Categories
ଆଜିର ଖବର ରାଜ୍ୟ ଖବର

ସୂଚନା ବିଜ୍ଞାନ ପଦାଧିକାରୀଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ ଆଇ ସି), ଭୁବନେଶ୍ୱର ଠାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଅଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି  ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଏନଆଅଇସିର ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ରହିଛି। ଜିଲ୍ଲାସ୍ତରରେ ଏନଆଇସି ବହୁତ ଭଲ କାମ କରିଛନ୍ତି। ଜିଲ୍ଲାପାଳମାନଙ୍କ ତତ୍ୱାବଧାନରେ  ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁ କାର୍ଯ୍ୟ ସଂପାଦନ କରିବାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ଏହି ସଫଳତା ଆଧାର ତଥା ଅତୀତର କାର୍ଯ୍ୟ ପଦ୍ଧତିକୁ ବିଶ୍ଲେଷଣ କରି ଆଗାମୀ ଦିନରେ ସୂଚନା ବିଜ୍ଞାନ ଅଧିକାରୀମାନେ ଅଧିକରୁ ଅଧିକ ଭଲ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିବା ସହିତ ସୂଚନା ବିଜ୍ଞାନୀମାନଙ୍କୁ  ଉତ୍ସାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସୂଚନା ବିଜ୍ଞାନୀମାନଙ୍କର ବୈଷୟିକ ଜ୍ଞାନ କ୍ଷେତ୍ରରେ ଦକ୍ଷତା ରହିଛି। ସବୁବେଳେ କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ରାଜ୍ୟର ଯେଉଁ ପ୍ରକଳ୍ପ କାର୍ଯ୍ୟକାରିତାରେ ଏନଆଇସିର ଭୂମିକା ରହୁଛି, ସେସବୁକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଆଇଟି କ୍ଷେତ୍ରରେ ଯୋଗଦାନ କରୁଥିବା ଅଧିକାରୀମାନଙ୍କ ପ୍ରତି ସେ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ନିଷ୍ଠା, ଅଭିଜ୍ଞତାସଂପନ୍ନ ଏବଂ  ଦକ୍ଷତା ରଖୁଥିବା  ଆଇଟି ବୃତ୍ତିଧାରୀ ଅନୁଷ୍ଠାନଗୁଡିକ ପାଇଁ ମୂଳପୁଞ୍ଜି ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମ ତଥା ରାଜ୍ୟ କର୍ମଚାରୀ ରାଜ୍ୟ ବୀମା ବିଭାଗ  କମିଶନର ତଥା ଶାସନ ସଚିବ ସନ୍ଥନାଗୋପାଳନ ଆର. ଯୋଗଦେଇ ନାଗରିକମାନଙ୍କୁ ସେବା ଯୋଗାଇବାରେ ନୂତନ ଜ୍ଞାନ କୌଶଳ ତଥା କୃତିମ ବୁଦ୍ଧିମତା, ବ୍ଳକଚେନ, ଭରଚୁଆଲ ରିଅଲିଟି ଆଦି ଉପରେ ଆଲୋକପାତ କରିଥିଲେ।

ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ଯୋଗଦେଇ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏନଆଇସିର ଭୂମିକା ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ୍ ଜିଲ୍ଲାସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନ୍ଵୟନ, ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକରଣ, କଟକର ବାଲିଯାତ୍ରାରେ ସାଧାରଣ ଜନତାଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସଚେତନତା ଆଦି ପ୍ରଚେଷ୍ଟା ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପ୍ରଶଂସନୀୟ ଭୂମିକା ସଂପର୍କରେ ସେ ପ୍ରକାଶ କରିଥିଲେ। ଆସନ୍ତା ତିନି ଦିନରେ କୃଷି, ପରିବହନ, ରାଜସ୍ୱ ଆଦି ବିଭିନ୍ନ ବିଭାଗର ପ୍ରକଳ୍ପ ଉପରେ ବିଭିନ୍ନ ଆଲୋଚନା ରହିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏନ. ଆଇ. ସି. ଓଡିଶାର ମୁଖ୍ୟ ପ୍ରକଳ୍ପ ଗୁଡିକର ଏକ ବାର୍ଷିକ  କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡଃ. ରାମକୃଷ୍ଣ ଦାଶ, ଏନଆଇସିର  ଉପ ମହାନିର୍ଦ୍ଦେଶକ ଓ ଜୟନ୍ତ  କୁମାର ମିଶ୍ର, ଦକ୍ଷତା ବିକାଶ ବିଭାଗ ମୁଖ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱରର ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିିତ ହୋଇଯାଇଛି। ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ନୀତିର ପ୍ରାଦୁର୍ଭାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଏହି ସମ୍ମିଳନୀ କରାଯାଇଛି।

ସର୍ବଭାରତୀୟ ସାଧାରଣ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର, ଉପସଭାପତି ଡ. ସୁକାନ୍ତି ମିଶ୍ର ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ସଭାପତି ଭାବେ ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ରାଜ୍ୟ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ସମ୍ପାଦକ ଇଂ ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମସ୍ତ କର୍ମକର୍ତ୍ତା ସାଧୁତା ଓ ନିର୍ଭିକତା ଭାବରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ।

ଏହି ସମ୍ମିଳନୀରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜକ ବାଳକୃଷ୍ଣ ରାଉତ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ଚୌଧୁରୀ, ସମ୍ପାଦକ ମାନସ ଦାସ, ରାଜ୍ୟ ଉପସଭାପତି ଡ. ଶିବ ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଧୀରମୋହନ ରାୟ, ସମ୍ପାଦକ ଆଶୁତୋଷ ଦାସ, ପୁରୀ ଜିଲ୍ଲା ସଭାପତି ଦୀନମଣି ଦେବୀ, ବ୍ରହ୍ମପୁର ଜିଲ୍ଲା ସଭାପତି ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫେବୃୟାରୀ ୨୩ ଓ ୨୪ ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ

ଭୁବନେଶ୍ୱର: ୮ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ସ୍ଥାନୀୟ ଆଇଏନ୍‌ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଶ୍ରମିକନେତାମାନେ ଆହ୍ୱାନ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ ସରକାର ଯେଭଳି ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ଧ୍ୱଂସକାରୀ ନୀତି ଚଳାଇଛନ୍ତି, ତାହାକୁ ବନ୍ଦ କରିବା ପାଇଁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦୁଇଦିନ ଧରି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ସମ୍ମିଳନୀରେ ଭିତ୍ତିପତ୍ର ଉପସ୍ଥାପନ କରି ଆଇଏନ୍‌ଟିୟୁସିର ସଭାପତି ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ କହିଲେ ଯେ, ମୋଦି ସରକାରଙ୍କ ନୀତିଯୋଗୁ ଦେଶବାସୀଙ୍କର ଜୀବନ ଜୀବିକା ଏବଂ ଦେଶର ଅର୍ଥନୀତି ଧ୍ୱଂସମୁଖୀ ହୋଇଛି। ଆସନ୍ତା ସାଧାରଣ ଧର୍ମଘଟ ଜନଗଣଙ୍କର ଅଧିକାର କିମ୍ବା ଜୀବନ ଜୀବିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଦେଶର ଅର୍ଥନୀତି, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାମଗ୍ରିକ ଭାବେ ସମାଜକୁ ରକ୍ଷା କରିବାକୁ ଉଦ୍ଦିଷ୍ଟ।

ସିଆଇଟିୟୁ ସଭାପତି ସାଥୀ ଜନାର୍ଦ୍ଦନ ପତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦେଶର ଅନ୍ନଦାତା କୃଷକମାନେ ଆକ୍ରମଣରୁ ବାଦ୍ ପଡ଼ିନାହାଁନ୍ତି। ଦୀର୍ଘ ଏକବର୍ଷ ଧରି କୃଷକମାନେ ଯେଉଁ ଲଗାତର ଆନ୍ଦୋଳନ ଚଳାଇଲେ, ଏଥିପ୍ରତି ସମସ୍ତ ଶ୍ରମିକଶ୍ରେଣୀଙ୍କ ଓ ବିଜେପି ଦଳକୁ ଛାଡ଼ି ସମସ୍ତ ରାଜନୈତିକ ଦଳମାନେ ଯେପରି ସମର୍ଥନ ଜ୍ଞାପନ କଲେ, ମୋଦି ବାଧ୍ୟ ହୋଇ ତିନିକଳା କୃଷି ଆଇନକୁ ପ୍ରତ୍ୟାହାର କଲେ। ତେଣୁ ଆଗାମୀ ୨୩ ଓ ୨୪ ସାଧାରଣ ଧର୍ମଘଟରେ କୃଷକ ସଂଗଠନଗୁଡ଼ିକୁ ଶ୍ରମିକ ଆନ୍ଦୋଳନରେ ସାମିଲ କରି ଧର୍ମଘଟକୁ ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ୧୨ଦଫା ଦାବିକୁ ନେଇ ପ୍ରସ୍ତାବ ପାରିତ ହୋଇଥିଲା ଯାହାକି ଚାରୋଟି ଶ୍ରମକୋଡକୁ ବାତିଲ୍‌, କୃଷି ଆଇନ ବାତିଲ ପରବର୍ତ୍ତୀ ସଂଯୁକ୍ତ କିଷାନ ମୋର୍ଚ୍ଚାର ୬ ଦଫା ଦାବିକୁ ଗ୍ରହଣ, ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସମ୍ପଦ ମୁଦ୍ରାକରଣ ଯୋଜନା (ଏମ୍‌.ଏନ୍‌.ପି.) ବାତିଲ୍‌, ମନରେଗା କାର୍ଯ୍ୟଦିବସ ବୃଦ୍ଧି ସହ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ବିସ୍ତାରିତ କରିବା, ସ୍କିମ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ଓ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ, କୋଭିଡ଼ ମହାମାରୀ ସମୟରେ ଆଗଧାଡ଼ିର ଶ୍ରମିକମାନଙ୍କୁ ସୁରକ୍ଷା ଓ ବୀମା ବ୍ୟବସ୍ଥା, ଠିକାଶ୍ରମିକମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ ସମାନ କାମକୁ ସମାନ ମଜୁରୀ ନୀତି ଲାଗୁ କରିବା ଆଦି ଦାବିକୁ ଅଂଶଗ୍ରହଣ କରିଥିବା ସାଥୀମାନେ ଦାବି କରିଥିଲେ।

ଏହି ସମ୍ମିଳନୀରେ ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଏନ୍‌ଟିୟୁସିର ମଦନ ମୋହନ ଧଳ, ଏଆଇଟିୟୁସି ନେତା ନାରାୟଣ ରେଡ଼ି, ଏଚ୍‌ଏମ୍‌ଏସ୍‌ର ଯୁଗଳ ନାୟକ, ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା, ଟିୟୁସିିିସିର ଜ୍ୟୋତି ରଞ୍ଜନ ମହାପାତ୍ର, ଏଲ୍‌ପିଏଫ୍‌ର ମନୋରଞ୍ଜନ ମହାରଣା ପ୍ରମୁଖଙ୍କୁ ନେଇଏକ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା। ଏଆଇଟିୟୁସିର ନେତା ଜୟନ୍ତ ଦାସ, ଏଚ୍‌ଏମ୍‌ଏସ୍‌ର କୃଷ୍ଣଚନ୍ଦ୍ର ମହାପାତ୍ର, ସିଆଇଟିୟୁର ଦୁଷ୍ମନ୍ତ ଦାସ, ଏଆଇଟିୟୁସି ନେତା ଜୟସେନ ମେହେର, ଏଆଇସିସିଟିୟୁ ନେତା ରାଧାକାନ୍ତ ସେଠି, ଟିୟୁସିସିର ନାରାୟଣ ଡ଼ାଳୁଆ, ଏଲ୍‌ପିଏଫ୍‌ର ବୀରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଫେବୃୟାରୀ ୨୩ ଓ ୨୪ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଜିଲ୍ଲା ଓ ଶିଳ୍ପାଞ୍ଚଳ ଅଞ୍ଚଳମାନଙ୍କରେ ଧର୍ମଘଟକୁ ସଫଳ କରିବା ପାଇଁ ବ୍ୟାପକ ଅଭିଯାନ ଚାଲୁ ରଖିବା ପାଇଁ ନାରୀନେତ୍ରୀ ପୁଷ୍ପା ଦାସ ଓ ସଂଯୁକ୍ତା ମହଲ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘରୋଇ ପରିଚାରିକାମାନଙ୍କ ଆଇନ୍ ପ୍ରଣୟନ ପାଇଁ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ନିର୍ମଳା ନିକେତନ ଦିଲ୍ଲୀ ତରଫରୁ ହୋଟେଲ କେଶରୀଠାରେ ଘରୋଇ ପରିଚାରିକା ମାନଙ୍କ ଆଇନ୍ ପ୍ରଣୟନ ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଥିଲେ ଯେ, ଘରୋଇ ପରିଚାରିକାମାନଙ୍କ ସମସ୍ୟା ଏକ ବଡ଼ ସମସ୍ୟା। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରି ଆଇନ ଯେଭଳି ଖୁବ୍ ଶୀଘ୍ର ପ୍ରଣୟନ କରାଯିବ, ସେଥିପାଇଁ ମାନ୍ୟବର ଶ୍ରମମନ୍ତ୍ରୀ ଏବଂ ଶ୍ରମ କମିଶନଙ୍କ ସହିତ ଆଲୋଚନା କରାଯାଇ ସମାଧାନ କରାଯିବ।

ନିର୍ମଳା ନିକେତନର ଲିଗାଲ ପରାମର୍ଶଦାତା ଶୁଭାଶିଷ ଭଟ୍ଟନଗର କହିଥିଲେ ଯେ, ସାରା ଦେଶରେ ଘରୋଇ ପରିଚାରିକା ମାନଙ୍କର ସମସ୍ୟା ଏକ ଜଟିଳ ରୂପ ଧାରଣ କରିଛି। ଯାହାଫଳରେ ଘରୋଇ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ବଢି ବଢି ଚାଲିଛି। ଏଥିରୁ ମୁକ୍ତି ମିଳିବାକୁ ହେଲେ ଆଇନ୍ ପ୍ରଣୟନ ଜରୁରୀ ଅଟେ।

ଏହି କାର୍ଯ୍ୟକ୍ରମକୁ କୋଅର୍ଡ଼ିନେଟର ଚିନ୍ମୟ ସାମଲ ପରିଚାଳନା କରିଥିବା ବେଳେ ବିଜ୍ଞାନୀ ସହଯୋଗ କରିଥିଲେ। ଏହା ବ୍ୟତୀତ ଓଡ଼ିଶାର ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜଗତସିଂହପୁର, ଭଦ୍ରକ, ଝାରସୁଗୁଡ଼ା, ଭୁବନେଶ୍ୱର, କଟକ ଓ ପୁରୀ ସମେତ ବହୁ ଜିଲ୍ଳାର ଘରୋଇ ପରିଚାରିକାମାନେ ଯୋଗ ଦେଇଥିଲେ।

ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ଘରୋଇ ପରିଚାରିକା ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ ସମ୍ମିଳନୀକୁ ପରିଚାଳନା କରିଥିବା ବେଳେ ପରିନତା, ମଞ୍ଜୁଲତା, ସୁଷମା, ସିଷ୍ଟର ସୋଫିଆ, ଲକ୍ଷ୍ମୀପ୍ରିୟା ମହାନ୍ତି, ସିଟୁର ରମେଶ ଚନ୍ଦ୍ର ଜେନା, ‘ଅକ୍ଷର’ର ସମ୍ପାଦକ ଅମୀୟ ପାଣ୍ଡବ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଏକ ସାତଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ରାଜ୍ୟ ସରକାରଙ୍କ ସହିତ ଘରୋଇ ପରିଚାରିକାମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସମାଧାନ କରାଯିବ। ଶେଷରେ ମଧୁସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।