Categories
ଆଜିର ଖବର ରାଜ୍ୟ ଖବର

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍‌ ଲାଇଟ୍‌ ହାଉସ୍‌’’ ପାଇଁ ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଦଶବାଟିଆ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍‌ ଲାଇଟ୍‌ ହାଉସ’’ ବା ଦୈବିକ ଆଲୋକ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ସେମିନାର ଓ ସମ୍ମିଳନୀ ଆୟୋଜନ କରିବା ଲାଗି ଚଳିତ ବର୍ଷର ବିଷୟବସ୍ତୁ ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।

ରାଷ୍ଟ୍ରପତି କାର୍ଯ୍ୟକ୍ରମ ଅବସରରେ ଉଦବୋଧନ ଦେଇ କହିଥିଲେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ ବରଂ ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ। ମାନବ ଜଗତ ପାଇଁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ବିକାଶ ଜରୁରୀ। ସେ ଆହୁରି କହିଥିଲେ ଯେ, ପ୍ରଯୁକ୍ତି ପରିବର୍ତ୍ତନର ବାହକ ଏବଂ ସେହି ପରିବର୍ତ୍ତନକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ବିକାଶ ପାଇଁ ଏହା ଜରୁରୀ। ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭୌତିକ ପରିବର୍ତ୍ତନ ଆମକୁ ଖୁସି ଦେଇପାରେ କିନ୍ତୁ ଆଧ୍ୟାତ୍ମିକ ମାର୍ଗରେ ଚାଲିଲେ ମାନସିକ ଶାନ୍ତି ମିଳିଥାଏ। ଧ୍ୟାନ ଏବଂ ଏକ ଶୃଙ୍ଖଳିତ ଜୀବନଶୈଳୀ ଜରିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଧ୍ୟତ୍ମିକତାର ମାର୍ଗ ଦେଖାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ବିଭିନ୍ନ ସମୟରେ ଅନେକ ନକାରାତ୍ମକ ଚିନ୍ତାଧାରା ଆମ ମାନସିକତାକୁ ପ୍ରଭାବିତ କରିଥାଏ। କିନ୍ତୁ ଆତ୍ମସମୀକ୍ଷା ନକରିବା କାରଣରୁ, ଆମେ ନକାରାତ୍ମକ ବିଚାରର ଶିକାର ହୋଇଥାଉ ବୋଲି ସେ କହିଥିଲେ। ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ, ଆମ ଭିତରେ ଈର୍ଷା ଓ ଘୃଣା ଭାବନା ବଢ଼ିଚାଲିଛି। ‘‘ଆଜି ଆମ ଆଗରେ ସବୁଠୁ ବଡ଼ ଆହ୍ୱାନ ହେଉଛି, ନକାରାତ୍ମକ ଚିନ୍ତାଧାରାର ମୁକାବିଲା କରିବା ଏବଂ ସକାରାତ୍ମକତା ଦିଗରେ ଅଗ୍ରସର ହେବା,’’ ରାଷ୍ଟ୍ରପତି କହିଥିଲେ। ମାନବ ଜାତିକୁ ସଚେତନ କରିବା ଏବଂ ସକାରାତ୍ମକ ଦିଗରେ ଅଗ୍ରସର ହେବା ଲାଗି ଲୋକମାନଙ୍କୁ ସହାୟତା କରିବା ଲାଗି ସେ ବ୍ରହ୍ମାକୁମାରୀ ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ରୋଜଗାର ମେଳାରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆମ ଦେଶକୁ ଦୁନିଆର ୧ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ। ଏଥିପାଇଁ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ମନ ଭିତରେ ରଖିବା ପାଇଁ ପଡିବ। ତାହା ହେଲା “ମୁଁ ଯାହା କରୁଛି, ସମାଜ, ଦେଶ ଏବଂ ମାନବତା ପାଇଁ କରୁଛି” ଏବଂ ଅନ୍ୟଟି ହେଲା “ଆମକୁ ଖୋଲା ମନରେ ନିଷ୍ପତି ନେବାକୁ ହେବ”। ଏହି ଦୁଇଟି ମନୋଭାବ ରଖିଲେ ହିଁ ଆଗାମୀ ଦିନରେ ବିକଶିତ ଭାରତର ସଂକଳ୍ପ ପୂରଣ ହୋଇପାରିବ ବୋଲି ନବନିଯୁକ୍ତ ରୋଜଗାର ପାଇଥିବା ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ସପ୍ତମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଭାରତ ସରକାରଙ୍କ ସିବିଆଇସି, ନାଲକୋ, ସେଲ୍, ଡାକ ବିଭାଗ, ଆଇଆଇଟି ଭୁବନେଶ୍ୱର, ବ୍ୟାଙ୍କ ସମୂହ, ଭାରତୀୟ ରେଳ, ଭାରତୀୟ ଖାଦ୍ୟ ନିଗମ ତଥା ବିଭିନ୍ନ ବିଭାଗରେ ୧୮୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଥିବା ସମସ୍ତ ଯୁବସାଥୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅଭିବୃଦ୍ଧି ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତ ବିଶ୍ୱର ତୃତୀୟ ଉର୍ଜା ଉପଭୋକ୍ତାର ରାଷ୍ଟ୍ର ହୋଇଛି। ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ବିଶ୍ୱର ପଞ୍ଚମ ଅର୍ଥନୀତିର ରାଷ୍ଟ୍ର ଭାବେ ପରିଚିତ ହୋଇଛି। ଦେଶରେ ବିଗତ ବର୍ଷ ମାନଙ୍କରେ ଡିଜିଟାଲ ଅର୍ଥ କାରବାର, ଟେଲି ଯୋଗାଯୋଗ, ବ୍ୟାଙ୍କ୍, ଡାକ ବିଭାଗ, ଭାରତୀୟ ରେଳ ବିଭାଗ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ ଉଚ୍ଚତାକୁ ଯାଉଛି।

ଆଗାମୀ ୨୫ ବର୍ଷର କଳ୍ପନା ଆମ ପାଖରେ ଅଛି । ପ୍ରଧାନମନ୍ତ୍ରୀ ମୋଦି ନବନିଯୁକ୍ତ ରୋଜଗାର ପାଉଥିବା ଯୁବପିଢିଙ୍କୁ ଅମୃତ ପିଢିର ବିକଶିତ ଭାରତର ଜଣେ ଜଣେ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି। ଆଧୁନିକ ଦୁନିଆରୁ ସମସ୍ତଙ୍କୁ ଇଜ୍ ଅଫ୍ ଲିଭିଂରେ ଅଭ୍ୟସ୍ତ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେଣୁ ଭାରତକୁ ଆଗକୁ ନେବାକୁ ହେଲେ ଯୋଜନା ବନାଇବାକୁ ପଡିବ। ଗବେଷଣା ସହ ନବସୃଜନ କରିବାକୁ ପଡିବ। ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ବା ଏଆଇ ଏବଂ ହ୍ୟୁମାନ ଇଣ୍ଟେଲିଜେନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନୂତନ ପୃଥିବୀରେ ଭାରତକୁ ନୂଆ ଶିଖରରୁ ନେବା ପାଇଁ ନୂଆ ଆଇଡିଆ ମାଧ୍ୟମରେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରର ମା’ ଶିଖରଚଣ୍ଡୀ ପାହାଡ଼ରେ ପାଣିଟାଙ୍କି କରାଇ ଦିଆଯିବ ନାହିଁ ବୋଲି ଚେତାବନୀ

ଭୁବନେଶ୍ୱର: ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଆଜି ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଆବାହକ ସଚିନ ମହାପାତ୍ର, ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଢେଙ୍ଗ ସରପଞ୍ଚ ଶ୍ରୀ ତପନ କୁମାର ଚକ୍ରବର୍ତ୍ତୀ କହିଲେ ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷର ସଂସ୍ଥାନଙ୍କ ଦ୍ୱାରା ଗବେଷଣାରୁ ଭୁବନେଶ୍ୱର ଶିଖରଚଣ୍ଡୀଙ୍କ ସମ୍ପର୍କରେ ଜଣାପଡ଼ିଛି ଯେ, ଏହି ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ଓ ମା’ ମହିଷା ମର୍ଦ୍ଦିନୀଙ୍କ ମୂର୍ତ୍ତି ସପ୍ତମ ଶତାବ୍ଦୀର ଯାହାକି ୧୦୬୬-୬୭ ମସିହାର ବୋଲି ରିଭ୍ୟୁ ନିବନ୍ଧରେ ପ୍ରକାଶିତ ହୋଇଛି।

ଏହି ମହିଷାମର୍ଦ୍ଦିନୀ ମୂର୍ତ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ମା’ ଶିଖରଚଣ୍ଡୀ ନାମରେ ପୂଜା ପାଉଛନ୍ତି। ଓଡ଼ିଶାର ଶୈଳଭବ ରାଜବଂଶ ଓ ଭୌମିକର ରାଜବଂଶର ଇଷ୍ଟଦେବୀ ହେଉଛନ୍ତି ମା’ ଶିଖରଚଣ୍ଡୀ। ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ ପାହାଡ଼ ହେଉଛି ବଣ୍ୟପ୍ରାଣୀ ମାନଙ୍କର ଚରାଭୂମି ଓ ଏହା ଏକ ଐତିହାସିକ ପୀଠସ୍ଥଳୀ। ଏଠି ପାଇକମାନେ ମା’ ଶିଖରଚଣ୍ଡୀଙ୍କ ଆଶୀର୍ବାଦ ନେଇ ବ୍ରିଟିଶମାନଙ୍କ ବିରୋଧରେ ସମର ଅଭ୍ୟାସ ସହ ଗରିଲା ଯୁଦ୍ଧ କରିଥିଲେ ଯାହା ଓଡ଼ିଶା ଇତିହାସରେ ଖୋର୍ଦ୍ଧା ଦର୍ପଣ ପୁସ୍ତକରେ ଲେଖାଅଛି। ବାସ୍ତବରେ ଏହା ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଇତିହାସର ମୁକସାକ୍ଷୀ, ଜୈବ ବିବିଧତାର ପ୍ରାଣକେନ୍ଦ୍ର ଓ ଭୁବନେଶ୍ୱରର ଫୁସ୍‌ଫୁସ୍। ତେଣୁ ଏହି ଶିଖରଚଣ୍ଡୀ ପାହାଡ଼କୁ ନଷ୍ଟ କରି ଏଠାରୁ ବୃକ୍ଷରାଜି କାଟି କୌଣସି ପରିସ୍ଥିତିରେ ପାଣିଟାଙ୍କି କରାଇ ଦିଆଯିବ ନାହିଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଚେତାବନୀ ଦେଇଛନ୍ତି।

ସେମାନେ ଦର୍ଶାଇଛନ୍ତି ଯେ, ଗ୍ରୀନ ଟ୍ରିବୁନାଲରେ ଏହା ବିଚାରଧୀନ ଥିବାବେଳେ ଜଣେ ତେଲୁଗୁ ଠିକାଦାର  ଟ୍ରିବୁନାଲର ଆଦେଶକୁ ଅବମାନନା କରି ବର୍ତ୍ତମାନ ସୁଦ୍ଧା ପାହାଡକୁ ନଷ୍ଟ କରିବା ସହ ଗଛଲତା କାଟି ଏହା ଉପରେ ପାଣିଟାଙ୍କି ନିର୍ମାଣ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି। ତେଣୁ ଏଥିପାଇଁ ମଧ୍ୟ ହାଇକୋର୍ଟ ତଥା ଗ୍ରୀନ ଟ୍ରିବୁନାଲର ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ଏହି ସ୍ଥାନରୁ କଟା ଯାଇଥିବା ଗଛର ପରିପୂରଣ ପାଇଁ ଆଗାମୀ ୨୨ ତାରିଖ ସକାଳ ୧୦ ଘଟିକା ସମୟରେ ଏଠାରେ ଏକ ସମୂହ ବୃକ୍ଷରୋପଣ କରାଯିବା ସହ ଏକ ସହୀଦ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସେମାନେ କହିଛନ୍ତି।

ଏହି କାର୍ଯ୍ୟରେ ଦଳମତ ନିର୍ବିଶେଷରେ, ଛାତ୍ର, ଯୁବକ, ମହିଳା, ପରିବେଶପ୍ରେମୀ, ସମାଜସେବୀ, ଶିକ୍ଷାବିତ୍‌, ମାଟିମା’ ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୁନା ଜେନା, ଅଞ୍ଜନ କୁମାର ଜେନା, ଲକ୍ଷ୍ମୀଧର ପାତ୍ର, ବାବୁ ରାଉତ, ଅଜିତ ଶ୍ରୀଚନ୍ଦନ, ରାକେଶ ପଟ୍ଟନାୟକ, ପ୍ରଦୀପ ଜେନା, ଅଭୟ କୁମାର ବଡ଼ଜେନା, ସମରେଶ ପାଇକରାୟ, ପ୍ରଦୀପ ବଡ଼ଜେନା ପ୍ରମୁଖ ଶିଖରଚଣ୍ଡୀ ସୁରକ୍ଷା ସମିତିର ବହୁ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ସାମିଲ୍ ହେବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି। ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭେଟିଥିଲେ। ସେ କହିଛନ୍ତି ଆଜି ମୋ ପାଇଁ ଏକ ସ୍ମରଣିୟ ଦିନ। ଶିକ୍ଷାନୁଷ୍ଠାନର ଅନୁକୂଳଯୁକ୍ତ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଖୁବ ପ୍ରଶଂସନୀୟ। ଆଜି ଏହି ଶିକ୍ଷାନୁଷ୍ଠାନକୁ ଆସି ଦିବ୍ୟାଙ୍ଗ ମାନଙ୍କୁ ଭେଟି ଭଗବାନଙ୍କୁ ପୂଜା କରିବା ଠାରୁ ଅଧିକ ସୌଭାଗ୍ୟ ମିଳିଲା।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହେଉଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ୟୁଜିସି ବିଶେଷ ବର୍ଗରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ମାନ୍ୟତା ପ୍ରଦାନ କରାଯିବା ଖୁସିର ବିଷୟ। ଏଣିକି ଏହି ଅନୁଷ୍ଠାନର ନିଜସ୍ୱ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ସହ ସାର୍ଟିଫଫିକେଟ୍ ପ୍ରଦାନ କରାଯିବ। ଏହି ଅନୁଷ୍ଠାନ ସହ ମେଧାବୀ ଓଡ଼ିଆ ପିଲାମାନେ ଯୋଡି ହେଉଛନ୍ତି। ଏହାର ଅର୍ଥ ଏହି ପାଠ୍ୟକ୍ରମ ପ୍ରତି ପିଲା ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଅଛି। ଦିବ୍ୟାଙ୍ଗଙ୍କ ପାଠପଢାକୁ ସୁଗମ କରିବା ସହ ସମାଜରେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ। ଦୀର୍ଘ ୨୫ ବର୍ଷ ଧରି ଦିବ୍ୟାଙ୍ଗ ମାନଙ୍କୁ ପାଠ ପଢାଇବା ସହ ମଣିଷ ତିଆରି କାମରେ ଲାଗିଥିବା ଏହି ଅନୁଷ୍ଠାନକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି। ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି। ବିଶେଷ ଭାବରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ହେବା ପରେ ଏହା ଉପରେ ଧ୍ୟାନ ଦେବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି। ଏହି ଅନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବ୍ୟତିତ ସମ୍ମାନର ସହ କୁଶଳୀ କରି ସେମାନଙ୍କୁ ରୋଜଗାର ବ୍ୟବସ୍ଥା ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯିବ। ଶିକ୍ଷକଙ୍କୁ ପ୍ରଶିକ୍ଷଣ ସହ ଭିତ୍ତିଭୂମିର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ। ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ ଈର୍ଷାନ୍ୱିତ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଆଜି ଏଠାରେ ଶ୍ରୀମତୀ ସାହୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ସେମାନଙ୍କ ଦୁଆର ମୁହଁକୁ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଠାଇଛନ୍ତି। ଏଭଳି ପଦକ୍ଷେପ ଯୋଗୁଁ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।

ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଶାସନ କରିବାକୁ ଅଭ୍ୟସ୍ତ ଲୋକମାନେ ଏହି ଅଭିନବ ପଦକ୍ଷେପକୁ ବୁଝିପାରିବେ ନାହିଁ। ମାଲକାନଗିରିର ଲୋକମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସି ସେମାନଙ୍କ ଅଭିଯୋଗ ଜଣାଇବା ସମ୍ଭବ ନୁହେଁ।

ଯେଉଁମାନେ ରାଜନୀତିରେ ନବାଗତ ଅଟନ୍ତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହଁନ୍ତି ସେମାନେ ଏହା ବୁଝି ପାରିବେ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟାକୁ ଶୁଣିବା ଏବଂ ସମାଧାନ କରିବାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନରେ କଟକ ଜ଼ିଲ୍ଲା କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜ଼ିଲ୍ଲାର କିଛି ଚାଷୀ ଏବଂ ଅନ୍ୟାନ୍ୟ ବର୍ଗର ଲୋକ ପ୍ରାଚୀ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତ ର କେନାଲ ବନ୍ଧ ରାସ୍ତା ଓ କେନାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚରାଉଚରା କରିଥିଲେ।

ଏହି ରାସ୍ତା କାମ ପାଇଁ ଉକ୍ତ ଅଧିକାରୀ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା। ରାସ୍ତା କାମପାଇଁ ଯେତେ ଅନୁରୋଧ କଲେବି ସମ୍ପୃକ୍ତ ଅଧିକାରୀ ଶୁଣିଲେ ନାହିଁ। ବିନା ଲାଞ୍ଚରେ କାମ ହୋଇପାରିବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଅଧିବାସୀ ହତାଶ ହୋଇପଡ଼ିଥିଲେ। ସେମାନେ ଏ ସଂକ୍ରାନ୍ତ ରେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଅବଗତ କରାଇଲେ। ଆଜି ଶ୍ରୀ ଚୌଧୁରୀ ଏବଂ ଖଣ୍ଡେଇତା ପଂଚାୟତର ସ୍ଥାନୀୟ ବାସିନ୍ଦା ପ୍ରାଚୀ ଡିଭିଜନ ଯାଇ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ କିଛି ପରିବାପତ୍ର ପ୍ୟାଣ୍ଟ ସାର୍ଟ ଦେଇ ଏହି ରାସ୍ତା କରିଦେବାକୁ ଅନୁରୋଧ କରିଥିଲେ। ଯେହେତୁ ସେମାନେ ଚାଷୀ ଓ ଗରିବ ଶ୍ରେଣୀର ଲୋକ ସେଥିପାଇଁ ସେମାନେ ଟଙ୍କା ଲାଞ୍ଚ ଦେବାପାଇଁ ଅକ୍ଷମ ବୋଲି କହିଥିଲେ। ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ନିଜର ଭୁଲ ସ୍ୱୀକାର କରି ଏକ ସପ୍ତାହ ମଧ୍ୟରେ ରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ ନିଆରା ଢଙ୍ଗ ରେ ସବୁବେଳେ ଜନସାଧାରଣଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିଥାନ୍ତି। ଆଜି ମଧ୍ୟ ସେଠାରେ ଅନେକ ଯୁବ ଚାଷୀ ମୁହଁରେ ମାନସ ଚୌଧୁରୀ ଙ୍କ ମୁଖା ପିନ୍ଧି ଏବଂ ହାତରେ “ମୁଁ ମାନସ ଚୌଧୁରୀ “ଶୀର୍ଷକ ପ୍ଲାକାର୍ଡ ଧରି ଅଧିକାରୀଙ୍କ ନିକଟରେ ବିକ୍ଷୋଭ କରିଥିଲେ।  କାରଣ ସମ୍ପୃକ୍ତ ରାସ୍ତାକାମ ପାଇଁ ଅନୁରୋଧ କରିଥିବl ଚାଷୀମାନେ ଯେତେବେଳେ ତାଙ୍କର ଦାବିକୁ ମାନସ ଚୌଧୁରୀଙ୍କର ସମର୍ଥନ ଅଛି ବୋଲି କହିଥିଲେ, ସେତେବେଳେ ଅଫିସର ଜଣକ ଉକ୍ତ ଚାଷୀଙ୍କୁ ଅପମାନ ଦେବାସହ କହିଥିଲେ ଯେ “ସେ କିଏ ମୁଁ ଜାଣିନି ‘”।

ଅନ୍ୟ ଏକ ଘଟଣାରେ ଜଣେ ବିରୋଧୀ ଦଳର କର୍ପୋରେଟର କଟକ ମେୟର ଶ୍ରୀ ସୁବାଷ ସିଂ ଙ୍କ ନିକଟରେ ନିଜ ୱାର୍ଡ ର ଉର୍ନ୍ନତି ମୂଳକ କାଯ୍ୟର ଦାଵୀ କରିଥିଲେ ଏବଂ ଶ୍ରୀ ସିଂ ଏହାର ଉତ୍ତରରେ କହିଥିଲେ ଯେ ତାଙ୍କ ସରକାରୀ ଅଫିସର ବାଥରୁମ କବାଟ ଲଗାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ଏହି ପ୍ରସଙ୍ଗ ରେ ଶ୍ରୀ ଚୌଧୁରୀ ଏକ କବାଟ ଏବଂ ଫିଟିଙ୍ଗ ବାବଦକୁ ୫୦୦ ଟଙ୍କା କଟକ ମୁନସିପାଲ କର୍ପୋରେସନ ରେ ପହଞ୍ଚି କମିଶନର ଙ୍କୁ ଦେବା ଘଟଣା ଚର୍ଚ୍ଚା ର ବିଷୟ ହୋଇଥିଲା।

ସେହିପରି ଶ୍ରୀ ଚୌଧୁରୀ ମଧ୍ୟ ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ଥିବାବେଳେ ଇସ୍କନ ମନ୍ଦିର ପାଖ ରାଜପଥରେ ବନ୍ୟା ପରିସ୍ଥିତି ସୃଷ୍ଟିର ପ୍ରତିବାଦରେ ଆଠ ନମ୍ବର କଲ୍ୟାଣ ମଣ୍ଡପ ପାଖରେ ଥିବା ଜାତୀୟ ରାଜପଥ ମୁଖ୍ୟ କାର୍ଯ୍ୟାଳୟ ଭିତରେ ପାଣି ପମ୍ପ ଲଗାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଥିଲେ। ଉଦ୍ଧେଶ୍ୟ ଥିଲା ଇସ୍କନ ମନ୍ଦିର ପାଖ ରାଜପଥ ର ବନ୍ୟା ପରିସ୍ଥିତିକୁ ଏନ. ଏଚ. ଏ. ଆଇ କତୃପକ୍ଷ ହୃଦୟଙ୍ଗମ କରନ୍ତୁ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ଼, ମନୋଜ ରାଉତ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଂଜିତ ପାତ୍ର, ଅଜୟ ସାହୁ,ସଂକୁନା କାଁଅର ଓ ପ୍ରଭାତ ପ୍ରତାପ ସିଂ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣର ଅଭିନବ ପ୍ରୟାସ ‘‘ଡିଏଭି କ୍ୟାରିୟର କନ୍‌କ୍ଲେଭ୍‌’’

ଭୁବନେଶ୍ୱର: ଆଜିର ଯାନ୍ତ୍ରିକ ଯୁଗରେ ଜୀବନ ଧାରଣ କରିବା ପାଇଁ ଜୀବିକାର ମାଧ୍ୟମ ଅନନ୍ୟ ଓ ପ୍ରଶସ୍ତ। ଏ ଦୂରଦୃଷ୍ଟିକୁ ବିଦ୍ୟାର୍ଥୀଙ୍କ ନିକଟକୁ ନିକଟତ କରିବାକୁ ସଫଳ ପ୍ରଚେଷ୍ଟା କରିଛି ଡିଏଭି ପୋଖରୀପୁଟର ‘‘ଡିଏଭି କ୍ୟାରିୟର କନ୍‌କ୍ଲେଭ୍‌ ’’। ଛାତ୍ରମାନଙ୍କୁ ବିଭିନ୍ନ ବୃତ୍ତି ଆଶା ବିଷୟରେ ଆଲୋକିତ କରିବା ଏବଂ ବହୁ ପ୍ରତୀକ୍ଷିତ ବିଦ୍ୟାଳୟ ପତ୍ରିକା ‘‘ପ୍ରେରଣା’’-୨୦୨୩ କୁ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ପ୍ରତିନିଧି, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ବିଶିଷ୍ଟ ବୃତ୍ତିଗତଗଣ ଉପସ୍ଥିତି ରହି ବିଦ୍ୟାର୍ଥୀଙ୍କ ସନ୍ଦେହ ତଥା ଜିଜ୍ଞାସୁ ମନୋବୃତ୍ତିକୁ ପୂର୍ଣ୍ଣକରିବା ସହିତ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ। ଡିଏଭି ଅନୁଷ୍ଠାନ ସମୂହର ଓଡ଼ିଶାର ସହକାରୀ ଆଞ୍ଚଳିକ ଅଧିକାରୀ, ଡ. ସୁଜାତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ‘‘ଡିଏଭି କ୍ୟାରିୟର କନ୍‌କ୍ଲେଭ୍‌ ’’ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା  ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ଡିଏଭି ଗାନ୍‌ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଡ.ସୁଜାତା ନିଜ ଅଭିଭାଷଣରେ ଅଭ୍ୟାଗତ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ବିଦ୍ୟାର୍ଥୀମାନେ ବିଦ୍ୟାଳୟସ୍ତରରୁ ଜୀବିକାର ପ୍ରଶସ୍ତ ବିଭାଗର ସୁଗୁଣକୁ ଚିହ୍ନିବା ଏବଂ ଲକ୍ଷ୍ୟ ଧାର୍ଯ୍ୟ କରିବା ଏକାନ୍ତ କାମ୍ୟବୋଲି ମତବ୍ୟକ୍ତ କରିଥିଲେ।

ଛାତ୍ର ପ୍ରସାରଣର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଜୟ ଶର୍ମା ପ୍ରୋଫାଇଲ୍ ନିର୍ମାଣର ଗୁରୁତ୍ୱ ଉପରେ ଏକ ଆକର୍ଷଣୀୟ ଆଲୋଚନା କରିବା ସହିତ ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ପ୍ରତିଷ୍ଠିତ ହେବା  ପାଇଁ ବିଦ୍ୟାର୍ଥୀମାନେ କିପରି ସେମାନଙ୍କର ପ୍ରୋଫାଇଲ୍ ସମୃଦ୍ଧ କରିପାରିବେ ସେ ସମ୍ବନ୍ଧରେ ଶ୍ରୀ ଶର୍ମା ମୂଲ୍ୟବାନ ଜ୍ଞାନ ବାଣ୍ଟିଥିଲେ। ଏସ୍‌.ଆର୍‌.ଏମ୍‌. ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଇପ୍‌ସିତା ପ୍ରଧାନ ଉଦାରବାଦୀ କଳା ଏବଂ ସାମାଜିକ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ କ୍ୟାରିୟରର ସୁଯୋଗ ଉପରେ ମାର୍ଗଦର୍ଶନ ଏବଂ ସୂଚନା ପ୍ରଦାନ କରି ସେମାନଙ୍କୁ ଏହି କ୍ଷେତ୍ରରେ ସମ୍ଭାବ୍ୟ ଭବିଷ୍ୟତ ବିଷୟରେ ଆଲୋକିତ କରିଥିଲେ। ଋଷିହୁଡ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର କନିଷ୍କା ଶର୍ମା ଦର୍ଶକଙ୍କୁ କମ୍ପ୍ୟୁଟର ସାଇନ୍‌ସ ଏବଂ ଏ.ଆଇ.ରେ ଉଦୀୟମାନ ବୃତ୍ତି ବିଷୟରେ ଏକ ସଂଳାପରେ ନିୟୋଜିତ କରିବା ସହିତ ଭବିଷ୍ୟତ ଗଠନର ରୋମାଞ୍ଚକର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟିତ ହୋଇଥିବା କ୍ୟାରିୟର ମେଳା ବିଦ୍ୟାର୍ଥୀଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ବୁଥ୍ ଅନ୍ୱେଷଣ ଏବଂ ବିଭିନ୍ନ ଶିକ୍ଷାଗତ ପଥ ବିଷୟରେ ଜ୍ଞାନ ଆହରଣ କରିବାର ସୁଯୋଗ ପ୍ରଦାନ କରିଥିଲା। ଛାତ୍ରଛାତ୍ରୀମାନେ ସେମାନଙ୍କର ଭବିଷ୍ୟତ ଗଠନ ବିଷୟରେ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। “ଅନଲକ୍ ସୁଯୋଗ: IVY ଲିଗ୍ ୟୁନିଭରସିଟିରେ ତୁମର କ୍ୟାରିଅର୍ ପଥ ନେଭିଗେଟ୍ କରିବା” ଉପରେ ଏକ ବାର୍ତ୍ତାଳାପ ହୋଇଥିଲା। କାଉନସେଲିଂ ବିଶ୍ୱବିଦ୍ୟାଳୟରୁ ସୁନୀତା ବୋଷ ଏବଂ ସୁଶ୍ରୀ ସୁଦକ୍ଷିଣା ସେମାନଙ୍କର ପାରଦର୍ଶିତା ବାଣ୍ଟିଥିଲେ ଏବଂ ଛାତ୍ରମାନଙ୍କୁ ସେମାନଙ୍କ କ୍ୟାରିୟର ପଥକୁ କିପରି ପ୍ରଭାବଶାଳୀ ଭାବରେ ନେଭିଗେଟ୍ କରିବେ ସେ ସମ୍ବନ୍ଧରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ  ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରମାନଙ୍କୁ ଟାର୍ଗେଟ କରି କିର୍ଲୋସ୍କର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ମାର୍କେଟିଂର ଆଡଜାଣ୍ଟ ପ୍ରଫେସର ଡକ୍ଟର କମଲେଶ ମିଶ୍ର ନୂତନ ବୟସର ବୃତ୍ତି ଆଶା, ଆହ୍ୱାନ ଏବଂ ପଥ ବିଷୟରେ ଭାବ ବିନିମୟ କରିଥିଲେ। ବିକାଶଶୀଳ ଚାକିରି ବଜାର ବିଷୟରେ ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ଏଥିରେ ଉତ୍କର୍ଷ ହେବା ପାଇଁ ଆବଶ୍ୟକ କୌଶଳ ଅତ୍ୟନ୍ତ ମୂଲ୍ୟବାନ ଥିଲା।

ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକାର ମୁଖ୍ୟ ସମ୍ପାଦକ ତଥା କ୍ୟାରିୟର କନ୍‌କ୍ଲେଭର ଆୟୋଜକ ମୟୂଖ ମିଶ୍ରଙ୍କ ଅନୁରୋଧ କ୍ରମେ ‘‘ ପ୍ରେରଣା’’ ୨୦୨୩କୁ ସ୍କୁଲର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।  ଯେଉଁଥିରେ କଭର୍ ଷ୍ଟୋରୀ ‘ଆଧୁନିକ ଦୁନିଆରେ କ୍ୟାରିୟର ପସନ୍ଦକୁ ପୁନଃ ଚିତ୍ରଣ କରାଯାଇଥିଲା।’ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି କାର୍ଯ୍ୟକ୍ରମ ସମସ୍ତ ଅଂଶଗ୍ରହଣକାରୀ, ବକ୍ତା ଏବଂ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ସଂଯୋଜକ-ସମ୍ପାଦକ ଶିତିକଣ୍ଠ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।

ସର୍ବଶେଷରେ ଅଭ୍ୟାଗତଙ୍କୁ ସମ୍ମାନିତ କରାଯିବା ସହିତ ଧନ୍ୟବାଦ ପର୍ବ ଅନୁଷ୍ଠିତ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋଦଳା: ମଦ୍ୟପ ଡ୍ରାଇଭର ଗିରଫ ଓ ଗାଡ଼ି ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି କୋଦଳା ବସ୍ ଷ୍ଟାଣ୍ଡରେ ଭୁବନେଶ୍ୱର ଠାରୁ ପୋଲସରା ଯାଉଥିବା ବସ୍ କୁ ଅଟକାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ସନ୍ଦେହ ରେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଡ଼୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡିବା ପରେ ଗାଡ଼ିକୁ ଶ୍ରୀ ସାହୁ ଅଟକ ରଖିଥିଲେ। ଏବଂ ଡ଼୍ରାଇଭରକୁ ଓହ୍ଲାଇ ପରୀକ୍ଷା କରିବା ବେଳେ ସେ ମାତ୍ରାଧିକ ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ଉକ୍ତ ବସ୍ ରେ ୨୦ ଜଣ ଯାତ୍ରୀ ବସିଥିଲେ।

ଥାନା ଅଧିକାରୀଙ୍କ ସୁଚିନ୍ତିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଅଘଟଣ ଟଳି ପଡିଛି ଓ ଥାନା ଅଧିକାରୀଙ୍କ ଏହିଭଳି ପଦକ୍ଷେପ ପାଇଁ ଅଞ୍ଚଳ ବାସିନ୍ଦା ପ୍ରଶଂସା କରିଛନ୍ତି।

ସୁଚନା ଥାଉକି ବସ୍ ଚାଳକ ରମେଶ ମହାରଣା ରଣପୁର ଥାନା ଅନ୍ତର୍ଗତ ସୁନାଖଳା ଅଞ୍ଚଳର ଓ ତାକୁ ଥାନା ଏତଲା ନଂ ୨୯୪/୨୩ ଧାରା ଭାରତୀୟ ପିଙ୍ଗଳ କୋଡ଼୨୭୯ ଓ ମୋଟର ଯାନ ନିୟମ ୪୮୫ ଅନୁଯାୟୀ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତଙ୍କ ଏସିଆନ୍ ଗେମ୍‌ସ ପାଇଁ ଯାଗ୍ୟତା ହାସଲ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ୬୨ତମ ଆନ୍ତଃ ରାଜ୍ୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରି ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସମେତ ମୋଟ ୨୦ଟି ମେଡାଲ୍ ହାସଲ କରି ଅଭିଯାନ ଶେଷ କରିଛନ୍ତି। ଦୃଢ଼ ପ୍ରଦର୍ଶନ କରି ରିଲାଏନ୍ସ ଫାଉଣ୍ଡେସନର ସାତ ଜଣ କ୍ରୀଡ଼ାବିତ୍ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ପାଂଚ ଜଣ କ୍ରୀଡ଼ାବିତ୍ ଏହି ଚମ୍ପିଆନ୍‌ସିପ୍‌ରେ ପୂର୍ବରୁ ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ-ପରଫରମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ ଓଡ଼ିଶାର ପୁରୁଷ ଓ ମହିଳାଙ୍କ ରିଲେ ଟିମ୍‌ର ଉଦ୍ୟମ ଓ ପ୍ରଦର୍ଶନକୁ ଚମ୍ପିଆନ୍‌ସିପ୍‌ର ପ୍ରମୁଖ ଆକର୍ଷଣ ଥିଲା ବୋଲି କହିଛନ୍ତି। ସେହି ଟିମ୍‌ରେ ରିଲାଏନ୍ସ ଫାଉଣ୍ଡେସନର ତିନି ଜଣ କ୍ରୀଡ଼ାବିତ୍ ରହିଥିଲେ। ମାର୍ଟିନ୍ ଓୱେନ କହିଛନ୍ତି ଯେ, “ଜ୍ୟୋତି ୧୦୦ ମିଟର ଦୌଡ଼କୁ ସହଜରେ ଜିତିବା ସହ ଏହି ଟୁର୍ଣ୍ଣାମେଂଟ୍‌ର ବହୁତ ଭଲ ଶୁଭାରମ୍ଭ ହୋଇଥିଲା, କିନ୍ତୁ ଏକ ସେକେଣ୍ଡର ୪୦୦ତମ ଅଂଶ ପାଇଁ ସେ ଏସିଆନ୍ ଗେମ୍‌ସ ଯୋଗ୍ୟତା ହାସଲରୁ ବଂଚିତ ହୋଇଥିଲେ। ତେବେ ସେଥିରେ ସେ ଭାଙ୍ଗି ପଡ଼ିନଥିଲେ। ଦୃଢ଼ ପ୍ରତ୍ୟାବର୍ତନ କରି ସେ ଏସିଆନ୍ ଯୋଗ୍ୟତା ପର୍ଯ୍ୟାୟରେ ୧୦୦ ମିଟର ବାଧାଦୌଡ଼କୁ ଅତି ସହଜରେ ଜିତିଥିଲେ। ୪୦୦ ମିଟର ମହିଳା ଦୌଡ଼ରେ ସେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ। ଓଡ଼ିଶାର ୪୦୦ ମିଟର ରିଲେ ଟିମ୍ କାଂସ୍ୟ ପଦକ ଜିିତିଥିଲେ ଯେଉଁଥିରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନ୍ସ ସେଂଟର୍‌ର ସବିତା, ସୁଖି ଓ ବନିତା ଖେଳୁଥିଲେ।’’

ସେହିଭଳି ଅମ୍ଳାନ ବର୍ଗୋହେନ୍ ୨୦୦ ମିଟର ଦୌଡ଼କୁ ୨୦.୭୧ ସେକେଣ୍ଡ୍‌ରେ ଜିତି ୨୩ ବର୍ଷ ଧରି ଅନିଲ କୁମାରଙ୍କ (୨୦.୮୦ ସେକେଣ୍ଡ) ନାମରେ ରହିଥିବା ରେକର୍ଡକୁ ଭାଙ୍ଗିଛନ୍ତି।
ଟୁର୍ଣ୍ଣାମେଂଟ୍‌ର ଶେଷ ଦିନରେ ୧୫୦୦ ମିଟର ଦୌଡ଼କୁ ୩:୪୨.୭୭ ସମୟରେ ଶେଷ କରି ଜିନ୍‌ସନ୍ ଜନ୍‌ସନ୍ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ନିଜ ସମୟରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବା ଜନ୍‌ସନ୍ କହିଛନ୍ତି ଯେ “ମୁଁ ବହୁତ ଖୁସି। ଏସିଆନ୍ ଗେମ୍‌ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସମୟରେ ୨-୩ ସେକେଣ୍ଡ ଉନ୍ନତି ନିଶ୍ଚିତ ଆଣିବାକୁ ପଡ଼ିବ। ୩.୩୭ ସେକେଣ୍ଡ୍ ଭିତରେ ଦୌଡ଼ ଶେଷ କରିବାକୁ ମୁଁ ଲକ୍ଷ୍ୟ ରଖିଛି। ତାହା ହେଲେ ମୁଁ ସବୁ ପ୍ରକାରର ଦୌଡରେ ଜିତିପାରିବି ବୋଲି ଭାବୁଛି।’’

ସେହିପରି ଫାଉଣ୍ଡେସନର କ୍ରୀଡ଼ାବିତ କିଶୋର କୁମାର ଜେନା ଜାଭେଲିନ୍ ଫୋପାଡ଼ିବାରେ ୮୨.୩୭ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ହାସଲ କରିଥିବା ବେଳେ ଏସିଆନ୍ ଗେମ୍‌ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଜ୍ୟୋତି ୟାରାଜୀ ମହିଳା ୧୦୦ ମିଟର ବାଧାଦୌଡ଼ ଓ ମହମ୍ମଦ ଅଫଜଲ୍ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରେକର୍ଡ ଭାଙ୍ଗିବା ଲାଗି ପରିଚିତ ଜ୍ୟୋତି ୧୦୦ ମିଟର ବାଧାଦୌଡ଼କୁ ୧୨.୯୨ ସେକେଣ୍ଡରେ ଶ୍ରେଷ୍ଠ କରି ପ୍ରଥମ ସ୍ଥାନରେ ରହିଥିଲେ। ୧୦୦ ମିଟର ଦୌଡ଼ରେ ମଧ୍ୟ ସେ ଶ୍ରେଷ୍ଠ ସ୍ଥାନ ସହ ପୋଡିୟମ୍ ଦଖଲ କରିଥିଲେ। ଜ୍ୟୋତି ୟାରାଜୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଘୋଷଣା କରାଯାଇଛି। ସେହିଭଳି କାର୍ତିକ କୁମାର ୧୦୦୦୦ ମିଟର ବର୍ଗରେ ସଫଳତାର ସହିତ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଏସିଆନ୍ ଗେମ୍‌ସରେ ମେଡାଲ୍ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଅଫଜଲ୍ କହିଛନ୍ତି ଯେ, “ମୋତେ ନିଶ୍ଚିତ ରୂପେ ଏସିଆନ ଗେମ୍‌ସ ଓ ଏସିଆନ୍ ଚମ୍ପିଆନ୍‌ସିପ୍‌ରେ ଜିତିବାକୁ ପଡ଼ିବ। ମୋର ବିଶ୍ୱାସ ଅଛି ଯେ ମୁଁ ଜିତିପାରିବି ଓ ଜାତୀୟ ରେକର୍ଡ ଭାଙ୍ଗିପାରିବି। ମୁଁ ୧:୪୪ରେ ପହଂଚିବାକୁ ଲକ୍ଷ୍ୟ ରଖିଛି ଓ ମୋର ବିଶ୍ୱାସ ରହିଛି ଯେ ରିଲାଏନ୍ସ ସହଯୋଗରେ ମୁଁ ତାହା କରିପାରିବି।’’

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍ ତେଜସ୍ ସିର୍‌ଜେ ପୁରୁଷ ୧୧୦ ମିଟର ବାଧାଦୌଡ଼କୁ ୧୩.୮୭ ସେକେଣ୍ଡ୍‌ରେ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏଲାକିୟାଦାସନ ପୁରୁଷ ୧୦୦ ମିଟର ଦୌଡ଼କୁ ୧୦.୪୭ ସେକେଣ୍ଡ୍‌ରେ ଶେଷ କରି କାଂସ୍ୟ ପଦକ ଜିତିଥିବା ବେଳେ ୟମନଦୀପ ଶର୍ମା ପୁରୁଷ ଡିକାଥଲନ୍‌ରେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ୭୧୬୫ ପଏଂଟ୍ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି। ଫାଉଣ୍ଡେସନର କ୍ରୀଡ଼ାବିତ ଅଭିଷେକ ଦଳବେହେରା, ଲାଲୁପ୍ରସାଦ ଭୋଇ ଓ ଡିଏମ୍ ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ପୁରୁଷ ଟିମ୍ ୪୦୦ ମିଟର ରିଲେ ଦୌଡରେ ରୌପ୍ୟ ପଦକ ହାସଲ କରିଛି। ୪୦୦ ମିଟର ରିଲେରେ ସବିତା ଟପ୍ପୋ, ବନିତା ଲାକ୍ରା ଓ ସୁଖି ବାସ୍‌କେ ଭଳି କ୍ରୀଡ଼ାବିତଙ୍କୁ ନେଇ ଓଡ଼ିଶା ମହିଳା ଟିମ୍ କାଂସ୍ୟ ପଦକ ହାସଲ କରିଛି। ୪୦୦ ମିଟର ପୁରୁଷ ରିଲେରେ ତାମିଲନାଡ଼ୁର ଏଲାକିୟାଦାସନ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର ମହିଳା ରିଲେରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ରୌପ୍ୟ ପଦକ ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୬ ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀଙ୍କ ଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର: ଓଡିଶା କ୍ୟାଡରର ୬ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନରେ ତାଲିମ ନେବାକୁ ଥିବା ଏହି ପ୍ରଶାସନିକ ଅଧିକାରୀ ଗୁରୁବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟ ଓ ଚନ୍ଦ୍ରଶେଖରପୁରଠାରେ ଥିବା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରିଛନ୍ତି। ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନର୍ଦ୍ଦେଶକ ଅନୁପମ ସାହା ପ୍ରଶାସନିକ ଶାସନ ବ୍ୟବସ୍ଥା ଏବଂ ୫-‘ଟି’ ହାଇସ୍କୁଲ୍‌ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ କହିଥିଲେ। ସେହିଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ୍‌ ଜେନା ଓ ମୋ ସ୍କୁଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ବିଷୟରେ ସେମାନଙ୍କୁ ଅବଗତ କରିଥିଲେ।

୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଛି। ୨୦୨୨ ବ୍ୟାଚ୍‌ ଓଡିଶା କ୍ୟାଡରର ଏହି ୬ଜଣ ପ୍ରଶାସନିକ ଅଧିକାରୀ ରାଜ୍ୟ ସ୍ତରରେ ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଏକ ବର୍ଷ ତାଲିମ ନେବେ। ଓଡିଶାରେ ତାଲିମ ସମାପ୍ତ ପରେ ସେମାନେ ଉତ୍ତରାଖଣ୍ଡର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନରେ ତାଲିମ ଗ୍ରହଣ କରିବେ। ଏହାପରେ ଓଡିଶାରେ ସେମାନଙ୍କ ପାଇଁ ଦିଆଯାଇଥିବା ନିଜ ନିଜ ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାହନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ଵର: ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ, ସମାଜସେବୀ ହୀରାଲାଲ ଶର୍ମା ଏବଂ ସି.କେ ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ସକାଳ ୯ ଟା ରେ ବାଲେଶ୍ୱର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ନିଜର ମାନବିକତାର ପରିଚୟ ଦେଇ ରାଜଧାନୀର ଅନେକ ଜନସାଧାରଣ ରକ୍ତଦାନ‌ କରିବାକୁ ଲମ୍ବା ଧାଡି ଲାଗିଥିଲା। ଭୁବନେଶ୍ବରର ଅନେକ ରାଜନେତା, ସ୍ଵେଚ୍ଛାସେବୀଙ୍କ ସହିତ ସିନେମା ଜଗତ ସହିତ ଜଡିତ ଥିବା ଅନେକପ୍ରଯୋଜକ, ଅଭିନେତା, ଅଭିନେତ୍ରୀ ମଧ୍ୟ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି।

ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପଟ୍ଟଶାଣୀ, ଋଷି ପଟ୍ଟନାୟକ, ସିନେ ପ୍ରଯୋଜକ ସଚିକାନ୍ତ ଜେନା, ଟୁଟୁ ନାୟକ, ଜୀତେଶ ପରିଡା, ସାନୁ ରଥ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ, ଶୀତଲ ପାତ୍ର, ଓଲିଉଡ଼ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଶିବିରରେ ଯୋଗଦେଇ ରକ୍ତଦାନ କରିବା ସହିତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ଏବଂ ମାନବିକତାର ପରିଚୟ ଦେଇଥିବାରୁ ସମସ୍ତଙ୍କୁ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଥିଲେ।

ଦିନ ୩ ଟା ପର୍ଯ୍ୟନ୍ତ ୧୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଆହୁରି ୯୫ ଜଣ ରକ୍ତଦାନ ପାଇଁ ଧାଡିରେ ଥିଲେ। ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ତାଙ୍କ ସହଯୋଗୀ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ରେଡକ୍ରସ ଭବନର ଡାକ୍ତର ରଘୁନାଥ ବେହୁରା, ଡାକ୍ତର ଗୀତା ମିଶ୍ର ଏବଂ ରେଡକ୍ରସର ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାନ‌ଶିବିର ପରିଚାଳନା ସହିତ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ଫିଲ୍ମ ‘ଟି’ ର ପ୍ରଚାର

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ଓଡ଼ିଶାର ସମସ୍ତ ପ୍ରମୁଖ ଫିଲ୍ମ ହଲ୍ ରେ ଓ ଦର୍ଶକଙ୍କ ଭଲପାଇବା ମଧ୍ୟ ସାଉଁଟିଛି। ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଓଡିଆ ଫିଲ୍ମ ‘ଟି’ର ଟିମ୍ ପହଞ୍ଚିଥିଲା ୨୮ ତାରିଖ, ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ହେଉଥିବା ‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ରେ। ସାଧାରଣ ଜନତାଙ୍କ ସହ ପୁରା ଟିମ୍ ମିଶିଥିଲା ଓ ଶୁଟିଂ ସମୟର କିଛି ଅଭୂଲା ସ୍ମୃତି ବାଣ୍ଟିବା ସହ ଗୋଟେ ସାଧାରଣ କୁଇଜ୍ ମଧ୍ୟ ଆୟୋଜନ ହୋଇଥିଲା। ସଠିକ ଉତ୍ତର ଦେଇଥିବା କିଛି ଦର୍ଶକଙ୍କୁ ‘ଟି’ ର ମାଗଣା ଟିକେଟ୍ ମଧ୍ୟ ଦିଆ ଯାଇଥିଲା।

ଉପସ୍ଥିତ ଦର୍ଶକ ଦେଖିଥିଲେ ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ଫିଲ୍ମ ‘ଟି’ର ଟ୍ରେଲର୍ କୁ। ଏହି ଟ୍ରେଲର୍ ଦର୍ଶକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ଭରିଦେଇଥିଲା।  ସମସ୍ତେ କରତାଳି ଦେଇ ଉପଭୋଗ କରିଥିଲେ ଏହି ଟ୍ରେଲର୍। ଏହି ଅବସରରେ ମୀରା ପରିଡ଼ା ଙ୍କ ସହ ଉପସ୍ଥିତ ଥିଲେ ନିଜେ ମେଘନା ସାହୁ। ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଫିଲ୍ମର କଳାକାର ହର ରଥ, ଦେବାଶିଷ ସାହୁ, ରଣବୀର କାଲସି, ନିର୍ଦେଶକ ଜିତେଶ କୁମାର ପରିଡ଼ା। ‘ଟି’ର ପୁରା ଟିମ୍ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ତାଙ୍କ ଫିଲ୍ମ ଦେଖିବାକୁ ଅନୁରୋଧ କରିଥିଲେ।

ଫିଲ୍ମର କାହାଣୀ ପରି ଫିଲ୍ମର ପ୍ରମୋସନର କନସେପ୍ଟ ବି ସମ୍ପୂର୍ଣ ନୂଆ ଓ ଦମଦାର୍ ତେଣୁ ଦର୍ଶକ ବହୁମାତ୍ରାରେ ଏହି ଫିଲ୍ମ ଦେଖିବାକୁ ହଲକୁ ଆସିବେ ବୋଲି ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର୍ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ମଜବୁତ୍ ବିଷୟବସ୍ତୁ ଓ କାହାଣୀ ଉପରେ ଓଡିଆ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ମଇ ୨୫ ତାରିଖରେ ଆପଣଙ୍କ ନିକଟସ୍ଥ ଫିଲ୍ମ ହଲ୍ ରେ। ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି ଏହି ଫିଲ୍ମରେ। ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି। ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧି

ଭୁବନେଶ୍ୱର: ‘‘ସଠିକ ଚିନ୍ତାଧାରା, ସଠିକ ସଂକଳ୍ପ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ’’ ଭାରତକୁ ଉପଯୁକ୍ତ ସମ୍ମାନ ଦେଇପାରିବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ଆଜି ଭୁବନେଶ୍ୱର ଠାରେ ଜି ୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ସମାପନ ହେବା ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ .ଲେଖୀ ଏହି ବକ୍ତବ୍ୟ ରଖିଛନ୍ତି।

ଅମୃତ କାଳ ଅର୍ଥାତ୍‌ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ବିକାଶର ନୂତନ ଶିଖରକୁ ନେଇଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଦୋହରାଇ ଶ୍ରୀମତୀ ଲେଖୀ କହିଥିଲେ ଯେ, ଭାରତକୁ ନିଜର ହୃତଗୌରବ ଫେରି ପାଇବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ସଂସ୍କୃତିର ସାମଞ୍ଜସ୍ୟପୂର୍ଣ୍ଣ ପ୍ରକୃତି ଉପରେ ରେଖାଙ୍କିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିବା ଲାଗି ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ହୋଇପାରିବ। ବିଶେଷ କରି ବିଶ୍ୱବ୍ୟାପୀ ଅଧିକ ଉତ୍ତେଜନା ଓ ଚାପ ଦେଖା ଦେଇଥିବା ସମୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ‘‘ସଂସ୍କୃତି ସମ୍ପର୍କ ଯୋଡ଼ିଥାଏ’’ ବୋଲି ମତବ୍ୟକ୍ତ କରିବା ସହିତ ସେ କହିଥିଲେ ଯେ ଜି-୨୦ ସଂସ୍କୃତିକ କାର୍ଯ୍ୟଗୋଷ୍ଠୀକୁ ପ୍ରଥମ ଥର ପାଇଁ ଏକ ଭିନ୍ନ ଗୋଷ୍ଠୀ ଭାବେ ଗଠନ କରାଯାଇଛି।

ଆମେ ଜି-୨୦ରେ ସଦଭାବ ଏବଂ ଶାନ୍ତିର କଥା କହୁଥିବା ସମୟରେ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ବା ଉତ୍କଳ ରାଜ୍ୟରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଉତ୍କଳ ବା ‘ଉତ୍କର୍ଷ କଳାର ଭୂମି’ ଓଡ଼ିଶା ନିଜର ସମୃଦ୍ଧଶାଳୀ କଳା ଓ ସଂସ୍କୃତି ପାଇଁ ପରିଚିତ। ଏଠାରେ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଉପକଣ୍ଠରେ ଥିବା ଉଦୟଗିରି ଗୁମ୍ଫା ବୁଲି ଦେଖିବା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଶ୍ରୀମତୀ ଲେଖୀ କହିଥିଲେ ଯେ, ଏହା ପ୍ରତିନିଧିମାନଙ୍କ ପାଇଁ ଏକ ଜ୍ଞାନ ବିନିମୟ ଅନୁଭୂତି ଥିଲା। ସେମାନେ ପ୍ରାଚୀନ କାଳର କଳାସ୍ଥାପତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ଦେଖି ଅଭିଭୂତ ହୋଇଥିଲେ।

ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିଜେ ବିଦେଶାଗତ ଅତିଥିମାନଙ୍କ ସହିତ ୨ହଜାର ବର୍ଷ ପୁରୁଣା ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ବୁଲି ଦେଖିଥିଲେ। ସେମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ପ୍ରତି ସମର୍ପିତ ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ।

ଏଥିସହିତ ଚାରି ଦିନିଆ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଶେଷ ହୋଇଛି। ବୈଠକ ଅବସରରେ ବିଭିନ୍ନ କାର୍ଯକ୍ରମ ଏବଂ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା।  ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେମାନେ ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ବାସ୍ତବବାଦୀ ଏବଂ କାର୍ଯ୍ୟ ଉନ୍ମୁଖୀ ସୁପାରିସ  କରିବା ଲାଗି ବ୍ୟାପକ ଆଲୋଚନା ତଥା ବିଚାରବିମର୍ଶ କରିଥିଲେ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ମୋଟ୍‌ ଦୁଇ ଦିନ ଧରି ଛଅଟି ଅଧିବେଶନରେ ଆଲୋଚନା ହୋଇଥିଲା। ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ୪ଟି ପ୍ରାଥମିକତା କ୍ଷେତ୍ର  : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋଚନା କରାଯାଇଥିଲା।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଇଥିଲା। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଗ୍ରହଣ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସେହିପରି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’ ଶୀର୍ଷକ ବାର୍ତ୍ତା ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ପ୍ରଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଜି-୨୦ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱୀତୀୟ ବୈଠକ ଅଧୀନରେ ଆଲୋଚନା ଅଧିବେଶନ ଆଜି ଶେଷ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ତୃତୀୟ ଏବଂ ଚତୁର୍ଥ ପ୍ରାଥମିକତା : ‘ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପର ପ୍ରୋତ୍ସାହନ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା’ ଏବଂ ‘ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାରପ୍ରସାର ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧିମାନେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ, ଯାହାକି ମୂର୍ତ୍ତ ରୂପ ନେବା ସହିତ କାର୍ଯ୍ୟଉନ୍ମୁଖି ସୁପାରିସ ଦିଗରେ ମାର୍ଗପ୍ରଶସ୍ତ କରିବ ବୋଲି ଆଶାବ୍ୟକ୍ତ କରାଯାଉଛି। ଆଲୋଚନାର ପ୍ରାପ୍ତ ପରିଣାମ କାର୍ଯ୍ୟକାରୀ ହୋଇପାରିଲେ ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହିତ ବିଶ୍ୱସ୍ତରରେ ଏ ଦିଗରେ ନୀତି ନିର୍ଦ୍ଧାରଣ କରାଯାଇପାରିବ।

ଆଜି ଅନୁଷ୍ଠିତ ହୋଇଥିବା ଦୁଇଟି ଅଧିବେଶନରେ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହାପରେ ତୃତୀୟ ଓ ଚତୁର୍ଥ ପ୍ରାଥମିକତା କ୍ଷେତ୍ରରେ ଏକ ଖୋଲା ଆଲୋଚନା ହୋଇଥିଲା। କେନ୍ଦ୍ର ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସ୍ୱତନ୍ତ୍ର ଅଭିଭାଷଣ ସହିତ ଦ୍ୱିତୀୟ ଅଧିବେଶନ ଶେଷ ହୋଇଥିଲା। ସମାପନ ଅଧିବେଶନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଅଗ୍ରଗତି କରିବାର କାର୍ଯ୍ୟ ପ୍ରକ୍ରିୟା ସଂକ୍ରାନ୍ତରେ ବିବରଣୀ ଦିଆଯିବା ସହିତ ସମୟ ନିର୍ଦ୍ଧାରଣ କରାଯାଇଥିଲା।

ଆଲୋଚନା ଅଧିବେଶନ ପରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ମନ୍ଦିର ନିକଟରେ ଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନର ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ରକୁ ମଧ୍ୟ ବିଦେଶୀ ଅତିଥିମାନେ ବୁଲି ଦେଖିଥିଲେ। କୋଣାର୍କ ମନ୍ଦିରର ସ୍ଥାପତ୍ୟ କଳା ସେମାନଙ୍କୁ ପ୍ରଭାବିତ କରିଥିଲା।

ବିଦେଶାଗତ ଅତିଥିଙ୍କ ପାଇଁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମାନେ କଳାକାରମାନଙ୍କ ଦ୍ୱାରା ପରିବେଷିତ ‘ଗୋଟିପୁଅ’ ନୃତ୍ୟ ଦେଖି ଅଭିଭୂତ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ନୃତ୍ୟ ପରିବେଷଣ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ ଲେଖୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି। ଭାରତର ବିଶେଷତ୍ୱ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି । ଭାରତର ଐତିହ୍ୟ, ସଂସ୍କୃତି, ପ୍ରାଚୀନ ଜୀବନଶୈଳୀ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସ୍ୱାଧୀନତାର ଅମୃତକାଳରେ ଭାରତ ନୂଆ ଶିଖର ଛୁଇଁବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରାଚୀନ କାଳରୁ ଭାରତରେ ବିଜ୍ଞାନ ଓ ଧର୍ମର ଅଦ୍ଭୂତ ସମନ୍ୱୟ ରହିଆସିଛି। କୋଣାର୍କ ମନ୍ଦିର ଏହାର ଏକ ପ୍ରତୀକ। ଜି୨୦ ବୈଠକରେ ଯୋଗ ଦେବାକୁ ଆସିଥିବା ବିଦେଶୀ ଅତିଥିମାନେ ଏହି ତଥ୍ୟ ବିଷୟରେ ଅବଗତ ହୋଇପାରିଛନ୍ତି।

ଆସନ୍ତାକାଲି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ବିଧିବଦ୍ଧ ଭାବେ ଶେଷ ହେବ। ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସକାଳେ ଉଦୟଗିରି ଗୁମ୍ଫା ବୁଲି ଦେଖିବେ। ସଂସ୍କୃତି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦୀର୍ଘସ୍ଥାୟୀ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ଲାଗି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଏକ ସମାବେଶୀ ଏବଂ ସହଭାଗୀ ମଞ୍ଚ ଯୋଗାଇ ଦେଇଛି। ସାଂସ୍କୃତିକ ବିବିଧତା କ୍ଷେତ୍ରରେ ବୈଶ୍ୱିକ ସହଭାଗିତା ଏବଂ ସମାବେଶିତା ଓ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଏହାର ଭୂମିକାକୁ ପ୍ରୋତ୍ସାହନ ଦେବା ଏହି ବୈଠକର ଉଦ୍ଦେଶ୍ୟ।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କ ବିୟୋଗ: ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଶୋକ

ଭୁବନେଶ୍ୱର: ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲରେ ଦେହାନ୍ତ ହୋଇଯାଇଅଛି। ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। କଳାକ୍ଷେତ୍ରରେ ତାଙ୍କର ଯଶକୀର୍ତ୍ତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହେବା ସହ ସେ ସର୍ବଦା ଶିଳ୍ପୀକୂଳର ପ୍ରେରଣାର ପ୍ରତୀକ ଓ ଉତ୍ସହର ଉତ୍ସ ହୋଇ ରହିବେ। ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ଲଲାଟ ମୋହନ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ। ବନାରସ, ବମ୍ବେ, କୋଲକାତା ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ନିଜର କଳା ନୈପୁଣ୍ୟର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆ ରଙ୍ଗ, ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତିକରଣ ଏବଂ ସେମାନଙ୍କୁ ଆଧୁନିକ କୌଶଳ ପ୍ରୟୋଗରେ ମାର୍ଗଦର୍ଶକ ଥିଲେ।

୧୯୪୮ ମସିହା ଅପ୍ରେଲ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ଶାସନର ପ୍ରଖ୍ୟାତ ଜମିଦାର ଲକ୍ଷ୍ମୀଧର ପଟ୍ଟନାୟକ ଏବଂ ନକ୍ଷତ୍ରମଣି ପଟ୍ଟନାୟକଙ୍କ କୋଳ ମଣ୍ଡନ କରିଥିବା ଲଲାଟ ମୋହନ ପଟ୍ଟନାୟକ ନିଜର ସୃଜନଶୀଳ କଳାର ସାଧନା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ପୁରସ୍କାର ବିପ୍ର ଚରଣ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ ପୁରସ୍କାର, ରଘୁରାଜପୁର ଗୁରୁକୁଳ ଆଶ୍ରମ ପୁରସ୍କାର, ଶିଳ୍ପୀ ସମ୍ରାଟ ପୁରସ୍କାର, କଳା ଜ୍ୟୋତି ସମ୍ମାନ, ବୟନ ବିଭବ ସମ୍ମାନ (୨୦୧୮), ଶାରଳା ସମ୍ମାନ (୨୦୧୯), ଧର୍ମପଦ ପୁରସ୍କାର (୨୦୨୧) ସମେତ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ।

ସନ୍ଧ୍ୟାରେ ତାଙ୍କ ଶବାଧାର ଓଡ଼ିଶା ଲଳିତ କଳା ଏକଡମୀ ପରିସରକୁ ଆସିବା ପରେ ସେଠାରେ ଓଡ଼ିଶା ଲଳିତ କଳା ଏକାମେୀର ସଚିବ ପଞ୍ଚାନନ ସାମଲ, ଡାଃ ଅଲେଖ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଦାସ, ଚିନ୍ତାମଣି ବିଶ୍ୱାଳ, ମିନକେତନ ପଟ୍ଟନାୟକ, ଜନପ୍ରିୟ ଦେବତା, ସମୀର କୁମାର ରାଉତ ଓ ବହୁ ଶିଳ୍ପୀ, ବୁଦ୍ଧିଜୀବୀ ଶେଷଦର୍ଶନ ପୂର୍ବକ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କାଳାଞ୍ଜଳି ଆର୍ଟିଷ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ବରିଷ୍ଠ ସମାଜସେବୀ ପୁରସ୍କୃତ

ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଳାଞ୍ଜଳି ଆର୍ଟିଷ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ଏକ ସାମାଜିକ ଓ ସାଂସ୍କୃତିକ ଉତ୍ସବ ଉତ୍କଳ କଳା ମଣ୍ଡପ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଓଡ଼ିଶାର ମହାମହିମ ରାଜ୍ୟପାଳ ଡଃ ଗଣେଷୀଲାଲ୍ ମୁଖ୍ୟ ଅତିଥି, ରାଜ୍ୟସଭା ସାଂସଦ ଅମରଜିତ୍ ପଟ୍ଟନାୟକ, ଓଡ଼ିଶାର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବି ଗଣ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇ ମନମୁଗ୍ଧକର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପୁରସ୍କୃତ ହୋଇଥିଲେ। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ବାରିପଦାର ବରିଷ୍ଠ ସମାଜସେବୀ ଓ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମହାମହିମ ରାଜ୍ୟପାଳ ଡଃ ଗଣେଷୀଲାଲଜୀ ଏହି ବର୍ଷର The Indian Golden Award 2023 ସମ୍ମାନରେ ସମ୍ମାନିତ କରିଛନ୍ତି। ଯାହାକି ସମାଜ ସେବା କ୍ଷେତ୍ରରେ ଏକ ଗୌରବର ବିଷୟ ଓ ଇତ୍ୟବସରରେ ସମାଜସେବୀ ଡଃ ପୋଥାଳ ଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି।

Categories
ବିଶେଷ ଖବର

ଆଶା ଓ ଆଶଙ୍କାର ଦୋଛକିରେ ୭୫ ବର୍ଷର ରାଜଧାନୀ

ସୁବାଷ କୁମାର ତାରଣିଆଁ

ଭୁବନେଶ୍ଵର: ଏପ୍ରିଲ ମାସ ୧୩ ତାରିଖରୁ ୧୫ ତାରିଖ ତିନିଦିନ ଧରି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ରାଜଧାନୀ ଭାବରେ ୭୫ ବର୍ଷରେ ପଦାର୍ପଣ କରିଥିବାରୁ ଏ ନେଇ ପୂର୍ବରୁ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ୧୯୪୮ ମସିହା ଅପ୍ରେଲ ମାସ ୧୪ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସର ମୂଳଦୁଆ ପଡ଼ିଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଆଜିର ଦିନରେ ଭୁବନେଶ୍ୱରରେ ରାଜଧାନୀର ଶିଳାନ୍ୟାସ ସ୍ଥାପନ କରିଥିଲେ।

ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଐତିହାସିକ ସହର ତଥା ଓଡ଼ିଶାର ସର୍ବ ପୁରାତନ ସହର କଟକ ଥିଲା ଓଡ଼ିଶାର ରାଜଧାନୀ। କିନ୍ତୁ କଟକର ସହରର ଦୁଇ ପାର୍ଶ୍ଵ ଦେଇ ମହାନଦୀ ଓ କାଠଯୋଡ଼ି ନଦୀ ପ୍ରବାହିତ ହେବା ତଥା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ କଟକ ସହର ରାଜଧାନୀ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ହେବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା।

ଉକ୍ତ କମିଟି ପ୍ରଥମେ ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟଭାଗରେ ଥିବା ରଙ୍ଗେଇଲୁଣ୍ଡାକୁ ଓଡ଼ିଶାର ରାଜଧାନୀ ସ୍ଥାପନ ନିମନ୍ତେ ଉପଯୁକ୍ତ ସ୍ଥାନ ଭାବେ ପରିକଳ୍ପନା କରିଥିଲେ। ମାତ୍ର ଉକ୍ତ କମିଟି ରଙ୍ଗେଇଲୁଣ୍ଡା ସମ୍ପର୍କରେ ସବିଶେଷ ବିଚାର ବିମର୍ଷ ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଧ୍ୟାନ କରାଯାଇଥିଲା। ମାତ୍ର ଏହି ନୂତନ କମିଟି ରଙ୍ଗେଇଲୁଣ୍ଡାର ପାରିପାର୍ଶ୍ଵିକ ପରସ୍ଥିତିକୁ ତର୍ଜମା କରି ଏଠାରେ ରାଜଧାନୀ ସ୍ଥାପନକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସରକାର ପୁଣି ସ୍ଥାନ ନିରୂପଣ ପାଇଁ ଆଉ କମିଟି ଗଠନ କରିଥିଲେ ଏବଂ ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଓ ପ୍ରତିବନ୍ଧକ ଦେଖାଯିବାରୁ ତାକୁ ମଧ୍ୟ ବାତିଲ୍ କରିବାକୁ ପଡ଼ିଥିଲା। ସେହି ସମୟ ମଧ୍ୟରେ କଟକ ଜିଲ୍ଲାର ବାରଙ୍ଗ, ଚୌଦ୍ୱାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ରାଜ୍ୟର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା।

ପରବର୍ତ୍ତୀ ଭୁବନେଶ୍ୱରର ପ୍ରାକୃତିକ ପରିବେଶ, ଐତିହାସିକ କୀର୍ତ୍ତିରାଜି, କଳାସ୍ଥାପତ୍ୟ, ଉନ୍ନତମାନର ସ୍ୱାସ୍ଥ୍ୟସେବା ସର୍ବୋପରି ଗମନା ଗମନର ସୁବିଧା ଓ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ରାଜଧାନୀ ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ହିଁ ଉପଯୁକ୍ତ ସହର ବୋଲି ଗଠିତ କମିଟି ଦ୍ୱାରା ଚୟନ କରାଯାଇଥିଲା।

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର ଆସି ନୂତନ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ସେ ସମୟରେ ଭୁବନେଶ୍ୱର ଲୋକସଂଖ୍ୟା ଥିଲା କେବଳ ୧୭ ହଜାର। ମାତ୍ର ୨୦୨୨ ସୁଦ୍ଧା ଭୁବନେଶ୍ୱର ଲୋକ ସଂଖ୍ୟା ୧୨ ଲକ୍ଷ ୫୮ ହଜାରରେ ପହଞ୍ଚିଛି। ୨୦୧୯ ମସିହାରେ ୧୧ ଲକ୍ଷ ୬୩ ହଜାର ଥିଲାବେଳେ, ୨୦୨୦ରେ ୧୧ ଲକ୍ଷ ୯୪ ହଜାର, ୨୦୨୧ରେ ୧୨ ଲକ୍ଷ ୨୬ ହଜାର ଥିଲା। ଏହି ପରିସଂଖ୍ୟନକୁ ତର୍ଜମା କଲେ ପ୍ରତିବର୍ଷ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଉଛି ବୋଲି ଧରିନେବାକୁ ହେବ।

ସେ ସମୟର ସ୍ୱଳ୍ପ ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର ଏକ ଛୋଟ ଏନ୍‌ଏସି ଜରିଆରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲା। ସମୟକ୍ରମେ ଭୁବନେଶ୍ୱରର ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ମ୍ୟୁନିସିପାଲିଟିରେ ପରିଣତ କରାଯାଇଥିଲା। ସେ ସମୟରେ ମାତ୍ର ୩୦ଜଣ କାଉନସିଲରଙ୍କୁ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ କରୁଥିଲା। ମାତ୍ର ରାଜଧାନୀ ପ୍ରତିଷ୍ଠା ପରେ ଭୁବନେଶ୍ୱରର ବିକାଶ ଓ ଅଭିବୃଦ୍ଧି ଦୃତଗତିରେ ବୃଦ୍ଧି ପାଇଥିଲା ଏବଂ କିଛି ବର୍ଷପରେ ଭୁବନେଶ୍ୱର ମହାନଗର ନିଗମ ପରିସରକୁ ଆସିଲା ଏବଂ ୬୭ କର୍ପୋରେଟ ଓ ଜଣେ ମେୟରଙ୍କୁ ନେଇ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାରୀ ହୋଇ ସହରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ପରିବେଶ ଦିଗରେ କାର୍ଯ୍ୟ କରିଚାଲିଛି।

ରାଜଧାନୀ ପ୍ରତିଷ୍ଠା ପରେ ଏବେ ଏହି ସହରରେ ବିଧାନସଭା, ସଚିବାଳୟ, ମୁଖ୍ୟ ଡ଼ାକଘର, ରିଜର୍ଭ ବ୍ୟାଙ୍କ, ପୋଲିସ୍ କମିଶନରେଟ କାର୍ଯ୍ୟାଳୟ, ବାଣୀବିହାର, ବିଭାଗୀୟ ମୁଖ୍ୟ ଦପ୍ତର, ବିଧାୟକ ଓ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ସମେତ ଅନେକ ସରକାରୀ ବେସରକାରୀ ସଂସ୍ଥା ଗଢିଉଠିଛି। ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରାଜଧାନୀ ଭୁବନେଶ୍ୱରର ପରିବେଶ, ପରିମଳ, ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଦିନକୁ ଦିନ ରାଜଧାନୀ ବହୁ ସମସ୍ୟା ଦେଇ ଗତି କରୁଛି।

ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଯଦି ଭୁବନେଶ୍ୱର କଥା ଆଲୋଚନା କରିବା, ତେବେ ସେତେବେଳେ ଭୁବେନଶ୍ୱରର ରାସ୍ତାଘାଟ ଏତେ ଉନ୍ନତମାନର ନଥିଲା। ଭୁବନେଶ୍ୱରରୁ କଟକ ଯିବା ପାଇଁ ଏକଥାକିଆ ଅଣଓସାରିଆ ରାସ୍ତା ଥିଲା। ଫଳରେ ଭୁବନେଶ୍ୱରରୁ କଟକ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ରାସ୍ତା ପ୍ରଶସ୍ତ ନଥିବାରୁ ଯାତ୍ରୀମାନଙ୍କୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସେ ଅସୁବିଧା ଦୂର ହୋଇଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ରାସ୍ତାଘାଟ, ପରିବେଶ, ପରିଚ୍ଛନ୍ନତା ଓ ସହରର ସୌନ୍ଦର୍ଯ୍ୟକରଣ ଦୃତଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ ଭୁବନେଶ୍ୱରକୁ ‘ସ୍ମାର୍ଟ ସହରର’ର ମାନ୍ୟତା ମିଳିଛି। ଭୁବନେଶ୍ୱରକୁ ସ୍ମାର୍ଟ ସହର ମାନ୍ୟତା ମିଳିବା ପରେ ଏହି ସହର ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଦେଶ ସ୍ୱାଧୀନ ହେବା ପରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ତଥା ରାଜଧାନୀ ନିର୍ମାତା ଡଃ ହରେକୃଷ୍ଣ ମହତାବ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ପ୍ରଥମ ନିଳଗିରି ଗଡ଼ଜାତ ମିଶ୍ରଣ, ଡିସେମ୍ବର ୧୪ରେ ୨୪ଟି ଗଡ଼ଜାତ ମିଶ୍ରଣ ଓ ୧୯୪୮ ମସିହା ଜାନୁୟାରୀ ୧ରେ ମୟୁରଭଞ୍ଜ ଗଡ଼ଜାତ ମିଶ୍ରଣ ଏହିପରି ମୋଟ ୨୬ଟି ଗଡ଼ଜାତ ମିଶ୍ରଣ କରି ୧୩ଟି ଜିଲ୍ଲା ଗଠନ କରିଥିଲେ। ଓଡ଼ିଶାରେ ୧୩ଟି ଜିଲ୍ଲା ଗଠନର ୪୫ ବର୍ଷ ପୂର୍ତ୍ତି ପରେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ୧୩ଟି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରେ ରଖି ତଥା ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି, ଓଡ଼ିଶାର ସ୍ୱାଭିମାନ ଦୃଷ୍ଟିରୁ ଓଡ଼ିଶାରେ ୧୩ରୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ।

ଯାହା ଆଜି ପର୍ଯ୍ୟନ୍ତି ବଳବତ୍ତର ରହିଛି। ବର୍ତ୍ତମାନ ଭୁବନେଶ୍ୱରର ଲୋକଂସଖ୍ୟା ୧୨ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଓଡ଼ିଶାର ୧୨ଜିଲ୍ଲା ଯଥା ଗଜପତି, ଦେବଗଡ଼, ବୌଦ୍ଧ, ଜଗତସିଂହପୁର, ସୁବର୍ଣ୍ଣପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ମାଲକାନଗିରି , ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ୭୫ ବର୍ଷରେ ପଦାର୍ପଣ କରିଥିବା ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ନ ମିଳିବା ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି।

ଯାହାକୁ ନେଇ କିଛି ସ୍ୱେଚ୍ଛାସେବୀ ସଂଗଠନ, ଚିନ୍ତନଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ, ସ୍ୱାମିମାନ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ତାହା ବାସ୍ତବରେ ପରିଣତ ହୋଇପାରି ନାହିଁ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଭୁବନେଶ୍ୱର ବହୁବର୍ଷ ଧରି ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲାବେଳେ ନବେ ଦଶକରୁ ଖୋର୍ଦ୍ଧା ଜିଲ୍ଲା ଅଧିନରେ ପରିଣତ ହୋଇଛି। ରାଜଧାନୀର ଦୃତ୍ତ ଭିତ୍ତିଭୂମି, ବିକାଶ, ପରିବେଶ ପରିମଳ, ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ଏବଂ ସର୍ବୋପରି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ତାହା ହିଁ ହେବ ଭୁବନେଶ୍ୱରବାସୀଙ୍କ ପ୍ରତି ଏକ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ, ଭୁବନେଶ୍ୱର ଆଜି ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲା କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାଲକୋର ନିର୍ଦ୍ଦେଶକ(କମର୍ସିଆଲ) ସଦାଶିବ ସାମନ୍ତରାୟ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଆଇଚ୍ ପ୍ରମୁଖ ଯୋଗ ଦେଇଥିଲେ। ଢେଙ୍କାନାଳ ସାଂସ୍କୃତିକ ପରିଷଦର ସଭାପତି ଡଃ. ସୌରେନ୍ଦ୍ର କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସମାରୋହରେ ଅନୁଷ୍ଠାନର ସଂପାଦକ ପ୍ରେମାନନ୍ଦ ବିଶ୍ୱାଳ ଉତ୍ସବ ଆୟୋଜନ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ମରଣିକା ‘ଅନନ୍ୟ ଢେଙ୍କାନାଳ’ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, ସାରସ୍ୱତ ସାଧକ ପଦ୍ମଶ୍ରୀ ପଣ୍ଡିତ ଡଃ. ଅନ୍ତର୍ଯ୍ୟାମୀ ମିଶ୍ର, ଚଳଚିତ୍ର ପ୍ରଯୋଜନ ଘନଶ୍ୟାମ ମହାପାତ୍ର, ଆରକ୍ଷୀ ଅଧିକାରୀ, ଆସିକା ପ୍ରଶାନ୍ତ ସାହୁ, ପରିବେଶବିତ୍ ଶୁଭ୍ରାଂଶୁ ସତପଥି , ସମାଜ ସେବିକା ଅଙ୍କିତା ସାହୁ ଏବଂ ସମାଜସେବୀ ଦଣ୍ଡଧର ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳ ଉତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା ତଥା ରାଜ୍ୟରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦର ସଂପାଦକ ପ୍ରେମାନନ୍ଦ ବିଶ୍ୱାଳଙ୍କୁ ‘ଢେଙ୍କାନାଳ ଗୌରବ ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗୁରୁ ଗୈରୀଶଙ୍କର ଦାଶଙ୍କ ନିର୍ଦ୍ଦେଶନାରେ ‘ଦେବାଂଶୀ ଏକାଡେମୀ’ର କଳାକାରମାନେ ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ , ଡଃ. ଜୟଶ୍ରୀ ଧଳ, ଡଃ. ମୋନାଲିସା ପାଳ, ସୌମ୍ୟ ମହାନ୍ତିଙ୍କ ଦ୍ୱାରା କଣ୍ଠ ସଂଗୀତ, ରୂପାଲୀ ପାଣି ଓ ଆୟୁଷ୍ମାନ ମହାପାତ୍ରଙ୍କ ଦ୍ୱାରା ଆଧୁନିକ ନୃତ୍ୟ , ନବଜୀବନ ନାଟ୍ୟ ଶାସ୍ତ୍ର ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ, ଖେମୁଣ୍ତି ଲୋକନାଟ୍ୟ ଏକାଡେମୀ,ଦିଗପହଣ୍ଡି ଦ୍ୱାରା ମାଣିକ (ମୁଖା ନୃତ୍ୟ), ଶିବ ପାର୍ବତୀ ଗୋଟିପୁଅ ନାଟ୍ୟ ପରିଷଦ, ସାକ୍ଷୀଗୋପାଳ ଦ୍ୱାରା ଗୋଟିପୁଅ ନୃତ୍ୟ ଆଦି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବସନ୍ତ କୁମାର ପଟ୍ଟନାୟକ ହାସ୍ୟରସ ପରିବେଷଣ କରିଥିଲେ।

ଢେଙ୍କାନାଳ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ରୂଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅବନୀକାନ୍ତ ମିଶ୍ର ମଂଚ ପରିଚାଳନା କରିଥିଲେ। ସଂପ୍ରତି ବିଶେଷ କରି ଦ୍ୱେତ ନଗରୀ ଭୁବନେଶ୍ୱର-କଟକରେ ସ୍ଥାୟୀ ଭାବେ ରହୁଥିବା ଢେଙ୍କାନାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବା ନିମନ୍ତେ ଏହି ଏକ ଦିବସୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ସାମନ୍ତ ଜ୍ୟୋତି ରଂଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱକବି ରବୀନ୍ଦ୍ରନାଥଙ୍କୁ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପସ୍ଥିତ ତାଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।

ବିଧାୟକ ପ୍ରଫୁଲ୍ଲ ସାମଲ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସୁଶାନ୍ତ ସାହୁ, ଗୁରୁଚରଣ ସାହୁ, ସତ୍ୟବ୍ରତ ଜେନା, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ଅନୁବାଦ ସାହିତ୍ୟ ଦ୍ୱାରା ବିଭିନ୍ନ ଭାଷାରେ ରଚିତ ସାହିତ୍ୟକୃତି ବିଶ୍ୱପାଠକମାନଙ୍କ ନିକଟରେ ପହଁଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସେଥିପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ସହ ପ୍ରତିଷ୍ଠିତ ଲେଖକମାନଙ୍କ ରଚନାର ଅନୁବାଦ ହେବା ଆବଶ୍ୟକ ଯାହା ଦ୍ୱାରା ସାହିତ୍ୟ ପରିବ୍ୟାପ୍ତ ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ।

ନିର୍ଦ୍ଦେଶକ ଶ୍ରୀ ରାଉତରାଏ କହିଲେ ଯେ ଆଗାମୀ ଦିନରେ ସାହିତ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ ହେବ। ଓଡ଼ିଆ ପୁସ୍ତକକୁ ଅନ୍ୟ ଭାଷାରେ ଏବଂ ଅନ୍ୟ ପ୍ରସିଦ୍ଧ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ବ୍ୟବସ୍ଥା କରାଯିବ। ସ୍ୱାଧୀନତା ପୂର୍ବର ଗଡ଼ଜାତ ଆନ୍ଦୋଳନ ନେତା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଧର୍ମପନିୀ ବିଶିଷ୍ଟ ଲେଖିକା ଓ ଚିତ୍ରଶିଳ୍ପୀ ଫ୍ରିଡାଙ୍କ ମ୍ୟାରେଜ ଟୁ ଇଣ୍ଡିଆ ପୁସ୍ତକର ଓଡ଼ିଆ ଅନୁବାଦ କରାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଶ୍ରୀ ରାଉତରାଏ ମତବ୍ୟକ୍ତ କରିଥିଲେ।

ଏହା ବ୍ୟତୀତ ଆଗାମୀ ଦିନରେ ବରପୁତ୍ରମାନଙ୍କ ସ୍ମୃତି ରକ୍ଷା ସହ ସେମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ସହ ଦେଶ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ସହଯୋଗରେ ପାଳନ କରିବାକୁ ବ୍ୟବସ୍ଥା କରାଯାଇ ଓଡିଶାକୁ ପୂଜ୍ୟପୂଜା କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଦେଶର ମଡେଲ ଭାବେ ସ୍ଥାନିତ କରାଯିବ। ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିବିଧ କାର୍ଯ୍ୟକ୍ରମ ଯଥା: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ବାଲେଶ୍ୱର ଶଙ୍ଖାରୀସ୍ଥିତ ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ପ୍ରକଳ୍ପ, ଭଦ୍ରକ ଗରଦପୁରସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମ, କଟକର ଉତ୍କଳ ଗାନ୍ଧୀ ସ୍ମାରକନିଧି, ଖୋଦ୍ଧା କେନ୍ଦୁଲୀସ୍ଥିତ ଶ୍ରୀଜୟଦେବ ପୀଠ, ପୁରୀ ଜିଲ୍ଲା ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମାରକୀ ପ୍ରକଳ୍ପ, ଜିଲ୍ଲା ପାଠାଗାର ତଥା ଅନ୍ୟାନ୍ୟ ବିଭାଗୀୟ ପାଠାଗାର ପରିଚାଳନା, ଜିଲ୍ଲା ସଂସ୍କୃତି ପରିଷଦ/ ତଥା ଜିଲ୍ଲା ସାଂସ୍କୃତିକ ପାଣ୍ଠି ବିନିଯୋଗ, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ, ଆଦର୍ଶ ବରପୁତ୍ର ଗ୍ରାମ, ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ, ବିଭାଗ ଅଧିନରେ ପରିଚାଳିତ ରାଜ୍ୟ ଏକାଡେମୀଙ୍କ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି କର୍ମଶାଳାରେ ଯୋଗଦେଇ ନିଜ ସଂସ୍କୃତିକୁ ଭଲପାଇବା ସହ ତାହାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ବିଭାଗର କାର୍ଯ୍ୟକୁ ନିଷ୍ଠାର ସହ ସଫଳ ଭାବରେ କାର୍ଯ୍ୟକାରୀ କରିବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶିକା ଆରତୀ ସାହୁ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଅର୍ଥ ପରାମର୍ଶଦାତା ତଥା ଉପଶାସନ ସଚିବ ପଦ୍ମଜ୍ୟୋତି ସାହୁ, ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ଏକାଡେମୀର ସଚିବ, ରାଜ୍ୟ ପ୍ରନିତତ୍ତ୍ୱ ସଂସ୍ଥାର ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଦୁଇଦିନିଆ କର୍ମଶାଳାରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାନ୍ଥନିବାସ ପକ୍ଷରୁ ‘ପରିଚୟ’- କଣ୍ଟେଣ୍ଟ କ୍ରିଏଟର୍ସ ମିଟ୍ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ‘ଫୁଡିଜ୍ ଅଫ ଭୁବନେଶ୍ୱର’ ଏବଂ ଓ ‘ଚଲୋ ଓଡ଼ିଶା ପାନ୍ଥନିବାସ’ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ରବିବାର ‘ଓଡ଼ିଶା ପର୍ଯ୍ୟଟନ’ ପକ୍ଷରୁ ଖାଦ୍ୟ, ଭ୍ରମଣ, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର କଣ୍ଟେଣ୍ଟ କ୍ରିଏଟର୍ସ (ବିଷୟବସ୍ତୁ ସୃଷ୍ଟିକାରୀ)ଙ୍କ ପାଇଁ ଏକ ପ୍ରଶଂସା ଦିବସ ‘ପରିଚୟ’ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମକୁ ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଏଥିରେ କଳା କ୍ଷେତ୍ରର ସ୍ୱନାମଧନ୍ୟ ବ୍ୟକ୍ତି- ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଓ ଓଡ଼ିଆ ରାପର୍ ବିଗ୍ ଡିଲ୍ ଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଭ୍ରମଣ, ହାସ୍ୟରସାତ୍ମକ, କଳା, ସଂସ୍କୃତି ଏବଂ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କ୍ଷେତ୍ରରେ ବିଷୟବସ୍ତୁ ରଚନା କରୁଥିବା ପ୍ରାୟ ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଭାବଶାଳୀ ଭାବେ ବିଷୟବସ୍ତୁ ରଚନା କରୁଥିବା ଏହି କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଭୂମିକା ଉପରେ ଆଲୋକପାତ କରି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଓଡ଼ିଶାକୁ ପର୍ଯ୍ୟଟନ ଓ ସଂସ୍କୃତିର କେନ୍ଦ୍ର ଭାବେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଯେଭଳି ଭାବେ ଗୁରୁତ୍ୱ ଦେଉଛନ୍ତି , ସମ ଭାବରେ ଏହାକୁ ଫଳପ୍ରସୂ କରିବାରେ ଆଜିର ପିଢ଼ିର ଭୂମିକା ସେହିପରି ଗୁରୁତ୍ୱ ବହନ କରୁଛି। କାର୍ଯ୍ୟକ୍ରମରେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଦ୍ୱାରା ଉପସ୍ଥାପିତ ଆଶ୍ଚର୍ଯ୍ୟଜନକ ବିଷୟବସ୍ତୁ କେବଳ ମନୋରଞ୍ଜନ କରେ ନାହିଁ ବରଂ ଓଡ଼ିଶାର ବିଭିନ୍ନ ମନୋରମ ପ୍ରାକୃତିକ ଗନ୍ତବ୍ୟ ସ୍ଥଳ, ଖାଦ୍ୟ, ଏହାର ଲୋକ ସଂସ୍କୃତି ଇତ୍ୟାଦି ଉପରେ ସଚେତନତା ସୃଷ୍ଟି କରେ।

ପାରମ୍ପରିକ ପ୍ରକାର ମାର୍କେଟିଂ ତୁଳନାରେ ଏଭଳି ଅନୁଭୂତିମୂଳକ ବିଷୟବସ୍ତୁର ପ୍ରଭାବ ଅଧିକ ପ୍ରଭାବଶାଳୀ। ସୃଜନଶୀଳ ବିଷୟବସ୍ତୁ ମାଧ୍ୟମରେ ଯାତ୍ରୀଙ୍କ ମନରେ ‘ବ୍ରାଣ୍ଡ ଓଡ଼ିଶା’ର ରୂପାନ୍ତରଣରେ ସାହାଯ୍ୟ କରୁଥିବା ଏହି ବ୍ଲଗିଂ ସମ୍ପ୍ରଦାୟ ସ୍ଥାନୀୟ ଲୋକମାନଙ୍କର ଜୀବିକା ବିକାଶରେ ମଧ୍ୟ ସାହାଯ୍ୟ କରିଥିବାରୁ ଡଃ. ମହାନ୍ତି ସେମାନଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ। ସୋସିଆଲ ମିଡିଆ ଉପଯୋଗ ଜରିଆରେ ‘ଫୁଡିଜ୍ ଅଫ୍ ଭୁବନେଶ୍ୱର’ ଓ ‘ଚଲୋ ଓଡ଼ିଶା’ କମ୍ୟୁନିଟି ବ୍ଲଗିଂମାନେ ଓଡ଼ିଶାର ଖାଦ୍ୟ ଓ ଟ୍ରାଭେଲ ବ୍ଲଗରମାନଙ୍କୁ ଏକାଠି କରି ଓଡିଶାରେ ପର୍ଯ୍ୟଟନ ଓ ସଂସ୍କୃତିର ଏଠାରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଶ୍ରେୟ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ପର୍ଯ୍ୟଟନକୁ ଡିଜିଟାଲ ମାଧ୍ୟମରେ ପ୍ରୋତ୍ସାହିତ କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ବିଷୟବସ୍ତୁ ନିର୍ମାତାମାନଙ୍କ ପାଇଁ ନେଟୱାର୍କ, ଚିନ୍ତାଧାରା ଆଦାନପ୍ରଦାନ ଏବଂ ପ୍ରେରଣା ପାଇବାର ଏକ ପ୍ଲାଟଫର୍ମ ଥିଲା ବୋଲି ଅଂଶଗ୍ରହଣକାରୀମାନେ ପାରସ୍ପରିକ ଭାବ ବିନିମୟ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଡାକ୍ତର ପ୍ରଫେସର ସରୋଜିନୀ ଷଡଙ୍ଗୀ ଏବଂ ପ୍ରଫେସର ଡାକ୍ତର ରମାରମଣ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଆର୍.କେ.ପଲେଇ, ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଅଂଶୁମାନ ରଥଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥି ଓ ଅଂଶଗ୍ରହଣକାରୀଙ୍କ ପାଇଁ ଉପଲବ୍ଧ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ଉପଲବ୍ଧ କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।