Categories
ଆଜିର ଖବର ରାଜ୍ୟ ଖବର

୧୨୭ ବାଟାଲିୟନ CRPF ଦ୍ୱାରା ଜନସମ୍ପର୍କ ଶିବିର ଆୟୋଜିତ

ଭୁବନେଶ୍ବର: ଜି/୧୨୭ ବାଟାଲିୟନ CRPF, ଯିଏକି ନକ୍ସଲ ବିରୋଧୀ କାର୍ଯ୍ୟ ପାଇଁ ପୋଲିସ ଷ୍ଟେସନ ବେଲଘର ନିୟୋଜିତ। ବେଲଘର ନିକଟସ୍ଥ ସରଦପୁର, ମେଣ୍ଡାବାରୁ, ବେଲା ସାରଦା, କରଜାଣ୍ଡି, ଜାଜୋଙ୍ଗୀ ଏବଂ ଝିରିପାଣି ଗାଁ ର ଗରିବ ପରିବାର ଲୋକମାନଙ୍କୁ କମାଣ୍ଡେଣ୍ଟ -୧୨୭ ବାଟାଲିୟନ CRPF ତଥା ବଟାଲିୟନ ଅନ୍ୟ କର୍ମୀ, ସ୍ଥାନୀୟ ପ୍ରଶାସନରୁ ବନ ରେଞ୍ଜର ବେଲଘର, ବେଲଘର, ଥାନା ଅଧିକାରୀ, ଝିରିପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଝିରିପାଣିର ସରପଞ୍ଚ ସହିତ କ୍ଷେତ୍ରର ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିରେ ମାଗଣା ଔଷଧ ଓ କମଳ ବଣ୍ଟନ ଯାଇଅଛି।

ଏହି କାର୍ଯ୍ୟକ୍ରମ ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ ଏହି ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏହି ଯୋଜନ ଅଧୀନରେ ସମୁଦାୟ ୫୦୦ ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଏହି ସମୟରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କମାଣ୍ଡାଣ୍ଟ -୧୨୭ ବାଟାଲି୍ୟାନ କହିଛନ୍ତି ଯେ, ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ।

Categories
ଆଜିର ଖବର ଜାତୀୟ ଖବର

‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩କୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଏବଂ ଆଧାରଶୀଳା ସ୍ଥାପନ ଫଳକକୁ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ସଶକ୍ତ ଉତ୍ତରାଖଣ୍ଡ : ଆଣ୍ଡ୍ ଦ ବ୍ରାଣ୍ଡ ହାଉସ୍ ଅଫ୍ ହିମାଳୟଜ୍’ ନାମକ ପୁସ୍ତକର ଉନ୍ମୋଚନ କରିଥିଲେ। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ସମୃଦ୍ଧି ପାଇଁ ଶାନ୍ତି’।

ଏହି ଅବସରରେ ଶିଳ୍ପପତିମାନେ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ। ଅଦାନୀ ଗ୍ରୁପର ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦେଶକ (କୃଷି, ତୈଳ ଓ ଗ୍ୟାସ) ପ୍ରଣବ ଅଦାନୀ କହିଛନ୍ତି ଯେ ନିକଟ ଅତୀତରେ ଏକକ ପଏଣ୍ଟ ମଞ୍ଜୁରୀ, ପ୍ରତିଯୋଗିତାମୂଳକ ଜମି ମୂଲ୍ୟ, ସୁଲଭ ବିଦ୍ୟୁତ୍ ଓ ଦକ୍ଷ ବଣ୍ଟନ, ଅତ୍ୟନ୍ତ ଦକ୍ଷ ମାନବ ସମ୍ବଳ ଏବଂ ଜାତୀୟ ରାଜଧାନୀର ନିକଟତମ ସ୍ଥାନ ଏବଂ ଏକ ଅତ୍ୟନ୍ତ ଶୃଙ୍ଖଳିତ ଆଇନ ଶୃଙ୍ଖଳା ପରିବେଶର ଅଭୂତପୂର୍ବ ମିଶ୍ରଣ ସହିତ ଅଭିବୃଦ୍ଧି ଓ ବିକାଶ ପ୍ରତି ରାଜ୍ୟର ଆଭିମୁଖ୍ୟ ଯୋଗୁଁ ଉତ୍ତରାଖଣ୍ଡ ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। ରାଜ୍ୟରେ ଉଦ୍ୟୋଗ ସମ୍ପ୍ରସାରଣ ଏବଂ ଅଧିକ ପୁଞ୍ଜି ନିବେଶ ଓ ନିଯୁକ୍ତି ଆଣିବା ପାଇଁ ତାଙ୍କର ଯୋଜନା ବିଷୟରେ ବିସ୍ତୃତ ଭାବରେ ଶ୍ରୀ ଅଦାନୀ ବର୍ଣ୍ଣନା କରିଥିଲେ। ଉତ୍ତରାଖଣ୍ଡ ରାଜ୍ୟକୁ ତାଙ୍କର ନିରନ୍ତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ଭାରତବାସୀ ତାଙ୍କ ଉପରେ ଅଭୂତପୂର୍ବ ବିଶ୍ୱାସ ରଖିଛନ୍ତି ଓ ବିଶ୍ୱାସ ପ୍ରକଟ କରିଛନ୍ତି।

ଜେଏସଡବ୍ଲ୍ୟୁର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କେଦାରନାଥ ଏବଂ ବଦ୍ରିନାଥର ବିକାଶ ପ୍ରକଳ୍ପ ସମୟରେ ଉତ୍ତରାଖଣ୍ଡ ରାଜ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ ଉପରେ ତାଙ୍କର ଅନୁଭବ ଉପରେ ଆଲୋକପାତ କରିଥିଲେ। ଦେଶର ଚେହେରା ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଜିଡିପି ଅଭିବୃଦ୍ଧିର ମାପଦଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ମତ ରଖିଥିଲେ । ବିଶ୍ୱ ମହାଶକ୍ତି ହେବା ଦିଗରେ ଭାରତର ଯାତ୍ରାରେ ନେତୃତ୍ୱ ପାଇଁ ଶ୍ରୀ ଜିନ୍ଦଲ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ସାରା ଦେଶରେ ତୀର୍ଥସ୍ଥଳୀକୁ ସଂଯୋଗ କରିବା କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ସେ ଉତ୍ତରାଖଣ୍ଡରେ ପାଖାପାଖି ୧୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ପାଇଁ କମ୍ପାନୀର ଯୋଜନା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ ଏବଂ ନଭେମ୍ବର ମାସରେ ଆରମ୍ଭ ହୋଇଥିବା’ସ୍ୱଚ୍ଛ କେଦାରନାଥ ପ୍ରକଳ୍ପ’ ବିଷୟରେ ମଧ୍ୟ କହିଥିଲେ । ସବୁ କ୍ଷେତ୍ରରେ ସମର୍ଥନ ପାଇଁ ସେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତର ବିକାଶ ଯାତ୍ରାରେ କମ୍ପାନୀର ନିରନ୍ତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଆଇଟିସିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ଜି -୨୦ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ପ୍ରତିଷ୍ଠା ଏବଂ ଦକ୍ଷିଣ ବିଶ୍ୱ ପାଇଁ ତାଙ୍କର ସମର୍ଥନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଅନେକ ଉଦ୍ଦେଶ୍ୟମୂଳକ ନୀତିଗତ ପଦକ୍ଷେପ ଭାରତକୁ ବହୁମୁଖୀ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଥିବା ବିଶ୍ୱରେ ଅନୁକୂଳ ସ୍ଥିତିରେ ରଖିଛି। ଅର୍ଥବ୍ୟବସ୍ଥାର ଅନେକ କ୍ଷେତ୍ରର ପରିବର୍ତ୍ତନ ଏବଂ ଜିଡିପି ସଂଖ୍ୟା ନିଜ କଥା କହୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ବିଶ୍ୱସ୍ତରରେ ଚଳିତ ଦଶନ୍ଧିକୁ ଭାରତର ସମୟ ବୋଲି କୁହାଯାଉଛି।

ପତଞ୍ଜଳିର ପ୍ରତିଷ୍ଠାତା ତଥା ଯୋଗ ଗୁରୁ ବାବା ରାମଦେବ ପ୍ରଧାନମନ୍ତ୍ରୀଙ୍କୁ’ବିକଶିତ ଭାରତ’ର ଦୂରଦର୍ଶୀ ଏବଂ ୧୪୦ କୋଟି ଭାରତୀୟ ନାଗରିକ ତଥା ସାରା ବିଶ୍ୱବାସୀଙ୍କ ପରିବାରର ସଦସ୍ୟ ବୋଲି କହିଥିଲେ । ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି, ତାହା ଉପରେ ସେ ଆଲୋକପାତ କରିଥିଲେ ଏବଂ ପୁଞ୍ଜି ନିବେଶ ଆଣିବା ତଥା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପତଞ୍ଜଳିର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଭବିଷ୍ୟତରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଏବଂ ଆଗାମୀ ଦିନରେ ୧୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବେ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନୂତନ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଓ ଇଚ୍ଛା ଶକ୍ତିକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ଏବଂ ରାଜ୍ୟରେ ଅତିକମରେ ଗୋଟିଏ ଲେଖାଏଁ ୟୁନିଟ୍ ପ୍ରତିଷ୍ଠା କରିବାକୁ କର୍ପୋରେଟ୍ ହାଉସ୍ ଗୁଡ଼ିକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଯୋଗାଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ବିକାଶକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଭାରତକୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ କରିବା ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସୁଦୃଢ଼ କରିବାକୁ ସେ ନିବେଶକ ମାନଙ୍କୁ ନିବେଦନ କରିଥିଲେ ।

ଏମାର ଇଣ୍ଡିଆର ସିଇଓ ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ଦେଶର ବିକାଶ ପାଇଁ ଦିଗ, ଦୂରଦୃଷ୍ଟି ଏବଂ ଦୃଷ୍ଟିକୋଣ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଯାତ୍ରାରେ ଅଂଶୀଦାର ହେବା ପାଇଁ କର୍ପୋରେଟ ଜଗତର ପ୍ରତିବଦ୍ଧତାକୁ ସେ ପ୍ରକାଶ କରିଥିଲେ। ସେ ଭାରତ – ୟୁଏଇ ସମ୍ପର୍କରେ ନୂଆ ଉଜ୍ଜ୍ୱଳତା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଏମାରର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି।

ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ମଧ୍ୟ ଭାରତ ପ୍ରତି ବିଶ୍ୱ ଦୃଷ୍ଟିକୋଣରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ ଜିଏସ୍ଟି ଏବଂ ଫିନଟେକ୍ ବିପ୍ଳବ ଭଳି ଅନେକ ନୀତିଗତ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ ଯାହା ଶିଳ୍ପ ଜଗତ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି।

ଟିଭିଏସ୍ ଯୋଗାଣ ଶୃଙ୍ଖଳା ସମାଧାନର ଅଧ୍ୟକ୍ଷ ଆର୍. ଦୀନେଶ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସେ ଉତ୍ତରାଖଣ୍ଡର ଅଭିବୃଦ୍ଧି କାହାଣୀରେ ସଂଗଠନର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଟାୟାର ଏବଂ ଅଟୋ ଯନ୍ତ୍ରାଂଶର ଉତ୍ପାଦନ ୟୁନିଟ୍ ଏବଂ ଲଜିଷ୍ଟିକ୍ସ ଏବଂ ଅଟୋ ସେକ୍ଟରରେ ସେବାର ଉଦାହରଣ ଦେଇଥିଲେ । ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଏବଂ ଗୋଦାମ ଗୃହ ନିର୍ମାଣ କ୍ଷମତା ବୃଦ୍ଧି କରିବା ନିମନ୍ତେ କଂପାନୀର ଯୋଜନା ସମ୍ପର୍କରେ ସେ ବିସ୍ତାର ଭାବେ କହିଥିଲେ, ଯାହା ଦ୍ୱାରା ଟିଭିଏସ୍ର ସମସ୍ତ କମ୍ପାନୀରେ ୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ।

ପରିବର୍ତ୍ତିତ ବର୍ତ୍ତମାନର ବିଶ୍ୱ ପରିଦୃଶ୍ୟ ଯୋଗୁଁ ଡିଜିଟାଲ ଏବଂ ସ୍ଥିରତା ପରିବର୍ତ୍ତନରେ ଆର୍ôଥକ ସହାୟତା ଏବଂ ଉନ୍ନତି ପ୍ରଦାନ କରି ଅଟୋ ବଜାର କ୍ଷେତ୍ରରେ ଅଂଶୀଦାର ମାନଙ୍କୁ ସହାୟତା କରିବାକୁ କମ୍ପାନୀର ତତ୍ପରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସିଆଇଆଇର ଅଧ୍ୟକ୍ଷ ଭାବରେ ସେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବା ପାଇଁ ୧୦ଟି ମଡେଲ କ୍ୟାରିୟର କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏକ ସ୍ପେଶାଲିଟି ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର/ ବିଶେଷ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯେଉଁଥିରେ ଆତିଥ୍ୟ, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ୧୦,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଦେବଭୂମି ଉତ୍ତରାଖଣ୍ଡରେ ଉପସ୍ଥିତ ଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଶତାବ୍ଦୀର ତୃତୀୟ ଦଶନ୍ଧି ହେଉଛି ଉତ୍ତରାଖଣ୍ଡ ର ଦଶନ୍ଧି ବୋଲି ତାଙ୍କ ବକ୍ତବ୍ୟକୁ ମନେ ପକାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଏହି ବକ୍ତବ୍ୟ ଏହି ମାଟିରେ ସାକାର ହେବା ସନ୍ତୋଷର ବିଷୟ । ସିଲ୍କୟାରା ଟନେଲରୁ ଶ୍ରମିକଙ୍କ ସଫଳ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ଏବଂ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଉତ୍ତରାଖଣ୍ଡ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରାଖଣ୍ଡ ହେଉଛି ଏପରି ଏକ ରାଜ୍ୟ ଯେଉଁଠାରେ ଜଣେ ଏକା ସାଙ୍ଗରେ ଦେବତ୍ୱ ଏବଂ ବିକାଶ ଅନୁଭବ କରେ। ଏହି ଭାବନାକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଏକ କବିତା ପାଠ କରିଥିଲେ।

ଏହି ଅବସରରେ ଉପସ୍ଥିତ ନିବେଶକ ମାନଙ୍କୁ ଶିଳ୍ପକ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବହୁରାଷ୍ଟ୍ରୀୟ କଂପାନୀଗୁଡ଼ିକ ଦ୍ୱାରା କରାଯାଇଥିବା ଏସ୍ଡବ୍ଲ୍ୟୁଓଟି ବିଶ୍ଳେଷଣର ଉଦାହରଣ ଦେଇଥିଲେ ଏବଂ ଦେଶ କ୍ଷେତ୍ରରେ ଏହି କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏସ୍ଡବ୍ଲ୍ୟୁଓଟି ବିଶ୍ଳେଷଣର ଫଳାଫଳ ଦେଶରେ ଆକାଂକ୍ଷା, ଆଶା, ଆତ୍ମବିଶ୍ୱାସ, ଅଭିନବତା ଏବଂ ସୁଯୋଗର ପ୍ରଚୁରତା ସୂଚାଇବ ବୋଲି ସେ ଆଲୋକପାତ କରିଥିଲେ । ସେ ନୀତି ଭିତ୍ତିକ ଶାସନର ସୂଚକ ଏବଂ ରାଜନୈତିକ ସ୍ଥିରତା ପାଇଁ ନାଗରିକ ମାନଙ୍କର ସଂକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ଆଲୋକପାତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆକାଂକ୍ଷୀ ଭାରତ ଅସ୍ଥିର ପରିବର୍ତ୍ତେ ଏକ ସ୍ଥିର ସରକାର ଚାହୁଁଛି” ଏବଂ ଲୋକମାନେ ଉତ୍ତମ ଶାସନ ପ୍ରଦାନ କରୁଥିବା ଏବଂ ଭଲ କାର୍ଯ୍ୟ କରୁଥିବା ସରକାରଙ୍କୁ ଭୋଟ ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । କୋଭିଡ୍ ମହାମାରୀ ଏବଂ ଅସ୍ଥିର ଭୂ – ରାଜନୈତିକ ପରିସ୍ଥିତି ସତ୍ତ୍ୱେ ଦେଶର ରେକର୍ଡ ଗତିରେ ଆଗକୁ ବଢ଼ିବାର କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କରୋନା ଟିକା ହେଉ କିମ୍ବା ଆର୍ଥିକ ନୀତି, ଭାରତର ନିଜର ସାମର୍ଥ୍ୟ ଓ ନୀତି ଉପରେ ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫଳରେ ବିଶ୍ୱର ଅନ୍ୟ ବୃହତ ଅର୍ଥବ୍ୟବସ୍ଥା ମାନଙ୍କ ତୁଳନାରେ ଭାରତ ନିଜର ଏକ ଲିଗ୍ରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତ୍ତରାଖଣ୍ଡ ସମେତ ଭାରତର ପ୍ରତ୍ୟେକ ରାଜ୍ୟ ଏହି ଶକ୍ତିର ଫାଇଦା ଉଠାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ଡବଲ ଇଞ୍ଜିନ ସରକାରର ଲାଭ ବିଷୟରେ ଦୋହରାଇ ଥିଲେ ଯାହାର ଦ୍ୱିଗୁଣିତ ପ୍ରୟାସ ସବୁଠି ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ। ରାଜ୍ୟ ସରକାର ସ୍ଥାନୀୟ ବାସ୍ତବତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ଉତ୍ତରାଖଣ୍ଡରେ ଅଭୂତପୂର୍ବ ପୁଞ୍ଜି ନିବେଶ କରୁଛନ୍ତି । ଉଭୟ ସ୍ତରରେ ସରକାର ପରସ୍ପରର ପ୍ରୟାସକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଗ୍ରାମାଞ୍ଚଳରୁ ଚାରି ଧାମକୁ ଯାଉଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଦିଲ୍ଲୀ – ଡେରାଡୁନ ମଧ୍ୟରେ ଦୂରତା ଅଢେଇ ଘଣ୍ଟାର ଯାତ୍ରାକୁ ହ୍ରାସ ପାଇବ। ଡେରାଡୁନ୍ ଓ ପନ୍ତନଗର ବିମାନବନ୍ଦର ସମ୍ପ୍ରସାରଣ ବିମାନ ଯୋଗାଯୋଗକୁ ସୁଦୃଢ଼ କରିବ। ରାଜ୍ୟରେ ହେଲି – ଟ୍ୟାକ୍ସି ସେବାର ସମ୍ପ୍ରସାରଣ କରାଯାଉଛି ଏବଂ ରେଳ ସଂଯୋଗକୁ ସୁଦୃଢ଼ କରାଯାଉଛି। ଏସବୁ କୃଷି, ଶିଳ୍ପ, ଲଜିଷ୍ଟିକ୍ସ, ଷ୍ଟୋରେଜ୍ , ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି।

ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ସ୍ଥାନ ଗୁଡ଼ିକୁ ସୀମିତ ପ୍ରବେଶ ଅନୁମତି ପ୍ରଦାନ କରିଥିବା ପୂର୍ବ ସରକାର ମାନଙ୍କ ଆଭିମୁଖ୍ୟକୁ ବିରୋଧ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶର ପ୍ରଥମ ଗ୍ରାମ ଭାବରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ବିକାଶ ମାନଦଣ୍ଡରେ ପଛରେ ଥିବା ଗ୍ରାମ ଏବଂ ଅଞ୍ଚଳ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଶ୍ରୀ ମୋଦୀ ଉତ୍ତରାଖଣ୍ଡର ଅବ୍ୟବହୃତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ନିବେଶକ ମାନଙ୍କୁ ଏହାର ସଦୁପଯୋଗ କରିବାକୁ ଅନୁରୋଧ କରିଥିଲେ।

ଡବଲ ଇଞ୍ଜିନ ସରକାରଙ୍କ ଲାଭ ଉଠାଇଥିବା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ଗସ୍ତ ପାଇଁ ସାରା ବିଶ୍ୱ ତଥା ଦେଶର ଲୋକଙ୍କ ଉତ୍ସାହ ବିଷୟରେ ଉଲ୍ଲେଖ କରିଥିଲେ। ପର୍ଯ୍ୟଟକଙ୍କୁ ପ୍ରକୃତି ତଥା ଭାରତର ଐତିହ୍ୟ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଷୟବସ୍ତୁ ଭିତ୍ତିକ ପର୍ଯ୍ୟଟନ ସର୍କିଟ୍ ସୃଷ୍ଟି ସମ୍ପର୍କରେ ସେ ସୂଚନା ଦେଇଥିଲେ। ପ୍ରକୃତି, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଗଠିତ ଉତ୍ତରାଖଣ୍ଡ ଏକ ବ୍ରାଣ୍ଡ ଭାବେ ଉଭା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଯୋଗ, ଆୟୁର୍ବେଦ, ତୀର୍ଥ ଏବଂ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଅନୁସନ୍ଧାନ ଏବଂ ସୁଯୋଗ ସୃଷ୍ଟି କରିବାକୁ ନିବେଶକ ମାନଙ୍କୁ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ଧନୀ, ସମ୍ପନ୍ନ ବ୍ୟକ୍ତି ଓ ଯୁବବର୍ଗଙ୍କୁ ମେକ୍ ଇନ୍ ଇଣ୍ଡିଆ ଭଳି’ୱେଡ୍ ଇନ୍ ଇଣ୍ଡିଆ’ (ଭାରତରେ ବିବାହ) ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ଅତି କମ୍ରେ ଗୋଟିଏ ବିବାହ ସମାରୋହ କରିବା ଏବଂ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି। “ଯଦି ଉତ୍ତରାଖଣ୍ଡରେ ୧ ବର୍ଷରେ ୫୦୦୦ ବିବାହ ହୁଏ, ତେବେ ଏକ ନୂତନ ଭିତ୍ତିଭୂମି ସୃଷ୍ଟି ହେବ ଏବଂ ରାଜ୍ୟକୁ ବିଶ୍ୱ ପାଇଁ ଏକ ବିବାହ ସ୍ଥଳରେ ପରିଣତ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ, ଯେକୌଣସି ସଂକଳ୍ପ ହାସଲ କରିବା ପାଇଁ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ପରିବର୍ତ୍ତନର ଏକ ପ୍ରବଳ ସ୍ରୋତ ବହିବାରେ ଲାଗିଛି। ବିଗତ ୧୦ ବର୍ଷ ମଧ୍ୟରେ ଏକ ଆକାଂକ୍ଷୀ ଭାରତ ସୃଷ୍ଟି ହୋଇଛି। ପୂର୍ବରୁ ବଞ୍ଚିତ ଜନସଂଖ୍ୟାର ଏକ ବଡ଼ ଅଂଶକୁ ଯୋଜନା ଏବଂ ସୁଯୋଗ ସହିତ ଯୋଡାଯାଉଛି। କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ଅର୍ଥବ୍ୟବସ୍ଥାକୁ ନୂଆ ଗତି ଦେଉଛନ୍ତି। ଉଭୟ ନୂତନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀ ଅଧିକ ଖର୍ଚ୍ଚ କରୁଛନ୍ତି”ଆମକୁ ଭାରତର ମଧ୍ୟବିତ୍ତ ଶ୍ରେଣୀ ଭିତରେ ରହିଥିବା ସମ୍ଭାବନାକୁ ବୁଝିବାକୁ ପଡିବ। ଉତ୍ତରାଖଣ୍ଡରେ ସମାଜର ଏହି ଶକ୍ତି ଆପଣଙ୍କ ପାଇଁ ଏକ ବିଶାଳ ବଜାର ମଧ୍ୟ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ହାଉସ ଅଫ୍ ହିମାଳୟ ବ୍ରାଣ୍ଡର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଉତ୍ତରାଖଣ୍ଡର ସ୍ଥାନୀୟ ଉତ୍ପାଦକୁ ବିଦେଶୀ ବଜାରକୁ ନେବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ।

ଶ୍ରୀ ମୋଦୀ କହିଥିଲେ, “ହାଉସ୍ ଅଫ୍ ହିମାଳୟ’ ଆମର ଭୋକାଲ୍ ଫର୍ ଲୋକାଲ ଆଣ୍ଡ୍ ଲୋକାଲ ଫର୍ ଗ୍ଲୋବାଲ୍ (ସ୍ଥାନୀୟ ଜିନିଷର ବ୍ୟବହାର ଏବଂ ସ୍ଥାନୀୟ ଜିନିଷକୁ ବିଶ୍ୱରେ ପହଞ୍ଚାଇବା) ର ଧାରଣାକୁ ଆହୁରି ସୁଦୃଢ଼ କରିଛି। ଭାରତର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକର ଉତ୍ପାଦ ଗୁଡ଼ିକ ବିଶ୍ୱସ୍ତରୀୟ ହେବାର ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ମହଙ୍ଗା ମାଟି ବାସନ ତିଆରି ହୋଇ ବିଦେଶରେ ସ୍ୱତନ୍ତ୍ର ଉପାୟରେ ଉପସ୍ଥାପିତ ହେବାର ଉଦାହରଣ ଦେଇଥିଲେ। ପାରମ୍ପରିକ ଭାବରେ ଏଭଳି ଅନେକ ଉତ୍କୃଷ୍ଟ ଉତ୍ପାଦ ତିଆରି କରୁଥିବା ଭାରତର ବିଶ୍ୱକର୍ମା ମାନଙ୍କର ଦକ୍ଷତା ଏବଂ କାରିଗରୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏଭଳି ସ୍ଥାନୀୟ ଉତ୍ପାଦ ପାଇଁ ବିଶ୍ୱ ବଜାର ଅନୁସନ୍ଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିବେଶକ ମାନଙ୍କୁ ବିଭିନ୍ନ ଜିଲ୍ଲାରେ ଏଭଳି ଉତ୍ପାଦ ଚିହ୍ନଟ କରିବାକୁ ଅନୁରୋଧ କରିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଏବଂ ଏଫ୍ପିଓ ମାନଙ୍କ ସହ ଯୋଗାଯୋଗ କରିବାର ସମ୍ଭାବନା ଖୋଜିବାକୁ ସେ ଅନୁରୋଧ କରିଥିଲେ। “ସ୍ଥାନୀୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହା ଏକ ଚମତ୍କାର ଭାଗିଦାରୀ ହୋଇପାରେ” ବୋଲି ସେ କହିଥିଲେ। ଲକ୍ଷପତି ଦିଦି ଅଭିଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର ଗ୍ରାମାଞ୍ଚଳରୁ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ତାଙ୍କର ସଂକଳ୍ପ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ହାଉସ୍ ଅଫ୍ ହିମାଳୟ ବ୍ରାଣ୍ଡ୍ର ଶୁଭାରମ୍ଭ ସହିତ ଏହି ପଦକ୍ଷେପ ତ୍ୱରାନ୍ୱିତ ହେବ। ଏହି ପଦକ୍ଷେପ ପାଇଁ ସେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ଚରିତ୍ରକୁ ସୁଦୃଢ଼ କରିବା ପାଇଁ ଲାଲକିଲ୍ଲାରୁ ତାଙ୍କ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଥିଲେ, “ଆମେ ଯାହା ବି କରୁ, ତାହା ବିଶ୍ୱର ଶ୍ରେଷ୍ଠ ହେବା ଉଚିତ୍। ଆମର ମାନଦଣ୍ଡକୁ ବିଶ୍ୱ ଅନୁସରଣ କରିବା ଉଚିତ୍। ଆମର ଉତ୍ପାଦନ ଶୂନ୍ୟ ପ୍ରଭାବ, ଶୂନ୍ୟ ତ୍ରୁଟି ନୀତି ଉପରେ ଆଧାରିତ ହେବା ଉଚିତ୍। ଏବେ ରପ୍ତାନି ଭିତ୍ତିକ ଉତ୍ପାଦନକୁ କିପରି ବୃଦ୍ଧି କରା ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେ କହିଛନ୍ତି ଯେ ଉଚ୍ଚାକାଂକ୍ଷୀ ପିଏଲଆଇ ଅଭିଯାନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ପାଇଁ ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାର ସଂକଳ୍ପ ପ୍ରଦର୍ଶନ କରିଥାଏ। ନୂତନ ନିବେଶ ଦ୍ୱାରା ସ୍ଥାନୀୟ ଯୋଗାଣ ଶୃଙ୍ଖଳା ଏବଂ ଏମ୍ଏସ୍ଏମ୍ଇ ଗୁଡିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶସ୍ତା ରପ୍ତାନି ମାନସିକତାରୁ ବାହାରକୁ ଆସିବାର ଏବଂ ଦକ୍ଷତା ବିକାଶକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ପେଟ୍ରୋଲିୟମ୍ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ଏବଂ କୋଇଲା ପାଇଁ ୪ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆଜି ବି ଭାରତ ୧୫ ହଜାର କୋଟି ଟଙ୍କାର ଡାଲି ଆମଦାନୀ କରୁଥିବାରୁ ଡାଲି ଓ ତୈଳବୀଜ ଆମଦାନୀ ହ୍ରାସ କରିବାର ପ୍ରୟାସ ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ଭାରତ ମିଲେଟ୍ସ ଭଳି ପୁଷ୍ଟିକର ଖାଦ୍ୟରେ ସମୃଦ୍ଧ ହୋଇଥିବା ବେଳେ ପୋଷଣ ନାମରେ ପ୍ୟାକେଜ୍ ହୋଇଥିବା ଖାଦ୍ୟ ବିରୋଧରେ ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ। ଆୟୁଷ ସମ୍ବନ୍ଧିତ ଜୈବିକ ଖାଦ୍ୟର ସମ୍ଭାବନା ଏବଂ ରାଜ୍ୟର କୃଷକ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏହା ପ୍ରଦାନ କରୁଥିବା ସୁଯୋଗ ଉପରେ ସେ ଆଲୋକପାତ କରିଥିଲେ। ଏପରିକି ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ଖାଦ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିବାକୁ ସେ ଉପସ୍ଥିତ ଜନତାଙ୍କୁ କହିଥିଲେ।

ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଭାରତ ପାଇଁ, ଏହାର କମ୍ପାନୀ ଏବଂ ଏହାର ନିବେଶକମାନଙ୍କ ପାଇଁ ଏକ ଅଭୂତପୂର୍ବ ସମୟ। ସ୍ଥିର ସରକାର, ସହାୟକ ନୀତି ବ୍ୟବସ୍ଥା, ସଂସ୍କାରର ମାନସିକତା ଏବଂ ପରିବର୍ତ୍ତନ ଓ ବିକାଶ କ୍ଷେତ୍ରରେ ଆତ୍ମବିଶ୍ୱାସର ମିଶ୍ରଣକୁ ଶ୍ରେୟ ଦେଇ ସେ କହିଥିଲେ, “ଭାରତ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି”। ଏହା ହେଉଛି ଠିକ ସମୟ, ଉପଯୁକ୍ତ ସମୟ। ଏହା ହେଉଛି ଭାରତର ସମୟ”, ପ୍ରଧାନମନ୍ତ୍ରୀ ନିବେଶକ ମାନଙ୍କୁ ଉତ୍ତରାଖଣ୍ଡ ସହିତ ଆଗକୁ ବଢ଼ିବାକୁ ଏବଂ ଏହାର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩ ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ। ୨୦୨୩ ଡିସେମ୍ବର ୮ ଓ ୯ ତାରିଖରେ’ସମୃଦ୍ଧି ପାଇଁ ଶାନ୍ତି’ ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ହଜାର ହଜାର ନିବେଶକ ଓ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅଗ୍ରଣୀ ଶିଳ୍ପପତିମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଓଡିଶାର ୬୦ ଲକ୍ଷ ପରିବାର ନିକଟରେ ପହଂଚିଲା ନଳ ମାଧ୍ୟମରେ ଜଳ ସଂଯୋଗ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସକ୍ଷମ କରିବା ପାଇଁ ୨୦୨୪ ସୁଦ୍ଧା ନଳ ଜଳ ସଂଯୋଗ ମାଧ୍ୟମରେ ନିୟମିତ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସୁନିଶ୍ଚିତ କରିବା ନିମନ୍ତେ ଅଗଷ୍ଟ ୨୦୧୯  ଠାରୁ ଭାରତ ସରକାର ରାଜ୍ୟ ମାନଙ୍କ ସହ ଭାଗୀଦାରୀରେ ଜଳ ଜୀବନ ମିଶନ (ଜେଜେଏମ୍‌) – ହର୍ ଘର୍ ଜଳ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛନ୍ତି।

ଓଡିଶାରେ ଗ୍ରାମାଂଚଳରେ ଥିବା ୮୮. ୦୪ ଲକ୍ଷ ଗୃହ ମଧ୍ୟରୁ ୩.୧୧ ଲକ୍ଷ ଲୋକ ମାନଙ୍କୁ ୧୫ ଅଗଷ୍ଟ ୨୦୧୯ ସୁଦ୍ଧା ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ, ଏହାର ପରିମାଣ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୫୭.୭୫ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାର ପରିମାଣ ପ୍ରାୟ ସମୁଦାୟର ୬୫.୧୫% ଥିଲା। ୨୦୨୩ ନଭେମ୍ବର ୨୯ ତାରିଖ ସୁଦ୍ଧା ଏହା ୬୦.୨୮ ଲକ୍ଷ ଘରକୁ ପରିସରଭୁକ୍ତ କରିଛି, ଯାହାର ପରିମାଣ ୬୮.୦୧% ଅଟେ।

ଏହି ମିଶନର ଉଦ୍ଦ୍ୟେଶ୍ୟ ହାସଲ କରିବା ପାଇଁ ଜଳ ଜୀବନ ମିଶନ ଅଧୀନରେ ନିମ୍ନଲିଖିତ ଉପାଦାନ ଗୁଡିକର ପରିକଳ୍ପନା କରାଯାଇଛି:

୧. ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିବା ପାଇଁ ଗ୍ରାମରେ ପାଇପ୍ ଜଳ ଯୋଗାଣ ଭିତ୍ତିଭୂମିର ବିକାଶ।

୨. ଜଳ ଯୋଗାଣ ବ୍ୟବସ୍ଥାକୁ ଦୀର୍ଘକାଳୀନ ସ୍ଥାୟୀତ୍ୱ ପ୍ରଦାନ କରିବା ପାଇଁ ନିର୍ଭରଯୋଗ୍ୟ ପାନୀୟ ଜଳ ଉତ୍ସ ଗୁଡିକର ବିକାଶ ଏବଂ /କିମ୍ବା ପୂର୍ବରୁ ରହିଥିବା ଉତ୍ସ ଗୁଡିକର ବୃଦ୍ଧି।

୩. ବହୁ ପରିମାଣର ଜଳ ସ୍ଥାନାନ୍ତର, ଉପଚାର ପ୍ଲାଂଟ ଏବଂ ବିତରଣ ନେଟୱର୍କ।

୪. ଯେଉଁଠାରେ ଜଳ ଗୁଣବତ୍ତା ଏକ ସମସ୍ୟା ଅଟେ , ସେଠାରେ ପ୍ରଦୂଷଣକୁ ହଟାଇବା ପାଇଁ ବୈଷୟିକ ହସ୍ତକ୍ଷେପ।

୫. ସର୍ବନିମ୍ନ ୫୫ ଏଲ୍‌ପିସିଡି ସେବା ସ୍ତରରେ ଏଫ୍‌ଏଚ୍‌ଟିସି ପ୍ରଦାନ କରିବା ନିମନ୍ତେ ସମ୍ପୂର୍ଣ୍ଣ ଏବଂ ଚାଲୁଥିବା ଯୋଜନା ଗୁଡିକର ପୁନରୁଦ୍ଧାର।

୬. ଅପରିଷ୍କାର ଜଳ ପରିଚାଳନା – ବିଶୋଧନ ଏବଂ ପୁନଃବ୍ୟବହାର ଏବଂ

୭. ସମୁଦାୟର କାର୍ଯ୍ୟକଳାପ ଏବଂ ଦକ୍ଷତା ବିକାଶକୁ ସମର୍ଥନ କରିବା।

୧୫ ଅଗଷ୍ଟ ୨୦୧୯ ରେ ଯେତେବେଳେ ଜଳ ଜୀବନ ମିଶନ ଘୋଷଣା କରାଯାଇଥିଲା, ସେହି ସମୟରେ ୩.୨୩ କୋଟି (୧୭%) ଗ୍ରାମୀଣ ପରିବାର ନିକଟରେ ଟ୍ୟାପ୍ ଜଳ ସଂଯୋଗ ରହିଥିଲା। ୨୯ ନଭେମ୍ବର ୨୦୨୩ ସୁଦ୍ଧା ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକର ରିପୋର୍ଟ ଅନୁଯାୟୀ , ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦.୪୬ କୋଟି ଅତିରିକ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରାଯାଇଛି। ଅର୍ଥାତ୍ ୨୯ ନଭେମ୍ବର ୨୦୨୩ ସୁଦ୍ଧା ଦେଶର ୧୯.୨୪ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ପ୍ରାୟ ୧୩.୬୯ କୋଟି (୭୧%) ପରିବାର ସେମାନଙ୍କ ଘରେ ଟ୍ୟାପ୍ ଜଳ ଯୋଗାଣର ସୁବିଧା ପାଉଥିବା ଜଣାଯାଇଛି। ୩୦/୦୯/୨୦୨୩ ଏବଂ ୨୯/୧୧/୨୦୨୩ ସୁଦ୍ଧା ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଅନୁଯାୟୀ ଟ୍ୟାପ୍ ଜଳ ସଂଯୋଗର ବିବରଣୀ ସଂଲଗ୍ନ କରାଯାଇଛି।

୯ଟି ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ , ଯଥା : ଗୋଆ, ଗୁଜରାଟ, ହରିୟାନା, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ତେଲେଙ୍ଗାନା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ନଗର ହାବେଲି ଏବଂ ଡାମନ ଡିଉ ଏବଂ ପୁଡୁଚେରୀ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ସମ୍ପୃକ୍ତ ରାଜ୍ୟ /କେନ୍ଦ୍ରଶାସିତ ଅଂଚଳର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିଥିବା ରିପୋର୍ଟ ଦେଇଛନ୍ତି।

ଆଜି ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ଯୁବା ସଂଗମ’ ଫେଜ୍-୩ରେ ଓଡ଼ିଶା ଆସିଥିବା କେରଳର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି  ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଅନୁଭୂତି ଶୁଣିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ। ଶିକ୍ଷାନୁଷ୍ଠାନ ଗୁଡିକରେ ଆଜିର ଯୁବପିଢିଙ୍କୁ  ଭାରତର ବିଭିନ୍ନ ରାଜ୍ୟକୁ ନେଇ ପର୍ଯ୍ୟଟକ ଭାବରେ ଭ୍ରମଣ କରାଇବା ସହ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି, ପରମ୍ପରା, ଖାଦ୍ୟଶୈଳୀକୁ ଅନୁଭବ କରାଇବା ପାଇଁ ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୁବା ସଂଗମର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ନେତୃତ୍ୱରେ କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଛନ୍ତି। ସେମାନେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱର ସହର ସମେତ ଅନ୍ୟାନ୍ୟ ବୁଲି ସ୍ଥାନୀୟ କଳା, ସଂସ୍କୃତି ଓ ସାମାଜିକ ସମ୍ପର୍କକୁ ଅନୁଭବ କରିଛନ୍ତି। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଜ୍ଞାନ ପରମ୍ପରାକୁ ନେଇ ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିଛନ୍ତି।

ଛାତ୍ରଛାତ୍ରୀମାନେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହିତ  ସମାଜ ଜୀବନର ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ଭେଟି ନିଜର ଖୁସି ପ୍ରକାଶ କରିଛନ୍ତି। ଏହିପରି ଭାବରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ମଧ୍ୟ କେରଳର ଏନଆଇଟି କାଲିକଟ୍ ନେତୃତ୍ୱରେ ସେହି ରାଜ୍ୟକୁ ଯାଇ ସମାନ ଅନୁଭବ ନେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଦେଶରେ ବିବିଧତା ମଧ୍ୟରେ ଆମେ କିପରି ଏକ ଅଛୁ, ତାହାକୁ ଯୁବାଶକ୍ତିଙ୍କ ମାଧ୍ୟମରେ ପ୍ରଦର୍ଶନ କରିବାର ଏହା ଅନନ୍ୟ ପ୍ରୟାସ। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଯୁବା ସଂଗମ ଏକ ଭାରତ ଶ୍ରେଷ୍ଠ ଭାବନାକୁ ସୁଦୃଢ଼ କରୁଛି  ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି ଆଲୋଚନା କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆକାଶରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ!, ବାୟୁସେନାକୁ ମିଳିବ ୧୨ ଟି ନୂତନ ସୁଖୋଇ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତ ସରକାର କ୍ରମାଗତ ଭାବରେ ନିଜର ସଶସ୍ତ୍ର ବାହିନୀକୁ ମଜବୁତ କରୁଛନ୍ତି, ଯାହାଫଳରେ ଦେଶକୁ ଶତ୍ରୁ ଦେଶରୁ ରକ୍ଷା କରାଯାଇପାରିବ। ଭାରତୀୟ ସେନା ସହିତ ଭାରତୀୟ ବାୟୁସେନାକୁ ମଧ୍ୟ ମଜବୁତ କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି କ୍ରମରେ ବାୟୁସେନାର ସ୍କ୍ବାଡ୍ରନ୍ ଶକ୍ତି ବୃଦ୍ଧି କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ‘ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍’ (ହାଲ୍) କୁ ୧୦ ହଜାର କୋଟି ଟଙ୍କା ଟେଣ୍ଡର ଜାରି କରିଛି। ଏହା ଅଧୀନରେ ବାୟୁସେନା ପାଇଁ ୧୨ ସୁଖୋଇ -୩୦ ଯୁଦ୍ଧ ବିମାନ ଅଧିଗ୍ରହଣ ହେବ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଡିସେମ୍ବର ଶେଷ ସୁଦ୍ଧା HAL ଏହି ଟେଣ୍ଡରର ଜବାବ ଦେବାକୁ ଯାଉଛି। ଏହି ନିଷ୍ପତ୍ତି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ଯେଉଁ ସମୟରେ ଭାରତୀୟ ବାୟୁସେନାକୁ ଆହ୍ଵାନର ସାମ୍ନା କରିବାକୁ ପଡୁଛି। ବାସ୍ତବରେ, ଗତ ୨୦ ବର୍ଷ ମଧ୍ୟରେ ବାୟୁସେନା ବିଭିନ୍ନ ବାୟୁ ଦୁର୍ଘଟଣାରେ ୧୨ ସୁଖୋଇ -୩୦ ଯୁଦ୍ଧ ବିମାନ ହରାଇଛି। ଏଭଳି ପରିସ୍ଥିତିରେ ନୂତନ ଯୁଦ୍ଧ ବିମାନ ମାଧ୍ୟମରେ ବାୟୁସେନାରେ ଏହି ସ୍ଥାନ ପୂରଣ ପାଇଁ ସରକାର କାର୍ଯ୍ୟ କରିବେ।

ସୁଖୋଇ ଯୁଦ୍ଧ ବିମାନ ସ୍ୱଦେଶୀ ହେବ:

ସମସ୍ତ ଯୁଦ୍ଧ ବିମାନ ଭାରତରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ମାଧ୍ୟମରେ ଉତ୍ପାଦିତ ହେବ। ଏଥିରେ ୬୦ ପ୍ରତିଶତ ଉପକରଣ ସ୍ୱଦେଶୀ ହେବାକୁ ଯାଉଛି। ଭାରତୀୟ ବାୟୁସେନାରେ ୨୬୦ ଟି ଯୁଦ୍ଧ ବିମାନ ଅଛି। କିନ୍ତୁ ନୂତନ ସୁଖୋଇ -୩୦ ଯୁଦ୍ଧ ବିମାନ ଯାହା ବାୟୁସେନା ଜାହାଜରେ ଅନ୍ତର୍ଭୂକ୍ତ ହେବ ସମସ୍ତ ପୁରୁଣା ଯୁଦ୍ଧ ବିମାନ ଅପେକ୍ଷା ଅଧିକ ଆଧୁନିକ ହେବ। ଥରେ HAL ଟେଣ୍ଡର ସମ୍ବନ୍ଧରେ ନିଜର ବିବୃତ୍ତି ପ୍ରକାଶ କଲା ପରେ ଯୁଦ୍ଧ ବିମାନର ବିତରଣ ତାରିଖ ମଧ୍ୟ ପ୍ରକାଶ ପାଇବ।

ସୁଖୋଇ -୩୦ ବିମାନର ବିଶେଷତା କ’ଣ?:

ସୁଖୋଇ -୩୦ MKI ହେଉଛି ଏକ ବହୁ-ଭୂମିକା ଯୁଦ୍ଧ ବିମାନ, ଯାହା ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ପରିଚାଳନା କରିବାରେ ସକ୍ଷମ। ଆଷ୍ଟ୍ରା MK-୧ ଲମ୍ବା ରେଞ୍ଜ୍ ଏୟାର-ଟୁ-ଏୟାର ମିସାଇଲ୍, ବ୍ରାହ୍ମୋସ୍ ଏୟାର ଲଞ୍ଚ ହୋଇଥିବା କ୍ଷେପଣାସ୍ତ୍ର ଏବଂ ଏଥିରେ ଅନେକ ପ୍ରକାରର ବୋମା ଲଗାଯାଇପାରିବ। ସୁଖୋଇ -୩୦ MKI ହେଉଛି ୪.୫ ପିଢୀର ଯୁଦ୍ଧ ବିମାନ, ଯାହା ଉଚ୍ଚ ବେଗରେ ତଥା ନିମ୍ନ ବେଗରେ ଅନେକ ପ୍ରକାରର କାର୍ଯ୍ୟ କରିପାରିବ। ଏହି ଯୁଦ୍ଧ ବିମାନରେ ଆକାଶ ମାର୍ଗରେ ଇନ୍ଧନ ଭରାଯାଇପାରିବ। ଏହା ମଧ୍ୟ ଦୀର୍ଘ ଦୂରତା ପାଟ୍ରୋଲିଂ କରିପାରିବ।

Categories
ଆଜିର ଖବର ଜାତୀୟ ଖବର

ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ୨୦୨୨ରେ ଭାରତର ପ୍ରାୟ  ୧୧ଲକ୍ଷ ଶିଶୁ ପ୍ରଥମ ଡୋଜ ମିଳିମିଳା ଟିକା ନେବାରୁ ବଂଚିତ ହୋଇଥିବା ଘେନି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକୀୟ ବ୍ୟାଧି ନିୟନ୍ତ୍ରଣ ତଥା ନିରାକରଣ କେନ୍ଦ୍ର ସିଡିସିର ତଥ୍ୟକୁ ଉଦ୍ଧାର କରି ଏହି ଖବର ପ୍ରକାଶ ପାଇଛି । ଏହି ରିପୋର୍ଟ ଅସତ୍ୟ ଏବଂ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦେଇ ପ୍ରକାଶିତ ସମ୍ବାଦକୁ ଖଣ୍ଡନ କରିଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରକାଶିତ ସମ୍ବାଦ ତଥ୍ୟ ଆଧାରିତ ନୁହେଁ ଏବଂ ଏଥିରେ ପ୍ରକୃତ ଚିତ୍ର (ସତକଥା)ପ୍ରଦାନ କରାଯାଇନାହିଁ । ତେଣୁ ଏହା ସତ୍ୟ ଉପରେ ଆଧାରିତ ନୁହେଁ । ପ୍ରକୃତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନୟ ‘ହୁ’ ଓ ୟୁନିସେଫ ଅଧୀନରେ ୨୦୨୨ରେ କରାଯାଇଥିବା ଜାତୀୟ ଟିକାକରଣ ଆକଳନ ତଥ୍ୟ ଆଧାରରେ ଏହି ଖବର ପ୍ରକଶିତ ହୋଇଛି । ଏହି ଆକଳନ ଯାହା ଡବ୍ଲ୍ୟୁୟୁଇଏନ୍‌ଆଇସି ନାମରେ ପରିଚିତ ସେଥିରେ ଯେଉଁ ସମୟ ସୀମାକୁ ହିସାବକୁ ନିଆଯାଇଛି ତାହା ୨୦୨୨ ଜାନୁୟାରୀ ପହିଲାରୁ ୨୦୨୨ ଡିସେମ୍ବର ୩୧ତାରିଖ ।

ତେବେ ସେ ଯା’ ହେଉ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ପରିଚାଳନା ସୂଚନା ବ୍ୟବସ୍ଥା ବା ଏଚ୍‌ଏମ୍‌ଆଇଏସ୍ ଅନୁସାରେ  ୨୦୨୨-୨୩ ଆର୍ଥିକ ବର୍ଷରେ (ଏପ୍ରିଲ ୨୦୨୨ରୁ ମାର୍ଚ୍ଚ ୨୦୨୩ର) ଦେଶର ୧, ୬୩, ୮୪, ୫୮୦ ଟିକା ନେବାକୁ ଯୋଗ୍ୟ ଶିଶୁଙ୍କ ମଧ୍ୟରୁ ୨, ୬୩, ୨୭୦ଜଣଙ୍କୁ ମିଳିମିଳା ଟିକା (ମିଜିଲ କଣ୍ଟେନିଂ ଭାକ୍ସିନ) ପ୍ରଦାନ କରାଯାଇଛି । ବାସ୍ତବରେ ୨୦୨୨-୨୩ ଆର୍ଥିବ ବର୍ଷରେ ଯୋଗ୍ୟ ଶିଶୁଙ୍କ ମଧ୍ୟରୁ ମାତ୍ର ୨୧, ୩୧୦ଶିଶୁ ମିଳିମିଳା ଟିକା ବା ଏମ୍‌ସିଭି ନେଇ ପାରି ନାହାନ୍ତି ।

ଏହା ବ୍ୟତୀତ ଦେଶର ସବୁ ଯୋଗ୍ୟ ଶିଶୁ ମିଳିମିଳା ଓ ଅନ୍ୟାନ୍ୟ ଟିକା ବୟସ ଏବଂ ଡୋଜ ଅନୁପାତରେ ଯେପରି ପ୍ରତ୍ୟେକ ପର୍ଯ୍ୟାୟରେ ଠିକ୍ ଭାବେ  ନେଇପାରିବେ ସେଥିପାଇଁ କେନ୍ଦ୍ର ସକରାର ସବୁ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରଖି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଟିକା ନେବାରୁ କୌଣସି ଶିଶୁ ଯେପରି ବଂଚିତ ନ ହୁଅନ୍ତି ସେଥି ପାଇଁ ବିଭିନ୍ନ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।

ଆହୁରି ମଧ୍ୟ ପିଲାମାନଙ୍କୁ ମିଳିମିଳା ଟିକା (ଏମ୍‌ସିଭି) ଦେବାର ବୟସ ସୀମାକୁ ଭାରତରେ ସାୟୟିକ ସଘନ ‌ଟିକାକରଣ କାର୍ଯ୍ୟକ୍ରମରେ ଦୁଇରୁ ପାଂଚ ବର୍ଷରୁ ବଢାଇ ଦିଆଯାଇଛି । ସଘନ ମିଶନ୍ ଧନୁଷ (ଆଇଏମ୍‌ଆଇ) ୩.୦ ଓ ୪.୦ ଯଥାକ୍ରମେ ୨୦୨୧-୨୨ରେ କାର୍ଯ୍ୟକାରୀ କରାଯାଇା  ସବୁ ପିଲାଙ୍କୁ ମିଳିମିଳା ଟିକା ଦିଆଯାଇଥିଲା । ଏଥିରେ ଯେଉଁମାନେ ପ୍ରଥମ ଡୋଜ ନେଇ ପାରି ନ ଥିଲେ ସେମାନଙ୍କୁ ମିଶାଇ ପ୍ରାୟ ସବୁ ଯୋଗ୍ୟ ପିଲାଙ୍କୁ ମିଳିମିଳା ସହିତ ଅନ୍ୟାନ୍ୟ ଟିକା ପ୍ରଦାନ କରାଯାଇଥିଲା ।  ତେଣୁ ଆଂଶିକ ଟିକା ନେଇଥିବା ଓ ନୂଆକରି ଟିକା ନେବାକୁ ଥିବା ପ୍ରାୟ ସବୁ ପିଲାଙ୍କୁ ଏହି ଅଭିଯାନରେ ମିଳିମିଳା ଟିକା ଦିଆଯାଇଛି । ୨୦୨୩ରେ କାର୍ଯ୍ୟକାରୀ ହୋଇଥିବା ଆଇଏମ୍‌ଆଇ ୫.୦ର ସ୍ୱତନ୍ତ୍ର ଲକ୍ଷ୍ୟ ହେଲା ୫ ବର୍ଷ ବୟସ ବର୍ଗ ମଧ୍ୟରେ ଥିବା ସବୁ ପିଲାଙ୍କୁ ମିଳିମିଳା ଟିକା ଦେଇ ଏହି କାର୍ଯ୍ୟକ୍ରମର ବ୍ୟାପକତା ଓ ସଫଳତାକୁ ବୃଦ୍ଧି କରିବା ।

ଦିଲ୍ଲୀ ଓ ପଶ୍ଚିମବଂଗରେ ୯ ମାସରୁ ୫ ବର୍ଷ ବୟସ ବର୍ଗର ଶିଶୁଙ୍କୁ ଏମ୍‌ଆର୍ ଟିକା ପ୍ରଦାନ କରାଯାଇ ୯୫%ରୁ ଅଧିକ ସଫଳତା ମଳିଛି । ଅନେକ ରାଜ୍ୟରେ ଅତିରିକ୍ତ ଟିକାକରଣ ଅଭିଯାନ ହାତକୁ ନିଆଯାଇ ମୋଟ ୩୦ ନିୟୁତ ଶିଶୁଙ୍କୁ ଅତିରିକ୍ତ ମିଳିମିଳା ଡୋଜ ପ୍ରଦାନ କରାଯାଇଛି । ଯେଉଁ ଅଂଚଳ ଅଧିକ ମିଳିମିଳା ପ୍ରବଣ ସେଠାରେ ଶିଶଙ୍କୁ  ଜନ୍ମର ୬ରୁ ୯ମାସ ମଧ୍ୟରେ ପ୍ରଥମ ଡୋଜ ଟିକା ଦିଆଯାଇଛି । ଦେଶର  ଅଣମିଳିମିଳା ‌ଓ ଅଣ ରୁବେଲା (ଏନ୍‌ଏମ୍‌ଏନ୍‌ଆର୍‌) ଡିସାକାର୍ଡ ହାର ଚଳିତ ଆର୍ଥିକ ବର୍ଷରେ ୫. ୮ ଶତାଂଶରୁ ଅଧିକ  ।

ଭାରତ ସରକାର ଦେଶର ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ମାରାତ୍ମକ୍ମ ବ୍ୟାଧିରୁ ସୁରକ୍ଷିତ ରଖିବାକୁ ନାନାବିଧ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ଏହାକୁ ବିଭିନ୍ନ ଆର୍ନ୍ତଜାତିକ ସଂସ୍ଥାର ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ଭାରତର ଏହି ଟିକାକରଣ କାର୍ଯ୍ୟକ୍ରମକୁ ଆମେରିକାନ ରେଡକ୍ରସ, ବିଏମ୍‌ଜିଏଫ୍‌, ଜିଏଭିଆଇ, ୟୁଏସ୍‌ସିଡିସି, ୟୁନିସେଫ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଭଳି ମଧ୍ୟ ପ୍ରଶଂସା କରିଛନ୍ତି । ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ମିଳିମିଳା ଓ ରୁବେଲା ନିୟନ୍ତ୍ରଣ ତଥା ନିରାକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ରୁବେଲା,ମିଜିଲ୍ସ ପାର୍ଟନର ସିପ ଭ ଚାମ୍ପିୟନସିପ ପୁରସ୍କାର ପାଇଁ ମନୋନୀତ ହୋଇଛି । ୨୦୨୪ମାର୍ଚ୍ଚରେ ୱାଶିଂଟନ ଡିସିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ସରକାର ସ୍ୱାସ୍ଥ୍ୟ ପରିବାର  କଲ୍ୟାଣ ମନ୍ତ୍ରଣାଳୟ ଏହି ପୁରସ୍କାର ଗ୍ରହଣ କରିବେ ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାର ପ୍ରଥମ ଚରଣରେ ଆଦିବାସୀ ଜିଲ୍ଲା ସମୂହର ଗ୍ରାମ ପଞ୍ଚାୟତଗୁଡିକୁ ଅଭିନନ୍ଦନ ପତ୍ର ପ୍ରଦାନ

ନୂଆଦିଲ୍ଲୀ: କେନ୍ଦ୍ର ଭୂ-ସମ୍ବଳ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲଆର୍‌ଏମ୍‌ପି) କୁ କାର୍ଯ୍ୟକାରୀ କରାଯାଉଛି। ଏହା କେନ୍ଦ୍ର ସରକାରଙ୍କର ଏକ ଯୋଜନା। ଭାରତ ସରକାର ଏଥି ପାଇଁ ଶତ ପ୍ରତିଶତ ଅର୍ଥ ଯୋଗାଇ ଦେଉଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଦେଶର ଏକ ଆଧୁନିକ, ପୂର୍ଣ୍ଣାଙ୍ଗ, ଓ ସ୍ୱଚ୍ଛ ଲ୍ୟାଣ୍ଡ ରେକର୍ଡ ପରିଚାଳନା ବ୍ୟବସ୍ଥା ବିକଶିତ କରିବା । ଡିଆଇଏଲଆରଏମ୍‌ପି ମାଧ୍ୟମରେ ଦେଶରେ  ଜମିଜମା ସଂକ୍ରାନ୍ତ ମାମଲାର ରେକର୍ଡପତ୍ର ପ୍ରସ୍ତୁତ କରିବାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ଅନେକ ଜମିଜମାର ରେକର୍ଡପତ୍ରକୁ ଡିଜିଟାଇଜ୍ କରାଯାଇଛି । ଏହି କାମରେ ସଫଳତା ପାଇଁ ଦେଶର ବିଭିନ୍ନ ଜିଲ୍ଲାଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଚାଲିଛି । ଏଥି ପାଇଁ ବିଭାଗ ପକ୍ଷରୁ ସଫଳତା ଆଧାରରେ ଜିଲ୍ଲାଗୁଡିକ ନିମନ୍ତେ ଗ୍ରେଡିଂ ବ୍ୟବସ୍ଥା କରାଯାଇଛି ।

ଏ ସଂକ୍ରାନ୍ତ ଛ’ଟି ମୌଳିକ ବିଷୟରେ ଯେଉଁ ଜିଲ୍ଲା ୯୯ଶତାଂଶ ବା ତତୁର୍ଦ୍ଧ କାମ ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କ ପାଇଁ ପ୍ଲାଟିନମ୍ ଗ୍ରେଡର ମାନ୍ୟତା ବ୍ୟବସ୍ଥା ସରକାର କରିଛନ୍ତି । ୨୦୨୩ ଅକ୍ଟୋବର ୨୬ତାରିଖ ସୁଦ୍ଧା ଦେଶର ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୧୫୭ ଜିଲ୍ଲା ଏ କ୍ଷେତ୍ରରେ ୯୯ ଶତାଂଶ କାମ ଶେଷ କରି ପ୍ଳାଟିନମ୍ ମାନ୍ୟତା ପାଇବାରେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଜିଲ୍ଲାଗୁଡିକ ମଧ୍ୟରେ ଅନେକ ଆଦିବାସୀ ଅଧୁଷିତ ଜିଲା ରହିଛନ୍ତି । ଯେଉଁ ଛ’ଟି ମୌଳିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ସେଗୁଡିକ ହେଲା-

୧) ଲ୍ୟାଣ୍ଡ ରେକର୍ଡର କମ୍ପ୍ୟୁଟରାଇଜେସନ

୨) କାଡାଷ୍ଟ୍ରାଲ/ଏଫ୍‌ଏମ୍‌ବିସିଏମ୍ ମ୍ୟାପର ଡିଜିଟାଇଜେସନ

୩) କାଡାଷ୍ଟ୍ରାଲ ମ୍ୟାପ ସହ ଲ୍ୟାଣ୍ଡ ରେକର୍ଡର ସଂଯୋଗ ସ୍ଥାପନ

୪) ପଞ୍ଜୀକରଣ (ରେଜିଷ୍ଟ୍ରେସନ)ର କମ୍ପ୍ୟୁଟରାଇଜେସନ

୫) ଲ୍ୟାଣ୍ଡ ରେକର୍ଡସ ଦପ୍ତର (ରାଜସ୍ୱ ଅଫିସ) ସହିତ ରେଜିଷ୍ଟ୍ରେସନ (ଏମ୍‌ଆରଓ )ର ସଂଯୋଗୀକରଣ ଏବଂ ୬) ଆଧୁନିକ ରେକର୍ଡ ରୁମ ପ୍ରତିଷ୍ଠା ।

ଏହି ଛ’ଟି ମୌଳିକ ବିଷୟର କାର୍ଯ୍ୟକାରିତା ଉପଯୁକ୍ତ ଭାବେ ହେଲେ ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେସନ ଓ ଆଧୁନିକୀକରଣ କାମ ଆଶାନୁରୂପ ହୋଇପାରିବ । ଏହା ଫଳରେ ଆବଶ୍ୟକ ସ୍ଥଳେ ଭୂସମ୍ପତ୍ତି/ଜମିଜମା ସଂକ୍ରାନ୍ତ ଅଦ୍ୟତମ ତଥ୍ୟ, ଏହାର ସ୍ଥିତି, ମାଲିକାନା ସ୍ୱରୂପ ଆଦି ବିଷୟରେ ପୂର୍ଣ୍ଣର୍ାଙ୍ଗ ତଥ୍ୟ ମିଳିପାରିବ । ଏହା ଫଳରେ ଭୂ-ସମ୍ପଦର ବ୍ୟବହାର ସହଜ ହୋଇପାରିବ । ଏହା ଫଳରେ ୍‌ଭୂମି ମାଲିକ ଓ କ୍ରେତା ମଧ୍ୟ ଉପକୃତ ହେବେ । ଏହା ଦ୍ୱାରା ଭୂମି ବିବାଦ ହ୍ରାସ ପାଇବା ସହିତ ବେନାମୀ କାରବାର, ଠକେଇ ଆଦିକୁ ରୋକି ହେବ । ଏହି ରେକର୍ଡ ଭତ୍ତିରେ ଜମିର ବ୍ୟବହାର ଯୋଜନା ସଂସଂହତ  ହୋଇପାରିବ । ଆହୁରି ମଧ୍ୟ ଏହି ଡିଜିଟାଇଜେସିନ ପ୍ରକ୍ରିୟା ଜମି  ବିକ୍ରି ବଟାକୁ ସହଜ କରିବ । ‌ଜମିର ସ୍ଥିତି ଓ ମାଲିକାନା ଆଦି ବିଷୟରେ ଜାଣିବାକୁ ରାଜସ୍ୱ/ରେଜିଷ୍ଟ୍ରେସନ ଅଫିସକୁ ଉଭୟ ଭୂମି ମାଲିକ ଓ କ୍ରେତାଙ୍କୁ ଦୌଡିବାକୁ  ପଡିବ ନାହିଁ । ଜମିଜମା ସଂକ୍ରାନ୍ତ ତଥ୍ୟ ବିଭିନ୍ନ ସଂଗଠନ ଓ ସଂସ୍ଥା ସହ ଆଦାନପ୍ରଦାନ କରି ହେବ ।

ଭାରତ ସରକାର ବିକଶିତ ଭାରତ ସଂକଳ୍ପ ଯାତ୍ରା ୨୦୨୩ ନଭେମ୍ବର ୧୩ ତାରିଖରୁ ଦେଶବ୍ୟାପୀ ଆରମ୍ଭ କରିଛନ୍ତି । ଏହା ୨୦୨୪ ଜାନୁୟାରୀ ୨୬ ଯାଏ ଚାଲିବ । ଏହି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ଏହି ଯାତ୍ରାର ଉଦ୍ଦେଶ୍ୟ । ଏହା ବାସ୍ତବରେ ଏକ ସଚେତନତା ଅଭିଯାନ । ଜନ ଭାଗିଦାରୀ ମାଧ୍ୟମରେ ଏହି ଯୋଜନାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି । ଯେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ସେମାନଙ୍କୁ ମଧ୍ୟ ଏହି ଅଭିଯାନ କାଳରେ ଏଥିରେ ସାମିଲ କରାଯିବ ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଭାରତ ସରକାରଙ୍କ ଭୂସମ୍ପଦ ବିଭାଗ ଯୋଗ୍ୟ ଗାଁରେ ଅଭିନନ୍ଦନ ପତ୍ର ବାଣ୍ଟିବା ସହିତ ସଫଳ ପଞ୍ଚାୟତଗୁଡିକୁ ସମ୍ବର୍ଦ୍ଧିତ କରିବେ । ଏଥିରେ ଗ୍ରାମ, ପଞ୍ଚାୟତ ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ଓ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।  ଯେଉଁ ଗ୍ରାମ ପଞ୍ଚାୟତ, ଜମି ଡିଜିଟାଇଜେସନ କାମରେ ୯୯ ଶତାଂଶ ବା ତଦୁର୍ଦ୍ଧ ସଫଳତା ହାସଲ କରିଛନ୍ତି, ସେସବୁର ପ୍ରତିନିଧିମାନଙ୍କୁ ସାର୍ଟିଫିକେଟ /ପ୍ରମାଣପତ୍ର ଦିଆଯିବ । ଏହି ସାର୍ଟିଫିକେଟରେ ଡିଜିଟାଲ ରୂପ/ନକଲ ସବୁ ରାଜ୍ୟକୁ ପଠାଇ ଦିଆଯାଇଛି । ଏହି ରାଜ୍ୟ ସରକାରମାନେ ଏହାକୁ ବାଣ୍ଟିବେ । ପ୍ରଥମ ପର୍ଯ୍ୟାୟରେ ୧୧ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୩ ଆଦିବାସୀ ବହୁଳ ଜିଲ୍ଲାରେ ଏହି ସାର୍ଟିଫିକେଟ ସଂକଳ୍ପ ପତ୍ର ବଣ୍ଟାଯିବ ।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ପ୍ରଥମ ପର୍ଯ୍ୟାୟ  କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଅଭିନନ୍ଦନ ପତ୍ର ସମ୍ପୃକ୍ତ ଗ୍ରାମ ଓ ପଞ୍ଚାୟତକୁ ପ୍ରଦାନ କରାଯାଇଛି ।

– ଗୁଜରାଟର ନର୍ମଦା ଜିଲ୍ଲାରେ ଅଭିନନ୍ଦନ ପତ୍ର ବଣ୍ଟନ

-ଗୁଜରାଟର ଡାଙ୍ଗ ଜିଲ୍ଲାର ବାଘାଇ ଗ୍ରାମରେ ଅଭିନନ୍ଦନପତ୍ର ବଣ୍ଟନ କାର୍ଯ୍ୟକ୍ରମ

-ପଶ୍ଚିମ ତ୍ରିପୁରା ଜିଲ୍ଲାର ଜିରାଣିଆ ବ୍ଲକରେ ଆୟୋଜିତ ସଚେତନତା ଶିବିର

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି। ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ୱାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ ସ୍କୁଲ) ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ। ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ। ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମୟଓୁ ସ୍ୱାକ୍ଷର କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଏମଓୟୁ ସ୍ୱାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ସମ୍ପୂର୍ଣ୍ଣ ହୋଇସାରିଛି। ପିଏମ ଶ୍ରୀ ସ୍କୁଲ ଯୋଜନାର କ୍ରିୟାନ୍ୱୟନ ପାଇଁ ପ୍ରଥମ କିସ୍ତି ମଧ୍ୟ ଜାରି ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପିଏମ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ। ଏଥିପାଇଁ ପୂର୍ବରୁ ଗତ ଅକ୍ଟୋବର ୯ ଏବଂ ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯିବା ସତ୍ତ୍ୱେ ଏମଓୟୁ ସ୍ୱାକ୍ଷରିତ ହୋଇନାହିଁ।

ତେଣୁ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ। ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ।

ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ। ମୋଦି ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ। ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ। ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆକାଶବାଣୀରେ ପ୍ରସାରିତ ହେବ “ନୈ ସୋଚ୍ ନୈ କାହାଣୀ-ଏ ରେଡିଓ ଜର୍ଣ୍ଣି ଉଇଥ୍ ସ୍ମୃତି ଇରାନୀ”

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମତି ଇରାନୀ ଆକାଶବାଣୀ ପାଇଁ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରିବେ। ଏହାର ନାମ ରଖାଯାଇଛି ନୈ ସୋଚ୍ ନୈ କାହାଣୀ-ଏ ରେଡିଓ ଜର୍ଣ୍ଣି ଉଇଥ୍ ସ୍ମତି ଇରାନୀ (ନୂଆ ବିଚାର ନୂଆ କାହାଣୀ -ସ୍ମୃତି ଇରାନୀଙ୍କ ସହିତ ଏକ ରେଡିଓ ଯାତ୍ରା)। ଆଜି ଆକାଶବାଣୀ ଗୋଲ୍ଡ ଚାନେଲରେ ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟାପୀ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ।

ପ୍ରତି ବୁଧବାର ଏହି ଧାର୍ଯ୍ୟ ସମୟରେ ଉକ୍ତ କାର୍ଯ୍ୟକ୍ରମ ଶ୍ରୀମତୀ ଇରାନୀଙ୍କ ଦ୍ୱାରା ଉପସ୍ଥାପିତ ହେବ। ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ସଶକ୍ତିକରଣର ଅବିଶ୍ୱସନୀୟ କାହାଣୀମାନ ସ୍ଥାନ ପାଇବ। ମୁଖ୍ୟତଃ ସରକାରଙ୍କ ବିିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଫଳରେ ଦେଶରେ ମହିଳାମାନଙ୍କର ଭବିଷ୍ୟତ କିପରି ରୂପ ନେଉଛି ଓ ସେମାନେ କିପରି ସଶକ୍ତ ହେଉଛନ୍ତି ସେ ବିଷୟରେ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ସମର୍ଥ ତଥା ସଶକ୍ତ ହୋଇଥିବା ମହିଳାଙ୍କ କଥା ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ। ଏଥିରେ ଉଦ୍ୟମିତା, ଦକ୍ଷତା ବିକାଶ, କ୍ରୀଡା, ସ୍ୱାସ୍ଥ୍ୟ ଓ ବିତ୍ତ ଆଦି କ୍ଷେତ୍ରର ସଫଳ ମହିଳାଙ୍କ କଥା ଉପସ୍ଥାପିତ ହେବ।

ପ୍ରତି ବୁଧବାର ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବାକୁ ଥିବା ବେଳେ ଆସନ୍ତାକାଲି ଅର୍ଥାତ ବୁଧବାର ଏହାର ପ୍ରଥମ ପ୍ରସାରଣ ଦିନ ୯ଟାରେ ଆରମ୍ଭ ହୋଇ ଏକଘଣ୍ଟା ଯାଏ ଚାଲିବ। ଆକାଶବାଣୀ ଗୋଲ୍ଡ ୧୦୦.୧ ମେଗାହର୍ଜ ଦିଲ୍ଲୀରୁ ଏହା ପ୍ରସାରିତ ହେବ। ଦେଶର ସବୁ ଆକାଶବାଣୀ କେନ୍ଦ୍ର ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବେ। ଏହି ଶୋ ମଧ୍ୟ ନ୍ୟୁଜ ଅନ୍ ଏୟାର ଆପ୍, ଆକାଶବାଣୀ ୱେବ ସାଇଟ୍ www.airnewsonair.gov.inରେ ଉପଲବ୍ଧ ହେବ। ଏହା ବ୍ୟତୀତ ଆକାଶବାଣୀ ୟୁଟ୍ୟୁବ ଚାନେଲ @airnews official ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ।

ପ୍ରଥମ ଶୋ ରେ ଷ୍ଟାର୍ଟଅପ୍ ଏବଂ ନିଜ ଉଦ୍ୟମରେ ବ୍ୟବସାୟ କରି ସଫଳ ହୋଇଥିବା ମହିଳାମାନେ ସ୍ଥାନ ପାଇବେ। ସେମାନଙ୍କ ସଫଳ କାହାଣୀ ଏଥିରେ ପ୍ରସାରିତ ହେବ। ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରୟାସ ଦ୍ୱାରା ସେମାନେ କିପରି ଉପକୃତ ହେଉଛନ୍ତି ସେକଥା କହିବେ। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଭାଗ ନେବେ। ବିଭିନ୍ନ ସରକାରୀ ଯୋଜନାର ସୁଯୋଗ କିପରି ନିଆଯାଇ ପାରିବ ସେ ବିଷୟରେ ସେମାନେ କହିବେ।

Categories
ଆଜିର ଖବର ରାଜ୍ୟ ଖବର

ସୁବର୍ଣ୍ଣପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଭୁବନେଶ୍ୱର/ସୁବର୍ଣ୍ଣପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ତଥା ଜନ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବାର୍ତ୍ତାଳାପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ କହିଥିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ। ଗଠନମୂଳକ ସମାଲୋଚନା ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗରେ ଖବର ପ୍ରସାରଣ ଜରିଆରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଯୁଗରେ ଡିଜିଟାଲ ମିଡିଆ ଓ ସାମାଜିକ ଗଣମାଧ୍ୟମ ଦ୍ରୁତ ଓ ପ୍ରଭାବୀ ସୂଚନା ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମକୁ ଏକ ସମ୍ପର୍କର ସେତୁ ଭାବେ ଅଭିହିତ କରିଥିଲେ। ସାଧାରଣ ଜନତା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ଖବର ପରିବେଷଣ କରିବା ଲାଗି ସେ ଗ୍ରାମୀଣ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ। ସରକାରୀ ଯୋଜନା, ସେଗୁଡ଼ିକର ପ୍ରମୁଖ ବୈଶିଷ୍ଟ୍ୟ, ସଫଳତାର କାହାଣୀ ସମ୍ପର୍କରେ ଅଧିକ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଥିଲେ ଯଦ୍ଦ୍ୱାରା ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ମନରେଗା, ପିଏମ ଆବାସ ଯୋଜନା, ପିଏମଇଜିପି ଓ ଡିଡିୟୁଜିକେୱାଇ ଆଦି ଯୋଜନା ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, ଏହାର ଲାଭ ଏବଂ କାର୍ଯ୍ୟକାରିତାରେ ରହିଥିବା ସମସ୍ୟା ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ କରିବାକୁ ସେ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ ସ୍ୱୟମ୍ଭୁନାଥ ଖଣ୍ଡଗିରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ‘‘ପିଆଇବିର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାର୍ତ୍ତାଳାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପିଆଇବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ।
ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଭାଗକୁ ପରିଚାଳନା କରିଥିଲେ।

ପିଏମ୍ ଫସଲ ବୀମା ଯୋଜନା ଓ ମିଲେଟ୍ ମିଶନ୍ ଉପରେ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ବିଭୂତି ଭୂଷଣ ମିଶ୍ର, ଜାତୀୟ ଶିକ୍ଷା ନୀତି ଉପରେ ସୁବର୍ଣ୍ଣପୁର ଡିଆଇଇଟି ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ସାହୁ, ମେରୀ ମାଟି ମେରା ଦେଶ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସୁବର୍ଣ୍ଣପୁର ନେହରୁ ଯୁବା କେନ୍ଦ୍ର ସଂଗଠନର ଯୁବ ସ୍ବେଚ୍ଛାସେବୀ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ଶହେ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ମତ ବିନିମୟ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଖାଲିସ୍ତାନ ସମର୍ଥକଙ୍କ ଧମକ ପରେ ଭାରତ ସରକାର ସତର୍କ: ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ Z ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ Z ଶ୍ରେଣୀକୁ ଉନ୍ନୀତ କରିଛି। ଏହି ବିଷୟରେ ଅବଗତ ଥିବା ଲୋକମାନେ ଏହି ସୂଚନା ଦେଇଛନ୍ତି। ବାସ୍ତବରେ, କାନାଡାର ଖାଲିସ୍ତାନୀ ଗୋଷ୍ଠୀ ନୂତନ ପୋଷ୍ଟର ଲଗାଇଛନ୍ତି, ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ରହିଛି। ତାଙ୍କୁ କାନାଡାର ଶତ୍ରୁ ବୋଲି କହି ପୋଷ୍ଟରରେ ତାଙ୍କ ହତ୍ୟା ପାଇଁ ଆହ୍ଵାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଖାଲିସ୍ତାନ ଗୋଷ୍ଠୀ ‘ଶିଖ ଫର ଜଷ୍ଟିସ’ ମଙ୍ଗଳବାର ଦିନ ପୋଷ୍ଟର ଲଗାଇଛି। ଏହାସହ ଖାଲିସ୍ତାନ ରୂପରେ ଏକ ପୃଥକ ଦେଶ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ବ୍ରିଟିଶ କଲମ୍ବିଆର ସରେର ସମାନ ଗୁରୁଦ୍ୱାର ବାହାରେ ଏହି ସବୁ କରାଯାଇଥିଲା, ଯାହାର ମୁଖ୍ୟ ଥିଲେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର। ଏହି ଗୁରୁଦ୍ୱାର ବାହାରେ, ଚଳିତ ବର୍ଷ ଜୁନ୍ ୧୮ ତାରିଖରେ ନିଜ୍ଜରଙ୍କୁ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା।

ଭାରତୀୟ ଅଧିକାରୀଙ୍କୁ ମଧ୍ୟ ଧମକ ଦିଆଯାଇଥିଲା:

ପୋଷ୍ଟରରେ ଏହା ଲେଖାଯାଇଛି ଯେ, ଅକ୍ଟୋବର ୨୯ ତାରିଖରେ ଭେଁକୁଭରରେ ଏକ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅକ୍ଟୋବର ୨୧ ତାରିଖରେ ସରେ ଥିବା ଭାରତୀୟ ଦୂତାବାସ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ବିଷୟରେ ଅବଗତ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ପୋଷ୍ଟରରେ କାନାଡାର ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା, କାଉନସିଲ ଜେନେରାଲ ମନୀଷ ଏବଂ ଅପୂର୍ବ ଶ୍ରୀବାସ୍ତବଙ୍କ ହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ପୂର୍ବରୁ ମଧ୍ୟ ଏଭଳି ପୋଷ୍ଟର ଲଗାଇ ଭାରତୀୟ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି।

ହମାସ ପରି ଆକ୍ରମଣ କରିବାକୁ ଧମକ:

କାନାଡାରେ ପୋଷ୍ଟର ଖେଳ ଆରମ୍ଭ ହୋଇଛି ଯେଉଁ ସମୟରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଭାରତକୁ ଧମକ ଦେଇଛି। ପାଲେଷ୍ଟାଇନର ପରିସ୍ଥିତିକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଶିଖ୍ ଫର ଜଷ୍ଟିସ୍ ମଧ୍ୟ ହମାସ୍ ଭଳି ଆକ୍ରମଣ କରିବ। ଉଲ୍ଲେଖ ଯୋଗ୍ୟ ଯେ, ହମାସ୍ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହା ବ୍ୟତୀତ ସେମାନେ ଇସ୍ରାଏଲରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରିଛନ୍ତି ଏବଂ ଇସ୍ରାଏଲ୍ ନାଗରିକମାନଙ୍କୁ ବନ୍ଧକ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସେବା, ସୁଶାସନ, ଗରିବ କଲ୍ୟାଣ ଓ ମିଶନ ଲାଇଫ ସମ୍ପର୍କିତ କର୍ମଶାଳା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ନଅ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ମିଶନ ଲାଇଫ ସମ୍ପର୍କୀତ କର୍ମଶାଳା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

କର୍ମଶାଳା ବ୍ୟତୀତ ଦୁଇଦିନିଆ ଫଟୋ ଚିତ୍ର ପ୍ରଦର୍ଶନୀକୁ ମଧ୍ୟ ଫିତାକାଟି ଉଦ୍‌ଘାଟନ କରିଥିଲେ। ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଭାରତ ସରକାରଙ୍କ ୯ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ମିଶନ ଲାଇଫ ସମ୍ପର୍କରେ ପ୍ରଦର୍ଶନ କରାଯାଇଛି। ସମ୍ମାନୀତ ଅତିଥିଭାବେ ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସ୍ୱାଇଁ ଯୋଗଦେଇଥିବାବେଳେ ଅତିଥି ବକ୍ତାଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟାପକ ନିହାର ରଞ୍ଜନ କର, ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧୁଷୁରୀ ପଞ୍ଚାୟତର ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ପଦଯାତ୍ରାରେ ଅଂଶଗ୍ରହଣକାରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମର ପୂର୍ବଦିନ ଅନୁଷ୍ଠିତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପୀ ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସଭା ପରିଚାଳନା କରିଥିବାବେଳେ ସହଯୋଗୀ ଖଗେଶ ବାଇପାଇ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସାହର ସହିତ ଏଥିରେ ଭାଗ ନେଇ ସ୍କୁଲ ପରିସର ସଫେଇ କରିଥିଲେ।

ଅନ୍ୟପଟେ କେନ୍ଦୁଝର ସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ରଘୁନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ସ୍କୁଲ ହତା ସଫା କରିବା ସହିତ ସ୍ୱଚ୍ଛତା ପାଇଁ ଶପଥ ପାଠ କରିଥିଲେ।

ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସ୍ୱଚ୍ଛତା ପାଇଁ ସାମୂହିକ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୧ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଛାତ୍ରଛାତ୍ରୀ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଆଖପାଖ ପରିବେଶକୁ ସଫା କରିବା ସହିତ ସ୍ୱଚ୍ଛତା ପାଇଁ ସାମୂହିକ ଶପଥ ପାଠ କରିଛନ୍ତି।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ଶ୍ରମଦାନ, ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ୯ ବର୍ଷ ପୂରଣ ହେବାକୁ ଯାଉଛି। ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେଉଥିବା ଦେଖାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇଛି। ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି। ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକମାନେ ସ୍ୱତଃପ୍ରବୃତ ଭାବେ ଶ୍ରମଦାନ କରି ସଫେଇ କରିଛନ୍ତି।

ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପରମଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସଫା କରିଛନ୍ତି।

 ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କାଲିମେଳା ଗ୍ରାମରେ ସ୍ଥାନୀୟ ମହିଳାମାନେ ଗାଁ ହାଟକୁ ସଫା କରିବା ଲାଗି ଶ୍ରମଦାନ କରିଛନ୍ତି।

ଏହାଛଡ଼ା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ୱଚ୍ଛତାକୁ ନେଇ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛତା ଶପଥପାଠ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଗଜପତି ଓ ବାଲେଶ୍ୱର ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏବେ ସୁଦ୍ଧା (୨୪ ସେପ୍ଟେମ୍ବର ୨୦୨୩) ୭ ଲକ୍ଷ ୧୭ ହଜାର ୨୮୫ ଜଣ ଲୋକ ଜନ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗ୍ରାମାଞ୍ଚଳର ୧୧ ଲକ୍ଷ ୫୬ ହଜାର ୧୯୦ ଜଣ ଲୋକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଶ୍ରମଦାନ କରି ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ -ଗ୍ରାମୀଣ ଅଧୀନରେ ନିର୍ମିତ ସମ୍ପତ୍ତିର ରଙ୍ଗ ଓ ସୌନ୍ଦର୍ଯ୍ୟକରଣ କାମରେ ୭୨ ହଜାର ୬୯୩ ଲୋକ ଭାଗ ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଇନ୍ଦୋରରେ ଆୟୋଜନ ହେବ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନ୍‌କ୍ଲେଭ୍ 2023’: ଜାଣନ୍ତୁ କେବେ?

ନୂଆଦିଲ୍ଲୀ: କେନ୍ଦ୍ରୀୟ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର 26-27 ସେପ୍ଟେମ୍ବର 2023 ରେ ବ୍ରିଲିଆଣ୍ଟ କନ୍‌ଭେନ୍‌ସନ ସେଣ୍ଟର, ଇନ୍ଦୋର (ମଧ୍ୟ ପ୍ରଦେଶ) ରେ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ୍ 2023’ ର ଆୟୋଜନ କରୁଛି। ଏହି କନକ୍ଲେଭରେ ସେହି ସମସ୍ତ 100 ସ୍ମାର୍ଟ ସହରର ଅଂଶଗ୍ରହଣ ଦେଖାଯିବ ଯେଉଁମାନେ ସହର ବିକାଶରେ ସବୁଠାରୁ ଆଗରେ ରହି ସହରର ବିକାଶ ପ୍ରକ୍ରିୟାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ନେତୃତ୍ବ ନେଉଛନ୍ତି। ଏହି ଆୟୋଜନ ଦେଶରେ ସହରୀ ପରିବର୍ତ୍ତନର ଭବିଷ୍ୟତ ପାଇଁ ରୋଡମ୍ୟାପ ନିଶ୍ଚିତ କରିବାରେ ସହାୟତା ପ୍ରଦାନ କରିବା ପାଇଁ ଏକ ମିଶନ୍ ଅନ୍ତର୍ଗତ କରାଯାଇଥିବା ଅନୁକରଣୀୟ କାର୍ଯ୍ୟକୁ ପ୍ରଦର୍ଶିତ କରିବା ଦିଗରେ ଏକ ମଞ୍ଚ ପ୍ରଦାନ କରିବ।

ଦ୍ରୌପଦୀ ମୁର୍ମୁ 27 ସେପ୍ଟେମ୍ବର 2023 ରେ ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପୁରସ୍କାର ପ୍ରତିଯୋଗିତା ଆଇଏସଏସି 2022 ର ଚତୁର୍ଥ ସଂସ୍କରଣର ବିଜେତାମାନଙ୍କୁ ସମ୍ମାନିତ କରିବେ। ଏହି ପ୍ରତିଯୋଗିତାର ଆୟୋଜନ କେନ୍ଦ୍ରୀୟ ଆବାସ ଏବଂ ସହରୀ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ବର୍ଷ 2018 ରୁ ସ୍ମାର୍ଟ ସିଟିଜ୍ ମିଶନ ଅନ୍ତର୍ଗତ କରାଯାଉଛି। ଏହି ମିଶନ୍ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ମୁଖ୍ୟ କାର୍ଯ୍ୟ ମଧ୍ୟରୁ ଗୋଟିଏ ଯେଉଁଥିରେ ଅନୁକରଣୀୟ ପ୍ରଦର୍ଶନକୁ ପୁରସ୍କୃତ କରିବା ଏବଂ ସହକର୍ମୀଙ୍କୁ ପରସ୍ପର ଶିଖିବାରେ ସକ୍ଷମ କରିବା ଏବଂ ସର୍ବଶ୍ରେଷ୍ଠ ପ୍ରକ୍ରିୟାର ପ୍ରସାର କରିବା ପାଇଁ ଅଗ୍ରଣୀ ସହରୀ ରଣନୀତି, ପ୍ରକଳ୍ପ ଏବଂ ବିଚାରକୁ ମାନ୍ୟତା ପ୍ରଦାନ କରାଯାଉଛି।

ଏହି କନକ୍ଲେଭରେ ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ୍‌, କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦିପ୍ ସିଂ ପୁରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରୀୟ ଶ୍ରମ ଏବଂ ନିଯୁକ୍ତ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ର ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ପ୍ରଯୁକ୍ତି, ସଂଚାର ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୌଶଳ କିଶୋର ଏବଂ ମଧ୍ୟ ପ୍ରଦେଶର ସହରୀ ବିକାଶ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ସିଂହଙ୍କ ସହିତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ।

ଏଥି ସହିତ ମଧ୍ୟପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ, ସମସ୍ତ 100 ଟି ସ୍ମାର୍ଟ ସିଟିର ମେୟର ଏବଂ କମିଶନର, ଶିଳ୍ପ ସହଭାଗୀ, ଏକାଡେମୀ ଏବଂ ସ୍ମାର୍ଟ ସିଟି ମିଶନ୍ ସହିତ ଜଡିତ ନାଗରିକ ସମାଜ ସଂଗଠନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

ଏହା 26 ଓ 27 ସେପ୍ଟେମ୍ବର 2023 ରେ ଆୟୋଜିତ କରାଯାଉଥିବା ଦୁଇ ଦିବସୀୟ କାର୍ଯ୍ୟକ୍ରମ ଅଟେ। ଏହି କାର୍ଯ୍ୟକ୍ରମର ବିସ୍ତୃତ ଏଜେଣ୍ଡା ଅନୁଚ୍ଛେଦ ଏ ରେ ଦିଆଯାଇଛି। ଏହି କନ୍‌କ୍ଲେଭର ପୂର୍ବ ଦିନ ଆଇଏସଏସି 2022 ଅନ୍ତର୍ଗତ ପୁରସ୍କାର ବିଜେତା ପ୍ରକଳ୍ପର ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀର ଉଦ୍‌ଘାଟନ କରାଯିବ। ସ୍ମାର୍ଟ ସହରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରି (ସିଇଓ) ଙ୍କ ସହିତ ଆଲୋଚନା ଏବଂ ଇନ୍ଦୋର ତଥା ଉଜ୍ଜୟିନିରେ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ କାର୍ଯ୍ୟାନ୍ବିତ ପ୍ରତିଷ୍ଠିତ ପରିଯୋଜନାର ସ୍ଥଳ ପରିଦର୍ଶନ ମଧ୍ୟ ଆୟୋଜିତ କରାଯିବ।

କନ୍କ୍ଲେଭର ଦ୍ବିତୀୟ ଦିନ

ଦ୍ୱିତୀୟ ଦିନ ମୁଖ୍ୟ ଅତିଥିଙ୍କ ଦ୍ବାରା ଆଇଏସଏସସି 2022 ପୁରସ୍କାର ବଣ୍ଟନ କରାଯିବ, ଯେଉଁଠାରେ 5 ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଏବଂ 31 ଟି ଅନନ୍ୟ ସହର ଏବଂ 7 ଟି ସହଭାଗୀ ସଂଗଠନକୁ ପୁରସ୍କାରରେ ସମ୍ମାନିତ କରାଯିବ। ଆଇଏସଏସସି ପୁରସ୍କାରର ମୋଟ 66 ବିଜେତା ଅଛନ୍ତି, ଯାହାର ସବିଶେଷ ତାଲିକା ଅନୁଚ୍ଛେଦ ବି ରେ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ସ୍ମାର୍ଟ ସିଟିଜ୍ ମିଶନ ଚାରିଟି ରିପୋର୍ଟ  – ଆଇଏସଏସସି 2022 ପୁରସ୍କାର ସଂଗ୍ରହ, ୟୁଏନ୍ ହାବିଟାଟର ରିପୋର୍ଟ; ସ୍ମାର୍ଟ ସିଟିଜ୍ ମିଶନ – କ୍ରମାଗତ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଏସସିଏମର ନ୍ୟୁଜଲେଟରର ସଂଗ୍ରହ ଏବଂ ଆଇଏସଏସସି 2023 ପୁରସ୍କାର ପୁସ୍ତିକା ମଧ୍ୟ ଏହି କନକ୍ଲେଭ୍ ସମୟରେ ଜାରି କରାଯିବ। ପୁରସ୍କାର ବିତରଣ ଏବଂ ପୁସ୍ତକ ଶୁଭାରମ୍ଭ ପରେ ସ୍ମାର୍ଟ ସହରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ନିଜର ଅନୁଭବ ଏବଂ ଅଭିଜ୍ଞତାକୁ ପ୍ରଦାନ କରିବେ। ଦିନର ସମାପନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କରାଯିବ।

ସ୍ମାର୍ଟ ସିଟି ମିଶନର ସଂକ୍ଷିପ୍ତ ଅବଲୋକନ

25 ଜୁନ୍ 2015 ରେ ଶୁଭାରମ୍ଭ କରାଯାଇଥିବା ସ୍ମାର୍ଟ ସିଟି ମିଶନର ଉଦ୍ଦେଶ୍ୟ ‘ସ୍ମାର୍ଟ ସମାଧାନ’ ର ପ୍ରୟୋଗ ମାଧ୍ୟମରେ ଏହାର ନାଗରିକମାନଙ୍କର ମୁଖ୍ୟ ମୌଳିକ ଢାଞ୍ଚା, ସ୍ବଚ୍ଛ ଓ ଉନ୍ନତ ପରିବେଶ ଏବଂ ଜୀବନକୁ ଉତ୍ତମ ଗୁଣବତ୍ତା ପ୍ରଦାନ କରିଥାଏ। ଏହା ଏକ ପରିବର୍ତ୍ତନକାରୀ ମିଶନ ଅଟେ ଯାହାର ଉଦ୍ଦେଶ୍ୟ ଦେଶରେ ସହରୀ ବିକାଶର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ଆଣିବା ଆଜି ପର୍ଯ୍ୟନ୍ତ 1.1 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶରେ 6000 ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ଏବଂ ଅବଶିଷ୍ଟ ପ୍ରକଳ୍ପ 30 ଜୁନ୍ 2024 ସୁଦ୍ଧା ସମାପ୍ତ କରାଯିବ।

ଏହି ମିଶନରେ ଅର୍ଜିତ କରାଯାଇଥିବା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ଏକିକୃତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର (ଆଇସିସିସି) ଅଟେ ଯାହା ସମସ୍ତ 100 ସ୍ମାର୍ଟ ସହରରେ ସଞ୍ଚାଳିତ ହେଉଛି। ଏହା ଆଇସିସିସି ସହର ପରିଚାଳନା ପାଇଁ ପ୍ରଯୁକ୍ତିର ଉପଯୋଗ କରି ସହରର ପରିଚାଳନା ପାଇଁ ମସ୍ତିଷ୍କ ଏବଂ ତନ୍ତ୍ରିକା ପ୍ରଣାଳୀ ଭାବରେ କାମ କରିଥାଏ। ଏହାଦ୍ବାରା ଅପରାଧ ଉପରେ ନଜର ରଖିବା, ନାଗରିକଙ୍କ ସୁରକ୍ଷା, ପରିବହନ ପରିଚାଳନା, କଠିନ ବର୍ଜ୍ୟ ପରିଚାଳନା, ଜଳ ଯୋଗାଣ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି ବିଭିନ୍ନ କ୍ଷେତ୍ରର ସହରୀ ସେବାରେ ଉଲ୍ଲେଖନୀୟ ଉନ୍ନତି ହୋଇଛି।

100 ସ୍ମାର୍ଟ ସହର ଗତିଶୀଳତା, ଶକ୍ତି, ଜଳ, ସ୍ବଚ୍ଛତା, କଠିନ ବର୍ଜ୍ୟ ପରିଚାଳନା, ଜୀବନ୍ତ ସାର୍ବଜନିକ ସ୍ଥାନ, ସାମାଜିକ ଭିତ୍ତିଭୂମି ଢାଞ୍ଚା, ସ୍ମାର୍ଟ ପ୍ରଶାସନ ଆଦିରେ ସମ୍ବନ୍ଧିତ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ଆରମ୍ଭ କରିଛି। ଉଦାହରଣସ୍ବରୂପ ସ୍ମାର୍ଟ ଗତିଶୀଳତାରେ 24,265 କୋଟି ଟଙ୍କାର ନିବେଶରେ 1192 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ 16,905 କୋଟି ଟଙ୍କାର ନିବେଶରେ ଅନ୍ୟ 494 ପ୍ରକଳ୍ପ ଚାଲୁ ରହିଛି। ସ୍ମାର୍ଟ ଉର୍ଜାରେ 573 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ଏବଂ 94 ପ୍ରକଳ୍ପରେ କାର୍ଯ୍ୟ ଚାଲୁ ରହିଛି। ଜଳ ଯୋଗାଣ, ସ୍ବଚ୍ଛତା ଏବଂ ପରିଚ୍ଛନ୍ନତାର 34,751 କୋଟି ଟଙ୍କାର ନିବେଶରେ 1162 ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ଏବଂ 18,716 କୋଟି ଟଙ୍କା ନିବେଶରେ 333 ପ୍ରକଳ୍ପରେ କାର୍ଯ୍ୟ ଚାଲୁ ରହିଛି। 100 ସ୍ମାର୍ଟ ସହର 6403 କୋଟି ଟଙ୍କାର ନିବେଶରେ 1063 ରୁ ଅଧିକ ସାର୍ବଜନିକ ସ୍ଥାନ ବିକଶିତ କରିଛି ଏବଂ 5470 କୋଟି ଟଙ୍କାରେ ଅନ୍ୟ 260 ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି। ଏହା ବ୍ୟତୀତ 8228 କୋଟି ଟଙ୍କାର ନିବେଶରେ 180 ସାର୍ବଜନିକ ଘରୋଇ ଭାଗିଦାରି (ପିପିପି) ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟ 27 ପ୍ରକଳ୍ପରେ କାର୍ଯ୍ୟ ଚାଲୁ ରହିଛି। ବଜାର ପୁନର୍ବିକାଶ ଏବଂ ଷ୍ଟାର୍ଟ-ଅପ୍ ଇନ୍‌କ୍ୟୁବେସନ କେନ୍ଦ୍ର ଯଥା ଆର୍ଥିକ ମୌଳିକ ଢାଞ୍ଚା ସହିତ ସମ୍ବନ୍ଧିତ 652 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ଏବଂ ଅନ୍ୟ 267 ପ୍ରକଳ୍ପରେ କାର୍ଯ୍ୟ ଚାଲୁ ରହିଛି। ସାମାଜିକ ମୂଳଦୁଆ ଢାଞ୍ଚା କ୍ଷେତ୍ର (ସ୍ବାସ୍ଥ୍ୟ, ଶିକ୍ଷା, ଆବାସ ଆଦି) ରେ 679 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ଏବଂ 153 ଟିରେ କାର୍ଯ୍ୟ ଚାଲୁ ରହିଛି।

ଆଇଏସଏସି ପୁରସ୍କାରର ଅବଲୋକନ

ଆଇଏସଏସି ଗତ ତିନି ସଂସ୍କରଣ 2018, 2019 ଓ 2020 ରେ ଆୟୋଜିତ ହୋଇ ସାରିଛି। ଆଇଏସଏସି ଏହି ସହର, ପ୍ରକଳ୍ପ ଏବଂ ନୂତନ ବିଚାରକୁ ମାନ୍ୟତା ଦେଉଛି ଏବଂ ପୁରସ୍କୃତ କରୁଛି ଯାହା ଏହି 100 ସ୍ମାର୍ଟ ସହରରେ କ୍ରମାଗତ ବିକାଶକୁ ପ୍ରୋତ୍ସାହନ ଦେବା ସହିତ ସମାବେଶୀ, ସମାନ, ସୁରକ୍ଷିତ, ସୁସ୍ଥ ଏବଂ ସହଯୋଗାତ୍ମକ ସହରକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କ ପାଇଁ ଜୀବନର ଗୁଣବତ୍ତାକୁ ବୃଦ୍ଧି କରିଥାଏ। ଆଇଏସଏସିର ଚତୁର୍ଥ ସଂସ୍କରଣ ଏପ୍ରିଲ୍ 2022 ରେ ସୁରଟରେ ଆୟୋଜିତ ‘ସ୍ମାର୍ଟ ସିଟିଜ୍-ସ୍ମାର୍ଟ ସହରୀକରଣ’ କାର୍ଯ୍ୟକ୍ରମ ସମୟରେ ଶୁଭାରମ୍ଭ କରାଯାଇଥିଲା। ଆଇଏସଏସି 2022 ପୁରସ୍କାରରେ ଦୁଇଟି ସୋପାନର ପ୍ରସ୍ତୁତି ପ୍ରକ୍ରିୟା ଗ୍ରହଣ କରାଯାଇଥିଲା। ଏଥିରେ ଯୋଗ୍ୟତା ଚରଣ ସାମିଲ ଥିଲା, ଯେଉଁଥିରେ ସହରର ପ୍ରଦର୍ଶନର ସମଗ୍ର ମୂଲ୍ୟାଙ୍କନ ସାମିଲ୍ ଥିଲା ଏବଂ ‘ପ୍ରସ୍ତାବ ଚରଣ’ ରେ ସ୍ମାର୍ଟ ସହର ପାଇଁ ନିମ୍ନାନୁସାରେ ଛଅଟି ପୁରସ୍କାର ଶ୍ରେଣୀରେ ନିଜର ନାମାଙ୍କନ ଦାଖଲ କରିବାର ଆବଶ୍ୟକତା ରହିଛି :-

  • ପ୍ରକଳ୍ପ ପୁରସ୍କାର – 10 ଟି ବିଭିନ୍ନ ବିଷୟ
  • ନବୀନତା ପୁରସ୍କାର – 2 ଭିନ୍ନ ଭିନ୍ନ ବିଷୟ
  • ସହର ପୁରସ୍କାର – ରାଷ୍ଟ୍ରୀୟ ଏବଂ କ୍ଷେତ୍ରୀୟ 2 ଟି ବିଷୟରେ
  • ରାଜ୍ୟ ପୁରସ୍କାର
  • କେନ୍ଦ୍ର ଶାସିତ ପ୍ରଦେଶ ପୁରସ୍କାର, ଏବଂ
  • ଭାଗୀଦାର ପୁରସ୍କାର, 3 ଅଲଗା ଅଲଗା ବିଷୟରେ

 

80 ଯୋଗ୍ୟ ସ୍ମାର୍ଟ ସହରରୁ ଆଇଏସଏସି 2022 ପାଇଁ ମୋଟ 845 ନାମାଙ୍କନ ଗ୍ରହଣ କରାଯାଇଥିଲା । ଏହି ଏଣ୍ଟ୍ରିଗୁଡିକ 5 ଟି ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ, 845 ଟି ପ୍ରସ୍ତାବର ପ୍ରି-ସ୍କ୍ରିନିଂ କରାଯାଇଥିଲା | 50% (423 ପ୍ରସ୍ତାବ) ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ 12 ଟି ପ୍ରସ୍ତାବକୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍ ଆଫେୟାର୍ସ (ଏନଆଇୟୁଏ) ର ଏକ ବିଚାରକମଣ୍ଡଳୀ ଚିହ୍ନଟ କରିଥିଲେ। ତୃତୀୟ ପର୍ଯ୍ୟାୟରେ, ପ୍ରତ୍ୟେକ ପ୍ରସ୍ତାବ ପ୍ରସ୍ତାବକ ବିଶେଷଜ୍ଞଙ୍କ ଏକ ପ୍ୟାନେଲକୁ ଏକ ଉପସ୍ଥାପନା କରିଥିଲେ, ଯାହା ଶ୍ରେଷ୍ଠ 6 ଟି ପ୍ରସ୍ତାବ ଚୟନ କରିଥିଲା। ଶେଷରେ, ଚତୁର୍ଥ ପର୍ଯ୍ୟାୟରେ, ଶ୍ରେଷ୍ଠ 6 ଟି ପ୍ରସ୍ତାବ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ବିଚାରକଙ୍କ ନିକଟରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ। ଏହି ଚତୁର୍ଥ ପର୍ଯ୍ୟାୟ ପରେ, ସ୍ମାର୍ଟ ସିଟି ମିଶନର ଆପେକ୍ସ କମିଟି ଦ୍ୱାରା ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ 3 ଟି ପ୍ରସ୍ତାବ ଚିହ୍ନଟ କରାଯାଇଛି । ପାଞ୍ଚଟି ପୁରସ୍କାର ବର୍ଗ ଅଧୀନରେ ପ୍ରାପ୍ତ ମୋଟ 845 ଆବେଦନ ମଧ୍ୟରୁ 66 ଟି ଫାଇନାଲ୍ ବିଜେତାଙ୍କୁ ଚିହ୍ନଟ କରାଯାଇଛି – 35 ଟି ପ୍ରୋଜେକ୍ଟ ପୁରସ୍କାର, 6 ଟି ଇନୋଭେସନ୍ ପୁରସ୍କାର, 13 ଟି ନ୍ୟାସନାଲ / ଜୋନାଲ ସିଟି ପୁରସ୍କାର, 5 ଟି ରାଜ୍ୟ / ୟୁଟି ପୁରସ୍କାର ଏବଂ 7 ଟି ପାର୍ଟନର ପୁରସ୍କାର ବର୍ଗରେ ରହିଛି।  66 ବିଜେତାଙ୍କ ଅନ୍ତିମ ତାଲିକା ଅନୁଚ୍ଛେଦ ବିରେ ଉପଲବ୍ଧ ରହିଛି।

 

BS

Categories
ଆଜିର ଖବର ରାଜ୍ୟ ଖବର

ମେରୀ ମାଟି ମେରା ଦେଶ ଅଭିଯାନ: ପୁରୀ, ନୟାଗଡ଼, ଜଗତସିଂହପୁର ଓ ମୟୂରଭଞ୍ଜରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ଵର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।

ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବେତଟନୀ ବ୍ଲକ୍‌ ବଡ଼ାଲିଗାଁ ମୁଷାଗଡ଼ିଆ ଠାରେ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଅନ୍ୟପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ନେହରୁ ଯୁବା କେନ୍ଦ୍ର ପକ୍ଷରୁ ଅମୃତ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ଭାରତୀୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଡକ୍ଟର ସମ୍ବିତ ପାତ୍ର, ଉପାସନା ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ବାଣିକିଲୋ ଠାରେ ବାବା କମଳେଶ୍ୱର ଯୁବକ ସଂଘ ପକ୍ଷରୁ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେହିପରି ଜିଲ୍ଲାର ଗଣିଆ ବ୍ଲକ ରସଙ୍ଗା ପଞ୍ଚାୟତର ମା’ ବଡ଼ରାଉରା ଯୁବ କ୍ଲକ୍ ଆନୁକୂଲ୍ୟରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସେହିପରି ଜଗତସିଂହପୁର ଜିଲ୍ଲା ନୂଆଗାଁ ବ୍ଲକ ଶିଖର ଗ୍ରାମପଞ୍ଚାୟତରେ ଅମୃତ କଳସ ଯାତ୍ରା ଓ ସହୀଦଙ୍କ ଜନ୍ମମାଟିରୁ ମୃତ୍ତିକା ଓ ଶସ୍ୟ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଗ୍ରାମରେ ମଧ୍ୟ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍‌ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।

Categories
ଆଜିର ଖବର ଜାତୀୟ ଖବର

“ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର” ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର (ଆରଭିପି)ର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ଉଦ୍ଭାବକମାନଙ୍କୁ ବ୍ୟକ୍ତିଗତ କିମ୍ବା ଦଳଗତ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଭାରତରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ହେବ। ସରକାରୀ, ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ବୈଜ୍ଞାନିକ/ ବୈଷୟିକ ଜ୍ଞାନକୌଶଳ/ଉଦ୍ଭାବକ କିମ୍ବା କୌଣସି ସଂସ୍ଥା ବାହାରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି, ଯେଉଁମାନେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା କିମ୍ବା ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କ୍ଷେତ୍ରରେ ଗବେଷଣା କିମ୍ବା ଉଦ୍ଭାବନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ଦେଇ ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମାନେ ମଧ୍ୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପୁରସ୍କାର ନିମ୍ନଲିଖିତ ଚାରିଟି ବର୍ଗରେ ପ୍ରଦାନ କରାଯିବ:-

୧- ବିଜ୍ଞାନ ରତ୍ନ (ଭିଆର) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଜୀବନବ୍ୟାପୀ ସଫଳତା ଏବଂ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବ।

୨- ବିଜ୍ଞାନ ଶ୍ରୀ (ଭିଏସ୍) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

୩- ବିଜ୍ଞାନ ଯୁବଶାନ୍ତି ସ୍ୱରୂପ ଭଟ୍ଟନାଗର (ଭିୱାଇଏସଏସବି) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବ ବୈଜ୍ଞାନିକମାନଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବ।

୪- ବିଜ୍ଞାନ ଟିମ୍ (ଭିଟି)  ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଏକ ଦଳରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତିନି କିମ୍ବା ଅଧିକ ବୈଜ୍ଞାନିକ/ଗବେଷକ/ଉଦ୍ଭାବକଙ୍କୁ ନେଇ ଗଠିତ ଏକ ଟିମକୁ ପ୍ରଦାନ କରାଯିବ।

ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ବିଜ୍ଞାନର ଯେ କୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଏବଂ ଉଦ୍ଭାବକମାନେ ଯେଉଁମାନେ ବିଜ୍ଞାନର କୌଣସି କ୍ଷେତ୍ରରେ ଗବେଷଣା, ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କିମ୍ବା ଆବିଷ୍କାର କିମ୍ବା ଉଲ୍ଲେଖନୀୟ ସାମାଜିକ ପ୍ରଭାବ ଥିବା ଅଭିନବ ଜ୍ଞାନକୌଶଳ/ଉତ୍ପାଦର ବିକାଶରେ ଯୋଗଦାନ କରିଛନ୍ତି କିମ୍ବା କରୁଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହେବେ।

ବିଦେଶରେ ଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବକମାନେ ମଧ୍ୟ ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ପାଇଁ ଯୋଗ୍ୟ ବିବେଚିତ ହେବେ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ, ଭୂ ବିଜ୍ଞାନ, ମେଡିସିନ୍, ଇଞ୍ଜିନିୟରିଂ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ଭାବନ, ପରମାଣୁ ଶକ୍ତି, ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ୧୩ଟି କ୍ଷେତ୍ରରେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରାଯିବ। ଲିଙ୍ଗଗତ ସମାନତା ସମେତ ପ୍ରତ୍ୟେକ ଡୋମେନ୍ /କ୍ଷେତ୍ରରୁ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପାଇଁ ମିଳିଥିବା ସମସ୍ତ ନାମାଙ୍କନକୁ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମଶୋଦାତା (ପିଏସଏ)ଙ୍କ ଅଧ୍ୟକ୍ଷତାରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର କମିଟି (ଆରଭିପିସି) ନିକଟରେ ଉପସ୍ଥାପିତ କରାଯିବ, ଯେଉଁଥିରେ ବିଜ୍ଞାନ ବିଭାଗର ସଚିବ, ବିଜ୍ଞାନ ଓ ଇଞ୍ଜିନିୟରିଂ ଏକାଡେମିର ସଦସ୍ୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ କ୍ଷେତ୍ରର କିଛି ବିଶିଷ୍ଟ ବୈଜ୍ଞାନିକ ଓ ବୈଷୟିକ ବିଜ୍ଞାନୀ ରହିବେ।

ପ୍ରତିବର୍ଷ ଜାନୁଆରି ୧୪ ରେ ଏହି ପୁରସ୍କାର ପାଇଁ ନାମାଙ୍କନ ଆହ୍ୱାନ କରାଯିବ, ଯାହା ପ୍ରତିବର୍ଷ ଫେବ୍ରୁଆରି ୨୮ (ଜାତୀୟ ବିଜ୍ଞାନ ଦିବସ) ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତିବର୍ଷ ମଇ୧୧(ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ)ରେ ଏହି ପୁରସ୍କାର ଘୋଷଣା କରାଯିବ। ଅଗଷ୍ଟ ୨୩ (ଜାତୀୟ ମହାକାଶ ଦିବସ)ରେ ସମସ୍ତ ବର୍ଗର ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ସମସ୍ତ ପୁରସ୍କାରରେ ଗୋଟିଏ ମାନପତ୍ର ଓ ପଦକ ରହିବ।

ଏହି ନୂତନ ଜାତୀୟ ପୁରସ୍କାର ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ସ୍ତରରେ ବୈଜ୍ଞାନିକ ସମୁଦାୟର ସଫଳତାକୁ ସ୍ୱୀକୃତି ଦେବା ଦିଗରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ସମଗ୍ର ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସହିତ, ବୈଜ୍ଞାନିକ ଉଦ୍ଭାବକ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମସ୍ତ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଅନ୍ୟ ଜାତୀୟ ପୁରସ୍କାର ସହିତ ସମାନ ମାନ୍ୟତା ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ସ୍ଥାନରେ ମେରୀ ମାଟି ମେରା ଦେଶ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଜାରି

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।

ଆଜି ଏହି କ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାଟି ସଂଗ୍ରହ ଓ ଅମୃତ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)ର ଅଧ୍ୟକ୍ଷ ଡକ୍ଟର ସମ୍ବିତ ପାତ୍ର ପୁରୀ ଜିଲ୍ଲାର ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରୁ ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ବଡ଼କୂଳ ଗ୍ରାମ ଏବଂ ଭୁବନେଶ୍ୱର ବ୍ଲକର ଏକାମ୍ର ଠାରେ ମଧ୍ୟ ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁମୁସି ଗ୍ରାମରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେଶପ୍ରେମୀ ସ୍ୱେଚ୍ଛାସେବୀମାନେ ଗାଁରୁ ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି। ଅନୁରୂପ ଭାବେ ଢେଙ୍କାନାଳ ଜିଲ୍ଲାର ମାଣିପୁର ଗ୍ରାମପଞ୍ଚାୟତରେ ମଧ୍ୟ ଅମୃତ କଳସ ଯାତ୍ରାରେ ମାଟି ସଂଗ୍ରହ କରାଯାଇଛି। ଦେଶପ୍ରେମ ଭାବନାରେ ଉଦବୁଦ୍ଧ ହୋଇ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଏଥିରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି । ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖୋଲା ବଜାର ବିକ୍ରି ଯୋଜନା ମାଧ୍ୟମରେ ଗହମ ଏବଂ ଚାଉଳ ବିକ୍ରି କଲେ କେନ୍ଦ୍ର ସରକାର: ଜାଣନ୍ତୁ ପରିମାଣ

ନୂଆଦିଲ୍ଲୀ: ଚାଉଳ, ଗହମ ଏବଂ ଅଟାର ଖୁଚୁରା ମୂଲ୍ୟକୁ ନିର୍ଦ୍ଧାରିତ କରିବାର ବଜାର ଉପାୟ ଭାବରେ ଭାରତ ସରକାରଙ୍କ ପଦକ୍ଷେପ ଅନ୍ତର୍ଗତ ଗହମ ଓ ଚାଉଳ ଉଭୟର ସାପ୍ତାହିକ ଇ-ନିଲାମ ଆୟୋଜନ କରାଯାଇଛି। ବର୍ଷ 2023-24 ର 11ଶ ଇ-ନିଲାମ 06.09.2023 ତାରିଖରେ ଆୟୋଜିତ କରାଯାଇଛି। ସମଗ୍ର ଦେଶରେ 500 ଡିପୋ ରୁ 2 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ 337 ଡିପୋରୁ 4.89 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବିକ୍ରିର ଉପସ୍ଥାପନ କରାଯାଇଛି। 

ଇ-ନିଲାମିରେ 1.66 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ 0.17 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବିକ୍ରି କରାଯାଇଛି। ଏଫଏକ୍ୟୁ ଗହମ ପାଇଁ ହାରାହାରି ବିକ୍ରୟ ମୂଲ୍ୟ 2169.65 ଟଙ୍କା ପ୍ରତି କ୍ବିଣ୍ଟାଲ୍ ଥିଲା ଯେତେବେଳେ କି ଏହାର ସମଗ୍ର ଦେଶରେ ସଂରକ୍ଷିତ ମୂଲ୍ୟ 2150 ଟଙ୍କା ପ୍ରତି କ୍ବିଣ୍ଟାଲ୍ ରହିଥଲା। ୟୁଆରଏସ ଗହମର ହାରାହାରି ବିକ୍ରି ମୂଲ୍ୟ 2150.86 ରହିଛି ଯେତେବେଳେ କି ଏହାର ସଂରକ୍ଷିତ ମୂଲ୍ୟ 2125 ଟଙ୍କା ପ୍ରତି କ୍ବିଣ୍ଟାଲ୍ ଥିଲା।

ଚାଉଳର ହାରାହାରି ବିକ୍ରୟ ମୂଲ୍ୟ 2956.19 ଟଙ୍କା ପ୍ରତି କ୍ବିଣ୍ଟାଲ୍ ଥିଲା, ଯେତେବେଳେକି ସାରା ଦେଶରେ ଏହାର ସଂରକ୍ଷିତ ମୂଲ୍ୟ 2952.27 ଟଙ୍କା ପ୍ରତି କ୍ବିଣ୍ଟାଲ୍ ରହିଛି।

ଇ-ନିଲାମର ବର୍ତ୍ତମାନର କିସ୍ତିରେ, ଗହମ ପାଇଁ କ୍ରେତା ପାଇଁ ସର୍ବାଧିକ 100 ଟନ୍ ଏବଂ ଚାଉଳ ପାଇଁ 1000 ଟନ୍ ପର୍ଯ୍ୟନ୍ତ ରିଟେଲ ମୂଲ୍ୟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଛୋଟ ଏବଂ ମାର୍ଜିନାଲ ଉପଭୋକ୍ତାଙ୍କୁ ଉତ୍ସାହିତ କରିବା ଏବଂ ଅଧିକ ଅଂଶଗ୍ରହଣକାରୀ ଆଗକୁ ଆସି ସେମାନଙ୍କ ପସନ୍ଦ ଡିପୋରୁ ପରିମାଣ ପାଇଁ ବିଡ୍ କରିପାରିବେ ବୋଲି ନିଶ୍ଚିତ କରିବା ଅଟେ।

ଷ୍ଟକ୍ ବ୍ୟବସାୟୀମାନଙ୍କୁ ଓଏମଏସଏସ (ଡି) ଅଧୀନରେ ଗହମ ବିକ୍ରୟରୁ ଦୂରେଇ ରଖାଯାଇଥିଲା ଏବଂ ଓଏମଏସଏସ (ଡି) ଅଧୀନରେ ଗହମ କିଣିଥିବା ପ୍ରୋସେସରର ଫ୍ଲୋ ମିଲ୍ସରେ ନିୟମିତ ଯାଞ୍ଚ / ନିରୀକ୍ଷଣ କରାଯାଉଛି । 05.09.23 ପର୍ଯ୍ୟନ୍ତ ସମଗ୍ର ଦେଶରେ 898 ଯାଞ୍ଚ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତୁରନ୍ତ ମସୁରର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଁ ପରାମର୍ଶ ଜାରି କଲେ କେନ୍ଦ୍ର ସରକାର

ଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତୁରନ୍ତ ମସୁର (ମସୁର)ର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ପ୍ରକାଶ କରିବା ପାଇଁ ପରାମର୍ଶ ଜାରି କରିଛି। ସମସ୍ତ ହିତାଧିକାରୀ ପ୍ରତି ଶୁକ୍ରବାର ଦିନ ବିଭାଗ ଦ୍ୱାରା ପରିଚାଳିତ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲ (https://fcainfoweb.nic.in/psp) ରେ ସେମାନଙ୍କ ମସୁର ଷ୍ଟକ୍‌କୁ ବାଧ୍ୟତାମୂଳକ ଭାବରେ ପ୍ରକାଶ କରିବା ଉଚିତ୍। ଯଦି କୌଣସି ଅଘୋଷିତ ଷ୍ଟକ୍ ମିଳେ, ତେବେ ତାହାକୁ ହୋର୍ଡିଂ ଅର୍ଥାତ୍ ଜମାଖୋରୀ ଭାବେ ବିବେଚନା କରାଯିବ ଏବଂ ଏହା ଉପରେ ଇସି ଆକ୍ଟ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାପ୍ତାହିକ ମୂଲ୍ୟ ସମୀକ୍ଷା ବୈଠକରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂହ ମସୁର ବଫର କ୍ରୟକୁ ବ୍ୟାପକ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏମଏସପି ପାଖାପାଖି ଦରରେ ଉପଲବ୍ଧ ଷ୍ଟକ୍ କିଣିବା। ଏହା ଏପରି ସମୟରେ ହୋଇଛି, ଯେତେବେଳେ ନାଫେଡ୍ ଏବଂ ଏନସିସିଏଫକୁ ଆମଦାନୀ ହୋଇଥିବା ଡାଲି କିଣିବା ପାଇଁ ସେମାନଙ୍କର ଟେଣ୍ଡର ସ୍ଥଗିତ ରଖିବାକୁ ପଡିଥିଲା , କାରଣ କିଛି ଯୋଗାଣକାରୀଙ୍କ ଠାରୁ ଅତ୍ୟଧିକ ନିଲାମ ମିଳିଥିଲା।

ଉପଭୋକ୍ତା ବ୍ୟାପାର ସଚିବ କହିଛନ୍ତି ଯେ କାନାଡାରୁ ଡାଲି ଆମଦାନୀ ପ୍ରବାହ ଏବଂ ଆଫ୍ରିକୀୟ ଦେଶ ଗୁଡିକରୁ ହରଡ ଡାଲି ଆମଦାନୀ ବୃଦ୍ଧି ପାଉଥିବା ବେଳେ କିଛି କମ୍ପାନୀ ଉପଭୋକ୍ତା ଏବଂ ରାଷ୍ଟ୍ରର ସ୍ୱାର୍ଥ ବିରୁଦ୍ଧରେ ବଜାରକୁ ନିଜ ନିୟନ୍ତ୍ରଣରେ କରିବାକୁ ଚେଷ୍ଟା କରୁଛନ୍ତି। ସରକାର ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ବଜାରକୁ ଷ୍ଟକ୍ ଛାଡ଼ିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ। ଯାହା ଦ୍ୱାରା ପର୍ବପର୍ବାଣୀ ଋତୁରେ ଉପଯୁକ୍ତ ମୂଲ୍ୟରେ ସମସ୍ତ ଡାଲିର ଉପଲବ୍ଧତା ସୁନିଶ୍ଚିତ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପଭୋକ୍ତା ମାନଙ୍କ ସହିତ କୃଷକ ମାନଙ୍କର ସ୍ୱାର୍ଥକୁ ସଠିକ ଭାବରେ ସନ୍ତୁଳନ କରିବା ସର୍ବୋଚ୍ଚ ପ୍ରାଥମିକତା ଏବଂ ଯେଉଁମାନେ ଅସାଧୁ ଉପାୟରେ ଭାରତୀୟ ଉପଭୋକ୍ତା ଏବଂ କୃଷକ ମାନଙ୍କର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପଛଘୁଞ୍ଚା ଦେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ସରକାରଙ୍କ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ନୂଆଦିଲ୍ଲୀ: ଭିନ୍ନକ୍ଷମ ମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ୨୦୨୩ ରେ ଜୋମାଟୋ ଏବଂ ନିଓ ମିସନ ସହଯୋଗରେ ଏକ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛି।

ଏହି ନିଯୁକ୍ତି ମେଳାଟି କେବଳ ପୁରୁଷ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଉପଯୁକ୍ତ ଅଟେ। ଏହି ମେଳାରେ  ବିତରଣ କାର୍ଯ୍ୟନିର୍ବାହୀ ପଦ ପାଇଁ ଭିନ୍ନକ୍ଷମମାନେ ଭାଗ ନେଇ ପାରିବେ। ଏହି ନିଯୁକ୍ତି ମେଳାରେ ଜୋମାଟୋ ଓଡିଶାରେ ଏବଂ ପାନ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ ଦେବ ଏବଂ ନିଓମୋସନ୍ ମନୋନୀତ ପ୍ରାର୍ଥୀଙ୍କୁ ସବସିଡିଯୁକ୍ତ ବୈଦ୍ୟୁତିକ ହୁଇଲ ଚେୟାର ପ୍ରଦାନ କରିବ।

ତେଣୁ ସମସ୍ତ ଚାକିରୀ ଆଶାୟୀ ଭିନ୍ନକ୍ଷମ ବ୍ୟକ୍ତି (ଚଳନ ବାଧିତ) ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବାୟୋ ଡାଟା ଫର୍ମ ଆଦି ଡକ୍ୟୁମେଣ୍ଟ୍ ସହିତ ଆସି ଏହି ନିଯୁକ୍ତି ମେଳାରେ ଭାଗ ନେବାକୁ ଅନୁରୋଧ କରାଯାଇଛି।

ତେଣୁ ଆଗ୍ରହୀ ଚାକିରୀ ଆଶାୟୀ ଭିନ୍ନକ୍ଷମମାନେ ଏହି ଚାକିରି ଆବେଦନ କରିବା ପାଇଁ ଉପରୋକ୍ତ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାକୁ ଆସିବାକୁ ଅନୁରୋଧ କରାଯାଇଛି।

ତାରିଖ : ୦୬ ସେପ୍ଟେମ୍ବର ୨୦୨୩

ବୟସ ସୀମା : ୨୩ ବର୍ଷ ରୁ ୪୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା:- ସମସ୍ତେ ଯୋଗ୍ୟ ଅଟନ୍ତି (ସ୍ମାର୍ଟ ଫୋନ୍ ରହିବା ଏବଂ ବ୍ୟବହାର ଜାଣିଥିବା ଆବଶ୍ୟକ)

ସମୟ: ସକାଳ ୯ ଘଟିକା

ଠିକଣା: ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦

(ମଧୁସୂଦନ ଦାସ ପାର୍କ ସାମ୍ନା)

ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭