Categories
ଆଜିର ଖବର ରାଜ୍ୟ ଖବର

ସିଙ୍ଗାପୁରରେ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନରେ (ଆଇଟିଇ) “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ। ମଙ୍ଗଳବାର ଅପରାହ୍ଣରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନଯୋଗେ ଆସିଥିଲେ।

ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ “ଆଇଟିଇ”ରେ ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ଅତିରିକ୍ତ ତାଲିମ ନେଇଥିଲେ। ଡ୍ରୋନ୍ ଏବଂ ରୋବୋଟିକ୍ସର କୋର୍ଡିଂ ଓ ଏହାର ପରିଚାଳନା ବିଷୟରେ ସେମାନେ ଅଧିକ ଶିକ୍ଷାଲାଭ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳରେ ର୍ନିମିତ ବିଭିନ୍ନ ଉପକରଣ ବୁଲି ଦେଖିବା ସହ ଏହାର ପ୍ରୟୋଗ ବିଷୟରେ ପଚାରି ବୁଝିଥିଲେ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଦେଶରୁ ସେମାନେ ଯେଉଁ ଅନୁଭୂତି ନେଇ ଫେରିଛନ୍ତି ତାହା ସେମାନଙ୍କ କ୍ୟାରିୟର ସ୍ୱପ୍ନ ସାକାର କରିବାରେ ସହାଯ୍ୟ କରିବ।

“ରୋବୋଟିକ୍ସରେ ମୁଁ କ୍ୟାରିୟର କରିବାକୁ ଚାହୁଁଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ମେକାଟ୍ରୋନ୍ସିକ୍ସରେ ଏହି ଅତ୍ୟାଧୁନିକ ବିଷୟରେ ଆମକୁ ତାଲିମ ଦିଆଯାଉଛି। ତେବେ ସିଙ୍ଗାପୁରରେ ଏ ବିଷୟରେ ମୁଁ ଅଧିକ ଜାଣିବାର ସୁଯୋଗ ପାଇଲି। ଆଗାମୀ ଦିନରେ ମୋ ”କ୍ୟାରିୟର ପାଇଁ ଏହା ବଡ଼ ସହାୟକ ହେବ”, କହନ୍ତି ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରୁ ଫେରିଥିବା ଛାତ୍ରୀ ରୋଶ୍ନୀ ସାହୁ।

“ବିମାନଯୋଗେ ସିଙ୍ଗାପୁର ଯିବା ମୋ’ ପାଇଁ ପ୍ରଥମ। ସେଠାରେ ଡ୍ରୋନ୍ ଟେକ୍ନାଲୋଜି ବିଷୟରେ ଅଧିକ ଶିଖିବାକୁ ମିଳିଲା। ନିଜ ହାତରେ ଆମେ ଡ୍ରୋନ୍ ଚଲାଇଲୁ। ତା’ଛଡ଼ା ସିଙ୍ଗାପୁରର ପରିବେଶକୁ ଅତି ପାଖରୁ ଦେଖିବାର ସୁଯୋଗ ପାଇଲୁ”, କହନ୍ତି ଆଉ ଜଣେ ଛାତ୍ର ବି ସନ୍ଦୀପ ପାତ୍ର।

ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଆଇଟିଇର ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇଥିଲେ। ଶେଷରେ ଏହି କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଟିଇ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ କରାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ଏହି କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି।

ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି “ବିଶ୍ୱ ଦକ୍ଷତା କେନ୍ଦ୍ର”। ଏହି କେନ୍ଦ୍ରରେ “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ଏବଂ “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗ ଅଧୀନରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପଢ଼ିଙ୍କୁ ତାଲିମ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଉତକେଲା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ

ଭୁବନେଶ୍ଵର: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହ (ଅବସରପ୍ରାପ୍ତ) ଆଜି ଉତକେଲା ବିମାନବନ୍ଦର ଏବଂ ଉତକେଲା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉତକେଲା ବିମାନବନ୍ଦର ଓଡ଼ିଶା ସରକାରଙ୍କ ମାଲିକାନାରେ ରହିଛି। ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଡାନ ଯୋଜନାରେ ୩୧.୦୭ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଆଞ୍ଚଳିକ ବିମାନବନ୍ଦର ଭାବରେ ବିକଶିତ କରାଯାଇଛି। ଉତକେଲା ବିମାନବନ୍ଦରର ରନଓ୍ବେର ଦୈର୍ଘ୍ୟ ୯୧୭ ମିଟର (୨୯୯୫ ଫୁଟ) ସହିତ ପ୍ରସ୍ଥ ୩୦ ମିଟର ରହିଛି। ଉତକେଲା ବିମାନବନ୍ଦରକୁ ମିଶାଇ ଓଡ଼ିଶାରେ ଏବେ ୫ଟି ବିମାନବନ୍ଦର ହେବ।

ନବନିର୍ମିତ ଉତକେଲା-ଭୁବନେଶ୍ୱର-ଉତକେଲା ବିମାନ ମାର୍ଗ ଆଞ୍ଚଳିକ ବିମାନ ଯୋଗାଯୋଗ ବୃଦ୍ଧି କରିବା ସହ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଇଣ୍ଡିଆ ୱାନ୍ ଅଗଷ୍ଟ ୩୧ ତାରିଖରୁ ଏହି ରୁଟ୍ ରେ ବିମାନ ଚଳାଚଳ ଆରମ୍ଭ କରିଛି। ଉଡାନ ଯୋଜନାରେ ମଞ୍ଜୁର ହୋଇଥିବା ୯ ସିଟ୍ ବିଶିଷ୍ଟ ସେସନା ସି-୨୦୮ ବିମାନକୁ ଅପରେଟର ବ୍ୟବହାର କରିବେ। ଏହି ବିମାନ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳାଚଳ କରିବ:

ଉଦଘାଟନୀ ଭାଷଣରେ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ କହିଥିଲେ ଯେ ଉତକେଲା ଭୁବନେଶ୍ୱର ବିମାନ ଯୋଗାଯୋଗ ସଡ଼କ ପଥରେ ଯାତ୍ରା କରିବାକୁ ଲାଗୁଥିବା ସମୟକୁ ପ୍ରାୟ ୮ ଘଣ୍ଟା ହ୍ରାସ କରିବ। ଏବେ ଉତକେଲା-ଭୁବନେଶ୍ୱର ବିମାନରେ ଏହି ଦୂରତା ୧ ଘଣ୍ଟା ୨୦ ମିନିଟରେ ଅତିକ୍ରମ କରାଯାଇପାରିବ। ଅର୍ଥନୈତିକ କାର୍ଯ୍ୟକଳାପ ଆସିବା ସହ ବିଭିନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବାରୁ କଳାହାଣ୍ଡି ଅଞ୍ଚଳ ପାଇଁ ଏହା ଏକ ନୂଆ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ସହଯୋଗରେ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭିକେ ସିଂହ (ଅବସରପ୍ରାପ୍ତ) କହିଛନ୍ତି ଯେ କେନ୍ଦ୍ର ସରକାର ଉତକେଲା ବିମାନବନ୍ଦରର ପୁନଃନିର୍ମାଣ ରେ ପ୍ରାୟ ୩୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ କଳାହାଣ୍ଡିକୁ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୋଗ କରାଯିବ ଯାହା ଏହି ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଓଡ଼ିଶା ସରକାରଙ୍କ ଜଳସମ୍ପଦ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂଶଲ, ଓଡ଼ିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଇଣ୍ଡିଆ ୱାନର ସିଇଓ ଅରୁଣ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଜାତୀୟ କ୍ରୀଡ଼ାଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତୀୟ କ୍ରୀଡ଼ାଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଯୋଗ ଦେଇ ଆୟୋଜିତ ଗଣଦୌଡ଼ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପ୍ରାତଃ ୬.୩୦ ମିନିଟ୍ ସମୟରେ ୩୦୦ ଜଣ ଛାତ୍ରଛାତ୍ରୀ ଗଣଦୌଡ଼ରେ ଅଂଶଗ୍ରହଣ କରିଥିଲେ। ଏଥିରେ ଉଭୟ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ କ୍ରୀଡ଼ାବିତ୍‌ଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା।

କ୍ରୀଡ଼ା ହିଁ ଶିକ୍ଷାର ଏକ ଅଂଶବିଶେଷ, ଯଦ୍ୱାରା ମାନସିକ ଶାରୀରିକ ସୁସ୍ଥତା ସମ୍ଭବପର ବୋଲି ମୁଖ୍ୟ ଅତିଥି ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଦୃଢ଼ ଆତ୍ମବଳ, ଏକାଗ୍ରତା ତଥା ନିୟମିତ ଯୋଗ , ବ୍ୟାୟାମ ଓ ପ୍ରାଣାୟାମ ଅଭ୍ୟାସ ମାଧ୍ୟମରେ ଅସାଧ୍ୟ ସାଧନ ସମ୍ଭବ ବୋଲି ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ।

ପରିଶେଷରେ ବିଦ୍ୟାଳୟର ମୁଖ୍ୟ କ୍ରୀଡ଼ା ଶିକ୍ଷକ ନବକିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କ୍ରୀଡ଼ା ବିଭାଗର ଶିକ୍ଷକ ଦୀପକ ରଞ୍ଜନ ବେହେରା, ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଣ୍ଡା ସକ୍ରିୟ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ତିନି ଦିନିଆ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନ, ଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। “ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା” ଏବଂ “ୟୁନିସେଫ”ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଉଦ୍ ଘାଟନ କରିଥିଲେ।

ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଯୌନ ଉତ୍ପୀଡନ ମାମଲା ଗୁଡ଼ିକ ଅତ୍ୟନ୍ତ ସମ୍ବଦନଶୀଳ। ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ତଦନ୍ତ ନିର୍ଭୁଲ ଏବଂ ନିରପେକ୍ଷ ହେବା ଉଚିତ୍। ତଦନ୍ତରେ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି DGP ଶ୍ରୀ ବଂସଲ ମତବ୍ୟକ୍ତ କରିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲାଗୁଡ଼ିକର ସମାଧାନ ପାଇଁ ଏହି ତାଲିମ୍ ପୋଲିସ ଥାନାରେ ନିଯୁକ୍ତ ଥିବା ଅଧିକାରୀଙ୍କୁ ଅପରାଧ ତଦନ୍ତରେ ସହାୟତା କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ରେ ୧୫୦ ଥାନାର ଆଇଆଇସି ଏବଂ ଏସଡିପିଓ ରାଙ୍କର ଅଧିକାରୀମାନେ ଯୋଗ ଦେବେ। ପ୍ରତିଦିନ ୫୦ ଜଣ ଅଧିକାରୀ ଏହି ପ୍ରଶିକ୍ଷଣ ନେବେ।

ଏହି କର୍ମଶାଳାରେ କେଶବ କୁମାର, ଅବସରପ୍ରାପ୍ତ ପୂର୍ବତନ ଡିଜିପି ଗୁଜରାଟ ଏବଂ ହେମନ୍ଥ୍ ସାଇ ରେଡ୍ଡୀ, ସିନିୟର୍ ଭିଜିଲାନ୍ସ ମ୍ୟାନେଜର ରିସୋର୍ସ ପର୍ସନ୍ସ ଭାବେ ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ଫୋରେନସିକ୍ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ତାଲିମ୍ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ସଫିନ୍ ଅହମଦ୍ କେ, ଆଇପିଏସ୍, ଆଇ.ଜି.ପି, କ୍ରାଇମବ୍ରାଞ୍ଚ ପୈରାହିତ୍ୟ କରିଥିଲେ। ଆର. କେ. ମିଶ୍ର, ଏସ୍ ପି, କ୍ରାଇମବ୍ରାଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ। ମାନ୍ନା ବିଶ୍ୱାସ, ( ସଦସ୍ୟ, ୟୁନିସେଫ୍, ଓଡିଶା) ପ୍ରମୁଖ ଉପସ୍ଥିତ ରହି ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ। CAW & CW ର DSP ଇମାନ କଲ୍ୟାଣ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ: ୫ ଜଣ ପାଇଲେ ଫଟୋ ବନ୍ଧୁ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମାଜସେବୀ ବନ୍ଦନା ଶ୍ରୀଚନ୍ଦନ ଆୟୋଜକ ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ୫ ଜଣ ବ୍ୟକ୍ତି ବିଶେଷ ଯଥା ସୂର୍ଯ୍ୟ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ସମାଜସେବୀ ମାନସ ବସ୍ତିଆ, ଅଭିଳାଷ ପଣ୍ଡା, ରାଜ୍ୟସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଶୟଦ ୟାଶିର ନୱାଜ, ରାଜ୍ୟ ସଭାପତି ଛାତ୍ର କଂଗ୍ରେସ ଓ ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ପାର୍ଥ ସାରଥୀ ମୁଦୁଲି ପ୍ରମୁଖଙ୍କୁ ଫଟୋ ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଛି.ଗ୍ରାମ୍ୟ ଜୀବନ, ପ୍ରକୃତି ଓ ବନ୍ୟା ପ୍ରାଣୀ, ଭାବଭଙ୍ଗି ଉପରେ ଆଧାରିତ ହୋଇଥିବା ଏହି ଫଟୋ ପ୍ରଦର୍ଶନୀରେ ସାରା ରାଜ୍ୟ ୮୦ ଜଣ ପ୍ରତିଯୋଗୀଙ୍କର ୨୫୩ଟି ଫଟୋ ପ୍ରଦର୍ଶିତ ହୋଇଥିଲା।

ଉଚ୍ଚକୋଟିର ଫଟୋ ପାଇଁ ଶ୍ରେଷ୍ଠ ୩ ଜଣ ଫଟୋଗ୍ରାଫର ଅଜିତ ପାଢ଼ୀ, ବୈଦ୍ୟନାଥ ନାୟକ ଓ ସତ୍ୟଜିତ ଦାସଙ୍କୁ ସମ୍ମାନୀତ କରାଯାଇଛି ଏଥି ସହିତ ତିନିଜଣ ଫଟୋଗ୍ରାଫର ସନ୍ଦୀପ ପ୍ରିୟଦର୍ଶୀ, କଳ୍ପନା ରଥ ଓ ଆଶୁତୋଷ ପାଢ଼ୀଙ୍କୁ ଦୃଷ୍ଟି ଆକର୍ଷଣକାରୀ ଫଟୋ ପାଇଁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା।

ନୂଆ ଫଟୋଗ୍ରାଫରମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡିଶା ସିନେ ୱାର୍କର୍ସ ଆସୋସିଏସନ୍ ର ୬୧ ତମ ସାଧାରଣ ସଭା ଅନୁଷ୍ଠିତ

ଭୁବନେଶ୍ଵର: ଓଡିଶା ସିନେ ୱାର୍କର୍ସ ଆସୋସିଏସନ ପ୍ରାୟ ୧୬୦୦ରୁ ଉର୍ଦ୍ଧ୍ୱ ସଦସ୍ୟା, ସଦସ୍ୟଙ୍କୁ ନେଇ ଗଢିଉଠିଛି। ଏହାର ୬୧ତମ ସାଧାରଣ ସଭା ଆଜି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟସ୍ଥ କଂଗ୍ରେସ ଭବନ ପଛ ପାଖ ବରିଷ୍ଠ ସାମ୍ବାଦିକ ବୁଲନ୍ ଭାଇଙ୍କ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଓଡିଶା ସିନେ ୱାର୍କର୍ସ ଆସୋସିଏସନ୍ ର ନୂତନ ସଭାପତି ଦେବକାନ୍ତ ମିଶ୍ର (ବବି)ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ସଭାପତି ଦାୟିତ୍ୱ ବହନ କରିବାର ଗୁରୁଦାୟୀତ୍ୱ ପ୍ରଦାନ କରାଯାଇଥିଲା। ମୁଖ୍ୟ ତଥା ସମ୍ମାନିତ ଅତିଥି ଭାବେ ଓଲିଉଡ଼ ସିନେ ଜଗତର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଙ୍କ ସମେତ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ମଞ୍ଚରେ ଉପସ୍ଥିତ ଥିଲେ।

ପରିଚାଳନା କମିଟିର କିଛି ସଦସ୍ୟଙ୍କ ଦାୟିତ୍ୱ ପରିବର୍ତ୍ତନ ହୋଇଥିଲା। ଏହାର ଏକକିତା ନକଲ ସମସ୍ତ ଗଣମାଧ୍ୟମର ସମ୍ପାଦକ ତଥା ଅଧ୍ୟକ୍ଷ ଓ ପ୍ରତିନିଧିଙ୍କ ନିକଟକୁ ପ୍ରେରିତ କରାଯିବା ସହିତ ଏହାକୁ ପ୍ରସାର କରିବାପାଇଁ ଅନୁରୋଧ କରାଯାଇଥିଲା। ଏହାର ଏକକିତା ନକଲ ନୂତନ ସଭାପତି ବବି ମିଶ୍ର ଓ ପୂର୍ବତନ ସଭାପତି ଅଶ୍ରୁ୍ମୋଚନ ମହାନ୍ତି ଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରେରଣ କରାଯାଇଥିଲା।

ସଭାରେ କିଛି ନୂତନ ସଦସ୍ୟା /ସଦସ୍ୟ ଗ୍ରହଣ କରାଯାଇଥିଲା। ସଂଘ ସହିତ ସଦସ୍ୟ ମାନେ ଅଙ୍ଗାଙ୍ଗୀଭାବେ ସବୁବେଳେ ଯୋଡି ହୋଇରହିଲେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ନୂତନ ସଭାପତି ଅଭିଭାଷଣ ରେ କହିଥିଲେ।

ସଭାରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ଉପଦେଷ୍ଟା ମଣ୍ଡଳୀରେ ରହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିବେ। ମିଡ଼ିଆ ପ୍ଲାନରର ମୁଖ୍ୟ ପ୍ରଣୟ ଜେଠୀ ଅନୁଷ୍ଠାନ ସମ୍ପର୍କରେ ଅବଗତ ହେଲା ପରେ ବହୁତ ପ୍ରଶଂସା କରିଥିଲେ।

ଶେଷରେ ସଂଘର ସହ ସମ୍ପାଦକ ଖଗେଶ୍ୱର ଜୟପୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ

ଭୁବନେଶ୍ଵର: ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀର ଅନେକ ଘରକୁ ଗେଲ୍ ଇଣ୍ଡିଆ ଦ୍ୱାରା ପାଇପ ଯୋଗେ ରୋଷେଇ ଗ୍ୟାସର ସୁବିଧା ଦିଆଯିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଗରିକଙ୍କ ପାଇଁ  ‘ଇଜ୍ ଅଫ୍ ଲିଭିଂ’ ବା ସହଜ ଜୀବନଯାପନର ବଡ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଠାରେ ଗେଲ୍ ଇଣ୍ଡିଆ ଲିମିଟେଡର ସିଏସଆର୍ ଅଧୀନରେ ରାଜ୍ୟର ସର୍ବପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗେଲ୍ ୧୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଥିବା ବେଳେ ଆଜି ଭୁବନେଶ୍ଵରର ଧର୍ମବିହାରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଶ୍ମଶାନଘାଟ ଉଦଘାଟିତ ହୋଇଯାଇଛି। ବିଏମସି ଏଥିରେ ସହଯୋଗୀ ହୋଇଛି । ଏହାବ୍ୟତିତ ଆଉ ଦୁଇଟି ଶ୍ମଶାନାଗାର ଆଇଗଣିଆ ଓ କଟକର ଖାନନଗର ଠାରେ ତିଆରି କରାଯାଉଛି । ଖୁବ ଶୀଘ୍ର ଏହାର ଲୋକାର୍ପଣ ହେବ। ଏହା ଦ୍ୱାରା ଦ୍ଵୈତ-ନଗରୀରେ ଶବଦାହ ପାଇଁ ଯେଉଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା ଦୂର ହେବ । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଇଜ୍ ଅଫ୍ ଲିଭିଂ’ କଳ୍ପନାରେ ଏହି ନୂଆ ଅତ୍ୟାଧୁନିକ ଶବଦାହ ନିର୍ମାଣ କରିଥିବାରୁ ଗେଲ୍ ଇଣ୍ଡିଆକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇଜ୍ ଅଫ୍ ଲିଭିଂକୁ ଗୁରୁତ୍ୱ ଦେଉଛନ୍ତି ।  ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ ଅନୁଦାନ, ସହରାଞ୍ଚଳର ବିକାଶ ସ୍ମଶାନଘାଟକୁ ଉନ୍ନତିକରଣ କରାଯାଇଛି । ମୋଦି ସରକାରଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ସମେତ ପୂର୍ବ ଭାରତରେ ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ମଜଭୂତ କରାଯାଇଛି । ବିଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପ୍ରେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ କାମ ଶେଷ ହୋଇଛି । ଧାମରାରେ ଏଲଏନଜି ଟର୍ମିନାଲ ବି ହୋଇଯାଇଛି।

କଟକ ଓ ଭୁବନେଶ୍ୱରରେ ୨୦୧୮ ଅକ୍ଟୋବରରେ ଗେଲ୍ ଦ୍ୱାରା ଆରମ୍ଭ ହୋଇଥିବା ଗ୍ୟାସ ପାଇପଲାଇନ ପ୍ରାୟ ୫୦ ହଜାର ଘରେ ପହଞ୍ଚାଯାଇଛି ।  ଭୁବନେଶ୍ୱରରେ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ଗ୍ୟାସ ପହଞ୍ଚାଯାଯିବାର ବ୍ୟବସ୍ଥା ହୋଇଛି । ମୋଦି ସରକାରରେ ସରହାଞ୍ଚଳର ବିକାଶ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଦ୍ୟୁତ ଯାନ, ଏବଂ ସିଏନଜି ଚାଳିତ ଗାଡି ଉପରେ ଧ୍ୟାନ ଦିଆଯାଉଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୨୩ଟି ସିଏନଜି ଷ୍ଟେସନ ପ୍ରତିଷ୍ଠା ହୋଇଛି । ସ୍ମାର୍ଟ ସିଟି ଭୁବନେଶ୍ୱର ସମେତ ସବୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏହାକୁ ଆମେ ସମସ୍ତେ ଜନଆନ୍ଦୋଳନରେ ପରିଣତ କରିବା ଦରକାର।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭୁବନେଶ୍ୱରରେ ଗରିବଙ୍କୁ ରଖାଯାଇ ଭୋଟ୍ ରାଜନୀତି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପିଏମ ଆବାସ ଯୋଜନାରେ ସହରାଞ୍ଚଳର ଗରିବ ଓ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ରାଜ୍ୟ ସରକାର ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଜାଗା ଉପଲବ୍ଧ କଲେ ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ସହରରୁ ପର୍ଯ୍ୟାପ୍ତ ମାତ୍ରାରେ ଏମାନଙ୍କୁ ଘର ଯୋଗାଇଦେବେ ।  ଭୁବନେଶ୍ୱରରେ ବସ୍ତି ରହିବନି । ପକ୍କା ଘର ବସ୍ତିବାସିନ୍ଦାଙ୍କୁ ଦିଆଯିବ । ଏହା ଅମୃତ ମହୋତ୍ସବର ସଂକଳ୍ପ ହେବା ଦରକାର । ଗରିବଙ୍କ କଲ୍ୟାଣ କରିବା ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ । ଓଡ଼ିଶାକୁ ଦେଶରେ ୧ ନମ୍ବର କରିବା ସହ ଦାରିଦ୍ୟକୁ ଦୂର କରିବା ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଓଡିଶା ଗସ୍ତର ଦ୍ଵିତୀୟ ଦିନ: ଆଜି ପୁରୀ ଓ ଭୁବନେଶ୍ୱର ଠାରେ ଏକାଧିକ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୁରୀ ଓ ଭୁବନେଶ୍ୱର ଠାରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଉଭୟ କେନ୍ଦ୍ର ମନ୍ତ୍ରୀ ଦେଶର ଐତିହ୍ୟ ଓ ପ୍ରଗତି ପ୍ରତି ସମର୍ପିତ ‘‘ମେରୀ ମାଟି ମେରା ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିନର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ।

ଏହାବ୍ୟତୀତ ଗୁରୁବାର ସକାଳ ପ୍ରାୟ ୭ଟାରେ ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହିତ ଶହ ଶହ ବର୍ଷ ପୁରୁଣା ପରମ୍ପରା ପ୍ରତି ସମ୍ମାନ ବ୍ୟକ୍ତ କରିବେ।

ଏହାପରେ ସକାଳ ପ୍ରାୟ ୮ଟା ସମୟରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିବେ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମି ଠାରେ ବାଲୁକା କଳାକୃତି ନିର୍ମାଣ କରାଯିବ।

ସକାଳ ୯ଟା ସମୟରେ କେନ୍ଦ୍ର ମନ୍ତ୍ରୀମାନେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ଶଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବା ସହିତ ପଞ୍ଚ ପ୍ରାଣ ଶପଥ ଗ୍ରହଣ କରିବେ।

ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଏବଂ ସେଠାରୁ ଅମୃତ କଳା ଯାତ୍ରାର ଶୁଭାରମ୍ଭ କରିବେ।

ଏହାପରେ ଉଭୟ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାର ଠାରେ କୁଇ ଓ ଦେଶିଆ ଭାଷାରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବେ। ଏହି ଦୁଇଟି ପୁସ୍ତକ ଉଭୟ ଭାରତୀୟ ଭାଷାରେ ଜ୍ଞାନ ବିତରଣ ଦିଗରେ ସହାୟକ ହେବ।

ଆସନ୍ତାକାଲି ଅପରାହ୍ଣ ୫ଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ବିଂଶତମ ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ବୌଦ୍ଧିକ ବିନିମୟ ଓ ବୃତ୍ତିଗତ ବିକାଶ ପାଇଁ ବିଚାରବିମର୍ଶ କରାଯିବ।

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆମ ଐତିହ୍ୟ ସଂରକ୍ଷଣ, ଆମ ମାତୃଭୂମି ସହ ସମ୍ପର୍କ ସ୍ଥାପନ ଏବଂ ପରିବେଶ ଓ ଆମ ରାଷ୍ଟ୍ର ପ୍ରତି ରହିଥିବା ଉତ୍ତରଦାୟିତ୍ୱ ଭାବନାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ।

Categories
ଆଜିର ଖବର

ଭୁବନେଶ୍ୱରରେ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ବିଭାଜନ ବିଭୀଷିକାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ଏବଂ କ୍ଷତି ଓ ପୀଡା ସହିଥିବା ସେହି ପୂର୍ବଜ ମାନଙ୍କୁ ମନେ ପକାଇବାର ଅବସର। ଆଜିର ଦିନରେ ସେହି ବିଭୀଷିକାରୁ ପ୍ରେରଣା ନେଇ ଭାରତକୁ ଅଧିକ ଶକ୍ତିଶାଳୀ, ସମୃଦ୍ଧ, ଶୌର୍ଯ୍ୟବାନ ଓ ସୁରକ୍ଷିତ କରିବା ପାଇଁ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆଇସିଏଚଆର ଦ୍ୱାରା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉଦଘାଟିତ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୪୭ ଅଗଷ୍ଟ ୧୪ରେ  ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଏବଂ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ। ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକଙ୍କୁ ମର୍ମାହତ କରୁଛି। ମୁଁ ମଧ୍ୟ ଦେଶର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ବେଳେ ସେହି ଆବେଗର ସ୍ପନ୍ଦନକୁ ଶୁଣିଛି ଓ ବୁଝିବା ପାଇଁ ଚେଷ୍ଟା କରିଛି। ରାଜନୀତି ବନ୍ଧନରୁ ମୁକ୍ତ କରିବାର ପ୍ରୟାସ ଦେଶକୁ ବିଭାଜନ ଓ ଖଣ୍ଡ ବିଖଣ୍ଡିତ କରିଥିଲା। ଇତିହାସର ଦୃଷ୍ଟିକୋଣ ଅନୁଯାୟୀ ସମ୍ଭତଃ ସେହି ସମୟକୁ ଏଡାଯାଇପାରିଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଇତିହାସ ଦର୍ପଣ ସଦୃଶ। ଇତିହାସ ଭବିଷ୍ୟତର ପଥ ପ୍ରଦର୍ଶିକା। ଇତିହାସକୁ ଯେଉଁ ସମାଜ ବୁଝେ ନାହିଁ, ପଢେ ନାହିଁ କିମ୍ବା ଜାଣିବାର ଚେଷ୍ଟା କରେ ନାହିଁ ତେବେ ଭବିଷ୍ୟତରେ ସେ ଝୁଣ୍ଟି ପଡିବାର ବହୁତ ସମ୍ଭାବନା ଅଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଇତିହାସକୁ ବ୍ୟାପକ କରୁଛନ୍ତି। ଜାତୀୟ ଶିକ୍ଷା ନୀତି ଏହାର ଏକ ମାଧ୍ୟମ ହୋଇଛି। ଇତିହାସକୁ ବ୍ୟାପକ କରିବାର ଅର୍ଥ ହେଉଛି ଓଡ଼ିଶା ସମେତ ଭାରତର ଅନେକ ସଂଗ୍ରାମୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଘଟଣାରେ ଲିପ୍ତ ଥାଇ ମଧ୍ୟ ଇତିହାସ ପୃଷ୍ଠାରେ ତାଙ୍କର ନାଁ ନାହିଁ।

ମହାତ୍ମା ଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀରମୋହନ ସେନାପତି ଲେଖନୀ ଚାଳନା ମାଧ୍ୟମରେ ଏହି କଥା କହିଥିଲେ। ଆଜି ସେହି ଲୁକ୍କାୟିତ ହୋଇଯାଇଥିବା ବୀର ସଂଗ୍ରାମୀ ମାନଙ୍କୁ ଲୋକଲୋଚନକୁ ଆଣି ଇତିହାସକୁ ବ୍ୟାପକ କରିବାର ପ୍ରୟାସ କରୁଛନ୍ତି। ମୋଦି ସରକାରରେ ଏହି ସବୁ ଘଟଣା ପୁନଃଅବଲୋକନ କରିବାର ସୁଯୋଗ ଆସିଛି। ଓଡ଼ିଶା ଏଭଳି ରାଜ୍ୟ, ସ୍ୱାଧୀନତା ସଂଗ୍ରାମର ଅନେକ ଗାଥା ଅଛି । ଓଡ଼ିଶା ଜାତିର ଇତିହାସ ଶତାବ୍ଦୀ ଶତାବ୍ଦୀର। ବୀର ଓଡ଼ିଆ ଜାତି ନୌବାଣିଜ୍ୟରେ ଅଧା ପୃଥିବୀକୁ ପରିକ୍ରମା କରିଥିଲେ। ତେଣୁ ଓଡିଆ ଜାତିର ବୀରତ୍ୱ, ସମ୍ପନ୍ନତା, ଇତିହାସ ଓ ବୈଭବର ପୁନଃଲିଖନର ଆବଶ୍ୟକତା ଅଛି। ଏହି ସବୁ ଘଟଣା ତଥ୍ୟ, ଆଧାର, ଐତିହାସିକ ପ୍ରମାଣ ସହ ସ୍ଥାପନା କରିବାକୁ ପଡିବ। ଏ ପ୍ରକାର ସଂକଳ୍ପନା ନୂଆ ପିଢିକୁ ଦେଖିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଇସିଏଚଆର୍ ପକ୍ଷରୁ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ‘ଭାରତର ବିଭାଜନର କାହାଣୀ ଉପରେ ଆୟୋଜିତ ଏହି ପାଞ୍ଚଦିନିଆ ପ୍ରଦର୍ଶନୀକୁ ଦେଖିବା ପାଇଁ ଶ୍ରୀ ପ୍ରଧାନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଞ୍ଚଳିକ

ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

‘ପ୍ରତିକୁଳ ପରିବେଶରେ କବି ଗଙ୍ଗାଧରଙ୍କ ପ୍ରତିଭାର ସ୍ଫୁରଣ ଯେପରି ଘଟିଥିଲା, ତାଙ୍କର ଆଦର୍ଶକୁ ଅନୁକରଣ କରି ଓଡ଼ିଆ ଭାଷା , ଜାତିର ସ୍ୱାଭିମାନ ରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେଲେ ଏହି ଜୟନ୍ତୀ ପାଳନର ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ।’

ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକା ଓ ଓଡ଼ିଆ ବିଭାଗର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କବି ମେହେରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ।

ଦଶମ ଶ୍ରେଣୀର ଛାତ୍ରୀ ଖୁସବୁ ସିଂ କବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବା
ବେଳେ ସପ୍ତମ ଶ୍ରେଣୀର ଛାତ୍ରୀ ସ୍ୱାତିସ୍ନିଗ୍‌ଧା ନାୟକ କବିଙ୍କ ରଚିତ ‘ବିଶ୍ୱ ଜୀବନ ହେ’
ଗାନ କରିଥିଲେ।

ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରୀତିଶ୍ ସୁନ୍ଦର ବେହେରା କବିଙ୍କ ‘କର୍ମଗୁଣ’ କବିତାକୁ ଆବୃତ୍ତି କରିଥିଲେ।

ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବବେଳେ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଶକ୍ତି ପ୍ରସନ୍ନ ମହାନ୍ତି, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର କର, ଅଶୋକ କୁମାର ଗୁଇଁଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ୬୧ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଦେଶରେ ଅଗ୍ରଣୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆଜି ୬୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି ଏହି ପ୍ରତିଷ୍ଠା ଦିବସକୁ ଉଦ୍‌ଘାଟନ କରି ସାମଗ୍ରିକ ବିକାଶ ପାଇଁ ଖେଳକୁଦ, କଳା ପାଠ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ। ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକ୍‌ଲାନୀ ଛାତ୍ରଛାତ୍ରୀ, ପୁରାତନ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କର ନିରବଚ୍ଛିନ୍ନ ସେବା କିପରି ପ୍ରତିଷ୍ଠାନର ବିକାଶ ଓ ଦେଶର ଶିକ୍ଷାର ଗୁଣବତ୍ତାରେ ସହାୟକ ହେବ ସେ ବିଷୟରେ କହିଥିଲେ।

ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ସ୍ୱାଗତ ଭାଷଣ ଦେବା ସହ ପ୍ରତିଷ୍ଠାନ କିପରି ବିଗତ ବର୍ଷରେ ଶିକ୍ଷଣ, ଶିକ୍ଷାଦାନ, ଅନୁସନ୍ଧାନ ଓ ବିସ୍ତାର କାର୍ଯ୍ୟକ୍ରମରେ ପ୍ରଭାବଶୀଳ କାର୍ଯ୍ୟ କରିଛି ବର୍ଣ୍ଣନା କରିଥିଲେ। ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ପୁରାତନ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ପୁଷ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ବିଶେଷ ଖବର

ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ ସଂକ୍ରାନ୍ତରେ ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।

ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ  କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଦୃଷ୍ଟିକୋଣ ଅନୁରୂପ ଅଟେ।  ଅମିତ ଶାହ ଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି।

୧୯୯୯ ର ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନାରେ ଅନେକ ଅଗ୍ରଗତି କରିଥିବାରୁ ଶ୍ରୀ ଅମିତ ଶାହ ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ସେ ପରାମର୍ଶ ଦେଇଛନ୍ତି ଯେ ଆପଦା ମିତ୍ର ଏବଂ ରାଜ୍ୟରେ ବିପର୍ଯ୍ୟୟ ଯୋଦ୍ଧାମାନଙ୍କୁ ବହୁମୁଖୀ ବିପର୍ଯ୍ୟୟ ପ୍ରଶିକ୍ଷଣ ଦିଆଯିବା ଉଚିତ, ବିଶେଷକରି ରସାୟନିକ ଏବଂ ଆଣବିକ ବିପର୍ଯ୍ୟୟ ଏବଂ ସେଭଳି ବିପର୍ଯ୍ୟୟର ମୁକାବିଲା ଯାହା ବିନା ଚେତାବନୀରେ ଘଟିଥାଏ । ହୋମ ଗାର୍ଡ ସ୍ୱେଚ୍ଛୋସେବୀମାନଙ୍କୁ ଦକ୍ଷ କରାଯିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯିବା ଉଚିତ ବୋଲି ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାବାଦ୍‍ ରାଜ୍ୟରେ ପ୍ରତିଷ୍ଠିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା, ପ୍ରତିଷ୍ଠା କରିବା ପାଇଁ ବଜେଟ୍‌ରୁ ନିୟମିତ ଅର୍ଥ ପ୍ରଦାନ କରାଯିବା ଉଚିତ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଜୋର ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଏସଓପି ଗୁଡିକୁ ଗ୍ରହଣ କରିବା ଉଚିତ ଏବଂ ବଜ୍ରପାତ, ଗ୍ରୀଷ୍ମ ପ୍ରଦାହ ଏବଂ ଜଙ୍ଗଲ ଅଗ୍ନିକାଣ୍ଡରୁ ଜୀବନ ରକ୍ଷା କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି ଏବଂ ନିରାକରଣ ପାଇଁ ପ୍ରୟାସ କରିବା ଉଚିତ । ବିପର୍ଯ୍ୟୟ ସମୟରେ ପଶୁମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ସମୟରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମ୍ୟ ସ୍ତରର ସ୍ୱେଚ୍ଛାସେବୀ ତଥା ସମଗ୍ର ରାଜ୍ୟ ପ୍ରଶାସନିକ କଳକୁ ପ୍ରଶଂସା କରିଛନ୍ତି ।

ବାମପନ୍ଥୀ ଉଗ୍ରବାଦ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ପଦକ୍ଷେପ ଅନୁରୂପ ଭିତ୍ତିଭୂମି ବିକାଶରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ବାମପନ୍ଥୀ ଉଗ୍ରବାଦକୁ ମୂଳପୋଛ କରିବା ପାଇଁ କେନ୍ଦ୍ରୀୟ ବାହିନୀର ସହାୟତା ନେଇ ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସଡକ ଏବଂ ଯୋଗାଯୋଗ ନେଟୱାର୍କକୁ ମଜବୁତ କରିବାରେ ବିଶେଷ କରି ସମସ୍ତ ଗ୍ରାମକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବାରେ ସେ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ନିଶ୍ଚିତ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆମେ ଯୋଗାଯୋଗ, ଶିକ୍ଷା ଏବଂ ରୋଜଗାରର ଅନୁପସ୍ଥିତି ଭଳି ସମସ୍ତ ସମସ୍ୟାର ସମାଧାନ କରିବା ଉଚିତ ଯାହାକି ଏଲଡବ୍ଲୁଇ ର ଅଭିବୃଦ୍ଧିରେ ସହାୟକ ହୋଇଥାଏ । ରାଜ୍ୟ ମଧ୍ୟ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କଣ୍ଟ୍ରୋଲ ଦୋକାନ ପ୍ରତିଷ୍ଠା, ସଡକ ର୍ନିମାଣ ଏବଂ ବିଦ୍ୟୁତ୍‍ ଯୋଗାଣ ପାଇଁ ଅର୍ଥ ବିନିଯୋଗ ଉପରେ ବିଚାର କରିବା ଉଚିତ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ସରକାରୀ ଆଇଟିଆଇରେ ଭର୍ଚ୍ଚୁଆଲ ରିୟଲିଟି କୌଶଳଭିତ୍ତିକ ତାଲିମ କାର୍ଯ୍ୟଶାଳାର ଶୁଭାରମ୍ଭ

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ କୌଶଳ ପଦ୍ଧତି ଆପଣେଇ ଯୁବପିଢୀକୁ ଆଧୁନିକ ଶିଳ୍ପ ଜଗତର ଚାହିଦା ମୁତାବକ ସଶକ୍ତ କରାଇବା ତଥା ସ୍କିଲ୍ଡ ଇନ୍ ଓଡିଶା ବ୍ରାଣ୍ଡ କୁ ବିଶ୍ୱ ପେଷାଦାର ବଜାରରେ ବହୁଳ ଆଦୃତ କରାଇବା ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସିଛନ୍ତି। ଏହି ଉପଲକ୍ଷେ ବୁଧବାର ଅପରାହ୍ନରେ ସରକାରୀ ଆଇଟିଆଇ, ଭୁବନେଶ୍ଵର ଠାରେ ଏକ ଭର୍ଚ୍ଚୁଆଲ୍ ରିୟଲିଟି (VR) ଲାବୋରଟୋରୀ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି, ଆଇଟିଆଇ ଭୁବନେଶ୍ୱର ଅଧ୍ୟକ୍ଷା, ପ୍ରଶିକ୍ଷକମଣ୍ଡଳୀ ଓ ପ୍ରଶିକ୍ଷାର୍ଥୀଙ୍କ ଉପସ୍ତିତିରେ ଶୁଭାରମ୍ଭ ହୋଇଯାଇଛି।

ଆଜିର ଡିଜିଟାଲ ଯୁଗରେ ଶିକ୍ଷା ଉଭୟ ଦାନ ଓ ଗ୍ରହଣ ପ୍ରଣାଳୀ ଚକ ଡଷ୍ଟରରେ ସୀମିତ ନ ହୋଇ ମଲ୍ଟିମେଡ଼ିଆ ଓ ସିମୁଲେସନ ପଦ୍ଧତି ଆପଣେଇ ନେଇଛି। ଭର୍ଚ୍ଚୁଆଲ ରିୟଲିଟି (VR) ପଦ୍ଧତିରେ କମ୍ପୁଟର ସଫ୍ଟୱାର ମାଧ୍ୟମରେ କୌଣସି ବସ୍ତୁ ବା ଯନ୍ତ୍ରାଂଶର ବାସ୍ତବତା ଅତି ନିଖୁଣ ଭାବରେ ଶ୍ରେଣୀ ଗୃହରେ ଦେଖାଇ ତାହା ଉପରେ କୁଶଳୀ ତାଲିମ ଦିଆଯିବାର ସୁବିଧା ହୋଇପାରୁଛି। ଏହିପରି ପଦ୍ଧତି ବୈଷୟିକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂତନତ୍ୱ ଆଣିବା ସହିତ ଆଧୁନିକ ଶିଳ୍ପ ଜଗତର ମାନବ ସମ୍ବଳର ଚାହିଦା ମେଣ୍ଟାଇ ପାରିବ ବୋଲି ବିଭାଗର ନିର୍ଦ୍ଦେଶକ ରେଘୁ ଜି ତାଙ୍କ ବକ୍ତବ୍ୟରେ କହିଥିଲେ।

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନସ୍ଥ ନ୍ୟାସନାଲ ଇନଷ୍ଟ୍ରକସନାଲ ମିଡିଆ ଇନଷ୍ଟିଚିଉଟ (NIMI)ର ନିର୍ଦ୍ଦେଶକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଭର୍ଚ୍ଚୁଆଲ ରିୟଲିଟି (VR) ପଦ୍ଧତିରେ ତାଲିମ କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷରେ ପାଞ୍ଚ ଗୋଟି ସରକାରୀ ଆଇଟିଆଇରେ ପାଇଲଟ ପ୍ରକଳ୍ପ ଭାବରେ ନେଇଛନ୍ତି। ସେଥି ମଧ୍ୟରୁ ଓଡିଶାର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଭୁବନେଶ୍ଵରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ବ୍ୟତିରକେ ଆଇଟିଆଇ ଆଲିଗଞ୍ଜ, ଉତ୍ତରପ୍ରଦେଶ, ଆଇଟିଆଇ ଅସରନାଥ, ମହାରାଷ୍ଟ୍ର, ଆଇଟିଆଇ ନାଗୋ, ଆସାମ ଓ ଆଇଟିଆଇ ବିଜୟୱାଡା କୁ ସାମିଲ କରାଯାଇଛି। ଏହି ପ୍ରକଳ୍ପ ଟି ଆଇଆଇଟି, ମୁମ୍ବାଇର ଆଲୁମୁନି ମେସର୍ସ ଇଞ୍ଜ ଅନଲାଇନ୍ ଫିଷ୍ଟ ସଫ୍ଟଓୟାର ପ୍ରାଇଭେଟ୍ ଲିମିଟେଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ଷମ ହେଉଅଛି। ଏହି ପ୍ରକଳ୍ପ ଜରିଆରେ ଫିଟର, ଇଲେକ୍ଟ୍ରିସିଆନ, ୱେଲ୍ଡର ଓ ମୋଟରଯାନ ମେକାନିକ ଟ୍ରେଡଗୁଡିକର ପ୍ରାୟ ୧୫୦ ଟି ପ୍ରାକ୍ଟିକାଲ ଭର୍ଚ୍ଚୁଆଲ୍ ରିୟଲିଟି (VR) ସଫ୍ଟୱାର ପଦ୍ଧତିରେ ହୋଇପାରିବ।

ନିର୍ଦ୍ଦେଶକ ରେଘୁ ଜି ଏହି ଭି.ଆର ପଦ୍ଧତିରେ ପ୍ରଶିକ୍ଷାର୍ଥୀମାନଙ୍କ ପ୍ରଶିକ୍ଷଣ ଅଭ୍ୟାସ ଦେଖି ସନ୍ତୋଷବ୍ୟକ୍ତ କରିବା ସହିତ ଏହା ଉନ୍ନତ ବୈଷୟିକ ଜ୍ଞାନରେ ଛାତ୍ରଛାତ୍ରୀମାନଙ୍କୁ ସମୃଦ୍ଧ କରିବ ବୋଲି ମତ ପୋଷଣ କରିଥିଲେ। ଓଡିଶାର ଆଇଟିଆଇ ଅନୁଷ୍ଠାନ ଭୁବନେଶ୍ୱରକୁ ଏଥିସହିତ ସାମିଲ କରିଥିବାରୁ “ନିମି”ର ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ନିମି, ଚେନ୍ନାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ ଶ୍ରୀନିବାସ ରାଓଙ୍କ ସମେତ ନିର୍ଦ୍ଦେଶାଳୟର ଉଚ୍ଚପଦସ୍ତ ଅଧିକାରୀମାନେ ତଥା ରାଜ୍ୟର ସମସ୍ତ ୭୭ଟି ସରକାରୀ ଆଇଟିଆଇର ଅଧ୍ୟକ୍ଷ ଓ ପ୍ରଶିକ୍ଷକମାନେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଭୁବନେଶ୍ୱର ଆଇଟିଆଇ ର ଅଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସିଜିଏମ୍ ନାବାର୍ଡ, ଏନସିଡିସି, ଏନଡିଡିବି ଓ ଫିସଫେଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ରହିଥିବା କୃଷି ସମବାୟ ସମିତିଗୁଡିକୁ  ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ  ବହୁମୁଖୀ ସମବାୟ ସମିତିରେ ପରିଣତ କରିବା ଏବଂ ପ୍ରତ୍ୟେକ  ଗ୍ରାମ ପଞ୍ଚାୟତରେ ଯେପରି  ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି  ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର  ମୁଖ୍ୟ ଲକ୍ଷ୍ୟ  ରହିଛି। ଆଦର୍ଶ ଉପନିୟମ ଗ୍ରହଣର ସ୍ଥିତି, ବୃହତ୍ତମ ବିକେନ୍ଦ୍ରୀକୃତ ଶସ୍ୟ ସଂରକ୍ଷଣ ଯୋଜନାର ସ୍ଥିତି, ପ୍ୟାକ୍ସଗୁଡିକର କମ୍ପ୍ୟୁଟରୀକରଣ, ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ଼ କରିବା, ସମବାୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଚିହ୍ନଟ, ଜିଇଏମ୍ ପୋର୍ଟାଲରେ ବୃହତ ସମବାୟ ସମିତିଗୁଡିକ ସାମିଲ ହେବା, ତିନୋଟି ନୂତନ ବହୁ-ରାଜ୍ୟ ସମବାୟ ସମିତି – ଜାତୀୟ ରପ୍ତାନି ସମବାୟ, ଜୈବିକ କୃଷି ପାଇଁ ଜାତୀୟ ସମବାୟ ଏବଂ ଜାତୀୟ ବିହନ ସମବାୟରେ ପ୍ରାଥମିକ, କେନ୍ଦ୍ରୀୟ ଏବଂ ସର୍ବୋଚ୍ଚ ସମବାୟର ସଦସ୍ୟତାକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ଚିନି କଳଗୁଡ଼ିକର  ପୁନରୁଦ୍ଧାର  ସଂପର୍କରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା।

ରହିଥିବା ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ, ନୂତନ ପଞ୍ଜୀକୃତ ପ୍ୟାକ୍ସ/ଲ୍ୟାମ୍ପସଗୁଡିକୁ  କାର‌୍ୟ୍ୟକ୍ଷମ କରିବା, ସମସ୍ତ କ୍ଷେତ୍ରରେ ନୂତନ ସମବାୟ ପାଇଁ କାର‌୍ୟ୍ୟକ୍ଷମ ଢାଞ୍ଚା ପ୍ରସ୍ତୁତ କରିବା, କ୍ଷେତ୍ରସ୍ତରୀୟ ବ୍ୟବଧାନ ବିଶ୍ଳେଷଣ ଆଧାରରେ ସମବାୟ ପାଇଁ ପ୍ରାସଙ୍ଗିକ ବ୍ୟବସାୟିକ କାର‌୍ୟ୍ୟକଳାପ ଚିହ୍ନଟ କରିବା, ସମସ୍ତ ସମବାୟ ବ୍ୟାଙ୍କରେ ଆଧାର ସକ୍ଷମ ଦେୟ ବ୍ୟବସ୍ଥା (ଏଇପିଏସ୍) କାର‌୍ୟ୍ୟକାରୀ କରିବା, ଗୋପାଳପୁର ସମବାୟ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉନ୍ନତିକରଣ, ସମବାୟ ନିବନ୍ଧକ(ଆରସିଏସ୍) କାର‌୍ୟ୍ୟାଳୟର କମ୍ପ୍ୟୁଟରୀକରଣ ଏବଂ ସେସବୁକୁ କ୍ଷେତ୍ର କାର‌୍ୟ୍ୟାଳୟ ସହିତ ସଂଯୋଗ କରିବା ସଂପର୍କରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

ଏସସିଡିସି ମଧ୍ୟ ଜିଲ୍ଲା ସମବାୟ ଉନ୍ନୟନ ସମିତି (ଡିସିଡିସି)ର କାର‌୍ୟ୍ୟ ଯୋଜନା କାର‌୍ୟ୍ୟକାରୀ କରିବାରେ ସମସ୍ତ ପ୍ରକାର ସହଯୋଗ କରିବା ସହ ରାଜ୍ୟରେ ସମବାୟ ସମିତିକୁ ସୁଦୃଢ଼ କରିବା ଦିଗରେ ଏହାର ମୂଲ୍ୟବାନ ପ୍ରସ୍ତାବ ଓ ପରାମର୍ଶ ଉପରେ କାର‌୍ୟ୍ୟ କରିବାକୁ ସୁନିଶ୍ଚିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋମବାର ଝଡବାତ୍ୟା ଓ ପ୍ରବଳ ବର୍ଷା ପରିବେଶ ପରିବର୍ତ୍ତନର କାରଣ: ସିଇସି

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତି କାଲି ଘଟିଥିବା ଝଡବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର୍ର (ସିଇସି) ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି।
ଗତକାଲି ଏହି ଝଡବାତ୍ୟା ଅପରାହ୍ନ ୨ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ପର୍ଯ୍ୟନ୍ତ ଚାଲିଥିଲା ଓ ସହରର ଅନେକ ଅଂଚଳକୁ ଜଳାର୍ଣ୍ଣବ କରି ଦେଇଥିଲା।

ଡକ୍ଟର ସାହୁ କହିଥିଲେ ଯେ, ସିଇସିରେ ଉପଲବ୍ଧ ଓବଜର୍ଭେଟରୀରେ ଏହି ସାଢେ ପାଂଚ ଘଂଟା ସମୟ ମଧ୍ୟରେ ୨୫୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ଅନ୍ୟ ଅଂଚଳରେ ଏହାଠାରୁ ଅଧିକ ବର୍ଷା ହୋଇଥାଇପାରେ ବୋଲି ସେ କହିଥିଲେ।

ଯଦିଓ ପୂର୍ବରୁ ଭୁବନେଶ୍ୱର ସହରରେ ଏକାସଙ୍ଗେ ଏହାଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ରହିଛି ଏହା ୨୪ ଘଂଟା ବା ତା’ଠାରୁ ଅଧିକ ସମୟରେ ରେକର୍ଡ କରାଯାଇଥିଲା।

ଜୁଲାଇ ୩୦, ୧୯୬୯ରେ ୨୮୨.୩ ମିଲିମିଟର , ଜୁନ୍ ୨୨,୧୯୭୧ରେ ୨୭୭.୮ ମିଲିମିଟର ଓ ଅଗଷ୍ଟ ୨୦, ୧୯୯୭ରେ ୨୫୪.୨ମିଲିମିଟର ବର୍ଷା ହୋଇଥିବା ରେକର୍ଡ ରହିଛି ମାତ୍ର ଏହା ଅଧିକ ସମୟରେ ହୋଇଥିଲା ବୋଲି ସେ କହିଥିଲେ।

ଅକ୍ଟୋବର ୩୦, ୧୯୯୯ ଦିନ ମହାବାତ୍ୟା ପ୍ରବାହିତ ହେଉଥିବା ସମୟରେ ଭୁବନେଶ୍ୱରରେ ରେକର୍ଡ ୪୨୬.୪ ମିଲି ମିଟର ବର୍ଷା ହୋଇଥିଲା।

ଡକ୍ଟର ସାହୁ କହିଥିଲେ ଯେ, ଆଜି ଉତର – ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ବଙ୍ଗଳାଦେଶ ମଧ୍ୟରେ ପ୍ରବେଶ କରିବ ଓ ପରବର୍ତୀ ସମୟରେ ଏହା ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବାର ସମ୍ଭାବନା ଅଛି।

ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୋଳ, ଢେଙ୍କାନାଳ ଓ ଦେଓଗଡ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅଗଷ୍ଟ ୨ ଓ୪ ମଧ୍ୟରେ ଦେଓଗଡ, ଅନୁଗୋଳ , ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର , ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଗୁଡିକରେ ମଧ୍ୟ ଭୀଷଣ ବର୍ଷା ହୋଇପାରେ।

ଏହି ବର୍ଷା ଆସନ୍ତା ତିନିଦିନ ଧରି ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡ ଏବଂ ମହାନଦୀର ଉଭୟ ଉପର ଓ ତଳ ମୁଣ୍ଡରେ ହେବାର ସମ୍ଭାବନା ରହିଛି ବୋଲି ଡକ୍ଟର ସାହୁ କହିଛନ୍ତି।

ଏହାଛଡା ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଉପର ମୁଣ୍ଡରେ ବର୍ଷାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରରେ ଜିଇଏମ ସମ୍ମିଳନୀ ଆୟୋଜିତ: ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ଭୁବନେଶ୍ୱର ଠାରେ ସରକାରୀ ଇ ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସିଂ, ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଚିକିତ୍ସା ନିଗମ ଲିଃର ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓଡ଼ିଶା ପୁଲିସ ମହାନିରୀକ୍ଷକ (ବ୍ୟବସ୍ଥା) ୱାଇ କୋୟଲ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏଥିସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ଦକ୍ଷତା ବିକାଶ ବିଭାଗ, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିଗଣ ଉପସ୍ଥିତ ଥିଲେ।

ଉତ୍କଳ ଚାମ୍ବର ଅଫ୍‌ କମର୍ସର ସଚିବ, ଡବ୍ଲୁଟିସିର ପ୍ରତିନିଧି, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘର ମହାସଚିବ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓଏସଏସଆଇଏ)ର ସଭାପତିଙ୍କ ଉପସ୍ଥିତିରେ ଜିଇଏମ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଦ୍ୱାରା ଘରୋଇ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ସହିତ ଓଡ଼ିଶାରେ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ଯେ, ଜିଇଏମ ପୋର୍ଟାଲ ସ୍ୱଚ୍ଛତା, ଦକ୍ଷତା ଓ ସମାବେଶିତା ସୁନିଶ୍ଚିତ କରୁଛି। ବିକ୍ରେତା ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକରୁ ଅଧିକ ସରଳ କରିବା ପାଇଁ ପ୍ରୟାସ କରାଯାଇଛି। ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କ ସଫଳତାକୁ ସେ ପ୍ରଶଂସା କରିଥିଲେ ଏବଂ ଜିଇଏମକୁ ଏକ ପସନ୍ଦଯୋଗ୍ୟ ସରକାରୀ କ୍ରୟ ପୋର୍ଟାଲରେ ପରିଣତ କରିବା ଲାଗି ଅର୍ଥ ବିଭାଗ, ଏମଏସଏମଇ ବିଭାଗ ଏବଂ ଅନ୍ୟ ରାଜ୍ୟ ସରକାରୀ ବିଭାଗର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।

ଏମଏସଏମଇ ସଚିବ ଶାଶ୍ୱତ ଯୋଶୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଇଏମ ପୋର୍ଟାଲ ଜରିଆରେ ଓଡ଼ିଶା ସରକାର, କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ଠାରୁ ଓଡ଼ିଶାରୁ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ମିଳୁଥିବା ବ୍ୟବସାୟିକ ସୁଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିବା ଏବଂ ଏଥିରେ ପ୍ରକାଶ ପାଉଥିବା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ସେ ଓଡ଼ିଶାରେ କାରବାର କରୁଥିବା ବିକ୍ରେତା ଓ ସେବା ପ୍ରଦାନକାରୀଙ୍କୁ ଆହ୍ୱାନ କରିଥିଲେ। ସରକାରୀ କ୍ରୟ ପ୍ରକ୍ରିୟା ପାଇଁ ସମ୍ପୂର୍ଣ୍ଣ ଅନଲାଇନ କ୍ରୟ ସମାଧାନ ଯୋଗାଇ ଦେବା, ବ୍ୟବସ୍ଥାକୁ ସରଳ କରିବା ଓ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ଜିଇଏମର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଜିଇଏମ ପୋର୍ଟାଲ ପ୍ରତି ନିରନ୍ତର ସମର୍ଥନ ପାଇଁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ବିଭାଗ (ଏନଏଚଏମ ଏବଂ ଓଏସଏମସିଏଲ), ଓଡ଼ିଶା ପୁଲିସ, ଇଲେକ୍ଟ୍ରୋନିକ୍ସ ଓ ଆଇଟି (ଓକାକ୍‌) ଏବଂ ଦକ୍ଷତା ବିକାଶ ବିଭାଗକୁ ଜିଇଏମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଧିକ ଅର୍ଡର ମୂଲ୍ୟ, ଏସସି/ଏସଟି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ ଓ ମହିଳା ଉଦ୍ୟୋଗୀଙ୍କ ଭଳି ବିଭିନ୍ନ ବର୍ଗରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସମ୍ମାନିତ କରାଯାଇଥିଲା।

ସମ୍ମିଳନୀ ଅବସରରେ ଶତାଧିକ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମାଗଣାରେ ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିଥିଲେ। ଓଡ଼ିଶାରେ ଜିଇଏମ ପାଇଁ ବ୍ୟବସାୟ ସୁବିଧା ପ୍ରଦାନକାରୀ ସୁଧାଂଶୁ ପ୍ରଧାନ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରଶିକ୍ଷଣ ଦେଇଥିଲେ। ଜିଇଏମ ପୋର୍ଟାଲରେ କିପରି ସେମାନଙ୍କ ସାମଗ୍ରୀ ଓ ସେବା ବିକ୍ରି କରାଯାଇପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ।

ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ କ୍ରୟ ପ୍ରକ୍ରିୟାରେ ସେମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଦିଗରେ ଭୁବନେଶ୍ୱରରେ ଆୟୋଜିତ ଜିଇଏମ ସମ୍ମିଳନୀ ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ “ପ୍ରତିଭୂତି ବଜାର: ‘ଆହ୍ୱାନ, ସୁଯୋଗ ଏବଂ ସମ୍ଭାବନା’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତର ବିତ୍ତୀୟ ବଜାର ସମ୍ପର୍କରେ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଭୁବନେଶ୍ୱରଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ହୋଲ୍ ଟାଇମ ମେମ୍ବର ଅଶ୍ୱନୀ ଭାଟିଆ ଯୋଗଦେଇ ଭାରତୀୟ ସିକ୍ୟୁରିଟିଜ୍ ମାର୍କେଟ ବା ପ୍ରତିଭୂତି ବଜାରରେ ଅଧିକରୁ ଅଧିକ ଲୋକ କିପରି ନିବେଶ କରିବାକୁ ଆଗେଇ ଆସିବେ ତା’ ଉପରେ ଗୁରୁତ୍ୱ ଦେଇଥିଲେ।

ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଶନିବାର ଦିନ ଅଭ୍ୟୁଥାନ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ “ପ୍ରତିଭୂତି ବଜାର: ଆହ୍ୱାନ, ସୁଯୋଗ ଏବଂ ସମ୍ଭାବନା’ ବିଷୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା।

“ଭାରତୀୟ ଅର୍ଥନୀତି ପାଇଁ ଏବେ ଭଲ ଦିନ ଆସିଛି। ଲୋକମାନେ ସୁବିଧାରେ ବ୍ୟାଙ୍କ ସେବା ପାଉଥିବାରୁ ଆଗ ଅପେକ୍ଷା କାରବାର ବଢ଼ିଛି। ତେବେ ସଞ୍ଚୟ ଏବଂ ନିବେଶ ଉପରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ଲୋକମାନେ ପ୍ରତିଭୂତି ବଜାର, ମ୍ୟୁଚୁଆଲ ଫଣ୍ଡ, ସୁନା ଅଳଙ୍କାର ଓ ଜମିଜମା ଆଦିରେ ଦୀର୍ଘସ୍ଥାୟୀ ନିବେଶ କରିପାରିବେ। ଏଥିରୁ ଲୋକମାନେ କିପରି ସୁଫଳ ପାଇ ପାରିବେ ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି”, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ସେବିର ହୋଲ୍ ଟାଇମ୍ ମେମ୍ବର ଅଶ୍ୱନୀ ଭାଟିଆ।

ସେ ଆହୁରି କହିଛନ୍ତି ଯେ, ବିଶ୍ୱର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଥିବା ରାଷ୍ଟ୍ର ଭିତରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ବର୍ତ୍ତମାନ ଜାପାନ ଏବଂ ଜର୍ମାନୀ ଅପେକ୍ଷା ଭାରତର ଅଭିବୃଦ୍ଧି ହାର ଭଲ। ଭାରତ ସରକାର, ରିଜର୍ଭ ବ୍ୟାଙ୍କ ଏବଂ ସେବି ଏ ଦିଗରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତାହା ଜାଣିବା ଲାଗି ଭାରତ ଉପରେ ସାରା ବିଶ୍ୱର ନଜର ରହିଛି। ଏଭଳି ଧାରା ଜାରି ରହିଲେ ଆଗାମୀ ୪ ବର୍ଷ ଭିତରେ ଭାରତ ବିଶ୍ୱର ତୃତୀୟ ପ୍ରମୁଖ ଅର୍ଥନୀତିକ ଅଭିବୃଦ୍ଧି ରାଷ୍ଟ୍ର ଭିତରେ ରହି ପାରିବ।

ଏହି କାର୍ଯ୍ୟକ୍ରମରେ “ସେବି’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ପି ଗର୍ଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି, “ଲୋକମାନେ ପ୍ରଥମେ ସଞ୍ଚୟ କରନ୍ତୁ ଏବଂ ପରେ ଭାବି ଚିନ୍ତି ନିବେଶ କରନ୍ତୁ। ଅଧିକରୁ ଅଧିକ ନିବେଶ ହେଲେ ଭାରତର ସାମଗ୍ରିକ ବିକାଶ ହୋଇପାରିବ। ନୂଆ ନୂଆ ସଂସ୍ଥା ଖୋଲିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ।”

ଭାରତୀୟ ବିତ୍ତୀୟ ବଜାରକୁ ବୁଝି ନିବେଶ କରିବାକୁ ଆଗେଇ ଆସିବା ଲାଗି ସେ ଏହି ଅବସରରେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି କରାଯାଇ ପ୍ରତିଭୂତି ବଜାର ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ସି ଏସ୍ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଲୋକଙ୍କ ଭିତରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାଇଥିବାରୁ ବ୍ୟାଙ୍କ କାରବାର ଆଗ ଅପେକ୍ଷା ବଢ଼ିଥିବା ସେ କହିଥିଲେ। ବର୍ତ୍ତମାନ ଦେଖାଦେଉଥିବା ସାଇବର ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ତତ୍ପର ଥିବା କହିଥିଲେ।

ସ୍ୱତନ୍ତ୍ର ଅତିଥି ଭାବେ ଭୁବନେଶ୍ୱର ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ଡି ଭି ରମଣା ଯୋଗ ଦେଇଥିଲେ। ସେ ସୁରକ୍ଷିତ ନିବେଶ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ତେଣୁ କୌଣସି ନିବେଶ କରିବା ପୂର୍ବରୁ ଲୋକମାନେ ପ୍ରଥମେ ସେ ବିଷୟରେ ଭଲ ଭାବେ ଜାଣିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପ୍ରତିଭୂତି ବଜାର ଉପରେ ଲେଖାଯାଇଥିବା ବିଭିନ୍ନ ପ୍ରବନ୍ଧକୁ ନେଇ “ସିଲେକ୍ଟ ଏସେଜ୍ ଅନ୍ ସିକ୍ୟୁରିଟିଜ୍ ମାର୍କେଟ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅଭ୍ୟୁଥାନ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ମ୍ୟାନେଜିଂ ଟ୍ରଷ୍ଟି ଦାଶରଥି ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ଉପାଧ୍ୟକ୍ଷ ଏସ୍ ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ମହାପ୍ରବନ୍ଧକ ସୁରେଶ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି ଆଲୋଚନାଚକ୍ରରେ ବିଭିନ୍ନ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବ୍ୟାଙ୍କ ଓ ନିବେଶ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍‌ ଲାଇଟ୍‌ ହାଉସ୍‌’’ ପାଇଁ ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଦଶବାଟିଆ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍‌ ଲାଇଟ୍‌ ହାଉସ’’ ବା ଦୈବିକ ଆଲୋକ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ସେମିନାର ଓ ସମ୍ମିଳନୀ ଆୟୋଜନ କରିବା ଲାଗି ଚଳିତ ବର୍ଷର ବିଷୟବସ୍ତୁ ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।

ରାଷ୍ଟ୍ରପତି କାର୍ଯ୍ୟକ୍ରମ ଅବସରରେ ଉଦବୋଧନ ଦେଇ କହିଥିଲେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ ବରଂ ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ। ମାନବ ଜଗତ ପାଇଁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ବିକାଶ ଜରୁରୀ। ସେ ଆହୁରି କହିଥିଲେ ଯେ, ପ୍ରଯୁକ୍ତି ପରିବର୍ତ୍ତନର ବାହକ ଏବଂ ସେହି ପରିବର୍ତ୍ତନକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ବିକାଶ ପାଇଁ ଏହା ଜରୁରୀ। ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭୌତିକ ପରିବର୍ତ୍ତନ ଆମକୁ ଖୁସି ଦେଇପାରେ କିନ୍ତୁ ଆଧ୍ୟାତ୍ମିକ ମାର୍ଗରେ ଚାଲିଲେ ମାନସିକ ଶାନ୍ତି ମିଳିଥାଏ। ଧ୍ୟାନ ଏବଂ ଏକ ଶୃଙ୍ଖଳିତ ଜୀବନଶୈଳୀ ଜରିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଧ୍ୟତ୍ମିକତାର ମାର୍ଗ ଦେଖାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ବିଭିନ୍ନ ସମୟରେ ଅନେକ ନକାରାତ୍ମକ ଚିନ୍ତାଧାରା ଆମ ମାନସିକତାକୁ ପ୍ରଭାବିତ କରିଥାଏ। କିନ୍ତୁ ଆତ୍ମସମୀକ୍ଷା ନକରିବା କାରଣରୁ, ଆମେ ନକାରାତ୍ମକ ବିଚାରର ଶିକାର ହୋଇଥାଉ ବୋଲି ସେ କହିଥିଲେ। ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ, ଆମ ଭିତରେ ଈର୍ଷା ଓ ଘୃଣା ଭାବନା ବଢ଼ିଚାଲିଛି। ‘‘ଆଜି ଆମ ଆଗରେ ସବୁଠୁ ବଡ଼ ଆହ୍ୱାନ ହେଉଛି, ନକାରାତ୍ମକ ଚିନ୍ତାଧାରାର ମୁକାବିଲା କରିବା ଏବଂ ସକାରାତ୍ମକତା ଦିଗରେ ଅଗ୍ରସର ହେବା,’’ ରାଷ୍ଟ୍ରପତି କହିଥିଲେ। ମାନବ ଜାତିକୁ ସଚେତନ କରିବା ଏବଂ ସକାରାତ୍ମକ ଦିଗରେ ଅଗ୍ରସର ହେବା ଲାଗି ଲୋକମାନଙ୍କୁ ସହାୟତା କରିବା ଲାଗି ସେ ବ୍ରହ୍ମାକୁମାରୀ ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ରୋଜଗାର ମେଳାରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆମ ଦେଶକୁ ଦୁନିଆର ୧ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ। ଏଥିପାଇଁ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ମନ ଭିତରେ ରଖିବା ପାଇଁ ପଡିବ। ତାହା ହେଲା “ମୁଁ ଯାହା କରୁଛି, ସମାଜ, ଦେଶ ଏବଂ ମାନବତା ପାଇଁ କରୁଛି” ଏବଂ ଅନ୍ୟଟି ହେଲା “ଆମକୁ ଖୋଲା ମନରେ ନିଷ୍ପତି ନେବାକୁ ହେବ”। ଏହି ଦୁଇଟି ମନୋଭାବ ରଖିଲେ ହିଁ ଆଗାମୀ ଦିନରେ ବିକଶିତ ଭାରତର ସଂକଳ୍ପ ପୂରଣ ହୋଇପାରିବ ବୋଲି ନବନିଯୁକ୍ତ ରୋଜଗାର ପାଇଥିବା ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ସପ୍ତମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଭାରତ ସରକାରଙ୍କ ସିବିଆଇସି, ନାଲକୋ, ସେଲ୍, ଡାକ ବିଭାଗ, ଆଇଆଇଟି ଭୁବନେଶ୍ୱର, ବ୍ୟାଙ୍କ ସମୂହ, ଭାରତୀୟ ରେଳ, ଭାରତୀୟ ଖାଦ୍ୟ ନିଗମ ତଥା ବିଭିନ୍ନ ବିଭାଗରେ ୧୮୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଥିବା ସମସ୍ତ ଯୁବସାଥୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅଭିବୃଦ୍ଧି ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତ ବିଶ୍ୱର ତୃତୀୟ ଉର୍ଜା ଉପଭୋକ୍ତାର ରାଷ୍ଟ୍ର ହୋଇଛି। ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ବିଶ୍ୱର ପଞ୍ଚମ ଅର୍ଥନୀତିର ରାଷ୍ଟ୍ର ଭାବେ ପରିଚିତ ହୋଇଛି। ଦେଶରେ ବିଗତ ବର୍ଷ ମାନଙ୍କରେ ଡିଜିଟାଲ ଅର୍ଥ କାରବାର, ଟେଲି ଯୋଗାଯୋଗ, ବ୍ୟାଙ୍କ୍, ଡାକ ବିଭାଗ, ଭାରତୀୟ ରେଳ ବିଭାଗ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ ଉଚ୍ଚତାକୁ ଯାଉଛି।

ଆଗାମୀ ୨୫ ବର୍ଷର କଳ୍ପନା ଆମ ପାଖରେ ଅଛି । ପ୍ରଧାନମନ୍ତ୍ରୀ ମୋଦି ନବନିଯୁକ୍ତ ରୋଜଗାର ପାଉଥିବା ଯୁବପିଢିଙ୍କୁ ଅମୃତ ପିଢିର ବିକଶିତ ଭାରତର ଜଣେ ଜଣେ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି। ଆଧୁନିକ ଦୁନିଆରୁ ସମସ୍ତଙ୍କୁ ଇଜ୍ ଅଫ୍ ଲିଭିଂରେ ଅଭ୍ୟସ୍ତ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେଣୁ ଭାରତକୁ ଆଗକୁ ନେବାକୁ ହେଲେ ଯୋଜନା ବନାଇବାକୁ ପଡିବ। ଗବେଷଣା ସହ ନବସୃଜନ କରିବାକୁ ପଡିବ। ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ବା ଏଆଇ ଏବଂ ହ୍ୟୁମାନ ଇଣ୍ଟେଲିଜେନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନୂତନ ପୃଥିବୀରେ ଭାରତକୁ ନୂଆ ଶିଖରରୁ ନେବା ପାଇଁ ନୂଆ ଆଇଡିଆ ମାଧ୍ୟମରେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରର ମା’ ଶିଖରଚଣ୍ଡୀ ପାହାଡ଼ରେ ପାଣିଟାଙ୍କି କରାଇ ଦିଆଯିବ ନାହିଁ ବୋଲି ଚେତାବନୀ

ଭୁବନେଶ୍ୱର: ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଆଜି ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଆବାହକ ସଚିନ ମହାପାତ୍ର, ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଢେଙ୍ଗ ସରପଞ୍ଚ ଶ୍ରୀ ତପନ କୁମାର ଚକ୍ରବର୍ତ୍ତୀ କହିଲେ ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷର ସଂସ୍ଥାନଙ୍କ ଦ୍ୱାରା ଗବେଷଣାରୁ ଭୁବନେଶ୍ୱର ଶିଖରଚଣ୍ଡୀଙ୍କ ସମ୍ପର୍କରେ ଜଣାପଡ଼ିଛି ଯେ, ଏହି ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ଓ ମା’ ମହିଷା ମର୍ଦ୍ଦିନୀଙ୍କ ମୂର୍ତ୍ତି ସପ୍ତମ ଶତାବ୍ଦୀର ଯାହାକି ୧୦୬୬-୬୭ ମସିହାର ବୋଲି ରିଭ୍ୟୁ ନିବନ୍ଧରେ ପ୍ରକାଶିତ ହୋଇଛି।

ଏହି ମହିଷାମର୍ଦ୍ଦିନୀ ମୂର୍ତ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ମା’ ଶିଖରଚଣ୍ଡୀ ନାମରେ ପୂଜା ପାଉଛନ୍ତି। ଓଡ଼ିଶାର ଶୈଳଭବ ରାଜବଂଶ ଓ ଭୌମିକର ରାଜବଂଶର ଇଷ୍ଟଦେବୀ ହେଉଛନ୍ତି ମା’ ଶିଖରଚଣ୍ଡୀ। ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ ପାହାଡ଼ ହେଉଛି ବଣ୍ୟପ୍ରାଣୀ ମାନଙ୍କର ଚରାଭୂମି ଓ ଏହା ଏକ ଐତିହାସିକ ପୀଠସ୍ଥଳୀ। ଏଠି ପାଇକମାନେ ମା’ ଶିଖରଚଣ୍ଡୀଙ୍କ ଆଶୀର୍ବାଦ ନେଇ ବ୍ରିଟିଶମାନଙ୍କ ବିରୋଧରେ ସମର ଅଭ୍ୟାସ ସହ ଗରିଲା ଯୁଦ୍ଧ କରିଥିଲେ ଯାହା ଓଡ଼ିଶା ଇତିହାସରେ ଖୋର୍ଦ୍ଧା ଦର୍ପଣ ପୁସ୍ତକରେ ଲେଖାଅଛି। ବାସ୍ତବରେ ଏହା ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଇତିହାସର ମୁକସାକ୍ଷୀ, ଜୈବ ବିବିଧତାର ପ୍ରାଣକେନ୍ଦ୍ର ଓ ଭୁବନେଶ୍ୱରର ଫୁସ୍‌ଫୁସ୍। ତେଣୁ ଏହି ଶିଖରଚଣ୍ଡୀ ପାହାଡ଼କୁ ନଷ୍ଟ କରି ଏଠାରୁ ବୃକ୍ଷରାଜି କାଟି କୌଣସି ପରିସ୍ଥିତିରେ ପାଣିଟାଙ୍କି କରାଇ ଦିଆଯିବ ନାହିଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଚେତାବନୀ ଦେଇଛନ୍ତି।

ସେମାନେ ଦର୍ଶାଇଛନ୍ତି ଯେ, ଗ୍ରୀନ ଟ୍ରିବୁନାଲରେ ଏହା ବିଚାରଧୀନ ଥିବାବେଳେ ଜଣେ ତେଲୁଗୁ ଠିକାଦାର  ଟ୍ରିବୁନାଲର ଆଦେଶକୁ ଅବମାନନା କରି ବର୍ତ୍ତମାନ ସୁଦ୍ଧା ପାହାଡକୁ ନଷ୍ଟ କରିବା ସହ ଗଛଲତା କାଟି ଏହା ଉପରେ ପାଣିଟାଙ୍କି ନିର୍ମାଣ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି। ତେଣୁ ଏଥିପାଇଁ ମଧ୍ୟ ହାଇକୋର୍ଟ ତଥା ଗ୍ରୀନ ଟ୍ରିବୁନାଲର ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ଏହି ସ୍ଥାନରୁ କଟା ଯାଇଥିବା ଗଛର ପରିପୂରଣ ପାଇଁ ଆଗାମୀ ୨୨ ତାରିଖ ସକାଳ ୧୦ ଘଟିକା ସମୟରେ ଏଠାରେ ଏକ ସମୂହ ବୃକ୍ଷରୋପଣ କରାଯିବା ସହ ଏକ ସହୀଦ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସେମାନେ କହିଛନ୍ତି।

ଏହି କାର୍ଯ୍ୟରେ ଦଳମତ ନିର୍ବିଶେଷରେ, ଛାତ୍ର, ଯୁବକ, ମହିଳା, ପରିବେଶପ୍ରେମୀ, ସମାଜସେବୀ, ଶିକ୍ଷାବିତ୍‌, ମାଟିମା’ ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୁନା ଜେନା, ଅଞ୍ଜନ କୁମାର ଜେନା, ଲକ୍ଷ୍ମୀଧର ପାତ୍ର, ବାବୁ ରାଉତ, ଅଜିତ ଶ୍ରୀଚନ୍ଦନ, ରାକେଶ ପଟ୍ଟନାୟକ, ପ୍ରଦୀପ ଜେନା, ଅଭୟ କୁମାର ବଡ଼ଜେନା, ସମରେଶ ପାଇକରାୟ, ପ୍ରଦୀପ ବଡ଼ଜେନା ପ୍ରମୁଖ ଶିଖରଚଣ୍ଡୀ ସୁରକ୍ଷା ସମିତିର ବହୁ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ସାମିଲ୍ ହେବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି। ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭେଟିଥିଲେ। ସେ କହିଛନ୍ତି ଆଜି ମୋ ପାଇଁ ଏକ ସ୍ମରଣିୟ ଦିନ। ଶିକ୍ଷାନୁଷ୍ଠାନର ଅନୁକୂଳଯୁକ୍ତ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଖୁବ ପ୍ରଶଂସନୀୟ। ଆଜି ଏହି ଶିକ୍ଷାନୁଷ୍ଠାନକୁ ଆସି ଦିବ୍ୟାଙ୍ଗ ମାନଙ୍କୁ ଭେଟି ଭଗବାନଙ୍କୁ ପୂଜା କରିବା ଠାରୁ ଅଧିକ ସୌଭାଗ୍ୟ ମିଳିଲା।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହେଉଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ୟୁଜିସି ବିଶେଷ ବର୍ଗରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ମାନ୍ୟତା ପ୍ରଦାନ କରାଯିବା ଖୁସିର ବିଷୟ। ଏଣିକି ଏହି ଅନୁଷ୍ଠାନର ନିଜସ୍ୱ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ସହ ସାର୍ଟିଫଫିକେଟ୍ ପ୍ରଦାନ କରାଯିବ। ଏହି ଅନୁଷ୍ଠାନ ସହ ମେଧାବୀ ଓଡ଼ିଆ ପିଲାମାନେ ଯୋଡି ହେଉଛନ୍ତି। ଏହାର ଅର୍ଥ ଏହି ପାଠ୍ୟକ୍ରମ ପ୍ରତି ପିଲା ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଅଛି। ଦିବ୍ୟାଙ୍ଗଙ୍କ ପାଠପଢାକୁ ସୁଗମ କରିବା ସହ ସମାଜରେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ। ଦୀର୍ଘ ୨୫ ବର୍ଷ ଧରି ଦିବ୍ୟାଙ୍ଗ ମାନଙ୍କୁ ପାଠ ପଢାଇବା ସହ ମଣିଷ ତିଆରି କାମରେ ଲାଗିଥିବା ଏହି ଅନୁଷ୍ଠାନକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି। ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି। ବିଶେଷ ଭାବରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ହେବା ପରେ ଏହା ଉପରେ ଧ୍ୟାନ ଦେବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି। ଏହି ଅନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବ୍ୟତିତ ସମ୍ମାନର ସହ କୁଶଳୀ କରି ସେମାନଙ୍କୁ ରୋଜଗାର ବ୍ୟବସ୍ଥା ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯିବ। ଶିକ୍ଷକଙ୍କୁ ପ୍ରଶିକ୍ଷଣ ସହ ଭିତ୍ତିଭୂମିର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ। ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।