Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସହରାଞ୍ଚଳରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା। ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ।

ବଡ଼ଗଡ଼ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଉପ କମିଶନର ମନୋରଞ୍ଜନ ସାହୁ, ରମେଶ ଚନ୍ଦ୍ର ଜେନା, ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ଉପସ୍ଥିତ ଥିଲେ। ଏଥିରେ ଆଧାର ସଂଶୋଧନ ଶିବିର ଓ ପ୍ରଧାନମନ୍ତ୍ରୀ ସ୍ବନିଧି ଶିବିର ଆୟୋଜନ କରାଯାଇ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଜ୍ବଳା ଓ ଆଧାର କାର୍ଡ ହିତାଧିକାରୀମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଆଦି ସହରରେ ଅଭିଯାନ ଆରମ୍ଭ ହୋଇଛି । କଟକରେ ଏହି ଅଭିଯାନରେ ମେୟର ସୁବାସ ସିଂ ଏବଂ ବିଧାୟକ ମହମ୍ମଦ ମୁକିମ ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୫ ତାରିଖରେ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନାର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ବିଜ୍ଞାନ ପଦାଧିକାରୀଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ ଆଇ ସି), ଭୁବନେଶ୍ୱର ଠାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଅଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି  ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଏନଆଅଇସିର ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ରହିଛି। ଜିଲ୍ଲାସ୍ତରରେ ଏନଆଇସି ବହୁତ ଭଲ କାମ କରିଛନ୍ତି। ଜିଲ୍ଲାପାଳମାନଙ୍କ ତତ୍ୱାବଧାନରେ  ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁ କାର୍ଯ୍ୟ ସଂପାଦନ କରିବାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ଏହି ସଫଳତା ଆଧାର ତଥା ଅତୀତର କାର୍ଯ୍ୟ ପଦ୍ଧତିକୁ ବିଶ୍ଲେଷଣ କରି ଆଗାମୀ ଦିନରେ ସୂଚନା ବିଜ୍ଞାନ ଅଧିକାରୀମାନେ ଅଧିକରୁ ଅଧିକ ଭଲ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିବା ସହିତ ସୂଚନା ବିଜ୍ଞାନୀମାନଙ୍କୁ  ଉତ୍ସାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସୂଚନା ବିଜ୍ଞାନୀମାନଙ୍କର ବୈଷୟିକ ଜ୍ଞାନ କ୍ଷେତ୍ରରେ ଦକ୍ଷତା ରହିଛି। ସବୁବେଳେ କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ରାଜ୍ୟର ଯେଉଁ ପ୍ରକଳ୍ପ କାର୍ଯ୍ୟକାରିତାରେ ଏନଆଇସିର ଭୂମିକା ରହୁଛି, ସେସବୁକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଆଇଟି କ୍ଷେତ୍ରରେ ଯୋଗଦାନ କରୁଥିବା ଅଧିକାରୀମାନଙ୍କ ପ୍ରତି ସେ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ନିଷ୍ଠା, ଅଭିଜ୍ଞତାସଂପନ୍ନ ଏବଂ  ଦକ୍ଷତା ରଖୁଥିବା  ଆଇଟି ବୃତ୍ତିଧାରୀ ଅନୁଷ୍ଠାନଗୁଡିକ ପାଇଁ ମୂଳପୁଞ୍ଜି ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମ ତଥା ରାଜ୍ୟ କର୍ମଚାରୀ ରାଜ୍ୟ ବୀମା ବିଭାଗ  କମିଶନର ତଥା ଶାସନ ସଚିବ ସନ୍ଥନାଗୋପାଳନ ଆର. ଯୋଗଦେଇ ନାଗରିକମାନଙ୍କୁ ସେବା ଯୋଗାଇବାରେ ନୂତନ ଜ୍ଞାନ କୌଶଳ ତଥା କୃତିମ ବୁଦ୍ଧିମତା, ବ୍ଳକଚେନ, ଭରଚୁଆଲ ରିଅଲିଟି ଆଦି ଉପରେ ଆଲୋକପାତ କରିଥିଲେ।

ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ଯୋଗଦେଇ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏନଆଇସିର ଭୂମିକା ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ୍ ଜିଲ୍ଲାସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନ୍ଵୟନ, ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକରଣ, କଟକର ବାଲିଯାତ୍ରାରେ ସାଧାରଣ ଜନତାଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସଚେତନତା ଆଦି ପ୍ରଚେଷ୍ଟା ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପ୍ରଶଂସନୀୟ ଭୂମିକା ସଂପର୍କରେ ସେ ପ୍ରକାଶ କରିଥିଲେ। ଆସନ୍ତା ତିନି ଦିନରେ କୃଷି, ପରିବହନ, ରାଜସ୍ୱ ଆଦି ବିଭିନ୍ନ ବିଭାଗର ପ୍ରକଳ୍ପ ଉପରେ ବିଭିନ୍ନ ଆଲୋଚନା ରହିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏନ. ଆଇ. ସି. ଓଡିଶାର ମୁଖ୍ୟ ପ୍ରକଳ୍ପ ଗୁଡିକର ଏକ ବାର୍ଷିକ  କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡଃ. ରାମକୃଷ୍ଣ ଦାଶ, ଏନଆଇସିର  ଉପ ମହାନିର୍ଦ୍ଦେଶକ ଓ ଜୟନ୍ତ  କୁମାର ମିଶ୍ର, ଦକ୍ଷତା ବିକାଶ ବିଭାଗ ମୁଖ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଏମ୍‌.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍‌.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍‌ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍‌ନୋଲୋଜି (ବିଏଚ୍‌ଏମ୍‌ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି। ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଉପଯୁକ୍ତ ସୁଯୋଗ ମିଳିଲେ ଆଗାମୀ ଦିନରେ ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବାର ସାମର୍ଥ୍ୟ ରଖିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ  ଆଲୋଚନା ଚକ୍ରର ଉଦଘାଟନୀ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରର ଶୀର୍ଷକ ରହିଛି  “ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ସ୍ଥାପନ ଉପରେ ପ୍ରତିଫଳନ” । ଏହା ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଆମର ସାମୂହିକ ପ୍ରୟାସର ଏକ ଅଂଶବିଶେଷ । ପୂର୍ବୋଦୟ ମିଶନର ସବୁଠାରୁ ବଡ଼ ଲାଭାର୍ଥୀ ଓଡ଼ିଶା ହୋଇଛି । ମିଶନ ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୃଷ୍ଟିକୋଣ ନୂତନ ସୁଯୋଗ ସୃଷ୍ଟି କରୁଛି ।  ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ମାନବ ପୁଞ୍ଜି ଏବଂ ଭୌଗଳିକ ଅବସ୍ଥିତି ସହ ପୂର୍ବ ଭାରତ ଓ ଓଡ଼ିଶା ଆଗାମୀ ଦିନରେ ବିକଶିତ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି ୧୦ କୋଟି ଲୋକ “ପୂର୍ବୋଦୟ” ଅର୍ଥାତ୍ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟସମୂହରେ ବସବାସ କରନ୍ତି । ଆମର ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶର ସଂସ୍କୃତି ପ୍ରାୟ ସବୁ ଏକାପରି । ଏହି ଅଞ୍ଚଳର ସମ୍ଭାବନା ହିମାଳୟ ଠାରୁ ବି ବଡ । ଓଡ଼ିଶା ସମେତ ଏହି ରାଜ୍ୟ ସମୂହରେ ଦକ୍ଷତାର କୌଣସି ଅଭାବ ନାହିଁ । ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ପରିଶ୍ରମୀ ମାନବ ସମ୍ବଳ ବସବାସ କରନ୍ତି । ଅତୀତରେ ଏଠାରେ ଅନେକ ବଡ ବଡ କୀର୍ତ୍ତିମାନ ସ୍ଥାପନ ହୋଇଛି । ଏହି ସବୁ ଅଞ୍ଚଳର ସାମଗ୍ରିକ ବିକାଶର ରାସ୍ତା ଭାରତ ଦେଇ ହେବ । ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ ଭଳି ଅଞ୍ଚଳରେ ବନ୍ଦର ସଂଯୋଗୀକରଣ, ବୌଦ୍ଧିକ କ୍ଷମତାର ନେଟଓ୍ୱାର୍କିଂ, ସମ୍ବଳ ପରିଚାଳନା ଅଛି ତଥା ବିଶ୍ୱର ଅନ୍ୟ ଅଞ୍ଚଳକୁ ଯୋଡିହେବାର ରାସ୍ତା ଭାରତ ଦେଇ ଅଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ଆକ୍ଟ ଇଷ୍ଟ’ ନୀତିର ଯୁଗ ଆରମ୍ଭ ହୋଇଛି । ଯୋଗାଯୋଗ ମୋଦି ସରକାରଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ହୋଇଛି । ବିକଶିତ ଭାରତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଉତ୍ତର ତଥା ଭାରତର ପୂର୍ବାଞ୍ଚଳରେ ଯୋଗାଯୋଗ ସ୍ଥାପନକୁ ମଜଭୂତ୍ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ମତ ଦେଇଛନ୍ତି । “ପୂର୍ବୋଦୟ” କେବଳ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର ଏକତ୍ରୀକରଣ ନୁହେଁ, ବରଂ ନଦୀ ଏବଂ ସମୁଦ୍ରର ନେଟଓ୍ୱାର୍କକୁ ଉପଯୋଗ କରି ଏହି ରାଜ୍ୟଗୁଡ଼ିକୁ ଏସିଆର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହିତ ଅବିଚ୍ଛେଦ୍ୟ ଭାବରେ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ପଡୋଶୀ ଦେଶ ଗୁଡିକ ସହ ଯେତେବେଳେ ଭାରତ ସମ୍ପର୍କ ମଜଭୂତ୍ ହେଉଛି ସେହି ସମୟରେ ପୂର୍ବୋଦୟର ସମ୍ଭାବନାକୁ ଉପଯୋଗ କରି ଭାରତକୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପରିଣତ କରିବା ଆମର ଦାୟିତ୍ୱ ।

ଆମର ଗୌରବମୟ ବାଲିଯାତ୍ରା ହେଉଛି ଯୋଗାଯୋଗର ପ୍ରତୀକ  ଓ ମିଶନ ପୂର୍ବୋଦୟ ହେଉଛି ପୁନରୁତ୍ଥାନ ଏବଂ ପୁନଃଆବିଷ୍କାରର ପ୍ରତୀକ ।  ଯୋଗାଯୋଗ ସ୍ଥାପନାକୁ ବିକଶିତ କରିବାର ଅର୍ଥ ଅର୍ଥନୈତିକ ଏବଂ ସାମାଜିକ ବିକାଶ କରିବା । ଆମେ ଯେତେବେଳେ ବାଲିଯାତ୍ରା ପାଳନ କରୁଛେ ଏକବିଂଶ ଶତାବ୍ଦୀରେ ନିଜର ବିଚାର ଆଧାରରେ ପୃଥିବୀର ନେତୃତ୍ୱ ନେବାର କ୍ଷମତା ଆମ ପାଖରେ ଅଛି । ଆଜି ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀତାକୁ ଆଗକୁ ନେବା ପାଇଁ ଏହି ସେମିନାରର ଆୟୋଜନ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ; ଏନର୍ଜି ଫୋରମ ଇଣ୍ଡିଆ ସହିତ ମିଶି “ପୂର୍ବୋଦୟ”ର ଲାଭ ଉଠାଇବା ଏବଂ ଏହାକୁ ବିଶ୍ୱର ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏକ କାର୍ଯ୍ୟକାରୀ ଚିନ୍ତାଧାରା ଏବଂ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଞ୍ଚଳିକ ସ୍ତରରେ ଯୋଗାଯୋଗ ସ୍ଥାପନ ବିଶ୍ୱ ଅର୍ଥନୀତିରେ ପ୍ରଭାବ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ କହିଛନ୍ତି ଯେ ଏହି ସମ୍ମିଳନୀ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବ ସମୂହ ଅଞ୍ଚଳର ବିକାଶ କ୍ଷେତ୍ରରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହେବ । ଭାରତ ଏବଂ ପୂର୍ବ ଏସିଆର ଦେଶ ମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିବାରେ ସହାୟକ ହେବ । ବିଶେଷତଃ ଯୋଗାଯୋଗ, ସାମୁଦ୍ରିକ ବାଣିଜ୍ୟ ଓ ଅର୍ଥନୀତି ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ । ପୂର୍ବ ଭାରତ ଏବଂ ଏହାର ପଡୋଶୀ ଦେଶ ଗୁଡ଼ିକ ବିଶ୍ଵ ଦରବାରରେ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତର ପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରାଇବା ଦିଗରେ  ଏନଏସଡିସି ସହ ବ୍ଲିନକିଟ୍, ଅପନା,କ୍ୟୁଇଜ୍ କ୍ରପ୍ ମଧ୍ୟରେ ପୃଥକ ପୃଥକ ତିନୋଟି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଉଲ୍ଲେଖନୀୟ, ଆଜିର ପ୍ରଥମ ଅଧିବେଶନରେ ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋଓ୍ୱାରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୌରଭ କୁମାର, ବାଂଲାଦେଶର ହାଇକମିଶନର ମୁସ୍ତାଫିଜୁର ରେହମାନ, ବୈଦେଶିକ ମନ୍ତ୍ରଣାଳୟର ସଚିବ(ଇଷ୍ଟ) ସୌରଭ କୁମାର, ବୈଜ୍ଞାନିକ ପଦ୍ମବିଭୂଷଣ ଡକ୍ଟର ଅନିଲ କାକୋଡକର, ସିଆଇଆଇର ସଭାପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ସିରିପୁର ନିକଟସ୍ଥ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ବେଳେ ବାର୍ଷିକ କ୍ରୀଡା ପ୍ରତି ଯୋଗିତା ସମାରୋହ ତିନି ଦିନ ଧରି କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା।

ଛାତ୍ରୀ ମାନଙ୍କ ମଧ୍ୟରେ ଚେସ, କ୍ୟାରମ, ବ୍ୟଡମିଣ୍ଟନ ଭଲି ପରି ଅନେକ କ୍ରୀଡା ପ୍ରତିଯୋଗିତା ହୋଇଥିଲା। ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟପିକା ଯୋଗ ଦେଇ କାଯ୍ୟକ୍ରମକୁ ସଫଳ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ- ୨୦୨୩”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ  “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ। ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ମାଇ ଭାରତ ସଂଗଠନ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ବଡ ସୁଯୋଗ ଦେଇଛି।

ଭାରତ @୨୦୪୭ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ବିକଶିତ ଭାରତ ପାଇଁ ପଞ୍ଚ ପ୍ରଣର ସଂକଳ୍ପ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ଆଜିର ଯୁବପିଢିଙ୍କ କାନ୍ଧରେ ହିଁ ଦେଶ ଚରମ ବୈଭବକୁ ପହଞ୍ଚିବ। ଏଥିପାଇଁ ଆମକୁ ଦାସତ୍ୱ ଓ ବିଦେଶୀ ମାନସିକତାକୁ ଦୂର କରିବାକୁ ହେବ। ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବାକୁ ହେବ। ଦେଶର ଏକତା ଓ ଅଖଣ୍ଡତାକୁ ଯେଭଳି କ୍ଷତି ନପହଞ୍ଚିବ, ସେଥିପାଇଁ ଆଗଭର ହେବାକୁ ପଡିବ। ନାଗରିକ ଭାବେ କେବଳ ଅଧିକାର ନୁହେଁ ବରଂ ସମାଜର କର୍ତ୍ତବ୍ୟ ଓ ଦାୟିତ୍ୱ ନେବା ପାଇଁ ପଡିବ। ଦାୟିତ୍ୱ ନେଲେ ହିଁ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରହିବ। ଚାକିରି କରିବା ପାଇଁ ନୁହେଁ, ଚାକିରି ଦେବା ପାଇଁ ପ୍ରସ୍ତୁତ ହେବା ପାଇଁ ପଡ଼ିବ। ଏଥିପାଇଁ ନିଜ ନିଜ ଢଙ୍ଗରେ ଯୋଜନା କରିବା ସହ ବଡ ଭାବିବା ଓ ବଡ ସ୍ୱପ୍ନ ଦେଖିବା ଦରକାର। ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାମାନେ ନିଜ ବିଷୟରେ ନୁହେଁ ବରଂ ପରିବାର ଓ ସମାଜ ପାଇଁ ଚିନ୍ତା କରିଥାଏ। ସାଧାରଣ ପରିବାରର ପିଲା ମାନେ ଏବେ ଅପାର ସମ୍ଭାବନାର ହିମାଳୟ ପର୍ବତର ଶିଖର ଛୁଇଁଛନ୍ତି।

ସାମାନ୍ୟ ଘର ପିଲାମାନେ ତଥା ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ମିଶନ ‘ଗଗନଯାନ’ର ଅଂଶ ହୋଇଛନ୍ତି। ଓଡ଼ିଆ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ସ୍ଥାନ ପାଇଛି। ଓଡ଼ିଆ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ପ୍ରତୀକ ପଟ୍ଟନାୟକ ହୁଅନ୍ତୁ ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା ହୁଅନ୍ତୁ କିମ୍ବା ଓ୍ୱିକିପଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ ସେନାପତି ହୁଅନ୍ତୁ ସମସ୍ତେ ନିଜ ବଳରେ ଆଗକୁ ବଢିଛନ୍ତି। ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦେବବ୍ରତ, ସ୍ମୃତିରଞ୍ଜନ, ରଶ୍ମିରଞ୍ଜନ, ଶୁଭକାନ୍ତ ଓ ଜ୍ଞାନରଞ୍ଜନ କରୋନା ସମୟରେ ଲୋକମାନେ କୋଭିଡ୍ ପରୀକ୍ଷା ନ କରୁନଥିବା ବେଳେ ଏହାର ସମାଧାନ ଚିନ୍ତା କରି ସେମାନେ ଏକ ଭିଡିଓ ତିଆରି କରି ସମାଜରେ ସଚେତନତା ସୃଷ୍ଟି କରିଥିଲେ।

୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଆଗାମୀ ୨୦୩୬ ଓ ୨୦୪୭ ପାଇଁ ଗାଁରୁ ରାଜ୍ୟ ପର୍ଯ୍ୟନ୍ତ ମୋର ଦାୟିତ୍ୱ କଣ, ତା’ ଉପରେ ବିଚାର କରି ଯୁବବର୍ଗମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଚିତ୍ରାଙ୍କନ, କବିତା ଲେଖନୀ, ବକ୍ତୃତା ଏବଂ ସାଂସ୍କୃତିକ କାର୍ଯକ୍ରମ ବ୍ୟତିତ ମୋବାଇଲ ଫଟୋଗ୍ରାଫି ଭଳି ନୂଆ ପ୍ରତିଯୋଗିତା ଯୋଡାଯାଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ସେ କହିତିୱେ  ଓଡ଼ିଶାର କଳା, ସଂସ୍କୃତିର ଅପାର ପ୍ରୟୋଗଶାଳା, ଅପାର ଭଣ୍ଡାର। ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ମାଧ୍ୟମରେ ଯେଉଁ ବିଜେତାମାନେ ଦିଲ୍ଲୀରେ ଜାତୀୟ ସ୍ତରରେ ଭାଗନେବେ,  ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ: କବିତା ମାଧ୍ୟମରେ ଆଦିବାସୀ ଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରତିଛବି

ଭୁବନେଶ୍ୱର: ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯାଇଛି। ବୁଧବାର ଦିନ ଏହାକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ।

କବି ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ୨୪ ଜଣ କବି ନିଜ ନିଜ ଭାଷାରେ କବିତା ପାଠ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ ଏବଂ ହୋ ଆଦି ସଂପ୍ରଦାୟର ୫୦ ଜଣ କବି ଭାଗ ନେଉଛନ୍ତି।
‘‘ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ। ସାହିତ୍ୟରେ ମଧ୍ୟ ଜନଜାତୀୟ କବି ଓ ଲେଖକମାନେ ସୁନାମ ଅର୍ଜନ କରିଛନ୍ତି। ଏଭଳି ଜନଜାତି କବି ସମ୍ମିଳନୀ ସ୍ଥାନୀୟ ସାହିତ୍ୟର ବିକାଶରେ ବିଶେଷ ସହାୟକ ହୋଇପାରିବ’’, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଏଭଳି ଅଭିନବ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା ‘ସରଗିଫୁଲ’ର ସମ୍ପାଦକ ଦାଶ ବେନହୁର। ସେ କହିଥିଲେ, ‘‘ଆଦିମ କାଳରେ ଜନଜାତି ସଂପ୍ରଦାୟର ଲୋକମାନେ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ସେମାନେ ସବୁବେଳେ ପ୍ରକୃତି ସହ ଯୋଡ଼ିହୋଇ ରହୁଥିବାରୁ ସେମାନଙ୍କର କଳ୍ପନା ଶକ୍ତି ଅଧିକ ରହିଛି। ଏଥିପାଇଁ ବିଭିନ୍ନ ଜନଜାତୀୟ କବିତାରେ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ପ୍ରକୃତି ଆଦି ବିଷୟ ଅତି ନିଖୁଣ ଭାବେ ବର୍ଣ୍ଣନା ହୋଇଥିବା ଦେଖିବାକୁ ମିଳେ। ତେଣୁ ବର୍ତ୍ତମାନ ସମୟରେ ଆଦିବାସୀ ସାହିତ୍ୟକୁ ଆହୁରି ଆଗକୁ ନେବାର ସମୟ ଆସିଛି।’’

ସମ୍ମିଳନୀରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ଆଦିବାସୀ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ସିରିଜ୍ ଅବସରରେ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏସସିଏସଟିଆରଟିଆଇ ଓଏସଡି ସମରେନ୍ଦ୍ର ଭୁତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ସହକାରୀ ନିର୍ଦ୍ଦେଶକ ମଧୁସ୍ମିତା ସାହୁ ଏବଂ ପ୍ରତିଷ୍ଠାନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୋଦି ସରକାର ଓଡ଼ିଶାର ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସହ ଗବେଷଣା ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ଏ ସବୁର ଲାଭ ଓଡ଼ିଆ ଭାଷା ଆଧାରରେ ମିଳୁ, ଓଡ଼ିଆ ଲୋକଙ୍କୁ ମିଳୁ ଏବଂ ବୃହତ ସ୍ୱାର୍ଥରେ ମିଳୁ। ଏହା ଆମର ପ୍ରାଥମିକତା ବୋଲି ରବିବାର ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ଅବସରରେ ଏହି ଅନୁଷ୍ଠାନର ପ୍ରାଧ୍ୟାପକ ଓ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ଓଡ଼ିଶାରେ ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଏସଡିଆଇ ଭୁବନେଶ୍ୱର ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁରୀ ସଦାଶିବ କ୍ୟାମ୍ପସରେ ଗତକାଲି ୧୦୦ କୋଟି ଟଙ୍କାର କାମ ପାଇଁ ଶିଳାନ୍ୟାସ ହୋଇଛି । ଭାରତ ସରକାରଙ୍କ ସହଯୋଗରେ ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ହୋଇଯାଇଛି । ଆଜିର ଲୋକାର୍ପିତ ବିକାଶମୂଳକ ପ୍ରକଳ୍ପ ଗୁଡିକ ଓଡ଼ିଆ ଭାଷା ସମେତ ଶାନ୍ତାଳି, ବଙ୍ଗାଳୀ, ମୈଥିଲି ଭାଷା ପ୍ରଶିକ୍ଷଣ ସୁବିଧାକୁ ବ୍ୟାପକ କରିବାରେ ସହାୟକ ହେବ । ଏହା ଏକ ସାରସ୍ୱତ କ୍ଷେତ୍ର ତିଆରି ହେବ । ଏଠାରେ ଏକ ସ୍ଥାୟୀ ଅଡିଟୋରିୟମ ନିର୍ମାଣ କରିବା ପାଇଁ ମଧ୍ୟ ଭାରତ ସରକାର ସହଯୋଗୀ ହେବେ।

ଆଜି ଦେଶ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ତାମିଲ କବି ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଭାଷା ଦିବସ ପାଳନ କରୁଛି । ଏହି ଉତ୍ସବ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାକୁ ଲୋକାଦୃତ କରିବା ତଥା ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ଆସନ୍ତା ଡିସେମ୍ବରରେ ସମାଜର ସହଯୋଗରେ ସବୁ ସ୍କୁଲ ଏବଂ କଲେଜରେ ଓଡ଼ିଆ ଭାଷାକୁ ନେଇ ବିଶେଷ ଧରଣର ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଏବଂ ଭାରତୀୟ ଭାଷା ସଂସ୍ଥାନକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।

ଭାରତୀୟ ଭାଷା ପରସ୍ପର ପରିପୁରକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଭାଷାକୁ ଏକ ବିଷୟ ଭାବରେ ନୁହେଁ ବରଂ ଯେ କୌଣସି ବିଷୟକୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ପ୍ରାଥମିକତା ଦିଆଯାଇଛି । ଏହା ହିଁ ମୂଳ ପ୍ରାର୍ଥକ୍ୟ। ପିଲାମାନେ ପ୍ରାରମ୍ଭିକ ଅବସ୍ଥାରେ କହୁଥିବା ଏବଂ ଶୁଣୁଥିବା ଭାଷାରେ ପାଠ ପଢିଲେ ସେମାନଙ୍କର ଅନୁସନ୍ଧାନ, ତର୍କ ଓ ବିଶ୍ଲେଷଣ କରିବାର କ୍ଷମତା ବୃଦ୍ଧି ପାଇଥାଏ। ଓଡ଼ିଆ ପିଲାମାନେ ମାତୃଭାଷାରେ ପାଠ ପଢିଲେ ଉତ୍କଳ ଗୌରବ ମଧୁବାବୁ,  ସାରଳା ଦାସ, ପଠାଣି ସାମନ୍ତ ହୋଇ ବିଶ୍ୱରେ ନାଁ କରିବେ। ଏଭଳି ଆଶା ଓ ଆଂକାକ୍ଷା ମୋ ମନରେ ଅଛି।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ସମ୍ବଲପୁର ଏବଂ ଗଞ୍ଜାମରେ କଥିତ ଭାଷାର ମାଧୁର୍ଯ୍ୟ ଅତ୍ୟନ୍ତ ମଧୁର। ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ଭାଷାର ଲାଳିତ୍ୟ ଅବର୍ଣ୍ଣନୀୟ। ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟର ଭିନ୍ନ ଭିନ୍ନ ଭାଷା ରହିଛି।  ଆମର ଓଡ଼ିଆ ଭାଷା କେବଳ ମଧୁର ନୁହେଁ, ବହୁତ ପ୍ରାଚୀନ ମଧ୍ୟ। ଏହି ଭାଷା ମାଧ୍ୟମରେ ଆମେ ବଡଦେଉଳ, କୋଣାର୍କ ଏବଂ ଲିଙ୍ଗରାଜ ଭଳି ମନ୍ଦିର ନିର୍ମାଣ କରିବା ସହ ସାତ ସମୁଦ୍ର ପାର କରି ବାଣିଜ୍ୟ ବ୍ୟବସାୟ କରିବାରେ ସଫଳ ହୋଇଥିଲେ। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ସେହି ଭାଷା ଆଧାରିତ ରାଜ୍ୟ ଭାବେ ଓଡ଼ିଶା ୨୦୩୬ରେ ୧୦୦ ବର୍ଷ ପୂରଣ ହେବ। ଏକବିଂଶ ଶତାବ୍ଦୀରେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରୁଥିବା ବେଳେ ପୃଥିବୀର ବୌଦ୍ଧିକ କେନ୍ଦ୍ର ଓଡ଼ିଶା ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭାଷା ଗବେଷଣାକୁ ପ୍ରୋତ୍ସାହନ ଦେବା ଦିଗରେ ସିଆଇଆଇଏଲ, ମହୀଶୂର ଏବଂ ଏନସିଇଆରଟି ମଧ୍ୟରେ ଏକ ବୁଣାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ଓ ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଏସସିଏସଟିଆରଟିଆଇ ପରିସରରେ ଗୁରୁବାରଠାରୁ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଯୁବ ଚିତ୍ରଶିଳ୍ପୀ ଭାଗନେଇ ସେମାନଙ୍କ ସର୍ଜନାତ୍ମକ ପ୍ରତିଭା ଦେଖାଉଛନ୍ତି।

ଏହି କର୍ମଶାଳା ଓ ପ୍ରଦର୍ଶନୀକୁ ଅନୁସୂଚିତ ଜନଜାତି, ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ, ‘‘ଜନଜାତି ଚିତ୍ରକଳାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ପିଢ଼ିର ଶିଳ୍ପୀମାନେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରସାର କରୁଛନ୍ତି। ଜନଜାତି ଚିତ୍ରକଳାର ସଂରକ୍ଷଣ ଓ ଅଧିକ ପ୍ରସାର ନିମନ୍ତେ ଏହାକୁ ସ୍ୱତନ୍ତ୍ର ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବା ଦରକାର ଫଳରେ ଜନଜାତିଙ୍କ ଉପରେ ଗବେଷଣା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ।’’ ଏହିଭଳି ପ୍ରଦର୍ଶନୀ ଓଡ଼ିଶାର ଜନଜାତୀୟ ଚିତ୍ରକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇ ପାରିବ ବୋଲି ସେ କହିଥିଲେ।

ଭୁବନେଶ୍ୱରସ୍ଥିତ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ସହଭାଗିତାରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଶିଳ୍ପୀ ଭାଗନେଇ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତିା ଏଥିରେ ଜନଜାତିଙ୍କ ଜୀବନୀ, କଳା ଓ ସଂସ୍କୃତି ଆଦି ଉପରେ ନିଖୁଣ ଚିତ୍ର ଦେଖିବାକୁ ମିଳୁଛି।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ‘‘ଜନଜାତି ଚିତ୍ରକଳାକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନୀ, ସଂସ୍କୃତି ଓ ଐତିହ୍ୟର ପ୍ରତିଛବି ଦେଖିବାକୁ ମିଳୁଛି।’’

ଏହି କାର୍ଯ୍ୟକ୍ରମରେ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଅଧ୍ୟାପକ ମାନସ କୁମାର ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପରବର୍ତ୍ତି ସମୟରେ ରାଜ୍ୟ ଜନଜାତି ସଂଗ୍ରହଳୟରେ ସଂରକ୍ଷିତ ହୋଇ ରହିବ।

କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୂତିଆ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଧନ୍ୟବାଦ ପ୍ରଦାନ କରିଥିଲେ।

ଜନଜାତୀୟ ଗୋରବ ଦିବସ କାର୍ଯ୍ୟକ୍ରମ ନଭେମ୍ବର ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଓଡ଼ିଶାର ଆଦିବାସୀ କଳା ଓ କଳାକୃତିର ଲାଇଭ୍ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି ଆୟୋଜନ କରାଯାଉଛି।

ଭୁବନେଶ୍ୱର ସିଆରପିଏଫ୍ ଛକ ନିକଟରେ ଥିବା ରାଜ୍ୟ ଜନଜାତି ସଂଗ୍ରହଳୟରେ ଆଦିବାସୀଙ୍କ ଜୀବନ, ଜୀବିକା, ପୋଷାକ, ଅଳଙ୍କାର, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଦି ସଂରକ୍ଷିତ ହୋଇ ରହିଛି। ତେଣୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଗବେଷକ ଏବଂ ସାଧାରଣ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିବାକୁ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଏହି ସଂଗ୍ରହାଳୟ ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଦୁବାଇର ତାନସିକ୍ କମ୍ପାନିରେ ନିଯୁକ୍ତି ପାଇଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ମଙ୍ଗଳବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଦୁବାଇର ତାନସିକ୍ କମ୍ପାନି ପକ୍ଷରୁ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୨୧ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତା’ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୧୦ ଜଣ ଅଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୧୧ ଜଣଙ୍କୁ ତାନସିକ୍ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ବିଦେଶରୁ କ୍ୟାରିୟରର ପ୍ରଥମ ଚାକିରି ଆରମ୍ଭ କରୁଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।

ଏହି ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅବସରରେ ତାନସିକ୍ କମ୍ପାନିର ନିର୍ଦ୍ଦେଶକ ରାମ କୁମାର ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଅତ୍ୟାଧୁନିକ ଲାବୋରେଟୋରି ବୁଲି ଦେଖିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏଭଳି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୨-୨୩ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍‌, ଦୁବାଇର ଏମରିଲ ଗ୍ରୁପ୍ ଆଦି କମ୍ପାନିରେ ନିଯୁକ୍ତି ପାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ‘ଶିକ୍ଷା ସାଧନ କେନ୍ଦ୍ର’ର ଲୋକାର୍ପଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ଲର୍ଣ୍ଣିଂ ରିସୋର୍ସ ସେଣ୍ଟର ବା ଶିକ୍ଷା ସାଧନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସୁବିଧା ପାଇଁ ଶୁକ୍ରବାର ଦିନ ଏହାର ଲୋକାର୍ପଣ କରାଯାଇଛି।

ସିଙ୍ଗାପୁରସ୍ଥିତ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହଙ୍କ ଉପସ୍ଥିତିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ଶିକ୍ଷା ସାଧନ କେନ୍ଦ୍ରର ଏକ ୱେବସାଇଟ୍ ମଧ୍ୟ ଉଦଘାଟନ କରାଯାଇଥିଲା।

‘‘ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଶିକ୍ଷା ସାଧନ କେନ୍ଦ୍ର କରାଯାଇଛି। ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସର ଆହୁରି ବ୍ୟାପକ ହୋଇପାରିବ। ସେମାନେ ଦେଶ ବିଦେଶରେ ବ୍ୟବହାର କରାଯାଉଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିପାରିବେ’’, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର।

ଏହି ଅତ୍ୟାଧୁନିକ ଶିକ୍ଷା ସାଧନ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତାଲିମ ପାଇଁ ବିଭିନ୍ନ ବହି ଓ ପତ୍ରିକା ଆଦି ରହିଛି। ସେଠାରେ ବସି ପଢ଼ିବା ପାଇଁ ସ୍ୱତନ୍ତ୍ର ‘ରିଡିଙ୍ଗ ପଡ୍’ କରାଯାଇଛି। ଏହା ସହିତ ଅଡିଓ ଭିଜୁଆଲ ରୁମ ଏବଂ ଡିସକସନ ରୁମର ମଧ୍ୟ ସୁବିଧା ରହିଛି। କେନ୍ଦ୍ରର ବିଶେଷ ଆକର୍ଷଣ ହେଉଛି ଏଆର୍/ଭିଆର୍ କମ୍ପ୍ୟୁଟର ବ୍ୟବସ୍ଥା। ଏହା ଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ।

ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାରକରି ଏହି ଶିକ୍ଷା ସାଧନ କେନ୍ଦ୍ରର ଉନ୍ନତିକରଣ କରାଯାଇଛି। ଏହି କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନର ବ୍ୟବସ୍ଥା କରାଯାଇଛି। ସେହିପରି ଲାଇବ୍ରେରିରେ ଥିବା ବିଭିନ୍ନ ବହି ବିଷୟରେ ଜାଣିବା ଲାଗି ଅନଲାଇନ କିଓସ୍କୋ ସୁବିଧା କରାଯାଇଛି।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ (ଏକାଡେମୀ) ସୁପେହା ନାଗାମାଲ, ଉପନିର୍ଦ୍ଦେଶକ ଆଶୁତୋଷ ନୟନଦେ, ମୁଖ୍ୟ ବୈଷୟିକ ଅଧିକାରୀ ଧନଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଗସ୍ତରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ: ପରିଦର୍ଶନ କଲେ ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଜମ୍ମୁ କଶ୍ମୀରର (କେନ୍ଦ୍ର ଶାସିତ ଅଞ୍ଚଳ) ମାନ୍ୟବର ଉପରାଜ୍ୟପାଳ ମନୋଜ ସିହ୍ନା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶୁକ୍ରବାର ଦିନ ସେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସି ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ। ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇ ଏଠାରେ ଦିଆଯାଉଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ।

ଉପରାଜ୍ୟପାଳ ଶ୍ରୀ ସିହ୍ନା ବିଶ୍ୱ ଦକ୍ଷତା କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା।

“ବର୍ତ୍ତମାନ ସମୟରେ ଦେଶ ବା ରାଜ୍ୟର ବିକାଶରେ ଦକ୍ଷ ଯୁବପିଢ଼ିଙ୍କର ଆବଶ୍ୟକତା ରହିଛି । ତେଣୁ ଏ ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ବଡ଼ ଭୂମିକା ଗ୍ରହଣ କରୁଛି । ଏହି କେନ୍ଦ୍ରରେ ଓଡ଼ିଶାର ଯୁବପିଢ଼ି ଶିଳ୍ପ ଉପଯୋଗୀ ତାଲିମ ନେଇ ସେମାନଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାକୁ ନେଇପାରୁଛନ୍ତି”, କହିଛନ୍ତି ଉପରାଜ୍ୟପାଳ ଶ୍ରୀଯୁକ୍ତ ମନୋଜ ସିହ୍ନା ।

ଓଡ଼ିଶାରେ ଏଭଳି ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର କରାଯାଇଥିବାରୁ ସେ ଓଡ଼ିଶା ସରକାର ଓ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାକୁ ଧନ୍ୟବାଦ ଦେଇଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ରହିଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ଶିକ୍ଷାବର୍ଷରୁ ଭର୍ଟିକାଲ ଟାନ୍ସପୋର୍ଟେସନ ବିଷୟରେ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଛି । ତେଣୁ ଉପରାଜ୍ୟପାଳ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ସହିତ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ସହିତ ସ୍କୁଲ ଅଫ୍‌୍ ସର୍ଭିସେସର ବିଭିନ୍ନ ବିଭାଗକୁ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ତାଲିମ ପାଇଁ ରହିଥିବା ବିଭିନ୍ନ ଆଧୁନିକ ଉପକରଣକୁ ଦେଖି ଖୁସି ହୋଇଥିଲେ ।

ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ପ୍ରଶିକ୍ଷକମାନଙ୍କ ଦକ୍ଷତା ବିକାଶ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ସମୟରେ \”ଟ୍ରେନିଙ୍ଗ ଅଫ ଟ୍ରେନର୍ସ\’ କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ମଧ୍ୟ ଉପରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଗସ୍ତରେ ଉପରାଜ୍ୟପାଳଙ୍କ ପ୍ରମୁଖ ସଚିବ ଡକ୍ଟର ମନଦୀପ କୁମାର ଭଣ୍ଡାରି, ଓଏସଡି ଲେଫ୍ଟେନାଣ୍ଟକର୍ଣ୍ଣଲ ପ୍ରଶାନ୍ତ ଜନକର, ଜମ୍ମୁ କଶ୍ମୀରର ଦକ୍ଷତା ବିକାଶ ବିଭାଗର ସଚିବ ସୌରଭ ଭଗତ, ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ତଥା ପରିଚାଳନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଚନ୍ଦ୍ରା ଆସିଥିଲେ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା (ଆନୁଷ୍ଠାନିକ ଦକ୍ଷତା ବିକାଶ) ସୁବ୍ରତ ବାଗଚୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ରୋଜଗାର ମେଳାର ଦଶମ ପର୍ଯ୍ୟାୟରେ ୧୭୬ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳା ମାନଙ୍କ ଭାଗିଦାରୀ ବଢିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଦଶମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ୧୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ଅବସରରେ କହିଛନ୍ତି ଯେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି। ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭ %କୁ ବଢିଛି। ସରକାରୀ ଚାକିରି ସମେତ ସାମାଜିକ ଜୀବନରେ ମହିଳା ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି। ଏହା ଦ୍ୱାରା ସମାଜର ସନ୍ତୁଳିତ ବିକାଶ ହେଉଛି।

ବୈଜ୍ଞାନିକ ଦୃଷ୍ଟିରୁ ପୁରୁଷଙ୍କ ତୁଳନାରେ ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମୀ ଓ ସମ୍ବେଦନଶୀଳ। ଏଥିପାଇଁ କାର୍ଯ୍ୟକ୍ଷେତ୍ର, ନୀତି ନିର୍ଦ୍ଧାରକ, ନେତୃତ୍ୱ, ଶିକ୍ଷା ଏବଂ ସ୍କିଲିଂ ଇକୋସିଷ୍ଟମରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ମୋଦି ସରକାର ଅଭିନବ ପ୍ରୟାସ କରୁଛନ୍ତି। ମାତୃତ୍ୱକାଳୀନ ଛୁଟିର ସମୟ ସୀମାକୁ ବଢାଯାଇଛି। ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ଜନଧନ, ମୁଦ୍ରା, ଷ୍ଟାଣ୍ଡଅପ୍ ଭଳି ଯୋଜନା ଦ୍ୱାରା ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମାଜର ବିକାଶ ପାଇଁ ମହିଳାଙ୍କ ଉପରେ ପ୍ରଧାନମନ୍ତ୍ରୀ ଯୋର୍ ଦେଇଛନ୍ତି।

ଆଜି ଦେଶରେ ଓ୍ୱାର୍କ ଫୋର୍ସକୁ ବଢାଇବା ପାଇଁ ହେଲେ ସମସ୍ତଙ୍କୁ ବିଶେଷ ଭାବରେ ପରିବର୍ତ୍ତିତ ଟେକ୍ନୋଲୋଜି ପ୍ଲାଟଫର୍ମକୁ ଆପଣାଇ ମହିଳାଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ -ସ୍କିଲିଂ କରାଇବା ପାଇଁ ପଡିବ। ଏହା ଦ୍ୱାରା ଦେଶର ଅର୍ଥନୀତି ଆହୁରି ମଜଭୂତ୍ ହେବ।  ଓଡ଼ିଶା ସମେତ ଦେଶରେ କେବଳ ନିଯୁକ୍ତି ଦେବା ପାଇଁ ନୁହେଁ ବରଂ ନିଯୁକ୍ତିଦାତା ସୃଷ୍ଟି କରାଇବା ପାଇଁ ହେବ।  ଶିକ୍ଷା, ଦକ୍ଷତା, କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଗ୍ରାମାଞ୍ଚଳର ଭାଗିଦାରୀକୁ ବଢାଇବା ପାଇଁ ହେବ। ବଟମ୍ ଅଫ୍ ପିରାମିଡ୍ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଗରିବ, ବଞ୍ଚିତ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷା ଓ ସ୍କିଲକୁ ଯୋର୍ ଦେବାକୁ ପଡିବ। ସେମାନଙ୍କ ହାତ ଧରି ମୁଖ୍ୟସ୍ରୋତରେ ଯୋଡିଲେ ହିଁ ସମାଜର ବିକାଶ ହେବ।

ଆଜି ଟେଲିଫୋନ ମାଧ୍ୟମରେ ଡିଜିଟାଲ କାରବାର ସହଜ ହୋଇଛି। ଭାରତରେ ଡିଜିଟାଲ ଭିତ୍ତିଭୂମି ବଢିଛି । ଦକ୍ଷତାକୁ କ୍ରେଡିଟରେ ରୂପାନ୍ତରିତ କରାଯିବାର ଯୋଜନା ହୋଇଛି। କୃଳିକ ବୃତ୍ତିଧାରୀଙ୍କୁ ଦକ୍ଷ କରିବା ପାଇଁ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି। ଅନେକ ସୁଧାରବାଦୀ ନୀତି କାରଣରୁ ସମ୍ଭାବନାପୂର୍ଣ୍ଣ ଓଡ଼ିଶାରେ ଭାରତ ସରକାର ପୁଞ୍ଜିନିବେଶ ବଢାଇଛନ୍ତି। ପୂର୍ବ ସରକାରର ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଆସିଥିବା ବେଳେ ମୋଦି ସରକାରରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କା ଆସିଛି। ଓଡ଼ିଶାରେ ରେଳବାଇ ବଜେଟରେ ରେକର୍ଡସଂଖ୍ୟକ ଅନୁଦାନ ବଢିଛି। ଭାରତୀୟ ରେଳ, ଡାକ, ଏମ୍ସ, ସାମରିକ ବଳ, ଅର୍ଦ୍ଧ ସାମରିକ ବଳରେ ନିଯୁକ୍ତି ବିଢିଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆଜି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଠିନ ପରିଶ୍ରମ ବଳରେ ଆଜି ଜୀବନର ନୂଆ ଅଧ୍ୟାୟ କରୁଥିବା ବନ୍ଧୁ ମାନଙ୍କୁ ଶୁଭେଚ୍ଛା। ଜୀବନରେ ଅଟକିବା ଉଚିତ ନୁହେଁ। ନିରନ୍ତର ଶିଖିବା ସହ ନୂଆ ନୂଆ ଜ୍ଞାନ ଆହରଣ କରିବା ଦରକାର। ପ୍ରତିଦିନ କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତିରୁ ନୂଆ କିଛି ଶିକ୍ଷା ନେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ମୋର ମାଟି ମୋର ଦେଶ’ ପ୍ରଚାର ହେତୁ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 28 ଅକ୍ଟୋବରରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀ କୁ ‘ମୋର ମାଟି ମୋର ଦେଶ’ ଅଭିଯାନରେ ଜଡିତ ଅଂଶଗ୍ରହଣକାରୀ ମାନଙ୍କ ଗମନା ଗମନ ହେତୁ ସୁବିଧା ପ୍ରଦାନ କରିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ସ୍ବେଛାସେବୀ ତଥା ନେହେରୁ ଯୁବ କେନ୍ଦ୍ରର ଅଂଶଗ୍ରହଣକାରୀମାନଙ୍କୁ ଅମୃତ କଳସ ପାତ୍ର ଧାରଣ କରି ନୂଆଦିଲ୍ଲୀ ଯାତ୍ରା କରିବା ହେତୁ ସହାୟକ ହେବ। ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ 28 ତାରିଖ ଦିନ 10.00 ଘଣ୍ଟାରେ ଭୁବନେଶ୍ୱର ଛାଡି 29 ଅକ୍ଟୋବର ଦିନ 14.30 ଘଣ୍ଟା ସମୟରେ ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ।

‘ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ‘ମେରୀ ମାଟି ମେରା ଦେଶ’ (MMMD) ଅଭିଯାନ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅଟେ। ଏହି ଅଭିଯାନର ଏକ ଅଂଶ ଭାବରେ, ଦେଶର ବିଭିନ୍ନ ଅଂଚଳରୁ ପବିତ୍ର ମାଟି ଏବଂ ଚାଉଳ ସଂଗ୍ରହ କରାଯାଇ ଅମୃତ କଳସ ପାତ୍ରରେ ରଖାଯାଇଛି। ଏହି ସାମଗ୍ରୀଗୁଡ଼ିକ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଥିବା କର୍ତ୍ତବ୍ୟପଥରେ ‘ଅମୃତ ବାଟିକା’ ଏବଂ ‘ଆଜାଦୀ କା ଅମୃତ ମହୋତ୍ସବ’ ର ସ୍ମୃତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ସଵ୍ୟ ଅର୍ଚ୍ଚିତା ବୁଲିଲେ ଟ୍ବିନ୍ ସିଟିର ପୂଜା ମଣ୍ଡପ: ପ୍ରଦାନ କଲେ ନ୍ୟୁଜ୍ 18 ଓଡ଼ିଆ ଶାରଦୀୟ ସମ୍ମାନ ୨୦୨୩

ଭୁବନେଶ୍ଵର: ଟ୍ବିନ୍ ସିଟି ର ପୂଜା ମଣ୍ଡପ ବୁଲାର ଦ୍ଵିତୀୟ ଦିନରେ ଭୁବନେଶ୍ୱରର ଶାରଦୀୟ ଦୁର୍ଗାପୂଜା ରେ ବିଭିନ୍ନ ପୂଜା ମଣ୍ଡପଗୁଡିକୁ ନେଇ ଓଡ଼ିଆ ନ୍ୟୁଜ ଚ୍ୟାନେଲ ନ୍ୟୁଜ-୧୮ ଓଡ଼ିଆ ପକ୍ଷରୁ ଏକ ଅଭିନବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ତିନିଜଣ ବିଚାରକ ବିଭିନ୍ନ ବିଭାଗରେ ଚୟନ କରିଥିଲେ କଟକ ଓ ଭୁବନେଶ୍ୱର ର ଶ୍ରେଷ୍ଠ ୧୦ଟି ପୂଜା ମଣ୍ଡପ।

ପରବର୍ତ୍ତୀ ପର୍ଯ୍ୟାୟ ରେ ଓଲିଉଡ଼ ତାରକା ଦମ୍ପତ୍ତି ସବ୍ୟସାଚ୍ଚି ମିଶ୍ର ଓ ଅର୍ଚ୍ଚିତା ଭୁବନେଶ୍ୱରର ଷ୍ଟେସନ ବଜାର, ଝାରପଡା, ରସୁଲଗଡ, ଶହୀଦ ନଗର ଏବଂ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ରେ ମାଆ ଙ୍କୁ ଦର୍ଶନ କରିବା ସହିତ କମିଟି ର ସଭାପତି ଓ ସମ୍ପାଦକଙ୍କ ସମେତ କମିଟି ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମ ନ୍ୟୁଜ-୧୮ ଓଡ଼ିଆରେ ଆସନ୍ତା ୨୩ ଓ ୨୪ ତାରିଖ ରାତି ୯ଟା ୩୦ମିନିଟ୍ ରେ ପ୍ରସାରିତ ହେବ।

ଚ୍ୟାନେଲ ପକ୍ଷରୁ ସରୋଜ ପଟ୍ଟନାୟକ ଓ ଜୟନ୍ତ ଶେଠ ପ୍ରଯୋଜନା ଦାୟୀତ୍ୱରେ ଥିବାବେଳେ ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି।
ଉଭୟ କଟକ ଏବଂ ଭୁବନେଶ୍ୱର ର ସମସ୍ତ ମଣ୍ଡପ ବୁଲି ଗୁଡ୍ଡୀ ଉପସ୍ଥାପନା କରିଛନ୍ତି।  ସବ୍ୟସାଚ୍ଚି ଏବଂ ଅର୍ଚ୍ଚିତା ଅସଂଖ୍ୟ ଦର୍ଶକ ଙ୍କ ଗହଣ ରେ ମାଆ ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହିତ ଅନେକ ଭାବ ବିହ୍ଵଳ ହୋଇ ସମସ୍ତଙ୍କୁ ଦୁର୍ଗା ପୂଜା ର ଅଭିନନ୍ଦନ ଜଣାଇଥିଲେ।

ତେବେ ଏଭଳି କାର୍ଯ୍ୟକ୍ରମ କୁ ସମସ୍ତ କମିଟି ସଭ୍ୟ ତଥା ଉପସ୍ଥିତ ଭକ୍ତମାନେ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନ୍ୟୁଜ ୧୮ ଓଡ଼ିଆ ଶାରଦୀୟ ସମ୍ମାନ ୨୦୨୩

ଭୁବନେଶ୍ଵର: ଟୁଇନସିଟି କଟକ ଓ ଭୁବନେଶ୍ୱରର ଶାରଦୀୟ ଦୁର୍ଗାପୂଜାରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ନେଇ ଓଡ଼ିଆ ନ୍ୟୁଜ ଚ୍ୟାନେଲ ନ୍ୟୁଜ ୧୮ ଓଡ଼ିଆ ପକ୍ଷରୁ ଏକ ଅଭିନବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରିଛି। ପ୍ରଥମ ପର୍ଯ୍ୟାୟରେ ତିନିଜଣ ବିଚାରକ ବିଭିନ୍ନ ବିଭାଗରେ ଚୟନ କରିଥିଲେ କଟକ ଓ ଭୁବନେଶ୍ୱରର ଶ୍ରେଷ୍ଠ ୧୦ଟି ପୂଜା ମଣ୍ଡପ।

ପରବର୍ତ୍ତୀ ପର୍ଯ୍ୟା ରେ ଓଲିଉଡ଼ ତାରକା ଦମ୍ପତ୍ତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସେହି ସବୁ ମଣ୍ଡପ ଗୁଡିକୁ ବୁଲି ବୁଲି ସମ୍ବର୍ଦ୍ଧିତ କରୁଛନ୍ତି। ଏହି କାର୍ଯ୍ୟକ୍ରମ ନ୍ୟୁଜ ୧୮ ଓଡ଼ିଆରେ ଆସନ୍ତା ୨୩ ଓ ୨୪ ତାରିଖରେ ପ୍ରସାରିତ ହେବ।

ଚ୍ୟାନେଲ ପକ୍ଷରୁ ସରୋଜ ପଟ୍ଟନାୟକ ଓ ଜୟନ୍ତ ଶେଠ ପ୍ରଯୋଜନା ଦାଇତ୍ୱରେ ଥିବାବେଳେ ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ଏହାର ପରିଚାଳନା କରିଛନ୍ତି। ଉପସ୍ଥାପନା କରିଛନ୍ତି ଗୁଡ୍ଡୀ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାରଦୀୟ ନବରାତ୍ରୀର ଶୁଭ ଅବସରରେ ଭୁବନେଶ୍ୱର ଠାରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଖୁଚୁରା ବେପାରୀ ମାନଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ପରିଧିକୁ ବଢାଇପାରିବେ ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ। ନିଜ ମୋବାଇଲରେ ଆପ୍ ଡାଉନଲୋଡ କରି କିମ୍ବା ୱେବସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ। ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ରିଟେଲ୍ ପ୍ରଶିକ୍ଷଣ ଦିଆଯିବ । ଖାଉଟିଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ସହ ବ୍ୟବସାୟ କରିବାର କୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ସୁଯୋଗକୁ ବ୍ୟବହାର କରିବା ନେଇ ତାଲିମ ଦିଆଯିବ। ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗୀ ହୋଇଥିବା କୋକା-କୋଲା ଇଣ୍ଡିଆକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ଭାଷା ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଦେଶର ଅର୍ଥନୀତିରେ ବୃହତ ଶିଳ୍ପ ଓ କାରଖାନା ଗୁଡ଼ିକ ମଜଭୂତ ସ୍ତମ୍ଭ। ତେବେ ଛୋଟ ଛୋଟ ବ୍ୟବସାୟୀମାନେ କୌଣସି ଗୁଣରେ ଟାଟା, ବିର୍ଲା, ଅଦାନୀଠୁ କମ ନୁହଁନ୍ତି। ବଡ ବ୍ୟବସାୟୀଙ୍କ ଭଳି ଛୋଟ ଦୋକାନୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍-ସ୍କିଲିଂ କରାଇବା ସହ ଭାଷାଶୈଳୀର ପ୍ରଶିକ୍ଷଣ ଦିଆଗଲେ ଦେଶର ଅର୍ଥନୀତି ମଜବୁତ୍ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବଦ୍ଧତା ଦେଖାଇଛନ୍ତି। ଆଜି ପରିବର୍ତ୍ତିତ ଦୁନିଆରେ ଭାରତରେ ୟୁପିଆଇ ପେମେଣ୍ଟ ନୂଆ ରୂପ ନେଇଛି। ଏହା ହିଁ ମୋଦିଙ୍କ ଡିଜିଟାଲ ଇଣ୍ଡିଆ, ନୂଆ ଭାରତ। ଆଜିର ବୁଝାମଣା ପତ୍ର କ୍ଷୁଦ୍ର ବେପାରୀ ତଥା ଖୁଚୁରା ବ୍ୟବସାୟୀଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ଆଗକୁ ବଢିବା ପାଇଁ ରାସ୍ତା ଦେଖାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କୋକା-କୋଲାର ସଫଳ ରିଟେଲରଙ୍କୁ ପୁରସ୍କୃତ କରିବା ସହ ନିଜର କଳା ଦକ୍ଷତାର ଉପଯୋଗ କରି ସ୍ୱାବଲମ୍ବୀ ହୋଇଥିବା ମହିଳା ମାନଙ୍କୁ ସମ୍ମାନିତ କରିଥିଲେ। ସ୍କିଲ୍ ଇଣ୍ଡିଆ ଡିଜିଟାଲ ଆପ୍ ଡାଉନଲୋଡ୍ କରି ସେଥିରେ ଥିବା ଭିଡିଓରୁ ଶିକ୍ଷା ନେବା ପାଇଁ କେନ୍ଦ୍ରମନ୍ତ୍ରୀ ରିଟେଲର ମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ, ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ।

ରିପୋର୍ଟ ପାଇବାପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୟ ହୋ ସଙ୍ଗୀତ ଅନୁଷ୍ଠାନ ତରଫରୁ ସମ୍ମାନିତ ହେଲେ ପ୍ରଯୋଜକ ଓ ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱର ରେଡକ୍ରସ ଭବନ ଠାରେ ଜୟ ହୋ ସଙ୍ଗୀତ ଅନୁଷ୍ଠାନ ତରଫରୁ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ଗାୟକ ଗାୟିକା ମାନଙ୍କୁ ନେଇ ଏକ ସଙ୍ଗୀତ ସମାରୋହ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ବାବୁ ବାବୁ , ପ୍ରଯୋଜକ ଅଶୋକ ଦାସ, ପ୍ରଯୋଜକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡିଶାରେ ସଂଗୀତ ର ପ୍ରଚାର‌ ପ୍ରସାର ପାଇଁ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା ସହ ସାଧୁବାଦ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କୁ ଓଡିଆ କଳାସଂସ୍କୃତି ର ଉନ୍ନତି ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କୋଣ ରେ ଥିବା ଗାୟକ ଗାୟିକା ମାନଙ୍କ ପ୍ରତିଭାକୁ ଆଗକୁ ନେବା ଅନୁଷ୍ଠାନ ର ଏକ ବଡ଼ ପ୍ରୟାସ ବୋଲି ଅନୁଷ୍ଠାନ ର ସଭାପତି ନିର୍ଲିପ୍ତା ଦାସ୍ ଓ ଉପଦେଷ୍ଟା ଅର୍ଜ୍ଜନ କୁମାର ପ୍ରଧାନ କହିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱରରେ ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି।

ଶୁକ୍ରବାର ଦିନ ନକ୍ ଆଉଟ୍ ପଦ୍ଧତିରେ ୧୧ ବର୍ଷରୁ କମ୍‌, ୧୫ ବର୍ଷରୁ କମ୍ ଏବଂ ବରିଷ୍ଠ ବିଭାଗରେ ପ୍ରତିଯୋଗୀଙ୍କୁ ନେଇ ମୋଟ ୧୨୦ଟି ମ୍ୟାଚ ଖେଳାଯାଇଥିଲା। ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ, ୧୭ ବର୍ଷରୁ କମ, ୧୫ ବର୍ଷରୁ କମ, ୧୩ ବର୍ଷରୁ କମ, ୧୧ ବର୍ଷରୁ କମ ବୟସ ବର୍ଗରେ ବିଭିନ୍ନ ମ୍ୟାଚ ଖେଳାଯାଉଛି।

ଶୁକ୍ରବାର ଦିନ ୧୧ ବର୍ଷରୁ କମ, ୧୫ ବର୍ଷରୁ କମ ଏବଂ ବରିଷ୍ଠ ବର୍ଗରେ ମ୍ୟାଚ ହୋଇଥିଲା। ୧୧ ବର୍ଷରୁ କମ ବର୍ଗରେ ୪୮ଜଣ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ଭିତରୁ ବାଳକ ବର୍ଗରେ ୧୬ ଜଣ ପ୍ରି-କ୍ୱାର୍ଟର ଏବଂ ବାଳିକା ବର୍ଗରେ ୪ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ୧୫ ବର୍ଷରୁ କମ ବୟସ ବର୍ଗରେ ଭାଗ ନେଇଥିବା ୯୬ ଜଣ ପ୍ରତିଯୋଗୀଙ୍କ ଭିତରୁ ୪୮ ଜଣ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସିନିୟର ପୁରୁଷ ବର୍ଗରେ ୬୪ ଜଣଙ୍କ ଭିତରୁ ୮ ଜଣ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ୩୨ ଜଣ ମହିଳାଙ୍କ ଭିତରୁ ୪ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

“୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟାରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି । ସେମାନେ ନିଜ ନିଜ ବର୍ଗରେ ଆଗାମୀ ଜାତୀୟ ସ୍ତରର ଇଭେଣ୍ଟରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ରାଙ୍କିଙ୍ଗ୍ ପଏଣ୍ଟ ଅର୍ଜନ କରିବେ ବୋଲି ଆଶା ରହିଛି”, କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସାଧାରଣ ସଂପାଦକ ସ୍ମୃତିରଞ୍ଜନ ଦାସ ।

ଅକ୍ଟୋବର ୨ ତାରିଖଯାଏଁ ଏହି ଚାମ୍ପିୟନସିପ ଚାଲିବ । ବିଭିନ୍ନ ବର୍ଗରେ ଚାମ୍ପିୟନ ହୋଇଥିବା ଖେଳାଳିମାନଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମହାରଣା, ଯୁଗ୍ମ ସଚିବ ଶଶାଙ୍କ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପି.କେ ସାମନ୍ତରାୟ, ତ୍ରୈଲୋକ୍ୟ ରାଉତ, ବିଜନ ଦାସମହାପାତ୍ର ଏବଂ ତପନ ଖା ସହଯୋଗ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଦିନ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।

ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଚଳିତ ବର୍ଷ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ତା’ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି।

ବର୍ତ୍ତମାନ ସୁଦ୍ଧା ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍, ହୋଣ୍ଡା କାରସ, ଦୁବାଇର ଏମରିଲ ଗ୍ରୁପ୍ ଏବଂ ଗ୍ରୀନ ଟ୍ରେଣ୍ଡସ୍ ଭଳି ପ୍ରତିଷ୍ଠିତ କମ୍ପାନି ଓଡ଼ିଶା ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମପ୍ରାପ୍ତ ଯୁବପିଢ଼ିକୁ ନିଯୁକ୍ତି ଲାଗି ଚୟନ କରିଛନ୍ତି।
ଚଳିତ ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ପ୍ରଥମ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଥିଲେ। ତା’ ଭିତରେ ୨୦୨୨-୨୩ ବ୍ୟାଚର ୩୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୦୨୧-୨୨ର ୬ ଜଣ ନିଯୁକ୍ତି ପାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ପରିକଳ୍ପନା ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଅନୁକୂଳ ତାଲିମ ସହ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେଇ ପ୍ରସ୍ତୁତ କରାଯାଉଥିବାରୁ ଦେଶବିଦେଶର କମ୍ପାନିମାନେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।