Categories
ଅପରାଧ ଆଜିର ଖବର

ବାଲୁଗାଁ: ଚୋରି ଓ ଡକାୟତି ଘଟଣାରେ ଛଅ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଚୋରି ଓ ଡକାୟତି ଘଟଣାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଗତ ଦୁଇ ଦିନ ହେଲା ବାଲୁଗାଁର ଏକ ନିର୍ଦ୍ଦିଷ୍ଟ କ୍ଲବ ଘର ପିଲାର ଭାଙ୍ଗି ତନ୍ମଧରେ ବହୁ ପରିମାଣରେ ଗଚ୍ଛିତ ଥିବା ଲୁହା ରଡ଼କୁ ପାଞ୍ଚ ଜଣ ଦୁର୍ବୁତ୍ତ ଲୁଟ କରି ନେଇଯାଇଥିଲେ। ତେବେ ସମସ୍ତ ପାଞ୍ଚ ଜଣ ଦୁର୍ବୁତ୍ତଙ୍କୁ ବାଲୁଗାଁ ପୋଲିସ ଆଜି କାବୁ କରିବା ସହ ସେମାନଙ୍କ ଠାରୁ ସମସ୍ତ ଲୁଟ ଜିନିଷ ଜବତ କରିଛି।

ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଲୁହା ବେପାରି ଥିବା ଜଣାପଡିଛି। ସେହିପରି ଭାବେ ଆଜି ସକାଳେ ବାଲୁଗାଁ ଗୋପୀନାଥପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରୁ ବାଣପୁର ଥାନା ଅଞ୍ଚଳର ଶିବ ପ୍ରସାଦ ପଣ୍ଡା ନାମକ ଅଭିଯୁକ୍ତ ମୋବାଇଲ ଫୋନ ଓ ମନି ପର୍ସ ଜୋରଜବରଦସ୍ତ ଛଡାଇ ନେଇ ଫେରାର ହୋଇଯାଇଥିଲେ।

ଅଭିଯୋଗ ଆଧାରରେ ବାଲୁଗାଁ ପୋଲିସ ମାମଲା ରୁଜୁ କରିବା ସହ କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଉଦ୍ଧାର କରିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ କହିଛନ୍ତି।

ସେହିପରି ନିକଟରେ ମୋଟରଜାନ ଯାଞ୍ଚ ସମୟରେ ନୂଆଗଡ଼ ବ୍ରିଜ ନିକଟରେ ପୋଲିସକୁ ଦୁଇ ଯୁବକ ଗାଳି ଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛାଇନଥିଲେ। ଫଳରେ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଗିରଫ ଭୟରେ ଫେରାର ଥିବା ଆଇଆଇସି ଶ୍ରୀ ଦାସ କହିଛନ୍ତି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ଗିରଫ ହେବ ବୋଲି ପୋଲିସ କହିଛି।

Categories
ଆଞ୍ଚଳିକ

ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ

ବାଲୁଗାଁ: ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ବାଲୁଗାଁ ଉଚ୍ଚବିଦ୍ୟାଳୟ ପରିସରରେ କ୍ଲବର ସଭାପତି ରୋଟାରିଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଜଗତର ନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ସାଧାରଣ ସଚିବ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ଉଦଘାଟନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା।

ପ୍ରାରମ୍ଭରେ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଅନୁଷ୍ଠାନିକ ଭାବେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ବାଣପୁର ବ୍ଲକର ସହ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ, ବାଲୁଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ, କ୍ଲବ ଉପଦେଷ୍ଟା ରୋଟାରିଆନ ମୃଣାଲ କାନ୍ତି ନାୟକ ରୋଟାରୀ କ୍ଲବ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ରାଷ୍ଟ୍ର ନିର୍ମାତା ପୁରସ୍କାରର ଗୁରୁତ୍ୱ, ଦାୟିତ୍ୱବଦ୍ଧତା ଓ ସମାଜରେ ଶିକ୍ଷକ ମାନଙ୍କର ନିଷ୍ଠାପରତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ସମଗ୍ର ବିଶ୍ୱରେ ଶାନ୍ତି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ରୋଟାରୀ ଇଣ୍ଟର ନ୍ୟାସନାଲ କ୍ଲବର କାର୍ଯ୍ୟକ୍ରମ ସହିତ ଶିକ୍ଷକ ମାନେ କିପରି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଶିକ୍ଷାର୍ଥୀ ମାନଙ୍କ ଜୀବନ ଧାରା ବିକଶିତ କରନ୍ତି ତାହା ଉପସ୍ଥାପିତ କରିଥିଲେ।

ଡକ୍ଟର ରଶ୍ମି ରଞ୍ଜନ ନାଥ ଶିଶୁ ମନସ୍ତତ୍ଵ, ଶିକ୍ଷାୟତନ ଓ ଶିକ୍ଷକ ମାନଙ୍କ ଦାୟିତ୍ୱ ବୋଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହାପରେ ଟାଙ୍ଗୀ, ବାଣପୁର ଓ ଚିଲିକା ବ୍ଲକର କୃତୀ ଶିକ୍ଷକ ପ୍ରସନ୍ନ ଶ୍ରୀଚନ୍ଦନ, ଧର୍ମାନନ୍ଦ ବେହେରା, ପ୍ରମିଳା ବେହେରା, ନୀଳାଦ୍ରି ଭୂଷଣ ଦାଶ, ବବିତା ସାମନ୍ତରାୟ, ଗୋପୀନାଥ ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ପାଇକରାୟ, ଓ ଦିଲ୍ଲୀପ କୁମାର ମହାପାତ୍ରଙ୍କ ସମେତ ନିକଟରେ ଓଡିଶା ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଲାଇଡିହଗ୍ରାମର ଦୃଷ୍ଟି ବାଧିତ ଅଧ୍ୟାପକ ପ୍ରସନ୍ନ କୁମାର ପଣ୍ଡାଙ୍କୁ ଅତିଥିମାନେ ପୁରସ୍କାର, ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ପ୍ରସନ୍ନ କୁମାର ପଣ୍ଡା ଏକ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି ଶିକ୍ଷକ ସମାଜ ଓ ଯୁବ ପିଢ଼ିଙ୍କୁ ପ୍ରଭାବିତ କରିଥିଲେ।

ରୋଟାରିଆନ ପଞ୍ଚାନନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହଙ୍କୁ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର, ପ୍ରାକ୍ତନ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟନ୍ଦ୍ର ସ୍ୱାଇଁ ସୁରେନ୍ଦ୍ର ସ୍ୱାଇଁ, ଗଜେନ୍ଦ୍ର ସେଠୀ, ଡକ୍ଟର ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ପାଇକରାୟ ପ୍ରମୁଖ ପରିଚାଳନା କରିଥିଲେ।

ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ରୋଟାରିଆନ ତଥା ପ୍ରାକ୍ତନ ଆଇ ଏଫ ଏସ ଅଧିକାରୀ ଆଶୁତୋଷ ସାମନ୍ତ ସିଂହାର। ରୋଟାରାକ୍ଟ ସଭାପତି ବବୁଲ ରଣସିଂ ଓ ସଭ୍ୟମାନେ ଏହି ସମାରୋହରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେଡି ପକ୍ଷରୁ ଦୀପ ଦାନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସଂନ୍ଧ୍ୟାରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ବିଜେଡି ପକ୍ଷରୁ ସାମୁହିକ ଦୀପ ଦାନ କରାଯାଇଛି। ୭୭ ବର୍ଷରେ ପଦାର୍ପଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ୨୨ ବର୍ଷ ଶାସନ କାଳରେ ବିଭିନ୍ନ ଜନହିତକର କାର୍ଯ୍ୟ ସାଙ୍ଗକୁ ଉନ୍ନତିମୂଳକ ପଦକ୍ଷେପ ସାରା ରାଜ୍ୟରେ ଲୋକାଭିମୁଖୀ ହୋଇପାରିଥିବାବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରତିଟି କ୍ଷେତ୍ରରେ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବାକୁ ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି, କାଉନସିଲର ସମେତ ବହୁ ପୁରୁଖା ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଯୁବତୀଙ୍କୁ କମେଣ୍ଟ ମାରି ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମ ଛକରେ ପ୍ରତିଦିନ ସନ୍ଧ୍ୟାରେ କେତେଜଣ ଅସାମାଜିକ ଯୁବକ ମଦ୍ୟପାନ କରି ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏ ନେଇ ବାଲୁଗାଁ ଆଇଆଇସି ଏବଂ ନାଭାଲ ଫାଣ୍ଡି ଅଧିକାରୀ ବିଗତ ଦିନରେ ସମ୍ପୃକ୍ତ ଯୁବକମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ତାଗିଦ କରିଥିବା ବେଳେ ସମ୍ପୃକ୍ତ ଯୁବକମାନେ ପୋଲିସ ସହ ଯୁକ୍ତି କରିବାକୁ ପଛାଇନଥିଲେ।

ତେବେ ଗତ ରବିବାର ଦିନ ପୁନଶ୍ଚ ଉକ୍ତ ଅସାମାଜିକ ଯୁବକମାନେ ଅଠରବାଟିଆ ଗ୍ରାମର କିଛି ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ଯୁବତୀମାନେ ଏ ନେଇ ନାଭାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନମ୍ବର ୨୦୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରୁ ବିଳମ୍ବିତ ରାତ୍ରିରେ ସିରିଜ ଚୋରି, ଦୁଇ ଅଟକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଗୋଟି ଚୋରି ହୋଇଥିବାର ଖବର ହସ୍ତଗତ ହୋଇଛି। ବାଲୁଗାଁ ଜେନା କଲୋନୀ ଅଞ୍ଚଳର ଦୁଇ ଜଣଙ୍କ ଘରୁ ଏକାକାଳୀନ ଭାବେ ସୁନା ଅଳଙ୍କାର ଓ ଟଙ୍କା ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଗୁଣ୍ଡୁରୁପୁର ଅଞ୍ଚଳରୁ ଏକ ଟ୍ରାଭେରା ଗାଡ଼ି ମଧ୍ୟ ଚୋରି ହୋଇଥିବାର ଜଣାପଡିଛି।

ତେବେ ଉକ୍ତ ଲୁଟେରାମାନେ ଫେରାର ହୋଇଯାଇଥିବା ବେଳେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସାଇଣ୍ଟିଫିକ ଟିମ ସହଯୋଗରେ ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ପ୍ରାଥମିକ ତଦନ୍ତ ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ତେବେ ଖୁବଶୀଘ୍ର ଲୁଟେରା ଧରା ପଡିବେ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ସେବା ଓ ସଂଗ୍ରାମର ବlର୍ତ୍ତବହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କ ଦିଗଦର୍ଶନ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଡକ୍ଟର କଳ୍ପନା ଦାଶ କଲେଜ ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣ।ଙ୍କ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 145ତମ ଜୟନ୍ତୀ ସଭାରେ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଉତ୍କଳମଣିଙ୍କ ଜୀବନାଦର୍ଶ, ରାଜ୍ୟ ଦେଶପାଇଁ ଉତ୍ସର୍ଗୀକୃତ ସେବା, ତ୍ୟାଗ, ମାନବିକତା ସହିତ ସତ୍ୟବାଦୀ ବନବିଦ୍ୟାଳୟପ୍ରତିଷ୍ଠା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଏନଏସଏସ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ କିପରି ଚାରୋଟି ମୂଲ୍ୟବୋଧ ଜାତିପ୍ରୀତି, ସେବା, ଭାଷାପ୍ରୀତି, ଓ ସ୍ୱାଧୀନତା ପ୍ରାପ୍ତି ଉପରେ ପର୍ଯ୍ୟବସିତ ଥିଲା ତାହା ପ୍ରତିଫଳିତ କରିଥିଲେ।

ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଉତ୍କଳମଣିଙ୍କ ଦର୍ଶନର ଦଶଟି ମହାନ ଦିଗ ଉପରେ ଆଲୋଚନା କରିଥିଲେ। ଛାତ୍ରୀ ଜୁନାଲି ସୁର ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ ଏନସିସି କ୍ୟାଡ଼େଟମାନେ କଲେଜ ପରିସରରେ ପ୍ୟାରେଡ କରିଥିବା ବେଳେଏନଏସଏସ ସ୍ବେଛାସେବୀମାନେ ବୃକ୍ଷରୋପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ହସ୍ତକ୍ଷେପ ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ପାଇଲେ ରୋଗୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ଚିକିତ୍ସା ସେବା ପାଇଥିବା ଜଣାପଡିଛି।

ସୂଚନା ମୁତାବକ ବାଲୁଗାଁର ପ୍ରମୋଦ ବିଶ୍ଵାଳ (୪୦) ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ପରେ ତାଙ୍କ ପେଟରେ ଏକ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ। ଟ୍ୟୁମରଟି ବଡ ଆକାରର ହୋଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ପରବର୍ତ୍ତୀ ଚିକିତ୍ସା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରୋଗୀଙ୍କ ଆର୍ଥିକ ଅବସ୍ଥା ଭଲନଥିବାରୁ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା କରିବା ପାଇଁ ଚେଷ୍ଟା କରୁଥିଲେ। ଅନେକ ହସ୍ପିଟାଲରେ ବୁଝାସୁଝା କରିବା ପରେ ଚିକିତ୍ସା ସେବା ମିଳିପାରିନଥିଲା।

ତେବେ ରୋଗୀଙ୍କ ସମ୍ପର୍କୀୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ଡା. ନାୟକଙ୍କ ହସ୍ତକ୍ଷେପ ପରେ ଆଜି ରୋଗୀଙ୍କୁ ଆପୋଲୋ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା ସେବା ପାଇଥିବାରୁ ଆଜି ରୋଗୀଙ୍କ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ୫-ଟି ସଚିବ ଭି.କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଅନ୍ତଃଜିଲା ଅପରାଧୀ ଗିରଫ, ସତର୍କ ରହିବାକୁ ପୋଲିସର ପରାମର୍ଶ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଜଣେ ଅଭ୍ୟାସରତ ଅପରାଧୀକୁ ଆଜି ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଚନ୍ଦନ ଘଟୁଆଳ ଓରଫ କାହ୍ନା। ଚନ୍ଦନ ପୁର୍ବରୁ ମଧ୍ୟ ଚୋରି କେସ ରେ ଜେଲ ଯାଇଥିବା ବେଳେ ଗତକାଲି ପୁଣି ଜଣେ ବ୍ୟକ୍ତିଙ୍କ ନିକଟରୁ ମୋବାଇଲ ଛଡାଇ ଫେରାର ହୋଇଯାଇଥିଲେ। ପୀଡ଼ିତ ବ୍ୟକ୍ତି ଜଣକ ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ କଲା ପରେ ପୋଲିସ କେସ ନମ୍ବର ୧୯୮/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ଅନୁସନ୍ଧାନରେ ଲାଗି ପଡିଥିଲା।

ତେବେ ଆଜି ଆଇଆଇସି ରଶ୍ମିରଞ୍ଜନ ଦାସ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ତାଙ୍କ ନିକଟରୁ ଲୁଟ ମୋବାଇଲ ସମେତ ଏକ ଚୋରି ସ୍ପୋର୍ଟ୍ସ ସାଇକେଲ ମଧ୍ୟ ଉଦ୍ଧାର କରିଛି ପୋଲିସ। ହେଲେ ଚନ୍ଦନ ଏକ ଅନ୍ତଃଜିଲା ଅପରାଧୀ ହୋଇଥିବା ବେଳେ ତାଙ୍କର ଏକ ଅପରାଧୀ ଗ୍ୟାଙ୍ଗ ରହିଥିବାର ପୋଲିସ କହିଛି।

ତେବେ ଉକ୍ତ ଗ୍ୟାଙ୍ଗ ନୟାଗଡ଼, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ଅପରାଧିକ ଗତିବିଧିରେ ସାମିଲ ଥିବା ଜଣାପଡିଛି। ତେଣୁ ବାଲୁଗାଁ ଥାନା ଅଞ୍ଚଳର ନାଗରିକ ମାନେ ନିଜର ବହୁମୂଲ୍ୟ ଜନିଷଗୁଡିକୁ ଦାୟିତ୍ୱରେ ରଖିବା ପାଇଁ ପରାମର୍ଶ ଦେବା ସହ ଯଦି କୌଣସି ସଂନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଞ୍ଚଳରେ ଦେଖନ୍ତି, ତେବେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେବା ପାଇଁ ଅନୁରୋଧ କରିଛନ୍ତି ଆଇଆଇସି ଶ୍ରୀ ଦାସ।

Categories
ଆଞ୍ଚଳିକ

ବାଲୁଗାଁ: ଗାନ୍ଧି ଜୟନ୍ତୀରେ ଗାନ୍ଧିବାଦ ଅଧ୍ୟୟନ ପୁସ୍ତକ ଉନ୍ମୋଚିତ

ବାଲୁଗାଁ: ଆଜି ପବିତ୍ର ଗାନ୍ଧି ଜୟନ୍ତୀରେ ବାଲୁଗାଁ ଗାନ୍ଧି ଛକ ସ୍ଥିତ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ଡକ୍ଟର କେ ଓମ ନାରାୟଣଙ୍କ ରଚିତ ପାଠ୍ୟପୁସ୍ତକ “ଗାନ୍ଧିବାଦ ଅଧ୍ୟୟନ”କୁ ଛାତ୍ରଛାତ୍ରୀମାନଙ୍କ ମହତ୍ତର ଉଦ୍ଦେଶ୍ୟରେ ଉନ୍ମୋଚିତ କରାଯାଇଛି। ଏହାକୁ ଉନ୍ମୋଚିତ କରିଥିଲେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା, ପ୍ରାଧ୍ୟାପିକା ବିନତି ମଞ୍ଜରୀ ରାଉତ ଓ ବିଶିଷ୍ଟ ଗବେଷକ ଡକ୍ଟର ସତ୍ୟ ଷଡ଼ଙ୍ଗୀ।

ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ରୋଟାରୀଆନ ଗଜେନ୍ଦ୍ର ସେଠୀଙ୍କ ସମେତ ଏନ ସି ସି, ଏନ ଏସ ଏସ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ପାଠକାର୍ପଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

କଲ୍ୟାଣୀ ପବ୍ଲିସର୍ସ, ନୂଆଦିଲ୍ଲୀଙ୍କ ଦ୍ୱାରା ପ୍ରକାଶିତ ଏହି ପାଠ୍ୟ ପୁସ୍ତକଟି ଓଡ଼ିଶାର ଦର୍ଶନ ସ୍ନାତକ ଛାତ୍ର ଛାତ୍ରୀ ତଥା ସମସ୍ତ ବର୍ଗର ପାଠକ ମାନଙ୍କ ପାଇଁ ଖୁବ ଉପାଦେୟ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବାଇକରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଚାଲାଣ କରୁଥିଲା ଯୁବକ, ମାଡି ବସିଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଫୁଲବାଣୀରୁ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବାଟରେ ମାଡି ବସିଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଫୁଲବାଣୀ ଜିଲ୍ଲାରୁ ଏକ ନିର୍ଦ୍ଦିଷ୍ଟ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ପୋଲିସକୁ ଖବର ମିଳିଥିଲା। ଖୋର୍ଦ୍ଧା ଏସପି ଏବଂ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ ଜାରି ରହିଥିଲା।

ତେବେ ନାଭାଲ ଫାଣ୍ଡି ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ବାଇକ ଦୃତଗତିରେ ପୋଲିସ କଟକଣାକୁ ନମାନି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବାଲୁଗାଁ ପୋଲିସ ଉକ୍ତ ବାଇକକୁ ଗୋଡ଼ାଇ ପରିଶେଷରେ ଧୂଁଆଳ ନିକଟରେ କାବୁ କରିଥିଲା ଏବଂ ବାଇକର ତଲାସି ନେଇଥଲା।

ତାଲାସି ବେଳେ ପୋଲିସ ଉକ୍ତ ବାଇକରୁ ଏକ ବ୍ୟାଗ ଜବତ କରିଛି ଯେଉଁଥିରେ ୨୭ କେଜି ଗଞ୍ଜେଇ ମିଳିଛି। ଅଭିଯୁକ୍ତ ଜଣକ କୋଦଳା ଥାନା ଅଞ୍ଚଳର ଅକ୍ଷୟ ଜେନା ବୋଲି ଜଣାପଡିଛି। ଅକ୍ଷୟ ଗଞ୍ଜେଇଗୁଡିକ ଫୁଲବାଣୀ ଜଙ୍ଗଲରୁ ଆଣି କେଜି ୧୫ ହଜାର ଟଙ୍କା ଦରରେ ଗୁଜୁରାଟ ସୁରଟକୁ ଟ୍ରେନ ଯୋଗେ ଚାଲାଣ ପାଇଁ ଉଦ୍ୟତ ହେଉଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ: ମାଗଣା ଜଳାତଙ୍କ ପ୍ରତିଷେଧକ ଟୀକା ଦାନ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ସେପ୍ଟମ୍ବର ୨୮ ତାରିଖ ବିଶ୍ବ ଜଳାତଙ୍କ ଦିବସ ଉପଲକ୍ଷେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ଏବଂ ନାଚୁଣୀ ଓ ବାଲୁଗାଁ ପ୍ରାଣୀଧନ ବିକାଶ ବିଭାଗର ମିଳିତ ସହଯୋଗରେ ଉଭୟ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ୧୦୦ କୁକୁରଙ୍କୁ ବିନାମୂଲ୍ୟରେ ଜଳାତଙ୍କ ପ୍ରତିଷେଧକ ଟୀକା ଦେବା ସହ କୁକୁର ମାଲିକ ମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା। କ୍ଳବ ସଦସ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଡାକ୍ତର ଦେବେନ୍ଦ୍ର କୁମାର ସୋଲାଙ୍କି ଓ ବାଲୁଗାଁ କେନ୍ଦ୍ରର ଚିକିତ୍ସକ ଡାକ୍ତର ଦେବାଶିଷ ଦାଶ ଓ କ୍ଳବ ସଦସ୍ୟ ତଥା ବାଲୁଗାଁ କେନ୍ଦ୍ରର ସହକାରୀ ଚିକିତ୍ସକ ଡାକ୍ତର ସମାପିକା ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଡାକ୍ତର ସଂଜୀବନି ପଟେଲ, କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୂନୀଲ କୁମାର ପାତ୍ର ଓ ଆସନ୍ତା ବର୍ଷର ସଭାପତି ନନ୍ଦକିଶୋର ମିଶ୍ରଙ୍କ ସମେତ କ୍ଳବର ସଦସ୍ୟ ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ସଚ୍ଚିଦାନନ୍ଦ ସେଠୀ, ପଦ୍ମନାଭ ମାଝି, ହିମାଂଶୁ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ, ସୂର୍ଯ୍ଯନାରାୟଣ ସେନାପତି ପ୍ରମୂଖ ସହଯୋଗ କରିଥିଲେ।

ପ୍ରକାଶ ଥାଉକି ପ୍ରତି ବର୍ଷ କ୍ଳବ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇ ଆସୁଅଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଚିଲିକାର ଏହି ସବୁ ଅଞ୍ଚଳରେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ପାଞ୍ଚ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ଜରୁରୀକାଳୀନ ମରାମତି କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮.୩୦ ଘଟିକାରୁ ଅପରାହ୍ନ ୧ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, କଳକଳେଶ୍ଵର ଓ ଚଣ୍ଡେଶ୍ବର ପଞ୍ଚାୟତ‌ ବାଦ୍‌ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବିଷଧର ସାପ କାମୁଡିବାରେ ବୃଦ୍ଧ ମୃତ

ସିତରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ବିଷଧର ସାପ କାମୁଡିବା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ ଚିଲିକା ବ୍ଲକ ଅଠର ବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ହଟ କିଶୋର ଜାଲି (୫୫) ଗତ କାଲି ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା। ଚିତ୍କାର କରିବାରୁ ଘର ଲୋକ ସେଠାରେ ଏକ ବିଷଧର ସାପ ଦେଖିଥିଲେ। ଅବିଳମ୍ବେ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପ୍ରଶାସନର ପ୍ରସ୍ତୁତି ବୈଠକ: ଆସନ୍ତା ୨୮ରୁ ଜିଲ୍ଲାରେ ପରିକ୍ରମା କରିବ ଅହିଂସା ରଥ

ଖୋର୍ଦ୍ଧା: ସ୍ବାଧୀନତାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଅହିଂସା ରଥ ଆସନ୍ତା ୨୮ ତାରିଖରେ ଜିଲ୍ଲାର ବାଲୁଗାଁ ଠାରେ ପହଞ୍ଚିବ। ଏହି ରଥ ଦୁଇଟିକୁ ପ୍ରଥମେ ନାରାୟଣୀ ମନ୍ଦିର ନିକଟରେ ଗଞ୍ଜାମ ପ୍ରଶାସନ ଠାରୁ ଗ୍ରହଣ କରାଯିବା ପରେ ବାଲୁଗାଁକୁ ନିଆଯିବ।

ଓଡିଶାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ। ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ଏହାର ପ୍ରଭାବ ଏବଂ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ବାର୍ତ୍ତା ବହନ କରୁଥିବା ଅହିଂସା ରଥକୁ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହିରଥ ରାଜ୍ୟର ସମସ୍ତ ଜିଲ୍ଲାର ଉପଖଣ୍ତ ଓ ବ୍ଲକ ପରିକ୍ରମା କରି ଆସନ୍ତା ୨ ଦୁଇ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ପହଞ୍ଚିବ।

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭିନ୍ନ ବ୍ଲକ ପରିକ୍ରମା କରିବ।

ଏଥିନିମନ୍ତେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରଥମେ ଉକ୍ତ ଦୁଇଟି ଅହିଂସା ରଥକୁ ବାଲୁଗାଁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବ। ଏହାପରେ ପ୍ରଥମ ରଥ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ, ବାଣପୁର ବିଜ୍ଞାପିତ ଅଞ୍ଚଳ, ବାଣପୁର ବ୍ଲକ, ଚିଲିକା ବ୍ଲକ, ଟାଙ୍ଗୀ, ବୋଲଗଡ, ବେଗୁନିଆ ଓ ଖୋର୍ଦ୍ଧା ସହର ପରିକ୍ରମା କରିବ। ସେହିଭଳି ଅନ୍ୟ ରଥଟି ଜଟଣୀ ପୌରସଂସ୍ଥା, ଜଟଣୀ ବ୍ଲକ, ବାଲିଅନ୍ତା, ବାଲିପାଟଣା ଏବଂ ଭୁବନେଶ୍ବର ପରିକ୍ରମା କରିବ।

ଏହି ରଥ ଗୁଡିକ ବ୍ଲକ ଓ ବିଜ୍ଞାପିତ କାର୍ଯ୍ୟାଳୟ, ବିଭିନ୍ନ ୫-ଟି ତଥା ନୋଡ‍ଲ ହାଇସ୍କୁଲ, ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ଓ ବୋଲଗଡ ଅଞ୍ଚଳ, ଅନ୍ୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ପରିକ୍ରମା କରିବ।

ଏହି ଅବସରରେ ବିଭିନ୍ନ ବ୍ଲକରେ ପହଞ୍ଚିବା ପରେ ଅହିଂସା ରଥକୁ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ପୌର ପରିଷଦ ଅଧ୍ୟକ୍ଷ, କାଉନସିଲର, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ବରିଷ୍ଠ ଓ ସାଧାରଣ ନାଗରିକ ଏବଂ ସାଂସ୍କୃତିକ ଦଳ ପ୍ରମୁଖ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପର୍ଣ୍ଣ କରିବା ସହ ଆଇନ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଆମ୍ବୁଲାନ୍ସ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ. ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବୟନ ଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ଇନ୍ଦ୍ରମଣି କାଣ୍ତି, ବିଭିନ୍ନ ବ୍ଲକରେ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକା: ଭାରତୀୟ ପର୍ଯ୍ୟଟନ ବିଭାଗ ଓ ଓଡ଼ି ଆର୍ଟ ତରଫରୁ ସ୍ବଚ୍ଛତା ଅଭିଯାନ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଭାରତୀୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଆ ଆର୍ଟ ସେଣ୍ଟର୍ ବଡକୁଳର ମିଳିତ ଆନୁକୁଲ୍ୟରେ ସ୍ବଚ୍ଛତା ଅଭିଯାନ ମଙ୍ଗଳ ଯୋଡ଼ି ଏବଂ ଓଟିଡିସି ବଡକୁଳ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଭାରତ ମିଶନ ତରଫରୁ ଚଳିତ ୧୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ନିର୍ଦ୍ଧାରିତ କରାଯାଇଥିବା ଅଭିଯାନକୁ ଆଜି ପ୍ରଥମ ଦିନରେ ସକାଳ ସାତଟା ସମୟରେ ପ୍ରଥମେ ଭାରତୀୟ ପର୍ଯ୍ୟଟନ ବିଭାଗ ଓଡ଼ିଶାର ସହ ନିର୍ଦ୍ଦେଶିକା ରଶ୍ମି ସୋନିଆ ତିର୍କି, ବିଭାଗର ଜଗନ୍ନାଥ ବେହେରା ତଥା ସୁନିଲ କୁମାର ନାୟକଙ୍କୁ ପୁଷ୍ପ ଗୁଛ ଦେଇ ଆରତୀ ନାୟକ ଓ ସମୀକ୍ଷା ସାମନ୍ତରାୟ ସ୍ବାଗତ କରିଥିଲେ।

ଟାଙ୍ଗୀ ମଙ୍ଗଳା ଯୋଡ଼ିଠାରେ ଥିବା ପକ୍ଷୀ ସୁରକ୍ଷା ବାହିନୀର ସମସ୍ତ କର୍ମ କର୍ତ୍ତା ସଫେଇ ଅଭିଯାନରେ ଯୋଗ ଦେଇଥିଲେ। ପୁନର୍ବାର ଅପରାହ୍ନରେ ବଡ଼କୁଳ ପାନ୍ଥ ନିବାସ ଜେଟି ପରିବେଶକୁ ମୋଟର ବୋଟ ଆସୋସିଏସନ୍ କର୍ମକର୍ତ୍ତାଙ୍କ ସହ ଓଡି ଆର୍ଟ ସେଣ୍ଟର୍ର ମାନସ ପଟ୍ଟନାୟକ, ରଶ୍ମିରଞ୍ଜନ ଆଚାର୍ଯ୍ୟ ତଥା ସୁଶାନ୍ତ କୁମାର ଦାସ ପ୍ରମୁଖ ସଫେଇ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ପ୍ଲାଷ୍ଟିକ ମୁକ୍ତ ଭାରତ କରିବା ପାଇଁ ଏଣେ ତେଣେ ପଡିଥିବା ପ୍ଲାଷ୍ଟିକ ବ୍ୟାଗ୍, ପଲିଥିନ ,ବୋତଲ ଇତ୍ୟାଦି ଆଲିଆକୁ ସଫା କରାଯାଇଥିଲା। ଏହାକୁ ଦୁରସ୍ତନରେ ଏକତ୍ର କରାଯାଇ ପରିବେଶରେ ଏକ ଖୋଲା ଜାଗାରେ ନିଆ ଲଗାଇ ଜଳାଇ ଦିଆଯାଇଥିଲା। ଏଥିସହିତ ସଫେଇ କାର୍ଯ୍ୟରେ ଯୋଗଦାନ କରିଥିବା କର୍ମକର୍ତ୍ତାଙ୍କ ପାଇଁ ଭାରତ ସରକାରଙ୍କ ତରଫରୁ ସ୍ୱଚ୍ଛ ଭାରତ ଗଞ୍ଜି ଓ ଟୋପି ଇତ୍ୟାଦି ବଣ୍ଟନ କରିବା ସହିତ ଜଳପାନର ସୁବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଦଉଡି ଲଗାଇ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସକୁର ଅଲ୍ଲୀ ଖାନ (୪୦)। ତାଙ୍କୁ ପରିବାରବର୍ଗ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଲୁଗାଁ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଛି। ତେବେ ଏହା ପାରିବାରିକ କଳହ ଲାଗି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ସୂଚନା ଥାଉକି ନିକଟରେ ସକୁରଙ୍କ ପତ୍ନୀ ତାଙ୍କ ଦିଅରଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ କେସ ନମ୍ବର ୧୮୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ବାଲୁଗାଁ ଆଇଆଇସି କହିଛନ୍ତି। ସେହି ଚାପରେ ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଶନିବାର ସକାଳେ ବାଲୁଗାଁ ଏନଏସି ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ବାଲୁଗାଁ ଚିଲିକା କୁଳଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ। ଶୁଭାରମ୍ଭ ମହୋତ୍ସବରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠି, ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ୱାଇଁ, କାର୍ଯ୍ୟ ନିର୍ବାହି ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ବାଲୁଗାଁ ମହିଳା ଆଞ୍ଚଳିକ ମହାସଂଘର ସଭାନେତ୍ରୀ ବନିତା ପ୍ରଧାନ, ମିନତି ଗଜେନ୍ଦ୍ର, ସୁଚିତ୍ରା ମହାପାତ୍ର, ଚନ୍ଦ୍ରକଳା ସାହୁ,ଏନଏସି ସ୍ୱଚ୍ଛ ସାଥି ଉଷାରାଣୀ ମିଶ୍ର, ଦୀପାଞ୍ଜଳି ପାଟଶାଣୀ, ତୁଳସୀ ବେହେରା, କୁନୁ ସ୍ୱାଇଁ, ବାଲୁଗାଁ ଏନଏସି ମିଶନ ଶକ୍ତିର ସମସ୍ତ କର୍ମଚାରୀ ଏବଂ ଆଇଏନଏସ ଚିଲିକାର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଚିଲିକା ଜେଟି ସମେତ ଚିଲିକା କୁଳ ପରିବେଶ ପରିଷ୍କାର କରାଯାଇଥିଲା।ଏବଂ ଆଗାମି ଦିନରେ ଏନଏସି ଅନ୍ତର୍ଗତ ସମସ୍ତ ୱାର୍ଡ ଏବଂ ପାରିପାର୍ଶ୍ବିକ ପରିବେଶ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ସହ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ଭାବେ ବାଲୁଗାଁ ଏନଏସିକୁ ଗଢି ତୋଳିବାକୁ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରିଣୀ ଶ୍ରୀମତୀ ପାଢ଼ୀ କହିଛନ୍ତି।

Categories
ଆଞ୍ଚଳିକ ବ୍ୟବସାୟ

ବାଲୁଗାଁରେ ଖୋଲିଲା ନୂତନ ସପିଙ୍ଗ ମଲ ‘ଏମ ବଜାର’: ମିଳୁଛି ବିଶେଷ ଅଫର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଦଶହରାରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଉପହାର ସହିତ ରିହାତି ଦରରେ ନୂଆ ପୋଷାକ ଏବଂ ଘରୋଇ ଉପକରଣମାନ ଆଣିଦେଇଛି ମେଟ୍ରୋ ରିଟେଲ ପ୍ରାଇଭେଟ ଲିମିଟେଡ଼ (ଏମ ବଜାର)। ସୂଚନା ମୁତାବକ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମେନ ରୋଡ଼ ଇନ୍ଦିରା ମାର୍କେଟ ଠାରେ ଖୋଲିଛି ନୂଆ ସପିଙ୍ଗ ମଲ ‘ଏମ ବଜ଼ାର’। ଏହାକୁ ଉଦଘାଟନ କରିଥିଲେ ବାଲୁଗାଁର ବିଶିଷ୍ଟ ସମାଜସେବି ମମତା ପରିଡ଼ା। ଭଳିକି ଭଳି ପୁରୁଷ, ମହିଳା ଓ ଶିଶୁ ମାନଙ୍କ ପାଇଁ ପୋଷାକ ସାଙ୍ଗରେ ଘରୋଇ ଉପକରଣମାନ ରିହାତି ଦରରେ ଏହି ଏମ ବଜାର ଠାରେ ବିକ୍ରୟ କରାଯାଉଛି।

ଆଜି ଉଦଘାଟନୀ ଦିବସରେ ଗ୍ରାହକମାନଙ୍କର ନାହିଁ ନଥିବା ଭିଡ଼ ଏଠାରେ ଦେଖିବାକୁ ମିଳିଛି। ଏମ ବଜାର ସାରା ଭାରତରେ ୧୩୫ ରୁ ଊର୍ଦ୍ଧ୍ଵ ଏବଂ ଓଡିଶାର ୨୫ ରୁ ଉର୍ଦ୍ଧ୍ଵ ଛୋଟ ବଡ଼ ସହରରେ ଏହାର ଆଉଟଲେଟ ଖୋଲିଛି। ଏହାର ଆଉଟଲେଟ ଗୁଡିକରେ ଭଳିକି ଭଳି ଶାଢ଼ୀ, ଯୁବକ ଓ ଶିଶୁଙ୍କ ପାଇଁ ପୋଷାକ ସହିତ ଘରୋଇ ସାଜସଜା ଓ ଜରୁରୀ ଉପକରଣ ମାନ ବିକ୍ରୟ କରାଯାଉଅଛି।

ବାଲୁଗାଁ ଠାରେ ପୁର୍ବରୁ ଥିବା ଏକାଧିକ ସପିଙ୍ଗ ମଲ ତୁଳନାରେ ଏମ ବଜାରରେ ମିଳୁଥୁବା ସମସ୍ତ ସାମଗ୍ରୀ ଖୁବ କମ ଦରରେ ଗ୍ରାହକ ମାନେ ପାଇପାରିବେ ବୋଲି ବାଲୁଗାଁ ଶାଖା ପରିଚାଳକ ନୀଳକଣ୍ଠ ଦାସ ପ୍ରତିକ୍ରିୟା ରଖିଛନ୍ତି।

ତେବେ ଆଜିଠାରୁ ଦଶହରା ପର୍ଯ୍ୟନ୍ତ ସମସ୍ତ ପୋଷାକ ଗୁଡିକରେ ‘ବାଇ ୱାନ – ଗେଟ ୱାନ’ ଅଫର ଜାରି ରହିବ ବୋଲି ସୂଚନା ମିଳିଛି। ଏବଂ ଦଶହରା ଉପଲକ୍ଷେ ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ୧୫୦୦ ଟଙ୍କା ପର୍ଯ୍ୟନ୍ତ କ୍ରୟରେ ଆକର୍ଷଣୀୟ ଉପହାର ମଧ୍ୟ ରଖାଯାଇଥିବାର ସୂଚନା ମିଳିଛି। ତତସହିତ ପ୍ରତି ସପ୍ତାହରେ ଶେଷ ଦିବସରେ ଲକି ଡ୍ର କୁପନ ବ୍ୟବସ୍ଥା ମଧ୍ୟ ରଖାଯାଇଛି ଯେଉଁଥିରେ ଟିଭି, ଫ୍ରୀଜ଼ ପରି ବଡ଼ ଉପହାର ସାମିଲ ଅଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବିନା ଅନୁମତିରେ ବାଜିଲା ଡ଼ିଜେ, ଜବତ ହେଲା ଗାଡ଼ି, ରୁଜୁ ହେଲା ମାମଲା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ଭାବେ ଡ଼ିଜେ ବାଜିବା ଉପରେ ନିକଟରେ ଖବର ପ୍ରସାରଣ ହେବା ପରେ ପୋଲିସ ଆକ୍ସନ ମୁଡ଼କୁ ଆସିଛି। ବିଗତ ୩ ଦିନ ହେବ ବାଣପୁର ପୋଲିସ ଏକାଧିକ ଡ଼ିଜେ ଗାଡ଼ି ଜବତ କରୁଥିବା ବେଳେ ଆଜି ବାଲୁଗାଁ ପୋଲିସ ଅନୁରୂପ ଭାବେ ଏନଏସି କାଇଁଚସାହିରୁ ଏକ ଡ଼ିଜେ ଗାଡ଼ିକୁ ଜବତ କରିବା ସହ ଫୌଜଦାରୀ ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ଉକ୍ତ ଡ଼ିଜେ ଗାଡ଼ିର କୌଣସି ଅନୁମତି ପତ୍ର ନଥିବା ବେଳେ ରାତି ୮ ଘଟିକାରେ ଉଚ୍ଚ ଶବ୍ଦ ରେ ଡ଼ିଜେ ବଜାଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥଲେ। ଅଭିଯୋଗ ପାଇ ତୁରନ୍ତ ଆଇଆଇସି ଉକ୍ତ ସ୍ଥାନକୁ ଯାଇ ଡିଜେ ଗାଡ଼ି ଜବତ କରିଛନ୍ତି।

ଅନୁରୂପ ଭାବେ ଉକ୍ତ ଡ଼ିଜେରେ କିଛି ମଦ୍ୟପ ଯୁବକ ମଧ୍ୟ ନାଚୁଥୁବା ବେଳେ ଥାନା ପରିସରରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିବାରୁ ସେମାନଙ୍କ ନାମରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହୋଇଥିବାର ଆଇଆଇସି ଶ୍ରୀ ଦାସ କହିଛନ୍ତି। ୮୪ ଡେସିମିଲ ରୁ ଅଧିକ ଶବ୍ଦ ହେଲେ ବୟସ୍କ ବ୍ୟକ୍ତି ତଥା ହୃଦରୋଗୀଙ୍କ ଜୀବନ ପ୍ରତି ବିପଦ ରହୁଛି।

ଏହି ପରିପ୍ରେକ୍ଷୀରେ ଏପରି ବେଆଇନ କାର୍ଯ୍ୟକୁ ଜମା ବି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଆଇଆଇସି କହିଛନ୍ତି। ଏସଡିପିଓଙ୍କ ନିର୍ଦ୍ଦେଶ ମୁତାବକ ବେଆଇନ ଡ଼ିଜେ ବାଜିବାକୁ ନେଇ ବାଲୁଗାଁ ପୋଲିସ ଶକ୍ତ ଅଭିମୁଖ୍ୟ ଗ୍ରହଣ କରିଛି।

ସେହିପରି ଭାବେ ଡ଼ିଜେ ପାଇଁ ଆଇନ ଅନୁଯାୟୀ ଅନୁମତିପତ୍ର ଆଣି ଜନସାଧାରଣ ମାନେ ତାହା ବଜାଇପାରିବେ ବୋଲି ବାଲୁଗାଁ ପୋଲିସ ସୂଚନା ଦେଇଛି।

Categories
ଅପରାଧ ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସ୍ବାସ୍ଥ୍ୟ

ଚିଲିକା: ଏଥର ନିୟମ ନମାନିଲେ ଡିଜେ ବଜାଳିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ, ଏସଡିପିଓ ଦେଲେ ସଂକେତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି। କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି। ତେବେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ଛୋଟ ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦୀରୋଗୀ। ଏକ ନିର୍ଦ୍ଦିଷ୍ଟ ଡେସିମିଲ ପରିଧି ମଧ୍ୟରେ ଡ଼ିଜେ ବାଜିବା କଥା। ଅନୁରୂପ ଭାବେ ଡ଼ିଜେ ବଜାଇବା ନିମନ୍ତେ ଅନୁମତି ପତ୍ର ମଧ୍ୟ ଉପଜିଲ୍ଲାପାଳଙ୍କ ଠାରୁ ଆଣିବା କଥା। କିନ୍ତୁ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଘଟୁଛି। ସବୁ କଟକଣାକୁ ଜନସାଧାରଣ ମାନେ ଫୁ କରି ଉଡାଇଦେଉଛନ୍ତି।

ବାଣପୁର ଏକ ପୁରୁଣା ସହର ହୋଇଥିବା ବେଳେ ଏହାର ରାସ୍ତା ଗୁଡ଼ିକ ଅତି ସଂକୀର୍ଣ୍ଣ ଏବଂ ଘର ଗୁଡ଼ିକ ମଧ୍ୟ ବହୁ ପୁରାତନ। ଏହି ପରିସ୍ଥିତିରେ ଯଦି ଉକ୍ତ ରାସ୍ତା ଦେଇ ଜୋର ଶବ୍ଦରେ ଡ଼ିଜେ ବାଜୁଛି ତେବେ ଘରର ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ। ଅନୁରୂପ ଭାବେ ଚଳିତ ବର୍ଷ ଗଣେଶ ପୂଜା ଭଷାଣିରେ ଡ଼ିଜେ ବାଜିବାକୁ ନେଇ ଉକ୍ତ ଅଂଚଳରେ ଛୋଟ ମୋଟ ଗଣ୍ଡଗୋଳ ମଧ୍ୟ ଉପୁଜିଥିବାର ଦେଖାଯାଇଛି।

ତେବେ ଏଥିରେ ଅତିଷ୍ଠ ହୋଇ ଗତକାଲି ବାଣପୁର ଅଞ୍ଚଳର ଜଣେ ଯୁବକ ଖୋର୍ଦ୍ଧା ଏସପିଙ୍କୁ ଟ୍ୱିଟ କରିଥିବାର ମଧ୍ୟ ଦେଖାଯାଇଛି। ପୋଲିସ ପ୍ରଶାସନ ଏବଂ ଉଭୟ ତହସିଲଦାର ଏ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ପଚାରିବାରୁ ପୋଲିସ ଉଭୟ ଅଞ୍ଚଳରେ ଯଥାସମ୍ଭବ ପାଟ୍ରୋଲିଂ ଜାରି ରଖିଛି ଏବଂ ଯଦି ଏପରି ସମସ୍ୟାର କେହି ସମ୍ମୁଖୀନ ହେଉଛନ୍ତି, ତେବେ ସେ ବ୍ୟକ୍ତି ତୁରନ୍ତ ଏସଡିପିଓ ଙ୍କ ବ୍ୟକ୍ତିଗତ ନମ୍ବର (୯୦୭-୮୯୩-୪୯୩୪) କୁ କଲ କିମ୍ବା ହ୍ଵାଟ୍ସଆପରେ ମେସେଜ କରିବାକୁ ଅନୁରୋଧ କରିଛନ୍ତି। ଏବଂ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶ୍ୱଶୁର ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ବଧୂଙ୍କୁ ଯୌତୁକ ନିମନ୍ତେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ମାରିଦେଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ବଧୂଙ୍କ ଭାଇ ପୁରି ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଗୋପାଳକୃଷ୍ଣ ପଣ୍ଡା।

ଅଭିଯୋଗ ମୁତାବକ ଗୋପାଳଙ୍କ ସାନ ଭଉଣୀ ସ୍ଵାଗତିକା ପଣ୍ଡା ଜୁନ ୨୦୨୦ ରେ ବାଲୁଗାଁ ଅଞ୍ଚଳର ପ୍ରିତମ ହୋତାଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ଵାଗତିକାକୁ ସ୍ୱାମୀ ପ୍ରିତମଙ୍କ ସମେତ ଶାଶୁ ଶ୍ୱଶୁର ବାରମ୍ବାର ଯୌତୁକଜନିତ ନିର୍ଯ୍ୟାତନା ଦେଇଆସୁଥିଲେ। ତେବେ ଗତକାଲି ସଂନ୍ଧ୍ୟାରେ ଗୋପାଳ ତାଙ୍କ ଭଉଣୀ ସ୍ଵାଗତିକାଙ୍କ ସହ କଥା ହେବା ନିମନ୍ତେ ତାଙ୍କୁ ଏବଂ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଫୋନ କରିଥଲେ ସୁଦ୍ଧା କେହି ଫୋନ ଉଠାଇନଥିଲେ। ଏବଂ ସେ ରାତିରେ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଭଉଣୀଙ୍କ ମର ଶରୀର ବାଲୁଗାଁ ମେଡିକାଲରେ ପଡ଼ିଛି।

ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଗୋପାଳ ଅଭିଯୋଗ କରିଛନ୍ତି। ଖବର ପାଇ ବାଲୁଗାଁ ଏସଡିପିଓ, ଆଇଆଇସି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେସ ନମ୍ବର ୧୭୨/୨୨ ରେ ଦଫା ୩୦୨, ୩୦୪ (ଖ) ରେ ମାମଲା ରୁଜୁ କରି ପ୍ରାଥମିକ ପର୍ଯ୍ୟାୟରେ ସ୍ୱଗତିକାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଲୁଗାଁ ଆଇଆଇସି କହିଛନ୍ତି।