Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବାତ୍ୟାର ପ୍ରଭାବ, ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରୀ

ଭୁବନେଶ୍ବର: ଆଜି ରାଜଧାନୀରେ ବାତ୍ୟା ମିଗଜୋମର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ସକାଳୁ ପାଗ ମେଘୁଆ ରହିବା ପରେ ବର୍ଷା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ରାଜଧାନୀର ସମସ୍ତ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି।

ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ ରଖି ଭୁବନେଶ୍ବର ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଆଗାମୀ ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ୟେଲୋ ଚେତବନୀ ଜାରି କରାଯାଇଛି।

ସେପଟେ ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone News: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ମିଗଜୋମ, ଦୁଇ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର: ବର୍ତ୍ତମାନ ଭୀଷଣ ବାତ୍ୟା ମିଗଜୋମ ସ୍ଥଳଭାଗ ଅତିକ୍ରମ କରିଛି। ଆନ୍ଧ୍ର ପ୍ରଦେଶର ବାପଟଲା ସମୁଦ୍ରକୂଳରେ ଏହି ବାତ୍ୟା ଅତିକ୍ରମ କରିଛି। ଏହା ଫଳରେ ପବନର ବେଗ ୯୦ ରୁ ୧୦୦ କିମି ଝଟକା ପବନ ୧୧୦ କିମି ବେଗରେ ପ୍ରବାହିତ ହେଉଛି ବୋଲି ପାଣିପାଗ ବିଭାଗ କହିଛି।

ଏହାଦ୍ବାରା ଦୁଇ ରାଜ୍ୟ ଆନ୍ଧ୍ର ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ଲାଗିରହିଛି। ପୂର୍ବରୁ ବାପଟଲାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଥିଲା। ଫଳରେ ସେଠାରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ତାମିଲନାଡୁରେ ସର୍ବାଧିକ ବର୍ଷା ହୋଇଥିବାର ଜଣାପଡିଛି। କେତେକ ସ୍ଥାନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଲୋକଙ୍କ ଘରେ ପାଣି ପଶିଯାଇଥିବାର ଜଣାପଡିଛି। ଏନଡିଆରଏଫ ଟିମ ସେଠାରେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ସେହିପରି ଆନ୍ଧ୍ରରେ ମଧ୍ୟ କ୍ଷତିଗସ୍ତ ସ୍ଥାନରେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Photo- NDRF

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone News: ଶେଷରେ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେଲା ‘ମିଗଜୋମ’

ଭୁବନେଶ୍ବର: ଶେଷରେ ବାତ୍ୟାରୁ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେଲା ‘ମିଗଜୋମ’। ଏ ନେଇ ଆଜି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ସ୍ଥଳଭାଗ ସ୍ପର୍ଶ କରିବ। ଏହି ସମୟରେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗ ରହିବାର ସମ୍ଭାବନା ରହିଛି।

ଗତକାଲି ରାତି ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ମିଗଜୋମ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ଆଠ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ବର୍ତ୍ତମାନ ଚେନ୍ନାଇରୁ ୯୦ କିଲୋମିଟର ଦୂରରେ ରହିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

Cyclone Update: ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଆସୁଛି ବାତ୍ୟା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ ବର୍ତ୍ତମାନ ଧିରେ ଧିରେ ବଳିଷ୍ଠ ହେବାରେ ଲାଗିଛି। ଆସନ୍ତାକାଲି ଏହି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ପାଣିପାଗ ବିଭାଗ ଅନୁସାରେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା ରହିଛି।

ଗତକାଲି ରାତି ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ମିଗଜୋମ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଅଗ୍ରସର ହେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା ମିଚାଓଙ୍ଗ୍ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ

ଭୁବନେଶ୍ଵର: ପୂର୍ବତଟ ରେଳପଥ ବାତ୍ୟା ସାଇକ୍ଲୋଥନ୍ ମିଚାଓଙ୍ଗ୍ ଏବଂ ଏହାର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଭୂମି କାର୍ଯ୍ୟ ରକ୍ଷଣାବେକ୍ଷଣର ପ୍ରସ୍ତୁତି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନାର ଅଭିଜ୍ଞତାର ସୁଯୋଗ ନେଇ ପୂର୍ବତଟ ରେଳପଥ ମଧ୍ୟରେ ଯଦି ବାତ୍ୟା ମିଚାଓଙ୍ଗ୍ ଦ୍ୱାରା ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ହୁଏ ତେବେ ତାହାର ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି।  ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ସହିତ ରେଳ ମଣ୍ଡଳ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ଠାରେ 24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି।

ସମ୍ବେଦନଶୀଳ ସ୍ଥାନଗୁଡିକର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଇତ୍ୟାଦି ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟସମ୍ପାଦନ କରିବାକୁ କହିଛନ୍ତି।

ହେଲ୍ପଲାଇନ ନମ୍ବର:

ଭୁବନେଶ୍ୱର: 0674 – 2301525, 2301626, 2303060,

ଟ୍ରେନ୍ ବାତିଲ୍:

ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲିର ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…

01. 17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ 03.12.2023 ରେ

02. 17481 ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁରରୁ 05.12.2023 ରେ

03. 17480 ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତିରୁ 04.12.2023 ରେ

04. 17479 ପୁରୀ – ତିରୁପତି ଏକ୍ସପ୍ରେସ ପୁରୀରୁ 06.12.2023 ରେ

05. 12509 ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁରୁ 6 ଏବଂ 7 ଡିସେମ୍ବର, 2023 ରେ

06. 18190 ଏର୍ଣ୍ଣାକୁଲମ -ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ ଠାରୁ 06.12.2023 ରେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ରେ ବାତ୍ୟା ‘ମିଗଜୋମ’, ୫ ତାରିଖରେ ଭୀଷଣ ବାତ୍ୟା

ଭୁବନେଶ୍ବର: ଆଜି ଅପରାହ୍ନ ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା “MICHAUNG” ( ମିଗଜୋମ ଭାବରେ ଉଚ୍ଚାରଣ) ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଅଗ୍ରସର ହେଉଛି।

ଏହା ସମାନ ଅଞ୍ଚଳରେ ୧୨ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ , ପୁଡୁଚେରୀର ପ୍ରାୟ ୨୫୦ କିଲୋମିଟର ପୂର୍ବ, ଚେନ୍ନାଇର ୨୩୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୫୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୪୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ ଠାରୁ ୪୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି।

ଏହା ପରବର୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା ରହିଛି।

ଏହା ପରେ ଉତ୍ତର ଦିଗରେ ଗତିକରିବା ସହ,ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତିକରି, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ତଥା ଅଦିନିଆ ବର୍ଷା ଆଶଙ୍କା ଦୃଷ୍ଟିରୁ କୃଷି ବିଭାଗର ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ,ରାୟଗଡ଼ା,ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି ।

ଏହି ପରିପେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିର୍ଦ୍ଦେଶକ, ଭାରତୀୟ ପାଣିପାଗ ବିଭାଗ, ଯୁଗ୍ମ ନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ଶିକ୍ଷା, ଓୟୁଏଟି ଏବଂ ସମ୍ପୃକ୍ତ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ବର୍ତ୍ତମାନ ଫସଲର ବିଶେଷ କରି ଧାନ, ମାଣ୍ଡିଆ, କପା, ଆଳୁ ଏବଂ ଅନ୍ୟାନ୍ୟ ପନିପରିବାର ଅବସ୍ଥା ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଚାଷୀମାନଙ୍କ ପାଇଁ ଫସଲ ସୁରକ୍ଷା ବାର୍ତ୍ତା ପ୍ରସ୍ତୁତ କରାଯାଇଥିଲା। ଉକ୍ତ ପରାମର୍ଶ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ ନିମନ୍ତେ ପଠାଯାଇଅଛି। ବିଶେଷକରି ଉକ୍ତ ପରାମର୍ଶରେ ଅମଳ ଉପଯୋଗୀ ଧାନ, ମାଣ୍ଡିଆ ଓ କପା ଆଦି ଫସଲକୁ ଅମଳ କରି ଯଥାସମ୍ଭବ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ପାଇଁ ଅନୁରୋଧ କରାଯାଇଅଛି।

ଏହି ପରାମର୍ଶ କୃଷି ବିଭାଗର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଇଛି ଏବଂ ‘ଆମ କୃଷି’ର ପଞ୍ଜିକୃତ ଚାଷୀମାନଙ୍କୁ ଆଇ.ଭି.ଆର୍‌.ଏସ୍‌. ବାର୍ତ୍ତା ପ୍ରେରିତ କରାଯାଇଅଛି।
ଏତଦ୍‌ବ୍ୟତୀତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ସତର୍କ ରହିବା ପାଇଁ କୁହାଯାଇଛି ଏବଂ ୨ରୁ ୬ ତାରିଖ ପର୍ଯ୍ୟନ୍ତ କୌଣସି ଛୁଟି ନ ନେବା ପାଇଁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଜିଲ୍ଲାମାନଙ୍କରେ “ମାଇକ୍‌’’ ଜରିଆରେ ଉକ୍ତ ବାର୍ତ୍ତା ପ୍ରଚାର କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

Big News: ବଙ୍ଗୋପସାଗରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା

ଭୁବନେଶ୍ବର: ଶେଷରେ ଅନୁମାନ ସତ ହେଲା। ବଙ୍ଗୋପସାଗରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା ସୃଷ୍ଟି ହୋଇଛି। କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶେଷର ଗଭୀର ଅବପାତରେ ପରିଣତ ହୋଇଛି। ଏଥିସହିତ ଏହା ଧିରେଧିରେ ବଳିଷ୍ଠ ହେବାରେ ମଧ୍ୟ ଲାଗିଛି। ଯାହା ବାତ୍ୟା ସୃଷ୍ଟିର ସଙ୍କେତ ପ୍ରଦାନ କରିଛି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା କାଲି ୩ ତାରିଖରୁ ୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ୫ ରୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଏପରିକି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ବନ୍ଦର ଗୁଡିକ ପାଇଁ ବିପଦ ସଂକେତ-୧ ଜାରି

ଭୁବନେଶ୍ବର: ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଘରୋଇ ବିଶେଷଜ୍ଞ ଅନୁମାନ କରିଛନ୍ତି। ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେଧିରେ ଅବପାତରେ ପରିଣତ ହୋଇଛି। ଏହା ପରବର୍ତ୍ତି ସମୟରେ ସକ୍ରିୟ ଅବପାତକୁ ପରିଣତ ହୋଇଛି। ଏ ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

ଆସନ୍ତାକାଲି ଶନିବାରରେ ପାଗ ମେଘୁଆ ରହିବା ସହିତ ଝିପିଝିପ ବର୍ଷା ସମ୍ଭାବନା ରହିଛି। ସେହିପରି 3 ଓ 4 ତାରିଖ ବେଳକୁ ଏହା ଅଧିକ ଅନୁଭୂତ ହେବ। 4 ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରାଯାଇଛି।

ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ-୧ ଜାରି କରାଯାଇଛି। ୪ ତାରିଖ ସନ୍ଧ୍ୟା ରୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’, ଓଡିଶାର କଣ ରହିବ ପ୍ରଭାବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶେଷରେ ବାତ୍ୟାରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହି ଅନୁସାରେ ବାତ୍ୟା ବଙ୍ଗୋପସାଗରର ଉତ୍ତର ପୂର୍ବ ଦିଗକୁ ଘଣ୍ଟା ପ୍ରତି 20 କିଲୋମିଟର ବେଗରେ ଗତି କରୁଛି।

ଏହି ବାତ୍ୟାର ନାମ ମିଧିଲି ରଖାଯାଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ମିଧିଲି ବର୍ତ୍ତମାନ ପାରାଦ୍ବୀପଠାରୁ 250 କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଏହା 180 କିଲୋମିଟର ଦୂରରେ ରହିଛି। ଏହି ବାତ୍ୟା ବର୍ତ୍ତମାନ ବାଙ୍ଗାଲଦେଶ ଆଡକୁ ମୁହାଁଉଛି। ଫଳରେ ଓଡିଶା ପ୍ରତି କୌଣସି ବିପଦ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone News: ଆଗାମୀ ୬ ଘଣ୍ଟାରେ ବଙ୍ଗୋପସାଗରରେ ବାତ୍ୟା, ଜାରୀ ହେଲା ସତର୍କ ସୂଚନା

ଭୁବନେଶ୍ବର: ଅକ୍ଟୋବରରେ ବାତ୍ୟା ନେଇ ସୂଚନା ପ୍ରଦାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ବିଭାଗ ଅନୁସାରେ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି।

ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ବେଗ ୧୩ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି ଗଭୀର ଅବପାତ, ଏହା ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି।

ବାତ୍ୟା ଆଶଙ୍କା ନେଇ ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଂକେତ ୩- ଜାରି କରାଯାଇଛି। ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲଘୁଚାପ ହେବ ବୋଲି କହିଲା ପାଣିପାଗ ବିଭାଗ, ବାତ୍ୟା ହେବାର ରହିଛି ସମ୍ଭାବନା

ଭୁବନେଶ୍ବର: ଅକ୍ଟୋବରରେ ଏକ ବାତ୍ୟା ହେବ ବୋଲି ବିଦେଶୀ ପାଣିପାଗ ସଂସ୍ଥା ଯେଉଁ ଆକଳନ କରିଥିଲେ ତାହା ସତ ହେବ ବୋଲି ଅନୁମାନ କରାଯାଉଛି। କାରଣ  ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ ବୋଲି ବିଭାଗ କହିଛି।

ତେବେ ଏହା ପରବର୍ତ୍ତି ସମୟରେ ବାତ୍ୟା ହେବ କି ନାହିଁ ତାହା ପାଣିପାଗ ବିଭାଗ କହି ନାହିଁ। ପୂର୍ବରୁ ବିଦେଶୀ ସଂସ୍ଥା ବଙ୍ଗୋପସାଗରରେ ବାତ୍ୟା ସୂଚନାକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ ମଧ୍ୟ କରିଛି। ହେଲେ ବର୍ତ୍ତମାନ ଯାହା ସ୍ଥିତି ଜଣାପଡିଛି ପରବର୍ତ୍ତି ସମୟରେ ଏହି ଲଘୁଚାପ ବାତ୍ୟାକୁ ସୃଷ୍ଟି ହେବ ବୋଲି ସମ୍ଭାବନାକୁ ଏଡାଇ ହେବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ନ୍ୟୁଜ ଷ୍ଟୁଡିଓରେ ‘ବିପର୍ଯ୍ୟୟ’, ସାମ୍ବାଦିକତାର ଅଧପତନର ଅନ୍ୟ ନାମ ଅର୍ଣ୍ଣବ ଗୋସ୍ବାମୀ

ଶରତ ପାଇକରାୟ

ବର୍ତ୍ତମାନ ସାମ୍ବାଦିକତାର ମୂଲ୍ୟବୋଧ କେଉଁ ସ୍ତରକୁ ଗଲାଣି ତାହା କଳ୍ପନା କରିବା ସମ୍ଭବ ହେଉ ନାହିଁ। ଯେଉଁମାନଙ୍କୁ ନୂଆ ପିଢୀର ସାମ୍ବାଦିକ ଆଦର୍ଶ ବୋଲି ଭାବୁଛନ୍ତି ସେମାନେ ସାମ୍ବାଦିକତାର ସବୁ ନିୟମ ଭାଙ୍ଗୁଛନ୍ତି। ସେମାନେ ନ୍ୟୁଜ ଷ୍ଟୁଡିଓକୁ ଯାତ୍ରା ପେଣ୍ଡାଲ ଭାବେ ପରିଣତ କରିସାରିଲେଣି। ଫଳରେ ସାଧାରଣ ଲୋକେ ସେମାନଙ୍କ ସାମ୍ବାଦିକତାଠାରୁ  ନିଜକୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି।

ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ବେଶ ସମାଲୋଚନା କରାଯାଉଛି। ତାହା ସହିତ ଅଜସ୍ର ଗାଳି। ଭିଡିଓଟି ହେଉଛି ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ବିପର୍ଯ୍ୟୟ ବାତ୍ୟା ଆଙ୍କରିଂ। ସେଥିରେ ଆଙ୍କର ଶ୍ବେତା ତ୍ରିପାଠୀ କ୍ରୋମା ଷ୍ଟୁଡିଓରେ ହାତରେ ଛତା ଧରି ଷ୍ଟୁଡିଓ ଭିତରେ ଦୋହଲି ଦୋହଲି ଖବର ପରିବେଷଣ କରୁଛନ୍ତି।

ସେଠାରେ ସେ ଏପରି ଅଭିନୟ କରୁଛନ୍ତି ଯେ , ଲୋକେ ଭାବିବେ ଯେ, ପବନ ତାଙ୍କୁ ଉଡେଇ ନେଉଛି ନିଜକୁ ସମ୍ବାଳି ସେ ଆଙ୍କରିଂ କରୁଛନ୍ତି। ଆଜିକାଲି ଯୁଗରେ ଏପରି କାର୍ଯ୍ୟକୁ ସାଧାରଣ ଲୋକେ ଜାଣି ସାରିଲେଣି। ଏପରିକି କ୍ରୋମା ସେଟ୍ କଣ ତାହା ମଧ୍ୟ ଲୋକେ ଅବଗତ ହୋଇସାରିଲେଣି। ଏପରି କ୍ଷେତ୍ରରେ ଶ୍ବେତା ଷ୍ଟୁଡିଓ ଭିତରେ ଏମିିତି ଅଭିନୟ କରି ଖବର ପରିବେଷଣ କରିବାର ଉଦ୍ଦେଶ୍ୟ କଣ ତାହା ବୁଝି ହେଉ ନାହିଁ।

ଏଠାରେ ଅବଶ୍ୟ ଶ୍ବେତାଙ୍କୁ ଭୁଲ ଦେଇ ହେବ ନାହିଁ। କାରଣ ନ୍ୟୁଜ ଷ୍ଟୁଡିଓରେ କିପରି ଖବର ପରିବେଷଣ କରାଯିବ ତାହା ସେହି ବୁଲେଟିନର ପ୍ରଯୋଜକ ନିଷ୍ପତି କରିଥାଏ। ହେଲେ ଏଠାରେ ଯେପରି ନ୍ୟୁଜ ପରିବେଷଣ ହେଲା ତାହା ପ୍ରଯୋଜକଙ୍କର ଇଚ୍ଛାରେ କେବେ ହୋଇ ନ ଥିବ। ନିଶ୍ଚିତ ଭାବେ ମୁଖ୍ୟ ସଂପାଦକ ବା ଏଡିଟର ଇନ ଚିଫ୍ ଙ୍କ ନିର୍ଦ୍ଦେଶ ରହିଥିବ। ଆଉ ସେ ହେଉଛନ୍ତି ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ।

କେବଳ ଏହି ଗୋଟିଏ ଘଟଣା ନୁହେଁ ଏପରି ଅନେକ ଉଦାହରଣ ରହିଛି ଯାହା ରିପବ୍ଲିକ ଟିଭି ନିୟମ ଉର୍ଦ୍ଧରେ ରହି କାମ କରୁଛି। ପୂର୍ବରୁ ୟୁକ୍ରେନ ଋଷ ଯୁଦ୍ଧ ଘଟଣା ଖବର ନାଟକୀୟ ଢଙ୍ଗରେ ପରିବେଷଣ କରି ଚର୍ଚ୍ଚାକୁ ଆସିଥିଲେ। ଯାତ୍ରା ଅଭିନୟ ପରି ନାଚିନାଚି ୟୁକ୍ରେନରେ ଆଙ୍କର ଖବର ପରିବେଷଣ କରୁଥିଲେ। ସେତେବେଳେ ତାହା ମଧ୍ୟ ଏହି ଚ୍ୟାନେଲ ପ୍ରବଳ ସମାଲୋଚନାର ଶିକାର ହୋଇଥିଲା।

ଆମ ଓଡିଆରେ ଏକ ଢଗ ଅଛି, ଦେଉଳ ତୋଳିଲେ ନା କରିବ, ବାଟରେ ହଗିଲେ ମଧ୍ୟ ନା କରିବ। ଏଥିରୁ ସ୍ପଷ୍ଟ ଯେ, ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ କେବଳ ବାଟରେ ହଗି ନାଁ କମାଇବା ପାଇଁ ବ୍ୟଗ୍ର। ଆଗକୁ ନିର୍ବାଚନ ଆସୁଛି, ନିଜ ଚ୍ୟାନେଲର ଟିଆରପି ଖସିବାରେ ଲାଗିଛି, ଏପରି କ୍ଷେତ୍ରରେ ସେ ବାଟ ହଗା କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅପଚେଷ୍ଠା କରିବାରେ ଲାଗିଛନ୍ତି। (ଫଟୋ ସୌଜନ୍ୟ-ରିପବ୍ଲିକ ଭାରତ)

Categories
Cyclone ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

Cyclone Update: ସୃଷ୍ଟି ହେଲା ବାତ୍ୟା, ଆଜି ରାତିରେ ଭୀଷଣ ବାତ୍ୟା, କାଲି ଅତିଭୀଷଣ

ଭୁବନେଶ୍ବର: ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟାମୋକା“। ଏହା ଆଜି ମଧ୍ୟ-ରାତ୍ର ସୁଦ୍ଧା ଭୀଷଣବାତ୍ୟା ଏବଂ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଅତିଭୀଷଣ ବାତ୍ୟା ର ରୂପ ନେବା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଏହି ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ ବୋଲି ପୂର୍ବରୁ କୁହାଯାଇଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରି ବାତ୍ୟାର ରୂପ ନେଇଛି। ଏହି ସମୟରେ ଘଣ୍ଟାକୁ ଆଠ କିଲୋମିଟର ବେଗରେ ପ୍ରବାହିତ ହେଉଥିଲା। ଏହା ବର୍ତ୍ତମାନ ପୋର୍ଟ ବ୍ଲେୟାରର ପ୍ରାୟ 510 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ବାଂଲାଦେଶର କକ୍ସ ବଜାର ଠାରୁ 1210 କିଲୋମିଟର ଏବଂ ମିଆଁମାର ଠାରୁ 1120 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସିଲା ଫଟୋ

ଭୁବନେଶ୍ବର: ଯାହା ପୂର୍ବାନୁମାନ କରାଯାଉଥିଲା ତାହା ବର୍ତ୍ତମାନ ସତ ହେଉଛି। ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ କହିଥିଲା। ସେହି ଅନୁସାରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯିବା ସହିତ ତାହାର ସ୍ଥିତିର ଫଟୋ ଜାରୀ କରାଯାଇଛି।

ତେବେ ଆଜି ଲଘୁଚାପ ସୃଷ୍ଟି ହେବା ପରେ ଏହା ଧିରେଧିରେ ଶକ୍ତିଶାଳି ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିଥିଲା। ସେହି ଅନୁସାରେ ଏହି ଶକ୍ତିଶାଳି ହେବ ବୋଲି ଜଣାପଡିଛି ଏବଂ ପରବର୍ତ୍ତି ସମୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।

ପୂର୍ବରୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣବଳୟ। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ସେହି ଘୂର୍ଣିବଳୟ ଆଜି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଥିଲା ଯାହା ଲଘୁଚାପ ଭାବେ ସୃଷ୍ଟି ହୋଇଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Update: ଆଜି ସୃଷ୍ଟି ହେବ ଲଘୁଚାପ, ବାତ୍ୟା ଆଶଙ୍କା ହେଉଛି ଦୃଢିଭୂତ

ଭୁବନେଶ୍ୱର:  ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଧିରେଧିରେ ଶକ୍ତିଶାଳି ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଘୂର୍ଣିବଳୟ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି।

ଆଜି ଏହା ଲଘୁଚାପ ହେବାପରେ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ସୃଷ୍ଟି ହେଲେ ଉତ୍ତର ମୁହାଁ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ହେବା ନେଇ ବଢିଲା ଆଶଙ୍କା, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ବର: ପାଣିପାଗ ବିଭାଗ ତରଫରୁ ପୂର୍ବରୁ ଯେଉଁ ଅନୁମାନ କରାଯାଉଥିଲା ତାହା ସତ ହେବାକୁ ଯାଉଛି। ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣବଳୟ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି ଯେ, ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ ଆସନ୍ତା ଆଠ ତାରିଖରେ ଲଘୁଚାପ ସୃଷ୍ଟି ହେବ।

ଏହି ଲଘୁଚାପ ଶକ୍ତିଶାଳୀ ହେଲେ ତାହା ଅବପାତ ରୂପ ନେବ ବୋଲି କୁହାଯାଇଛି। ସେତେବେଳେ ଏହା ବାତ୍ୟା ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହେବ। ତେବେ ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏପରିକି ୬୦ କିଲୋମିଟର ପର୍ଯ୍ୟନ୍ତ ପବନ ପ୍ରବାହିତ ହେବ ବୋଲି ଅନୁମାନ କରାଯାଇଛି।

ତେବେ ବିଶ୍ବର ବିଭିନ୍ନ ପାଣିପାଗ ବିଭାଗ ସୁତ୍ର ଅନୁସାରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହି ବାତ୍ୟା ୯ ତାରିଖରେ ସମୁଦ୍ର ଗର୍ଭରେ ଆରମ୍ଭ ହୋଇ ସ୍ଥଳଭାଗ ଆଡକୁ ଗତି କରିବ। ତେବେ ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟା ପରେ ଏହା ବଙ୍ଗଳାଦେଶ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

Categories
Cyclone ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗ୍ରୀଷ୍ଣ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବଙ୍ଗପୋସାଗରରେ ମେ ମାସ ରେ ବାତ୍ୟାର ଆସି ଥାଏ। ଗତ ତିନି ବର୍ଷ ମଧ୍ୟରେ ଓଡିଶା ମଧ୍ୟ ମେ ମାସ ବାତ୍ୟା ର ସମ୍ମୁଖିନ ହୋଇଛି। ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଗ୍ରୀଷ୍ମ ଋତୁ ର ବାତ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ। ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି ପ୍ରଶାସନ ସବୁବେଳେ ପ୍ରସ୍ତୁତ ରହିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା। ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡିବ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଥିଲେ।

ସବୁ ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ। ସେହିପରି ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ସବୁ ବାତ୍ୟା ମଧ୍ୟରେ ଗ୍ରୀଷ୍ମ ଋତୁର ବାତ୍ୟାର ପ୍ରଭାବ ବହୁତ ବେଶି ହୋଇଥାଏ। ଗତ କିଛି ବର୍ଷ ଧରି ଆମେ ରାଜ୍ୟରେ ଜିରୋ କାଜୁଆଲ୍‌ଟି ନୀତି ଅବଲମ୍ବନ କରି ସଫଳତା ପାଇଛୁ ।

ଏ କ୍ଷେତ୍ରରେ ମଧ୍ୟ ଆମର ନିୟମିତ ସମୀକ୍ଷା ଜାରି ରହିଛି ଏବଂ ସବୁ ସଂପୃକ୍ତ ବିଭାଗ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ। ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍‌ ପ୍ରସ୍ତୁତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଛି।I ୧୭ଟି NDRF ଓ ୨୦ଟି ODRAF ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂସଲ, ଉନ୍ନୟନ କମିଶନର (ଜଳସଂପଦ) ଶ୍ରୀମତୀ ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ ଶ୍ରୀ ସଂଜୟ ସିଂ, କୃଷି ବିଭାଗ ସଚିବ ଶ୍ରୀ ଅରବିନ୍ଦ ପାଢୀ ପ୍ରମୁଖ ନିଜ ନିଜ ବିଭାଗର ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ଆଶ୍ରୟସ୍ଥଳ ସ୍ଥିତି ସଂପର୍କରେ ଜଣାଇବାକୁ କାହିଁକି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ୨୦୧୯ ମସିହାରେ ମେ ମାସରେ ଓଡିଶାରେ ଗ୍ରୀଷ୍ମକାଳୀନ ବାତ୍ୟା “ଫନୀ” ସଂଘଠିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଋତୁ ପାଇଁ ଏବଂ ଆଗକୁ ମୌସୁମୀ ଋତୁକୁ ଆଖି ଆଗରେ ରଖି ଆଗକୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଆଭାସି ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭାଗମାନକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ କେତେ ଟାଓ୍ୱାର ଆଲୋକ କାର୍ଯ୍ୟକ୍ଷମ ରହିଛି ତାହାର ତାଲିକା ପ୍ରସ୍ତୁତି, ଅଚଳ ଥିବା ଟାଓ୍ୱାର ଆଲୋକକୁ ଅପସାରଣ କରି ନୂତନ ଆଲୋକ ଲଗାଯିବା, ଏବି ବିଭିନ୍ନ ସ୍ଥାନରେ ଥିବା ଯନ୍ତ୍ରପାତି ଓ ଆନୁଷଙ୍ଗିକ ଉପକରଣର ମହଜୁଦ ସଂପର୍କରେ ୩ ଦିନ ମଧ୍ୟରେ ଦାଖଲ କରିବା ଉପରେ ସେ ସମନ୍ୱୟ ପାଇଁ ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗାମୀ ଜୁନ୍ ୧୯ରେ ବିପର‌୍ୟ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ସବୁ ଜିଲ୍ଲାରେ ମକ୍ ଡ୍ରିଲ୍ ହେବ। କେବଳ ପୁରୀରେ ଜୁନ୍ ୨୦ ରେ ରଥ ଯାତ୍ରା ପଡୁଥିବାରୁ ଏହାର ପ୍ରସ୍ତୁତି ଯୋଗୁଁ ଏହି ଜିଲ୍ଲାରେ ଜୁନ୍ ୧୯ ରେ ମକ୍ ଡ୍ରିଲ୍ ନ ହୋଇ ପରବର୍ତ୍ତୀ ସମୟରେ ଏହା ଅନୁଷ୍ଠିତ ହେବ। ବାତ୍ୟା ମୁକାବିଲା ପରିପ୍ରେକ୍ଷୀରେ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ପରିଚାଳନା କରିବା ସହ ନଭେମ୍ବର ଶେଷ ପର‌୍ୟ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲା ରଖିବାକୁ ସେ କହିଛନ୍ତି।

ସମ୍ଭାବ୍ୟ ବନ୍ୟା ବା ବାତ୍ୟା ସମୟରେ ନିୟନ୍ତ୍ରଣ କକ୍ଷ ପରିଚାଳନା ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯଥେଷ୍ଟ ସଂଖ୍ୟକ ହାଲୋଜେନ୍ ବଟିକା ମହଜୁଦ ରଖିବା, ସାପକାମୁଡା ଇଂଜେକ୍ସନ ମହଜୁଦ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ପ୍ରାରମ୍ଭରେ ରାଜ୍ୟ ରାଜସ୍ୱ ବିଭାଗ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ଯୋଗଦେଇ ପାଓ୍ୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ ।

ସେହିପରି ଭାରତୀର ପାଣିପାଗ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଉମାଶଙ୍କର ଦାସ ଚଳିତ ବର୍ଷ ପାଣିପାଗର ପୂର୍ବାନୁମାନ ସ୍ଥିତି ସମ୍ପର୍କରେ ଅବଗତ କରିବାତ୍ୟା ବା ପାଣିପାଗ ସତର୍କ ସୂଚନା ପ୍ରସାରଣ ପାଇଁ ବର୍ତ୍ତମାନର ବ୍ୟବସ୍ଥା, ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ବାତ୍ୟା ସତର୍କ ସୂଚନା ଓ ପ୍ରସାରଣ ସ୍ଥିତି ସହିତ ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱରରେ ଥିବା ଡପ୍ଲର ୱେଦର ରାଡାର (ଡିଡବ୍ଲ୍ୟୁଆର) ଷ୍ଟେସନ ଏବଂ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଗୁଡିର କାର‌୍ୟ୍ୟସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ଜନିତ ବାତ୍ୟା ସୃଷ୍ଟିର ସମ୍ଭାବନା ନାହିଁ ବୋଲି ସେ ପ୍ରକାଶ କରିଥିଲେ ।

ଆଗାମୀ ଦିନରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷମାନେ ସେମାନଙ୍କର ପ୍ରସ୍ତୁତି ସଂପର୍କରେ ତଥ୍ୟ ରଖିଥିଲେ । ବୈଠକରେଅତିରିକ୍ତ ମହା ନିର୍ଦେଶକ, ଓଡ୍ରାଫ୍ ସୂଚନା ଦେଇଓଡ୍ରାଫ୍ ର ଜରୁରୀକାଳୀନ ଉପକରଣ ନିୟମିତ ଯାଂଚ କରାଯାଉଥିବା ସହ ଓଡ୍ରାଫ୍ ବାହିନୀର ବିଭିନ୍ନ ସ୍ଥାନକୁ ମୁତୟନ ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ ।ଅଗ୍ନିଶମ ବିଭାଗ ଡି.ଆଇ.ଜି ଅଗ୍ମିଶମ ସେବା ବିଭାଗର ପ୍ରସ୍ତୁତି ସମ୍ପର୍କରେ ପ୍ରକାଶ କରିଥିବା ବେଳେ ୩ୟ ବାଟାଲିୟନ , ଏନଡିଆରଏଫ ସେମାନଙ୍କର ରହିଥିବା ୧୭ ଟି ଟିମ୍ ମଧ୍ୟରୁ ମୁଣ୍ଡୁଳୀ ଠାରେ ୧୬ ଟି ଟିମ୍ ଅବସ୍ଥାପିତ ଥିବା ସ୍ଥଳେ ୧ ଟି ଟିମ୍ ବାଲେଶ୍ୱରରେ ଅବସ୍ଥାପିତ ରହିଥିବା ପ୍ରକାଶ କରିଥିଲେ ।

ବିପର‌୍ୟ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ, ରାଜ୍ୟରେ ଥିବା ଜଳ ଭଣ୍ଡାରଗୁଡିକ ପରିଚାଳନା ଆମର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଳ ସମ୍ପଦ ବିଭାଗ ତରଫରୁ ସମସ୍ତ ନଦୀବନ୍ଧ ସ୍ଥିତି ତଦାରଖ କରିବା , ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦିଷ୍ଟ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ପାଳନ କରାଯାଉଥିବା ସଂପର୍କରେ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରାକ୍ ବାତ୍ୟା ବା ବନ୍ୟା ଓ ବିପର‌୍ୟ୍ୟୟ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିର୍ଦ୍ଦେଶ ନାମା ପ୍ରେରଣ କରାଯାଇଥିବା ସମ୍ପର୍କରେ ନିର୍ଦ୍ଦେଶକ(ଜନସ୍ୱାସ୍ଥ୍ୟ) ସୂଚନା ଦେଇଥିଲେ। ପଂୟାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବାତ୍ୟା ପରବର୍ତ୍ତୀ ସମୟରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଅତିରିକ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଥିଲେ।

ତେବେ କୂଅ, ନଳକୂପ ଆଦି ଜଳ ଉତ୍ସକୁ ବିଶୋଧନ କରିବା ପାଇଁ ଯଥେଷ୍ଟ ସଂଖ୍ୟକ ହାଲୋଜେନ୍ ଟାବଲେଟ୍ , ବ୍ଲିଚିଂ ପାଉଡର ବ୍ୟବସ୍ଥା କରିବା ସହ ଦୂଷିତ ହୋଇଥିବା ଜଳମଗ୍ନ ଅଂଚଳ ରେ ଜଳ ଯୋଗାଣ ପ୍ରକଳ୍ପର ଦ୍ରୁତ ପୁନଃ କ୍ଷମ କରାଯିବା ନେଇ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଆବଶ୍ୟକ ସଂଖ୍ୟକ ଜେନେରେଟର, ମୋବାଇଲ ଜେନେରେଟର ବ୍ୟବସ୍ଥା ଓ ପାଣି ଟ୍ୟାଙ୍କର ବ୍ୟବସ୍ଥା ପାଇଁ ଆଗତୁରା ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାସ୍ତା, ଜଙ୍ଗଲ ରାସ୍ତା , ଆବର୍ଜନା ସଫା କରିବାର ବ୍ୟବସ୍ଥା ଏବଂ ପୂର୍ତ୍ତ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ମରାମତି ଓ ପୁନଃନିର୍ମାଣ ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଯୋଗଦେଇ କହିଲେ ଯେ, ବାତ୍ୟା ସମୟରେ ବିଦ୍ୟୁତ୍ ସରବରାହ ନିରବଚ୍ଛିନ୍ନ ରଖିବା ପ୍ରମୁଖ ଆହ୍ୱାନ ହୋଇଥାଏ। ଏଥିପାଇଁ ବିଭାଗ ତରଫରୁ ମଧ୍ୟ ଏସଓପି ପ୍ରସ୍ତୁତ କାର‌୍ୟ୍ୟକାରୀ କରାଯାଉଥିବା ଶ୍ରୀ ସିଂ ପ୍ରକାଶ କରିଥିଲେ। ବାତ୍ୟା ସମୟରେ ଇଲେକ୍ଟ୍ରିକାଲ ଟାୱାର ଭାଙ୍ଗିଗଲେ ବାତ୍ୟା ହେଲେ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ବିଦ୍ୟୁତଯୋଗାଣ ପୁନରୁଦ୍ଧାର ବ୍ୟବସ୍ଥା, ଆବଶ୍ୟକ ମାନବ ସମ୍ବଳ ପାଇଁ ତାଲିକା ପ୍ରସ୍ତୁତି , ଯନ୍ତ୍ରପାତିର ସାମଗ୍ରୀର ତାଲିକା ପ୍ରସ୍ତୁତ କରିବା ସଂପର୍କରେ ବିସ୍ତୃତ ଯୋଜନା କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି ନଗର ଉନ୍ନୟନ ବିଭାଗ ତରଫରୁ ବିଏମସି ଏବଂ ସିଏମସି ତରଫରୁ ଆଗୁଆ ଡ୍ରେନ୍ ମରାମତି , ଜଳ ନିଷ୍କାସନ ବ୍ୟବସ୍ଥାକୁ ନିଶ୍ଚିତ କରିବା ,ଆସ୍କା ଲାଇଟ୍ , କଟର ମେସିନ୍ ପ୍ରସ୍ତୁତି ସଂପର୍କରେ ନିର୍ଦ୍ଦେଶ ଦିଆଯାଇଥିବା ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ସୂଚନା ଦେଇଥିଲେ । ପେଟ୍ରୋଲ ପମ୍ପ ଦ୍ୱାରା ପର‌୍ୟ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ ରଖିବା, ଓସଡମାକୁ ସମସ୍ତ ସରପଂଚ,ବିଡିଓ ମାନଙ୍କ ସହିତ ଯୋଗାଯୋଗ ରଖାଯାଇ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବାତ୍ୟା ପରେ ପରେ ପୋଖରୀ ଜଳ ଦୂଷିତ ହେବାକୁ ଆଶଙ୍କା କରି ଏ ଦିଗରେ ବିହୀତ ପଦକ୍ଷେପ ନେବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କର ଯତ୍ନ ପରିପ୍ରେକ୍ଷୀରେ ମହିଳା ଓ ଶିଶୁବିକାଶ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କୁ ମଧ୍ୟ ବନ୍ୟା ବା ବାତ୍ୟା ପରବର୍ତ୍ତୀ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂଶଲ ଯୋଗଦେଇ କହିଲେ ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ଓଡିଶା ପୁଲିସ୍ ସ୍ଥାନୀୟ ପୋଲିସ୍ ସହଯୋଗରେ ସର୍ବଦା ସରକାର ତଥା ଜନସାଧାରଣଙ୍କୁ ସହଯୋଗ ଦେଇଆସିଛି ଓ ଆଗାମୀ ଦିନରେ ମଧ୍ୟ ଅନୁରୂପ ଭାବେ ସହଯୋଗ ବଜାୟ ରଖିବ ବୋଲି ପ୍ରକାଶ କରିଥିଲେ ।

ବାତ୍ୟା ପରିସ୍ଥିତିରେ ଯୋଗାଯୋଗ ବ୍ୟବସ୍ଥାକୁ କାର‌୍ୟ୍ୟକ୍ଷମ ରଖିବା ପାଇଁ ଆଗୁଆ ବ୍ୟବସ୍ଥା ପାଇଁ ବିଏସଏନଏଲ କର୍ତ୍ତୃପକ୍ଷ ଏବଂ ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ସୂଚନା ଓ ପ୍ରଯୁକ୍ତି ବିଭାଗ ତରଫରୁ ନିର୍ଦ୍ଦେଶ ଦେବା, ଷ୍ଟାଣ୍ଡବାଇ ମୋବାଇଲ ଟାୱାର,ସେଲ୍ ଫୋନ୍ ଉପଭୋକ୍ତାଙ୍କୁ ଏସ୍ ଏମ୍.ଏସ୍ ସତର୍କସୂଚନା, ସେଲ୍ ଅନ୍ ହ୍ଵିଲ୍ସ ତାଲିକା ପ୍ରସ୍ତୁତ କରିବା ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା ପ୍ରି-ପୋଜିସନ୍ ପାଇଁ ଯୋଜନା ସଂପର୍କରେ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ସୂଚନା ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone News: ଆଜି ସଂଧ୍ୟା ସୁଦ୍ଧା ବାତ୍ୟା ହେବା ସମ୍ଭାବନା, ଓଡିଶାରେ କଣ ହେବ

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ନେଇ ଆସିଲା ଏକ ବଡ ଖବର। ତାହା ହେଲା ଯେ ଆଜି ସଂଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟା ରୂପ ନେବ। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଫଳରେ ପୂର୍ବରୁ ବାତ୍ୟା ହେବା ନେଇ ଯେଉଁ ଆଶଙ୍କା ଥିଲା ତାହା ସତ ବୋଲି ପ୍ରମାଣିତ ହେବାରେ ଲାଗିଛି।

ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇଛି। ଫଳରେ ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ସିଧା ଓଡିଶା ଉପରେ ନାହିଁ ବୋଲି କୁହାଯାଇଛି।

ତେବେ ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ପାଣିପାଗ ନେଇ ଆସିଲା ବଡ ଖବର, ଆସୁଛି ବାତ୍ୟା ‘ମାନଡ୍ୟୁସ’

ଭୁବନେଶ୍ବର: ପାଣିପାଗ ନେଇ ଆସିଛି ଏକ ବଡ ଖବର। ତାହା ହେଲା ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଏବେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଶକ୍ତିଶାଳି ହେବାରେ ଲାଗିଛି। ଫଳରେ ବର୍ତ୍ତମାନ ବଙ୍ଗୋପସାଗରରେ ଏହା ଲଘୁଚାପ ଭାବେ ଘୁରି ବୁଳୁଛି। ତେବେ ଆସନ୍ତାକାଲି ଏହା ତୀବ୍ର ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ସୁତ୍ର ଅନୁସାରେ ଏହି ଲଘୁଚାପ ଆସନ୍ତାକାଲି ଅବପାତ ରୂପ ନେବ ଏହାପରେ ତାହା ତାମିଲନାଡୁ ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଆଡକୁ ଗତି କରିବ ବୋଲି କୁହାଯାଉଛି। ଏହା ଧିରେଧିରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ଡିସେମ୍ବର 8 ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ଏହି ବାତ୍ୟାର ନାମ ହେବ ‘ମାନଡ୍ୟୁସ’। ଏହା ଦ୍ବାରା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ତେବେ ଏହି ବାତ୍ୟା ଦ୍ବାରା ଓଡିଶାରେ କୌଣସି ବଡ ପ୍ରଭାବ ପଡିବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି। ତେବେ ଆଠ ତାରଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ ମୌସୁମୀ ବାୟୁ ଅପସରି ଯିବା ପରେ ଏହା ହେଉଛି ଦ୍ବିତୀୟ ବାତ୍ୟା।