Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଦ୍ଵାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବାଳକୃଷ୍ଣପୁର ଠାରେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଗଞ୍ଜାମ ଜିଲ୍ଲାର ମିଳିତ ଅନୁକୁଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସେବା ସମିତି ସଭାପତି କାହ୍ନୁ ଚରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଏମ.ଏ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକଙ୍କ ହିତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପଠାଉଥିବା ଟଙ୍କା କିପରି ପାଇବେ, କହିବା ସହ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଇ-ଶ୍ରମ କାର୍ଡ ଦ୍ଵାରା ବିନା ମୂଲ୍ୟରେ ଦୁଇ ଲକ୍ଷ ଟଙ୍କାର ବିମା ସହାୟତା ସରକାର ଯୋଗାଉଥିବା ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ବରିଷ୍ଠ ଶିକ୍ଷା ଅଧିକାରୀ ଦିଲୀପ କୁମାର ଶତପଥୀ ଯୋଗଦେଇ ଶ୍ରମିକ ମାନେ ବିଭିନ୍ନ କାର୍ଡ କରିବା ସହ ତାର ସଦୁପଯୋଗ କରି ଜନ୍ମ ଠାରୁ ମୃତ୍ୟ ପର୍ଯ୍ୟନ୍ତ ମିଳୁଥିବା ବିଭିନ୍ନ ସହାୟତା ରାଶି କିପରି ପାଇବେ ସେ ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭାର ଗଞ୍ଜାମ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ତ୍ରୀପାଠୀ ଶ୍ରମିକଙ୍କ ପାଇଁ ସରକାର କିଭଳି ନିଜକୁ ସେମାନଙ୍କ ଅତି ନିକଟତର ହେବେ ସେଥିପାଇଁ ପ୍ରତି ବ୍ଲକରେ ଜଣେ ଲେଖାଏ ସହାୟକ ଶ୍ରମ ଅଧିକାରୀ ନିଯୁକ୍ତି ଦେଇଛନ୍ତି। ସେ ବିଷୟରେ କହିବା ସହ ନିର୍ମାଣ ଶ୍ରମିକ ମାନେ ସେମାନଙ୍କ ପରିଚୟ ପତ୍ର ଠାରୁ ଆରମ୍ଭ କରି ଜନ୍ମ ସହାୟତା, ଶିକ୍ଷା ସହାୟତା, ବାହାଘର ସହାୟତା, ମୁତ୍ୟୁ କାଳୀନ ସହାୟତା ଭଳି ଅନେକ ସହାୟତା ମିଳୁଥିବା ତାଙ୍କ ବକ୍ତବ୍ୟ ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ଯକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ଶ୍ରେଣୀୟ ଶ୍ରମିକ ଭାଇ ଭଉଣୀ ମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ପୂର୍ବତନ ସରପଂଚ ନରସିଂହ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶୁଭମ ପାଇକ,ରାଜେଶ ଡାକୁଆ, ପଦ୍ମ ଚରଣ ଗୌଡ, କୁଞ୍ଜ ବିହାରୀ ଗୌଡ ଓ ଅନନ୍ତ ରାମ ସାହୁ ପ୍ରମୁଖ କାର୍ଯକ୍ରମକୁ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୀଳାଚଳ ଟାଟାକୁ ବିକ୍ରି ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ: କେନ୍ଦ୍ରୀୟ ଶ୍ରମିକ ସଂଗଠନ ମଳିତ ମଞ୍ଚ

ଭୁବନେଶ୍ୱର: ୮ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଆଇଏନ୍‌ଟିୟୁସି କାର୍ଯ୍ୟାଳୟଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ସେୱା ଓ ଏଲ୍‌ପିଏଫ୍‌ର ଶ୍ରମିକ ନେତାମାନେ ନୀଳାଚଳ ଇସ୍ପାତ କାରଖାନାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟାଟାକୁ ବିକ୍ରି କରିବାରେ ଦାୟୀ ବୋଲି ମତପ୍ରକାଶ କରିଛନ୍ତି। ନୀଳାଚଳ ଇସ୍ପାତର ସମ୍ପତ୍ତିକୁ ସଠିକ୍ ମୂଲ୍ୟାୟନ ନକରି ଶାଗମାଛ ଦରରେ ଟାଟାକୁ ୧୨ ହଜାର ୧୦୦କୋଟି ଟଙ୍କାରେ ବିକ୍ରି କରିବା ଏକ ଚଞ୍ଚକତା ବୋଲି ଶ୍ରମିକ ନେତାମାନେ କ୍ଷୋଭପ୍ରକାଶ କରିଛନ୍ତି।

ସରକାର ଶ୍ରମିକମାନଙ୍କ ସହିତ କୌଣସି ଆଲୋଚନା ନକରି ବିକ୍ରି କରିବା ଏକ ଲଜ୍ଜାଜନକ କଥା। ନୀଳାଚଳ ଇସ୍ପାତକୁ ରାଉରକେଲା ଷ୍ଟିଲପ୍ଲାଣ୍ଟ ସହିତ ମିଶାଇ ଏତେବଡ଼ କାରଖାନାକୁ ପୁର୍ନଜୀବିତ କରାଯାଇ ପାରିଥାନ୍ତା। ଏହା ନକରି କର୍ପୋରେଟମାନଙ୍କ ସ୍ୱାର୍ଥରେ ଉଭୟ ସରକାର ସାଲିସ୍ କରିଛନ୍ତି ଓ ଏହାକୁ ୮ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦୃଢ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇକରଣରୁ ଦୂରେଇ ରହି ରାଜ୍ୟ ସରକାର ଏହାକୁ ୩୯ ପ୍ରତିଶତ ଅଂଶଧନରେ ଚଳାଇଥାନ୍ତେ, ଓଡ଼ିଶାର ବହୁ ବେକାରୀ ଯୁବକ ନିଯୁକ୍ତିର ସୁଯୋଗ ପାଇଥାନ୍ତେି।

ଏହି ବୈଠକରେ ଆଇଏନ୍‌ଟିୟୁସିର ସଭାପତି ପାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, ଏଚ୍‌ଏମ୍‌ଏସ୍‌ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସିଟୁର ସଭାପତି ଜନାର୍ଦ୍ଦନ ପତି, ଏଆଇୟୁଟିୟୁସିର ନିରଞ୍ଜନ ମହାନ୍ତି, ଏଆସିସିଟିୟୁର ସଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଟିୟୁସିସିର ନେତା ଜ୍ୟୋତିରଞ୍ଜନ ମହାପାତ୍ର, ଏଲ୍‌ପିଏଫ୍‌ର ସଭାପତି ବିି.ପି. ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫେବୃୟାରୀ ୨୩ ଓ ୨୪ ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ

ଭୁବନେଶ୍ୱର: ୮ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ସ୍ଥାନୀୟ ଆଇଏନ୍‌ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଶ୍ରମିକନେତାମାନେ ଆହ୍ୱାନ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ ସରକାର ଯେଭଳି ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ଧ୍ୱଂସକାରୀ ନୀତି ଚଳାଇଛନ୍ତି, ତାହାକୁ ବନ୍ଦ କରିବା ପାଇଁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦୁଇଦିନ ଧରି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ସମ୍ମିଳନୀରେ ଭିତ୍ତିପତ୍ର ଉପସ୍ଥାପନ କରି ଆଇଏନ୍‌ଟିୟୁସିର ସଭାପତି ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ କହିଲେ ଯେ, ମୋଦି ସରକାରଙ୍କ ନୀତିଯୋଗୁ ଦେଶବାସୀଙ୍କର ଜୀବନ ଜୀବିକା ଏବଂ ଦେଶର ଅର୍ଥନୀତି ଧ୍ୱଂସମୁଖୀ ହୋଇଛି। ଆସନ୍ତା ସାଧାରଣ ଧର୍ମଘଟ ଜନଗଣଙ୍କର ଅଧିକାର କିମ୍ବା ଜୀବନ ଜୀବିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଦେଶର ଅର୍ଥନୀତି, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାମଗ୍ରିକ ଭାବେ ସମାଜକୁ ରକ୍ଷା କରିବାକୁ ଉଦ୍ଦିଷ୍ଟ।

ସିଆଇଟିୟୁ ସଭାପତି ସାଥୀ ଜନାର୍ଦ୍ଦନ ପତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦେଶର ଅନ୍ନଦାତା କୃଷକମାନେ ଆକ୍ରମଣରୁ ବାଦ୍ ପଡ଼ିନାହାଁନ୍ତି। ଦୀର୍ଘ ଏକବର୍ଷ ଧରି କୃଷକମାନେ ଯେଉଁ ଲଗାତର ଆନ୍ଦୋଳନ ଚଳାଇଲେ, ଏଥିପ୍ରତି ସମସ୍ତ ଶ୍ରମିକଶ୍ରେଣୀଙ୍କ ଓ ବିଜେପି ଦଳକୁ ଛାଡ଼ି ସମସ୍ତ ରାଜନୈତିକ ଦଳମାନେ ଯେପରି ସମର୍ଥନ ଜ୍ଞାପନ କଲେ, ମୋଦି ବାଧ୍ୟ ହୋଇ ତିନିକଳା କୃଷି ଆଇନକୁ ପ୍ରତ୍ୟାହାର କଲେ। ତେଣୁ ଆଗାମୀ ୨୩ ଓ ୨୪ ସାଧାରଣ ଧର୍ମଘଟରେ କୃଷକ ସଂଗଠନଗୁଡ଼ିକୁ ଶ୍ରମିକ ଆନ୍ଦୋଳନରେ ସାମିଲ କରି ଧର୍ମଘଟକୁ ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ୧୨ଦଫା ଦାବିକୁ ନେଇ ପ୍ରସ୍ତାବ ପାରିତ ହୋଇଥିଲା ଯାହାକି ଚାରୋଟି ଶ୍ରମକୋଡକୁ ବାତିଲ୍‌, କୃଷି ଆଇନ ବାତିଲ ପରବର୍ତ୍ତୀ ସଂଯୁକ୍ତ କିଷାନ ମୋର୍ଚ୍ଚାର ୬ ଦଫା ଦାବିକୁ ଗ୍ରହଣ, ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସମ୍ପଦ ମୁଦ୍ରାକରଣ ଯୋଜନା (ଏମ୍‌.ଏନ୍‌.ପି.) ବାତିଲ୍‌, ମନରେଗା କାର୍ଯ୍ୟଦିବସ ବୃଦ୍ଧି ସହ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ବିସ୍ତାରିତ କରିବା, ସ୍କିମ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ଓ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ, କୋଭିଡ଼ ମହାମାରୀ ସମୟରେ ଆଗଧାଡ଼ିର ଶ୍ରମିକମାନଙ୍କୁ ସୁରକ୍ଷା ଓ ବୀମା ବ୍ୟବସ୍ଥା, ଠିକାଶ୍ରମିକମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ ସମାନ କାମକୁ ସମାନ ମଜୁରୀ ନୀତି ଲାଗୁ କରିବା ଆଦି ଦାବିକୁ ଅଂଶଗ୍ରହଣ କରିଥିବା ସାଥୀମାନେ ଦାବି କରିଥିଲେ।

ଏହି ସମ୍ମିଳନୀରେ ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଏନ୍‌ଟିୟୁସିର ମଦନ ମୋହନ ଧଳ, ଏଆଇଟିୟୁସି ନେତା ନାରାୟଣ ରେଡ଼ି, ଏଚ୍‌ଏମ୍‌ଏସ୍‌ର ଯୁଗଳ ନାୟକ, ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା, ଟିୟୁସିିିସିର ଜ୍ୟୋତି ରଞ୍ଜନ ମହାପାତ୍ର, ଏଲ୍‌ପିଏଫ୍‌ର ମନୋରଞ୍ଜନ ମହାରଣା ପ୍ରମୁଖଙ୍କୁ ନେଇଏକ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା। ଏଆଇଟିୟୁସିର ନେତା ଜୟନ୍ତ ଦାସ, ଏଚ୍‌ଏମ୍‌ଏସ୍‌ର କୃଷ୍ଣଚନ୍ଦ୍ର ମହାପାତ୍ର, ସିଆଇଟିୟୁର ଦୁଷ୍ମନ୍ତ ଦାସ, ଏଆଇଟିୟୁସି ନେତା ଜୟସେନ ମେହେର, ଏଆଇସିସିଟିୟୁ ନେତା ରାଧାକାନ୍ତ ସେଠି, ଟିୟୁସିସିର ନାରାୟଣ ଡ଼ାଳୁଆ, ଏଲ୍‌ପିଏଫ୍‌ର ବୀରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଫେବୃୟାରୀ ୨୩ ଓ ୨୪ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଜିଲ୍ଲା ଓ ଶିଳ୍ପାଞ୍ଚଳ ଅଞ୍ଚଳମାନଙ୍କରେ ଧର୍ମଘଟକୁ ସଫଳ କରିବା ପାଇଁ ବ୍ୟାପକ ଅଭିଯାନ ଚାଲୁ ରଖିବା ପାଇଁ ନାରୀନେତ୍ରୀ ପୁଷ୍ପା ଦାସ ଓ ସଂଯୁକ୍ତା ମହଲ ମତପ୍ରକାଶ କରିଥିଲେ।