ରାତିପାହିଲେ କେନ୍ଦ୍ରପଡା ନିର୍ବାଚନ ହେଲେ ଏ ପର୍ଯ୍ୟନ୍ତ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଚା ଶେଷ ହେଉ ନାହିଁ। ବିଳମ୍ବିତ ସମୟରେ ବିଜେଡି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପ୍ରଚାର ବନ୍ଦ ଥିବା ବେଳେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଡିଜିଟାଲ ମିଡିଆରେ ପ୍ରଚାର କରୁଛନ୍ତି। ଅଭିଯୋଗ ଅନୁଯାୟୀ ବୈଜୟନ୍ତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି। ଏପରିକି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଲୋକଙ୍କ ପାଖକୁ ଫୋନ କଲ ଆସୁଛି ଯେ, ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମଫୁଲରେ ଭୋଟ ଦିଅନ୍ତୁ। ନିର୍ବାଚନ ଆଚରଣ ବିଧି ଅନୁସାରେ କୌଣସି ପ୍ରାର୍ଥୀ ଭୋଟ ଗ୍ରହଣର 48 ଘଣ୍ଟା ପୂର୍ବରୁ କିଛି ବି ପ୍ରଚାର କରିପାରିବେ ନାହିଁ। ହେଲେ ବୈଜୟନ୍ତ କିପରି ପ୍ରଚାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବୀ କରିଛି।
Tag: ବିଜେପି
କେଦାର ମିଶ୍ର
ଆମ ରାଜ୍ୟରେ ନିର୍ବାଚନ ପ୍ରଚାର ସରିଛି। ନିର୍ବାଚନ ଘୋଷଣା ହେବା ପରର ଦେଢମାସ ଓ ତା ପୂର୍ବର ତିନିମାସ, ଏମିତି ସାଢେ ଚାରି ମାସ ଧରି ରାଜନୈତିକ ଦଳମାନଙ୍କର ପ୍ରଚାର ସର୍କସ ଆମେ ଦେଖି ଆସିଛୁ। ଆଜିଠୁ ଆଉ ଆମ ଦାଣ୍ଡରେ ଜୋର ଜୋର ଚିତ୍କାର କରି ପ୍ରଚାର ଗାଡି ବୁଲିବାର ନାହିଁ। ସକାଳୁଆ ଖବର କାଗଜରେ ଲୋଭନୀୟ ପ୍ରତିଶୃତିର ମାୟାଜାଲ ଆଉ ବାହାରିବାର ନାଇଁ। ଲେଜର ବସ, ରୋଡ ସୋ, ଗାଳି ଗୁଲଜ, ଭାଇରାଲ ଭିଡିଓ, ଯୋଜନା ଘୋଷଣାର ଯୁଦ୍ଧ ଓ ପରସ୍ପରକୁ ନୀଚ କରି ଦେଖେଇବାର ରାଜନୀତି ଆଜିଠୁ କମିଯିବ। ଅନ୍ତତଃ ମେ ମାସ ୨୩ ତାରିଖ ଯାଏ ଟିକେ ଶାନ୍ତି। ଅନ୍ୟ ରାଜ୍ୟମାନଙ୍କରେ ଆଉ ତିନୋଟି ଥାକରେ ନିର୍ବାଚନ ସରିବା ପର୍ୟନ୍ତ ଆମେ ଓଡିଶାରେ ଅନୁମାନ, ଆକଳନ ଓ ମିଶାଣ ଫେଡାଣ ଲାଗି ପ୍ରାୟ ୨୫ ଦିନ ସମୟ ପାଇବୁ। ଏବେ କୁହାଯାଇପାରେ, ରାଜନେତାଙ୍କ ଲାଗି ଏବେ ଛୁଟିର ସମୟ। ସେଇ ଛୁଟିର ସମୟ ଭିତରେ ନିର୍ବାଚନ ପ୍ରଚାରର କିଛି ଛୋଟ ଛୋଟ କାହାଣୀ ମନେ ପକେଇବା ଆସନ୍ତୁ।
କାହାଣୀ -୧ ; ପୋଡା ଟ୍ରାନ୍ସଫର୍ମର
ଏ ନିର୍ବାଚନରେ ସବୁଠୁ କଡା ଓ ବିଷାକ୍ତ ଭାଷା ଶୁଣିବାକୁ ମିଳିଥିଲା ବିଜେପି ସଭାପତି ଅମିତ ଶାହଙ୍କ ମୁହଁରୁ। ଶାହ ଯେତେଥର ଓଡିଶା ଆସିଲେ, ସେତେଥର କହିଲେ ଯେ ନବୀନ ସରକାର ଏକ ପୋଡା ଟ୍ରାନ୍ସଫର୍ମର ଓ ତାକୁ ଓପାଡି ସମୁଦ୍ରରେ ଫିଙ୍ଗିଦେବା ଦରକାର। ଶାହଙ୍କ କଥାରେ ତେଜ ଥିଲା, ହେଲେ ସରକାରକୁ ଓପାଡି ଫୋପାଡି ଦେବାକୁ ସେ ଯେଉଁ “ମିଶନ ୧୨୦+” ର ସ୍ଲୋଗାନ ଦେଇଥିଲେ, ସେଟା ଆଉ ନିର୍ବାଚନ ସମୟରେ ଶୁଣିବାକୁ ମିଳିନଥିଲା। ତେବେ କାହାଣୀ ରେ ସବୁଠୁ ବଡ ଟୁଇଷ୍ଟ ଆସିଥିଲା, ଯେତେବେଳେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ଅନୁଗତ ସଭାପତିଙ୍କୁ ଅନୁସରଣ କରି “ନବୀନ ସରକାର କା ଜାନା ତୟ ହୈ” ବୋଲି କହିଥିଲେ। ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଭାଷଣରେ ମର୍ଯାଦାର ଅପମୃତ୍ୟୁ, ଏ କାହାଣୀର ସାରାଂଶ ବୋଲି ଆମେ କହି ପାରିବା।
କାହାଣୀ-୨; ଆପନ ମାନେ ଖୁସି ତ !
ପ୍ରଥମେ ପୁରୁଷ ବିଶ୍ଵ କପ ହକି ର ଉଦ୍ଘାଟନ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେତ ଜନତାଙ୍କୁ ପଚାରିଥିଲେ- ଆପନ ମାନେ ଖୁସି ତ! ବାସ, ସେଇଠୁ ସେ କଥା ପଦକ, ନିର୍ବାଚନୀ ସ୍ଲୋଗାନ ପାଲଟିଗଲା। ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡି ଓଡିଆରେ (ଆଜି ବି ୧୯ ବର୍ଷର ଶାସନ ପରେ ତାଙ୍କ ମୁହଁ ରେ ସେଇ ଖଣ୍ଡି ଓଡିଆ ରହିଛି) ସେ କଥା ପଦକ ନିର୍ବାଚନ ପରିବେଶର ସବୁଠୁ ବଡ ସ୍ଲୋଗାନ ହୋଇ ରହିଗଲା। କେହି କେହି ତାକୁ ବିଦୃପ କଲେ, ସୋସିଆଲ ମିଡିଆରେ ତାକୁ ନେଇ ଜୋକ୍ସ ତିଆରି ହେଲା, କିନ୍ତୁ ସବୁଠି ଶୁଣାଗଲା- ଆପନ ମାନେ ଖୁସି ତ! ଏ ଖୁସି ରେ ଟଙ୍କିକିଆ ଚାଉଳ, କାଳିଆ ଯୋଜନା, ମିଶନ ଶକ୍ତି ଓ ଆହୁରି ଅନେକ କାହାଣୀ ରହିଥିଲା। ତେବେ ସେ ଖୁସି ସତ କି ମିଛ, ତାହା ମେ ୨୩ ରେ ଜଣା ପଡିଯିବ।
କାହାଣୀ-୩; ବେଇମାନ ଓ ସ୍ବାଭିମାନ
ବିଜେଡ଼ିରୁ ବହିଷ୍କୃତ ହେବା ପରେ କେନ୍ଦ୍ରାପଡାର ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଯେଉଁ ବ୍ୟକ୍ତିଗତ କଟୁତା ଦେଖିବାକୁ ମିଳିଥିଲା, ତାହା ଥିଲା ଏ ନିର୍ବାଚନର ସବୁଠୁ ଅରୁଚିକର କାହାଣୀ। ନିର୍ବାଚନର ଅନ୍ତିମ ପର୍ଯାୟ ଆସିଲା ବେଳକୁ ବୈଜୟନ୍ତ ବାବୁ ନିଜର ସ୍ଵର୍ଗତ ପିତା ବଂଶୀଧର ପଣ୍ଡା ଓ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ଏଇ ଝଗଡା ଭିତରକୁ ଟାଣି ଆଣିଥିଲେ। ବିଜୁ ବାବୁ ବଂଶୀ ପଣ୍ଡାଙ୍କ ଦୟାରେ ନିଜ ଘର ବଞ୍ଚାଇଥିଲେ ବୋଲି କହି ବୈଜୟନ୍ତ ବହୁ ତଳ ସ୍ତରକୁ ଖସି ଆସିଥିଲେ। ସେହିପରି ନବୀନ ବାବୁ ଆଜି ପର୍ଯନ୍ତ ରାଜନୀତିରେ କେବେ କାହା ବିରୋଧରେ କହିନଥିବା ବେଳେ ପ୍ରଥମଥର ଲାଗି ସେ ଖୋଲାଖୋଲି ବୈଜୟନ୍ତଙ୍କୁ ବେଇମାନ ବୋଲି କହିଥିଲେ, ଯାହାକି ତାଙ୍କ ବ୍ୟକ୍ତିତ୍ବର ପରିପନ୍ଥୀ ବୋଲି କୁହାଯାଇପାରେ।
କାହାଣୀ-୪: ମେ ୨୬ ଲାଗି ନିମନ୍ତ୍ରଣ ପତ୍ର
ନିର୍ବାଚନ ସରିନି, ଫଳ ବାହାରିବାକୁ ଆହୁରି ୨୫ ଦିନ ବାକି ଅଛି। ହେଲେ ବିଜେଡି ଓ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣକୁ ଆସିବା ଲାଗି ନିମନ୍ତ୍ରଣ ବଣ୍ଟା ସରିଲାଣି। ବିଜେପିର ତ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା ହୋଇନି। ହେଲେ ଧର୍ମେନ୍ଦ୍ର ପ୍ରଧାନ ମନେ ମନେ ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। କେନ୍ଦ୍ରାପଡା ସଭାରେ ପ୍ରଧାନମନ୍ତ୍ରୀ ଯେତେବେଳେ କହିଲେ ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଯିବା ନିଧାର୍ୟ, ତାରି ଉତ୍ତରରେ ଏକ ବିଦ୍ରୁପାତ୍ମକ ଉତ୍ତର ରଖି ନବୀନ ବାବୁ କହିଲେ ଯେ ମୁଁ ମୋର ଶପଥ ଗ୍ରହଣ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ କରୁଛି। କଥାଟି ସେତିକି ମାତ୍ର। ସତ କହିବାକୁ ଗଲେ ମେ ୨୩ ପରେ ମୋଦୀ ଯେ ପ୍ରଧାନମନ୍ତ୍ରୀ ହୋଇ ରହିବେ ବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ, ତାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାଇଁ। ଏ ପ୍ରକାର ନିମନ୍ତ୍ରଣ ପତ୍ର ଦେଖିଲେ ଲାଗୁଛି, ସତରେ ଆମ ରାଜନୀତିର ସ୍ତର କେତେ ତଳକୁ ଖସି ସରିଲାଣି। ଏଠି ନିର୍ବାଚନ ପ୍ରକ୍ରିୟା ଓ ସମ୍ବିଧାନ ଉପରେ ବୋଧହୁଏ କାହାର ଆଉ ଭରସା ନାହିଁ।
ତେବେ ଏ ସବୁ କାହାଣୀ ଭିତରେ ଆମର କାହାଣୀ ହେଲା, ଯିଏ ବି ସରକାର ଗଢୁ, ଆମର କାମ ହେଲା ସେ ସରକାର ଉପରେ ସତର୍କ ପ୍ରହରୀର ନଜର ରଖିବା ଓ ଆମେ ସେଥିଲାଗି ବଦ୍ଧ ପରିକର।
(ମୋବାଇଲରେ ଚଟାପଟ୍ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ମୋବାଇଲ ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର)
କେଦାର ମିଶ୍ର
ଓଡିଶାରେ କ୍ଷମତା ପରିବର୍ତ୍ତନର ପାଦଶବ୍ଦ ଶୁଭୁଛି କି ? ବେଳେ ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଯେଉଁ ପରିବର୍ତ୍ତନର କଥା କହୁଛନ୍ତି ବା ଗୋଟେ ଅଧେ ଟେଲିଭିଜନ ଚାନେଲରେ ଯେଉଁ ପରିବର୍ତ୍ତନର ଆଲୋଚନା ଚାଲିଛି, ସାଧାରଣ ଲୋକ ତାକୁ କେମିତି ଦେଖୁଛନ୍ତି ? ଗତ ଏପ୍ରିଲ ୨ ତାରିଖରୁ ୨୬ ତାରିଖ ପର୍ୟନ୍ତ ଆମେ ପାଖାପାଖି ୩୦୦୦ କିଲୋମିଟର ଘୂରିଛୁ ଓ ଏଇ ଯାତ୍ରାରେ ଆମେ ୧୮ଟି ଲୋକସଭା ଓ ୮୪ ଟି ବିଧାନସଭା କ୍ଷେତ୍ର ବୁଲି ଦେଖିଛୁ। ରାସ୍ତାରେ, ଚା ଦୋକାନରେ, ଗାଁ ମୁଣ୍ଡ ବରଗଛ ତଳେ, ରାଲିରେ, ପେଟ୍ରୋଲ ପମ୍ପରେ ଓ ରାସ୍ତାରେ ଆମେ ଶହ ଶହ ଲୋକଙ୍କ ସହ ଭୋଟ ରାଜନୀତିକୁ ନେଇ ଚର୍ଚ୍ଚା କରିଛୁ। ଶେଷ ପର୍ୟାୟ ନିର୍ବାଚନ ହେବାକୁଥିବା କେନ୍ଦ୍ରାପଡା, ଭଦ୍ରଖ, ଜଗତସିଂପୁର, ଯାଜପୁର, ବାଲେଶ୍ଵର ଓ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ଅଧିକାଂଶ ବିଧାନସଭା କ୍ଷେତ୍ର ବୁଲି ବୁଲି ଆମେ ଜାଣିବାକୁ ଚାହିଁଛୁ ଯେ ବାସ୍ତବରେ ପରିବର୍ତ୍ତନର ସମ୍ଭାବନା ଦିଶୁଛି କି ? ଏତେ ବାଟ ବୁଲିଲା ପରେ ଗୋଟେ କଥା କହିବାକୁ ପଡିବ ଯେ, ପରିବର୍ତ୍ତନ ତ ଦୂରର କଥା ବର୍ତ୍ତମାନର ସରକାର ଉପରେ ସାମାନ୍ୟ ଆକ୍ରୋଶ କେଉଁଠି ନାହିଁ। ୧୯ ବର୍ଷ ଶାସନ କଲାପରେ ମଧ୍ୟ ନବୀନଙ୍କ ବିକଳ୍ପ ଖୋଜିବାକୁ ଲୋକେ ପ୍ରସ୍ତୁତ ନୁହନ୍ତି। ଯେମିତି ୨୦୧୪ ନିର୍ବାଚନରେ ବିଜେପିର ଚାବିକାଠି ଥିଲା “ଆଚ୍ଛେ ଦିନ” , ସେହିପରି ୨୦୧୯ ନିର୍ବାଚନରେ ଓଡିଶାର ଚାବିକାଠି ହେଉଛି “ନବୀନ ବାବୁ ଭଲଲୋକ”। ସୋସିଆଲ ମିଡିଆରେ କିମ୍ବା ଟେଲିଭିଜନରେ ନବୀନ ବାବୁଙ୍କୁ ଯେତେ ଗାଳି କଲେ ମଧ୍ୟ, ତାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ।
ନବୀନଙ୍କ ଭଲଲୋକ ହେବାର ଛବିଟି ଏତେ ବିରାଟ ହୋଇ ଯାଇଛି ଯେ, ତା ପାଖରେ ଠିଆ ହେବାଲାଗି ଆଉ କାହାର ସାହସ ହେବା ସହଜ କଥା ନୁହଁ। ତେବେ ନବୀନଙ୍କ ସହ ତୁଳନୀୟ ଆଉ ଜଣେ ନେତାଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି, ସେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛୋଟ ଛୋଟ ସହରରେ ଓ ସହରକୁ ଲାଗିଥିବା ଗାଁମାନଙ୍କରେ ନରେନ୍ଦ୍ର ମୋଦୀଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ସେଠି ମୋଦୀ ଚର୍ଚ୍ଚାର ପରିସର ଅଲଗା। “ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ” ଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି। ତେବେ ଏଇ ଚର୍ଚ୍ଚାର ଆରମ୍ଭ ମଧ୍ୟ ନବୀନଙ୍କ ପାଖରୁ। ନବୀନ ଯେହେତୁ ମୋଦୀଙ୍କୁ କେବେ ବିରୋଧ କରିନାହାନ୍ତି, ତାହାର ପ୍ରଭାବ ଲୋକଙ୍କ ଭିତରକୁ ଯାଇଛି। ଆଜି ଲୋକସଭା ପାଇଁ ବିଜେଡ଼ିକୁ ଯେଉଁ ସଂଘର୍ଷ କରିବାକୁ ପଡୁଛି, ତାହାର ଏକମାତ୍ର କାରଣ ହେଉଛି, ମୋଦୀ ସରକାରର ସବୁ ଜନବିରୋଧୀ ନୀତି ଉପରେ ବିଜେଡ଼ିର ନୀରବତା। ନବୀନଙ୍କ ପ୍ରତି ରାଜ୍ୟରେ ପ୍ରଚଣ୍ଡ ଜଣ ସମର୍ଥନ ସତ୍ତ୍ୱେ ଲୋକସଭା ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆଗ୍ରହର ଏହା ଏକା ପ୍ରମୁଖ କାରଣ।
ତେବେ ପରିବର୍ତ୍ତନ ଅପେକ୍ଷା ସ୍ଥିତାବସ୍ଥା ସପକ୍ଷରେ ଆଜି ବି ଓଡିଶାରେ ପ୍ରବଳ ଜନମତ ରହିଛି। କେନ୍ଦ୍ରାପଡା ସମ୍ପର୍କରେ ଆଗରୁ ଆମେ ଆଲୋଚନା କରିଛୁ। ନବରଙ୍ଗପୁର ପରେ ଭଦ୍ରଖ ହେଉଛି ଆଉ ଏକ ଆସନ ଯେଉଁଠି କଂଗ୍ରେସ ସହିତ ବିଜେଡ଼ିର ତୀବ୍ର ମୁକାବିଲା ହେଉଛି। ସୋରୋ, ଭଣ୍ଡାରି ପୋଖରୀ ଓ ସିମୁଳିଆରେ କଂଗ୍ରେସର ସ୍ଥିତି ବେଶ ଭଲ ଜଣା ପଡୁଛି। ବାଲେଶ୍ଵର ଓ ଯାଜପୁରରେ ବିଜେଡ଼ିର ସ୍ଥିତି ଯଥା ପୂର୍ବ ରହିଥିବା ବେଳେ ମୟୂରଭଞ୍ଜରେ ବିଜେଡି ଲାଗି ବହୁ ସଙ୍କଟ ରହିଛି। ଅନେକ ଜାଗାରେ ସ୍ଥାନୀୟ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ରହିଛି। ହେଲେ ନବୀନ ଅଜାତଶତ୍ରୁ। ତାଙ୍କ ବିରୋଧରେ କହିବାର କିଛି ନାଇଁ।
ଏହାକୁ ଆମ ରାଜନୈତିକ ମନସ୍ତତ୍ତ୍ଵରେ କଣ ବୋଲି କହିପାରିବା? ସ୍ଥିତାବସ୍ଥା ସପକ୍ଷରେ ଜନମତର ଏକ ଲମ୍ବା ଇତିହାସ ଆମ ଦେଶରେ ରହିଛି। ଜ୍ୟୋତି ବସୁ(୨୩ ବର୍ଷ), ପବନ କୁମାର ଚାମଲିଙ୍ଗ(୨୪ ବର୍ଷ), ମାଣିକ ସରକାର(୧୯ ବର୍ଷ) ଙ୍କ ପରି ନବୀନ ବାବୁ ମଧ୍ୟ ଦୀର୍ଘ ବର୍ଷ ଶାସନରେ ରହିଲେଣି। ଏଥର ନିର୍ବାଚିତ ହେଲେ ସେ ଜ୍ୟୋତି ବସୁଙ୍କ ରେକର୍ଡ ସହ ସମକକ୍ଷ ହେବେ। ଏତେ ଦିନ କ୍ଷମତାରେ ରହିବା ପରେ ସ୍ଵାଭାବିକ ଭାବରେ ନେତୃତ୍ୱ ପରିବର୍ତ୍ତନ ଲାଗି ଲୋକଙ୍କ ମନରେ ଉଦ୍ବେଳନ ତିଆର ହେବା କଥା। ସେଥିଲାଗି ବିଜେପି ଏଥର ନିଜର ମୁଖ୍ୟ ସ୍ଲୋଗାନ ରଖିଛି- “ଏ ସରକାର ବଦଳିବା ଦରକାର”। ହେଲେ ଲୋକ ବୋଧ ହୁଏ ଚାହୁଁଛନ୍ତି- “ଏ ସରକାର ରହିଥିବା ଦରକାର”।
( ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )
କେଦାର ମିଶ୍ର
ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୨୦୧୪ ତୁଳନାରେ ଅଧିକ ଭଲ ଫଳ ପାଇବା ବୋଲି ଆଶା କରା ଯାଉଛି। ବିଭିନ୍ନ ଗୁଇନ୍ଦା ସୂତ୍ର ଓ କ୍ଷେତ୍ର ଅଧ୍ୟୟନରୁ ଯାହା ଜଣାପଡୁଛି, କେବଳ ବଲାଙ୍ଗୀର ଲୋକସଭା ଆସନକୁ ବାଦ ଦେଲେ ବାକି ସବୁ କ୍ଷେତ୍ରରେ ବିଜେଡ଼ିର ପଲା ଭାରି ରହିଥିବାର ସୂଚନା ମିଳୁଛି। ପ୍ରଥମଥର ଲାଗି ଓଡିଶାରେ ଭୋଟରଙ୍କ ମୁହଁରୁ “ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ଫୁଲ’’ ର କଥା ଶୁଣି କେହି କେହି ଏହା ବିଜେପି ପାଇଁ ଲାଭଜନକ ହେବ ବୋଲି ବିଶ୍ଵାସ କରୁଛନ୍ତି। କିନ୍ତୁ ସମାନ୍ତରାଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏ ପ୍ରକାର ଭୋଟ ବିଭାଜନ ଅତି ବେଶୀରେ ୧୦% ରୁ ଅଧିକ ହୁଏ ନାହିଁ। ଗୋଟିଏ ଚିହ୍ନ ଓ ଗୋଟିଏ ନେତା ର ଧାରା ଠୁ ଦୁଇ ଚିହ୍ନ ଓ ଦୁଇ ନେତାଙ୍କ ଆଡକୁ ସଚେତନ ଭାବରେ ଯାଇ ପାରିବାର ରାଜନୈତିକ ପରିପକ୍ଵତା ଆମର ଏଯାଏ ଆସିନାହିଁ। ତେବେ ବିଭିନ୍ନ ସୂତ୍ରର ଆଧାରରେ ପ୍ରଥମ ୯ ଟି ଲୋକସଭା ଓ ୬୩ ଟି ବିଧାନସଭା ଆସନରୁ ଦୁଇ ଭାଗରୁ ଅଧିକ ବିଜେଡି ଖାତାକୁ ଯାଇସାରିଛି। ଆହୁରି ଏକ ଚମକପ୍ରଦ ସତ୍ୟ ହେଉଛି, କଂଗ୍ରେସ ଦଳ ସବୁଠୁ ଖରାପ ପ୍ରଚାର କରିଥିଲେ ମଧ୍ୟ ବିଧାନସଭାରେ ଆଜି ମଧ୍ୟ ଏହା ବିଜେଡି ତଳକୁ ଦ୍ଵିତୀୟ ସ୍ଥାନରେ ରହିଛି। ପ୍ରଥମ ଦୁଇଟି ପର୍ୟାୟରେ ବିଜେପିର ବିଧାନସଭା ପ୍ରଦର୍ଶନ ଆଦୌ ଆଶାଜନକ ଲାଗୁନାହିଁ।
ଏବେ ବିଜେଡି ଲାଗି ଅସଲ ଅଗ୍ନି ପରୀକ୍ଷା ତୃତୀୟ ପର୍ଯ୍ୟାୟରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି ଏବେ ଉପକୂଳ ଓଡିଶାରେ ଏକ ବଡ ଶକ୍ତି ଭାବରେ ଉଭା ହୋଇଛି। ପ୍ରଥମଥର ଲାଗି ଭୁବନେଶ୍ୱର, ପୁରୀ, କଟକ, ଢେଙ୍କାନାଳ,ସମ୍ବଲପୁର ଓ କେନ୍ଦୁଝର ଆସନରେ ବିଜେଡ଼ିର ମୁଖ୍ୟ ମୁକାବିଲା କଂଗ୍ରେସ ବଦଳରେ ବିଜେପି ସହିତ ହେବ। ବିଜେପିର ସବୁଠୁ ଭଲ ସଂଗଠନ ଥିବା ପଶ୍ଚିମ ଓଡିଶାରେ ଦଳ ନିଜର ପ୍ରାର୍ଥୀ ଚୟନ ଓ ଦୁର୍ବଳ ରଣନୀତି କାରଣରୁ ହାରୁଥିବା ବେଳେ ଉପକୂଳ ଓଡିଶାରେ ଏହାର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଉଛି।
ପୁରୀ ଆସନରେ ବିଜେଡ଼ିର ପିନାକୀ ମିଶ୍ର, ବିଜେପିର ସଂବିତ ପାତ୍ର ଓ କଂଗ୍ରେସର ସତ୍ୟପ୍ରକାଶ ନାୟକଙ୍କ ଭିତରେ ତ୍ରିମୂଖୀ ଲଢେଇ ହେଉଥିଲେ ହେଁ, ବସ୍ତୁତଃ ଏଠାରେ କଂଗ୍ରେସ ଏକ ପ୍ରକାର ଅଦୃଶ୍ୟ ମାନେ ହେଉଛି। ବ୍ରହ୍ମଗିରି ଆସନରେ ଲୁଲୁ ମହାପାତ୍ରଙ୍କ ପରିବାର ବିଜେପିକୁ ଆସିବା ପରେ ସେଠିକାର କଂଗ୍ରେସ ସଂଗଠନ ଏବେ ଗେରୁଆ ହୋଇ ଯାଇଛି। ପୂର୍ବରୁ ରଣପୁର ଓ ଚିଲିକାରେ ବିଜେପିର ଭଲ ପ୍ରଦର୍ଶନ ରହିଥିଲା। ଏଥିରେ ବ୍ରହ୍ମଗିରି ଓ ସତ୍ୟବାଦୀ ଏଥର ସାମିଲ ହେବାକୁ ଯାଉଛି। ଏପରିକି ପିପିଲି ଆସନରେ ମଧ୍ୟ ବିଜେପି ବିଜେଡ଼ିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ରହିଛି। ସେ ଦୃଷ୍ଟିରୁ ବିଜେଡ଼ିକୁ ପୁରୀ ଆସନରେ ପ୍ରଥମଥର ଲାଗି କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ।
କଟକ ଆସନରେ ବିଜେଡ଼ିର ଭର୍ତ୍ତୃହରି ମହତାବ, ବିଜେପିର ପ୍ରକାଶ ମିଶ୍ର ଓ କଂଗ୍ରେସର ପଂଚାନନ କାନୁନଗୋଙ୍କ ମଧ୍ୟରେ ଲଢେଇ ହେଉଛି। ତେବେ ପୁରୁଖା କଂଗ୍ରେସ ନେତା ପଂଚାନନ କାନୁନଗୋଙ୍କ ସପକ୍ଷରେ ପ୍ରଚାର ଲାଗି କଂଗ୍ରେସ ଦଳ ସେମିତି ବିଶେଷ କିଛି ଉଦ୍ୟମ କଲା ଭଳି ଦିଶୁନାହିଁ। କଟକରେ ଦୃଶ୍ୟପଟ ବଡ ବିଚିତ୍ର। ଖଣ୍ଡପଡାରେ ସବୁକିଛି ଶାଗୁଆ ଦେଖା ଯାଉଥିବା ବେଳେ ବଡମ୍ବାରେ ସବୁକିଛି ଗୈରିକ ଦେଖାଯାଉଛି। ସେହିପରି ବାରବାଟୀ କଟକରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କ ସପକ୍ଷରେ ଜନମତ ବାରି ହୋଇପଡୁଛି। ବାକି ଚାରୋଟି ଆସନ- କଟକ ସଦର, ଚୌଦ୍ବାର କଟକ, ବାଙ୍କି ଓ ଆଠଗଡରେ ସ୍ଥିତି ବିଜେଡି ପାଇଁ ଅନୁକୂଳ ରହିଛି। ତେବେ ସବୁ ଅଞ୍ଚଳରେ ବିଜେଡ଼ିର ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କ୍ରୋଧ ଓ ଆକ୍ରୋଶ ର ସ୍ଵର ସ୍ପଷ୍ଟ ବାରି ହୋଇ ପଡୁଛି। ଅପର ପକ୍ଷରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ପାଇଁ ଲୋକଙ୍କ ମନରେ ଆଗ୍ରହ ରହିଛି। ଏହି ଆଗ୍ରହ ଭୋଟରେ ରୂପାନ୍ତରିତ ହୋଇ ପାରିବ କି ନା, ତାହାରି ଉପରେ ସବୁକିଛି ନିର୍ଭର କରୁଛି।
ଭୁବନେଶ୍ବରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପାଇଁ ସ୍ଥିତି ଅନୁକୂଳ ମାନେ ହେଉଥିଲେ ମଧ୍ୟ, ତାଙ୍କ ପାଇଁ ସବୁଠୁ ବଡ ମୁଣ୍ଡ ବିନ୍ଧା ହେଉଛି, ବିଜେପି ଭିତରେ ରହିଥିବା ଗୋଷ୍ଠୀ କନ୍ଦଳ। ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଅପରାଜିତାଙ୍କ ପରାଜୟ ଲାଗି ଗୋପନ ଷଡଯନ୍ତ୍ର ରଚନା କରୁଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ବିଶେଷ ଲୋକ ସମ୍ପର୍କ ରଖିନାହାନ୍ତି। କେବଳ ନବୀନ ପଟ୍ଟନାୟକଙ୍କ ନାଁରେ ସେ ଯଦି ତରିଯିବେ, ହୁଏତ ତାହା ଏକ ଆଶ୍ଚର୍ୟ କାହାଣୀ ହେବ। ଅପରାଜିତାଙ୍କର ଆଉ ଏକ ଲାଭ ହେଉଛି ସେ ଭୁବନେଶ୍ଵର ମହାନଗର ନିଗମ ର ମୁଖ୍ୟ କାର୍ୟ ନିର୍ବାହୀ ଓ ଖୁର୍ଦ୍ଧା ଜିଲାପାଳ ଭାବରେ ନିଜ ନିର୍ବାଚନ ମଣ୍ଡଳିରେ ବେଶ ପରିଚିତ। ଅରୂପ ପଟ୍ଟନାୟକ କିନ୍ତୁ ଏବେବି ଅପରିଚିତ ବା ଅଳ୍ପ ପରିଚିତ। ଏଠି ବିଜେଡି ବିଧାୟକମାନଙ୍କ କାନ୍ଧରେ ସବାର ହୋଇ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ ରହିଛି।
ସମ୍ବଲପୁର ଲୋକସଭା ଆସନ ପାଇଁ, କୁଚିଣ୍ଡା ଓ ଦେବଗଡରେ ବିଜେପି ଲୋକସଭା ପ୍ରାର୍ଥୀଙ୍କ ଲାଗି ଜନମତ ପ୍ରବଳ ଲାଗୁଥିବା ବେଳେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବିଜେଡ଼ିର ସ୍ଥିତି ବେଶ ଟାଣ ରହିଛି। ସମ୍ବଲପୁର ଓ ରେଙ୍ଗାଲିରେ କଡା ମୁକାବିଲା ରହିଛି, କିନ୍ତୁ ରେଢାଖୋଲରେ କଂଗ୍ରେସର ପଲା ଭାରି ଲାଗୁଛି। ଏ ପ୍ରକାର ଗୋଳିଆମିଶା ପରିସ୍ଥିତିରେ ଫଳ ଯେ କାହା ସପକ୍ଷରେ ଯିବ ତାହାର ଆକଳନ ସହଜ ନୁହେଁ।
ଢେଙ୍କାନାଳ ଆସନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ଓ ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଏକଦା ପରସ୍ପରର ବେଶ ଅନ୍ତରଙ୍ଗ ଥିଲେ।କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂ ଦେଓଙ୍କର ନିଜସ୍ଵ ପତିଆରା ରହିଛି। ତେବେ ବିଧାନସଭା ଆସନ ଗୁଡିକରେ ବିଜେଡିର ପ୍ରଭାବ ରହିଥିବାରୁ ଏହା ହୁଏତ ବିଜେଡିକୁ ସୁହାଇପାରେ। କେନ୍ଦୁଝର ଆସନର ସ୍ଥିତି ପରଖିବାକୁ ଆମେ ପହଞ୍ଚି ପାରିନାହୁଁ। ତେଣୁ ସେ ବିଷୟରେ ମତାମତ ଦେବା ଠିକ ହେବନାହିଁ।
ଏହି ୬ ଟି ଲୋକସଭା ଆସନ ଓ ୪୨ ଟି ବିଧାନସଭା ଆସନ ବିଜେଡି ଲାଗିଏକ ପ୍ରକାର ଅଗ୍ନି ପରୀକ୍ଷା ହୋଇଥିବାବେଳେ, ବିଜେପି ଲାଗି ମଧ୍ୟ ଏହା ନୂଆ ଆହ୍ଵାନ। ଉପକୂଳ ଓଡିଶାରେ ବିଜେପି ର ପ୍ରଦର୍ଶନ ଉପରେ ଏହି ଦଳର ଭବିଷ୍ୟତ ନିର୍ଭର କରୁଛି।
(ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )
କେଦାର ମିଶ୍ର
ବଲାଙ୍ଗୀରରେ ନିର୍ବାଚନ କହିଲେ ମାତ୍ର ଦୁଇଟି ପରିବାର। ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଦୁଇଟି ପରିବାର ହାତରେ ତିନୋଟି ଦଳ ଓ ପ୍ରାୟ ସାଢେ ପନ୍ଦର ଲକ୍ଷ ଭୋଟରଙ୍କ ଭାଗ୍ୟ ନିୟନ୍ତ୍ରିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସ ଦଳର ଭାଗ୍ୟଡୋରୀ ରହିଛି। ଲୋକସଭା ପାଇଁ ବିଜେପିରୁ ସଂଗୀତା ସିଂ ଦେଓ, ବିଜେଡ଼ିରୁ କଳିକେଶ ନାରାୟଣ ସିଂ ଦେଓ ଓ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢୁଛନ୍ତି। ତିନିଜଣ ଯାକ ପ୍ରମୁଖ ପ୍ରାର୍ଥୀ ଦୁଇଟି ପରିବାରରୁ ଆସିଛନ୍ତି। ଏଠି କୁହାଯାଇପାରେ, ରାଜା ଓ ବ୍ରାହ୍ମଣଏଅ କ୍ଷମତା ଲଢେଇରେ ସାଧାରଣ ଭୋଟର ଏଠି ଭକୁଆ ମାତ୍ର। ବଲାଙ୍ଗୀର ଜିଲ୍ଲାର ରାଜନୈତିକ ନେତୃତ୍ୱ ବର୍ଷ ବର୍ଷ ଧରି ଦୁଇଟି ପରିବାରର ହସ୍ତ ମୁଦି ମାହାଲ ହୋଇ ରହି ଆସିବା, ଆମ ଗଣତନ୍ତ୍ର ପକ୍ଷେ ଆଦୌ ଶୁଭଂକର ନୁହେଁ। କିନ୍ତୁ ବଲାଙ୍ଗୀର ର ରାଜନୈତିକ ବାସ୍ତବତାକୁ ଦେଖି ଏକଥା ଆମକୁ ସ୍ଵୀକାର କରିବାକୁ ପଡିବ ଯେ, ପରିବାରବାଦରୁ ମୁକୁଳିବାର ଲୋକସୂତ୍ର ବଲାଙ୍ଗୀର ଆଜି ମଧ୍ୟ ଖୋଜିପାଉନାହିଁ।
ଗତ ୨୧ ବର୍ଷ ଧରି ବଲାଙ୍ଗୀରର ପ୍ରାକ୍ତନ ରାଜପରିବାର ହାତରେ ବଲାଙ୍ଗୀର ଲୋକସଭା ଆସନ ରହିଆସିଛି। ୧୯୯୮ ରୁ ଏଠାରୁ ସଂଗୀତା ସିଂ ଦେଓ ତିନିଥର ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବରେ ଜିଣିଥିବା ବେଳେ ୨୦୦୯ ଓ ୨୦୧୪ ନିର୍ବାଚନରେ କଳିକେଶ ନାରାୟଣ ସିଂ ଦେଓ ଜିଣିଛନ୍ତି। ଏଥର ମଧ୍ୟ ଦିଅର –ଭାଉଜଙ୍କ ଭିତରେ ପୁନଶ୍ଚ ପ୍ରତିଯୋଗିତା ହେଉଛି। ତେବେ ରାଜା ପରିବାରର ପ୍ରତିଦ୍ବନ୍ଦ୍ବୀ ଭାବରେ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର ମଇଦାନ ରେ ଅଛନ୍ତି। ଗତ ନିର୍ବାଚନରେ କଳିକେଶ ସଙ୍ଗୀତାଙ୍କଠାରୁ ୧,୦୪,୨୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ କଳିକେଶ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କଠାରୁ ପ୍ରାୟ ୯୦ ହଜାର ଭୋଟରେ ଜିତିଥିଲେ। ବଲାଙ୍ଗୀରରେ ତୀବ୍ର ତ୍ରିମୂଖୀ ଲଢେଇ ଥିବା ଯୋଗୁଁ, ଯେଉଁ ପ୍ରାର୍ଥୀ ସାଢେ ତିନ ଲକ୍ଷ ଭୋଟ ପାଇପାରିବେ, ତାଙ୍କ ବିଜୟ ସହଜ ହୋଇଯିବ।
ଗତ ନିର୍ବାଚନରେ ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନ ବିଜେଡି ହାତକୁ ଯାଇଥିବା ବେଳେ ବଲାଙ୍ଗୀରରେ କଂଗ୍ରେସ ଓ ପାଟଣାଗଡରେ ବିଜେପି ବିଜୟଲାଭ କରିଥିଲେ। ଏଥର ବିଜେଡି ସେଇ ସମାନ ସଂଖ୍ୟକ ଆସନ ହାସଲ କରିପାରିବ କି? ବୀରମହାରାଜପୁର ଓ ସୋନପୁରରେ ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀ ତଥା ପଦ୍ମନାଭ ବେହେରାଙ୍କ ବିରୋଧରେ ପ୍ରବଳ ଜନମତ ରହିଥିଲେ ହେଁ, ବିଜେପିର ଅସନ୍ତୁଷ୍ଟ ପ୍ରାର୍ଥୀ ଭାବରେ ସୋନପୁରରେ ନବକୃଷ୍ଣ ଦନ୍ତା ଏବଂ ବୀରମହାରାଜପୁରରେ ଆନନ୍ଦ ବାରିକ ଏକ ବଡ ଭୋଟ ଖାଇଯିବେ। ଏହାହିଁ ବିଜେଡି ଲାଗି ସୁବିଧା ଓ ବିଜେପି ଲାଗି ସବୁଠୁ ବଡ ଅସୁବିଧା ହେବାକୁ ଯାଉଛି। ବଲାଙ୍ଗୀରରେ ଏଥର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ସ୍ଥିତି ସାମାନ୍ୟ ଦୁର୍ବଳ ହୋଇଛି। ସବୁ ଆସନରେ ତୀବ୍ର ତ୍ରିମୂଖୀ ଲଢେଇ ଓ ସବୁ ଆସନରେ କଂଗ୍ରେସର ଭଲ ଭୋଟ ରହିଥିବା କାରଣରୁ, ଏହା ବିଜେଡ଼ିକୁ ଲାଭ ଦେଇପାରେ।
ଓଡିଶାରେ ଯେତେଦିନ ପର୍ୟନ୍ତ ତ୍ରିମୂଖୀ ଲଢେଇ ରହିବ, ସେତେଦିନ ଯାଏ ଏହା ବିଜେଡି ପକ୍ଷରେ ସୁବିଧାଜନକ ସ୍ଥିତି ତିଆରି କରୁଥିବ। ବିଜେଡି ବିପକ୍ଷରେ କଂଗ୍ରେସ ଓ ବିଜେପି ଭୋଟର ଧୃବୀକରଣ ହେଲେ ଯାଇ ବିଜେଡ଼ିର ପରାଜୟ ସମ୍ଭବ। ବଲାଙ୍ଗୀରରେ ବିଜେଡ଼ିର ଏହି ସମୀକରଣ ଆଜି ମଧ୍ୟ ବଳବତ୍ତର ରହିଛି। ବିଜେପି କେବଳ ପାଟଣାଗଡ ବିଧାନସଭା କ୍ଷେତ୍ରକୁ ବାଦ ଦେଲେ ଅନ୍ୟ କେଉଁଠି ନିଜର ପ୍ରଭାବ ବିସ୍ତାର କରିପାରୁନାହିଁ। ଚଳିତ ନିର୍ବାଚନରେ ସୋନପୁର ଓ ବୀରମହାରାଜପୁର ଆସନରେ ବିଜେପିର ସଂଗଠନ ସୁଦୃଢ ରହିଥିଲା। ତେବେ ଭୁଲ ପ୍ରାର୍ଥୀ ଚୟନ କାରଣରୁ ବିଜେପିର ଦୁଇ ଟାଣୁଆ ନେତା ଏବେ ବିଜେପିର ଭୋଟ ବିଭାଜିତ କରୁଛନ୍ତି।
ଟିଟିଲାଗଡ ଆସନରେ ମଧ୍ୟ ଏଥର ବିଜେଡ଼ିର ବାଟ ସୁଗମ ମନେ ହେଉନାହିଁ। ୨୦୧୪ ନିର୍ବାଚନ ପରି ଏଥର ବିଜେଡି ଲାଗି ବଲାଙ୍ଗୀର ଆଦୌ ସହଜ ନୁହେଁ। ଗତଥର କେବଳ ସୋନପୁର ଓ ବୀର ମହାରାଜପୁରରୁ କଳିକେଶ ୭୦ ହଜାର ଅଧିକ ଭୋଟ ପାଇଥିଲେ। ଏଥର ତାହା ସହଜ ଲାଗୁ ନାହିଁ। କଂଗ୍ରେସ କେତେ ଭୋଟ ପାଉଛି, ତାରି ଉପରେ ବିଜେଡ଼ିର ବିଜୟ ନିର୍ଭର କରିବ।
ତେବେ ପୁଣି ସେ ପରିବାରବାଦ ପ୍ରସଙ୍ଗକୁ ଆମେ ଫେରିବା। ବଲାଙ୍ଗୀର ରାଜନୀତିରୁ ପରିବାରବାଦର ଏ ଅକ୍ଟୋପାସ ପଞ୍ଝା କେବେ ହୁଗୁଳା ହେବ ? ବଲାଙ୍ଗୀର ର ଭୋଟର ପରିବାର ର ସୀମା ଟପି ଏକ ମୁକ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିକଳ୍ପ ଭାବରେ କେବେ ବାଛିବେ ?
( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta ଆପ୍, ସ୍କ୍ରିନ କୁ ଆଙ୍ଗୁଠିରେ ଘଷି ଗୋଟିଏ ପରେ ଗୋଟିଏ ଖବର ପଢି ଚାଲନ୍ତୁ)
ଜିତେନ୍ଦ୍ର ରଥ
ଏପ୍ରିଲ ତେର ତାରିଖରେ କଟକର ଚୌଦ୍ବାର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡିଶାରେ କ୍ଷମତାକୁ ଆସିଲେ ରାଜ୍ୟ ବାସୀଙ୍କୁ ଏକ ଟଙ୍କାରେ ପାଞ୍ଚ କିଲୋ ଚାଉଳ ସହ ଅଧ କିଲୋ ଡାଲି ଓ ପ୍ରାୟ ସମାନ ପରିମାଣର ଲୁଣ ଯୋଗାଇଦେବ ବୋଲି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ – ୨୦୧୩ ଅନ୍ତର୍ଗତ ପ୍ରାୟ ୩.୨୬ କୋଟି ଲୋକ ଏହି ସୁବିଧା ପାଇବେ ବୋଲି ଏହି ସଭାରେ ଘୋଷଣା କରାଯାଇଛି। ପରବର୍ତୀ ସମୟରେ, ଏହି ବିଷୟଟି କିପରି ଭାବେ, ଓଡିଶା ଭଳି ଏକ ରାଜ୍ୟରେ ଅପପୁଷ୍ଟି ଦୂର କରିବାରେ ସହାୟକ ହେବ ତାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶ୍ରୀଯୁକ୍ତ ପ୍ରଧାନ ଓ ଭାରତୀୟ ଜନତା ପାର୍ଟିର ଅନେକ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି।
ପ୍ରାଥମିକ ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନୂଆ ସାମଗ୍ରୀ ଯୋଗ କରିବା ଓ ଏହାକୁ ଅପପୁଷ୍ଟି ଦୂର କରିବାରେ ସହାୟକ ହେବ ବୋଲି ଚିନ୍ତା ଓ ଘୋଷଣା କରିଥିବାରୁ ଶ୍ରୀଯୁକ୍ତ ପ୍ରଧାନ ଓ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର। କିନ୍ତୁ ପ୍ରଶ୍ନ ହେଉଛି, ହଠାତ ଏଭଳି ଘୋଷଣା କରିବା ପଛରେ ରହସ୍ୟ କଣ? ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ, ବଲାଙ୍ଗିର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ଲୋକସଭା ଓ ୩୫ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଏହି ଘୋଷଣାର କିଛି ଆବଶ୍ୟକତା ପରିଲିକ୍ଷିତ ହେଉଛିକି? ଯଦି ଭାରତୀୟ ଜନତା ପାର୍ଟି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପିଡିଏସ ଯୋଜନାର ବିବିଧିକରଣରେ ବିଶ୍ଵାସ କରୁଥାନ୍ତି, ତେବେ ଗତ ପାଞ୍ଚ ବର୍ଷରେ, କେନ୍ଦ୍ର ସରକାରଙ୍କ ତରଫରୁ ଏଥିପ୍ରତି କୌଣସି ନିଷ୍ପତ୍ତି ବା କାର୍ଯ୍ୟକର୍ମ ଗ୍ରହଣ କରାଗଲା ନାହିଁ କାହିଁକି? ଆଉ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଦଳ ଏହାର ସମସ୍ତ ନେତୃବୃନ୍ଦ ଏହି ବିଷୟ ଓ ଘୋଷଣାଟିକୁ ନେଇ ଏକମତ କି?
ଟଙ୍କିକିଆ ଚାଉଳକୁ ନେଇ ପ୍ରାୟ ଏକ ଦଶନ୍ଧି ଧରି ଚାଲି ଆସୁଥିବା ରାଜନୈତିକ ଚର୍ଚା ଉପରେ ଟିକେ ନଜର ପକାଇବାର ଅବଶ୍ୟକତା ଅଛି। ଓଡିଶାରେ ୨୦୦୮ମସିହାରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ରାଜ୍ୟ ସରକାର ଦୁଇଟଙ୍କିଆ ଚାଉଳ ଯୋଜନା ଆରମ୍ଭ କଲେ। ଅବଶ୍ୟ ଏହା କିଛି ନୂତନ ଯୋଜନା ନଥିଲା, ଅନେକ ଦିନରୁ ଚାଲୁ ରହିଥିବା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୁଲ୍ୟରେ ଦିଆଯାଉଥିବା ଚାଉଳର ଦରକୁ ସେ ସମୟରେ କିଲୋ ପିଛା ଦୁଇଟଙ୍କା କରିଦିଆଗଲା। ରାଜ୍ୟ ସରକାରଙ୍କ ପ୍ରଚାର ଓ ପ୍ରସାର ଫଳରେ, ୨୦୦୯ ନିର୍ବାଚନରେ ଏହାର ରାଜନୈତିକ ଲାଭ ମଧ୍ୟ ବିଜୁ ଜନତା ଦଳକୁ ମିଳିଲା। ଅଭିଜ୍ଞତାକୁ ଆଧାର କରି ୧ ଫେବୃୟାରୀ ୨୦୧୩ରେ ରାଜ୍ୟ ସରକାର ଚାଉଳର ଦାମ କିଲୋ ପ୍ରତି ୧ ଟଙ୍କା ହେବ ବୋଲି ଘୋଷଣା କଲେ। ସେବେଠାରୁ ଏହି ଯୋଜନା ଟଙ୍କିକିଆ ଚାଉଳର ପରିଚୟ ପାଇଲା, ଯାହାର ରାଜନୈତିକ ଲାଭ ମଧ୍ୟ ବିଜୁ ଜନତା ଦଳ ୨୦୧୪ ନିର୍ବାଚନରେ ଉଠାଇଲା। ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆସିବା ଏବଂ ଏହି ନିୟମ ଅନୁଯାଇ ଅଗ୍ରାଧିକାର ପରିବାର (priority household) ବଛା ଯିବା ଫଳରେ ଅନେକ ପରିବାର ଓ ଯୋଗ୍ୟ ବ୍ୟକ୍ତିଙ୍କର ଚାଉଳ କାର୍ଡ କଟିଗଲା ଓ ସେମାନେ ଟଙ୍କିକିଆ ଚାଉଳ ପାଇବାରୁ ବଞ୍ଚିତ ହେଲେ। ଅନେକ ସ୍ଥାନରେ, ମୁଖ୍ୟତଃ ଗ୍ରାମାଞ୍ଚଳ, ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବା ଜିଲ୍ଲା ମାନଙ୍କରେ ଏହାକୁ ନେଇ ଏକ ଚାପା ଅଶୋନ୍ତସ ଥିଲା। ୨୦୧୬ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଗୁଡିକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଲା ଯାହାଫଳରେ ଏହି ସବୁ ଜିଲ୍ଲା ମାନଙ୍କରେ ବିଜୁ ଜନତା ଦଳ ଆଶାତୀତ ସଫଳତା ପାଇ ପାରିଲା ନାହିଁ। ଅବଶ୍ୟ ଏହା ହୃଦୟଙ୍ଗମ କରି ୨୦୧୯ର ଠିକ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ। ଅର୍ଥାତ ଯଦି ମୋଟାମୋଟି ଘଟଣାକ୍ରମ ଗୁଡିକୁ ଦେଖାଯାଏ, ତେବେ ଟଙ୍କିକିଆ ଚାଉଳର ଓଡିଶା ରାଜନୀତିରେ ଥିବା ପ୍ରଭାବକୁ ହୃଦୟଙ୍ଗମ କରି, ବୋଧହୁଏ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ଏହି ବିଷୟଟିକୁ ଉଠାଇବାକୁ ପ୍ରୟାସ କରୁଛନ୍ତି।
ନିର୍ବାଚନର କିଛି ଦିନ ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ଏହାର କିଛି ସଂକେତ ଦେଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ବଡ ହୋଡିଙ୍ଗ ଲଗାଯାଇ ଚାଉଳର ଶ୍ରେୟ କେନ୍ଦ୍ର ସରକାରଙ୍କର ବୋଲି ଦର୍ଶଯାଇଥିଲା। ଏହି ହୋଡିଙ୍ଗ ଗୁଡିକରେ ରାଜ୍ୟରେ ପ୍ରଚଳିତ ଟଙ୍କିକିଆ ଚାଉଳର ପ୍ରକୃତ ମୂଲ୍ୟ ତଥା କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ରିହାତିକୁ ପରିବେଷଣ କରାଯାଇଥିଲା। ଚାଉଳର ପ୍ରକୃତ ମୂଲ୍ୟ କିଲୋ ପ୍ରତି ୩୨ ଟଙ୍କା ହୋଇଥିବା ବେଳେ ଏଥିରେ କେନ୍ଦ୍ରସରକାର ପ୍ରତିକିଲୋ ପିଛା ୨୯ ଟଙ୍କା ଓ ରାଜ୍ୟ ସରକାର ମାତ୍ର ୨ ଟଙ୍କା ବହନ କରୁଥିବା କଥା କୁହାଯାଇଛି। ଉଦେଶ୍ୟ ଲେଖାନଥିଲେବି, ରାଜ୍ୟରେ ଲୋକପ୍ରିୟ ଟଙ୍କିକିଆ ଚାଉଳରେ ଯେ କେନ୍ଦ୍ର ଏକ ବଡ ଭାଗୀଦାର ତାହା କୁହାଯିବାପାଇଁ ଏଥିରେ ଯଥେଷ୍ଟ ପ୍ରୟାସ କରାଯାଇଥିଲା। ଠିକ ଏହି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ଆଉ ୩୪.୪୪ ଲକ୍ଷ ଲୋକଙ୍କୁ ସାମିଲ କରିବାପାଇଁ ଏକ ପତ୍ର କେନ୍ଦ୍ରକୁ ଲେଖିଥିଲେ ଓ ପରବର୍ତୀ ସମୟରେ କେନ୍ଦ୍ରକୁ ଦୋଷ ଦେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଚାଲୁ କଲେ।
ଟଙ୍କିକିଆ ଚାଉଳର ଏକ ରାଜନୈତିକ ଦିଗ ରହୁଥିବାରୁ, ଭିନ୍ନ ଭିନ୍ନ ଦଳର ସରକାରଙ୍କ ମଧ୍ୟରେ ଏହାର ଶ୍ରେୟ ନେବା ପାଇଁ ଟଣା ଓଟରା ଏକ ସ୍ଵାଭାବିକ କଥା। ସେହି ମର୍ମରେ କେନ୍ଦ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ ଟଙ୍କିକିଆ ଚାଉଳକୁ ନେଇ ଏଇ ଲଢେଇ ନୂଆ ନୁହେଁ। ପୂର୍ବରୁ ଇଉପିଏ ସରକାର ସମୟରେ ମଧ୍ୟ କଂଗ୍ରେସ ଦଳ ତରଫରୁ ଠିକ ଏହିଭଳି କିଛି ପ୍ରଶ୍ନ ଉଠାଯାଇଥିଲା। ଏହି ଟଣା ଓଟରା ମଧ୍ୟରେ କିଏ ବେସୀ ରାଜନୈତିକ ଫାଇଦା ଉଠାଇବା, ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ କିନ୍ତୁ ଟଙ୍କିକିଆ ଚାଉଳକୁ ନେଇ ଥିବା କେତେ ଗୁଡିଏ ଭ୍ରାନ୍ତ ଧାରଣାର ଚର୍ଚା କରିବାର ଅବଶ୍ୟକତା ମଧ୍ୟ ଅଛି।
ସବୁଠାରୁ ବେଶୀ ଆଲୋଚନା ହେଉଥିବା ଧାରଣାଟି ହେଉଛି, ଏହି ଯୋଜନା କୁଆଡେ ଲୋକଙ୍କୁ ଅଳସୁଆ କରିଦେଇଛି। ଲୋକେ ଟଙ୍କାଟାରେ ଚାଉଳ ପାଇଲେ, ସେମାନଙ୍କର ଆଉ ପରିଶ୍ରମ କରିବାକୁ ଇଛା ନାହିଁ, ଗାଁ ଗଣ୍ଡାରେ ମଜୁରି କରିବାକୁ ଲୋକ ମିଳୁନାହାଁନ୍ତି। ଟଙ୍କିକିଆ ଚାଉଳ କଥା ପଡିଲେ, ଏଭଳି କିଛି କଥା ନିଶ୍ଚୟ ଉଠେ। ପାଠଷାଠ ପଢିଥିବା ତଥା ସାମାଜ ଓ ଅର୍ଥନୀତିରେ ଦଖଲ ରଖୁଥିବା ଅନେକ ବ୍ୟକ୍ତିବିଶେଷ ମଧ୍ୟ ଏହିଯୁକ୍ତି ରଖିଥାନ୍ତି। କିନ୍ତୁ ସତରେ କଣ ଟଙ୍କିକିଆ ଚାଉଳ ଲୋକଙ୍କୁ ଅଳସୁଆ କରିଦେଇଛି? ଯଦି ସତ ତାହାଲେ ଭାରତ ବର୍ଷର ଅର୍ଦ୍ଧାଧିକ ଲୋକ ଅଳସୁଆ ହେବାକଥା। କାରଣ ଦେଶରେ ଏମିତି ଅନେକ ରାଜ୍ୟ ଅଛି ଯେଉଁଠି ଏକ ଟଙ୍କା ବା ଖୁବ ଶସ୍ତାରେ ଚାଉଳ ଯୋଗାଇଦିଆଯାଉଛି। ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଆଦି ରାଜ୍ୟତ ଓଡିଶାର ଅନେକ ଆଗରୁ ଏହି ଯୋଜନା ଆରମ୍ଭ କରିଛନ୍ତି। କାହିଁ କେଉଁଠିତ ଏମିତି ହେଉନାହିଁ, ତେବେ ଓଡିଶାରେ ଏମିତିଏକ ଧାରଣା କାହିଁକି ସୃଷ୍ଟି କରାଯାଉଛି ଆଉ ଏହିଭଳି ଏକ ଧାରଣାକୁ ଆଗକୁ ବଢାଇବା ପଛରେ କେଉଁମାନେ ଅଛନ୍ତି, ତାହା ଦେଖିବାର ଆବଶ୍ୟକତା ଅଛି।
ଏହି ଅର୍ଥରେ କିଛି ନିର୍ଦିଷ୍ଟ ବିଷୟକୁ ସାମ୍ନାରେ ରଖିବାର ଅବଶ୍ୟକତା ଅଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ଵ ଟଙ୍କିକିଆ ଚାଉଳର ଗୁଣ ଗାଈ ଏହାକୁ ଆହୁରି ବ୍ୟାପକ କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଏହି ଦଳର କନ୍ଧମାଳ ସାଂସଦ ପାର୍ଥୀ ଖାରବେଳ ସ୍ଵାଇଁ ଠିକ ଓଲଟା କଥା କହୁଛନ୍ତି, ତାଙ୍କ ଦ୍ଵାରା ଲେଖାଯାଇଥିବା ଅନେକ ଗୁଡିଏ ପ୍ରବନ୍ଧରେ ସେ ଏହି ଯୋଜନାର ବିରୋଧ କରିଛନ୍ତି ଓ ସେହି ମର୍ମରେ ଯୋଜନା ବନ୍ଦ କରାଯିବା ବୋଲି ଯୁକ୍ତି ଦର୍ଶାଇଛନ୍ତି। ସାଂସଦ ପାର୍ଥୀଙ୍କ ଫେସବୁକ ପୃଷ୍ଟାରେ ସେ ଦେଇଥିବା ଏକ ଟେଲିଭିଜନ ସାକ୍ଷାତକାରରେ ସେ ଟଙ୍କିକିଆ ଚାଉଳ କିପରି ଭାବେ ଓଡିଆ ଜାତିକୁ ଛତରଖିଆ ଜାତିରେ ପରିଣତ କରିଛି ତାହା ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ, ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାସନ ଯୋଜନାକୁ ନେଇ ଥିବା ଅସହମତି ହିଁ ପ୍ରକାଶ ପାଉଛି। କିଛି ଦିନ ତଳେ ଓଡିଶା ପାଇଁ ପ୍ରକାଶ ପାଇଥିବା ଭାରତୀୟ ଜନତା ପାର୍ଟିର ଇସ୍ତାହାରରେ ଏହି ବ୍ୟବସ୍ଥାର ବିବିଧିକରଣ ପାଇଁ କୌଣସି ପ୍ରତିଶ୍ରୁତି ନରହିବା ଓ ପରବର୍ତୀ ସମୟରେ ଏହାର ଘୋଷଣା କରିବା ମଧ୍ୟ ଏହି ଦିଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।
ବିଜେପି ଠାରୁ ଆରମ୍ଭ କରି ବିଜେଡି ଓ କଂଗ୍ରେସ ଯାଏ ଟଙ୍କିକିଆ ଚାଉଳ ଓ ରାସନ ବ୍ୟବସ୍ଥାରେ ବିବିଧିକରଣ ଆଣିବା ଏକ ରାଜନୈତିକ ବିଷୟ ହୋଇପାରେ। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ପେଟ ଓ ପୁଷ୍ଟି ର ପ୍ରଶ୍ନ, ଯାହାର ଉତ୍ତର ରାଜନୈତିକ ଦଳ ମାନଙ୍କୁ ଦେବାକୁ ହେବ।
ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ କାହିଁକି!!
କେଦାର ମିଶ୍ର
ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ। ୨୦ ବର୍ଷ ତଳେ ସେ ଯେତେବେଳେ ଓଡିଶା ରାଜନୀତିକୁ ଆସିଲେ ସେତେବେଳେ ସେ ଥିଲେ ରାଜନୀତିରେ ଏଗଦମ ନୂଆ ଓ ଅନଭିଜ୍ଞ ଚେହେରା। ବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ତାଙ୍କର କୌଣସି ରାଜନୈତିକ ପରିଚୟ ନଥିଲା। ବିଜୁ ବାବୁ ନିଜ ଜୀବନକାଳରେ ନିଜ ପରିବାରକୁ ନିଜ ରାଜନୀତିଠୁ ଦୂରରେ ରଖିଥିଲେ, ତେଣୁ ନବୀନ ରାଜନୀତିକୁ ଆସିବାରେ ତାଙ୍କ ବାପାଙ୍କ ଇଚ୍ଛା ବା ପ୍ରଭାବ ନଥିଲା। ଯଦିଓ ବିଜୁ ବାବୁଙ୍କ ପ୍ରତି ଓଡିଶା ଲୋକଙ୍କର ଯେଉଁ ଭଲ ପାଇବା ଥିଲା, ତାହାର ଲାଭ ନବୀନଙ୍କୁ ମିଳିଛି, କିନ୍ତୁ ଅନ୍ୟ ପାରମ୍ପରିକ ପାରିବାରିକ ରାଜନୈତିକ ଦାୟାଦଙ୍କ ପରି ସେ ବାପାଙ୍କ ହାତ ଧରି ରାଜନୀତିକୁ ଆସିନାହାନ୍ତି। ରାଜନୀତିର ସବୁଠୁ ଅନଭିଜ୍ଞ ଚେହେରା ଭାବରେ ରାଜନୀତି ଆରମ୍ଭ କରିଥିବା ନବୀନ, ଆଜି ୨୦ ବର୍ଷ ପରେ ଦେଶର ସବୁଠୁ ଅଭିଜ୍ଞ ଓ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ। ଆଜି ତାଙ୍କର ୭୩ ତମ ଜନ୍ମଦିବସରେ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି- ନବୀନ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜନେତା ଯିଏ ଗତ ଅନେକ ବର୍ଷ ଧରି ଓଡିଶାର ସେବା କରି ଆସୁଛନ୍ତି।
ବାସ୍ତବ କ୍ଷେତ୍ରରେ ନବୀନଙ୍କୁ ଓଡିଶା ରାଜନୀତିର ବିସ୍ମୟ ବାଳକ ବୋଲି କୁହାଯାଇପାରେ। ଏ ରାଜ୍ୟର ବହୁ ତୁଙ୍ଗ ଜନନେତା ଯାହା କରିପାରିନଥିଲେ, ନବୀନ ଆଜି ତାହା କରି ଦେଖେଇଛନ୍ତି। ଏକାଦିକ୍ରମେ ଚାରୋଟି ବିଧାନସଭା ନିର୍ବାଚନ ଜିଣି ସାରିଲା ପରେ ମଧ୍ୟ ୨୦୧୯ ନିର୍ବାଚନରେ ସେ କୌଣସି ବଡ ଆହ୍ୱାନର ସମ୍ମୁଖୀନ ହେବେ ଭଳି ମାନେ ହେଉନାହିଁ। ଗତ ଦୁଇ ଦଶନ୍ଧି ଧରି ଓଡିଶା ରାଜନୀତିରେ ସେ ଇ ଏକମାତ୍ର ନାୟକ। ଅଥଚ ନାୟକ ହେବାର କୌଣସି ପାରମ୍ପରିକ ଗୁଣ ତାଙ୍କ ପାଖରେ ନାଇଁ। ନବୀନ ବହୁତ ଭଲ ବକ୍ତା ନୁହନ୍ତି। ତାଙ୍କ କହିବାରେ ଆଜି ମଧ୍ୟ ଗୋଟେ ପ୍ରକାର ଲାଜକୁଳା ସ୍ଵଭାବ ରହିଛି। ଲୋକଙ୍କ ଭାଷାରେ ସେ କଥା କହୁନଥିବାରୁ ବିରୋଧୀ ଓ ବୁଦ୍ଧିଜୀବୀ ତାଙ୍କୁ ଯେତେ ସମାଲୋଚନା କାଲେ ମଧ୍ୟ, ଲୋକେ ତାଙ୍କର ଭାଷାକୁ ସ୍ଵୀକାର କରିନେଇଛନ୍ତି। ନବୀନଙ୍କ ଖଣ୍ଡି ଓଡିଆ କଥା, ତାଙ୍କ ଲାଗି ଗୋଟେ ପ୍ରକାର ଆଶୀର୍ବାଦ ପାଲଟି ଯାଇଛି। ଯେଉଁଥି ପାଇଁ ସେ ବିରୋଧୀଙ୍କ ଦ୍ଵାରା ଭର୍ତ୍ସିତ, ସେଇ ସମାନ କାରଣ ଲାଗି ସେ ଅଧିକ ଲୋକପ୍ରିୟ। ଏହାର ରାଜନୈତିକ ସମୀକ୍ଷା ଆମେ କେମିତି କରିବା?
ନବୀନଙ୍କ ଲୋକପ୍ରିୟତାର କେତୋଟି କାରଣ ଭିତରୁ ଗୋଟେ ବଡ କାରଣ ହେଉଛି, ସେ ବୋଧେ ଭାରତର ଏକମାତ୍ର ରାଜନେତା ଯିଏ ଦୀର୍ଘ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଆକ୍ରାମକ ରାଜନୀତି କରି ନାହାନ୍ତି। କୌଣସି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ବା ବିରୋଧୀଙ୍କୁ କଟୁ ଭାଷାରେ ଆଲୋଚନା କରିବା, ତାଙ୍କ ସ୍ଵଭାବରେ ନାହିଁ। କୁହା ଯାଇପାରେ, ସେ ବୋଧେ ଭାରତୀୟ ରାଜନୀତିର ସୁନିଲ ଗାଭାସ୍କର। ତାଙ୍କ ବ୍ୟାଟିଂ ରେ ସ୍ଥିରତା ଓ ସଂଯମ ଅଛି। ବିନା ହେଲମେଟ ରେ ଗାଭାସ୍କର ଯେମିତି ଗୋଟେ ସମୟରେ ୱେଷ୍ଟ ଇଣ୍ଡିଜ ର ଦୁର୍ଦ୍ଦର୍ଷ ପେସ ବୋଲିଂ କୁ ସାମ୍ନା କରୁଥିଲେ, ନବୀନ ସେମିତି ସହଜରେ ନିଜ ବିରୋଧୀଙ୍କୁ ମୁକାବିଲା କରିଛନ୍ତି। ତାଙ୍କ ରାଜନୈତିକ ରଣ କୌଶଳ ଏତେ ଶାନ୍ତ ଆଉ ଶକ୍ତିଶାଳୀ ଯେ ତାକୁ ଭେଦିବାର କୌଶଳ ତାଙ୍କର ପ୍ରତିପକ୍ଷଙ୍କୁ ଜଣାନାହିଁ।
ଗତ ୨୦ ବର୍ଷ ଭିତରେ ତାଙ୍କର ଏକଦା ସହଯୋଗୀ ଓ ଆଜିର ଶତ୍ରୁ ବିଜେପି, ତାଙ୍କୁ ଚିହ୍ନିବାରେ ସଫଳ ହୋଇ ପାରିନାହିଁ। ବିଜେପି ଲୋକଙ୍କ ଆଗରେ ନବୀନଙ୍କୁ ନେଇ ଯେତେ ଟାଣ କଥା କହୁଥିଲେ ମଧ୍ୟ, ଭିତରେ ଭିତରେ ବିଜେପି ଲାଗି ନବୀନ ସବୁଠୁ ବଡ ଭରସା। ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନଙ୍କ ସମର୍ଥନ ଉପରେ ବିଜେପିର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ। ସେଇ ପରିସ୍ଥିତିକୁ ଆଖି ଆଗରେ ରଖି, ବିଜେପି ନବୀନଙ୍କ ପ୍ରତି ନିଜର ନରମ ଗରମ ଆଭିମୁଖ୍ୟ, ବଜାୟ ରଖିବ । ଅପର ପକ୍ଷରେ କଂଗ୍ରେସକୁ ନବୀନ ସବୁବେଳେ ନିଜର ବିରୋଧୀ ବୋଲି ମାନି ଆସିଛନ୍ତି। ତେଣୁ କଂଗ୍ରେସର ବିଘଟନ ଓ ଗୋଷ୍ଠୀ ବିବାଦରୁ ନବୀନଙ୍କୁ ସବୁବେଳେ ଲାଭ ମିଳି ଆସୁଛି। ବର୍ତ୍ତମାନ ସମୟରେ ଆପାତତଃ ଶକ୍ତିଶାଳୀ ଲାଗୁଥିବା କଂଗ୍ରେସ, ନବୀନଙ୍କ ଲାଗି ବେଶ ଲାଭଦାୟକ। କଂଗ୍ରେସ ନିଜର ୨୨-୨୫% ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିପାରିଲେ, ତାହା ବିଜେଡି ବିଜୟର ବାଟ କୁ ସହଜ କରିଦେବ।
ନବୀନଙ୍କ ରାଜନୀତିରେ ତାଙ୍କର ଶତ୍ରୁ ବିରୋଧୀ ଦଳରୁ ଯେତିକି ଆସିଛନ୍ତି, ତାଠୁ ବହୁ ଗୁଣ ଅଧିକ ନିଜ ବିଜେଡି ଦଳରୁ ଆସିଛନ୍ତି। ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନବୀନଙ୍କ ସହଯୋଗୀ, ପରବର୍ତ୍ତୀ ସମୟରେ ତାଙ୍କର ଶତ୍ରୁ ପାଲଟିଛନ୍ତି। ତେବେ ଘର ଶତ୍ରୁ ଓ ବାହାର ଶତ୍ରୁଙ୍କୁ ମୁକାବିଲା କରିବାରେ ନବୀନଙ୍କ ରଣକୌଶଳ ବଡ ବିଚିତ୍ର। ସେ ପଦେ କଥା କହି ବା ହସିଦେଇ ନିଜ ଶତ୍ରୁକୁ ନିରସ୍ତ୍ର କରିଦେଇପାରନ୍ତି।
୨୦ ବର୍ଷର ଶାସନ ଭିତରେ ନବୀନ ଯେ ସବୁ କ୍ଷେତ୍ରରେ ସଫଳ ତାହା ନୁହେଁ। ନବୀନଙ୍କ ବିଫଳତାର ତାଲିକା ବି ଲମ୍ବା। ତାଙ୍କର ଶତ୍ରୁ ଓ ସମାଲୋଚକ ସଂଖ୍ୟା ବି କମ ନୁହନ୍ତି। ତଥାପି ନବୀନଙ୍କ ବିକଳ୍ପ ନାହିଁ ବୋଲି ଓଡିଶାବାସୀ ଭାବୁଛନ୍ତି କାହିଁକି? ଟଙ୍କିକିଆ ଚାଉଳ କି ସରକାରୀ ଯୋଜନାରେ ଲୋକ ଭୋଟ ଦେଉଛନ୍ତି ବୋଲି ଭାବିବା ହୁଏତ, ମନକୁ ବୁଝାଇବା ଲାଗି ଯଥେଷ୍ଟ।ଅସଲରେ ଓଡିଶା ରାଜନୀତିର ବିରୋଧୀ ପକ୍ଷ ନିଜ ରାଜ୍ୟର ଲୋକଙ୍କୁ ବୋଧେ ଆଜି ଯାଏ ଠିକ ଭାବରେ ବୁଝିନାହାନ୍ତି। ୨୦ ବର୍ଷର ରାଜନୀତିରେ ଓଡିଆଙ୍କ ନାଡି ନକ୍ଷତ୍ରକୁ ନବୀନ ଯେମିତି ଚିହ୍ନିଛନ୍ତି, ସେତକ ଚିହ୍ନିବାରେ ବିରୋଧୀ ବିଫଳ ହୋଇଛନ୍ତି। ପଦେକଥାରେ କହିଲେ, ବିରୋଧୀଙ୍କ ବିଫଳତା ହିଁ ନବୀନଙ୍କ ସଫଳତାର ଅସଲ ରହସ୍ୟ।