Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୮ଟି ଦେଶର ପ୍ରତିନିଧି: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନେଲେ ଉପଲବ୍ଧି

ଭୁବନେଶ୍ୱର: ଓଡ଼ିଶାରେ ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ଏହାର ପରବର୍ତୀ ସମୟରେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ କିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି ସେ ସମ୍ପର୍କରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ ରିସର୍ଚ୍ଚ (ଆଇସିସିଆର୍‌) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ସହଭାଗିତାରେ ଓଡ଼ିଶା ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଯୋଗାଇ ଦିଆଯାଇଛି।

ସୋମବାର ଏହି ପ୍ରତିନିଧିମାନେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିଥିବା ବେଳେ ଓଡ଼ିଶାରେ ଫାଇଲିନ୍‌, ତିତିଲି ଓ ଫନି ଭଳି ବାତ୍ୟା ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାର କିଭଳି ଏହାର ମୁକାବିଲା କରିବା ସହ ଧନ ଜୀବନହାନୀ ହେବାରୁ ରକ୍ଷା କରିଛନ୍ତି ସେ ବିଷୟରେ ମୁଖ୍ୟ ଶାସନ ସଚିବ ସେମାନଙ୍କ ସମ୍ମୁଖରେ ତଥ୍ୟ ରଖିଥିଲେ।

ସେହିପରି ସୋମବାର ସକାଳେ ଏହି ପ୍ରତିନିଧିମାନେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମି ମଧ୍ୟ ବୁଲି ଦେଖିଥିଲେ। ହଠାତ୍ ନିଆଁ ଲାଗିଲେ କିଭଳି ଏଭଳି ପରିସ୍ଥିତିରୁ ଧନ ଜୀବନ ରକ୍ଷା କରିହେବ ଓ ଅଗ୍ନି ନିରାପତା ବ୍ୟବସ୍ଥା ସମ୍ପର୍କରେ ଓଡ୍ରାଫର ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍‌( ଆଇସିସିଆର୍‌) ଓ ‘ଜେନ୍‌- ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି। ସେମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋଏସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଏହି ଟିମ୍‌ରେ ସାମିଲ ଅଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ଓଡ଼ିଶାରୁ ଫେରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇତିହାସ ପୃଷ୍ଠା : ଓଡିଶାର ହୋଇଥିବା ମହାବାତ୍ୟା କ୍ଷତିଗସ୍ତ ଅଞ୍ଚଳ ବୁଲିଥିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଠିକ ଆଜିର ଦିନ 1999 ମସିହାର ଘଟଣା। ଓଡିଶାକୁ ଖିନଭିନ କରିଦେଇଥିଲା ସୁପର ସାଇକ୍ଲୋନ ବା ମହାବାତ୍ୟା। ସେହି ମହାବାତ୍ୟାର ଯନ୍ତଣା ଏପରି ଥିଲା ଯେ, ଆଜି ପର୍ଯ୍ୟନ୍ତ ଓଡିଶାକୁ ଅଣ୍ଟା ସିଧା କରିବାକୁ ଲାଗିଗଲା ସମୟ।

ସେହି ମହାବାତ୍ୟା ପରେ ପରେ ସେତେବେଳେ ସାଂସଦ ଥିବା ନବୀନ ପଟ୍ଟନାୟକ କ୍ଷତିଗସ୍ତ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ଗିରିଧର ଗମାଙ୍ଗ ମହାବାତ୍ୟା ମୁକାବିଲା କରିବାରେ ସମର୍ଥ ହୋଇପାରି ନ ଥିଲେ। ଫଳରେ ସେତେବେଳେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା।

ବର୍ତ୍ତମାନ କିନ୍ତୁ ସମୟ ଭିନ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ବାତ୍ୟା ବନ୍ୟା ପରିଚାଳନା ପାଇଁ ଆଣିଛି ଏକ ବିପ୍ଲବ। ଏହି ବିପର୍ଯ୍ୟୟକୁ ମୁକାବିଲା କରିବାରେ ବେଶ ପ୍ରଶଂସିତ ହୋଇପାରିଛନ୍ତି ନବୀନ ପଟ୍ଟନାୟକ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ମହାବାତ୍ୟା ସମ୍ଭାବନା !!! ଭାରତୀୟ ପାଣିପାଗ ସଂସ୍ଥା ‘ନା’, ବିଦେଶୀ ସଂସ୍ଥା ‘ହଁ’

ଭୁବନେଶ୍ବର: ଆସନ୍ତା ଅକ୍ଟୋବର 25 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହା ଯଦି ଶକ୍ତିଶାଳୀ ହୁଏ ତେବେ ମହାବାତ୍ୟାରେ ପରିଣତ ହେବ। ଏହିପରି ଏକ ଖବରକୁ ନେଇ ଗତ କିଛି ଦିନ ଧରି ସମସ୍ତଙ୍କୁ ବିଚଳିତ କରିଦେଇଛି। ପୁଣି ଥରେ କଣ 1999 ମହାବାତ୍ୟାର ପୁର୍ନାବୃତ୍ତି ହେବ କି ? ଏହି ଖବର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଖୋଳତାଡ ଆରମ୍ଭ କରିଛନ୍ତି।

ତେବେ ଏହିପରି ଏକ ଖବରକୁ ଭାରତୀୟ ପାଣିପାଗ ବିଭାଗ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏକ ସୂଚନା ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ” ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇ ନାହିଁ।”

ସେତିକି ନୁହେଁ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି, “କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ, ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ, ତେଣୁ ଆପଣମାନେ ଗୁଜବ ଠାରୁ ଦୁରେଇ ରୁହନ୍ତୁ।”

ପାଣିପାଗ ବିଭାଗ ଏପରି କହିବା ପରେ ସମସ୍ତେ ଅସ୍ବସ୍ଥି ହୋଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଏପରି ଖବର ଆସିଲା କେଉଁଠୁ? ଅନୁସନ୍ଧାନ ପରେ ଜଣାପଡିଲା ଯେ, ଗତ 10 ତାରିଖରେ ଭାରତର ପ୍ରତିଷ୍ଠିତ ଖବର କାଗଜ ବିଜିନେସ ଷ୍ଟାଣ୍ଡର୍ଡ ଏହା ପ୍ରକାଶିତ କରିଛି। ସେଥିରେ କୁହାଯାଇଛି ଯେ, ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଚଳିତ ମାସ 25 ତାରିଖ ଭିତରେ ବଙ୍ଗୋପସାଗରରେ ଏକ ମହାବାତ୍ୟା ହେବାର ସମ୍ଭାବନା ରହିଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅକ୍ଟୋବର 18ରୁ 15 ତାରିଖ ମଧ୍ୟରେ ଏହା ବାତ୍ୟା ସୃଷ୍ଟି ହେବ। ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସେଥିରେ କୁହାଯାଇଛି। ଏହି ସମୟରେ ଘଣ୍ଟାକୁ 250 କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି। କାନଡା ବିଶ୍ବବିଦ୍ୟାଳୟର ଜଣେ ପାଣିପାଗ ଗବେଷକ ଏହି ସୂଚନା ଦେଇଛନ୍ତି ବୋଲି କୁହାଯାଇଛି।

ଏହି ଖବର ପ୍ରକାଶିତ ହେବା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଏପରିକି ଆନ୍ଧ୍ର ସରକାର ଏହାକୁ ନେଇ ତତ୍ପରତା ପ୍ରକାଶ କରିବାକୁ ଆରମ୍ଭ କଲେ। ତେବେ ଭାରତୀୟ ପାଣିପାଗ ବିଭାଗ ଏହା ଉପରେ ସ୍ପଷ୍ଟିକରଣ ଦେବା ପରେ ସମସ୍ତଙ୍କୁ ଅସ୍ବସ୍ଥି ଦେଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ୧୯୯୯ ମହାବାତ୍ୟା ବାର୍ଷିକୀ ପାଳନ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରଣ ହୋଇଛି। ପ୍ରକୃତିର ଏହି କରାଳ କାଳରେ ସଂମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜିଲ୍ଲାରେ ସର୍ବାଧିକ ଲୋକ ମୃତ୍ୟୁ ମୁଖରେ ପଡିଥିବା ବେଳେ ପ୍ରାୟ ୩ଲକ୍ଷ ବାସଗୃହ ସଂମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଦୁଇ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଏବେବି ତାହା ଲୋକଙ୍କ ହୃଦୟରେ ଭୟର ବାତାବରଣ ସୃଷ୍ଟି କରିଥାଏ।

ଏହି ମହାବାତ୍ୟାର ବାର୍ଷିକୀ ଉପଲକ୍ଷେ କରୋନା ପରିସ୍ଥିତି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲେ ମଧ୍ୟ ଏହି ମହାବାତ୍ୟାରେ ମୃତ୍ୟୁ ବରଣ କରିଥିବା ଜିଲ୍ଲାବାସୀଙ୍କ ଆତ୍ମାର ସଦଗତି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ସ୍ମୃତି ସ୍ତମ୍ବରେ ପ୍ରଦୀପ ଉଜ୍ୱଳନ କରାଯାଇ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ବିଜୟଲକ୍ଷ୍ମୀ ନାୟକ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ପ୍ରଦୀପ ଉଜ୍ୱଳନ ସହ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗ୍ୟାନେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ।