୟ୍ୟକ୍ରମର ଲକ୍ଷ୍ୟ । ତାମିଲନାଡୁ ଓ କାଶୀ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଚନୀ ଜ୍ଞାନ ଆହରଣର ସ୍ଥାନ ଭାବେ ରହିଆସିଛି । ଦୁଇ ଅଞ୍ଚଳର ବିଦ୍ୱାନ, ଛାତ୍ରଛାତ୍ରୀ, ଦାର୍ଶନିକ, ବଣିକ, ନିର୍ମାଣ ଶିଳ୍ପୀ, କଳାକାର ଏଠାରେ କାର‌୍ୟ୍ୟକ୍ରମ ଜରିଆରେ ଏକତ୍ରିତ ହୋଇ ସେମାନଙ୍କ ଜ୍ଞାନ, ସଂସ୍କୃତି ଓ ନିଜସ୍ୱ ଅଭିଜ୍ଞତା ଆଦାନ ପ୍ରଦାନ କରିବେ । ୨୫ଶହରୁ ଅଧିକ ପ୍ରତିନିଧି ତାମିଲନାଡୁରୁ କାଶୀ ପରିଦର୍ଶନରେ ଯିବେ । ସେମାନେ ଆଲୋଚନାଚକ୍ର, ଦର୍ଶନୀୟ ସ୍ଥାନ ପରିଦର୍ଶନ ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଆପୋଷ ଆଲୋଚନା ଜରିଆରେ ମତ ବିନିମୟ କରିବେ । ଏକ ମାସ ବ୍ୟାପୀ ବସ୍ତ୍ରକଳା, ହସ୍ତକଳା, ଓଡିଓପି ସାମଗ୍ରୀ, ପୁସ୍ତକ, ବୃତ୍ତଚିତ୍ର, ଆହାର, କକ୍ଷ ସାମଗ୍ରୀ ଇତ୍ୟାଦିର ପ୍ରଦର୍ଶନୀ କାଶୀଠାରେ ଆୟୋଜିତ ହେବ ।

ଜାତୀୟ ଶିକ୍ଷାନୀତି ୨୦୨୦ରେ ଭାରତୀୟ ଜ୍ଞାନ ପଦ୍ଧତି, ଆଧୁନିକ ଜ୍ଞାନ ପଦ୍ଧତି ସହ ସମ୍ମିଶ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି । ଆଇଆଇଟି ମାନ୍ଦ୍ରାଜ ଓ ବିଏଚୟୁ ଏହି ଦୁଇଟି ସଂସ୍ଥା କାର‌୍ୟ୍ୟକ୍ରମଟିକୁ ତ୍ୱରାନ୍ୱିତ କରୁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅବସର ବେଉରିଆଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଗତକାଲି ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଯାଇଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ। ଓଡିଆ ଭାଷା ଓ ସଂସ୍କୃତିର ଜଣେ ବିଶିଷ୍ଟ ପ୍ରବକ୍ତା ଭାବରେ ତାଙ୍କର ଖ୍ୟାତି ରହିଛି । ତାଙ୍କ ବିୟୋଗରେ ମୁଁ ଦୁଃଖିତ l ତାଙ୍କ ବନ୍ଧୁବର୍ଗ ଏବଂ ପରିବାର ପ୍ରତି ଗଭୀର ସମବେଦନା। ଓମ୍ ଶାନ୍ତି: ପ୍ରଧାନମନ୍ତ୍ରୀ

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ବାଲି ଗସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଅଧ୍ୟକ୍ଷତାରେ ହେବାକୁ ଥିବା ୧୭ ତମ ଜି-୨୦ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଗସ୍ତ କରିଛନ୍ତି। ସେ ସେଠାରେ ସେ ୧୪ ନଭେମ୍ବରରୁ ୧୬ ପର୍ଯ୍ୟନ୍ତ ରହିବେ।

ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାଲି ସମ୍ମିଳନୀ ସମୟରେ, ମୁଁ ଜି-୨୦ ଦେଶର ର ଅଭିବୃଦ୍ଧି, ଖାଦ୍ୟ ଏବଂ ଶକ୍ତି ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ୍ ରୂପାନ୍ତର ଭଳି  ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବି। ଜି -୨୦ ଶିଖର ସମ୍ମିଳନୀରେ ମୁଁ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଦେଶର ନେତାଙ୍କ ସହ ସାକ୍ଷାତ କରିବି ଏବଂ ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିବି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ୧୫ ନଭେମ୍ବରରେ ବାଲିରେ ଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବି।

ସେ କହିଛନ୍ତି ଯେ, ଆମ ଦେଶ ତଥା ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ବାଲି ସମ୍ମିଳନୀର ଶେଷ ସମାରୋହରେ ଜି -୨୦ ସଭାପତିତ୍ବକୁ ଭାରତକୁ ହସ୍ତାନ୍ତର କରିବେ। ଭାରତ ଆନୁଷ୍ଠାନିକ ଭାବରେ ୧ମ ଡିସେମ୍ବର ୨୦୨୨ ରୁ ଜି-୨୦ ସଭାପତିତ୍ବ ଗ୍ରହଣ କରିବ।

ମୁଁ ମୋର ବ୍ୟକ୍ତିଗତ ନିମନ୍ତ୍ରଣକୁ ଜି-୨୦ ସଦସ୍ୟ ତଥା ଅନ୍ୟ ଆମନ୍ତ୍ରଣକାରୀଙ୍କୁ ଆସନ୍ତା ବର୍ଷ ଆମର ଜି-୨୦ ସମ୍ମିଳନୀରେ ପହଞ୍ଚାଇବି। ଜି -୨୦ ଶିଖର ସମ୍ମିଳନୀରେ ମୋର ପାରସ୍ପରିକ କ୍ରିୟା ସମୟରେ, ମୁଁ ଭାରତର ସଫଳତାକୁ ଆଲୋକିତ କରିବି ଏବଂ ବିଶ୍ବର ଆହ୍ବାନକୁ ସାମୂହିକ ଭାବରେ ସମାଧାନ କରିବା ପାଇଁ ଆମର ନିରନ୍ତର ପ୍ରତିବଦ୍ଧତା। ଭାରତର ଜି -୨୦ ସଭାପତିତ୍ବ ଥିମ୍ “ବସୁଦେବ କୁଟୁମ୍ବକମ୍” ବା “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ଥିମ୍ ଘୋଷଣା କରିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ୯୫ ବର୍ଷ ବୟସରେ ପଦାର୍ପଣ କଲେ ଦେଶର ଲୋକପ୍ରିୟ ନେତା ଏଲ କେ ଆଡଭାନୀ

ନୂଆଦିଲ୍ଲୀ: ଆଜି ଭାରତର ପ୍ରଖ୍ୟାତ ତଥା ଲୋକପ୍ରିୟ ନେତା ଏଲ କେ ଆଡଭାନୀ ୯୫ ବର୍ଷ ବସୟରେ ପଦାର୍ପଣ କରିଛନ୍ତି। ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଡଭାନୀ ଜୀଙ୍କ ବାସଭବନକୁ ଯାଇ ତାଙ୍କ ଜନ୍ମଦିନରେ ଶୁଭ କାମନା କଲି। ଭାରତର ଅଭିବୃଦ୍ଧିରେ ତାଙ୍କର ଅବଦାନ ସ୍ମରଣୀୟ ଅଟେ। ତାଙ୍କର ଦୂରଦୃଷ୍ଟି ଏବଂ ବୁଦ୍ଧି ପାଇଁ ତାଙ୍କୁ ସମଗ୍ର ଭାରତରେ ସମ୍ମାନିତ କରୁଛି। ବିଜେପି ଗଠନ ତଥା ମଜବୁତ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବିଶ୍ବ ନେତାଙ୍କ ଗହଣରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:  ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଜାପାନରେ ପହଞ୍ଚିବା ପରେ ଶ୍ରୀ ମୋଦୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ତାଙ୍କର ଫଳପ୍ରଦ ବୈଠକ ହୋଇଛି। ସେ ଅଧିକ ଦୁଃଖ ଅନୁଭବ କଲେ। କାରଣ ସେ ଗତଥର ଆବେଙ୍କ ସହ ତାଙ୍କର ବହୁତ ଲମ୍ବା ବାର୍ତ୍ତାଳାପ ହୋଇଥିଲା। ସେ କେବେ ଭାବି ନଥିଲେ ଯେ ଦେଶ ଛାଡିବା ଯିବା ପରେ ତାଙ୍କୁ ଏପରି ଖବର ଶୁଣିବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ନିଶ୍ଚିତ ଯେ ନୂତନ ନେତୃତ୍ୱରେ ଭାରତ-ଜାପାନ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ଅଧିକ ଶୀର୍ଷକୁ ଛୁଇଁବ। ଶ୍ରୀ ମୋଦୀ କହିଛନ୍ତି ଯେ ସେ ଦୃଢ ଭାବରେ ବିଶ୍ବାସ କରିଛନ୍ତି ଯେ ନୂଆଦିଲ୍ଲୀ ଏବଂ ଟୋକିଓ ବିଶ୍ବର ସମସ୍ୟାର ସମାଧାନ ଖୋଜିବାରେ ଉପଯୁକ୍ତ ଭୂମିକା ଗ୍ରହଣ କରିପାରିବ।

ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଜାତୀୟ ଅନ୍ତିମ ସଂସ୍କାର ଚାଲିଛି। ତାଙ୍କ ଭସ୍ମକୁ ଟୋକିଓର ବୁଡୋକାନ ହଲକୁ ତାଙ୍କ ବିଧବା ପତ୍ନୀ ଆକି ଆବେ ନେଇ ଯାଇଥିଲେ ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବିଶ୍ୱ ନେତାଙ୍କ ସହ ଏହି ଜାତୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି। ଭାରତ-ଜାପାନ ସହଭାଗିତାକୁ ମଜବୁତ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦୂରଦୃଷ୍ଟି ସମ୍ପନ୍ନ କରିବାରେ ପ୍ରଧାନମନ୍ତ୍ରୀ ଆବେଙ୍କ ଅବଦାନକୁ ସେ ଉଲ୍ଲେଖ କରିଛନ୍ତି।

ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜୁବୁତ କରିବା ଉପରେ ଦୁଇ ନେତାଙ୍କ ମଧ୍ୟରେ ଫଳପ୍ରଦ ମତ ବିନିମୟ ହୋଇଥିଲା। ସେମାନେ ଅନେକ ଆଞ୍ଚଳିକ ଏବଂ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭାରତ-ଜାପାନର ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପ୍ ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ଆନ୍ତର୍ଜାତୀୟ ଗୋଷ୍ଠୀ ଏବଂ ଅନୁଷ୍ଠାନରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍”: ଶହୀଦ ଭଗତ ସିଂହଙ୍କ ନାମରେ କଲେ ଏହି ବଡ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମର ଏହା ଥିଲା ୯୩ ତମ ସଂସ୍କରଣ। ଆଜିର ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ଭାରତକୁ ଆସିଥିବା ଚିତାକୁ ନେଇ ଆଲୋକପାତ କରିଥିବା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜିର “ମନ୍ କି ବାତ୍” କାର୍ଯ୍ୟକ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବିଷୟରେ….

ପ୍ରଧାନମନ୍ତ୍ରୀ ତାଙ୍କ ଅବିଭାଷଣରେ ଚିତାକୁ ନେଇ ପ୍ରଥମେ କହିଥିଲେ ଯେ, ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା। ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି। ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ ରଘୁରାମ୍ ଜୀ, ଗୁଜରାଟର ରାଜନ୍ ଜୀ ହୋଇଥାଆନ୍ତୁ କିମ୍ବା ଦିଲ୍ଲୀର ସୁବ୍ରତ୍ ଜୀ। ଦେଶର କୋଣ ଅନୁକୋଣରୁ ଲୋକେ ଚିତା ଭାରତକୁ ଫେରିବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ୧୩୦ କୋଟି ଭାରତବାସୀ ଆନନ୍ଦିତ, ଗର୍ବିତ। ଏହାହିଁ ହେଉଛି ଭାରତର ପ୍ରକୃତି ପ୍ରେମ। ଏ ବିଷୟରେ ଲୋକଙ୍କର ଗୋଟିଏ ହିଁ ପ୍ରଶ୍ନ, ମୋଦିଜୀ ଆମକୁ ଚିତା ଦେଖିବାର ସୁଯୋଗ କେବେ ମିଳିବ?

ଗୋଟିଏ ଟାସ୍କ ଫୋର୍ସ ଗଠିତ ହୋଇଛି। ଏହି ଟାସ୍କ ଫୋର୍ସ ଚିତାମାନଙ୍କ ଉପରେ ଦୃଷ୍ଟି ରଖିବ ଏବଂ ଏଠାକାର ପରିବେଶରେ ଏମାନେ କେତେ ମାତ୍ରାରେ ନିଜକୁ ଖାପ ଖୁଆଇ ପାରିଛନ୍ତି, ତାହା ତଦାରଖ କରିବ। ଏହାକୁ ଭିତ୍ତି କରି କିଛି ମାସ ପରେ କିଛି ନିଷ୍ପତି ଗ୍ରହଣ କରାଯିବ । ତା ପରେ ହିଁ ଆପଣ ଚିତାମାନଙ୍କୁ ଦେଖିପାରିବେ। କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ କିଛି କାମ ଦେଉଛି, ଏଥିପାଇଁ ମାଇ ଗଭ୍ ପ୍ଲାଟଫର୍ମରେ ଗୋଟିଏ ପ୍ରତିଯୋଗୀତାର ଆୟୋଜନ କରାଯିବ, ଯେଉଁଥିରେ କିଛି କଥା ଶେୟାର କରିବା ପାଇଁ ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି। ଚିତାମାନଙ୍କୁ ନେଇ ଆମେ ଯେଉଁ ଅଭିଯାନ ଚଳାଉଛୁଁ, ସେହି ଅଭିଯାନର ନାମ କଣ ହେବା ଉଚିତ? ଏହି ଚିତାମାନଙ୍କର ପ୍ରତ୍ୟେକଙ୍କର ନାମକରଣ କରାଯିବା ଉଚିତ କି ? ଏମାନଙ୍କ ନାମ କଣ ରଖାଯାଇପାରେ ? ଅବଶ୍ୟ, ଏହି ନାଁ ଗୁଡ଼ିକ ପାରମ୍ପାରିକ ହେଲେ ବହୁତ ଭଲ ହୁଅନ୍ତା। କାରଣ, ଆମ ସମାଜ ଓ ସଂସ୍କୃତି, ପରମ୍ପରା ଓ ଐତିହ ସହ ଜଡ଼ିତ ବସ୍ତୁଗୁଡ଼ିକ ଆମକୁ ସହଜରେ ନିଜ ଆଡ଼କୁ ଆକର୍ଷିତ କରିଥାଏ। କେବଳ ସେତିକି ନୁହେଁ, ଆପଣମାନେ ଏ କଥା ମଧ୍ୟ ଜଣାନ୍ତୁ ଯେ, ମଣିଷ ପଶୁମାନଙ୍କ ସହ କିଭଳି ବ୍ୟବହାର କରିବା ଉଚିତ? ଆମର ମୌଳିକ କର୍ତ୍ତବ୍ୟରେ ମଧ୍ୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରତିଯୋଗୀତାରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ। କିଏ ଜାଣେ, ପୁରସ୍କାର ରୂପେ ଚିତାଙ୍କୁ ଦେଖିବାର ପ୍ରଥମ ସୁଯୋଗ ଆପଣଙ୍କୁ ହିଁ ମିଳିଯାଇପାରେ!

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିଠାରୁ ତିନି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ଦିନ ଅମୃତ ମହୋତ୍ସବର ଗୋଟିଏ ବିଶେଷ ଦିନ ପଡ଼ୁଛି। ସେହି ଦିନ ଆମେ ଭାରତମାତାଙ୍କ ବୀର ସୁପୁତ୍ର ଭଗତ ସିଂହଙ୍କ ଜନ୍ମଦିନ ପାଳନ କରିବା। ଭଗତ ସିଂହଙ୍କ ଜନ୍ମଦିନର ଠିକ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ରୂପେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଏ କଥା ସ୍ଥିର କରାଯାଇଛି ଯେ, ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏବେ ଶହୀଦ ଭଗତ ସିଂହଙ୍କ ନାମାନୁସାରେ ହେବ। ଦୀର୍ଘ ଦିନ ଧରି ଏହା ପ୍ରତୀକ୍ଷିତ ଥିଲା। ମୁଁ ଚଣ୍ଡିଗଡ଼, ପଞ୍ଜାବ, ହରିଆନା ସମେତ ଦେଶର ସମସ୍ତ ଜନସାଧାରଣଙ୍କୁ ଏହି ନିଷ୍ପତି ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।

ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରି, ସେମାନଙ୍କ ଆଦର୍ଶକୁ ଅନୁସରଣ କରି ସେମାନଙ୍କ ସ୍ୱପ୍ନର ଭାରତ ଗଢ଼ିବା, ତାହାହିଁ ସେମାନଙ୍କ ପ୍ରତି ହେବ ଆମ ଶ୍ରଦ୍ଧାଞ୍ଜଳୀ। ଶହିଦମାନଙ୍କ ସ୍ମୃତିସ୍ଥଳ, ସେମାନଙ୍କ ନାମାନୁସାରେ ସ୍ଥାନ ଓ ସଂସ୍ଥାଗୁଡ଼ିକର ନାମ ଆମକୁ କର୍ତ୍ତବ୍ୟ ପାଇଁ ପ୍ରେରଣା ଯୋଗାଇଥାଏ। ମାତ୍ର କିଛି ଦିନ ତଳେ ଦେଶ, କର୍ତ୍ତବ୍ୟପଥ ଉପରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ମୁର୍ତ୍ତୀ ପ୍ରତିଷ୍ଠା ମାଧ୍ୟମରେ ଏଭଳି ଏକ ପ୍ରୟାସ କରିଛି । ଆଉ ଏବେ, ଶହିଦ୍ ଭଗତ ସିଂହଙ୍କ ନାମାନୁସାରେ ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏହି ଦିଗରେ ଆଉ ଏକ ପଦକ୍ଷେପ । ମୁଁ ଚାହେଁ ଅମୃତ ମହୋତ୍ସବରେ ଆମେ ଯେଉଁଭଳି ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଜଡ଼ିତ ହୋଇ ବିଶେଷ ଅବସରକୁ ଯେମିତି ପାଳନ କରୁଛୁ, ଠିକ ସେହିଭଳି ସେପ୍ଟେମ୍ବର ୨୮ ତାରିଖ ଦିନ ମଧ୍ୟ ଦେଶର ଯୁବବର୍ଗ କିଛି ନୂତନ ପ୍ରଚେଷ୍ଟା ନିଶ୍ଚୟ କରନ୍ତୁ।

ମୋଦୀ କହିଛନ୍ତି ଯେ, ଅବଶ୍ୟ ଆପଣ ସମସ୍ତଙ୍କ ପାଖରେ ସେପ୍ଟେମ୍ବର ୨୮ ତାରିଖକୁ ପାଳନ କରିବାର ଆଉ ଗୋଟିଏ ବାହାନା ରହିଛି । ଜାଣିଛନ୍ତି, ତାହା କ’ଣ? ମୁଁ କେବଳ ଦୁଇ ପଦ କହିବି, କିନ୍ତୁ ମୁଁ ଜାଣିଛି ଯେ, ଆପଣମାନଙ୍କ ଉତ୍ସାହ ଆହୁରି ଚାରିଗୁଣ ବଢ଼ିଯିବ। ଏହି ଦୁଇଟି ଶବ୍ଦ ହେଲା ସର୍ଜିକାଲ୍ ଷ୍ଟ୍ରାଇକ୍। କ’ଣ? ବଢ଼ିଗଲା ନା ଉତ୍ସାହ ? ଆମ ଦେଶରେ ଚାଲିଥିବା ଅମୃତ ମହୋତ୍ସବ ଅଭିଯାନକୁ ଆମେ ସମ୍ପୂର୍ଣ୍ଣ ମନଧ୍ୟାନ ଦେଇ ପାଳନ କରିବା, ଆମ ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା।

ଜୀବନର ସଂଘର୍ଷ ଦେଇ ଗତି କରିଥିବା ବ୍ୟକ୍ତି ଆଗରେ କୌଣସି ବାଧା ତିଷ୍ଠି ପାରେନି। ନିଜର ଦୈନନ୍ଦିନ ଜୀବନରେ ଆମେ ଏଭଳି କିଛି ବନ୍ଧୁମାନଙ୍କୁ ଦେଖିଥାଉ, ଯିଏ କିଛି ନା କିଛି ଶାରୀରିକ ଆହ୍ୱାନ ସହ ସଂଗ୍ରାମ କରୁଥାଆନ୍ତି। ଏଭଳି ଅନେକ ଲୋକ ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ଶ୍ରବଣ ଶକ୍ତି ନାହିଁ କିମ୍ବା ନିଜ କଥାକୁ ସେମାନେ ଭାଷାରେ ପ୍ରକାଶ କରିପାରନ୍ତିନି। ଏଭଳି ବନ୍ଧୁମାନଙ୍କ ପାଇଁ ସବୁଠାରୁ ବଡ଼ ସମ୍ବଳ ହେଉଛି ସାଙ୍କେତିକ ଭାଷା। କିନ୍ତୁ ଭାରତରେ ଅନେକ ବର୍ଷ ଧରି ଏହି ଅସୁବିଧା ରହିଥିଲା ଯେ, ସାଙ୍କେତିକ ଭାଷା ପାଇଁ କୌଣସି ସ୍ପଷ୍ଟ ଭାବଭଙ୍ଗୀ ନିର୍ଦ୍ଧାରିତ ହୋଇ ନ ଥିଲା, ମାନକ (ଷ୍ଟାଣ୍ଡାର୍ଡ଼) ନ ଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ହିଁ ବର୍ଷ ୨୦୧୫ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଏହି ସଂସ୍ଥା ଏ ଯାବତ ଦଶ ହଜାର ଶବ୍ଦ ଏବଂ ଅଭିବ୍ୟକ୍ତିର ଅଭିଧାନ ପ୍ରସ୍ତୁତ କରିସାରିଥିବାରୁ ମୁଁ ଆନନ୍ଦିତ। ଦୁଇ ଦିନ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୨୩ ତାରିଖ ଦିନ ସାଙ୍କେତିକ ଭାଷା ଦିବସରେ ଅନେକ ବିଦ୍ୟାଳୟ ପାଠ୍ୟକ୍ରମକୁ ମଧ୍ୟ ସାଙ୍କେତିକ ଭାଷାରେ ଆରମ୍ଭ କରାଯାଇଛି। ସାଙ୍କେତିକ ଭାଷାର ସ୍ଥିରୀକୃତ ମାନକକୁ ବଜାୟ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଛି। ସାଙ୍କେତିକ ଭାଷାର ଯେଉଁ ଅଭିଧାନ ତିଆରି ହୋଇଛି, ତାହାର ଭିଡିଓ ପ୍ରସ୍ତୁତ କରି ମଧ୍ୟ ଏହାକୁ ପ୍ରଚାର କରାଯାଉଛି। ୟୁ-ଟ୍ୟୁବରେ ଅନେକ ବ୍ୟକ୍ତିବିଶେଷ ଓ ସଂସ୍ଥାମାନେ ଭାରତୀୟ ସାଙ୍କେତିକ ଭାଷାରେ ନିଜର ଚ୍ୟାନେଲ ଆରମ୍ଭ କରିଦେଇଛନ୍ତି। ଅର୍ଥାତ, ସାତ ଆଠ ବର୍ଷ ପୂର୍ବେ ସାଙ୍କେତିକ ଭାଷାକୁ ନେଇ ଦେଶରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ଏବେ ଏହାର ଲାଭ ମୋର ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ଭାଇ-ଭଉଣୀ ମାନଙ୍କୁ ମିଳିବାରେ ଲାଗିଛି। ହରିଆନାରେ ରହୁଥିବା ପୂଜା ତ ଭାରତୀୟ ସାଙ୍କେତିକ ଭାଷାକୁ ନେଇ ବିଶେଷ ଖୁସି। ଆଗରୁ ସେ ନିଜ ପୁଅ ସହ କଥାବାର୍ତ୍ତା କରିପାରୁ ନଥିଲେ । କିନ୍ତୁ, ୨୦୧୮ରେ ସାଙ୍କେତିକ ଭାଷାର ତାଲିମ ନେବା ପରେ ମା-ପୁଅ ଉଭୟଙ୍କ ଜୀବନ ସହଜ ହୋଇଯାଇଛି । ପୂଜାଙ୍କ ପୁଅ ମଧ୍ୟ ସାଙ୍କେତିକ ଭାଷା ଶିଖିଲେ ଏବଂ ନିଜ ବିଦ୍ୟାଳୟରେ ସେ ଷ୍ଟୋରୀ ଟେଲିଂରେ ପୁରସ୍କାର ହାସଲ କରି ମଧ୍ୟ ଦେଖାଇଦେଲେ। ସେହିଭଳି, ଟିଙ୍କାଜୀଙ୍କ ୬ ବର୍ଷର ଝିଅଟିଏ ଅଛି, ଯିଏ ଶୁଣିପାରୁ ନାହିଁ। ଟିଙ୍କାଜୀ ନିଜ ଝିଅକୁ ସାଙ୍କେତିକ ଭାଷାର କୋର୍ସ କରାଇଥିଲେ। କିନ୍ତୁ ତାଙ୍କୁ ନିଜକୁ ସାଙ୍କେତିକ ଭାଷା ଜଣା ନ ଥିଲା। ତେଣୁ ସେ ନିଜ ଝିଅ ସହ ଭାବ-ବିନିମୟ କରିପାରୁନଥିଲେ। ଏବେ ଟିଙ୍କାଜୀ ମଧ୍ୟ ସାଙ୍କେତିକ ଭାଷାର ତାଲିମ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମା-ଝିଅ ପରସ୍ପର ମଧ୍ୟରେ ବହୁତ କଥା ହେଉଛନ୍ତି। ଏହି ପ୍ରଚେଷ୍ଟାର ଏକ ବଡ଼ ଲାଭ କେରଳର ମଞ୍ଜୁ ମଧ୍ୟ ପାଇଛନ୍ତି। ମଞ୍ଜୁ ଜନ୍ମରୁ ହିଁ ଶ୍ରବଣ ଶକ୍ତିହୀନ ଥିଲେ। କେବଳ ସେତିକି ନୁହେଁ, ତାଙ୍କ ପିତା-ମାତାଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଥିଲା। ଏଭଳି ପରିସ୍ଥିତିରେ ସାଙ୍କେତିକ ଭାଷା ହିଁ ସାରା ପରିବାର ପାଇଁ ଭାବ-ବିନିମୟର ମାଧ୍ୟମ ହୋଇପାରିଛି। ଏବେ ତ ମଞ୍ଜୁ ନିଜେ ସାଙ୍କେତିକ ଭାଷାର ଶିକ୍ଷକ ହେବା ପାଇଁ ନିଷ୍ପତି ଗ୍ରହଣ କରିସାରିଛନ୍ତି।

ମୁଁ ଏ ସମ୍ପର୍କରେ ‘ମନ୍ କୀ ବାତ୍’ରେ ଏଥିପାଇଁ ମଧ୍ୟ ଚର୍ଚ୍ଚା କରୁଛି, ଯେପରକି ଭାରତୀୟ ସାଙ୍କେତିକ ଭାଷାକୁ ନେଇ ସଚେତନତା ବଢ଼ୁ। ଏଥିରୁ ଆମେ ଆମର ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିପାରିବା। ଭାଇ ଓ ଭଉଣୀମାନେ, କିଛିଦିନ ପୂର୍ବରୁ ମୋତେ ବ୍ରେଲରେ ଲେଖାହୋଇଥିବା ହେମକୋଷର ଏକ Copy ମଧ୍ୟ ମିଳିଛି। ହେମକୋଷ ଅସମିୟା ଭାଷାର ସବୁଠୁ ପୁରୁଣା ଶବ୍ଦକୋଷ ମଧ୍ୟରୁ ଅନ୍ୟତମ। ଏହା ଊନବିଂଶ ଶତାବ୍ଦୀରେ ପ୍ରସ୍ତୁତ କରାଯାଇଥିଲା । ଏହାର ସମ୍ପାଦନା କରିଥିଲେ ପ୍ରଖ୍ୟାତ ଭାଷାବିତ୍ ହେମଚନ୍ଦ୍ର ବରୁଆ। ହେମକୋଷର ବ୍ରେଲ୍ ସଂସ୍କରଣ ପ୍ରାୟ ୧୦ ହଜାର ପୃଷ୍ଠାର ଏବଂ ଏହା ୧୫ରୁ ଅଧିକ ଖଣ୍ଡରେ ପ୍ରକାଶିତ ହେବାକୁ ଯାଉଛି। ଏଥିରେ ୧ ଲକ୍ଷରୁ ମଧ୍ୟ ଅଧିକ ଶବ୍ଦର ଅନୁବାଦ କରାଯିବ । ମୁଁ ଏହି ସମ୍ବେଦନଶୀଳ ପ୍ରୟାସର ବହୁତ ପ୍ରଶଂସା କରୁଛି। ଏହିଭଳି ପ୍ରତ୍ୟେକ ପ୍ରୟାସ ଦିବ୍ୟାଙ୍ଗ ବନ୍ଧୁମାନଙ୍କର କୌଶଳ ଓ ସାମର୍ଥ୍ୟ ବଢ଼ାଇବାରେ ବହୁତ ସାହାଯ୍ୟ କରିଥାଏ । ଆଜି ଭାରତ ପାରାସ୍ପୋର୍ଟସରେ ମଧ୍ୟ ସଫଳତାର ବାନା ଉଡ଼ାଉଛି। ଆମେ ସମସ୍ତେ ଅନେକ ପ୍ରତିଯୋଗିତାରେ ଏହାର ସାକ୍ଷୀ ରହିଛୁ । ଆଜି ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଫିଟନେସ୍ ସଂସ୍କୃତିକୁ ତୃଣମୂଳ ସ୍ତରରେ ଆଗକୁ ନେବା କାମରେ ଲାଗିପଡ଼ିଛନ୍ତି। ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କ ଆତ୍ମବିଶ୍ୱାସକୁ ବହୁତ ଶକ୍ତି ମିଳିଥାଏ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଗତ ବର୍ଷଗୁଡ଼ିକରେ ଆମର ପର୍ବଗୁଡ଼ିକ ସାଥିରେ ଦେଶର ଏକ ନୂଆ ସଂକଳ୍ପ ଯୋଡ଼ି ହୋଇଯାଇଛି । ଆପଣମାନେ ଜାଣନ୍ତି ଯେ ଏହି ସଂକଳ୍ପଟି ହେଉଛି ‘Vocal for Local’ । ଏବେ ଆମେ ଉତ୍ସବଗୁଡ଼ିକର ଆନନ୍ଦରେ ଆମ ଅଂଚଳର କାରିଗର, ଶିଳ୍ପୀ ଏବଂ ବ୍ୟବସାୟୀମାନଙ୍କୁ ମଧ୍ୟ ସହଭାଗୀ କରୁଛେ । ଆସନ୍ତା ୨ ଅକ୍ଟୋବର ଗାନ୍ଧୀଜୟନ୍ତୀ ଅବସରରେ ଆମେ ଏହି ଅଭିଯାନକୁ ଆହୁରି ଆଗେଇ ନେବାକୁ ସଂକଳ୍ପ କରିବା । ଖଦି, ହ୍ୟାଣ୍ଡଲୁମ୍, Handicraft ଏ ସମସ୍ତ ଉତ୍ପାଦ ସହିତ ସ୍ଥାନୀୟ ଜିନିଷଗୁଡ଼ିକୁ ନିଶ୍ଚୟ କିଣନ୍ତୁ । ଏହି ଉତ୍ସବର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ପ୍ରତ୍ୟେକ ଲୋକ ଏଥିରେ ଭାଗୀଦାର ହୋଇପାରିବେ । ସେଥିପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକରେ କାମ କରୁଥିବା ଲୋକମାନଙ୍କୁ ଆମେ ସମର୍ଥନ କରିବା ଉଚିତ । ଗୋଟିଏ ଭଲ ଉପାୟ ହେଲା, ଆମେ ଯାହା ଉପହାର ଦେବା ସେଥିରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ସ୍ଥାନ ଦେବା ।

ବର୍ତ୍ତମାନ ଏ ଅଭିଯାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ – ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ଆମେ ଆତ୍ମନିର୍ଭର ଭାରତର ଲକ୍ଷ୍ୟନେଇ ମଧ୍ୟ ଆଗେଇ ଚାଲିଛୁ ଯାହା ବାସ୍ତବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ଏଥିପାଇଁ ଆପଣମାନଙ୍କୁ ନିବେଦନ କରୁଛି କି ଏଥର ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟ ଜିନିଷଗୁଡ଼ିକୁ କିଣିବାରେ ସବୁ ରେକର୍ଡ ଭାଙ୍ଗିଦିଅନ୍ତୁ । ମୁଁ ଦେଖିଛି ଯେ ଉତ୍ସବଗୁଡ଼ିକ ସମୟରେ ପ୍ୟାକିଂ ଏବଂ ପ୍ୟାକେଜିଂ ପାଇଁ ପଲିଥିନ୍ ବ୍ୟାଗଗୁଡ଼ିକର ବହୁଳ ବ୍ୟବହାର ହୋଇଥାଏ । ସ୍ୱଚ୍ଛତାର ଉତ୍ସବରେ ପଲିଥିନ୍ ଭଳି ହାନିକାରକ ଆବର୍ଜନା ଆମ ଉତ୍ସବ ଭାବନାର ବିରୁଦ୍ଧାଚରଣ କରେ । ତେଣୁ ଆମେମାନେ ସ୍ଥାନୀୟ ଅଂଚଳରେ ତିଆରି ହେଉଥିବା Non Plastic ବ୍ୟାଗଗୁଡ଼ିକ ବ୍ୟବହାର କରିବା ଉଚିତ । ଆମ ଅଂଚଳରେ ଝୋଟରୁ, ସୂତାରୁ, କଦଳୀଗଛରୁ ଏମିତି ଅନେକ ପାରମ୍ପରିକ ବ୍ୟାଗଗୁଡ଼ିକର ପ୍ରଚଳନ ବଢ଼ିବାରେ ଲାଗିଲାଣି । ଆମେମାନେ ପର୍ବପର୍ବାଣୀ ସମୟରେ ଏଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଙ୍ଗେ ସଙ୍ଗେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ହେଉଛି ଆମର ଦାୟିତ୍ୱ ।

ଆମ ଶାସ୍ତ୍ରରେ କୁହାଯାଇଛି ଯେ – ‘ପର୍ ହିତ ସରିସ ଧର୍ମ ନେହିଁ ଭାଇ’ ଅର୍ଥାତ ଅନ୍ୟମାନଙ୍କର କଲ୍ୟାଣ କରିବା, ଅନ୍ୟମାନଙ୍କର ସେବା ବା ଉପକାର ଭଳି କୌଣସି ଧର୍ମ ନାହିଁ । ବିଗତ ଦିନମାନଙ୍କରେ ସମାଜ ସେବାର ଏହି ଧାରଣାର ଗୋଟିଏ ଭିନ୍ନ ଉଦାହରଣ ଦେଖିବାକୁ ମିଳିଲା । ଆପଣ ମଧ୍ୟ ଦେଖିଥିବେ ଯେ ଲୋକମାନେ ଆଗେଇଆସି କୌଣସି ଟିବି ରୋଗୀକୁ ପୋଷ୍ୟ କରିନେଉଛନ୍ତି ତଥା ତା’ର ପୁଷ୍ଟିକର ଖାଦ୍ୟ ପାଇଁ ସମସ୍ତ ଦାୟିତ୍ୱ ନେଉଛନ୍ତି । ବାସ୍ତବରେ ଏହା ‘ଟିବି ମୁକ୍ତ ଭାରତ’ ଅଭିଯାନର ଏକ ଅଙ୍ଗ ଯାହାର ଆଧାର ହେଉଛି ଜନଭାଗିଦାରୀ ତଥା କର୍ତ୍ତବ୍ୟ ଭାବନା । ସଠିକ୍ ପୋଷଣ ଏବଂ ଠିକ୍ ସମୟରେ ଔଷଧ ବ୍ୟବହାର ଦ୍ୱାରା ଟିବି ରୋଗର ଚିକିତ୍ସା ସମ୍ଭବ । ମୋର ବିଶ୍ୱାସ ଯେ ଜନଭାଗିଦାରୀର ଏହି ଶକ୍ତି ଦ୍ୱାରା ଭାରତ ୨୦୨୫ ମସିହା ସୁଦ୍ଧା ଟିବିମୁକ୍ତ ହୋଇପାରିବ ।

କେନ୍ଦ୍ରଶାସିତ ଅଂଚଳ ଦାଦ୍ରା-ନଗରହାବେଲି ଏବଂ ଡାମନ୍ ଡିଉରୁ ମଧ୍ୟ ଏକ ଏହିଭଳି ଉଦାହରଣ ମିଳିଛି ଯାହା ମନକୁ ଛୁଇଁଯାଉଛି। ଏଠାକାର ଆଦିବାସୀ ଅଂଚଳରେ ରହୁଥିବା ଜିନୁ ରାଓତିଆ ଲେଖିଛନ୍ତି ଯେ ସେଠାରେ ଚାଲିଥିବା ଦତକ ଗ୍ରାମ କାର୍ଯ୍ୟକ୍ରମରେ ମେଡ଼ିକାଲ କଲେଜର ଛାତ୍ରମାନେ ୫୦ଟି ଗ୍ରାମକୁ ପୋଷ୍ୟଗ୍ରାମ ଭାବରେ ଗ୍ରହଣ କରିଛନ୍ତି। ଏହି ଗ୍ରାମଗୁଡ଼ିକ ମଧ୍ୟରେ ଜିନୁଜୀଙ୍କର ଗ୍ରାମ ମଧ୍ୟ ସାମିଲ ହୋଇଛି। ମେଡ଼ିକାଲ କଲେଜର ଏହି ଛାତ୍ରମାନେ ଗ୍ରାମର ଲୋକମାନଙ୍କୁ ରୋଗଠାରୁ ଦୂରେଇ ରହିବାକୁ ସଚେତନ କରୁଛନ୍ତି, ରୋଗ ହେଲେ ସହାୟତା କରୁଛନ୍ତି ତଥା ସରକାରୀ ଯୋଜନାଗୁଡ଼ିକ ବିଷୟରେ ସୂଚନା ମଧ୍ୟ ଦେଉଛନ୍ତି। ପରୋପକାରର ଏହି ଭାବନା ଗ୍ରାମବାସୀମାନଙ୍କ ମଧ୍ୟରେ ନୂତନ ଖୁସିର ସଂଚାର କରିଛି। ମୁଁ ଏଥିପାଇଁ ମେଡ଼ିକାଲ କଲେଜର ସବୁ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଉଛି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତି ଦାସତ୍ୱ ମାନସିକତାରୁ ମୁକ୍ତି ଦେବ: ଧର୍ମେନ୍ଦ୍ର ପ୍ରଧାନ

ବଡନଗର: ଆମ ଦେଶର ଐତିହ୍ୟକୁ ନେଇ ଗର୍ବିତ ହେବା ଏବଂ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟତା ସହ ଯୋଡ଼ି ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଦେଶରେ ପ୍ରଣୟନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଗୁଜରାଟର ବଡନଗର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବହମୁଖୀ ସଭାଗୃହର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨ ହଜାର ୫୦୦ ବର୍ଷ ପୁରୁଣା ବଡନଗର ସମୃଦ୍ଧ ଇତିହାସ, ଧାର୍ମିକ ସ୍ୱତନ୍ତ୍ରତା ଏବଂ ସହିଷ୍ଣୁତାର ମୁକସାକ୍ଷୀ। ବଡ଼ନଗର ଭଳି ଆମ ଦେଶର ସମୃଦ୍ଧ ଐତିହ୍ୟକୁ ଆହୁରି ଆଗକୁ କିଭଳି ନିଆଯାଇପାରିବ, ଏ ଦିଗରେ ନୂଆପିଢିକୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତର କଳ୍ପନାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ବହୁତ ବଡ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି। ନୂଆ ଜାତୀୟ ଶିକ୍ଷା ନୀତିରେ ନୂଆପିଢିଙ୍କୁ ବୈଶ୍ୱିକ ନାଗରିକ ଭାବେ ପରିଣତ କରିବାର ସାମର୍ଥ୍ୟ ରହିଛି। ଭାରତର ଲୋକମାନେ ବିଶ୍ୱର ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ଅଛନ୍ତି। ଆମେ ଦୁନିଆର ଦାୟିତ୍ୱ ସେବେ ନେବା ଯେବେ ଆମେ ଆମର ଦାୟିତ୍ୱକୁ ବୁଝିବା। ଏଥିପାଇଁ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ଜାତୀୟ ଶିକ୍ଷା ଆଧାରରେ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜ୍ଞାନ, ଆଧ୍ୟାତ୍ମିକ, ବୈଭବ, ସଭ୍ୟତା ଏବଂ ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ର ହେଉଛି ବଡନଗର। ଏକବିଂଶ ଶତାବ୍ଦୀର ନେତୃତ୍ୱ ପ୍ରଦାନ କରିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଆଜି ବହୁମୁଖୀ ସଭାଗୃହ ଭଳି ସୁବିଧାର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯଦି ଇଚ୍ଛାଶକ୍ତି ଅଛି ତେବେ ବ୍ୟବସ୍ଥା ମାଧ୍ୟମରେ ବଡ଼ ପରିଣାମ ଆସିପାରିବ। ବଡନଗରର ଏହି ନବୋଦୟ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାକୁ ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ପିଲାମାନେ ପାଠପଢ଼ି ଭଲ ମଣିଷ ହୁଅନ୍ତି। ବଡନଗରରେ ଏହି ସଂସ୍କାର ଅଛି ଯେ, ସାଧାରଣ ଘରର ଲୋକ ଆଜି ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଆଜି ମୋଦି ଭାରତର ନୁହଁ ବରଂ ବିଶ୍ୱ ନେତା ଅଟନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେହିପରି ବଡନଗର ଷ୍ଟେସନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ କେନ୍ଦ୍ରମନ୍ତ୍ରୀ ବୁଲିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରୁ ପ୍ରେରଣାଦାୟୀ ଜୀବନ ଯାତ୍ରା ଆରମ୍ଭ କରିଥିଲେ, ସେ ସ୍ଥାନ ଦେଖିବା ମୋ ପାଇଁ ଗର୍ବର କଥା। ବଡନଗର ରେଳ ଷ୍ଟେସନ ନିକଟସ୍ଥ ଚା’ ଦୋକାନ ଯେଉଁଠାରେ ଛୋଟବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବାପାଙ୍କୁ ଚା’ ବିକ୍ରୀରେ ସହଯୋଗ କରୁଥିଲେ। ଏହା ହେଉଛି ନିଷ୍ଠା, ସାହସ ଏବଂ ପରିଶ୍ରମର ଏକ ପ୍ରମାଣ । ତତସହ ଏହା ପ୍ରମାଣ ହେଉଛି, ଯେକୌଣସି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଣେ ସଫଳ ହୋଇପାରିବ ଏବଂ ଲକ୍ଷାଧିକ ଲୋକଙ୍କ ଆଶାର କିରଣ ହୋଇପାରିବ।

ଏହି ଗୁଜରାଟ ଗସ୍ତ କାଳରେ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବଡନଗର ସ୍ଥିତ ପ୍ରେରଣା ସ୍କୁଲ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ପ୍ରେରଣା ସ୍କୁଲ ପ୍ରକଳ୍ପ ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହାବ୍ୟତିତ ବଡନଗର ସ୍ଥିତ ହଟକେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦର୍ଶନ କରିବାର ଲାଭ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

କୋଚିରେ ଥିବା ଆଦିଶଙ୍କରାଚାର୍ଯ୍ୟ ଜନ୍ମପୀଠକୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଚିର କାଲାଡି ଗ୍ରାମରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ଜନ୍ମସ୍ଥାନ ଶ୍ରୀ ଆଦିଶଙ୍କର ଜନମ ଭୂମି କ୍ଷେତ୍ରମ ଦର୍ଶନ କରିଛନ୍ତି। ମୋଦି ପାରଂପାରିକ କେରଳ ପୋଷାକ ପରିଧାନ କରି ସେ ଏହି ପବିତ୍ର ସ୍ଥାନକୁ ଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ,

“ମୁଁ ଶ୍ରୀ ଆଦିଶଙ୍କର ଜନ୍ମଭୂମୀ କ୍ଷେତ୍ରକୁ ଆସିଥିବାରୁ ବହୁତ ଖୁସି ଅନୁଭବ କରୁଛି। ଏହା ବାସ୍ତବରେ ଏକ ବିଶେଷ ସ୍ଥାନ। ଆମ ସଂସ୍କୃତିର ସୁରକ୍ଷା ଦିଗରେ ତାଙ୍କର ସମୃଦ୍ଧ ଅବଦାନ ପାଇଁ ଆଗାମୀ ପିଢୀ ନିଶ୍ଚିତ ଭାବେ ମହାନ ଆଦି ଶଙ୍କରାଚାର୍ଯ୍ୟଙ୍କ ନିକଟରେ ଚୀରଋଣୀ ରହିବେ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସୋଭିଏତ ଋଷର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ, ମୋଦିଙ୍କ ଶୋକ

ନୂଆଦିଲ୍ଲୀ: ପୃଥିବୀର ଜଣେ ମହାନ ରାଷ୍ଟ୍ରନେତା ତଥା ସୋଭିଏତ ଋଷର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେୋଭଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ  91 ବର୍ଷ ବୟସ ହୋଇଥିଲା।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଁ ବିଂଶ ଶତାବ୍ଦୀର ଜଣେ ଅଗ୍ରଣୀ ରାଜନେତା ମାନ୍ୟବର ଶ୍ରୀ ମିଖାଇଲ୍ ଗୋର୍ବାଚେଭ, ଯିଏ କି ଇତିହାସ ସହିତ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି ତାଙ୍କ ପରିବାର ତଥା ବନ୍ଧୁମାନଙ୍କୁ ଆମର ଗଭୀର ସମବେଦନା ଜଣାଉଛି । ଭାରତ ସହିତ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନକୁ ଆମେ ମନେ ପକାଉଛୁ ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସୋନିଆ ଗାନ୍ଧୀଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ସୋନିଆ ଗାନ୍ଧୀ ଜୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଏହି ଦୁଃଖ ସମୟରେ ମୋର ଚିନ୍ତାଧାରା ସମଗ୍ର ପରିବାର ସହିତ ଅଛି ।”

 

 

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଶେଷ ରବିବାର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି ‘ମନ କି ବାତ୍’ କାର୍ଯ୍ୟକ୍ରମ। ଏହା ଆସନ୍ତାକାଲି ଦିନ ୧୧ ଟା ସମୟରେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ। ଆସନ୍ତାକାଲି ଏହା ୯୧ ତମ ଅଧ୍ୟାୟ ହେବ।

ଏହି କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରଣ କରାଯିବ। ସେହିପରି ଏଆଇଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ ନ୍ୟୁଜ ଅନ ଏଆଇଆର ମୋବାଇଲ୍ ଆପ୍ ରେ ମଧ୍ୟ ପ୍ରସାରଣ କରାଯିବ। ଏଥିସହିତ ଏହା ଏଆଇଆର ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ।

ହିନ୍ଦୀ ପ୍ରସାରଣ ପରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷା ସଂସ୍କରଣଗୁଡ଼ିକ ରାତି  ୮ ରେ ପ୍ରସାରଣ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ଭୋଜି ଦେଲେ ପ୍ରଧାନମନ୍ତ୍ରୀ, ଥିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ବିଦାୟ କାଳୀନ ଭୋଜି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପାର୍ଟିରେ ଖୋଦ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ବାଚସ୍ପତି ଓମ ବିର୍ଲା ଉପସ୍ଥିତ ଥିଲେ।

ଏଥିରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟ, କଂଗ୍ରେସ ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ବଗଣ ଉପସ୍ଥିତ ଥିଲେ। ସାଧାରଣତଃ ଏପରି ପାର୍ଟିରେ କେବଳ ଦିଲ୍ଲୀ ଅତିଥିଙ୍କୁ ଦେଖିବାକୁ ମିଳେ। ହେଲେ ଏଥିରେ ସବୁ ରାଜ୍ୟ ଏବଂ ସବୁ ବର୍ଗର ଲୋକଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଇଛି।

ଏହି ପାର୍ଟିରେ ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତି ପାଇଁ ନାମାଙ୍କନ ଦାଖଲ କଲେ ଧନଖଡ, ବିଜେଡିରୁ କିଏ ହେଲା ସାମିଲ

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଗଦୀପ ଧନଖଡ। ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଜେଡି ତରଫରୁ ସାଂସଦ ପିନାକୀ ମିଶ୍ର ଏହି ନାମାଙ୍କନ ବେଳେ ଉପସ୍ଥିତ ରହିଥିଲେ।

ନାମାଙ୍କନ ଦାଖଲ ପରେ 71 ବର୍ଷିୟ ଧନଖଡ କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଢାଇବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। ସ୍ୱପ୍ନରେ ସୁଦ୍ଧା ମୁଁ କେବେ ଭାବି ନ ଥିଲି ଯେ ମୋ ଭଳି ଜଣେ ବ୍ୟକ୍ତି ଏହି ସୁଯୋଗ ମିଳିବ। ଆସନ୍ତାକାଲି ଉପରାଷ୍ଟ୍ରପତି ପାଇଁ ନାମାଙ୍କନର ଶେଷ ତାରିଖ ରହିଛି। ଅଗଷ୍ଟ 6 ତାରିଖରେ ହେବ ମତଦାନ। ବିରୋଧୀ ଦଳ ତରଫରୁ ମାର୍ଗେଟ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି।

Categories
ବିଶେଷ ଖବର

‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସବୁଠୁ ବଡ଼ ଡ୍ରୋନ ଉତ୍ସବ- ଭାରତ ଡ୍ରୋନ ମହୋତ୍ସବ ୨୦୨୨କୁ ଉଦଘାଟନ କରିଛନ୍ତି। ସେ ମଧ୍ୟ କିଷାନ ଡ୍ରୋନ ପାଇଲଟଙ୍କ ସହ ଆଲୋଚନା କରିଥିଲେ, ମୁକ୍ତାକାଶ ଡ୍ରୋନ ପ୍ରଦର୍ଶନୀ ଦେଖିଥିଲେ ଏବଂ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ର ଠାରେ ଷ୍ଟାର୍ଟଅପ ଗୁଡ଼ିକର ପ୍ରତିନିଧିମାନଙ୍କ ସହିତ କଥା ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ବିନୀ ବୈଷ୍ଣବ, ମନସୁଖ ମାଣ୍ଡଭିୟ, ଭୂପେନ୍ଦ୍ର ଯାଦବଙ୍କ ସମେତ ବହୁ ରାଷ୍ଟ୍ରମନ୍ତ୍ରୀ ଏବଂ ଡ୍ରୋନ ଉଦ୍ୟୋଗ ଜଗତର ନେତୃବୃନ୍ଦ ତଥା ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ୧୫୦ଟି ଡ୍ରୋନ ପାଇଲଟ୍‌ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ସମବେତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ୍ରୋନ କ୍ଷେତ୍ର ପ୍ରତି ତାଙ୍କର ବିଶେଷ ଆଗ୍ରହ  ରହିଛି। ଏହି କ୍ଷେତ୍ର ତାଙ୍କୁ ରୋମାଞ୍ଚିତ କରିଥାଏ ବୋଲି ସେ କହିଥିଲେ। ଡ୍ରୋନ ପ୍ରଦର୍ଶନୀ ଆୟୋଜନ କରାଯିବା ଏବଂ ଏହି କ୍ଷେତ୍ରରେ ଉଦ୍ୟମୀ ଓ ଉଦ୍ଭାବକଙ୍କ ଉତ୍ସାହକୁ ଦେଖି ସେ ଗଭୀର ଭାବେ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଚାଷୀ ଓ ଯୁବ ଇଞ୍ଜିନିୟରମାନଙ୍କ ସହିତ ନିଜର ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଡ୍ରୋନ କ୍ଷେତ୍ରରେ ଉତ୍ସାହ ଓ ଆଗ୍ରହ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହି କ୍ଷେତ୍ରରେ ଭାରତର ସାମର୍ଥ୍ୟ ଦିନେ ଦେଶକୁ ଏକ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏହି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜକୁ ଠିକ୍ ୮ ବର୍ଷ ତଳେ ଏକ ନୂଆ ଆରମ୍ଭ ହୋଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଠିକ୍‌ ୮ ବର୍ଷ ତଳେ, ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନର ମାର୍ଗକୁ ଅନୁସରଣ କରି ଆମେ ଭାରତରେ ଉତ୍ତମ ପ୍ରଶାସନର ନୂତନ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲୁ। ଆମେ ସହଜ ଜୀବନ ଧାରଣ (ଇଜ୍‌ ଅଫ ଲିଭିଂ) ଏବଂ ବ୍ୟବସାୟିକ ସୁଗମତା (ଇଜ୍‌ ଅଫ ଡୁଇଂ ବିଜନେସ)କୁ ଆମର ପ୍ରାଥମିକତା ଭାବେ ଗ୍ରହଣ କରିଛୁ। ସବକା ସାଥ୍‌ ସବକା ବିକାଶ ମାର୍ଗରେ ଅଗ୍ରସର ହୋଇ ଆମେ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସୁବିଧା ଏବଂ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପହଞ୍ଚାଇବା ଲାଗି ନିରନ୍ତର କାର୍ଯ୍ୟ କରୁଛୁ।’’ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରି କହିଥିଲେ ଯେ, ପୂର୍ବ ସରକାରଙ୍କ ସମୟରେ ପ୍ରଯୁକ୍ତିକୁ ସମସ୍ୟାର ଏକ ଅଂଶବିଶେଷ ଭାବେ ବିଚାର କରାଯାଉଥିଲା ଏବଂ ଏହାକୁ ଗରିବ ବିରୋଧୀ ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଉଥିଲା। ଏହି କାରଣରୁ, ୨୦୧୪ ପୂର୍ବରୁ ପ୍ରଶାସନରେ ପ୍ରଯୁକ୍ତିର ବ୍ୟବହାରକୁ ନେଇ ଉଦାସୀନତା ଦେଖିବାକୁ ମିଳୁଥିଲା। ତେଣୁ ପ୍ରଯୁକ୍ତିକୁ ପ୍ରଶାସନର ଅଂଶବିଶେଷ କରିବାକୁ ନେଇ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇପାରୁନଥିଲା।

ଏହି କାରଣରୁ ଗରିବ, ବଞ୍ଚିତ ଓ ମଧ୍ୟବିତ୍ତ ଜନସାଧାରଣଙ୍କୁ ଅଧିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଥିଲା । ମୌଳିକ ସେବା ଉପଲବ୍ଧତା କ୍ଷେତ୍ରରେ ରହିଥିବା ଜଟିଳତା ଲୋକଙ୍କ ମନରେ ଅଭାବ ଓ ଭୟର ଭାବନା ସୃଷ୍ଟି କରୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସମୟ ସହ ତାଳ ଦେଇ ଆମେ ବଦଳି ପାରିଲେ ପ୍ରଗତି ସମ୍ଭବ ହୋଇପାରିବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ପରିପୂର୍ଣ୍ଣତା ସଂକଳ୍ପକୁ ଆଗେଇ ନେବା ଏବଂ ଅନ୍ତିମ ସୋପାନରେ ସେବା ପହଞ୍ଚାଇବାରେ ପ୍ରଯୁକ୍ତି ବ୍ୟାପକ ଭାବେ ସହାୟକ ହୋଇଛି। ଏହି ଗତିରେ ଅଗ୍ରସର ହେଲେ ଆମେ ଅନ୍ତ୍ୟୋଦୟ ଲକ୍ଷ୍ୟ ହାସଲ କରିପାରିବା। ଜନ ଧନ, ଆଧାର, ମୋବାଇଲ (ଜେଏଏମ) ତ୍ରୟକୁ ବ୍ୟବହାର କରି ଆମେ ସମାଜର ଗରିବ ବର୍ଗଙ୍କୁ ସେମାନଙ୍କର ହକ୍‌ ଦେବାରେ ସକ୍ଷମ ହୋଇପାରିବା। ବିଗତ ୮ ବର୍ଷର ଅଭିଜ୍ଞତା ମୋର ଏହି ବିଶ୍ବାସକୁ ଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ, ଦେଶରେ ନୂଆ ସାମର୍ଥ୍ୟ, ଗତି ଓ ବ୍ୟାପକତା ହାସଲ କରିବା ଲାଗି ଆମେ ପ୍ରଯୁକ୍ତିକୁ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବେ ବ୍ୟବହାର କରିଛୁ। ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ଦେଶରେ ବିକଶିତ ହୋଇଥିବା ସୁଦୃଢ଼ ୟୁପିଆଇ ବ୍ୟବସ୍ଥା ସହାୟତାରେ, ଲକ୍ଷାଧିକ କୋଟି ଟଙ୍କା ସିଧାସଳଖ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଉଛି। ମହିଳା, ଚାଷୀ ଓ ଛାତ୍ରଛାତ୍ରୀମାନେ ଏବେ ସରକାରଙ୍କ ଠାରୁ ସିଧାସଳଖ ସହାୟତା ପାଇପାରୁଛନ୍ତି।

ଡ୍ରୋନ ପ୍ରଯୁକ୍ତି କିଭଳି ଭାବେ ବୃହତ ବିପ୍ଳବ ଆଣିପାରିଛି ତାହା ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଏହି ଅବସରରେ ପିଏମ ସ୍ବନିଧି ଯୋଜନାର ଉଦାହରଣ ଦେଇଥିଲେ। ଏହି ଯୋଜନା ଅଧୀନରେ ପ୍ରଥମ ଥର ଲାଗି, ଦେଶର ଗାଁମାନଙ୍କରେ ଥିବା ସବୁ ସମ୍ପତ୍ତିର ଡିଜିଟାଲ ମ୍ୟାପିଂ କରାଯାଉଛି ଏବଂ ଲୋକମାନଙ୍କୁ ଡିଜିଟାଲ ସମ୍ପତ୍ତି କାର୍ଡ ବିତରଣ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତମ ପ୍ରଶାସନ ଓ ସହଜ ଜୀବନ ଧାରଣ ପାଇଁ ଆମ ପ୍ରତିବଦ୍ଧତା ଦିଗରେ ଅଗ୍ରସର ହେବାର ଆଉ ଏକ ମାଧ୍ୟମ ହେଉଛି ଡ୍ରୋନ ପ୍ରଯୁକ୍ତିର ପ୍ରୋତ୍ସାହନ। ଡ୍ରୋନ ମାଧ୍ୟମରେ ଆମେ ଏକ ସ୍ମାର୍ଟ ଉପକରଣ ପାଇପାରିଛୁ, ଯାହା ଜନସାଧାରଣଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ହେବାକୁ ଯାଉଛି ବୋଲି ସେ କହିଥିଲେ।

ପ୍ରତିରକ୍ଷା, ବିପର୍ଯ୍ୟୟ ପ୍ରଶମନ, କୃଷି, ପର୍ଯ୍ୟଟନ, ଚଳଚ୍ଚିତ୍ର ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଡ୍ରୋନ ପ୍ରଯୁକ୍ତିର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଆଗାମୀ ଦିନରେ ନିଶ୍ଚିତ ଭାବେ ଡ୍ରୋନ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି ପାଇବ । ପ୍ରଗତି ସମୀକ୍ଷା ଏବଂ କେଦାରନାଥ ପ୍ରକଳ୍ପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡ୍ରୋନ ପ୍ରଯୁକ୍ତିର ବ୍ୟବହାର ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସହଜ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡ୍ରୋନ ପ୍ରଯୁକ୍ତି ଚାଷୀଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଜୀବନକୁ ଆଧୁନିକ କରିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଏବେ ଗାଁ ମାନଙ୍କରେ ସଡ଼କ, ବିଦ୍ୟୁତ ସଂଯୋଗ, ଅପ୍ଟିକାଲ ଫାଇବର ଓ ଡିଜିଟାଲ ପ୍ରଯୁକ୍ତିର ସୁବିଧା ପହଞ୍ଚି ପାରିଛି। ତଥାପି, କେତେକ ସ୍ଥାନରେ ପୁରୁଣା ପଦ୍ଧତିରେ କୃଷି କାର୍ଯ୍ୟ ହେଉଛି। ଏସବୁ ଅନେକ ବାଧା ସୃଷ୍ଟି କରିବା ସହିତ ଫସଲ ଉତ୍ପାଦକତା କମାଉଛି ଏବଂ ଅଧିକ ନଷ୍ଟର କାରଣ ହେଉଛି। ଜମି ଜମା ରେକର୍ଡ ରଖିବା ଠାରୁ ଆରମ୍ଭ କରି ବନ୍ୟା ଓ ମରୁଡ଼ି ସହାୟତା ଭଳି ସଂଖ୍ୟାଧିକ କାର୍ଯ୍ୟ ପାଇଁ ରାଜସ୍ବ ବିଭାଗ ଉପରେ କ୍ରମାଗତ ନିର୍ଭରଶୀଳତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏସବୁ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ଡ୍ରୋନ ଏକ ପ୍ରଭାବୀ ମାଧ୍ୟମ ଭାବେ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ କୃଷି କ୍ଷେତ୍ରରେ ସହାୟତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ବାରା ପ୍ରଯୁକ୍ତି ଆଉ ଚାଷୀମାନଙ୍କୁ ଭୟଭୀତ କରୁନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ, ପ୍ରଯୁକ୍ତି ଏବଂ ଏହାର ଉଦ୍ଭାବନ କେବଳ ସମାଜର ଆଭିଜାତ୍ୟ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଆଜି ଆମେ ପ୍ରଥମେ ଜନସାଧାରଣଙ୍କ ନିକଟରେ ପ୍ରଯୁକ୍ତି ପହଞ୍ଚାଉଛୁ। କିଛି ମାସ ପୂର୍ବରୁ, ଡ୍ରୋନ ଉପରେ ଅନେକ ଗୁଡ଼ିଏ କଟକଣା ରହିଥିଲା। ଖୁବ୍‌ କମ ସମୟ ମଧ୍ୟରେ ଆମେ ଅଧିକାଂଶ କଟକଣାକୁ ଉଚ୍ଛେଦ କରିଛୁ। ପିଏଲଆଇ ଭଳି ଯୋଜନା ମାଧ୍ୟମରେ ଏକ ଦୃଢ଼ ଡ୍ରୋନ ଉତ୍ପାଦନ ଇକୋସିଷ୍ଟମ ବିକଶିତ କରିବା ଦିଗରେ ଆମେ ଅଗ୍ରସର ହେଉଛୁ ବୋଲି ସେ କହିଥିଲେ। ଜନସାଧାରଣଙ୍କ ନିକଟରେ ପ୍ରଯୁକ୍ତିର ସୁବିଧା ପହଞ୍ଚି ପାରିଲେ, ଏହାକୁ ଉପଯୋଗ କରିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ।

Categories
ବିଶେଷ ଖବର

ଆଜି ସମଗ୍ର ବିଶ୍ୱ ବୁଝୁଛି ଯେ ଭାରତର ଅର୍ଥ ‘ବ୍ୟବସାୟ’: ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏସବି ହାଇଦ୍ରାବାଦର ୨୦ବର୍ଷ ପୂର୍ତ୍ତି ତଥା ପିଜିପି କ୍ଲାସ ୨୦୨୨ର ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି।

ପ୍ରାରମ୍ଭରେ, ଏହି ପ୍ରତିଷ୍ଠାନକୁ ବର୍ତ୍ତମାନର ଗରିମାମୟ ସ୍ଥାନରେ ପହଞ୍ଚାଇବା ଲାଗି ଯେଉଁମାନଙ୍କର ମହତ୍ବପୂର୍ଣ୍ଣ ଅବଦାନ ରହିଛି ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୧ ମସିହାରେ ଏହି ପ୍ରତିଷ୍ଠାନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିବା ନେଇ ସେ ସ୍ମୃତିଚାରଣ କରିଥିଲେ। ତା’ପର ଠାରୁ ୫୦ହଜାରରୁ ଅଧିକ ବ୍ୟବସାୟ ପରିଚାଳକ ଆଇଏସବିରୁ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି। ଆଜି ଏସିଆର  ଏକ ପ୍ରମୁଖ ପେସାଦାର ବ୍ୟବସାସ ପରିଚାଳନା ଶିକ୍ଷାନୁଷ୍ଠାନ ଭାବେ ଆଇଏସବି ପରିଚିତ ହୋଇଛି।

ଆଇଏସବିରୁ ଉତ୍ତୀର୍ଣ୍ଣ ପେସାଦାରମାନେ ଦେଶର ବଡ ବଡ କମ୍ପାନୀଗୁଡିକରେ ନେତୃତ୍ବ ନେବା ସହ ବ୍ୟବସାୟକୁ ଗତି ଦେଇଛନ୍ତି। ଏଠାରେ ବିଦ୍ୟାର୍ଥୀମାନେ ଶହ ଶହ ଷ୍ଟାର୍ଟ ଅପ୍ ସ୍ଥାପନ କରିବା ସହିତ ୟୁନିକର୍ଣ୍ଣ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। “ଏହା ଆଇଏସପିର ସଫଳତା ଏବଂ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ଜି-୨୦ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର ମାନ୍ୟତା ପାଇଛି। ସ୍ମାର୍ଟଫୋନ ଡାଟା ବ୍ୟବହାରକାରୀଙ୍କ ମଧ୍ୟରେ ଭାରତର ସ୍ଥାନ ପ୍ରଥମ। ଆମେ ଯଦି ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦେଖିବା, ତେବେ ସେଥିରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବୈଶ୍ୱିକ ପାଇକାରୀ ସୂଚୀରେ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାରତରେ ରହିଛି। ବିଶ୍ୱର ତୃତୀୟ ବୃହତମ ଖାଉଟି ବଜାର ମଧ୍ୟ ଭାରତରେ  ରହିଛି। ଭାରତ ଆଜି ଅଭିବୃଦ୍ଧିର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି। ଗତବର୍ଷ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଭାରତରେ ହିଁ ହୋଇଥିଲା। ଆଜି ଭାରତର ଅର୍ଥ ‘ବ୍ୟବସାୟ’ – ଏକଥା ସାରା ବିଶ୍ୱ  ବୁଝିବା ଆରମ୍ଭ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଅନେକ ସମୟରେ ଭାରତୀୟ ସମାଧାନ ସୂତ୍ର ବିଶ୍ୱରେ ତ୍ୱରାନ୍ୱିତ ହେଉଛି। ତେଣୁ “ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିବସରେ ମୁଁ ଚାହୁଁଛି ଯେ ଆପଣମାନେ ନିଜର ବ୍ୟକ୍ତିଗତ ଲକ୍ଷ୍ୟକୁ ଦେଶର ଲକ୍ଷ୍ୟ ସହ ଯୋଡ଼ନ୍ତୁ’’ ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ସଂସ୍କାରର ଆବଶ୍ୟକତା ସବୁବେଳେ ଅନୁଭୂତ ହେଉଥିଲେ ମଧ୍ୟ ଏଥିପାଇଁ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ରହିଥିଲା । ଗତ ତିନି ଦଶନ୍ଧି ଧରି ନିରବଚ୍ଛିନ୍ନ ରାଜନୈତିକ ଅସ୍ଥିରତା କାରଣରୁ ଦେଶ ବହୁଦିନ ଧରି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖି ଆସିଛି ଏହି କାରଣରୁ ଦେଶ ସଂସ୍କାରଠାରୁ ଦୂରେଇ ରହିବା ସହ ବଡ ନିଷ୍ପତ୍ତି ନେଇପାରିନାହିଁ ।

୨୦୧୪ ପରଠାରୁ ଆମ ଦେଶ ରାଜନୈତିକ ଇଚ୍ଛାଶକ୍ତି  ଓ ସଂସ୍କାର ମଧ୍ୟ ଦେଖୁଛି । ସଂସ୍କାର କାର୍ଯ୍ୟକ୍ଷମ ସଂକଳ୍ପ ଓ ଦୃଢ ରାଜନୈତିକ ଇଚ୍ଛାଶକ୍ତି ସହିତ ନିଆଗଲେ ଏହାର ବିପୁଳ ଜନସମର୍ଥନ ମଧ୍ୟ ମିଳିବ ନିଶ୍ଚିତ । ସେ ଜନସାଧାରଣଙ୍କ ମଧ୍ୟରେ ଡିଜିଟାଲ ଦେଣନେଣର ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟକ୍ଷେତ୍ରର ଶକ୍ତି ଓ ନମନୀୟତା ବୈଶ୍ୱିକ ମହାମାରୀ କାଳରେ ପ୍ରମାଣିତ ହୋଇସାରିଛି । କୋଭିଡ ଟିକା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ଯେ ବିଦେଶୀ ଟିକା ଉପଲବ୍ଧ ହେବ କି ନାହିଁ । ମାତ୍ର ଭାରତ ନିଜସ୍ୱ ଟିକା ବିକଶିତ କଲା । ଅନେକ ଟିକା ଉପଲବ୍ଧ ହେବା ସହ ଦେଶରେ ୧୯୦କୋଟି ଟିକା ପ୍ରଦାନ କରାଯାଇ ସାରିଲାଣି  । ବିଶ୍ୱର ଶହେରୁ ଅଧିକ ଦେଶକୁ ଭାରତ ଟିକା ପଠାଇ ସାରିଛି। ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟ ଶିକ୍ଷାର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସଂସ୍କାର ପ୍ରକ୍ରିୟାରେ ଅମଲାତନ୍ତ୍ରର ବଳିଷ୍ଠ ଅବଦାନ ରହିଛି । ସରକାରୀ ଯୋଜନାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହଯୋଗକୁ ଶ୍ରେୟ ଦେଇଥିଲେ । ଯେତେବେଳେ ଜନସାଧାରଣଙ୍କ ସହଯୋଗ ମିଳେ ସେତେବେଳେ ଉତ୍ତମ ଫଳାଫଳ ସୁନିଶ୍ଚିତ । ବର୍ତ୍ତମାନର ବ୍ୟବସ୍ଥାରେ ସରକାର ସଂସ୍କାର ଆଣୁଛନ୍ତି, ଅମଲାତନ୍ତ୍ର ଦକ୍ଷ ପ୍ରଦର୍ଶନ କରୁଛି ଏବଂ ଜନଭାଗିଦାରୀ ଯୋଗୁ ବ୍ୟାପକ ପରିବର୍ତ୍ତନ ଆସିଛି । ସଂସ୍କାରର ଏହି ପଦ୍ଧତିକୁ ଭଲଭାବେ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ସେ ଆଇଏସବି ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଥିଲେ ।

୨୦୧୪ ପରେ ଆମର ଖେଳାଳୀମାନଙ୍କ ଆତ୍ମବିଶ୍ୱାସ ଯୋଗୁଁ ଅପୂର୍ବ ସଫଳତା ହାସଲ ହୋଇଛି ବୋଲି କହିଥିଲେ । ଯେତେବେଳେ ପ୍ରକୃତ ପ୍ରତିଭା ଚିହ୍ନଟ ହେବ, ସେତେବେଳେ ଆତ୍ମବିଶ୍ୱାସ ଆସିବ ।   ପ୍ରକୃତ ପ୍ରତିଭା ଚିହ୍ନଟ, ଚୟନରେ ସ୍ବଚ୍ଛତା ଓ ଉନ୍ନତ ତାଲିମ ତଥା ପ୍ରତିଯୋଗିତା ଭିତ୍ତିଭୂମି ମଧ୍ୟ ଆବଶ୍ୟକ ବୋଲି ସେ କହିଥିଲେ । ଖେଲୋ ଇଣ୍ଡିଆ ଓ ଟିଓପିଏସ ଭଳି ଯୋଜନା ଯୋଗୁଁ ଯେଉଁ ଅବସ୍ଥାନ୍ତର ‌କ୍ରୀଡା କ୍ଷେତ୍ରରେ ଆସିଛି ଯାହା ସମସ୍ତଙ୍କ ଆଖିଆଗରେ ଅଛି ବୋଲି ସେ କହିଥିଲେ । ସେହିପରି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସାର୍ବଜନୀନ ନୀତିରେ ଦକ୍ଷତା ଉତ୍ପାଦକତା ଓ ପ୍ରୋତ୍ସାହନ ଆଣିଥିବା ଅନ୍ୟ ଏକ ଉଦାହାରଣ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ବ୍ୟାବସାୟିକ ଦୃଶ୍ୟପଟରେ ପରିବର୍ତ୍ତନ ଘଟି ଆନୁଷ୍ଠାନିକ, ଅଣ ଆନୁଷ୍ଠାନିକ, କ୍ଷୁଦ୍ର ଓ ବୃହତ ବ୍ୟବସାୟ ସେମାନଙ୍କ କାୟା ବିସ୍ତାର କରି କୋଟି କୋଟି ଲୋକଙ୍କୁ କର୍ମନିଯୁକ୍ତି ଦେଉଛନ୍ତି । ଛୋଟ ବ୍ୟବସାୟଗୁଡିକର ଅଭିବୃଦ୍ଧି ନିମନ୍ତେ ଅଧିକ ସୁଯୋଗ ଦେବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ନୂତନ ସ୍ଥାନୀୟ ଓ ବୈଶ୍ୱିକ ବଜାର ସହ  ସେମାନଙ୍କୁ ଯୋଡିବା ନେଇ ସାହାଯ୍ୟ କରିବାକୁ ସୋ କହିଥିଲେ । ସେମାନଙ୍କ ଅପୂର୍ବ ଦକ୍ଷତା ଥିବା ଦର୍ଶାଇ ଭବିଷ୍ୟତରେ ଭାରତକୁ ପ୍ରସ୍ତୁତ କରିବାକୁ ଆମକୁ ଦେଶର ଆତ୍ମ ନିର୍ଭରଶୀଳ ହେବା ସୁନିଶ୍ଚିତ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଇଏସବି ଭଳି ପ୍ରତିଷ୍ଠାନର ବିଦ୍ୟାର୍ଥୀମାନଙ୍କ ବିରାଟ ଭୂମିକା ରହିଥିବା ସେ ଦେଖୁଥିବାର ପ୍ରକାଶ କରିଥିଲେ । “ଆପଣ ସମସ୍ତ ବୃତ୍ତିଗତ ବ୍ୟବସାୟିକ ବିଶେଷଜ୍ଞମାନଙ୍କ ଏ ଦିଗରେ ବଡ ଭୂମିକା ରହିଛି । ଏହା ଆପଣ ଓ ଦେଶ ପାଇଁ ସେବାର ଏକ ମହାନ୍ ଦୃଷ୍ଟାନ୍ତ ହେବ” ବୋଲି କହି ସେ ଅଭିଭାଷଣ ସମାପ୍ତ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ତେଲଙ୍ଗାନାରେ ଆସିବ ବିଜେପି ସରକାର, ନିଜ ଅଭିଭାଷଣରେ ଏପରି ଦାବୀ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ହାଇଦ୍ରାବାଦ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ତେଲଙ୍ଗାନାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ। ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି) ର 20 ତମ ବାର୍ଷିକ କାର୍ଯ୍ୟରେ ଯୋଗଦେବାକୁ ଏଠାରେ ଉପସ୍ଥିତ ଥିବା ଶ୍ରୀ ମୋଦୀଙ୍କୁ ବେଗମପେଟ୍ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଏହି ସମୟରେ ରାଜ୍ୟ ବିଜେପି ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ବିଜେପି ତରଙ୍ଗ ଦେଖାଯାଉଛି।

ସେ କହିଛନ୍ତି ଯେ ରାଜ୍ୟବାସୀ ତାଙ୍କୁ ସମ୍ମାନ କରନ୍ତି ଏବଂ ତାଙ୍କର ପ୍ରେମ ଏବଂ ସମର୍ଥନ ହେଉଛି ତାଙ୍କର ବଡ ଶକ୍ତି। ସେ ରାଜ୍ୟର ଯୁବକମାନଙ୍କ ସହିତ ରାଜ୍ୟର ବିକାଶ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି। ପାରିବାରିକ ରାଜନୀତିକୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ସବୁଠାରୁ ବଡ ଶତ୍ରୁ। ସେ କହିଛନ୍ତି ଯେ ଯେତେବେଳେ ବିକାଶ ଆରମ୍ଭ ହୁଏ, ସେତେବେଳେ ପାରିବାରିକତାର ରାଜନୀତି ଶେଷ ହୁଏ।

ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ‘ବିକାଶ’ ଚାହୁଁଛି ବିଜେପି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିବା ସହ ସେ କହିଛନ୍ତି ଯେ ‘ପାରିବାରିକ ରାଜନୀତି ଯେତେବେଳେ ସରକାରକୁ ଆସେ ସେତେବେଳେ ଦଳ କେବଳ ନିଜ ବିକାଶ ବିଷୟରେ ଚିନ୍ତା କରେ। ଏହି ଦଳ ଗରିବ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ସେ କହିଛନ୍ତି ଯେ ପାରିବାରିକ ଦଳମାନେ ନିଜକୁ କ୍ଷମତାରେ ରଖିବା ଏବଂ ଲୁଟିବା ଉପରେ ଧ୍ୟାନ ଦିଅନ୍ତି।

“ଏହି ଲୋକମାନଙ୍କର ବିକାଶ ପ୍ରତି ଆଗ୍ରହ ନାହିଁ। ତେଲେଙ୍ଗାନାକୁ ‘ଟେକ୍ନୋଲୋଜି କେନ୍ଦ୍ର’ ଭାବରେ ବିକାଶ କରିବାକୁ ବିଜେପି ଚାହୁଁଛି। ସେ କହିଛନ୍ତି ଯେ ଆମେ ତେଲେଙ୍ଗାନାକୁ ଏକ ଉଚ୍ଚ ସ୍ତରକୁ ନେବାକୁ ଚାହୁଁଛୁ। ସେ କହିଛନ୍ତି, ‘ବର୍ତ୍ତମାନ ପରିବାରବାଦ ସରକାର ଗରିବଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ତେଲେଙ୍ଗାନାର ଲୋକମାନେ ଦେଖୁଛନ୍ତି ଯଦି ଗୋଟିଏ ପରିବାର କ୍ଷମତାରେ ରହେ ତେବେ କେତେ ଦୁର୍ନୀତିଗ୍ରସ୍ତ ହୋଇପାରେ।

ସେ କହିଛନ୍ତି, ‘ତେଲେଙ୍ଗାନା ଆନ୍ଦୋଳନ ବଳିଦାନରେ ପରିପୂର୍ଣ୍ଣ ଥିଲା। ହେଲେ ଏହି ବଳିଦାନ ଦିଆଯାଇନଥିଲା ଯେ, ଗୋଟିଏ ପରିବାର ତେଲେଙ୍ଗାନାର ସ୍ୱପ୍ନକୁ ଚୂର୍ଣ୍ଣ କରି ରଖନ୍ତି। ପାରିବାରିକତା ଭାରତର ଏକମାତ୍ର ରାଜନୈତିକ ସମସ୍ୟା ନୁହେଁ, ପାରିବାରିକତା ଏବଂ ଏଭଳି ଏକ ଦଳ ଯିଏ ଗଣତନ୍ତ୍ର ଏବଂ ଦେଶ ଯୁବକମାନଙ୍କର ସବୁଠାରୁ ବଡ଼ ଶତ୍ରୁ ।

ସେ କହିଛନ୍ତି ଯେ ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବ। ତେଲେଙ୍ଗାନା ଗଠନ ପାଇଁ ହଜାର ହଜାର ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି ଯେ କେବଳ ଗୋଟିଏ ପରିବାର ପାଇଁ ରାଜ୍ୟ ତିଆରି କରାଯାଇ ନାହିଁ। ସେ କହିଛନ୍ତି ଯେ ଦଳ ଏହାର ମୌଳିକ ମନ୍ତ୍ର ‘ସାବକା ସାଥ, ସାବକା ବିକାଶ’ ଅନୁସରଣ କରୁଛି। ଗତ କିଛି ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ମୋଦୀ ରାଜ୍ୟ ଗସ୍ତ କରିଛନ୍ତି। ହେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିନାହାଁନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଜି ରାତିରେ ଆମେରିକା ରାଷ୍ଟ୍ରପତିଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଦୁଇ ନେତା ଚାଲିଥିବା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବେ।

ଏଥିସହିତ ଦକ୍ଷିଣ ଏସିଆ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ପାରସ୍ପରିକ ସ୍ୱାର୍ଥର ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଦ୍ୱିପାକ୍ଷିକ ବିସ୍ତୃତ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ଭାଗିଦାରୀକୁ ଆହୁରି ଦୃଢ କରିବା ଲକ୍ଷ୍ୟରେ ଭର୍ଚୁଆଲ୍ ମିଟିଂ ଉଭୟ ପକ୍ଷକୁ ସେମାନଙ୍କର ନିୟମିତ ଏବଂ ଉଚ୍ଚ ସ୍ତରୀୟ ଯୋଗଦାନ ଜାରି ରଖିବାକୁ ସକ୍ଷମ କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶାର ବିକାଶ ପ୍ରସଂଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରସଂଗରେ ସେ ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ।

ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ବର୍ତ୍ତମାନ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ ରାଜନୀତି ଚାଲିଛି। ଦିନେ ରାଜ୍ୟ ନେତୃବର୍ଗ ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଥିବା ବେଳେ, ଆଉଦିନେ ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏପରି ପରିସ୍ଥିତିରେ ଅପରାଜିତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଜେପି ରାଜନୀତିରେ ଏକ ନୂଆ ମୋଡ ସୃଷ୍ଟି ହୋଇଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ଅପରାଜିତା ରାଜ୍ୟ ବିଜେପି ରାଜନୀତି ଉପରେ କଥା ହୋଇଛନ୍ତି କି ନାହିଁ ସେ ସଂପର୍କରେ କିଛି କହି ନାହାଁନ୍ତି। ହେଲେ ବର୍ତ୍ତମାନ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ଉପରେ ନିଶ୍ଚିତ ଆଲୋଚନା କରିଥିବେ। ଏପରିକି ରାଜ୍ୟ ନେତୃତ୍ବ କିପରି ଦୃବଳ ଥିଲା ତାହା ମଧ୍ୟ ଅବଗତ କରାଇଥିବେ।

ନିକଟରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନୂଆଦିଲ୍ଲୀ ଗସ୍ତ କରି ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସେମାନେ କଣ କଥା ହେଲେ ତାହା କେହି କହି ନ ଥିଲେ ମଧ୍ୟ ଅପରାଜିତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବୋଲି କୁହାଯାଉଛି।

ଏହି ଦଳ ପରବର୍ତ୍ତି ସମୟରେ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସେମାନେ ଅପରାଜିତାଙ୍କ ବିରୋଧରେ ଏକ ଅନ୍ଦୋଳନ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।

ଏହାପରେ ପୁଣି ବିଧାୟକ ଦଳ ଏକାଠି ହୋଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା। ସେମାନେ ମଧ୍ୟ ସିଧା ଅପରାଜିତାଙ୍କ ବିରୋଧରେ କହିବାକୁ ପଛେଇଲେ ନାହିଁ। ଅପରାଜିତାଙ୍କ କହିଥିବା ରାଜ୍ୟ ନେତୃତ୍ବ ଦୁର୍ବଳ ବୋଲି କଥାକୁ ସେମାନେ ବିରୋଧ କରିଥିଲେ।

ଏ ସବୁ ଘଣ୍ଟାଚକଟା ଭିତରେ ଅପରାଜିତା ସିଧା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଅନେକ ବିଜେପି ନେତା ଏହି ଭେଟଘାଟକୁ ନେଇ ଛାନିଆ ମଧ୍ୟ ହୋଇପଡିଛନ୍ତି।

Categories
ବିଶେଷ ଖବର

ୟୁକ୍ରେନ ଘଟଣାରେ ଶାନ୍ତି ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ସାଂସଦ

ନୂଆଦିଲ୍ଲୀ: ୟୁକ୍ରେନ ଘଟଣାରେ ଆମେରିକା ଏବଂ ଋଷ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ କରିଥିବାରୁ ଆମେରିକାର ଜଣେ ବରିଷ୍ଠ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ତାଙ୍କ ଉଦ୍ୟମ ଯୋଗୁଁ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ମୋଦି ଶୁକ୍ରବାର ଦିନ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭଙ୍କୁ କହିଥିଲେ ଯେ, ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଶାନ୍ତି ପ୍ରୟାସରେ ଭାରତ ଯେକୌଣସି ଉପାୟରେ ସହଯୋଗ କରିବାକୁ ପ୍ରସ୍ତୁତ ଏବଂ ହିଂସାକୁ ତୁରନ୍ତ ବନ୍ଦ କରିବାକୁ ସେ ଆହ୍ଵାନ ଦେଇଥିଲେ।

ଆମେରିକାର କଂଗ୍ରେସ ସଦସ୍ୟ କାରୋଲିନ ମାଲୋନି ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଭାବୁଛି ବର୍ତ୍ତମାନ ସେ (ମୋଦୀ) ୟୁକ୍ରେନ ଘଟଣାରେ ଋଷ ଏବଂ ଆମେରିକା ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଭାବୁଛି ଏହା ଅତ୍ୟନ୍ତ ସକରାତ୍ମକ ଉଦ୍ଦେଶ୍ୟ।

ସଦନର ଶକ୍ତିଶାଳୀ ‘ତଦାରଖ କମିଟି’ର ଚେୟାରମ୍ୟାନ୍ ମାଲୋନି (୭୬) ଆମେରିକାର ସଂସଦ (କଂଗ୍ରେସ) ର ଅନ୍ୟତମ ବରିଷ୍ଠ ଡେମୋକ୍ରାଟ୍ ଅଟନ୍ତି। ସେ ୧୯୯୩ ରୁ ଆମେରିକାର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାଲୋନି ଭାରତ ଏବଂ ଭାରତୀୟ- ଆମେରିକୀୟଙ୍କ ବନ୍ଧୁ। ଦୀପାବଳିର ମହୋତ୍ସବକୁ ଫେଡେରାଲ୍ ଛୁଟିଦିନ ଘୋଷଣା କରିବା ଏବଂ ମହାତ୍ମା ଗାନ୍ଧୀଙ୍କୁ ଆମେରିକା ସଂସଦର ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଦେବା ପାଇଁ ସେ ଦୁଇଟି ବିଲ୍ ପାସ୍ କରିବାକୁ ଚେଷ୍ଟା କରୁଛନ୍ତି।

ରାଷ୍ଟ୍ରପତି ଜୋ ବାଇଡେନ ଶେଷରେ ତାଙ୍କର ଦୁଇଟି ବିଲରେ ଦସ୍ତଖତ କରିବେ ବୋଲି ମାଲୋନି ବିଶ୍ୱାସ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ପାଇଁ ଉଦ୍ୟମ କରୁଛନ୍ତି। ସେ କହିଥିଲେ ଯେ, ଗୋଟିଏ କଥା ସତ ଯେ ଯଦି ଆପଣ ଚେଷ୍ଟା ନକରନ୍ତି, ତେବେ ଆପଣ କଦାପି ସଫଳ ହେବେ ନାହିଁ। ଆପଣଙ୍କୁ ଚେଷ୍ଟା ଜାରି ରଖିବାକୁ ପଡିବ। ମୁଁ ଆଶା କରୁଛି ଯେ ୟୁକ୍ରେନ, ଋଷ ଏବଂ ବିଶ୍ଵ ମଧ୍ୟରେ ଶାନ୍ତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉଦ୍ୟମ ସହାୟକ ହେବ।

ନ୍ୟୁୟର୍କର ସାଂସଦ ମାଲୋନି କହିଛନ୍ତି ଯେ, ଏହା ଅତ୍ୟନ୍ତ ବିପଜ୍ଜନକ ସମୟ କାରଣ ଆମେ ସମସ୍ତେ ତୃତୀୟ ବିଶ୍ୱଯୁଦ୍ଧର ଭାର ବହନ କରିପାରିବୁ ନାହିଁ। ଆମେ ପରମାଣୁ ଶକ୍ତି ସମ୍ପନ୍ନ ଅଟେ। ଆମେ ଏହି ବିପଦକୁ ନେଇ ପାରିବୁ ନାହିଁ। ଆମକୁ ଏକ ଆପୋଷ ବୁଝାମଣା କରିବାକୁ ପଡିବ। ବର୍ତ୍ତମାନ ଲୋକମାନେ ଅତ୍ୟଧିକ ଯନ୍ତ୍ରଣା ଭୋଗୁଛନ୍ତି। ମୁଁ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଗର୍ବିତ।