Categories
ବିଶେଷ ଖବର

ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଚମ ବିମଷ୍ଟେକ (ବଙ୍ଗୋପସାଗର ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଆର୍ଥିକ ସହଯୋଗ ପଦକ୍ଷେପ) ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି।

ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ବରିଷ୍ଠ ଅଧିକାରୀ ଓ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହାଇବ୍ରିଡ ମୋଡରେ କଲମ୍ବୋଠାରେ ଅନୁଷ୍ଠିତ ହୋଇଥିଲା। ଶିଖର ସମ୍ମିଳନୀର ବାର୍ତ୍ତାଥିଲା “ଏକ ନମନୀୟ ଅଞ୍ଚଳ ଅଭିମୁଖେ, ସମୃଦ୍ଧ ଅର୍ଥନୀତି ଓ ସୁସ୍ଥ ଜନସାଧାରଣ”। ସଦସ୍ୟ ଦେଶଗୁଡିକ ମଧ୍ୟରେ ସହଯୋଗ ବୃଦ୍ଧି ସହ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ବିଭିନ୍ନ ଆର୍ଥିକ ଓ ବିକାଶମୂଳକ କାର୍ଯ୍ୟର ମିଳିମିଶି କାର୍ଯ୍ୟକ୍ରମ। ଶିଖର ସମ୍ମିଳନୀର ମୁଖ୍ୟ ନିର୍ଯ୍ୟାସ ହେଉଛି ବିମଷ୍ଟେକ ସନନ୍ଦର ରାଜିନାମା ଯେଉଁଥିରେ ବଙ୍ଗୋପସାଗର ଉପରେ ନିର୍ଭରଶୀଳ ତଟବର୍ତ୍ତୀ ଦେଶଗୁଡିକର ସହଯୋଗ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ।

ଶିଖର ବୈଠକ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପାରିକ ସହଯୋଗ ନେଇ ଉଲ୍ଲେଖନୀୟ ପ୍ରଗତି ଘଟିଛି। ପରିବହନ ସଂଯୋଗ ପାଇଁ ଦେଶମାନଙ୍କ ମାଷ୍ଟର ପ୍ଲାନ ଓ ଭବିଷ୍ୟତ ମାର୍ଗଦର୍ଶିକା ନେଇ ମଧ୍ୟ ଆଲୋଚନା ହୋଇଛି।

ଏଥିରେ ପ୍ରଧାନମନ୍ତ୍ରୀ ବିମଷ୍ଟେକ କ୍ରମବର୍ଦ୍ଧିଷ୍ଣୁ ଆଞ୍ଚଳିକ ଯୋଗାଯୋଗ ଓ ସୁରକ୍ଷା ବ୍ୟତୀତ ଅନେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସହଯୋଗୀ ନେତୃବୃନ୍ଦଙ୍କୁ ବଙ୍ଗୋପସାଗରକୁ ସଂଯୋଗର ସେତୁ, ସମୃଦ୍ଧି ଓ ସୁରକ୍ଷା ପ୍ରାଚୀରରେ ରୂପାନ୍ତରିତ କରିବାକୁ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସହଯୋଗ ଉପରେ ଆଧାରିତ ତିନୋଟି ବିମଷ୍ଟେକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ସେଗୁଡିକ ହେଲା – ଫୌଜଦାରୀ ବ୍ୟାପାରରେ ପାରସ୍ପରିକ ଆଇନ ସହାୟତା ନେଇ ବିମଷ୍ଟେକ ଅଧିବେଶନ, କୂଟନୀତିକ ତାଲିମ ନେଇ ପାରସ୍ପରିକ ସହଯୋଗ ସମ୍ପର୍କିତ ବିମଷ୍ଟେକ ବୁଝାମଣାପତ୍ର ଓ ବିମଷ୍ଟେକ ବୈଷୟିକ ଜ୍ଞାନ ବିନିମୟ ସଂକ୍ରାନ୍ତ ବୁଝାମଣା ପତ୍ର।

Categories
ବିଶେଷ ଖବର ସଂସ୍କୃତି

ଅଷ୍ଟ୍ରେଲିଆରୁ ଭାରତ ଆସିଲା ୨୯ ଟି ପ୍ରାଚୀନ ମୂର୍ତ୍ତି: ଯାଞ୍ଚ କରୁଛନ୍ତି ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଭଗବାନ ଶିବ, ପ୍ରଭୁ ବିଷ୍ଣୁ ଏବଂ ଜୈନ ପରମ୍ପରା ଇତ୍ୟାଦି ସହ ଜଡିତ ୨୯ ଟି ପ୍ରାଚୀନତା ଭାରତକୁ ଫେରାଇ ଦେଇଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଞ୍ଚ କରିଛନ୍ତି। ଏହି ପ୍ରାଚୀନତାଗୁଡ଼ିକ ବିଭିନ୍ନ ସମୟ ଅବଧି ସହିତ ଜଡିତ, ଯାହା ମଧ୍ୟରୁ କେତେକ ଖ୍ରୀଷ୍ଟପୂର୍ବ ୯-୧୦ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ସରକାରୀ ସୂତ୍ର ସୋମବାର ଏହି ସୂଚନା ଦେଇଛି।

ସୂତ୍ରରୁ ପ୍ରକାଶ ଯେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଅଷ୍ଟ୍ରେଲିଆ ୨୯ ଟି ପ୍ରାଚୀନତାକୁ ଭାରତକୁ ଫେରାଇ ଦେଇଛି। ଏହି ପ୍ରାଚୀନତାଗୁଡ଼ିକ ‘ଶିବ ଏବଂ ତାଙ୍କ ଶିଷ୍ୟ’, ‘ଶକ୍ତିର ଉପାସନା’, ‘ଭଗବାନ ବିଷ୍ଣୁ ଏବଂ ତାଙ୍କର ରୂପ’, ଜୈନ ପରମ୍ପରା, ଚିତ୍ର ଏବଂ ଅଳଙ୍କାର ବସ୍ତୁଗୁଡ଼ିକ ମଧ୍ୟରୁ ୬ ଟି ବର୍ଗର ଅଟେ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆରୁ ଆସିଥିବା ଏହି ପ୍ରାଚୀନତା ଯାଞ୍ଚ କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ଏଗୁଡ଼ିକ ମୁଖ୍ଯତଃ ବାଲୁକା ପଥର, ମାର୍ବଲ, କାଂଶ୍ୟ, ପିତ୍ତଳ ଏବଂ କାଗଜରେ ନିର୍ମିତ ଚିତ୍ର ଭଳି ବିଭିନ୍ନ ପ୍ରକାରର ସାମଗ୍ରୀରେ ନିର୍ମିତ ମୂର୍ତ୍ତି ଅଟେ। ଏହି ପ୍ରାଚୀନତା ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ଅଟେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ସ୍କଟ ମୋରିସନଙ୍କ ସହ ଅନଲାଇନ୍ ବାର୍ତ୍ତାଳାପ କରିବେ।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀଙ୍କ ଝିଅ ବାହାଘରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଝିଅ ବାହା ଘରରେ ଯୋଗ ଦେଇଛନ୍ତି। ସାଧାରଣତଃ ପୁଅଝିଅ ବାହାଘରରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ସମ୍ଭବ ହୋଇ ନ ଥାଏ। ହେଲେ ତାଙ୍କର କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଝିଅ ବାହାଘରରେ ଯୋଗ ଦେଇଥିଲେ।

ଭୂପେନ୍ଦ୍ର ବର୍ତ୍ତମାନ ମୋଦି ମନ୍ତ୍ରୀ ମଣ୍ଡଳରେ ଜଙ୍ଗଲ, ପରିବେଷ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଅଛନ୍ତି। ତାଙ୍କର ଝିଅ ଶୋଭାଙ୍କର ଶୁକ୍ରବାରରେ ବାହାଘର ଥିଲା। ସେଥିପାଇଁ ନୂଆଦିଲ୍ଲୀରେ ଏକ ବଡ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏଥିସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ବରକନ୍ୟାଙ୍କୁ ଆର୍ଶିବାଦ ଦେବା ପାଇଁ ଯାଇଥିଲେ।

Categories
ବିଶେଷ ଖବର

ପିଏମ ମୋଦୀଙ୍କ ସୁରକ୍ଷାକୁ ନେଇ କିରଣ ବେଦୀଙ୍କ ପ୍ରଶ୍ନ, ସେଠାରେ ଆକ୍ରମଣ କରିବାର ଯୋଜନା ଥିଲା କି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ ପଞ୍ଜାବର ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜାନୁୟାରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିରୋଜପୁର ଗସ୍ତ ସମୟରେ ପଞ୍ଜାବରେ ସୁରକ୍ଷା ଅଭାବ ସମ୍ପର୍କରେ ପୂର୍ବତନ ଆଇପିଏସ ଅଧିକାରୀ କିରଣ ବେଦୀ କହିଛନ୍ତି ଯେ, ସେହି ସମୟରେ ରାଜ୍ୟର ଡିଜିପି, ମୁଖ୍ୟ ସଚିବ, ଗୃହ ସଚିବ ଏବଂ ଡିଏମ ଅନୁପସ୍ଥିତ ଥିଲେ। ରାଜ୍ୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କିରଣ ବେଦୀ ପ୍ରଶ୍ନ କରିଛନ୍ତି ଯେ, ସେଠାରେ କୌଣସି ଆକ୍ରମଣ ଯୋଜନା ଥିଲା କି? ସେ କହିଛନ୍ତି ଯେ, ବ୍ରିଜ ନିକଟରେ ଅଟକି ରହିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ବ୍ରିଜ୍ ତଳେ ଯେକେହି ବୋମା ଲଗାଇପାରିଥାନ୍ତେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବିଫଳତାକୁ ନେଇ ପୂର୍ବତନ ଆଇପିଏସ୍ କିରଣ ବେଦୀ କହିଛନ୍ତି ଯେ, ଏହି ବ୍ରିଜ ଉପରେ ପ୍ରଧାନମନ୍ତ୍ରୀ ଅଟକିବା ଅତ୍ୟନ୍ତ ବିପଜ୍ଜନକ ଥିଲା। କାରଣ ବ୍ରିଜଟି ସହଜରେ ବୋମା ଦ୍ୱାରା ଉଡିଯାଇପାରେ। ସେ କହିଛନ୍ତି ଯେ, ସୁରକ୍ଷା ବିଫଳତାର ସବୁଠାରୁ ବଡ କାରଣ ହେଉଛି ଡିଜିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି। ଏହା ଏକ ଯୋଜନାବଦ୍ଧ ଆକ୍ରମଣର ମାମଲା ହୋଇପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ବାଜା ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭିତରେ ଥିବା ଭିଡିଓ କୁ କ୍ଲିକ କରନ୍ତୁ

ନୂଆଦିଲ୍ଲୀ: ଆଜି ମଣିପୁର ଓ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ 22 ଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଯାହାର ମୁଲ୍ୟ ହେବ ପ୍ରାୟ 4800 କୋଟି ଟଙ୍କା। ତେବେ ମୋଦୀଙ୍କ ଗସ୍ତକୁ ନଜଜରେ ରଖ ମଣିପୁରରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା ପୁରା ମଣିପୁର ସଂସ୍କୃତି ଓ ନୃତ୍ୟ ମାଧ୍ୟମରେ କରାଯାଇଥିଲା।

ତେବେ ଏ ସବୁ ଦେଖି ପ୍ରଧାନମନ୍ତ୍ରୀ ଖୁସି ହୋଇଯାଇଥିଲେ। ସେଠାରେ ଯନ୍ତ୍ର ସଂଗୀତ ଉପସ୍ଥାପନା କରୁଥିବା କଳାକାରଙ୍କଠାରୁ ବାଦ୍ୟ ଯନ୍ତ୍ର ଆଣି ବଜାଇଥିଲେ। ସମସ୍ତ କଳାକାରଙ୍କ ଏପରି କଳା ନୌପୁଣ୍ୟତାକୁ ସେ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ତୁରନ୍ତ କରାଗଲା ବାତିଲ, ଜାଣନ୍ତୁ କାରଣ କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଦେଶ ଗସ୍ତରେ ଯାଇଥାଆନ୍ତେ। ଏଥର ସେ ଜାନୁୟାରୀ 6 ତାରିଖରୁ ୟୁଏଇ ଏବଂ କୁଏତ ଗସ୍ତ କରିଥାଆନ୍ତେ। ଏହି ଗସ୍ତ କାଳରେ ସେ ଅନେକ ବୈଠକ କରି ଦେଶକୁ ପୁଂଜି ବିନିଯୋଗ ଉପରେ ଆଲୋଚନା କରିଥାଆନ୍ତେ।

ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତକୁ ତୁରନ୍ତ ବାତିଲ କରାଯାଇଛି। ଏହାର କାରଣ ହେଲା ବିଦେଶରେ ଓମିକ୍ରମ ଭ୍ୟାରିଆଣ୍ଟ ବୃଦ୍ଧି। ତଥ୍ୟ ଅନୁସାରେ ବିଦେଶରେ ବର୍ତ୍ତମାନ ଏହି ନୂଆ ପ୍ରଜାତିର କରୋନାକୁ ନେଇ ଆତଙ୍କ ଖେଳିବାରେ ଲାଗିଛି। ଏପରି ପରିସ୍ଥିତିରେ ମୋଦି ବିଦେଶ ଯିବା ଉଚିତ ନୁହେଁ ବୋଲି ବିବେଚନା କରି ତାଙ୍କ ଗସ୍ତକୁ ବାତିଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କାନପୁର ମେଟ୍ରୋର ନୂତନ ସେକ୍ସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଯାତ୍ରା

ନୂଆଦିଲ୍ଲୀ: କାନପୁର ମେଟ୍ରୋ ପ୍ରକଳ୍ପର ନୂତନ ବିଭାଗକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହା ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ। ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଥିଲେ, ସେ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନଗର ଷ୍ଟେସନକୁ ଯାତ୍ରା କରିଥିଲେ। ଏହି ବିଭାଗଟି ଆଇଆଇଟି କାନପୁରରୁ ମୋତି ହ୍ରଦ ପର୍ଯ୍ୟନ୍ତ ପ୍ରାୟ ୯ କିଲୋମିଟର ଲମ୍ବା। ପିଏମଓ ଅନୁଯାୟୀ, କାନପୁରରେ ମେଟ୍ରୋ ପ୍ରକଳ୍ପର ମୋଟ ଲମ୍ବ ୩୨ କିଲୋମିଟର ଏବଂ ଏହା ୧୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେଉଛି।

କାନପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୫୬ କିଲୋମିଟର ଲମ୍ବା ପାଇପଲାଇନ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ବିନା-ପନକୀ ପାଇପଲାଇନ ପ୍ରକଳ୍ପର କ୍ଷମତା ବାର୍ଷିକ ପ୍ରାୟ ୩.୪୫ ନିୟୁତ ମେଟ୍ରିକ ଟନ୍ ଅଟେ। ମଧ୍ୟପ୍ରଦେଶର ବିନା ରିଫାଇନାରୀ ଠାରୁ କାନପୁରର ପନକୀ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

Categories
ବିଶେଷ ଖବର ବ୍ୟବସାୟ

ବିଭିନ୍ନ କଂପାନୀର ସିଇଓଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ହେଲେ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ବିଭିନ୍ନ କ୍ଷେତ୍ରର ଶିଳ୍ପ ଉଦ୍ୟୋଗ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଗାମୀ ସାଧାରଣ ବଜେଟ ପୂର୍ବରୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏପରି ଆଲୋଚନା କରିଛନ୍ତି।

କୋଭିଡ ମହାମାରୀର ମୁକାବିଲା ସମୟରେ ଦେଶ ଅନ୍ତର୍ନିହିତ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମତାମତ ଓ ପରାମର୍ଶ ପାଇଁ ସେ ଉଦ୍ୟୋଗ ଜଗତର ନେତୃବୃନ୍ଦଙ୍କୁ ପ୍ରଶଂସା କରିଥିଲେ ଏବଂ ପିଏଲଆଇ ଯୋଜନା ଭଳି ନୀତିର ଭରପୂର ଲାଭ ଉଠାଇବା ପାଇଁ ସେମାନଙ୍କୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଲିମ୍ପିକ୍ସରେ ଭାରତ ଯେପରି ପୋଡିୟମ ସଫଳତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛି, ସେହିପରି ଭାବେ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଆମର ଉଦ୍ୟୋଗ ଶୀର୍ଷ ପାଞ୍ଚଟି ସ୍ଥାନରେ ରହୁ ବୋଲି ସାରା ଦେଶ ଚାହୁଁଛି ।

ଆମ ସମସ୍ତଙ୍କୁ ଏହି ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଅଗ୍ରସର ହେବାକୁ ପଡ଼ିବ ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ କର୍ପୋରେଟ ଉଦ୍ୟୋଗଗୁଡ଼ିକ ଅଧିକ ନିବେଶ କରିବା ଉଚିତ୍‌। ସେ ପ୍ରାକୃତିକ ଚାଷ ପ୍ରତି ଧ୍ୟାନ ଦେବା ଉପରେ ଜୋର ଦେଇଥିଲେ। ସରକାରଙ୍କ ନୀତିଗତ ସ୍ଥିରତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦେଶର ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହିତ କରିବା ଲାଗି ଲଗାତାର ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ। ଅନୁପାଳନ ବୋଝ ହ୍ରାସ କରିବା କ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେଉଁ କ୍ଷେତ୍ରରେ ଅନାବଶ୍ୟକ ଅନୁପାଳନ ବୋଝ ରହିଛି ତାହା ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତର ପ୍ରତିନିଧିମାନଙ୍କ ଠାରୁ ପରାମର୍ଶ ଲୋଡ଼ିଥିଲେ।

ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ମତାମତ ଦେଇଥିଲେ।  ଘରୋଇ କ୍ଷେତ୍ର ପ୍ରତି ଭରସା ରଖିଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।  ସେମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କର ସଫଳ ନେତୃତ୍ୱ କାରଣରୁ କୋଭିଡ ମହାମାରୀ କାଳରେ ସମୟୋଚିତ ହସ୍ତକ୍ଷେପ ଓ ଯୁଗାନ୍ତକାରୀ ସଂସ୍କାର ଅଣାଯାଇଛି ଯାହାଫଳରେ ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସୁଧାର ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଦିଗରେ ଯୋଗଦାନ ପାଇଁ ସେମାନେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପିଏମ ଗତିଶକ୍ତି, ଆଇବିସି ଭଳି ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ। ଦେଶରେ ବ୍ୟବସାୟିକ ସୁଗମତାକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ସିଓପି 26 ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ଏଥିରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟୋଗ ଜଗତ କିଭଳି ଯୋଗଦାନ ଦେଇପାରିବେ ସେ ସମ୍ପର୍କରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।

ଶ୍ରୀ ଟିଭି ନରେନ୍ଦ୍ରନ କହିଥିଲେ ଯେ ସରକାରଙ୍କ ସମୟୋଚିତ ପଦକ୍ଷେପ କାରଣରୁ କୋଭିଡ ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥାରେ ଇଂରାଜୀ ଅକ୍ଷର ‘V’ ଆକୃତିର ସୁଧାର ଆସିପାରିଛି। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଶ୍ରୀ ସଞ୍ଜୀବ ପୁରୀ ପରାମର୍ଶ ଦେଇଥିଲେ। ସ୍ୱଚ୍ଛ ଭାରତ, ଷ୍ଟାର୍ଟଅପ୍‌ ଇଣ୍ଡିଆ ଆଦି ସରଳ କିନ୍ତୁ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ସଂସ୍କାର ଜରିଆରେ ପ୍ରଧାନମନ୍ତ୍ରୀ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିବା ଶ୍ରୀ ଉଦୟ କୋଟକ କହିଥିଲେ। ଶ୍ରୀ ଶେଷଗିରି ରାଓ ସ୍କାର୍ପେଜ ନୀତିକୁ କିଭଳି ବିସ୍ତୃତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଭାରତକୁ ଏକ ବିଶାଳ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ପ୍ରତି ଶ୍ରୀ କେନିଚି ଆୟୁକାୱା ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସିଓପି 26ରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଚାମୃତ ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବୀନିତ ମିତ୍ତଲ ଆଲୋଚନା କରିଥିଲେ। ଶ୍ରୀ ସୁମନ୍ତ ସିହ୍ନା କହିଥିଲେ ଯେ ଗ୍ଲାସଗୋରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିଶ୍ୱ ସମୁଦାୟର ସଦସ୍ୟମାନେ ପ୍ରଶଂସା କରିଥିଲେ। ଶ୍ରୀ ପ୍ରୀତା ରେଡ୍ଡୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳର ପ୍ରୋତ୍ସାହନ ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଭଳି ଉଦୀୟମାନ ପ୍ରଯୁକ୍ତି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ରିତେଶ ଅଗ୍ରୱାଲ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସର୍ବଭାରତୀୟ ମେୟର ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌‌ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସର୍ବଭାରତୀୟ ମେୟର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନିକଟରେ ପ୍ରାଚୀନ ବାରଣାସୀଠାରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ କହିଥିଲେ। କାଶୀର ବିକାଶ କିପରି ସମଗ୍ର ଭାରତରେ ମାର୍ଗଦର୍ଶକ ହୋଇପାରିବ ସେ ଦେଇଥିବା ନିଜର ମନ୍ତବ୍ୟକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶର ଅଧିକାଂଶ ମହାନଗରୀ ପାରମ୍ପରିକ କୌଶଳରେ ବିକଶିତ ହୋଇଛି। ଏହି ଆଧୁନିକୀକରଣ ଯୁଗରେ ଏହି ସବୁ ସହରଗୁଡିକରେ କୀର୍ତ୍ତି ରାଜି ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ସହରଗୁଡିକ ଆମକୁ ଆମର ଐତିହ୍ୟର ସଂରକ୍ଷଣ ଓ ସ୍ଥାନୀୟ କୌଶଳ ଶିଖିବାର ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ପରିପାଟି ଭାଙ୍ଗିଦେବା ବଡ କଥା ନୁହେଁ, ବରଂ ପୁର୍ନବିନ୍ୟାସ ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଏଗୁଡିକ କରାଯିବା ଦରକାର।

ପ୍ରଧାନମନ୍ତ୍ରୀ ସହରମାନଙ୍କ ମଧ୍ୟରେ ସ୍ୱଚ୍ଛତା ପାଇଁ ସୁସ୍ଥ ପ୍ରତିଯୋଗିତା ନିମନ୍ତେ ଆହ୍ୱାନ ଜଣାଇଥିଲେ ଓ କହିଥିଲେ ଯେ ଏଥିରେ ଆଚମ୍ବିତ ମଧ୍ୟ ହେବାରେ ନାହିଁ ଯେ ସହରଗୁଡିକ ଉଭୟ ଶ୍ରେଷ୍ଠ ପ୍ରଦର୍ଶନ ଓ ସ୍ୱଚ୍ଛତା ଉଭୟ ପାଇଁ ନିଜ ନିଜ ମଧ୍ୟରେ ଭବିଷ୍ୟତରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ମଧ୍ୟ ପରିସ୍କାର ଓ ପରିଚ୍ଛନ୍ନତା ସହ ସହରଗୁଡିକର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ  ଆରୋପ କରିଥିଲେ। ସେ ମେୟରମାନଙ୍କୁ ନିଜ ନିଜ ସହରର ୱାର୍ଡଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ପାଇଁ ନିବେଦନ କରିଥିଲେ।

ସେ ମଧ୍ୟ ମେୟରମାନଙ୍କୁ ଆଜାଦୀ କା ଅମ୍ରିତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମ ବିଷୟବସ୍ତୁ ଥାଇ ରଙ୍ଗୋଲୀ ପ୍ରତିଯୋଗିତା, ସ୍ୱାଧୀନତା ସଂଗ୍ରାମ ଉପରେ ସଙ୍ଗୀତ ପ୍ରତିଯୋଗିତା, ନାନାବାୟା ଗୀତ ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମ ଯାହା ସେ ମନ୍ କୀ ବାତ ଓ ତାଙ୍କ ଭାଷଣ ମାଧ୍ୟମରେ ପରାମର୍ଶ  ଦେଇଛନ୍ତି ତାହା କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମେୟରମାନଙ୍କ ସହରର ଜନ୍ମଦିବସ ଖୋଜି ବାହାର କରି ତାହା ପାଳନ କରିବାକୁ କହିଥିଲେ। ନଦୀଗୁଡିକର ଗୌରମମୟ ଐତହ୍ୟିକୁ ସୁଦୂର ପ୍ରସାରୀ କଲେ, ଲୋକମାନେ ଏହା ଦ୍ୱାରା ଗର୍ବିତ ହେବା ସହ ତାହାକୁ ସଫାସୁତୁରା ମଧ୍ୟ ରଖିବେ।  “ନଦୀଗୁଡିକ ସହରୀ ଜୀବନର କେନ୍ଦ୍ରବିନ୍ଦୁ କରାଯିବା ଦରକାର। ଏହା ହେଲେ ଯାଇ ତାହା ଆପଣମାନଙ୍କ ସହରକୁ ନୂଆ ଜୀବନ ଦେବ” ବୋଲି କହିଥିଲେ। ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ପାଇଁ ଅଭିଯାନ ଶକ୍ତିଶାଳୀ କରିବା ପାଇଁ ସେ ମେୟରମାନଙ୍କୁ  କହିଥିଲେ। ବଜ୍ୟବସ୍ତୁରୁ ଧନ ସୃଷ୍ଟି କରିବା ପାଇଁ ପନ୍ଥା ଖୋଜିବା ପାଇଁ ସେ ମେୟରମାନଙ୍କୁ କହିବା ସହ ଆମର ସହରଗୁଡିକ ସ୍ୱଚ୍ଛ ଓ ସୁସ୍ଥ ହେବା ଦରକାର ଓ ସେ ଦିଗରେ ଆମର ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ।

ରାସ୍ତା ଓ ଘରେ ଏଲଇଡି ବଲର ବହୁଳ ପ୍ରୟୋଗ ଉପରେ ସେ ମେୟରମାନଙ୍କୁ କହିଥିଲେ। ଏହାକୁ ଏକ ଅଭିଯାନଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ ଆମେ ସବୁବେଳେ ପ୍ରଚଳିତ ଯୋଜନାଗୁଡିକୁ  ନୂତନ ବ୍ୟବହାର ପାଇଁ  ନେଇ ଆଗକୁ ବଢିବା ଦରକାର। ଆଜାଦୀ କା ଅମ୍ରିତ ମହୋତ୍ସବ କାଳରେ ସହରର ସମରଶିକ୍ଷାର୍ଥୀମାନଙ୍କୁ ନେଇ ପ୍ରତିମୂତ୍ତି ଗୁଡିକୁ ସଫାସୁତୁରା କାର୍ଯ୍ୟ କରିବା ସହ ମହାନ୍ ବ୍ୟକ୍ତିମାନଙ୍କ ଉପରେ ତର୍କ ପ୍ରତିଯୋଗିତା କରିବାକୁ ମେୟରମାନଙ୍କୁ କହିଥିଲେ। ମେୟରମାନେ ସହରରେ ସ୍ଥାନ ଚିହ୍ନଟ କରି କୀର୍ତ୍ତିରାଜି ସ୍ଥାପନ ପିପିପି ମୋଡରେ କରିବାକୁ ପରାମର୍ଶ ଦେଇଥିଲେ। ସହରୀ ଜୀବନର ବିଭିନ୍ନ ସମସ୍ୟାକୁ ନେଇ ଜନସାଧାରଣଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିବାକୁ କହିଥିଲେ। ସାଧାରଣ ପରିବହନ ବ୍ୟବସ୍ଥାର ସଦୁପଯୋଗ ନେଇ ସେ ପରାମର୍ଶ ଦେଇ ଦେବାସହ ମେୟରମାନେ ସୁଗମ୍ୟ ଭାରତ ଅଭିଯାନ ଅନୁସାରେ ସହରଗୁଡିକୁ ଦିବ୍ୟାଙ୍ଗମାନଙ୍କ ସୁବିଧା ପାଇଁ ଉପଯୋଗ କରିବାକୁ  ମଧ୍ୟ କହିଥିଲେ।

ସେ କହିଥିଲେ “ଆମର ସହରଗୁଡିକ ଆମ ଅର୍ଥନୀତିର ମୂଳପିଣ୍ଡ। ଆମ ସହରଗୁଡିକୁ ଅର୍ଥନୀତିକ ବ୍ୟବସ୍ଥାର ପେଣ୍ଠସ୍ଥଳ କରିବାକୁ ହେବ।” ସେ ସେମାନଙ୍କୁ ସାମଗ୍ରୀକ ବ୍ୟବସ୍ଥା ଦ୍ୱାରା ସମସ୍ତ ସୁବିଧା ଏପରି ବିକଶିତ ହେବ ଯାହା ଆର୍ଥିକ କାର୍ଯ୍ୟକଳାପଗୁଡିକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ।

ଏମଏସ୍‌ଏମଇକୁ ବିକାଶର ମଡେଲ ଭାବେ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଦୃଢ ଯୁକ୍ତି ବାଢିଥିଲେ। “ରାସ୍ତାକଡ ବିକ୍ରେତାମାନେ ଆମ ଯାତ୍ରାର ସହଯାତ୍ରୀ। ସବୁବେଳେ ଆମେ ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସେମାନଙ୍କ ପାଇଁ ଆମେ ପିଏମ୍ ସ୍ୱନିଧି ଯୋଜନା ପ୍ରବର୍ତ୍ତନ କରିଛୁ। ଏହି ଯୋଜନା ଖୁବ ଭଲ। ଆପଣମାନଙ୍କ ସହରରେ ଏହାର ତାଲିକା ବନାଇ ସେମାନଙ୍କୁ ମୋବାଇଲ ଫୋନ ଦେଣନେଣ ପାଇଁ ଶିକ୍ଷା ଦିଅନ୍ତୁ। ଏଗୁଡିକ ବ୍ୟାଙ୍କ ଅର୍ଥ ପ୍ରଦାନ ଦିଗରେ ବେଶ୍ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବୈଶ୍ୱିକ ମହାମାରୀ କାଳରେ ସେମାନଙ୍କ ଗୁରୁତ୍ୱ ବେଶ୍ ଉପଲବ୍ଧ ହୋଇଥିଲା।

କାଶୀର ବିକାଶ ଲାଗି ମେୟରମାନଙ୍କୁ ପ୍ରସ୍ତାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। “ମୁଁ ଆପଣମାନଙ୍କ ପ୍ରସ୍ତାବ ପାଇଁ କୃତଜ୍ଞ ରହିବି ଓ ମୁଁ ଆପଣମାନଙ୍କ ପ୍ରଥମ ବିଦ୍ୟାର୍ଥୀ ହେବି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ଦ୍ଦାର ପଟେଲ ଅହମ୍ମଦାବାଦର ପ୍ରଥମ ମେୟର ଥିଲେ ଓ ଦେଶବାସୀ ତାଙ୍କୁ ଏବେ ବି ମନେ ରଖିଛନ୍ତି। ମେୟର ପଦବୀ ଏକ ଅର୍ଥପୂର୍ଣ୍ଣ ରାଜନୀତିକ ପେଶା ପାଇଁ ଉତ୍ତମ ସୋପାନ ଯାହାଦ୍ୱାରା ଆପଣ ଦେଶବାସୀଙ୍କ ସେବା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ନୂତନ ଷ୍ଟ୍ରେନ୍ ଓମିକ୍ରନର ସଂକ୍ରମଣ ଉପରେ ହେଉଛି ସମୀକ୍ଷା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ରୂପ ଚିହ୍ନଟ ହେବା ଏବଂ ବିଶ୍ୱବ୍ୟାପି ଆଶଙ୍କାରେ ରହିଛନ୍ତି। ଏହାକୁ ଦେଖି ଜେନେଭାରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି।

ଏସବୁ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ କୋଭିଡ -୧୯ ର ଏକ ନୂତନ ରୂପ ଆସିବା ଅନେକ ଦେଶର ଚିନ୍ତା ବଢାଇ ଦେଇଛି ଏବଂ ସେମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ କମିଟି କରୋନା ଭାଇରସର ଏହି ନୂତନ ରୂପକୁ ‘ଓମିକ୍ରନ୍’ ନାମିତ କରିଛି ଏବଂ ଏହାକୁ ‘ଅତ୍ୟଧିକ ସଂକ୍ରାମକ ଚିନ୍ତାଜନକ ସ୍ୱରୂପ’ ବୋଲି କହିଛି।

କରୋନା ଭୂତାଣୁର ଏହି ନୂତନ ରୂପ ଦେଖାଯିବା ପରେ ଆମେରିକା, ବ୍ରିଟେନ, କାନାଡା, ଋଷ ଏବଂ ଅନ୍ୟାନ୍ୟ ଦେଶ ଆଫ୍ରିକୀୟ ଦେଶରୁ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର

ଲଗାତାର ପଞ୍ଚମ ଥର ପାଇଁ ଦେଶର ସବୁଠୁ ସ୍ଵଚ୍ଛ ସହର ହେଲା ଇନ୍ଦୋର, ବାରାଣାସୀକୁ ମିଳିଲା ଏହି ପୁରଷ୍କାର

ନୂଆଦିଲ୍ଲୀ: ‘ସ୍ବଚ୍ଛ ସର୍ବେକ୍ଷଣ-୨୦୨୧’ର ବିଜେତା ଘୋଷିତ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ପଞ୍ଚମ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ସ୍ଵଚ୍ଛ ସର୍ବେକ୍ଷଣ-୨୦୨୧ ରେ ସୁରଟ (ଗୁଜୁରାଟ) ଦୁଇ ନମ୍ବରରେ ଏବଂ ବିଜୟୱାଡା (ଆନ୍ଧ୍ରପ୍ରଦେଶ) ତୃତୀୟ ସ୍ଥାନରେ ରହିଛି। ଏଥି ସହିତ, ୟୁପିର ବାରାଣାସୀ ସ୍ୱଚ୍ଛ ଗଙ୍ଗା ସହରର ଆଖ୍ୟା ପାଇଛି। ସ୍ଵଚ୍ଛ ଭାରତ ମିଶନ-ସହରୀ ୨.୦ ଅଧୀନରେ ଭାରତକୁ ଅଳିଆ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ, ଏହି କାର୍ଯ୍ୟରେ ଆବର୍ଜନାମୁକ୍ତ ସହର ବର୍ଗରେ ସାର୍ଟିଫିକେଟ୍ ପ୍ରାପ୍ତ ସହରଗୁଡିକ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟର ‘ସଫାଇମିତ୍ର ସୁରକ୍ଷା ଚ୍ୟାଲେଞ୍ଜ’ ଉଦ୍ୟମରେ ସର୍ବୋତ୍ତମ ପ୍ରଦର୍ଶନ କରୁଥିବା ସହରଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରୁଥିବାବେଳେ ସଫାଇ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରାଯାଇଛି। ଏଥର ୪୩୨୦ ସହରକୁ ସ୍ଵଚ୍ଛ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାକି ବିଶ୍ୱର ସବୁଠୁ ବଡ ସ୍ୱଚ୍ଛତା ସର୍ବେକ୍ଷଣ ଅଟେ।

୨୦୧୬ ମସିହାରେ ଏହି ପଦକ୍ଷେପ ଆରମ୍ଭରେ କେବଳ ୭୩ ଟି ପ୍ରମୁଖ ସହରକୁ ଏହି ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ବର୍ଷର ସର୍ବେକ୍ଷଣର ସଫଳତାକୁ ଏଥର ନାଗରିକଙ୍କଠାରୁ ପ୍ରାପ୍ତ ଫିଡବ୍ୟାକ୍ ଆଧାରରେ ବିଚାର କରାଯାଇଥାଏ। ଏଥର ପାଞ୍ଚ କୋଟିରୁ ଅଧିକ ଫିଡବ୍ୟାକ୍ ଆସିଥିଲା। ଗତ ବର୍ଷ ଏହି ସଂଖ୍ୟା ୧.୮୭ କୋଟି ଥିଲା।

‘ସ୍ବଚ୍ଛ ସର୍ବେକ୍ଷଣ-୨୦୨୧’ ବିଷୟରେ ମନ୍ତ୍ରଣାଳୟ କହିଛି ଯେ, ଭୂମି ସ୍ତରରେ ରାଜ୍ୟ ତଥା ସହରଗୁଡିକର ପ୍ରଦର୍ଶନରେ ବିଶେଷ ଉନ୍ନତି ହୋଇଛି। ଉଦାହରଣ ସ୍ୱରୂପ, ୬ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳ ତୃଣମୂଳ ସ୍ତରରେ କାର୍ଯ୍ୟଦକ୍ଷତାକୁ ପାଞ୍ଚରୁ ୨୫ ପ୍ରତିଶତକୁ ଉନ୍ନତ କରିଛି ବୋଲି ଏଥିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଣତନ୍ତ୍ରର ବିଜୟ, ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରି କହିଛନ୍ତି ଯେ, ତାଙ୍କ ସରକାର ଯେଉଁ ତିନୋଟି କୃଷି ଆଇନକୁ ପାରିତ କରିଥିଲା ସେ ସମସ୍ତ କୃଷି ଆଇନକୁ ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ରୁଦ୍ଧ କରାଯିବ। ଆଜକୁ ଦୀର୍ଘ ୧୩ ମାସ କାଳ ଧରି କୃଷକମାନେ ଏହି କଳା କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି। ସାରା ଭାରତବର୍ଷର ଅନ୍ନଦାତା ଏ ଆଇନକୁ ରୁଦ୍ଧ ବା ଆଇନର ପରିବର୍ତ୍ତନ କରିବା ପାଇଁ ବାରମ୍ବାର ମୋଦି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡଃ ଏ ଚେଲ୍ଲା କୁମାର ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଭାରତ ବର୍ଷର ନରେନ୍ଦ୍ର ମୋଦି ସରକାର ଯେଉଁ କଳା କୃଷି ଆଇନ ପ୍ରଣୟନ କରିଥିଲେ ତାହା ଆଜି ସେ ନିଜେ ଏବଂ ତାଙ୍କ ସରକାର ଏ ଆଇନକୁ ରୁଦ୍ଧ କରିବାର ଘୋଷଣା କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଭାରତବର୍ଷର କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ ତାହା ନ୍ୟାୟ ସଂଗତ ଓ କୃଷକ ବିରୋଧି ଥିଲା ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣି । ଏହି ବିଜୟ ଭାରତ ବର୍ଷର କୃଷକଙ୍କର ବିଜୟ, ଗଣତନ୍ତ୍ରର ବିଜୟ, ସତ୍ୟର ବିଜୟ ଓ ଅହଂକାରର ପରାଜୟ ବୋଲି ସେ କହିଥିଲେ।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜି ଯେଉଁ ୭୦୦ ରୁ ଅଧିକ କୃଷକ ମୃତ୍ୟୁବରଣ କଲେ। ସେମାନଙ୍କ ପଛପଟୁରୁ ଗାଡ଼ି ଚଢ଼ାଇ ଓ ଟ୍ରାକ୍ଟର ଚଢ଼ାଇ ମାରିଦିଆଗଲା ଏବଂ ତାଙ୍କ ନାଁରେ ବିଭିନ୍ନ ଆତଙ୍କବାଦ ଆଇନ ବଳରେ ଯେଉଁ କେସ ଦାୟର ହୋଇଛି, ସେଥିପାଇଁ ନରେନ୍ଦ୍ର ମୋଦି ଦାୟୀ ରହିବେ କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି। ଆଜି ଯଦି ସରକାର ନିଷ୍ପତ୍ତି ନେଇପାରିଲେ ତାହାହେଲେ କାହଁକି କୃଷକମାନଙ୍କୁ ଆତଙ୍କବାଦୀ ବୋଲି ଚିତ୍ରଣ କରାଯାଇଥିଲା। ଅହଂକାର ଓ ସଂଖ୍ୟାର କେବେ ଜୟ ହୋଇ ନାହିଁ, ଗଣତନ୍ତ୍ରର ଜୟହିଁ ହୋଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଯଜ୍ଞେଶ୍ୱର ବାବୁ ଏବଂ ବରିଷ୍ଠ ମୁଖପାତ୍ର ତଥା ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସିଡନୀ ଡାଏଲଗରେ ଦୀକ୍ଷାନ୍ତ ଭାଷଣ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୧୮.୧୧.୨୦୨୧)ସକାଳ ୯ଟା ବେଳେ ସିଡନୀ ଡାଏଲଗରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଭାଷଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ପ୍ରଯୁକ୍ତି ଉଦ୍ଭାବନ ଓ ବିପ୍ଳବ ଉପରେ ଉଦ୍ବୋଧନ ଦେବେ।

ସିଡନୀ ଡାଏଲଗ୍ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଆୟୋଜିତ ହେଉଛି ଅଷ୍ଟ୍ରେଲିୟ ରଣନୀତିକ ପ୍ରତିଷ୍ଠାନ ପକ୍ଷରୁ ଏହି ପଦକ୍ଷପ ନିଆଯାଉଛି। ଏଥିରେ ଦୁନିଆକୁ ଆସୁଥିବା ନୂତନ ନୂତନ ପ୍ରଯୁକ୍ତିବିଦ୍ୟା ଓ ଏହାର ଆହ୍ୱାନଗୁଡିକୁ ନେଇ ସରକାରୀ, ରାଜନୈତିକ ଓ ବ୍ୟାବସାୟିକ ବିଶେଷଜ୍ଞମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଓ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ସିନେଟ୍‌ର ଜନ କର୍ଣ୍ଣୟନଙ୍କ ନେତୃତ୍ୱରେ ଭାରତ ଆସିଥିବା ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିନେଟର ମାଇକେଲ କାର୍ପୋ, ସିନେଟର ଥମାସ ଟ୍ୟୁବରଭିଲେ, ସିନେଟର ମାଇକେଲ ଲୀ, କଂଗ୍ରେସମ୍ୟାନ ଟନ୍ ଗଞ୍ଜାଲେସ୍‌ ଏବଂ କଂଗ୍ରେସ ମ୍ୟାନ ଜନ କେଭିନ ଏଲିଜେ ସିନିୟର ମଧ୍ୟ ଅନ୍ତର୍ଭୁକ୍ତ । ସିନେଟ୍‌ର ଜନ କର୍ଣ୍ଣୟନ ହେଉଛନ୍ତି ଭାରତ ଓ ଆମେରିକୀୟ ଭାରତୀୟ ସିନେଟ୍‌ର ବୃହତ ଗୋଷ୍ଠୀ ମଧ୍ୟରେ ଥିବା ଏକ କ୍ଷୁଦ୍ରଗୋଷ୍ଠୀର ପ୍ରତିଷ୍ଠାତା।

ଭାରତରେ ଜନସଂଖ୍ୟା ଜନିତ ବିବିଧତା ସତ୍ୱେ କୋଭିଡ-୧୯ ପରିସ୍ଥିତିରେ ଚମତ୍କାର ପରିଚାଳନା ନେଇ କଂଗ୍ରେସ ପ୍ରତିନିଧି ଦଳ ସନ୍ତୋଷବ୍ୟକ୍ତ କରିଥିଲେ। ଶତାବ୍ଦୀର ସବୁଠାରୁ ଭୟଙ୍କର ମହାମାରୀକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଜନତାଙ୍କ ଭାଗିଦାରିତା ଓ ସହଯୋଗ ଯୋଗୁଁ ମୁକାବିଲା କରାଯାଇପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ବିଷୟ ଉପରେ ମଧ୍ୟ ଅବାଧ ଆଲୋଚନା ହୋଇଥିଲା। ଏଥିରେ ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମସ୍ୟା ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ଓ ପରିଦର୍ଶନକାରୀ ପ୍ରତିନିଧି ଦଳ ବୈଶ୍ୱିକ ଶାନ୍ତି ଓ ସ୍ଥିରତା ଦୃଷ୍ଟିରୁ ରଣନୀତିକ ସହଯୋଗ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ସହ ନେବା ଉପରେ ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ସାଂପ୍ରତିକ ବୈଶ୍ୱିକ ସମସ୍ୟା ଯଥା ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ବୈଷୟିକ ଜ୍ଞାନ ଯୁକ୍ତ ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା ଦିଗରେ ସହଯୋଗ  ନେଇ ମତବିନିମୟ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆପଣଙ୍କ କଥା କହିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରତିମାସର ଶେଷ ରବିବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ହେଉଛି ‘ମନ କି ବାତ୍’। ଏହା ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯାଇଥାଏ। ଚଳିତ ମାସ ଶେଷ ରବିବାରରେ ଅର୍ଥାତ ନଭେମ୍ବର 28 ତାରିଖରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରରଣ କରାଯିବ। ତେବେ ଏଥର ଏହି ‘ମନ କି ବାତ୍’ କାର୍ଯ୍ୟକ୍ରମ ଟିକିଏ ଭିନ୍ନ କରାଯିବାକୁ ପ୍ରୟାସ କରାଯାଇଛି।

ଏଥର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଲୋକଙ୍କ କଥା ପ୍ରଧାନମନ୍ତ୍ରୀ କହିବେ ବୋଲି ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ପଦକ୍ଷେପ ଅନୁସାରେ ଆପଣ ଆପଣଙ୍କର କୌଣସି ଅଭିନବ ଯୋଜନା ରହିଛି ତେବେ ତାହାକୁ ଆପଣ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ପାରିବେ। ଏଥିସହିତ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦେଇପାରିବେ ଯାହାକୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କି ବାତ୍’ ରେ ଆପଣଙ୍କ ନାମ ସହିତ କହିବେ।

ତେବେ ସେଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ତାହା ଜାଣିବା ନିହାତି ଆବଶ୍ୟକ। ପ୍ରଥମ କଥା ହେଲା ଆପଣଙ୍କ ଯୋଜନା ବା ପ୍ରସ୍ତାବ ଅଭିନବ ହୋଇଥିବା ଆବଶ୍ୟକ। ଯାହା ସାଧାରଣ ଘଟଣାଠାରୁ ନିଶ୍ଚିତ ଅଲଗା ହେବା ଆବଶ୍ୟକ। ସେହିପରି କିଛି ଭିନ୍ନଭିନ୍ନ ପ୍ରସ୍ତାବ ମଧ୍ୟ ପଠାଇପାରିବେ, ଯାହା ଦ୍ବାରା ଅନ୍ୟମାନେ ପ୍ରେରଣା ହାସଲ କରିବେ। ଏସବୁ ପ୍ରସ୍ତାବ ଆପଣ ନଭେମ୍ବର 26 ତାରିଖ ସୁଦ୍ଧା ପଠାଇବା ଆବଶ୍ୟକ। ଫଳରେ ନଭେମ୍ବର 28 ତାରିଖରେ ତାହା ପ୍ରସାରଣ ହେବ।

ଏହି ପ୍ରସ୍ତାବ ପଠାଇବାକୁ ହେଲେ ଆପଣ ଏହି ଲିଙ୍କକୁ କ୍ଲିକ କରନ୍ତୁ- https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-28th-november-2021/

କ୍ଲିକ କରିବା ପରେ ସେଥିରେ ଥିବା ବିଭିନ୍ନ ଟେବୁଲ ପୁରଣ କରି ପଠାନ୍ତୁ। ଯଦି ଏହି ଲିଙ୍କ୍ କିଲ୍କ ହେଉ ନାହିଁ ତେବେ ସିଧା mygovindia ୱେବସାଇଟକୁ ଯାଇ ଆପଣ ଆପଣଙ୍କର ପ୍ରସ୍ତାବ ପଠାଇପାରିବେ। ସେହିପରି ଆପଣ ମଧ୍ୟ namo ଆପକୁ ଡାଉନଲୋଡ କରି ମଧ୍ୟ ପ୍ରସ୍ତାବ ପଠାଇପାରିବେ। ନଚେତ ଆପଣ ଆପଣଙ୍କର ମେସଜ ରେକର୍ଡ କରି PMonAIR କୁ ମଧ୍ୟ ପଠାଇପାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ ଥିବା ପ୍ରତିଭାମାନଙ୍କ ସଂପର୍କରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନିତ କରିଥାନ୍ତି। ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରନ୍ତି। ଯାହାର ଉଦ୍ଦେଶ୍ୟ ହେଲା ଯେ, ଏଥିରେ ଅନ୍ୟମାନେ ପ୍ରେରଣା ହାସଲ କରନ୍ତୁ। ସେଥିପାଇଁ ଆସନ୍ତା ଶେଷ ରବିବାରରେ ଏହି ମନ କି ବାତ୍ ଏହିପରି ଭିନ୍ନ ଧରଣର କରିବାକୁ ନିଷ୍ପତି କରାଯାଇ ପ୍ରସ୍ତାବ ଆହ୍ବାନ କରାଯାଇଛି।

Categories
ବିଶେଷ ଖବର ବ୍ୟବସାୟ

ଆରବିଆଇର ଦୁଇଟି ଅଭିନବ ଗ୍ରାହକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଦୁଇଟି ଯୋଜନା ହେଲା- ରିଟେଲ୍ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଲୋକପାଳ ଯୋଜନା। ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଥିଲେ। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏହି ସମାରୋହରେ ଉଦବୋଧନ ଦେଇ ମହାମାରୀ ସମୟରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଭଳି ସଂସ୍ଥାନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଅମୃତ ମହୋତ୍ସବର ଏହି ସମୟ, ଏକବିଂଶ ଶତାବ୍ଦୀର ଏ ଦଶନ୍ଧି ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ। ଏଭଳି ପରିସ୍ଥିତିରେ ଆରବିଆଇର ଭୂମିକା ସୁବୁଠୁ ମହତ୍ୱପୂର୍ଣ୍ଣ। ଆରବିଆଇର ସମ୍ପୂର୍ଣ୍ଣ ଟିମ୍ ଦେଶବାସୀଙ୍କ ଆଶାଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିବ ବୋଲି ମୋର ବିଶ୍ୱାସ ରହିଛି।”

ଆଜି ଶୁଭାରମ୍ଭ ହୋଇଥିବା ଦୁଇଟି ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାଗୁଡ଼ିକ ଦେଶରେ ନିବେଶର ପରିସର ବୃଦ୍ଧି କରିବ ଏବଂ ପୁଞ୍ଜି ବଜାରକୁ ନିବେଶକମାନଙ୍କ ପାଇଁ ଅଧିକ ସହଜ ଓ ନିରାପଦ କରିବ। ରିଟେଲ ଡାଇରେକ୍ଟ ଯୋଜନା ସରକାରୀ ସିକ୍ୟୁରିଟିଜ ବା ପ୍ରତିଭୂତିରେ ନିବେଶ ଲାଗି ଦେଶର ଛୋଟ ନିବେଶକମାନଙ୍କୁ ଏକ ସରଳ ଓ ସୁରକ୍ଷିତ ମାଧ୍ୟମ ଯୋଗାଇ ଦେବ । ଅନୁରୂପ ଭାବେ, ଆଜି ଶୁଭାରମ୍ଭ ହୋଇଥିବା ସମନ୍ୱିତ ଲୋକପାଳ ଯୋଜନା ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ରାଷ୍ଟ୍ର, ଏକ ଲୋକପାଳ ବ୍ୟବସ୍ଥାକୁ ସାକାର ରୂପ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏସବୁ ଯୋଜନାର ଗ୍ରାହକ କୈନ୍ଦ୍ରିକ ବୈଶିଷ୍ଟ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅଭିଯୋଗ ସମାଧାନ ବ୍ୟବସ୍ଥା ଏକ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ। ସମନ୍ୱିତ ଲୋକପାଳ ଯୋଜନା ଏହି ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଦୀର୍ଘଦିନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।

ଅନୁରୂପ ଭାବେ ରିଟେଲ ଡାଇରେକ୍ଟ ଯୋଜନା ଅର୍ଥବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରିବାର ପ୍ରୟାସକୁ ସୁଦୃଢ଼ କରିବ କାରଣ ଏହା ମଧ୍ୟବିତ୍ତ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ଓ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୟୁରିଟିଜରେ ପ୍ରତ୍ୟକ୍ଷ ଓ ନିରାପଦ ଭାବେ ସାମିଲ କରିବ । ସରକାରୀ ସିକ୍ୟୁରିଟିଜରେ ସେଟଲମେଣ୍ଟ ବା ସମାଧାନର ଗ୍ୟାରେଣ୍ଟି ଥିବାରୁ ଏହା ସମସ୍ତ କ୍ଷୁଦ୍ର ନିବେଶକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୭ ବର୍ଷ ମଧ୍ୟରେ, ପାରଦର୍ଶିତାର ସହ ଏନପିଏଗୁଡ଼ିକୁ ଚିହ୍ନଟ କରାଯାଉଛି, ସମାଧାନ ଓ ଅସୁଲି ଉପରେ ଗୁରୁତ୍ୱାରୋପ କରାଯାଉଛି, ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ କରାଯାଉଛି, ଆର୍ଥିକ ବ୍ୟବସ୍ଥା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଗୋଟିଏ ପରେ ଗୋଟିଏ ସଂସ୍କାର ଲାଗୁ କରାଯାଉଛି। ସେ ଆହୁରି କହିଥିଲେ, ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି, ସମବାୟ ବ୍ୟାଙ୍କଗୁଡ଼ିକୁ ଆରବିଆଇର ପରିଚାଳନା ଅଧୀନକୁ ଅଣାଯାଇଛି। ଏହି କାରଣରୁ ଏସବୁ ବ୍ୟାଙ୍କଗୁଡ଼ିକର ପ୍ରଶାସନରେ ସୁଧାର ଆସିଛି ଏବଂ ଜମାକାରୀମାନଙ୍କ ମଧ୍ୟରେ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ଆହୁରି ସୁଦୃଢ଼ ହେଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ଧରି, ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସଂସ୍କାର କାର‌୍ୟ୍ୟକାରୀ କରାଯାଇଛି। ଆର୍ଥିକ କ୍ଷେତ୍ରରେ ଅନ୍ତର୍ଭୂକ୍ତୀକରଣ ଠାରୁ ଆରମ୍ଭ କରି ପ୍ରଯୁକ୍ତିର ସମନ୍ୱୟକୁ କାର‌୍ୟ୍ୟକାରୀ କରାଯାଉଛି। କୋଭିଡ ସଙ୍କଟ କାଳରେ ଏଗୁଡ଼ିକର ସାମର୍ଥ୍ୟ ଆମେ ଦେଖିଛୁ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ନିକଟ ଅତୀତରେ ସରକାର ଗ୍ରହଣ କରିଥିବା ବଡ଼ ନିଷ୍ପତ୍ତିର ପ୍ରଭାବ ବୃଦ୍ଧି କରିବାରେ ବେଶ ସହାୟକ ହେଉଛି ବୋଲି ସେ କହିଥିଲେ।

୬-୭ ବର୍ଷ ପୂର୍ବରୁ, ବ୍ୟାଙ୍କସେବା, ପେନସନ ଓ ବୀମା କେବଳ ଭାରତର ନିର୍ଦ୍ଦିଷ୍ଟ ବର୍ଗଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ଏସବୁ ସେବାର ସୁବିଧା ଦେଶର ସାଧାରଣ ନାଗରିକ, ଗରିବ ପରିବାର, ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ-ବଞ୍ଚିତ-ପଛୁଆବର୍ଗ ଆଦିଙ୍କ ନିକଟରେ ପହଞ୍ଚି ପାରୁନଥିଲା। ପୂର୍ବ ବ୍ୟବସ୍ଥାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ସୁବିଧା ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବାର ଉତ୍ତରଦାୟିତ୍ୱ ଯେଉଁମାନଙ୍କ ପାଖରେ ଥିଲା ସେମାନେ କେବେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବରଂ, ପରିବର୍ତ୍ତନ ନଆସିବା ପାଇଁ ନାନା ବାହାନା କରୁଥିଲେ। ବ୍ୟାଙ୍କ ଶାଖା ନାହିଁ, କର୍ମଚାରୀ ନାହାନ୍ତି, ଇଣ୍ଟରନେଟ ନାହିଁ, ସଚେତନତା ନାହିଁ, ଉପାୟ ନାହିଁ ଆଦି ନାନା ଯୁକ୍ତି ଦର୍ଶାଯାଉଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁପିଆଇ କାର‌୍ୟ୍ୟକାରୀ ହେବା ଫଳରେ ଭାରତ ଖୁବ କମ ସମୟ ମଧ୍ୟରେ ଡିଜିଟାଲ କାରବାର କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ପାଲଟି ଯାଇଛି। ମାତ୍ର ୭ ବର୍ଷ ମଧ୍ୟରେ, ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି। ଆଜି ଆମର ବ୍ୟାଙ୍କ ସେବା ୨୪ ଘଣ୍ଟା, ୭ ଦିନ ଏବଂ ୧୨ ମାସ ଧରି ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ମିଳିପାରୁଛି ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ଦେଶର ନାଗରିକମାନଙ୍କର ଆବଶ୍ୟକତାକୁ କେନ୍ଦ୍ରରେ ରଖିବାକୁ ହେବ ଏବଂ ନିବେଶକମାନଙ୍କ ବିଶ୍ୱାସ ଦୃଢ଼ କରିବାକୁ ପଡ଼ିବ। ଏକ ସମ୍ବେଦନଶୀଳ ଏବଂ ନିବେଶ-ଅନୁକୂଳ ଲକ୍ଷ୍ୟସ୍ଥଳୀ ଭାବେ ଭାରତର ନୂତନ ପରିଚୟକୁ ସୁଦୃଢ଼ କରିବାରେ ଆରବିଆଇ ନିଜର ପ୍ରୟାସ ଜାରି ରଖିବ ବୋଲି ମୋର ବିଶ୍ୱାସ ରହିଛି ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାକୁ ନେଇ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କଣ କହିଲେ

ନୂଆଦିଲ୍ଲୀ: ଇଟାଲୀ ଏବଂ ଗ୍ଲାସଗୋ ଗସ୍ତରୁ ଫେରିବାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ 50 ପ୍ରତିଶତରୁ କମ ପ୍ରଥମ ଡୋଜ୍ ଟିକାକରଣ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି କରିପାରିନଥିବା ଜିଲ୍ଲାମାନଙ୍କୁ ସାମିଲ କରାଯାଇଥିଲା। କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ।

ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କମ ଟିକାକରଣର କାରଣ ଏବଂ ଏ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ବାଧାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ବିଭିନ୍ନ କାରଣ ଦର୍ଶାଇଥିଲେ, ଯେଉଁଥିରେ ଗୁଜବ କାରଣରୁ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ, କଠିନ ଅପହଞ୍ଚ ଇଲାକା, ବିଗତ କିଛି ମାସ ଧରି ଦେଖାଦେଇଥିବା ଖରାପ ପାଣିପାଗ ଆଦି ପ୍ରମୁଖ କାରଣ ଥିଲା। ଏସବୁ ଆହ୍ୱାନର ମୁକାବିଲା ଲାଗି ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସାର୍ବଜନୀନ ଟିକାକରଣ ପ୍ରସାରକୁ ତ୍ୱରାନ୍ୱିତ କରିବା ଲାଗି ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ଗୁଡ଼ିକ ବିଷୟରେ ଜିଲ୍ଲାପାଳମାନେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଏବଂ ସ୍ଥାନୀୟ କାରଣଗୁଡ଼ିକ ବିଷୟରେ ବିସ୍ତୃତ ଭାବେ କଥା ହୋଇଥିଲେ। ସେ ଏସବୁ ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକାରୀ କରାଯିବାକୁ ଥିବା ସମ୍ଭାବ୍ୟ ଉପାୟଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅଧିକରୁ ଅଧିକ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଲାଗି ଧାର୍ମିକ ଓ ଜନନେତାମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଟିକାକରଣ ପ୍ରସାର ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟମାନଙ୍କ ନିକଟରେ ଉପଲବ୍ଧ ଟିକା ଡୋଜ ସମ୍ପର୍କରେ ସେ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଟିକାକରଣ ପ୍ରସାର ବୃଦ୍ଧି କରିବା ଲାଗି ରାଜ୍ୟମାନଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ସେମାନେ ଏଥିପ୍ରତି ଧ୍ୟାନ ଦେବା କାରଣରୁ ଜିଲ୍ଲାମାନେ ଆହୁରି ପ୍ରତିବଦ୍ଧତା ସହିତ କାମ କରିବା ଲାଗି ଅନୁପ୍ରାଣିତ ହେବେ। ଶ୍ରୀ ମୋଦୀ କହିଥିଲେ ଯେ ଏହା ହେଉଛି ଶତାବ୍ଦୀର ସବୁଠୁ ବଡ଼ ମହାମାରୀ, ଦେଶ ଅନେକ ବିପତ୍ତିର ସମ୍ମୁଖିନ ହୋଇଛି। ସେ କହିଥିଲେ ଯେ, କରୋନା ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଗୋଟିଏ ବିଶେଷ କଥା ହେଉଛି ଆମେ ନୂଆ ସମାଧାନ ପାଇଛୁ ଏବଂ ଅଭିନବ ପଦ୍ଧତି ଆପଣାଇଛୁ। ସେ ପ୍ରଶାସକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସେମାନଙ୍କ ଜିଲ୍ଲାରେ ଟିକାକରଣ ବଢ଼ାଇବା ଲାଗି ନୂଆ ଅଭିନବ ଉପାୟ ସନ୍ଧାନ କରି ତା’ଉପରେ ସେମାନେ କାର୍ଯ୍ୟ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟ ଏପରି ସମସ୍ୟାର ସମ୍ମୁଖିନ ହୋଇଥିଲେ, ମାତ୍ର ସମର୍ପଣ ଏବଂ ଅଭିନବ ଉପାୟ ମାଧ୍ୟମରେ ସେମାନେ ନିଜ ଲକ୍ଷ୍ୟରେ ସଫଳ ହୋଇପାରିଛନ୍ତି। ସ୍ଥାନୀୟ ସ୍ତରରେ ରହିଥିବା ବ୍ୟବଧାନକୁ ଦୂର କରିବା ସହିତ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନର ଅଭିଜ୍ଞତାକୁ ଧ୍ୟାନରେ ରଖି, ସୂକ୍ଷ୍ମ ରଣନୀତି ବିକଶିତ କରାଯିବା ଆବଶ୍ୟକ ବୋଲି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ  କହିଥିଲେ। ଆବଶ୍ୟକତା କ୍ଷେତ୍ରରେ ଜିଲ୍ଲାରେ ଥିବା ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ସହର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ।

କ୍ଷେତ୍ର ଉପରେ ଆଧାର କରି 20-25 ଜଣ ଲୋକଙ୍କୁ ନେଇ ଏକ ଦଳ ଗଢ଼ିବା ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ବୋଲି ସେ ପରାମର୍ଶ ଦେଇଥିଲେ। ଦଳଗୁଡ଼ିକର ପ୍ରଦର୍ଶନରେ ଏକ ସୁସ୍ଥ ପ୍ରତିଯୋଗିତା ବିକଶିତ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲକ୍ଷ୍ୟ ହାସଲ ପାଇଁ କ୍ଷେତ୍ର ସ୍ତରୀୟ ସମୟସାରଣୀ ପ୍ରସ୍ତୁତ କରିବା ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆପଣଙ୍କ ଜିଲ୍ଲାକୁ ଜାତୀୟ ହାର ସହ ନିକଟତର କରିବାକୁ ହେଲେ ଆପଣମାନଙ୍କୁ ଶ୍ରେଷ୍ଠ ଯୋଗଦାନ ଦେବାକୁ ହେବ।”

ଟିକାକୁ ନେଇ ରହିଥିବା ଗୁଜବ ଏବଂ ଭ୍ରାନ୍ତ ଧାରଣା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସଚେତନତା ହିଁ ଏହାର ଏକମାତ୍ର ସମାଧାନ। ଧାର୍ମିକ ନେତାମାନଙ୍କ ଠାରୁ ଏ କ୍ଷେତ୍ରରେ ସହାୟତା ନେବା ଲାଗି ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଧାର୍ମିକ ନେତାମାନେ ଟିକାକରଣ ଅଭିଯାନ ସମ୍ପର୍କରେ ଅତ୍ୟନ୍ତ ଉତ୍ସାହୀ ଥାଆନ୍ତି। କିଛିଦିନ ପୂର୍ବରୁ ଭାଟିକାନ ସିଟିରେ ପରମପୂଜ୍ୟ ପୋପ୍ ଫ୍ରାନ୍ସିସଙ୍କ ସହ ତାଙ୍କ ସାକ୍ଷାତ ବିଷୟରେ ଶ୍ରୀ ମୋଦୀ ସ୍ମରଣ କରିଥିଲେ। ଟିକାକରଣ ସମ୍ପର୍କରେ ଧାର୍ମିକ ନେତାମାନଙ୍କର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଲାଗି ବିଶେଷ ଜୋର ଦେଇଥିଲେ।

ଲୋକମାନଙ୍କୁ ନିରାପଦ ଭାବେ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ଠାରୁ ଏବେ ଘରକୁ ଘର ଯାଇ ଟିକାକରଣ କରିବା ଲାଗି ରଣନୀତିରେ ପରିବର୍ତ୍ତନ ଆଣିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ‘ହର ଘର ଟିକା, ଘର ଘର ଟିକା’- ସମସ୍ତଙ୍କ ଘର ଦୁଆରେ ଟିକା ପହଞ୍ଚାଇବାର ଉତ୍ସାହ ନେଇ ପ୍ରତ୍ୟେକ ଘରକୁ ଘର ବୁଲିବା ଲାଗି ସେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ତ୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଞ୍ଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ। ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଞ୍ଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଞ୍ଚିବୁ।”

ପ୍ରତ୍ୟେକ ଘର ଦୁଆରେ ପହଞ୍ଚିବା ସମୟରେ ଦୁଇଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ଟିକାକରଣ ସମୟରେ ଦ୍ୱିତୀୟ ଡୋଜ୍ ସହିତ ପ୍ରଥମ ଡୋଜ୍ ଦିଆଯିବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କାରଣ ଯେତେବେଳେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥାଏ, ସେତେବେଳେ ଜରୁରି ପଦକ୍ଷେପ ଗ୍ରହଣ କରିବାର ଭାବନା ମଧ୍ୟ ହ୍ରାସ ପାଇଥାଏ। ଟିକା ନେବାର ଜରୁରି ଆବଶ୍ୟକତା ଲୋକମାନଙ୍କ ମନରୁ ଧିରେ ଧିରେ କମି ଯାଇଥାଏ। ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତୀୟ ଡୋଜ୍ ଟିକା ଗ୍ରହଣ କରିନଥିବା ଲୋକମାନଙ୍କ ସହିତ ଆପଣମାନଙ୍କୁ ଯୋଗାଯୋଗ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କାରଣ ଏହାକୁ ଅଣଦେଖା କରିବାର କୁପରିଣାମ ଆଜି ବିଶ୍ୱର ଅନେକ ରାଷ୍ଟ୍ର ଭୋଗୁଛନ୍ତି ବୋଲି ଶ୍ରୀ ମୋଦୀ ଚେତାଇ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ଗୋଟିଏ ଦିନରେ ରେକର୍ଡ ଅଢ଼େଇ କୋଟି ଟିକାକରଣ କରିଛି, ଏହା ଉପଲବ୍ଧି ଭାରତର ସାମର୍ଥ୍ୟକୁ ଦର୍ଶାଉଛି ବୋଲି ସେ କହିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାର ସହଯୋଗୀମାନଙ୍କ ଠାରୁ ଅଭିନବ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶିକ୍ଷାଲାଭ କରିବା ଲାଗି ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଆବଶ୍ୟକତା ଓ ପରିବେଶ ପାଇଁ ଅନୁକୂଳ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୨୦ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଏବଂ ଅନ୍ୟ ବିଶ୍ୱ ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ରୋମ: ଆଜି ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଅନ୍ୟ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ଟ୍ୱିଟ୍ କରିଥିବା ଫଟୋରେ ବିଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଥିବାର ଦେଖିବାକୁ ମିଳିଛି।

ପିଏମଓ ଏକ ଟୁଇଟ୍‌ରେ ଲେଖିଛି ଯେ, ରୋମରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ନେତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତ୍ରଗୁଡ଼ିକରେ ମୋଦୀ ବିଡେନଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି। ଯେଉଁଥିରେ ଦେଖାଯାଏ ସେମାନେ ହାଲୁକା କଥା ହେଉଛନ୍ତି। ଉଭୟ ନେତାଙ୍କୁ ଖୁସିର ମନୋଭାବରେ ଦେଖିବାକୁ ମିଳେ। ସେପ୍ଟେମ୍ବର ୨୪ ତାରିଖରେ ହ୍ୱାଇଟ ହାଉସରେ ବିଡେନ ମୋଦୀଙ୍କୁ ଭେଟିଥିଲେ, ଯାହା ତାଙ୍କର ପ୍ରଥମ ବ୍ୟକ୍ତିଗତ ବୈଠକ ଥିଲା। ଅନ୍ୟ ଚିତ୍ରରେ, ମାକ୍ରୋନ୍, ଟ୍ରୁଡୋ ଏବଂ ଜନସନଙ୍କ ସହ ମୋଦୀଙ୍କୁ ଦେଖିବାକୁ ମିଳେ। ଏହାପୂର୍ବରୁ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ମୋଦୀଙ୍କ ସମେତ ବିଶ୍ଵର ସମସ୍ତ ନେତା ଏକ ‘ଫାମିଲି ଫଟୋ’ ପାଇଁ ଏକାଠି ହୋଇଥିଲେ।

ଅନ୍ୟ ଏକ ଟୁଇଟ୍‌ରେ ପିଏମଓ କହିଛି ଯେ, ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ୱ ନେତାମାନେ ରୋମରେ ଏକାଠି ହୋଇଛନ୍ତି। ବିଶ୍ଵର ମଙ୍ଗଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷୀୟ ମଞ୍ଚ। “ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋମ ଗସ୍ତ ପୂର୍ବରୁ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ବିଶ୍ଵର ପ୍ରମୁଖ ଅର୍ଥନୀତି ସହ ଭାରତର ଯୋଗଦାନ ତଥା ବିଶ୍ଵର ଆର୍ଥିକ ଅଭିବୃଦ୍ଧି ପାଇଁ ନିୟମ ପ୍ରସ୍ତୁତ କରିବା ପାଇଁ ଜି-୨୦ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ସୃଷ୍ଟି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପୋପ୍ ଫ୍ରାନ୍ସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତ ଗସ୍ତ ପାଇଁ କଲେ ଆମନ୍ତ୍ରଣ

ଭାଟିକାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାଟିକାନରେ ପହଞ୍ଚି ପୋପ ଫ୍ରାନ୍ସିସଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କୋଭିଡ, ସାଧାରଣ ବିଶ୍ୱସ୍ତରୀୟ ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ସେ ବୈଠକରେ ପୋପ୍ ଫ୍ରାନ୍ସିସଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି।

ପୋପଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ସେଣ୍ଟ ପୋପ୍ ଫ୍ରାନାନ୍ସିସ୍ ସହିତ ବହୁତ ଭଲ ସାକ୍ଷାତ ହୋଇଛି। ତାଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସୁଯୋଗ ପାଇଲି ଏବଂ ତାଙ୍କୁ ଭାରତ ଗସ୍ତ କରିବାକୁ ମଧ୍ୟ ନିମନ୍ତ୍ରଣ କରିଲି। ମୋଦୀ ଏବଂ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ୍ ଫ୍ରାନ୍ସିସଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା।

ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଫ୍ରାନ୍ସିସ୍ ୨୦୧୩ ରେ ପୋପ୍ ହେବା ପରେ ଭେଟିଛନ୍ତି। ଭାଟିକାନରେ ମୋଦୀଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଭାଟିକାନ୍ ସହରର ବୈଦେଶିକ ମନ୍ତ୍ରୀ କାର୍ଡିନାଲ୍ ପିଟ୍ରୋ ପାରୋଲିନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଅଷ୍ଟାଦଶ ଭାରତ-ଆସିଆନ୍ ଶିଖର ସମ୍ମିଳନୀରେ ସହ-ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସିଆନ୍‌ର ବର୍ତ୍ତମାନର ଅଧ୍ୟକ୍ଷ ବ୍ରୁନେଇର ମହାମହିମ ସୁଲତାନ ହାଜୀ ହସନଅଲ ବୋଲକିୟାଙ୍କ ନିମନ୍ତ୍ରଣକ୍ରମେ ଅଷ୍ଟାଦଶ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏଥିରେ ଆସିଆନ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ।

ଭାରତ-ଆସିଆନ ଭାଗିଦାରୀର ୩୦ତମ ବର୍ଷ ପୂର୍ତ୍ତି ଭଳି ଉଲ୍ଲେଖନୀୟ ଉପଲବ୍ଧି ଉପରେ ଆଲୋକପାତ କରି ସମସ୍ତ ରାଷ୍ଟ୍ର ନେତାମାନେ ୨୦୨୨ ବର୍ଷକୁ ‘ଭାରତ-ଆସିଆନ ମୈତ୍ରୀ ବର୍ଷ’ ଭାବେ ପାଳନ କରିବା ନିମନ୍ତେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଭାରତର ‘ଆକ୍ଟ ଇଷ୍ଟ ନୀତି’ ଏବଂ ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗର ସଂକଳ୍ପ ଲାଗି ଭାରତର ପ୍ରତିବଦ୍ଧତାରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ରେଖାପାତ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଆସିଆନ ଆଉଟଲୁକ୍(ଏଓଆଇପି) ଏବଂ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ-ପ୍ରଶାନ୍ତ ମହାସାଗର ପ୍ରୟାସ (ଆଇପିଓଆଇ) ମଧ୍ୟରେ ସାମଞ୍ଜସ୍ୟର ସମ୍ପୂର୍ଣ୍ଣ ଭରସା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆସିଆନ ନେତାମାନେ ଏହି କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ସହଯୋଗ କ୍ଷେତ୍ରରେ ‘ଭାରତ-ଆସିଆନ ମିଳିତ ବକ୍ତବ୍ୟ’ ଅନୁମୋଦନ ଲାଭ କରିବାକୁ ସ୍ବାଗତ କରିଥିଲେ।

କୋଭିଡ-୧୯ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ମହାମାରୀ ମୁକାବିଲା ନିମନ୍ତେ ଭାରତର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏଥିସହିତ ଏ ଦିଗରେ ଆସିଆନ ପ୍ରୟାସ ନିମନ୍ତେ ଆବଶ୍ୟକ ସହଯୋଗ ଦେବା ବିଷୟରେ ଉଲ୍ଲେଖ କରିଥିଲେ। ଭାରତ ପକ୍ଷରୁ ମ୍ୟାଁମାରରେ ମାନବୀୟ ସହାୟତା ଲାଗି ୨ ଲକ୍ଷ ଆମେରିକୀୟ ଡଲାର ଏବଂ ଆସିଆନର କୋଭିଡ-୧୯ ମୁକାବିଲା ପାଣ୍ଠି ନିମନ୍ତେ ୧ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯାଇଛି।

ଏହି ରାଷ୍ଟ୍ର ନେତାମାନେ ଭୌତିକ, ଡିଜିଟାଲ ଏବଂ ସଦସ୍ୟ ରାଷ୍ଟ୍ରର ନାଗରିକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସହିତ ବ୍ୟାପକ ଭାବେ ଭାରତ-ଆସିଆନ ସମ୍ପର୍କ ବଢ଼ାଇବା ଉପରେ ନିଜ ନିଜର ବିଚାର ଆଦାନପ୍ରଦାନ କରିଥିଲେ। ଭାରତ-ଆସିଆନ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆସିଆନ ସାଂସ୍କୃତିକ ଐତିହ୍ୟ ସୂଚୀ ପ୍ରସ୍ତୁତ କରିବା ଲାଗି ଭାରତ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ବ୍ୟବସାୟ ଏବଂ ନିବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ ପରବର୍ତ୍ତୀ ଆର୍ଥିକ ସୁଧାର ସୁନିଶ୍ଚିତ କରିବା ନିମନ୍ତେ ଯୋଗାଣ ଶୃଙ୍ଖଳାର ବିବିଧକରଣ ଏବଂ ଦୃଢ଼ତା ଉପରେ ଜୋର ଦେଇଥିଲେ। ଏଥସହିତ ଏହି ସମ୍ପର୍କରେ ଭାରତ-ଆସିଆନ ଏଫଟିଏକୁ ଉନ୍ନତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଆସିଆନ ଦେଶର ନେତାମାନେ ବିଶେଷ କରି ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ ଟିକା ଯୋଗାଣ ଜରିଆରେ ଏହି କ୍ଷେତ୍ର‍ରେ ଏକ ବିଶ୍ବସନୀୟ ସହଭାଗୀ ରୂପରେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ରାଜନେତାମାନେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଆସିଆନର କେନ୍ଦ୍ରୀୟ ଭୂମିକା ପ୍ରତି ଭାରତ ପକ୍ଷରୁ ଆବଶ୍ୟକ ସମର୍ଥନ ଯୋଗାଇ ଦିଆଯିବାକୁ ମଧ୍ୟ ସ୍ବାଗତ କରିଥିଲେ। ଏଥିସହିତ ଏହି ସମସ୍ତ ରାଷ୍ଟ୍ରନେତାମାନେ ମିଳିତ ବକ୍ତବ୍ୟ ମାଧ୍ୟମରେ ଏହି କ୍ଷେତ୍ରରେ ଭାରତ-ଆସିଆନ ସହଯୋଗକୁ ଆହୁରି ବଢ଼ାଇବା ଲାଗି ଆଶା କରିଥିଲେ।

ଏହି ଆଲୋଚନାରେ ଦକ୍ଷିଣ ଚୀନ ସାଗର ଏବଂ ଆତଙ୍କବାଦ ସମେତ ସହଭାଗୀ ହିତ ଏବଂ ଗମ୍ଭୀର ଚିନ୍ତା ଭଳି କ୍ଷେତ୍ରୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ମଧ୍ୟ ସାମିଲ କରାଯାଇଥିଲା। ଉଭୟ ପକ୍ଷ ଏହି କ୍ଷେତ୍ରରେ ଏକ ନିୟମ ଆଧାରିତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାର ମହତ୍ବ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ତର୍ଜାତୀୟ ଆଇନ, ବିଶେଷ କରି ‘ୟୁଏନସିଏଲଓଏସ’ର ପାଳନ କରିବା ମଧ୍ୟ ସାମିଲ ରହିଛି। ଏହି ରାଜନେତାମାନେ ଦକ୍ଷିଣ ଚୀନ ସାଗରରେ ଶାନ୍ତି, ସ୍ଥିରତା, ସୁରକ୍ଷା ଏବଂ ନିରାପତ୍ତାକୁ ବଜାୟ ରଖିବା ସହିତ ନୌପରିବହନ ଏବଂ କୌଣସି ବିଶେଷ କ୍ଷେତ୍ର ଉପରେ ବିମାନ ଉଡ଼ାଣର ସ୍ବାଧୀନତା ସୁନିଶ୍ଚିତ କରିବା ପ୍ରତି ଜୋର ଦେଇଥିଲେ।

ଭାରତ ଏବଂ ଆସିଆନ ମଧ୍ୟରେ ବ୍ୟାପକ, ସୁଦୃଢ଼ ଏବଂ ବହୁପକ୍ଷୀୟ ସମ୍ପର୍କ ରହିଛି ଏବଂ ୧୮ତମ ଭାରତ-ଆସିଆନ ଶିଖର ସମ୍ମିଳନୀ ଏହି ସମ୍ପର୍କରେ ବିଭିନ୍ନ ଦିଗର ସମୀକ୍ଷା କରିବା ତଥା ସର୍ବୋଚ୍ଚ ସ୍ତରରେ ଭାରତ-ଆସିଆନ ସାମରିକ ଭାଗିଦାରୀର ଭବିଷ୍ୟତକୁ ନୂଆ ଦିଗ ଦେବାର ଅବସର ପ୍ରଦାନ କରିଛି।

Categories
ଆଜିର ଖବର

୧୬ତମ ପୂର୍ବ ଏସିଆ ସମ୍ମିଳନୀରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଧବାର ଦିନ ୧୬ତମ ପୂର୍ବ ଏସିଆ ସମ୍ମିଳନୀରେ ଭାଗ ନେଇଥିଲେ । ୧୬ ତମ ପୂର୍ବ ଏସିଆ ସମ୍ମିଳନୀ ଇଏଏସ୍‍ ଏବଂ ଆସିଆନ ଅଧ୍ୟକ୍ଷ ଭାବରେ ବ୍ରୁନେଇ ଦ୍ୱାରା ଆୟୋଜିତ ହୋଇଥିଲା ।

ଏଥିରେ ଆସିଆନ ଦେଶ ସମେତ ଇଏଏସ୍‍ର ସହଯୋଗୀ ରାଷ୍ଟ ଯଥା ଅଷ୍ଟ୍ରେଲିଆ, ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ଋଷିଆ, ଆମେରିକା ଏବଂ ଭାରତ ଆଦି ଦେଶର ନେତାଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଭାରତ ଇଏଏସ୍‍ର ସକ୍ରିୟ ଅଂଶଗ୍ରହଣକାରୀ । ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପୂର୍ବ ଏସିଆ ସମ୍ମିଳନୀ ।

ଶିଖର ସମ୍ମିଳନୀରେ ଦେଇଥିବା ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋ-ପାସିଫିକ୍‍ର ପ୍ରମୁଖ୍ୟ ନେତାଙ୍କ ନେତୃତ୍ୱାଧୀନ ଫୋରମ୍ ଭାବରେ ଇଏଏସ୍‍ର ଗୁରୁତ୍ୱକୁ ପୁନଃ ପ୍ରମାଣିତ କରିଛନ୍ତି । ଟିକା ଏବଂ ଚିକିତ୍ସା ସାମଗ୍ରୀ ଯୋଗାଣ ମାଧ୍ୟମରେ କୋଭିଡ -୧୯ ମହାମାରୀ ବିରୋଧରେ ଲଢିବା ପାଇଁ ଭାରତର ପ୍ରୟାସକୁ ପ୍ରଧାନମନ୍ତ୍ରୀ ଅଲୋକପାତ କରିଛନ୍ତି ।

ମହାମାରୀ ପରବର୍ତ୍ତୀ ପୁନରୁଦ୍ଧାର ତଥା ବିଶ୍ୱର ସ୍ଥିର ମୂଲ୍ୟ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ବିଷୟରେ ମଧ୍ୟ କହିଥିଲେ । ସ୍ଥାୟୀ ଜୀବନଶୈଳୀ ମଧ୍ୟରେ ଅର୍ଥନୀତି, ପରିବେଶ ଏବଂ ଜଳବାୟୁର ଏକ ଉତ୍ତମ ସନ୍ତୁଳନ ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

୧୬ ତମ ଇଏଏସ୍‍ରେ ଇଣ୍ଡୋ-ପାସିଫିକ, ଦକ୍ଷିଣ ଚୀନ୍ ସାଗର, ୟୁଏନ୍‍ସିଏଲ୍‍ଓଏସ୍‍, ଆତଙ୍କବାଦ ଏବଂ କୋରିଆ ଉପଦ୍ୱୀପ ଏବଂ ମିଆଁମାରର ପରିସ୍ଥିତି ସହିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀ ଇଣ୍ଡୋ-ପାସିଫିକ ଇଲାକାରେ ଆସିଆନ କେନ୍ଦ୍ରୀୟତାକୁ ପୁନଃ ପ୍ରମାଣିତ କରିଛନ୍ତି ଏବଂ ଆସିଆନ ଆଉଟଲୁକ୍‍ ଅଫ୍‍ ଇଣ୍ଡୋ-ପାସିଫିକ୍ (ଏଓଆଇପି) ଏବଂ ଇଣ୍ଡିଆଜ ଇଣ୍ଡୋ-ପାସିଫିକ ଓସିଏନ୍ସ ଇନିସିଏଟିଭ (ଆଇପିଓଆଇ) ମଧ୍ୟରେ ଥିବା ସମନ୍ୱୟ ଉପରେ ଆଲୋକପାତ କରିଛନ୍ତି ।

ଇଏଏସ୍‍ ନେତାମାନେ ମାନସିକ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ମାଧ୍ୟମରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ନିରନ୍ତର ପୁନରୁଦ୍ଧାର ଉପରେ ତିନୋଟି ବିବୃତ୍ତି ଗ୍ରହଣ କରିଛନ୍ତି, ଯାହା ଭାରତ ଦ୍ୱାରା ପ୍ରାୟୋଜିତ ହୋଇଛି । ମୋଟ ଉପରେ, ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଇଏଏସ୍‍ ନେତାଙ୍କ ମଧ୍ୟରେ ଫଳପ୍ରଦ ମତ ବିନିମୟ ହୋଇଛି ।