Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମମତା ବାନାର୍ଜୀଙ୍କୁ କାହିଁକି ଛେନାପୋଡ ଉପହାର ଦେଲେ ନବୀନ, ଜାଣନ୍ତୁ କାରଣ

ଭୁବନେଶ୍ବର: ଗତକାଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଉଭୟ ପକ୍ଷରୁ କୁହାଯାଇଛି। ତେବେ ରାଜନୈତିକ ମହଲରେ ଏହା କେତେ ଗୁରୁତ୍ବ ତାହା ଭିନ୍ନ କଥା। ହେଲେ ଏହି ଭେଟଘାଟକୁ ନେଇ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି।

ମମତାଙ୍କ ସାକ୍ଷାତ ବେଳେ ନବୀନ ତାଙ୍କୁ ଭଲ ଉପହାର ଦେବାକୁ ନେଇ ମଧ୍ୟ ଚର୍ଚ୍ଚାରୁ ବାଦ ପଡି ନାହିଁ। ଗତକାଲି ମମତାଙ୍କୁ ନବୀନ ପ୍ରଥମେ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରି ସ୍ବାଗତ କରିଥିଲେ। ଏହାପରେ ସେ ତାଙ୍କୁ ତାରକସି କାମର ଏକ ଉପହାର ମଧ୍ୟ ପ୍ରଦାନ କରିଥିଲେ। ସେହିପରି ହକି ଜର୍ସି ମଧ୍ୟ ମମତାଙ୍କୁ ନବୀନ ଉପହାର ଦେଇଥିଲେ।

ତେବେ ଯେଉଁ ଉପହାର ନେଇ ଚର୍ଚ୍ଚା ଚାଲିଛି ତାହା ହେଲା ଛେନାପୋଡ। ନବୀନ ମମତାଙ୍କୁ ଓଡିଶାର ଛେନାପୋଡକୁ ସୁନ୍ଦର ପ୍ୟାକେଟ କରି ଉପହାର ଦେଇଥିଲେ। ଟେବୁଲ ଉପରେ ଏହି ଛେନାପୋଡ ରଖାଯାଇଥିଲା। ନବୀନ ମମତାଙ୍କୁ କହିଥିଲେ ଏହା ହେଉଛି ଛେନାପୋଡ, ଆପଣଙ୍କ ପାଇଁ। ଏହା ଶୁଣିବା ପରେ ମମତା ଓଃ.. କରି ଖୁସିରେ ହସିଥିଲେ।

ତେବେ ମମତାଙ୍କୁ ନବୀନ ଏହି ଛେନାପୋଡ ଉପହାର ଦେବା ପଛରେ ଏକ କାରଣ ରହିଛି। ତାହା ହେଲା ମମତା ଯେଉଁଦିନ ଭୁବନେଶ୍ବରରେ ଆସିଥିଲେ ସେ ନବୀନଙ୍କ ପାଇଁ ଉପହାର ଆଣିଥିଲେ। ତାହା ଥିଲା ବେଙ୍ଗଲ ରସଗୋଲା। ସେ ଏୟାରପୋର୍ଟରୁ ସିଧା ନବୀନ ନିବାସକୁ ଏହି ବେଙ୍ଗଲ ରସଗୋଲା ପଠାଇ ପୁରୀ ଯାଇଥିଲେ।

ନବୀନ ଏହି ରସଗୋଲା ପାଇବା ପରେ ସେ ନିଷ୍ପତି କରିଥିଲେ ଯେ, ମମତାଙ୍କୁ ମଧ୍ୟ କିଛି ମିଠା ଉପହାର ପ୍ରଦାନ କରିବେ। ସେଥିପାଇଁ ସେ ଭୁବନେଶ୍ବରରୁ ଭଲ ଛେନାପୋଡ ମଗାଇବା ପାଇଁ କହିଥିଲେ। ସେହି ହିସାବରେ ଗତକାଲି ମମତାଙ୍କ ପାଇଁ ସୁନ୍ଦର ପ୍ୟାକେଟ ଭିତରେ ଓଡିଶାର ଛେନାପୋଡ ପ୍ରଦାନ କରାଯାଇଥିଲା।

ସାଧାରଣତଃ ଅତିଥୀମାନେ କାହା ଘରକୁ ଆସିଲେ କିଛି ମିଠା ନେଇ ଆସିବା ପରଂପରା ରହିଛି। ଏହି ପରଂପରାକୁ ମମତା ବେଶ ଭଲ ଭାବରେ ପାଳନ କରିଆସୁଛନ୍ତି। ସେଥିପାଇଁ ସେ ନବୀନଙ୍କ ପାଇଁ ରସଗୋଲା ଆଣିଥିଲେ। ଆଉ ଫେରସ୍ତ ଉପହାର ସ୍ବରୂପ ନବୀନ ଏହି ଛେନାପୋଡ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀରେ ବିଶ୍ବ ବଂଗ ଭବନ ନିର୍ମାଣ ପାଇଁ ଦୁଇ ଏକର ଜମି ମମତାଙ୍କୁ ଭେଟି ଦେଲେ ନବୀନ

ଭୁବନେଶ୍ବର: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ।

ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର ଦେଇଥିଲେ। ଏହି ଅବସରରେ ପଶ୍ଚିମ ବଙ୍ଗ ଜନସାଧାରଣ ଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଏକର ଜମି ଉପହାର୍ ସ୍ଵରୂପ ଦେଇଥିଲେ।

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ।

ଭୁବନେଶ୍ବର ରେ ଗତ ୨୧ ତାରିଖ ଦିନ ପହଂଚିବା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ। ଉଭୟ ନେତା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟ ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଗତ ୨୧ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥ ଦର୍ଶନ କଲେ ମମତା ବାନାର୍ଜୀ, ବ୍ରାହ୍ମଣଙ୍କୁ ଦେଲେ ଭୋଜନ ଦକ୍ଷିଣା

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମନ୍ଦିର ନିକଟରେ ପହଞ୍ଚିବା ପରେ ସିଂହଦ୍ବାରରେ ତାଙ୍କୁ ସେବାୟତ ତଥା ପୁରୀ ପ୍ରଶାସନ ତରଫରୁ ସ୍ଗାଗତ କରାଯାଇଥିଲା। ତାଙ୍କୁ ଜଗନ୍ନାଥଙ୍କ ପାଟବସ୍ତ୍ର ଉପହାର ଦେଇ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା।

ସେ ମନ୍ଦିର ଭିତରେ ପ୍ରାୟ ଏକ ଘଣ୍ଟା ଧରି ରହିଥିଲେ। ସେ ରତ୍ନସିଂହାସନ ନିକଟରେ ରହି ଶ୍ରୀଜୀୟୁଙ୍କ ଦର୍ଶନ କରିବା ସହିତ ପୂଜାପାଠ କରିଥିଲେ। ଏହାପରେ ସେ ମନ୍ଦିର ଭିତରେ ଥିବା ପାର୍ଶ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ମମତାଙ୍କ ନାମରେ ବାରହାତର ଏକ ପତକା ଶ୍ରୀମନ୍ଦିର ନୀଳଚକ୍ରରେ ବନ୍ଧା ଯାଇଥିଲା।

ଖୋଦ ମମତା ନିଜେ କୀର୍ତ୍ତନ ଚକଡାରେ ରହି ପତାକା ବନ୍ଧା ପର୍ବ ଦର୍ଶନ କରି ଭାବବିହ୍ବଳ ହୋଇପଡିଥିଲେ। ତାଙ୍କ ସହିତ ତାଙ୍କର କୂଳପୁରୋହିତ ସେବାୟତ ସମସ୍ତେ ମନ୍ଦିର ଦର୍ଶନ କରାଇଥିଲେ। ଏହାପରେ ମମତା ମନ୍ଦିର ମଧ୍ୟରେ ବ୍ରାହ୍ମଣମାନଙ୍କୁ ପ୍ରସାଦ ଖାଇବାକୁ ଦେବା ସହିତ ନିଜେ ମଧ୍ୟ ତାଙ୍କ ସହିତ ବସି ଖାଇଥିଲେ। ଶେଷରେ ବ୍ରାହ୍ମଣ ଏବଂ ସେବାୟତମାନଙ୍କୁ ଦକ୍ଷିଣା ପ୍ରଦାନ କରିଥିଲେ।

ସେ ମନ୍ଦିରରୁ ପ୍ରତ୍ୟାବର୍ତ୍ତ କରିବା ବେଳେ ତାଙ୍କୁ ଏକ ଜଗନ୍ନାଥ ମୂର୍ତ୍ତି ଏବଂ ଫଟୋଚିତ୍ର ସେବାୟତଙ୍କ ତରଫରୁ ପ୍ରଦାନ କରାଯାଇଥିଲା। ମମତା ମନ୍ଦିର ପ୍ରବେଶ ପୂର୍ବରୁ କିଛି ବାଟ ସେବାୟତଙ୍କ ଗହଣରେ ଚାଲିଚାଲି ସିଂହଦ୍ବାର ନିକଟକୁ ଆସିଥିଲେ। ତାଙ୍କର ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ଏହା ପୂର୍ବରୁ ଆଜି ମମତା ପୂର୍ବାହ୍ନରେ ପୁରୀରେ ହେବାକୁ ଥିବା ପଶ୍ଚିମବଂଗ ସରକାରଙ୍କ ଅତିଥୀ ଭବନ ଜାଗା ବୁଲି ଦେଖିଥିଲେ। ଏହି ଅତିଥୀ ଭବନ ସିପସରୁବାଲି ନିକଟସ୍ଥ ମଙ୍ଗଳା ମୁହାଣରେ କରାଯିବ ବୋଲି ନିଷ୍ପତି ହୋଇଛି। ଏହି ସମୟରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ପୁରୀ ଜିଲ୍ଲାପାଳ ସହିତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଆସନ୍ତାକାଲି ସେ ଭୁବନେଶ୍ବର ଫେରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ। ଏଥିରେ କୌଣସି ରାଜନୈତିକ ଆଲୋଚନା ନାହିଁ ବୋଲି ମମତା ପୁରୀ ସାମ୍ବାଦିକମାନଙ୍କୁ କହିଛନ୍ତି। ନବୀନଙ୍କ ସହିତ ଆଲୋଚନା ପରେ ସେ କୋଲକାତା ଫେରିଯିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ମନ୍ତ୍ରୀ ତୁଶାରକାନ୍ତି କଲେ ସ୍ବାଗତ

ଭୁବନେଶ୍ବର: ଆଜି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜି ତିନିଜିନଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଓଡିଶାର କ୍ରୀଡା ଓ ଯୁବ କଲ୍ୟାଣ ତଥା ଗୃହ ରାଜ୍ୟମନ୍ତ୍ରୀ ତୁଶାରକାନ୍ତି ବେହେରା ସ୍ବାଗତ କରିଥିଲେ। ଏହାପରେ ସେ ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ।

ମମତା ଆଜି ପୁରୀରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ଶ୍ରୀମନ୍ଦିର ଗସ୍ତ କରି ଜଗନ୍ନାଥ ଦର୍ଶନ କରିବେ। ମନ୍ଦିରରେ ସେ ମା ଲକ୍ଷ୍ମୀ ଏବଂ ବିମଳାଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସେ ମଧ୍ୟ ପୁରୀରେ ରାତ୍ରୀ ଯାପନ କରିବା ପରେ ଗୁରୁବାର ଦିନ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ସେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ କୋଲକାତା ଫେରିଯିବେ।

Categories
ବିଶେଷ ଖବର

ନୂତନ ସାମ୍ମୁଖ୍ୟ ଗଠନ କଲେ ମମତା ଏବଂ ଅଖିଳେଶ, ନବୀନ ପଟ୍ଟନାୟକଙ୍କ ସହ ହୋଇପାରେ ଆଲୋଚନା

କୋଲକାତା:  ଆଜି କୋଲକାତାରେ ମମତା ବାନାର୍ଜିଙ୍କ ବାସଭବନରେ ଦେଶରେ ଏକ ନୂଆ ସାମ୍ମୁଖ୍ୟ ପାଇଁ ବାଟ ଫିଟିଛି।  ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ସହ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହରେ ବିଜୁ ଜନତା ଦଳର ମୁଖ୍ୟ ଥିବା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବେ। ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବୃନ୍ଦୋପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି ଯେ, “ରାହୁଲ ଗାନ୍ଧୀ ବିଦେଶରେ ମନ୍ତବ୍ୟ ଦେଇଛନ୍ତି ଏବଂ ଯେପର୍ଯ୍ୟନ୍ତ ସେ କ୍ଷମା ମାଗିନାହାନ୍ତି, ସେପର୍ଯ୍ୟନ୍ତ ସଂସଦ କାର୍ଯ୍ୟ ଚାଲିବାକୁ ବିଜେପି ଅନୁମତି ଦେବ ନାହିଁ।

ଏହାର ଅର୍ଥ ସେମାନେ କଂଗ୍ରେସକୁ ବ୍ୟବହାର କରି ସଂସଦ ଚଳାଇବାକୁ ଚାହୁଁନାହାଁନ୍ତି।” ରାହୁଲ ଗାନ୍ଧୀ ବିରୋଧୀ ଦଳର ଚେହେରା ହୁଅନ୍ତୁ ବୋଲି ବିଜେପି ଚାହୁଁଛି। ଯାହାକି ଏହା ବିଜେପିକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀଙ୍କ ପଦବୀ ସ୍ଥିର କରିବାର କୌଣସି ଆବଶ୍ୟକତା ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କଂଗ୍ରେସ ମୁଖପାତ୍ର ଗିରଫ: ମମତା ବାନାର୍ଜୀଙ୍କ ବିରୋଧରେ ଦେଇଥିଲେ ଅପମାନଜନକ ମନ୍ତବ୍ୟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଆଜି ସକାଳେ ପଶ୍ଚିମବଙ୍ଗ କଂଗ୍ରେସ ମୁଖପାତ୍ର କୌସ୍ତବ ବାଗଚିଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସହରର ବର୍ଟୋଲା ପୋଲିସ ଷ୍ଟେସନର ଏକ ବଡ଼ ଦଳ ଭୋର ପ୍ରାୟ ୩.୩୦ ସମୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲାର ବାରାକପୋରରେ ଥିବା ବାଗିଚିଙ୍କ ବାସଭବନରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପାଇଁ ଶୁକ୍ରବାର ଦିନ ବାର୍ଟୋଲା ପୋଲିସ ଷ୍ଟେସନରେ ବାଗିଚିଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଆମେ କୌସ୍ତବ ବାଗଚିଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛୁ।

ଗିରଫ ପରେ ବାଗଚିଙ୍କୁ ବର୍ଟୋଲା ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ପାର୍ଟି କର୍ମଚାରୀମାନେ ପୋଲିସ ଷ୍ଟେସନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇପିସିର ଧାରା ୧୨୦(ଖ) (ଅପରାଧିକ ଷଡଯନ୍ତ୍ର), ୫୦୪ (ଶାନ୍ତି ଉଲ୍ଲଂଘନ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ), ୫୦୬ (ଅପରାଧିକ ଭୟ) ଏବଂ ଅନ୍ୟାନ୍ୟ ଧାରା ସାମିଲ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ମମତା ପାଇଁ ଅଧିକ କଷ୍ଟସାଧ୍ୟ ହେବାକୁ ଯାଉଛି ୨୦୨୪, ଛଅ ମାସରେ NDA ର ବଦଳିଛି ଚିତ୍ର, ଦେଖନ୍ତୁ ସର୍ଭେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ମାତ୍ର ଏକ ବର୍ଷ ବାକି ଅଛି। ସମସ୍ତ ଦଳ ନିଜ ରଥକୁ ନିର୍ବାଚନ ଯୁଦ୍ଧକ୍ଷେତ୍ର ଆଡକୁ ମୁହାଁଇଛନ୍ତି। ପିଏମ ମୋଦୀଙ୍କ ନେତୃତ୍ୱରେ ଏନଡିଏ ତୃତୀୟ ଥର ପାଇଁ ଜିତିବାକୁ ଚେଷ୍ଟା କରୁଛି, ତେଣୁ ପ୍ରଧାନମନ୍ତ୍ରୀ ହେବାକୁ ଆଶା କରୁଥିବା ଅନେକ ଚେହେରା ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି। ମମତା ବାନାର୍ଜୀଙ୍କ ନାମ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ସମୟରେ ଏକ ସର୍ଭେ ଆସିଛି, ଯାହାର ଫଳାଫଳ ମମତା ବାନାର୍ଜୀଙ୍କ ଆଶାକୁ ଏକ ଝଟକା ଲାଗିପାରେ।

ସି ଭୋଟର ଏବଂ ଇଣ୍ଡିଆ ଟୁଡେ ନିକଟରେ ଏକ ସର୍ଭେ କରିଛନ୍ତି, ଯେଉଁଥିରେ ଦେଶର ମୁଡ ଜାଣିବାକୁ ଚେଷ୍ଟା କରାଯାଇଛି। ଏହି ସର୍ଭେରେ ସାରା ଦେଶରେ ୧.୩୯ ଲକ୍ଷରୁ ଅଧିକ ଲୋକ ଭାଗ ନେଇଥିବା ଦାବି କରାଯାଇଛି। ସର୍ଭେର ଫଳାଫଳ ମମତା ବାନାର୍ଜୀଙ୍କ ପାଇଁ ଖରାପ ଖବର ଆଣିଛି। ସର୍ଭେ ଅନୁଯାୟୀ ରାଜ୍ୟରେ ଏନଡିଏ ଆସନ ବୃଦ୍ଧି ପାଉଛି। ମାତ୍ର ୬ ମାସ ମଧ୍ୟରେ ରାଜ୍ୟର ସମ୍ପୂର୍ଣ୍ଣ ଚିତ୍ର ବଦଳି ଯାଇଛି।

ପଶ୍ଚିମବଙ୍ଗ ପାଇଁ କଣ କହୁଛି ସର୍ଭେ?:

ପଶ୍ଚିମବଙ୍ଗରେ ୪୨ ଟି ଲୋକସଭା ଆସନ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ​​ଏନଡିଏ ଚମତ୍କାର ପ୍ରଦର୍ଶନ କରି ୧୮ ଟି ସିଟ୍ ଦଖଲ କରିଥିଲା। ଏଥି ସହ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟରେ ମାତ୍ର ୨୨ ଟି ସିଟ୍ ପାଇଥିଲା। ଜାନୁଆରୀ ୨୦୨୩ ରେ ଆସିଥିବା ସଦ୍ୟତମ ସର୍ଭେରେ, ଏନଡିଏ ସିଟ୍ ବଢୁଥିବା ଦେଖାଯାଉଛି।

ସର୍ବେକ୍ଷଣ ଅନୁଯାୟୀ ପଶ୍ଚିମବଙ୍ଗରେ ଏନଡିଏ ୨୦ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ମାତ୍ର ୬ ମାସ ପୂର୍ବରୁ କରାଯାଇଥିବା ସର୍ଭେରେ ବିଜେପି ରାଜ୍ୟରେ ଦୁଇ ଅଙ୍କ ଛୁଇଁ ନଥିଲା। ଅଗଷ୍ଟ ୨୦୨୨ ରେ ସମାନ ଏଜେନ୍ସି ଏହି ସର୍ଭେ କରିଥିଲା। ସେତେବେଳେ ଏନଡିଏକୁ ମାତ୍ର ୭ ଟି ସିଟ୍ ମିଳିବ ବୋଲି ଆକଳନ କରାଯାଇଥିଲା।

ମମତାଙ୍କ ପାଇଁ ବିପଦର ଘଣ୍ଟି:

ଏହି ସର୍ଭେରେ ଏନଡିଏ ସିଟ୍ କିପରି ବୃଦ୍ଧି ପାଇଛି, ଏହା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ବିପଦ ସଙ୍କେତ ଅଟେ। ୨୦୨୧ ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​ଟିଏମସି ଏକପାଖିଆ ଜିତିଥିଲା। ରାଜ୍ୟର ୨୮୪ ଟି ସିଟ୍ ମଧ୍ୟରୁ ୨୧୧ ଟି ସିଟ୍ ଟିଏମସି ଖାତାକୁ ଯାଇଥିଲା। ଯଦି ଆପଣ ସଦ୍ୟତମ ସର୍ବେକ୍ଷଣକୁ ଦେଖନ୍ତି, ଲୋକସଭା ନିର୍ବାଚନରେ ​​ଟିଏମସିର ଲୋକପ୍ରିୟତା ହ୍ରାସ ପାଇଛି ଏବଂ ଲୋକଙ୍କ ବିଜେପି ପ୍ରତି ଆଗ୍ରହ ବୃଦ୍ଧି ପାଇଛି।

ମମତା ବାନାର୍ଜୀଙ୍କ ପାଇଁ ଏହା ଏକ ଆରାମଦାୟକ ବିଷୟ ଯେ, ତାଙ୍କୁ ବିରୋଧୀ ଦଳର ନେତା ଭାବରେ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜାନୁଆରୀ ୨୦୨୨ ସର୍ଭେରେ ୧୭ ପ୍ରତିଶତ ଲୋକ ମମତା ବାନାର୍ଜୀ ବିରୋଧୀ ଦଳର ନେତା ହେବାର ସମ୍ଭାବନା ଦେଖିଥିଲେ, ଯାହାକି ଗୋଟିଏ ବର୍ଷ ପରେ ଜାନୁଆରୀ ୨୦୨୩ ରେ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି।

ସର୍ବେକ୍ଷଣ ଅନୁଯାୟୀ ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ତେବେ ୨୯୮ ଟି ଆସନ ସହିତ ଏନଡିଏ ସରକାର ଗଠନ ହେବ। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୫୩ ଟି ଆସନ ପାଉଥିବାବେଳେ ଅନ୍ୟ ଦଳଗୁଡିକ ୯୨ ଟି ସିଟ୍ ପାଇବେ ବୋଲି ଆକଳନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବଙ୍ଗଳାରେ ନୁହେଁ ବିହାରରେ ଫିଙ୍ଗାଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଉକ୍ତ ଟ୍ରେନ ଉପରକୁ ଥରେ ନୁହେଁ ଦୁଇ ଦୁଇ ଥର ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଯାହାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଜି ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସରେ ଫୋପାଡାଯାଇଥିବା ପଥର ପଶ୍ଚିମବଙ୍ଗରେ ନୁହେଁ ବରଂ ପଡୋଶୀ ରାଜ୍ୟ ବିହାରରୁ ହୋଇଛି। ରାଜ୍ୟକୁ ବଦନାମ କରିବା ପାଇଁ ଯେଉଁ ଗଣମାଧ୍ୟମରେ ଏହା ପ୍ରକାଶ କରାଯାଇଛି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଯେ, “ଗତ ତିନି ଦିନ ଧରି ଅନେକ ନ୍ୟୁଜ୍ ଚ୍ୟାନେଲ ବଙ୍ଗଳାକୁ ବଦନାମ କରିଛି। ଭୁଲ ଖବର ପ୍ରଚାର କରି ସେମାନେ ବଙ୍ଗଳାକୁ ଅପମାନିତ କରିଛନ୍ତି। ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବଙ୍ଗଳାରେ ଘଟିନାହିଁ, ଏଭଳି ଘଟଣା ବିହାରରେ ଘଟିଛି। ”

ସେ କହିଛନ୍ତି ଯେ, “ବନ୍ଦେ ଭରତ କିଛି ବିଶେଷ ନୁହେଁ। ଏହା ସମାନ ପୁରୁଣା ରଙ୍ଗୀନ ଟ୍ରେନ୍, କେବଳ ଇଞ୍ଜିନ୍ ନୂତନ ଅଟେ। ପ୍ରକାଶ ଯେ, ହାୱାଡା-ନିୟୁ ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯିବାର କିଛି ଘଣ୍ଟା ପରେ ଏହା ଉପରକୁ ପଥର ଫିଙ୍ଗାଯାଇଥିଲା।

ପୂର୍ବ ରେଳ ବିବୃତ୍ତି ଅନୁଯାୟୀ ରେଳବାଇ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବିହାରରେ ମଧ୍ୟ ଏଭଳି ଘଟଣା ଘଟିଛି। ରେଳ ଅଧିକାରୀ ଗୁରୁବାର ଦିନ ଦାବି କରିଛନ୍ତି ଯେ, ଯେଉଁମାନେ ଟ୍ରେନରେ ପଥର ଫିଙ୍ଗିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅମିତ ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ ଏବଂ ବିଏସଏଫ ମଧ୍ୟରେ ବିତର୍କ: ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକ ଚାଲିଛି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ସିକ୍କିମର ମୁଖ୍ୟମନ୍ତ୍ରୀ କିମ୍ବା ସେମାନଙ୍କ ପ୍ରତିନିଧୀମାନେ ଅଂଶଗ୍ରହଣ କରିଛନ୍ତି। ଏହି ସଭାରେ ବିଏସ୍ଏଫ୍ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ବୈଠକରେ ସୀମା ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ବିତର୍କ ହୋଇଛି।

Categories
Christmas22 ଆଜିର ଖବର ଜାତୀୟ ଖବର

ଖ୍ରୀଷ୍ଟମାସ ପୂର୍ବରୁ କେକ କାଟି ଉତ୍ସବ ପାଳନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Christmas: ଆଉ ଅଳ୍ପଦିନ ପରେ ସାରା ପୃଥିବୀରେ ପାଳନ ହେବ ଖ୍ରୀଷ୍ଟମାସ। ଏହି ପର୍ବ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କର ଏକ ବଡ ପର୍ବ। ଏହି ଦିନକୁ ସବୁ ଖ୍ରୀଷ୍ଟିଆନମାନେ ଅପେକ୍ଷା କରି ରହିଥାନ୍ତି। ତେବେ ଏହି ପବିତ୍ର ଦିନର ପୂର୍ବରୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେକ କାଟି ଖ୍ରୀଷ୍ଟମାସ ପାଳନ କରିଛନ୍ତି।

ମମତା ସିଲୋଙ୍ଗରେ ଏକ ହୋଟେଲ ପକ୍ଷରୁ ଆୟୋଜିତ କେକ କଟା ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ପିଲାମାନଙ୍କ ଗହଣରେ କେକ କାଟି ଉତ୍ସବ ପାଳନ କରିଥିଲେ। ଏହି ଉପଲକ୍ଷେ ସେ ବିଶ୍ବବାସୀଙ୍କ ପାଇଁ ଶାନ୍ତିର ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି।

ମମତା ପିଲାମାନଙ୍କ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ଏହି ଉପଲକ୍ଷେ ସେ ଏକ ଖ୍ରୀଷ୍ଟମାନ ଟ୍ରି ସ୍ଥାପନ କରିବା ସହିତ ପିଲାମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଡିସେମ୍ବର 21 ତାରିଖରେ ଆମ ସରକାର ଏକ ଖ୍ରୀଷ୍ଟମାସ ପାଳନ ଉତ୍ସବର ଆୟୋଜନ କରୁଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟ୍ବିଟ ମହଙ୍ଗା ପଡିଲା!: ଟିଏମସି ନେତାଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ଘନିଷ୍ଠ ସାକେତ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଛି। ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ସାକେତ ଗୋଖଲେ ସୋମବାର ରାତି ୯ ଟାରେ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ, ଯେତେବେଳେ ସେ ଜୟପୁରରେ ଅବତରଣ କରିଥିଲେ, ଗୁଜୁରାଟ ପୋଲିସ ତାଙ୍କୁ ଜୟପୁର ବିମାନବନ୍ଦରରେ ଅପେକ୍ଷା କରିଥିଲା ​​ଏବଂ ସେଠାରୁ ଉଠାଇ ନେଇଥିଲା।

ସଂସଦର ସଦସ୍ୟ ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ନ ୨ ଟାରେ ସାକେତ ଗୋଖଲେ ତାଙ୍କ ମା’ଙ୍କୁ ପୋଲିସ ଅହମ୍ମଦାବାଦ ନେଉଥିବାର କହିଥିଲେ। ପୋଲିସ ତାଙ୍କୁ ଦୁଇ ମିନିଟର ଫୋନ୍ କଲ କରିବାକୁ ଦେଇଥିଲା। ତା’ପରେ ଫୋନ୍ ଏବଂ ସମସ୍ତ ସାମଗ୍ରୀ ଜବତ କରାଯାଇଛି।

ମୋର୍ବି ବ୍ରିଜ ଭୁଶୁଡ଼ିବା ଉପରେ ସାକେତଙ୍କ ଟ୍ୱିଟକୁ ନେଇ ଅହମ୍ମଦାବାଦ ସାଇବର ସେଲ ସହ ମିଳିତ ଭାବେ ଏକ ମାମଲା ରୁଜୁ ହୋଇଛି। ସାଂସଦ ଡେରେକ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ଏବଂ ବିରୋଧୀଙ୍କୁ ନୀରବ କରିପାରିବେ ନାହିଁ। ଭାରତୀୟ ଜନତା ପାର୍ଟି ରାଜନୈତିକ ପ୍ରତିଶୋଧକୁ ଅନ୍ୟ ସ୍ତରକୁ ନେଇଯାଉଛି।

ବାସ୍ତବରେ, ଏହି ପୂରା ବିବାଦର ମୂଳ ହେଉଛି ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କ ଅଭିଯୋଗ, ଯାହା ସେ ପିଏମ ମୋଦୀଙ୍କ ବିରୋଧରେ କରିଥିଲେ। ଏହା ପରେ ସାକେତ ଗୋଖଲେ ଆରଟିଆଇ ମାଧ୍ୟମରେ ଦାବି କରିଥିଲେ ଯେ, ମୋର୍ବି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵାଗତ, କାର୍ଯ୍ୟକ୍ରମ ପରିଚାଳନା ଏବଂ ଫଟୋଗ୍ରାଫି ପାଇଁ ୫.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟିଏମସି ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ, ସରକାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩୫ ଜଣଙ୍କ ପରିବାରକୁ ମାତ୍ର ଚାରି ଲକ୍ଷ କ୍ଷତିପୂରଣ ପ୍ରଦାନ କରିଥିବାବେଳେ ଏହା ମୋଟ ପାଞ୍ଚ କୋଟି ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପରିଚାଳନା ଖର୍ଚ୍ଚ ୧୩୫ ଜଣଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣଠାରୁ ଅଧିକ ଅଟେ।

Categories
ବିଶେଷ ଖବର

ମମତାଙ୍କୁ ବିଜେପିର ପାଲଟା ଆକ୍ରମଣ: ଶାହାରୁଖ ଖାନଙ୍କୁ ହଟାଇ ଗାଙ୍ଗୁଲିଙ୍କୁ କରାଯାଉ ବଙ୍ଗଳାର ଆମ୍ବାସାଡର

କଲିକତା: ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏବେ ପଶ୍ଚିମବଙ୍ଗରେ ରାଜନୀତି ଆରମ୍ଭ ହୋଇଛି। ଆଇସିସି ନିର୍ବାଚନରେ ​​ସୌରଭ ଗାଙ୍ଗୁଲିଙ୍କୁ ଅନୁମତି ଦେବାକୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ମମତାଙ୍କ ଏହି ଦାବି ଉପରେ ବିଜେପି ପାଲଟା ଆକ୍ରମଣ କରିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଆଧିକାରୀ ମମତା ବାନାର୍ଜୀଙ୍କୁ କ୍ରୀଡ଼ାରେ ରାଜନୀତି ନକରିବାକୁ କହିଛନ୍ତି।

ସୌରଭ ଗାଙ୍ଗୁଲିଙ୍କ କ୍ଷେତ୍ରରେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ବର୍ତ୍ତମାନ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ନାମ ମଧ୍ୟ ପ୍ରବେଶ କରିଛନ୍ତି। ଆଜି ସେ କହିଛନ୍ତି ଯେ, “ମମତା ବାନାର୍ଜୀ ଶାହରୁଖ ଖାନଙ୍କୁ ହଟାଇବା ଏବଂ ସୋରଭ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସାଡର ଭାବେ ପରିଣତ କରିବା ଉଚିତ୍। ଯଦି ମମତା ବାନାର୍ଜୀ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢାଇଇବାକୁ ଚାହାଁନ୍ତି, ତେବେ ସେ ସୋରଭ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସାଡର ଭାବେ ପରିଣତ କରିବା ଉଚିତ୍। କ୍ରୀଡ଼ାରେ ରାଜନୀତି କରନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଜିନିଷଠାରୁ ଦୂରେଇ ରୁହନ୍ତି। ”

ମମତା ବାନାର୍ଜୀ କ’ଣ କହିଥିଲେ?:

ମମତା ବାନାର୍ଜୀ କହିଥିଲେ ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଉ। ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ଜଣେ ଲୋକପ୍ରିୟ ବ୍ୟକ୍ତି, ତେଣୁ ତାଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ମମତା କହିଥିଲେ ଯେ, ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ରାଜନ ରାଜନୈତିକ ନିଷ୍ପତ୍ତି ନ ନିଅନ୍ତୁ, ବରଂ କ୍ରିକେଟ୍ ପାଇଁ ନିଷ୍ପତ୍ତି ନିଅନ୍ତୁ।

ବଙ୍ଗାଳ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ସୌରଭ ଗାଙ୍ଗୁଲିଙ୍କୁ ସଭାପତି ପଦରୁ ଭୁଲ ଭାବେ ହଟାଇ ଦିଆଯାଇଛି। ସେଥିପାଇଁ ମୁଁ ବହୁତ ଦୁଃଖିତ। ସୌରଭ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଏବଂ ସେ ଭାରତୀୟ ଦଳର ଅଧିନାୟକ ଥିଲେ। ସେ ଦେଶକୁ ବହୁତ କିଛି ଦେଇଛନ୍ତି। ସେ କେବଳ ବଙ୍ଗଳାର ଗର୍ବ ନୁହେଁ ବରଂ ଭାରତର ଗର୍ବ। ତାଙ୍କୁ ଏହିପରି ଭାବେ ବାହାର କରିଦେବା ଠିକ୍ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା: ୧୨ ଟି ସିଟ୍ ମଧ୍ୟରୁ ୧୧ ଟି ରେ ଜିତିଲା ବିଜେପି

କଲିକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା ଲାଗିଛି। ତୃଣମୂଳ କଂଗ୍ରେସର ଗଡ଼ ନନ୍ଦୀଗ୍ରାମରେ ସମବାୟ କୃଷି ସମିତି ନିର୍ବାଚନରେ ବିଜେପି ​​ଜିତିଛି। ଏହାପୂର୍ବରୁ ୨୦୨୧ ବେଙ୍ଗଲ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ଏହା ହେଉଛି ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀ। ଜଣେ ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ଭେକୁଟିଆ ସମବାୟ କୃଷି କମିଟିର ୧୨ ଟି ସିଟ୍ ମଧ୍ୟରୁ ବିଜେପି ଜିତିଥିବାବେଳେ ଗୋଟିଏ ଆସନ ତୃଣମୂଳ କଂଗ୍ରେସକୁ ଯାଇଛି। ରବିବାର ଦିନ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ସମୟରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

‘ମୋତେ ଗିରଫ କର’: ବିଜେପିକୁ ଚ୍ୟାଲେଞ୍ଜ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କଲିକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗକୁ ନେଇ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ମମତା ବାନାର୍ଜୀ ସୋମବାର ଏକ ରାଲିରେ କହିଛନ୍ତି ଯେ, “ନିର୍ବାଚିତ ସରକାରଗୁଡିକୁ ଭାଙ୍ଗିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) କେଉଁଠାରୁ ଟଙ୍କା ଆସୁଛି, ତାହା ଉତ୍ତର ଦେବା ଉଚିତ୍। ନିର୍ବାଚିତ ରାଜ୍ୟ ସରକାରଗୁଡିକୁ ହଟାଇବା ପାଇଁ କଳା ଟଙ୍କା ବ୍ୟବହାର କରାଯାଉଛି। ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡିକ ବ୍ୟବହାର କରାଯାଉଛି।”

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, “ବିଜେପି ନେତାମାନେ ‘ବେଟି ବାଚାଓ’ ବିଷୟରେ କହୁଛନ୍ତି, କିନ୍ତୁ ବିଲକିସ୍ ବାନୋ ମାମଲାରେ ଜଡିତ ଥିବା ଲୋକଙ୍କୁ ସେମାନଙ୍କ ସରକାର ଛାଡିଦେଇଛି। ଦୁର୍ନୀତି ଘଟିଛି ହେଉଛି। ଚାକିରି ବଦଳରେ ଟଙ୍କା ନେବା ସେମାନଙ୍କ ସଂସ୍କୃତି ରହିଛି।”

ସେ କହିଛନ୍ତି ଯେ, “ଏହି ମାମଲା ବିଚାରାଧୀନ ଅଟେ। ଆମେ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ କରିବାକୁ କୋର୍ଟରେ ଏପରି କୌଣସି ପ୍ରମାଣ ନାହିଁ। ତଥାପି ମିଡିଆ ପରୀକ୍ଷା ଚାଲିଛି ଏବଂ ସେମାନେ ଆମକୁ ଚୋର ବୋଲି କହୁଛନ୍ତି। ଏହା ସବୁ ଷଡଯନ୍ତ୍ର। ଗଣମାଧ୍ୟମକୁ ବିଶ୍ଵାସ କରନ୍ତୁ ନାହିଁ। ସେମାନେ ଆମ ନେତାଙ୍କ ପଛରେ ଅଛନ୍ତି। ମୋତେ ଗିରଫ କରିବା ପାଇଁ ମୁଁ ସେମାନଙ୍କୁ ଆହ୍ଵାନ କରୁଛି। ମୁଁ ଜେଲରୁ ଲଢିବି ଏବଂ ଜିତିବି। ଆପଣ ମୋତେ ନିୟନ୍ତ୍ରଣ କରିପାରିବେ ନାହିଁ।

ମହାରାଷ୍ଟ୍ର ସରକାର ଭାଙ୍ଗିବା ପାଇଁ କେଉଁଠୁ ଆସିଲା ଟଙ୍କା?:

ମମତା ବାନାର୍ଜୀ କହିଛନ୍ତି ଯେ, “ମହାରାଷ୍ଟ୍ର ସରକାର ଭାଙ୍ଗିବା ପାଇଁ ଆପଣ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? ଏହି ଟଙ୍କା କେଉଁଠୁ ଆସିଲା? ଆପଣ ଝାଡଖଣ୍ଡର ବିଧାୟକମାନଙ୍କୁ ଟଙ୍କା ପ୍ରଦାନ କରିଛନ୍ତି। ଆପଣ ଝାଡଖଣ୍ଡ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି। ଅରବିନ୍ଦ କେଜ୍ରିୱାଲ କୁହନ୍ତି, ତାଙ୍କ ବିଧାୟକମାନଙ୍କୁ ଟଙ୍କା ଅଫର ଦିଆଯାଇଛି। ବେଙ୍ଗଲରେ ସେମାନେ ଆମ ପଛରେ ଏଜେନ୍ସି ଲଗାଇଦେଇଛନ୍ତି। “

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ରାଜ୍ୟର ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ର ବକେୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଟ୍ୱିଟରରେ ଦୁହିଁଙ୍କ ସାକ୍ଷାତ ସମ୍ପର୍କିତ ଏକ ଚିତ୍ର ସେୟାର କରିଛି।

ମୁଖ୍ୟମନ୍ତ୍ରୀ ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟି ପାରନ୍ତି। ଏହାପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ବାନାର୍ଜୀ ଦିଲ୍ଲୀରେ ଦଳର ସାଂସଦଙ୍କୁ ଭେଟିଥିଲେ। ଏହି ସମୟରେ ସେ ସଂସଦର ବର୍ତ୍ତମାନର ଅଧିବେଶନ ଏବଂ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଗଷ୍ଟ ୭ ତାରିଖରେ NITI ଆୟୋଗର ବୈଠକରେ ଯୋଗଦେବେ। ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ NITI ଆୟୋଗର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ଯେଉଁଥିରେ କୃଷି, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା ହେବ।

ସୂତ୍ରରୁ ପ୍ରକାଶ ଯେ ଶନିବାର ଦିନ ଟିଏମସି, ଟିଆରଏସ ଏବଂ ଏଏପି ଭଳି ଅଣ କଂଗ୍ରେସ ବିରୋଧୀ ଦଳର ନେତାଙ୍କ ସହ ଏକ ବୈଠକ ମଧ୍ୟ ଧାର୍ଯ୍ୟ କରାଯାଇଛି। ମମତା ବାନାର୍ଜୀ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟି ପାରନ୍ତି। ସଂସଦର ବର୍ତ୍ତମାନର ମୌସୁମୀ ଅଧିବେଶନରେ ଏପରି ଅନେକ ଘଟଣା ଘଟିଛି, ଯେତେବେଳେ କଂଗ୍ରେସ ଏବଂ ଟିଏମସି ବିଭାଜିତ ହୋଇଥିବାର ଦେଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ମନ୍ତ୍ରୀମଣ୍ଡଳର ହେବ ବଡ ଧରଣର ଅଦଳବଦଳ, ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

କୋଲକାତା: ଆସନ୍ତାକାଲି ବୁଧବାରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଏକ ବଡ ଧରଣର ଅଦଳବଦଳ ହେବ। ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ନୂଆମନ୍ତ୍ରୀଙ୍କୁ ସାମିଲ ନ କଲେ ସବୁ କାମ ଏକା କରିବା ସମ୍ଭବ ନୁହେଁ। ସେଥିପାଇଁ କେତେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସହିତ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ।

ମମତା କହିଛନ୍ତି ଯେ ବର୍ତ୍ତମାନ ପାର୍ଥ ଚାଟାର୍ଜୀ ଇଡି ଦ୍ବାରା ଧରାପଡିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରାଯାଇଛି। ପୂର୍ବରୁ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କ ପରଲୋକ ହୋଇଯାଇଛି। ତେଣୁ ସବୁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଛି। ସେ ସବୁ କାମ ଏକକୀ କରିବା ସମ୍ଭବ ହୋଇପାରୁ ନ ଥିବାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ମମତା କହିଛନ୍ତି।

ସେହିପରି ସେ ସୂଚନା ଦେଇଛନ୍ତି ଯେ ପୁରା ମନ୍ତ୍ରୀ ମଣ୍ଡଳ ଭଙ୍ଗ କରିବାର କୌଣସି ଯୋଜନା ନାହିଁ। ସେପରି କରିବାର କିଛି ଆବଶ୍ୟକତା ପଡୁ ନାହିଁ। କାରଣ ବର୍ତ୍ତମାନ କେବଳ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି। ଆଉ ପୁରୁଣା ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ମମତା କହିଛନ୍ତି।

ଅନ୍ୟପକ୍ଷରେ ମମତା ଏହି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ଜିଲ୍ଲା ସଂଖ୍ୟା ବୃଦ୍ଧି ଘଟିଛି। ଅନେକ ଜିଲ୍ଲାରୁ କେହି ମନ୍ତ୍ରୀ ନାହାଁନ୍ତି ବୋଲି ବିଭିନ୍ନ ସମୟରେ ବିଧାୟକମାନେ ଦାବୀ କରୁଛନ୍ତି। ସେଥିପାଇଁ କିପରି ଭାବେ ବିଭିନ୍ନ ଜିଲ୍ଲାର ଗୁରୁତ୍ବ ରହିବ ସେଥିପାଇଁ ମଧ୍ୟ ନୂଆମନ୍ତ୍ରୀ ମଣ୍ଡଳ ଗଠନ ବେଳେ ବିଚାର କରାଯାଉଛି।

ଜେଲରେ ଥିବା ମମତା ମନ୍ତ୍ରୀ ମଣ୍ଡଳର ପାର୍ଥ ଚାଟାର୍ଜୀଙ୍କ ପାଖରେ ପାଞ୍ଚୋଟି ବିଭାଗ ରହିଥିଲା। ସେ ଶିଳ୍ପ, ଉଦ୍ୟୋଗ, ବାଣିଜ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଇଲଟ୍ରୋନିକ୍ସ ଏବଂ ସଂସଦୀୟ ମନ୍ତ୍ରୀ ଥିଲେ। ସେହିପରି ପରଲୋକ ଦୁଇ ମନ୍ତ୍ରୀଙ୍କ ହାତରେ ମଧ୍ୟ ପାଞ୍ଚୋଟି ବିଭାଗ ଥିଲା। ବର୍ତ୍ତମାନ ଏ ସବୁ ବିଭାଗ ମୁଖ୍ୟମନ୍ତ୍ରୀ ମମତାଙ୍କ ହାତରେ ଅଛି।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କ ବଡ ନିଷ୍ପତ୍ତି, ଉପରାଷ୍ଟ୍ରପତି ନିର୍ବାଚନର ​​ଭୋଟ୍ ପ୍ରକ୍ରିୟାରୁ ଦୂରେଇ ରହିବ ଟିଏମସି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଭୋଟ୍ ପ୍ରକ୍ରିୟାରୁ ଦୂରେଇ ରହିବ। ବୈଠକ ପରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଅଧିକାଂଶ ସାଂସଦ ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ବିନା ପରାମର୍ଶରେ ବିରୋଧୀ ଦଳ ମାର୍ଗରେଟ୍ ଆଲଭାଙ୍କ ନାମ ଘୋଷଣା କରିଥିଲେ।

ଅଭିଷେକ ବାନାର୍ଜୀ କହିଛନ୍ତି, ମାର୍ଗରେଟ୍ ଅଲଭା ଏବଂ ମମତା ବାନାର୍ଜୀଙ୍କ ସମ୍ପର୍କ ଭଲ, କିନ୍ତୁ ବ୍ୟକ୍ତିଗତ ସମୀକରଣ ଆଧାରରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନ କରାଯିବ ନାହିଁ। ଆମର ୮୫ ପ୍ରତିଶତ ସାଂସଦ ନିଷ୍ପତ୍ତି ନେଇଛନ୍ତି ଯେ, ଆମେ ଭୋଟ୍ ଦେବା ଠାରୁ ଦୂରେଇ ରହିବା ଉଚିତ୍।

ବାନାର୍ଜୀ କହିଛନ୍ତି ଯେ, ଅଧିକାଂଶ ସାଂସଦ ନିଷ୍ପତ୍ତି ନେଇଛନ୍ତି ଯେ, ଯେକୌଣସି ପ୍ରକାରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ କରିବୁ ନାହିଁ।

ଏଥି ସହିତ ଅଲଭାଙ୍କୁ ସମର୍ଥନ ନକରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଷ୍ପତ୍ତି ବିରୋଧୀ ଶିବିର ପାଇଁ ଏକ ବଡ ପ୍ରତିବନ୍ଧକ ବୋଲି କୁହାଯାଉଛି।

ମଙ୍ଗଳବାର ଦିନ ଅଲଭା ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଟିଏମସି ପ୍ରତିନିଧୀମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ନଥିଲେ। ଜୁଲାଇ ୧୭ ତାରିଖରେ ପ୍ରାର୍ଥୀ ବାଛିବା ପାଇଁ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଟିଏମସି ନେତାମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ। ତା’ପରେ ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ ଯେ, ଆମେ ମମତା ବାନାର୍ଜୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବୁ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ।

Categories
ଜାତୀୟ ଖବର ବିଶେଷ ଖବର

ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଆକ୍ସନ ମୋଡରେ ମମତା ବାନାର୍ଜୀ: ଡାକିଲେ ସାଂସଦମାନଙ୍କର ବୈଠକ

କୋଲକୋତା: ଉପରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ବୈଠକ ଡାକିଛନ୍ତି। ଆସନ୍ତା ସଂସଦ ଅଧିବେଶନ ତଥା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ଆଲୋଚନା ପାଇଁ ଜୁଲାଇ ୨୧ ତାରିଖରେ ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ବୈଠକ ଡକାଯାଇଛି।

ଦଳ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ସମସ୍ତ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ସଂସଦର ଆଗାମୀ ଅଧିବେଶନ ତଥା ଉପରାଷ୍ଟ୍ରପତି ନିର୍ବାଚନରେ ​​ଦଳର ଯୋଜନା ଉପରେ ଆଲୋଚନା କରିବେ। ସୂଚନାନୁସାରେ, ଏହି ବୈଠକ ଜୁଲାଇ ୨୧ ତାରିଖ ସନ୍ଧ୍ୟାରେ କାଲିଘାଟର ମମତା ବାନାର୍ଜୀଙ୍କ ବାସଭବନରେ ଅନୁଷ୍ଠିତ ହେବ।

ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଆଜି ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜଗଦୀପ ଧନଖର ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଛନ୍ତି। ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଛି। ପରସ୍ପରର କାର୍ଯ୍ୟକଳାପ ପାଇଁ ଉଭୟ ପକ୍ଷରୁ ସମାଲୋଚନା କରାଯାଇଛି। ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ।

ଏହାପୂର୍ବରୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଯଦି ବିଜେପି ତାଙ୍କୁ ନାମାଙ୍କନ ଦେବା ପୂର୍ବରୁ ବିରୋଧୀ ଦଳଙ୍କ ସହ କଥାବାର୍ତ୍ତା କରିଥାନ୍ତେ ତେବେ ଦ୍ରୌପଦୀ ମୁର୍ମୁ ସର୍ବସମ୍ମତି ପ୍ରାର୍ଥୀ ହୋଇଥାନ୍ତେ। ପ୍ରକାଶ ଯୋଗ୍ୟ ଯେ, ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ଅଟନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳର ପ୍ରାର୍ଥୀ ହେଉଛନ୍ତି ପୂର୍ବତନ ଟିଏମସି ନେତା ଯଶବନ୍ତ ସିହ୍ନା।

Categories
ବିଶେଷ ଖବର

ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ବିରୋଧୀ ଦଳର ବୈଠକରେ ଯୋଗଦେବନି ଟିଆରଏସ!: ସାମିଲ ହେବ କି ବିଜେଡ଼ି?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳର ପ୍ରାର୍ଥୀଙ୍କ ନାମ ଉପରେ ସହମତି ପ୍ରକାଶ କରିବା ପାଇଁ ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ଆଜି ଅପରାହ୍ନ ୩ ଟାରେ ବିରୋଧୀ ଦଳର ନେତାଙ୍କ ସହ ପ୍ରଥମ ବୈଠକ କରିବେ। ବିରୋଧୀ ଦଳର ନେତାଙ୍କ ଏକ ସ୍ୱତନ୍ତ୍ର କମିଟି ଗଠନ ପ୍ରସ୍ତାବକୁ ଏହି ବୈଠକରେ ଆଲୋଚନା କରାଯାଇପାରେ। ଏଥିରେ ମୁଖ୍ୟ ବିରୋଧୀ ଦଳର ୫ ନେତା ଏଥିରେ ସାମିଲ ହୋଇପାରନ୍ତି। ଏହି କମିଟି ଆସନ୍ତା ଏକ ସପ୍ତାହ ମଧ୍ୟରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରି ବିରୋଧୀ ଦଳ ମଧ୍ୟରେ ଏକ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରିବ ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ମଧ୍ୟ ଆଲୋଚନା କରିବ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟିଆରଏସ ବୈଠକରେ ଯୋଗଦେବେ ନାହିଁ। ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବାକୁ ଦଳ ନିଷ୍ପତ୍ତି ନେଇଛି। ଏହା ପଛର କାରଣ ଦିଆଯାଇଥିଲା ଯେ, ଟିଆରଏସ୍ ର ଆପତ୍ତି ସତ୍ତ୍ୱେ କଂଗ୍ରେସକୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ତେଲେଙ୍ଗାନାର କଂଗ୍ରେସ ହେଉଛି ମୁଖ୍ୟ ବିରୋଧୀ ଦଳ। ତେଲେଙ୍ଗାନାରେ ନିକଟରେ ହୋଇଥିବା ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ କିଛି ନ କହି ଟିଆରଏସ ସରକାରଙ୍କୁ ଟାର୍ଗେଟ କରିଥିଲେ। ତେଲେଙ୍ଗାନାରେ ଟିଆରଏସ ବିରୋଧରେ କଂଗ୍ରେସ ବିଜେପି ସହ ମେଣ୍ଟ କରିଛି ବୋଲି ଅଭିଯୋଗ କରାଯାଇଛି। ତେଣୁ କଂଗ୍ରେସ ସହିତ କୌଣସି ପ୍ଲାଟଫର୍ମରେ ଏକାଠି ହେବାର ପ୍ରଶ୍ନ ନାହିଁ ବୋଲି ଦଳ କହିଛି।

ଟିଆରଏସ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଲୋକସଭା ନିର୍ବାଚନରେ ​​ହୁଜୁରାବାଦ ଉପ-ନିର୍ବାଚନରେ ବିଜେପି ଜିତିବା ପାଇଁ କଂଗ୍ରେସ ଜମା ପୁଞ୍ଜି ହରାଇବାକୁ ପ୍ରସ୍ତୁତ ଥିଲା। ତେଣୁ କୌଣସି ସମୟରେ ଏଭଳି ଦଳ ଉପରେ ବିଶ୍ୱାସର ପ୍ରଶ୍ନ ଉଠିବ ନାହିଁ। ଟିଆରଏସ ଅଭିଯୋଗ କରିଛି ଯେ, ପ୍ରାର୍ଥୀ ଚୟନ ହୋଇସାରିଛି ଏବଂ ଏହା ପରେ ଏକ ବୈଠକ ଡକାଯାଇଛି। ମୋତେ ଉତ୍ତର ଦିଆଯାଉ, ତୁମେ ଏହା କାହିଁକି କଲ? ସଠିକ୍ ପ୍ରକ୍ରିୟା ବୈଠକ କରିବା, ଏକ ସହମତି ହାସଲ କରିବା, ପ୍ରାର୍ଥୀଙ୍କୁ ଅନୁମୋଦନ କରିବା ଏବଂ ବୈଠକ ପରେ ନାମ ଘୋଷଣା କରିବା ଉଚିତ ଥିଲା। ତେଣୁ ଟିଆରଏସ ଏହି ସଭାରେ ଅଂଶଗ୍ରହଣ କରିବ ନାହିଁ। ରାଷ୍ଟ୍ରପତି ନିର୍ବାଚନରେ ​​ଆମ ଦଳ କିପରି ଭୋଟ୍ ଦେବ ସେନେଇ ନିଷ୍ପତ୍ତି ଏବଂ ଘୋଷଣା ପରେ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବାର ସମ୍ଭାବନା କମ୍। ଆଜି ହେବାକୁ ଥିବା ବିରୋଧୀ ଦଳର ବୈଠକରେ ଆମ୍ ଆଦମୀ ପାର୍ଟି ମଧ୍ୟ ଅଂଶଗ୍ରହଣ କରିବ ନାହିଁ। ଆମ୍ ଆଦମୀ ପାର୍ଟି ସୂତ୍ର ଅନୁଯାୟୀ, ‘ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରେ ହିଁ ଏଏପି ଏହି ପ୍ରସଙ୍ଗ ଉପରେ ବିଚାର କରିବ’।

ଏହା ପରେ ଜୁନ୍ ୨୦ ତାରିଖ କିମ୍ବା ୨୧ ତାରିଖରେ ବିରୋଧୀ ଦଳର ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇପାରେ ଯେଉଁଥିରେ ବିରୋଧୀ ଦଳର ପ୍ରାର୍ଥୀ କିଏ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ହେଉଛି ଜୁନ୍ ୨୯ ତାରିଖ। ପ୍ରାୟ ଏକ ସପ୍ତାହ ପୂର୍ବରୁ ବିରୋଧୀ ଦଳ ତାଙ୍କର ପ୍ରାର୍ଥୀ କିଏ ହେବେ, ନିଷ୍ପତ୍ତି ନେବେ।

ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଏବଂ ଡି ରାଜାଙ୍କ ସହ ଶରଦ ପାୱାରଙ୍କ ସାକ୍ଷାତ ସମୟରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ପରି ନେତାଙ୍କ ନାମ ଆଲୋଚନା କରାଯାଇଥିଲା। ସୂଚନାନୁସାରେ, ଗୁଲାମ ନବୀ ଆଜାଦଙ୍କ ନାମରେ ବାମପନ୍ଥୀ ନେତାମାନେ ଆପତ୍ତି କରିଥିଲେ। ଶରଦ ପାୱାର ବାମପନ୍ଥୀ ନେତାମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ବିରୋଧୀ ଦଳର ପ୍ରାର୍ଥୀ ହେବାକୁ ଆଗ୍ରହୀ ନୁହଁନ୍ତି।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କ ଟିଏମସିରେ ଯୋଗ ଦେଲେ ବିଜେପି ସାଂସଦ ଅର୍ଜୁନ ସିଂ

କୋଲକୋତା: ପଶ୍ଚିମବଙ୍ଗ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ବାବୁଲ ସୁପ୍ରିଓଙ୍କ ପରେ ଆଉ ଜଣେ ବିଜେପି ସାଂସଦ ଅର୍ଜୁନ ସିଂ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଗତ କିଛି ଦିନ ହେବ ସେ ପଶ୍ଚିମବଙ୍ଗରେ ବିଜେପି ଉପରେ ଅସନ୍ତୋଷ ଥିଲେ। ବିଜେପି ନେତା ଅର୍ଜୁନ ସିଂ ବଙ୍ଗଳାର ବାରକପୁରର ସାଂସଦ। ନିକଟରେ ସେ କିଛି ଟୁଇଟ୍ କରିଥିଲେ, ଯାହା ତାଙ୍କର ଦଳ ଉପରେ ଅସନ୍ତୋଷ ଦେଖାଯାଉଥିଲା।

ବାରକପୁରର ସାଂସଦ ଅର୍ଜୁନ ସିଂ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଭେଟିବା ପାଇଁ ତାଙ୍କ କୋଲକାତା କାର୍ଯ୍ୟାଳୟକୁ ଯାଇଥିଲେ। ସୂତ୍ରରୁ ପ୍ରକାଶ ଯେ, ସିଂଙ୍କୁ ମନାଇବା ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟରେ ବିଜେପି ନେତୃତ୍ୱ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ ଏ ସମ୍ପର୍କରେ ଅନେକ ଫୋନ କରଯାଇଥିଲା। କିନ୍ତୁ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସିଂ ଭେଟିଥିଲେ।

ଅର୍ଜୁନ ସିଂ ପଶ୍ଚିମବଙ୍ଗର ବାରକପୁର ଲୋକସଭା ଆସନରୁ ସାଂସଦ। ସେ ଟିଏମସି ଛାଡି ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ସେ ଦୀର୍ଘ ଦିନ ଧରି ରାଜ୍ୟ ନେତୃତ୍ଵ ଉପରେ ନାରାଜ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅମିତ ଶାହାଙ୍କ ସହ ରାତ୍ରୀ ଭୋଜନ ପରେ ମମତା ବାନାର୍ଜୀଙ୍କ ବିଷୟରେ କହିଲେ ସୌରଭ ଗାଙ୍ଗୁଲି

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ବିଷୟରେ କହିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲି ମଧ୍ୟ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ୍ ହାକିମଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଯେକୌଣସି ସମୟରେ ଯୋଗାଯୋଗ କରାଯାଇପାରିବ ବୋଲି ବର୍ଣ୍ଣନା କରିଛନ୍ତି।

ଏକ ଘରୋଇ ହସ୍ପିଟାଲର ଉଦଘାଟନୀ କାର୍ଯ୍ୟକ୍ରମରେ ଗାଙ୍ଗୁଲି କହିଛନ୍ତି ଯେ, ଆମର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ଅତି ନିକଟତର। ଏହି ଅନୁଷ୍ଠାନକୁ ସାହାଯ୍ୟ କରିବା ପାଇଁ ମୁଁ ତାଙ୍କ ନିକଟକୁ ଯାଇଥିଲି।

ପୂର୍ବତନ କ୍ରିକେଟର କହିଛନ୍ତି ଯେ, ମୁଁ ଫିରହାଦ୍ ହାକିମଙ୍କ ସହ ମଧ୍ୟ ଅତି ଘନିଷ୍ଠ ଅଟେ। ମୁଁ ପ୍ରଥମ ଶ୍ରେଣୀରେ ପଢିବା ଦିନଠାରୁ ସେ ମୋତେ ଦେଖୁଥିଲେ। ସେ ଆମର ପରିବାର ବନ୍ଧୁ। ଯିଏ ତାଙ୍କ ସହିତ ଯୋଗାଯୋଗ କରେ ତାଙ୍କୁ ସାହାଯ୍ୟ ମିଳିଥାଏ। ମୁଁ ତାଙ୍କୁ ଅନେକ ଥର ଫୋନ କରିଛି।

ଶୁକ୍ରବାର ଦିନ ଗାଙ୍ଗୁଲିଙ୍କ ବାସଭବନ ଗସ୍ତରେ ଅମିତ ଶାହ ଯିବା ପରେ ପୂର୍ବତନ କ୍ରିକେଟର ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି କଳ୍ପନା ଜଳ୍ପନାର କାରଣ ହୋଇଛି। ତେବେ ଗାଙ୍ଗୁଲି, ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲି, ସୌରଭଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ଵାରା ଆୟୋଜିତ ଏହି ରାତ୍ରୀ ଭୋଜନର ଏକ ଘନିଷ୍ଠ ସମ୍ପର୍କ ବୋଲି କୁହାଯାଉଥିଲା। ବିଜେପିର ବିଚାରକ ସ୍ଵପ୍ନ ଦାସଗୁପ୍ତା, ଦଳର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଏବଂ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳର ନେତା ଶୁଭେନ୍ଦୁ ଆଧୀକାରୀଙ୍କ ଶାହାଙ୍କ ସହ ଥିଲେ।

ଏହି କଳ୍ପନା ଜଳ୍ପନାର ଅବସାନ ଘଟାଇ ଗାଙ୍ଗୁଲି ଶୁକ୍ରବାର ଦିନ କହିଛନ୍ତି ଯେ, ଅନେକ ପ୍ରକାରର କଳ୍ପନା ଜଳ୍ପନା କରାଯାଉଛି … କିନ୍ତୁ ମୁଁ ତାଙ୍କୁ (ଶାହା) ୨୦୦୮ ମସିହାରୁ ଜାଣିଛି। କ୍ରିକେଟ୍ ଖେଳିବାବେଳେ ମୁଁ ତାଙ୍କୁ ଭେଟିଥିଲି। ଏହା ଛଡା ଆଉ କିଛି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଶାହାଙ୍କ ପୁଅ ଜୟ ଶାହାଙ୍କ ସହ ବିସିସିଆଇରେ କାମ କରିଛନ୍ତି। ଜୟ ଶାହା ବିସିସିଆଇର ସଚିବ ଅଟନ୍ତି।