Categories
ଆଜିର ଖବର ଜାତୀୟ ଖବର

‘ଯୁବା ସଂଗମ’ ଫେଜ୍-୩ରେ ଓଡ଼ିଶା ଆସିଥିବା କେରଳର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି  ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଅନୁଭୂତି ଶୁଣିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ। ଶିକ୍ଷାନୁଷ୍ଠାନ ଗୁଡିକରେ ଆଜିର ଯୁବପିଢିଙ୍କୁ  ଭାରତର ବିଭିନ୍ନ ରାଜ୍ୟକୁ ନେଇ ପର୍ଯ୍ୟଟକ ଭାବରେ ଭ୍ରମଣ କରାଇବା ସହ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି, ପରମ୍ପରା, ଖାଦ୍ୟଶୈଳୀକୁ ଅନୁଭବ କରାଇବା ପାଇଁ ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୁବା ସଂଗମର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ନେତୃତ୍ୱରେ କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଛନ୍ତି। ସେମାନେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱର ସହର ସମେତ ଅନ୍ୟାନ୍ୟ ବୁଲି ସ୍ଥାନୀୟ କଳା, ସଂସ୍କୃତି ଓ ସାମାଜିକ ସମ୍ପର୍କକୁ ଅନୁଭବ କରିଛନ୍ତି। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଜ୍ଞାନ ପରମ୍ପରାକୁ ନେଇ ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିଛନ୍ତି।

ଛାତ୍ରଛାତ୍ରୀମାନେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହିତ  ସମାଜ ଜୀବନର ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ଭେଟି ନିଜର ଖୁସି ପ୍ରକାଶ କରିଛନ୍ତି। ଏହିପରି ଭାବରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ମଧ୍ୟ କେରଳର ଏନଆଇଟି କାଲିକଟ୍ ନେତୃତ୍ୱରେ ସେହି ରାଜ୍ୟକୁ ଯାଇ ସମାନ ଅନୁଭବ ନେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଦେଶରେ ବିବିଧତା ମଧ୍ୟରେ ଆମେ କିପରି ଏକ ଅଛୁ, ତାହାକୁ ଯୁବାଶକ୍ତିଙ୍କ ମାଧ୍ୟମରେ ପ୍ରଦର୍ଶନ କରିବାର ଏହା ଅନନ୍ୟ ପ୍ରୟାସ। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଯୁବା ସଂଗମ ଏକ ଭାରତ ଶ୍ରେଷ୍ଠ ଭାବନାକୁ ସୁଦୃଢ଼ କରୁଛି  ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି ଆଲୋଚନା କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି। ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ୱାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ ସ୍କୁଲ) ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ। ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ। ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମୟଓୁ ସ୍ୱାକ୍ଷର କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଏମଓୟୁ ସ୍ୱାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ସମ୍ପୂର୍ଣ୍ଣ ହୋଇସାରିଛି। ପିଏମ ଶ୍ରୀ ସ୍କୁଲ ଯୋଜନାର କ୍ରିୟାନ୍ୱୟନ ପାଇଁ ପ୍ରଥମ କିସ୍ତି ମଧ୍ୟ ଜାରି ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପିଏମ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ। ଏଥିପାଇଁ ପୂର୍ବରୁ ଗତ ଅକ୍ଟୋବର ୯ ଏବଂ ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯିବା ସତ୍ତ୍ୱେ ଏମଓୟୁ ସ୍ୱାକ୍ଷରିତ ହୋଇନାହିଁ।

ତେଣୁ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ। ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ।

ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ। ମୋଦି ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ। ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ। ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ନରେନ୍ଦ୍ର ମୋଦି ଷ୍ଟାଡିୟମରେ “କ୍ରାୟୋ ଫର୍ ଗୁଡ୍” ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍(Criiio 4 Good)” ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ କ୍ରୀଡାର ଶକ୍ତି ଏବଂ କ୍ରିକେଟର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ୮ଟି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଲାଇଫ ସ୍କିଲ୍ ସହ ଯୋଡିବା ଏବଂ କ୍ରୀଡାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅଭିନବ ଅଭିଯାନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଝିଅମାନେ ପୂର୍ବରୁ ଦେଶ ପାଇଁ ଗୌରବ ଆଣିଛନ୍ତି। ସାଇନା ନେହଓ୍ୱାଲ, ପିଭି ସିନ୍ଧୁ, ମେରି କମ୍, ଝୁଲଣ ଗୋସ୍ୱାମୀ, ମିତାଲି ରାଜ, ସ୍ମୃତି ମାନ୍ଧନାଙ୍କ ଭଳି ଝିଅ ଆମ ଦେଶର ଗୌରବ ବଢାଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣ ବିଶେଷ ଭାବରେ ଝିଅମାନଙ୍କ ସଶକ୍ତିକରଣ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର। ଆଜିର ପଦକ୍ଷେପ ନେତୃତ୍ୱ, ସମସ୍ୟାର ସମାଧାନର ସୂତ୍ର ବାହାର କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବା, ନିଷ୍ପତି ନେବାର ସାମର୍ଥ୍ୟ, ବୁଝାମଣା, ସମବେଦନା, ଟିମ୍ ଓ୍ୱାର୍କ ଏବଂ ଲକ୍ଷ୍ୟ ସ୍ଥିର କରିବା ଭଳି ଆବଶ୍ୟକୀୟ ଲାଇଫ୍ ସ୍କିଲ୍ ଉପରେ ଗୁରୁତ୍ୱ ଦେବ। ଖେଳ ଆମ ସମସ୍ତଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶିକ୍ଷା ମନ୍ତ୍ରଣାଳୟ ଏହି ମଡ୍ୟୁଲ ଗୁଡିକୁ ଦେଶରେ ଥିବା ୧.୫ ମିଲିୟନ ସ୍କୁଲକୁ ଦୀକ୍ଷା ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରିବ।

ଆମ ଦେଶ ମହିଳା ସଶକ୍ତିକରଣକୁ ପାରମ୍ପରିକ ଭାବେ ପରିଚୟ ଦେଇଆସିଛି। ଚନ୍ଦ୍ରାୟାନ-୩ ଅଭିଯାନରେ ଶତାଧିକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହରେ ଉପସ୍ଥାପନ କରିବା ସହ ପାରିତ କରାଇଛନ୍ତି। ଦେଶ ଏବେ ମହିଳା ଆଧାରିତ ବିକାଶର ନେତୃତ୍ୱ ନେଉଛି।

ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା କ୍ରିକେଟ ଦଳର ଉପ ଅଧିନାୟକ ସ୍ମୃତି ମାନ୍ଧନା, ବିସିଆଇର ସେକ୍ରେଟାରୀ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଆଇବିଏମ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ଲୋଲୋଜି କମ୍ପାନୀ ଆଇବିଏମ ମଧ୍ୟରେ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଡିଜିଟାଲ ସ୍କିଲିଂ ଏବଂ ଉଭା ହେଉଥିବା ସ୍କିଲିଂକୁ ନେଇ ଏହି ଏମଓୟୁ ସ୍ୱାକ୍ଷର ହୋଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ବିଶାଳ ଓ ଯୁବ ଜନସଂଖ୍ୟା ସହ ଭାରତ ପର୍ଯ୍ୟାପ୍ତ ସମ୍ଭାବନା ହାସଲ କରିପାରିବା କ୍ଷେତ୍ରରେ ଶୀର୍ଷରେ ରହିଛି। ଏହି ଜନସଂଖ୍ୟାଗତ ଲାଭକୁ ଉପଯୋଗ କରିବା ପାଇଁ ଆଜିର ଅଧୁନା କର୍ମକ୍ଷେତ୍ରରେ ଯୁବପିଢ଼ିଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଜରୁରୀ । ଏହି ସହଯୋଗ ଆମର ‘ସ୍କିଲ୍ ଇଣ୍ଡିଆ’ ଲକ୍ଷ୍ୟ ଏବଂ ଆଇବିଏମ୍ ସ୍କିଲ୍ସ ବିଲ୍ଡ ପ୍ଲାଟଫର୍ମ ବ୍ୟବହାର କରି ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ସୃଷ୍ଟି ହୋଇଥିବା ଏହି ଭାଗିଦାରୀ ଆମ ଶିକ୍ଷାର୍ଥୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ସହ ସେମାନଙ୍କୁ ଭବିଷ୍ୟତର ଓ୍ୱେଲଥ୍ କ୍ରିଏଟର ଓ ସମାଜର ଉଦ୍ୟୋଗୀରେ ପରିଣତ କରିବାରେ ସହାୟକ ହେବ।

ଟେକ୍ନୋଲୋଜି ଏବଂ ଇନୋଭେସନ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି। ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତର ଦକ୍ଷତା ଇକୋସିଷ୍ଟମକୁ ଅଧିକ ପ୍ରାଥମିକତା ଦେଇଥିଲେ। ଜି-୨୦ ଫୋରମରେ ବିଶ୍ୱ ନେତୃତ୍ୱଙ୍କ ସହ ବିଶ୍ୱର ସ୍କିଲ୍ ମ୍ୟାପିଂ କରିବା ଭଳି ଚୁକ୍ତି ହୋଇଛି। ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ବିଚାରକୁ ପ୍ରଭାବିତ କରିବା ସହ ଜୀବନଶୈଳୀରେ ବ୍ୟପାକ ପରିବର୍ତ୍ତନ ଆଣୁଛି। ଟେକ୍ନୋଲୋଜି ଓ ଡିଜିଟାଲକରଣ ଆମ ଦୈନନ୍ଦିନ ଜୀବନର ଗୋଟିଏ ମାଧ୍ୟମ ହୋଇଛି। ଡିଜିଟାଲ ସାକ୍ଷରତା ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ହୋଇଛି । ଏଆଇ ଆମର ଅର୍ଥନୀତି ବ୍ୟବସ୍ଥା ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି।

ଆଜି ୮ଟି ଶିକ୍ଷଣ ସଂସ୍ଥା ଆଇବିଏମ ସହ ବୁଝାମଣା କରିଛନ୍ତି। ସ୍କିଲିଂ, ରି-ସ୍କିଲିଂ, ଅପ୍ ସ୍କିଲିଂ ଆମର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ କୁଶଳୀ କରିବା ପାଇଁ ଅନେକ ଯୋଜନା ହେଉଛି। ପ୍ରତି ସପ୍ତାହରେ ଚାଟ ଜିପିଟିର ନୂଆ ଭର୍ସନ ଆସୁଛି। ଆଜି ଏହାର ବହୁଳ ବ୍ୟବହାର ହେଉଛି। ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆଗାମୀ ଦିନରେ ବିଶ୍ୱର ଏକ ନମ୍ବର ଅର୍ଥନୀତି ମଧ୍ୟ ହେବ। ତେଣୁ ସମାଜକୁ ବର୍ତ୍ତମାନ ଠାରୁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଆବଶ୍ୟକତା ରହିଛି। ସେ ଦିଗରେ ଆଜିର ଏମଓୟୁ ଅନ୍ୟତମ ପଦକ୍ଷେପ। ଆଜିର ଯୁବପିଢିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଛି। ଏହା ହିଁ ନୂଆ ଭାରତ। ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଅନୁସାରେ ଆଇବିଏମ ଭଳି ସଂସ୍ଥା ମଧ୍ୟ ଲାଭବାନ ହେବ। ସ୍କିଲିଂ ଇକୋସିଷ୍ଟମରେ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମ୍ୟାପିଂ କରାଯିବାର ବ୍ୟବସ୍ଥା ହୋଇଛି।

ପିଏମ ବିଶ୍ୱକର୍ମା ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଶୁଭାରମ୍ଭ କରିଛନ୍ତି ।  ୧୮ଟି ପାରମ୍ପରିକ ତଥା କୌଳିକ ବୃତ୍ତିକୁ ଏହି ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି।  ଅର୍ଥାତ୍ ଶିଳ୍ପୀକାରଙ୍କୁ ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରାଇବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆଇବିଏମ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାରେ ଆଇବିଏମ ସହଯୋଗ ହୋଇ କାର୍ଯ୍ୟକରିବ। ଏହାବ୍ୟତିତ ଆଇବିଏମ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସ୍କିଲିଂ ଏବଂ ବ୍ଲକ୍ ଚେନ୍ ପାଠ୍ୟକ୍ରମ ମଧ୍ୟ ବିକଶିତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ଦିବସ ସମାରୋହରେ ‘ସ୍ୱତନ୍ତ୍ର ଅତିଥି’ ଭାବରେ ଯୋଗ ଦେବେ ୫୦ ବିଦ୍ୟାଳୟ ଶିକ୍ଷକ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଐତିହାସିକ ଲାଲ୍ କିଲାରେ ୭୭ତମ ସ୍ବାଧୀନତା ଦିବସ ସମାରୋହରେ ୨୦୨୩ ରେ ଭାଗ ନେବା ପାଇଁ ସମ୍ମାନିତ ସ୍କୁଲ ଶିକ୍ଷକମାନଙ୍କୁ ‘ବିଶେଷ ଅତିଥି’ ଭାବରେ ଆମନ୍ତ୍ରିତ କରିଛି।

୫୦ ଜଣ ଶିକ୍ଷକଙ୍କ ଏକ ମନୋନୀତ ଗୋଷ୍ଠୀ, ଯେଉଁମାନେ ଯୁବ ମନକୁ ଆକୃଷ୍ଟ କରିବା ଏବଂ ବିକଶିତ କରିବା ପାଇଁ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ନିମନ୍ତ୍ରଣ କରାଯାଇଛି। ଏହି ଶିକ୍ଷାବିତମାନେ ସାରା ଦେଶର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ କେନ୍ଦ୍ରିୟ ବିଦ୍ୟାଳୟ ସଂଗଠନ ସ୍କୁଲ ଗୁଡ଼ିକରୁ ଆସିଛନ୍ତି।

ଏହି ସ୍ୱତନ୍ତ୍ର ଅତିଥିମାନେ ଅଗଷ୍ଟ ୧୪ ରୁ ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଦୁଇ ଦିନିଆ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେମାନଙ୍କର ଏହି କାର୍ଯ୍ୟରେ ଦେଶର ଐତିହ୍ୟ ଏବଂ ପ୍ରଗତିର ମହତ୍ତ୍ବକୁ ଅନ୍ତର୍ଭୁକ୍ତ କରୁଥିବା କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ପ୍ରୋଗ୍ରାମର ମୁଖ୍ୟ ବିଷୟ ଗୁଡିକ ନିମ୍ନ ପ୍ରକାରେ:

ଅଗଷ୍ଟ ୧୪,୨୦୨୩: ଇଣ୍ଡିଆ ଗେଟ୍, ୱାର ମେମୋରିଆଲ୍ ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ। କର୍ତ୍ତବ୍ୟ ପଥରେ ସେମାନେ ଦେଶର ସାର୍ବଭୌମତ୍ବ ରକ୍ଷା କରିଥିବା ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ବୀରମାନଙ୍କ ସାହସ ଏବଂ ବଳିଦାନ ଉପସ୍ଥିତ ଲୋକଙ୍କ ସ୍ମୃତିରେ ଲିପିବଦ୍ଧ ହେବ। ନୂଆଦିଲ୍ଲୀର ତିନ ମୁର୍ତ୍ତୀ ମାର୍ଗରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ ଦେଶର ଭାଗ୍ୟ ଗଠନ କରିଥିବା ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କ ଜୀବନ ଏବଂ ଅବଦାନ ବିଷୟରେ ସୂଚନା ମିଳିବ।

ଏହା ପରେ, ନୂଆଦିଲ୍ଲୀରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରାଜକୁମାର ରଂଜନ ସିଂଙ୍କ ସହ ନିମନ୍ତ୍ରିତ ବିଦ୍ୟାଳୟ ଶିକ୍ଷକମାନଙ୍କର ଏକ ପାରସ୍ପରିକ ଅଧିବେଶନ ହେବ।

ଅଗଷ୍ଟ ୧୫,୨୦୨୩: ଐତିହାସିକ ଲାଲ କିଲାରେ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିରଙ୍ଗା ପତାକା ଉତ୍ତୋଳନ କରାଯିବ, ଜାତୀୟ ସଙ୍ଗୀତର ଉତ୍ସାହଜନକ ଗାନ ମଧ୍ୟରେ।

ସ୍ବାଧୀନତା ଦିବସ ସମାରୋହରେ ଏହି ସ୍ୱୀକୃତି ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଶିକ୍ଷକମାନଙ୍କର ଅବଦାନକୁ ସମ୍ମାନିତ କରୁଛି, ଯେଉଁମାନେ ସେମାନଙ୍କର ଅଦମ୍ୟ ପ୍ରତିବଦ୍ଧତା ସହିତ ଦେଶର ଭବିଷ୍ୟତକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯୁବ ପୀଢ଼ିରେ ଜ୍ଞାନ, ମୂଲ୍ୟବୋଧ ଏବଂ ଦକ୍ଷତା ପ୍ରତିପାଦନରେ ସେମାନଙ୍କର ଭୂମିକା ଅତୁଳନୀୟ ଅଟେ ଏବଂ ଏଥିପାଇଁ ସେମାନଙ୍କ ନିକଟରେ ଦେଶ କୃତଜ୍ଞତା ଜ୍ଞାପନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ଉପରେ ମିଳିତ ରିପୋର୍ଟ ଜାରି କଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇ ଏଣ୍ଡ ଏଲ) ଆଜି 2020-21 ଏବଂ 2021-22 ବର୍ଷ ଲାଗି ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ଉପରେ ମିଳିତ ରିପୋର୍ଟ ଜାରି କରିଛି। ଏହା ବ୍ୟାପକ ବିଶ୍ଳେଷଣ ଉଦ୍ଦେଶ୍ୟରେ ଏକ ସୂଚକାଙ୍କ ପ୍ରସ୍ତୁତ କରି ଜିଲ୍ଲା ସ୍ତରରେ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ପ୍ରଦର୍ଶନକୁ ଆକଳନ କରିଥାଏ।

ଭାରତୀୟ ଶିକ୍ଷା ପ୍ରଣାଳୀ ବିଶ୍ୱର ସବୁଠୁ ବଡ଼ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ। 14.9 ଲକ୍ଷ ବିଦ୍ୟାଳୟ, 95 ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଆର୍ଥିକ ପୃଷ୍ଠଭୂମିରେ ପ୍ରାୟ 26.5 କୋଟି ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ରହିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟମାନଙ୍କ ଲାଗି ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ (ପିଜିଆଇ-ଡି) ପ୍ରସ୍ତୁତ କରିଛି ଏବଂ ସନ୍ଦର୍ଭ ବର୍ଷ 2017-18 ଠାରୁ 2020-21 ପାଇଁ ରିପୋର୍ଟ ଜାରି କରିଛି। ରାଜ୍ୟ ପିଜିଆଇର ସଫଳତା ଦ୍ୱାରା ଉତ୍ସାହିତ ହୋଇ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସବୁ ଜିଲ୍ଲାଗୁଡ଼ିକର ପ୍ରଦର୍ଶନକୁ ବର୍ଗୀକରଣ କରିବା ଲାଗି 83 ସଙ୍କେତକ ଆଧାରିତ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଏଥିରେ ଜିଲ୍ଲାଗୁଡ଼ିକ ଦ୍ୱାରା ଅନଲାଇନ ପୋର୍ଟାଲ ମାଧ୍ୟମରେ ତଥ୍ୟ ପୂରଣ କରାଯାଏ। ପିଜିଆଇ-ଡି ରାଜ୍ୟ ଶିକ୍ଷା ବିଭାଗଗୁଡ଼ିକୁ ଜିଲ୍ଲା ସ୍ତରରେ ଅଭାବ ଚିହ୍ନଟ କରିବା ଏବଂ ବିକେନ୍ଦ୍ରୀକୃତ ଢଙ୍ଗରେ ସେଗୁଡ଼ିକର ପ୍ରଦର୍ଶନରେ ସୁଧାର ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ସଙ୍କେତକ ଆଧାରରେ ପିଜିଆଇ ଆକଳନ ସେହି ସବୁ କ୍ଷେତ୍ରଗୁଡ଼ିକୁ ପ୍ରଦର୍ଶିତ କରିଥାଏ ଯେଉଁଠି କୌଣସି ଜିଲ୍ଲାରେ ସୁଧାର ଆବଶ୍ୟକତା ରହିଛି। 2018-19 ଏବଂ 2019-20ର ପିଜିଆଇ-ଡି ରିପୋର୍ଟ ପୂର୍ବରୁ ଜାରି କରାଯାଇସାରିଛି ଏବଂ ବର୍ତ୍ତମାନର ବିବରଣୀ 2020-21 ଏବଂ 2021-22 ପାଇଁ ମିଳିତ ଦସ୍ତାବିଜ ଅଟେ।

ପିଜିଆଇ-ଡିର ଭିତ୍ତିଭୂମିର 83 ସଙ୍କେତକ ମଧ୍ୟରୁ 600 ପଏଣ୍ଟର ମୋଟ୍‌ ଭାର ବା ୱେଟେଜ୍‌ ସାମିଲ ରହିଛି, ଯାହାକୁ 6ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା : ପ୍ରଭାବୀ ଶ୍ରେଣୀ କାର୍ଯ୍ୟ ସମ୍ପାଦନ, ମୌଳିକ ଭିତ୍ତିଭୂମି ସୁବିଧା ଏବଂ ଛାତ୍ରଛାତ୍ରୀଙ୍କ ଅଧିକାର, ବିଦ୍ୟାଳୟ ସୁରକ୍ଷା ଏବଂ ଶିଶୁ ସଂରକ୍ଷଣ, ଡିଜିଟାଲ ଲର୍ଣ୍ଣିଂ ତଥା ପ୍ରଶାସନିକ ପ୍ରକ୍ରିୟା। ଏହି ଶ୍ରେଣୀକୁ 12ଟି ଡୋମେନ୍‌ରେ ବିଭାଜିତ କରାଯାଇଛି, ଯେଉଁଥିରେ ଶିଖିବାର ପରିଣାମ ଓ ଗୁଣବତ୍ତା (ଏଲଓ), ଆକ୍ସେସ୍‌ ବା ପ୍ରାପ୍ତି ପରିଣାମ (ଏଓ), ଶିକ୍ଷକ ଉପଲବ୍ଧତା ଓ ବୃତ୍ତିଗତ ବିକାଶ ପରିଣାମ (ଟିଏପିଡିଓ), ଅଧ୍ୟୟନ ପରିଚାଳନା (ଏଲଏମ), ଶିକ୍ଷଣ ବୃଦ୍ଧି ଗତିବିଧି (ଏଲଇଏ), ମୌଳିକ ଭିତ୍ତିଭୂମି, ସୁବିଧା, ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ (ଆଇଏଫ ଏଣ୍ଡ ଏସଇ) ବିଦ୍ୟାଳୟ ସୁରକ୍ଷା ଓ ଶିଶୁ ସଂରକ୍ଷଣ (ଏସଏସ ଏଣ୍ଡ ସିପି), ଡିଜିଟାଲ ଅଧ୍ୟୟନ (ଡିଏଲ), ଅର୍ଥରାଶି ସଂଯୋଜନ ଏବଂ ଉପଯୋଗ (ଏଫସିବି), ସିଆରସି ପ୍ରଦର୍ଶନକୁ ପ୍ରୋତ୍ସାହନ ଦେବା (ସିଆରସିପି), ଉପସ୍ଥିତି ଅନୁଧ୍ୟାନ ପ୍ରଣାଳୀ (ଏଏମଏସ) ଏବଂ ବିଦ୍ୟାଳୟ ନେତୃତ୍ୱ ବିକାଶ (ଏସଏଲଡି) ସାମିଲ ରହିଛି।

ପିଜିଆଇ-ଡି ଜିଲ୍ଲାଗୁଡ଼ିକୁ ଦଶଟି ଶ୍ରେଣୀରେ ବର୍ଗୀକୃତ କରିଥାଏ। ଏହି ବର୍ଗୀକରଣ ଅନୁଯାୟୀ, ଦକ୍ଷ ହେଉଛି ସବୁଠୁ ଉଚ୍ଚତମ ଗ୍ରେଡ୍‌। ମୋଟ୍‌ ଉପରେ 90 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପଏଣ୍ଟ ପାଉଥିବା ଜିଲ୍ଲାକୁ ଏହି ଗ୍ରେଡ୍‌ ଦିଆଯାଏ। ପିଜିଆଇ-ଡିରେ ସବୁଠୁ ନିମ୍ନ ଗ୍ରେଡ୍‌କୁ ଆକାଂକ୍ଷୀ-3 କୁହାଯାଏ, ଯାହା ମୋଟ୍‌ ପଏଣ୍ଟର 10 ପ୍ରତିଶତ ପର୍ଯ୍ୟନ୍ତ ସ୍କୋର ପାଇଁ ଦିଆଯାଏ। ପିଜିଆଇ-ଡିର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଜିଲ୍ଲାଗୁଡ଼ିକୁ ବିଦ୍ୟାଳୟ ଶିକ୍ଷାରେ ହସ୍ତକ୍ଷେପ ପାଇଁ ପ୍ରାଥମିକତା ଆଧାରିତ କ୍ଷେତ୍ରରେ ସହାୟତା କରିବା ଏବଂ ଏହା ଜରିଆରେ ଉଚ୍ଚତମ ଗ୍ରେଡରେ ପହଞ୍ଚିବା ପାଇଁ ସୁଧାର ଜାରି ରଖିବ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଲାଗି ପ୍ରତିବଦ୍ଧତାକୁ ଦୋହରାଇଲା ଭାରତ

ଭୁବନେଶ୍ଵର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆଜି ଭୁବନେଶ୍ଵର ଠାରେ ଉଦଯାପିତ ହୋଇଯାଇଛି। ଏହି ତିନି ଦିନିଆ ବୈଠକ ଓ ସେମିନାର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାଥମିକ କ୍ଷେତ୍ର ଯଥା: କ୍ଷମତା ନିର୍ମାଣ, ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଉପରେ ବିଚାରବିମର୍ଶ କରାଯାଇଥିଲା।

ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ।

ପ୍ରତିନିଧିସ୍ତରୀୟ ବୈଠକ ପୂର୍ବରୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଧାତୁ ଓ ଖଣିଜ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଠାରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସେମିନାରର ବିଷୟବସ୍ତୁ ଥିଲା : ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ କ୍ଷମତା ନିର୍ମାଣ, ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ’।

ଏହି ସେମିନାରରେ ତିନୋଟି ପାନେଲ ଆଲୋଚନା ହୋଇଥିଲା। ପ୍ରଥମ ପାନେଲ ଆଲୋଚନାରେ “କାର୍ଯ୍ୟର ଭବିଷ୍ୟତ ସନ୍ଦର୍ଭରେ ଶ୍ରମ ବଜାର ଓ ସଂସ୍ଥାଗତ କ୍ଷମତା ନିର୍ମାଣର ଆବଶ୍ୟକତା ଲାଗି ଏକ ସକ୍ରିୟ ବ୍ୟବସ୍ଥା ନିର୍ମାଣ : ଉଚ୍ଚ ଗୁଣବତ୍ତା ଆଧାରିତ ପ୍ରଯୁକ୍ତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ସକ୍ଷମ କରିବା” ବିଷୟ ସ୍ଥାନ ପାଇଥିଲା। ସେହିପରି ଉଚ୍ଚ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ସୃଷ୍ଟି କରିବା ଉପରେ ଆଉ ଏକ ଆଲୋଚନା ହୋଇଥିଲା।

ଏହାଛଡ଼ା ପିଲାମାନଙ୍କୁ ଆଜୀବନ ଅଧ୍ୟୟନର ଧାରାକୁ ଆଣିବା ଲାଗି ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସେଟ୍‌ ଜରିଆରେ ସେମାନଙ୍କୁ ସକ୍ଷମ କରିବା ବିଷୟକୁ ନେଇ ପାନେଲ ଆଲୋଚନା ହୋଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର, ଏଲଆଣ୍ଡ ଟି ଏଡୁ ଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସବ୍ୟସାଚୀ ଦାସ ଏସବୁ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ, ବ୍ରିଟେନ ସମେତ ଅନ୍ୟ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂଗଠନର ବିଶେଷଜ୍ଞ ପାନେଲିଷ୍ଟମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ଏଥିରେ ଅଂଶଗ୍ରହଣ କରିଥିବା ପାନେଲିଷ୍ଟମାନେ ସେମାନଙ୍କ ନିଜ ଦେଶରେ ଏହି ବିଷୟବସ୍ତୁ ଉପରେ ଆଧାରିତ ଶ୍ରେଷ୍ଠ ପଦ୍ଧତି ଓ ନୀତିଗୁଡ଼ିକ ଉପରେ ମତାମତ ରଖିଥିଲେ। ସେମାନେ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ଉପରେ ସେମାନଙ୍କର ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପରିବର୍ତ୍ତିତ ବିଶ୍ଵ ସହିତ ଖାପଖୁଆଇବା ଲାଗି ଦକ୍ଷତା ବିକାଶ, ଉନ୍ନତ ଦକ୍ଷତା ବିକାଶ ଏବଂ ନିରନ୍ତର ଦକ୍ଷତା ବିକାଶ ବା ସ୍କିଲିଂ, ଅପ ସ୍କିଲିଂ ଓ ରି ସ୍କିଲିଂ ଉପରେ ଆଲୋକପାତ କରିଥିଲେ। ସେମାନେ ଭବିଷ୍ୟତର କାର୍ଯ୍ୟକୁ ନେଇ ନିଜ ଦେଶରେ ଦେଖା ଦେଇଥିବା ସମସ୍ୟା ଉପରେ ମଧ୍ୟ ଆଲୋକପାତ କରିଥିଲେ।

ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପରିପ୍ରେକ୍ଷୀରେ ଏକ ସପ୍ତାହବ୍ୟାପୀ ମଲ୍ଟିମିଡିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଶିଳ୍ପ, ଶିକ୍ଷାଜଗତ, ସରକାରୀ ସଂସ୍ଥା, ବହୁପକ୍ଷୀୟ ସଂସ୍ଥା, ଷ୍ଟାର୍ଟଅପ୍‌ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଏଠାରେ ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଥିଲା। ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ୟୁନିସେଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଡିଭିଜନ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ ଏବଂ ଆହୁରି ଅନେକ ସଂସ୍ଥା ଯୋଗ ଦେଇଥିଲେ। ପ୍ରଦର୍ଶନୀଟି ୨୩ରୁ ୨୫ ଏବଂ ୨୭ ଓ ୨୮ ତାରିଖରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାବିତ ଓ ଗବେଷକଙ୍କ ପାଇଁ ଖୋଲା ଯାଇଥିଲା।

ପ୍ରତିନିଧିସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଉଦବୋଧନ ଦେଇଥିଲେ। ସେ ଏକବିଂଶ ଶତାବ୍ଦୀ ପାଇଁ ଆବଶ୍ୟକ ଜ୍ଞାନ, ସାମର୍ଥ୍ୟ, କୌଶଳ ଏବଂ ଦୃଷ୍ଟିକୋଣ ହାସଲ ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ ଲାଗି ଜୋର ଦେଇଥିଲେ। ଆସନ୍ତା ଜୁନ ମାସରେ ଶିକ୍ଷା ମନ୍ତ୍ରୀଙ୍କ ବୈଠକ ପାଇଁ ପରିଣାମ ଦସ୍ତାବିଜ ଉପରେ ଜି୨୦ ସଦସ୍ୟ ଓ ନିମନ୍ତ୍ରିତ ଦେଶର ପ୍ରତିନିଧିମାନେ ବିଚାରବିମର୍ଶ କରିଥିଲେ।

ଶେଷରେ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ନିଆଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିନିଧିମାନଙ୍କୁ ଓଡ଼ିଶା ଗସ୍ତ କରିବାର ଏକ ସ୍ମରଣୀୟ ପ୍ରତିକ ରୂପରେ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।

ଜି ୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ତୃତୀୟ କାର୍ଯ୍ୟଗୋଷ୍ଠୀ ବୈଠକ ସଫଳ ହୋଇଥିଲା। ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଠାରୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ବିଭିନ୍ନ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏକାଧିକ ଛାୟା ଜି-୨୦ ସମ୍ମିଳନୀରେ ୫୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୧୨୩୫ରୁ ଅଧିକ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ନାଗରିକ ଅଂଶଗ୍ରହଣ କରିବା ସହିତ ବାସ୍ତବରେ ଭାରତର ଜି୨୦ ଅଧ୍ୟକ୍ଷତାକୁ ଜନସାଧାରଣଙ୍କ ଅଧ୍ୟକ୍ଷତା ବୋଲି ପ୍ରମାଣିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରିବ ଶିକ୍ଷା ମନ୍ତ୍ରଣାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଆସନ୍ତା ୨୬-୨୮ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଓଇସିଡି, ୟୁନେସ୍କୋ ଏବଂ ୟୁନିସେଫ ଭଳି ନିମନ୍ତ୍ରିତ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

ଏହି ତିନି ତିନିଆ କାର୍ଯ୍ୟକ୍ରମରେ ସେମିନାର/ପ୍ରଦର୍ଶନୀ ଏବଂ କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନ କରାଯିବ। ଏନଏସଡିସି ସହଭାଗିତାରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଓ ବସ୍ତୁବିଦ୍ୟା ପ୍ରତିଷ୍ଠାନ ଠାରେଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ବିକାଶ ବିଷୟବସ୍ତୁ ଉପରେ ସେମିନାର ଆୟୋଜନ କରାଯିବ। କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ବୋଧିତ କରିବେ।

କାର୍ଯ୍ୟକ୍ରମ ପୂର୍ବରୁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶ୍ରୀ ସଞ୍ଜୟ କେ ମୂର୍ତ୍ତି କହିଥିଲେ ଯେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ବିଚାରବିମର୍ଶ ଲାଗି ଏକ ମଞ୍ଚ ଯୋଗାଇ ଦେବ।  ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂଗଠନାରୁ ମିଳିଥିବା ଇନପୁଟ୍‌ ଆଧାରରେ ଜି୨୦ ଶିକ୍ଷା ମନ୍ତ୍ରୀମାନଙ୍କର ଘୋଷଣା ନାମର ଜିରୋ ଡ୍ରାଫ୍ଟ ଉପରେ ବିଚାରବିମର୍ଶ କରିବା ଲାଗି ଏହି ମଞ୍ଚ ସହାୟକ ହୋଇପାରିବ। ଏହି ବିଚାରବିମର୍ଶରୁ ମିଳିଥିବା ପରିଣାମ ଓ ସୁପାରିସକୁ ଆସନ୍ତା ୨୨ ଜୁନ ୨୦୨୩ରେ ପୁଣେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା ମନ୍ତ୍ରୀମାନଙ୍କର ବୈଠକ ସମୟରେ ଉପସ୍ଥାପିତ ହେବାକୁ ଥିବା ଘୋଷଣାନାମା ପ୍ରସ୍ତୁତି ବା ଡ୍ରାଫ୍ଟିଂରେ ସହାୟକ ହୋଇପାରିବ।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ ତିୱାରୀ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆୟୋଜିତ ହେଉଥିବା ପ୍ରାକ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଉତ୍କଳ ଦିବସ ପରଠାରୁ ଆରମ୍ଭ ହୋଇଥିବା ଜନଭାଗିଦାରୀ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଭାରତର ଜି୨୦ ଅଧ୍ୟକ୍ଷତାକୁ ଜନସାଧାରଣଙ୍କ ଅଧ୍ୟକ୍ଷତାରେ ପରିଣତ କରିବା ଲାଗି ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମ ଫଳପ୍ରଦ ହୋଇଥିବା ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସଆଇଆର-ଆଇଆଇଏମଟି ଠାରେ ଜି୨୦ ଭବିଷ୍ୟତର କାର୍ଯ୍ୟ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ବର୍ତ୍ତମାନ ଏହି ପ୍ରଦର୍ଶନୀ ଜାରି ରହିଛି। ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପରିପ୍ରେକ୍ଷୀରେ ବିଭିନ୍ନ ସମ୍ମିଳନୀ ଓ କର୍ମଶାଳା ଆୟୋଜନ କରାଯାଉଛି।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶ ବିଷୟକୁ ସାମିଲ କରିବା ଉପରେ ଆଲୋଚନା କରିଥିଲେ। ପିଲାମାନଙ୍କୁ ଭବିଷ୍ୟତର କ୍ଷମତାରେ ସଶକ୍ତ କରିବା ଏବଂ ସେମାନଙ୍କୁ ଆଜୀବନ ଅଧ୍ୟୟନ କରିବା ଲାଗି ସକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଆଜି ଭାରତ ଓ ସିଙ୍ଗାପୁର କର୍ମଶାଳା ସମୟରେ ସିଙ୍ଗାପୁର ପ୍ରତିନିଧିଙ୍କ ସହିତ ହୋଇଥିବା ବୈଠକ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଭାରତ ଓ ସିଙ୍ଗାପୁର ମଧ୍ୟରେ ସହଭାଗିତାର ବିଭିନ୍ନ ଦିଗ ଅନ୍ୱେଷଣ କରାଯାଉଥିବା ସେ କହିଥିଲେ। ଭୁବନେଶ୍ୱର ପରେ ଅନ୍ୟତ୍ର ଆୟୋଜିତ ହେବାକୁ ଥିବା ଚତୁର୍ଥ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଶାସ୍ତ୍ର ଉପରେ ଗୁରୁତ୍ୱାରୋପ କରାଯିବ ଯାହାକି ଜାତୀୟ ଶିକ୍ଷା ନୀତି ୨୦୨୦ରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ।

ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଓ ସେମିନାରରେ ୨୭ରୁ ଅଧିକ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଏହାବ୍ୟତୀତ, ୟୁନେସ୍କୋ, ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟଗୋଷ୍ଠୀର ବିଭିନ୍ନ ଉପସ୍ଥାପନା ଉପରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ମଲ୍ଟିମିଡିଆ ପ୍ରଦର୍ଶନୀ ଆୟୋଜନ କରାଯିବ ଯେଉଁଥିରେ ଶିଳ୍ପ ଜଗତ, ଶିକ୍ଷାବିତ, ଷ୍ଟାର୍ଟଅପ୍ ସଂସ୍ଥାମାନେ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀକୁ ସ୍ଥାନୀୟ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଓ ଗବେଷକମାନଙ୍କ ପାଇଁ ୨୩ରୁ ୨୫ ତାରିଖ ଏବଂ ୨୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଖୋଲାଯାଇଛି।

ଜି -୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ଭ୍ରମଣ ଉପାଦାନ ଅଧୀନରେ ବିଦେଶୀ ପ୍ରତିନିଧିମାନେ କୋଣାର୍କ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ। ଜି୨୦ ବୈଠକ ପରିପ୍ରେକ୍ଷୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବିଦେଶୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଓଡ଼ିଶାର ପାରମ୍ପରିକ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିତ କରାଯିବ।

ଆଜିର ସାମ୍ବାଦିକ ସମ୍ମିଳନୀକୁ ପିଆଇବିର ମହାନିର୍ଦ୍ଦେଶକ ଭୁପେନ୍ଦ୍ର କେଂଥୋଲା ପରିଚାଳନା କରିଥିଲେ1

Categories
ଆଜିର ଖବର ଜାତୀୟ ଖବର

କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୫ ମସିହାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଏବଂ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ କଳା ଉତ୍ସବ ଆରମ୍ଭ କରା ଯାଇଥିଲା। କଳା ଉତ୍ସବରେ ଦେଶର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ଜିଲ୍ଲା ସ୍ତରରେ, ପରେ ରାଜ୍ୟ ସ୍ତରରେ ଏବଂ ଶେଷରେ ଜାତୀୟ ସ୍ତରରେ ବିଭିନ୍ନ କଳା ବିଭାଗର ସଦସ୍ୟ ମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରି ଯେଉଁ ମାନେ ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ଜଣେ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କର ବିଭିନ୍ନ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଆମନ୍ତ୍ରିତ କରାଯାଇଥିଲା।

କଳା ଉତ୍ସବ ୨୦୨୨ ଜାନୁୟାରୀ  ୩ , ୨୦୨୩ ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି ବିଦ୍ୟାଳୟରୁ କଳା ଉତ୍ସବ ୨୦୨୧ ରେ ମୋଟ ୩୭ଟି ଦଳ ଅଂଶଗ୍ରହଣ କରିଥିଲେ,  ଯେଉଁଥିରେ ୭୦୩ ଜଣ ଛାତ୍ରଛାତ୍ରୀ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥି ମଧ୍ୟରୁ, ୩୫୩ ଜଣ ବାଳିକା ଏବଂ ୩୫୦ ଜଣ ବାଳକ କଳା ଉତ୍ସବ ୨୦୨୨ ରେ ଅଂଶଗ୍ରହଣ କରିଥିଲେ,  ସେମାନଙ୍କ ମଧ୍ୟରୁ ୭ ଦିବ୍ୟାଙ୍ଗ ଅଂଶଗ୍ରହଣକାରୀ ଥିଲେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ (ଭାରତ ସରକାର) ଏବଂ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କଳା ଉତ୍ସବ ୨୦୨୨  ସଫଳ ହୋଇଛି।

୩ ରୁ ୫ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା କଳା ଉତ୍ସବ ୨୦୨୨  ପ୍ରତିଯୋଗିତାରେ ମୋଟ ୧୦ ଟି କଳା, ଯଥା – ଗାୟନ ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ଗାୟନ, ତାଳ ବାଦ୍ୟ ସଙ୍ଗୀତ, ମଧୁର ବାଦ୍ୟ ସଙ୍ଗୀତ,  ଶାସ୍ତ୍ରୀୟ ଲୋକ ନୃତ୍ୟ, ଏକକ ଅଭିନୟ ଏବଂ ୨ – ଡି ଏବଂ ୩ – ଡି ଭିଜୁଆଲ୍ ଆର୍ଟ ପ୍ରତିଯୋଗିତା ଏବଂ ସ୍ୱଦେଶୀ ଖେଳନା ଏବଂ ଖେଳ  ଆୟୋଜିତ ହୋଇଥିଲା।

ଆଜି ଅର୍ଥାତ୍ ୭ ଜାନୁଆରୀ ୨୦୨୩ ରେ, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ) ରେ କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। କଳା ଉତ୍ସବରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ଅତିଥି, ମାନନୀୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ କଳା ଉତ୍ସବ ଏକ ଭାରତ ଶ୍ରେଷ୍ଠ ଭାରତର ଦର୍ଶନକୁ ସଠିକ୍ ଦିଗ ଏବଂ ରୂପ ପ୍ରଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିଛି। ଏହିପରି ଭାବେ ସମସ୍ତ ଆକର୍ଷଣୀୟ ପ୍ରଦର୍ଶନ ପାଇଁ  ସେ ସମସ୍ତ ଅଂଶଗ୍ରହଣକାରୀ ଏବଂ ଆୟୋଜକ ମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।

ମାନନୀୟ ମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଅତୁଳନୀୟ ଉତ୍ସାହ ସହିତ ସମସ୍ତ ରାଜ୍ୟ ଏଥିରେ ଅଂଶଗ୍ରହଣ କରିବା, ପୁଣି ଥରେ ଏହା ପ୍ରମାଣିତ କରିଛି ଯେ ଭାରତ ହେଉଛି ବିବିଧତା ମଧ୍ୟରେ ଏକତାର ଏକ ଉଦାହରଣ,  ଯାହା ମଧ୍ୟ ଏହାର ଏକ ବିଶେଷତ୍ୱ ଏବଂ ଶକ୍ତିର ଉତ୍ସ ଅଟେ। ମାନନୀୟ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଭାରତ ସମେତ ସମଗ୍ର ବିଶ୍ୱ ମହାମାରୀ ସହ ସଂଗ୍ରାମ କରୁଥିବାବେଳେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି, ସେଗୁଡିକ ମଧ୍ୟରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ୟତମ। ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷା ମାଧ୍ୟମରେ କଳା ଏବଂ ସଂସ୍କୃତିର ପ୍ରଚାରକୁ ଗୁରୁତ୍ୱ ଦେଇଥାଏ। କଳା ଉତ୍ସବ ୨୦୨୨ରେ ମଧ୍ୟ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରାମର୍ଶ ଗୁଡିକୁ ଅନ୍ତର୍ଭୁକ୍ତ କରିଛି।

ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଡକ୍ଟର ରାଜକୁମାର ରଂଜନ ସିଂହ କହିଥିଲେ ଯେ ଦୁଇ ବର୍ଷର ପ୍ରତିକୂଳ ପରିସ୍ଥିତି ପରେ ଏନସିଇଆରଟି କଳା ଉତ୍ସବ ୨୦୨୨କୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସଫଳତାର ସହ ପରିଚାଳନା କରିବାରେ ସଫଳ ହୋଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଯେତେବେଳେ କୌଣସି ପ୍ରକାରର କଳା ସହିତ ଜଡିତ ହୁଅନ୍ତି, ସେତେବେଳେ ସେମାନେ ନିଜର କଳ୍ପନାକୁ ବ୍ୟବହାର କରନ୍ତି ଏବଂ ଏହାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରନ୍ତି ଏବଂ ଏହାକୁ ଜୀବନ୍ତ ରୂପ ପ୍ରଦାନ କରିଥାନ୍ତି ଏବଂ ବାସ୍ତବିକତାରେ ପରିଣତ କରନ୍ତି। ଏହି ପ୍ରକ୍ରିୟା ପାଇଁ କଳା ଉତ୍ସବ ଏକ ସୁଯୋଗ ପ୍ରଦାନ କରିଥାଏ। ଏହିପରି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କର ତର୍କ, ବୁଝାମଣା, ସମସ୍ୟାର ସମାଧାନ, ଜ୍ଞାନଗତ ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ବୃଦ୍ଧି କରିଥାଏ, ଯାହା ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ବିଜେତା ପ୍ରଦର୍ଶନ ଗୁଡିକର ସରକାରୀ ଭ୍ରମଣର ଆୟୋଜନ ପାଇଁ ମାନ୍ୟବର ମନ୍ତ୍ରୀ ଏନ୍‌ସିଇଆରଟିର ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଥିଲେ। କଳାକୃତିର ପ୍ରସ୍ତୁତି ପାଇଁ ସ୍ଥାନୀୟ ଜିନିଷ ଏବଂ ସାମଗ୍ରୀର ବ୍ୟବହାରରେ ସେ ପ୍ରଭାବିତ ହୋଇଥିଲେ ଏବଂ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ଗୋବର୍ଦ୍ଧନ” (ଗାଈ ଗୋବରରୁ ଧନ ସୃଷ୍ଟି କରିବା) ଉଦ୍ଦେଶ୍ୟର ଉଦାହରଣ ଦେଇଥିଲେ। ଡକ୍ଟର ସିଂହ ମଧ୍ୟ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ନିଜ ନିଜ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନୀୟ କଳାକୃତି ପ୍ରଦର୍ଶନ କରିଥିବାରୁ ପ୍ରଶଂସା କରିଥିଲେ।

ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ଦକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ। କୌଣସି ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ଭାଗୀଦାରୀ  ମନୋଭାବ, ମୂଲ୍ୟବୋଧ, ଲକ୍ଷ୍ୟ ଏବଂ ପ୍ରଥା ଗୁଡ଼ିକର ଏକ ସମୂହକୁ ପ୍ରତିନିଧିତ୍ୱ କରେ। ଭାରତ ପରି ବିବିଧତାରେ ପରିପୂର୍ଣ୍ଣ ଦେଶ ଏହାର ସଂସ୍କୃତିର ବହୁଳତାର ପ୍ରତୀକ ଅଟେ। ଆଜାଦୀର ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଶିକ୍ଷା ମନ୍ତ୍ରଣାଳୟ ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଦେଶବ୍ୟାପୀ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ କଳା ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି  “ଭୋକାଲ୍ ଫର୍ ଲୋକାଲ୍‌’ ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ପ୍ରୋତ୍ସାହିତ କରୁଛି । ସ୍ଥାନୀୟ କିମ୍ବା ପାରମ୍ପରିକ ଖେଳ ଏବଂ ଖେଳନା ଉତ୍ପାଦନ ମାଧ୍ୟମରେ ଏହି ଧାରା ଗୁଡ଼ିକରେ ବ୍ୟବସାୟିକ ସୁଯୋଗ ଅନୁସନ୍ଧାନ କରି ଏହା ସେମାନଙ୍କୁ ବ୍ୟବସାୟର ଏକ ମାଧ୍ୟମ ହେବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।  “ଭୋକାଲ୍ ଫର୍ ଲୋକାଲ୍‌’  ମଧ୍ୟ ଏକ ବିଶ୍ୱ ସ୍ତରୀୟ ପରିଚୟ ସୃଷ୍ଟି କରିବାକୁ ସ୍ୱଦେଶୀ କଳାକୁ ପ୍ରେରଣା ଯୋଗାଇଥାଏ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସ୍ତରରେ ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକୁ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ । ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକ ପାଇଁ ଆଗ୍ରହୀ ହେବା ଅର୍ଥ ହେଉଛି ସେହି କଳା ଫର୍ମଗୁଡିକ ଜାତୀୟ ମଂଚରେ ସ୍ଥାପିତ ହେବାର ସୁଯୋଗ ପ୍ରଦାନ କରେ । ଏହି ପର୍ବ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିଥାଏ । ଏହି ଆତ୍ମନିର୍ଭରଶୀଳତା ବିଭିନ୍ନ ପରୀକ୍ଷଣ ଏବଂ କଳା ଶାସ୍ତ୍ରରେ ସୁଯୋଗ ଦ୍ୱାରା ବୃଦ୍ଧି ପାଇଥାଏ । କଳା ଉତ୍ସବ ୨୦୨୨ରେ ସାମିଲ୍ ହୋଇଥିବା କଳାର ବିଭିନ୍ନ ପ୍ରକାର ଗୁଡିକ ଆତ୍ମନିର୍ଭର ଭାରତ ଅଭିଯାନକୁ ଦୃଢ଼ ଭାବରେ ସମର୍ଥନ କରିଥାଏ, ଯେଉଁଠାରେ ଛାତ୍ରମାନେ ସେମାନଙ୍କର ସ୍ଥାନୀୟ ତଥା ପାରମ୍ପରିକ ସଂସ୍କୃତି ଗୁଡିକୁ ଅଭ୍ୟାସ କରିଥିଲେ, ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ବ୍ୟବସାୟ ବାଛିବାର ସୁଯୋଗ ମଧ୍ୟ ଦେଇପାରେ ।

ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ସମ୍ମାନିତ ଅତିଥି ମାନଙ୍କୁ ଏବଂ ପରିଷଦର ସମସ୍ତ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ, କେବିଏସ୍ ଏବଂ ଏନ୍‌ବିଏସ୍‌ର ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରତ୍ୟେକ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବା ପାଇଁ ସେମାନଙ୍କର ନିରନ୍ତର ଏବଂ ଆନ୍ତରିକ ଉଦ୍ୟମ ପାଇଁ ସେ ବିଭିନ୍ନ କଳା ଫର୍ମର ବିଦ୍ୱାନ ଜୁରି ସଦସ୍ୟ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ କଳା ଉତ୍ସବ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର କଳା ଅଭିବ୍ୟକ୍ତିକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ।

କଳା ଉତ୍ସବ ୨୦୨୨ର ଜାତୀୟ ସଂଯୋଜକ ପ୍ରଫେସର ପୱନ ସୁଧୀର ଏହି ପ୍ରତିଯୋଗିତାରେ ମନୋନୀତ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ କଳା ସଂରକ୍ଷଣ ତଥା ପ୍ରୋତ୍ସାହନକୁ ଉତ୍ସାହିତ କରିଥାଏ ଏବଂ ସେମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ କୌଣସି ପ୍ରତିଯୋଗିତାର ମାନଦଣ୍ଡ ଅନୁଯାୟୀ ବିଜେତା ମାନଙ୍କୁ ଘୋଷିତ କରା ଯାଇଥାଏ, ତଥାପି ମଧ୍ୟ ସେ ଅନୁଭବ କରିଥିଲେ ଯେ ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜେ ଜଣେ ବିଜେତା ଥିଲେ । କାରଣ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ପ୍ରଦର୍ଶନ କରିବାକୁ ଉତ୍ସାହ ବିଷୟରେ କହିଥାଏ । ସେ କଳା ଉତ୍ସବର  ବୈଶିଷ୍ଟ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ପ୍ରତିଯୋଗିତାର ଝଲକକୁ ଆଲୋକିତ କରିବା ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରା ଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ସାମୁଦ୍ରିକ ପ୍ରଥାକୁ ନେଇ ଆୟୋଜିତ ୩ ଦିନିଆ ସମ୍ମିଳନୀ ‘ସମୁଦ୍ରମନ୍ଥନ’ ଉଦ୍‌ଯାପିତ

ଭୁବନେଶ୍ୱର: ଭାରତର ସାମୁଦ୍ରିକ ପରଂପରା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନାକୁ ନେଇ ଶିକ୍ଷା ମନ୍ତ୍ରଣାଳୟର ପରିଚାଳିତ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ କଟକ ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି।

ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଏହାର ଉଦ୍‌ଘାଟନ ପରେ ପରର୍ବତୀ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଭିନ୍ନ ପାନେଲ୍ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାର ଉତ୍କର୍ଷକୁ ନେଇ୨୦୪୭ ସୁଦ୍ଧା ଦେଶର ସାମୁଦ୍ରିକ ଭବିଷ୍ୟତ ବିଷୟରେ ଏକ ଦସ୍ତାବିଜ ପ୍ରସ୍ତୁତ କରାଯିବ।

ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପରେ ପ୍ରସ୍ତୁତ ଧାରା ପର୍ଯ୍ୟାୟର ୬ଷ୍ଠ ସଂସ୍କରଣ ହୋଇଥିବା ବେଳେ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପ୍ରଥାକୁ ନେଇ କଟକ ଠାରେ ଆୟୋଜିତ ହେଉଥିବା ବାଲିଯାତ୍ରା ସହିତ ଆୟୋଜନ କରାଯାଇଥିଲା।

ସମ୍ମିଳନୀରେ ଉପସ୍ଥିତ ଥିବା ବିଶେଷଜ୍ଞମାନେ ଭବିଷ୍ୟତରେ ଭାରତୀୟ ସାମୁଦ୍ରିକ ସକ୍ଷମତା ଆଧୁନିକ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଓ ନୂତନ ଜ୍ଞାନ ଦକ୍ଷତା ଉପରେ ନିର୍ଭର କରିବ ବୋଲି ମତ ପ୍ରକାଶ କରିଥିଲେ।

ସେହିପରି ସାମୁଦ୍ରିକ ପରଂପରାକୁ ନେଇ କିଭଳି ଅଧିକ ଗବେଷଣା କରାଯାଇପାରିବ ଏବଂ ଏ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏହି ସମ୍ମିଳନୀରେ ସାମୁଦ୍ରିକ ଇତିହାସ: ଅବସ୍ଥାନ, ଜାହାଜ ନିର୍ମାଣ ଓ ଚଳାଚଳ, ସଂଗ୍ରହାଳୟ ମାଧ୍ୟମରେ ସାମୁଦ୍ରିକ ପରମ୍ପରାର ସଂଯୋଗ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନ ପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀକ ଆଇନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ବିଶେଷଜ୍ଞ ଭାବେ ପ୍ରଫେସର କିଶୋର କେ. ବାସା, ଭାଇସ୍ ଆଡମିରାଲ୍ ରମନ୍ ପୁରୀ (ଅବସରପ୍ରାପ୍ତ), ଭାଇସ୍ ଆଡମିରାଲ୍ ଶେଖର ସିହ୍ନା (ଅବସରପ୍ରାପ୍ତ), ଡକ୍ଟର ଅମିତ କୁମାର, ଡକ୍ଟର ଲଳିତେନ୍ଦୁ ମହାପାତ୍ର, କମୋଡର ଓଡାକଲ୍ ଜନ୍‌ସନ୍ (ଅବସରପ୍ରାପ୍ତ), କମୋଡର ଶ୍ରୀକାନ୍ତ କେ. କେସନୁର (ଅବସରପ୍ରାପ୍ତ), ଶ୍ରେୟଙ୍କା ବାସୁ, ସ୍ୱରୁପ ଭଟ୍ଟାଚାର୍ଯ୍ୟ, କମାଣ୍ଡର ନୀନାଦ ପାଥେରଫେକର (ଅବସରପ୍ରାପ୍ତ), ରାଜେଶ ମହାନ୍ତି, ପ୍ରଫେସର ପତିତପାବନ ମିଶ୍ର, ପ୍ରଫେସର ପଙ୍କଜ ଝା, କମୋଡର ସୋମେନ୍ ବାନାର୍ଜୀ, ଡକ୍ଟର ସୁନୀଲ୍ ପଟ୍ଟନାୟକ, ପ୍ରଫେସର ରାଜାରାମ ପଣ୍ଡା, ରାଧିକା ଡାଗା, ସନାତନ ଜେନା, ଡିଆଇଜି, ଡକ୍ଟର ମୋନିକା ବର୍ମା, ଆନନ୍ଦ ନର୍‌ସିଂହନ୍ ଏବଂ ପ୍ରଫେସର ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଯୁବ ଲେଖକମାନଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା: ଯୁବା ୨.୦ ର ଶୁଭାରମ୍ଭ

ଦିଲ୍ଲୀ: ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଆଜି ଯୁବ ଲେଖକ ମାନଙ୍କର ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୁବା ୨.୦ ଆରମ୍ଭ କରିଛି। ପଢ଼ିବା, ଲେଖିବା ଏବଂ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଯୁବକ ଏବଂ ନୂତନ ଲେଖକ ମାନଙ୍କୁ (୩୦ ବର୍ଷରୁ କମ୍ ବୟସର) ତାଲିମ୍ ଦେବା ପାଇଁ ଏହି ଲେଖକ ପରାମର୍ଶ କାର୍ଯ୍ୟକ୍ରମ ପ୍ରାୟୋଜିତ ଅଟେ, ଯାହା ଦେଶରେ, ଏବଂ ବିଶ୍ବ ସ୍ତରରେ ଭାରତ ଏବଂ ଭାରତୀୟ ଲେଖା ଗୁଡିକୁ ଉପସ୍ଥାପନ କରିବ। ଯୁବା କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣର ମହତ୍ବପୂର୍ଣ୍ଣ ପ୍ରଭାବକୁ ଦୃଷ୍ଟିରେ ରଖି ୨୨ଟି ବିଭିନ୍ନ ଭାରତୀୟ ଭାଷା ଏବଂ ଇଂରାଜୀରେ ଯୁବକ ଏବଂ ନୂତନ ଲେଖକଙ୍କ ଅଂଶଗ୍ରହଣ ସହିତ ବର୍ତ୍ତମାନ ଯୁବା ୨.୦ ଆରମ୍ଭ ହୋଇଛି।

ଯୁବା ୨.୦ (ଯୁବ, ଭବିଷ୍ୟତର ଏବଂ ବହୁମୁଖୀ ଲେଖକ) ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଯୁବକମାନଙ୍କୁ ଭାରତର ଗଣତନ୍ତ୍ରକୁ ବୁଝିବାକୁ ଏବଂ ପ୍ରଶଂସା କରିବାକୁ ଉତ୍ସାହିତ କରିବ। ଯୁବା ୨.୦ ହେଉଛି ଭାରତ @ ୭୫ (ଆଜାଦିର ଅମୃତ ମହୋତ୍ସବ) ପ୍ରକଳ୍ପର ଏକ ଅଂଶ ବିଶେଷ, ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ ‘ଗଣତନ୍ତ୍ର (ଅନୁଷ୍ଠାନ, ଘଟଣା, ଲୋକ, ସାମ୍ବିଧାନିକ ମୂଲ୍ୟବୋଧ – ଅତୀତ, ବର୍ତ୍ତମାନ , ଭବିଷ୍ୟତ)’ କୁ ଏକ ଅଭିନବ ଏବଂ ସୃଜନଶୀଳ ଢଙ୍ଗରେ ଯୁବ ପିଢିର ଲେଖକଙ୍କ ଦୃଷ୍ଟିକୋଣକୁ ସାମ୍ନାକୁ ଆଣିବା ପାଇଁ କରା ଯାଇଛି। ଏହି ଯୋଜନା ଏହିପରି ଲେଖକ ମାନଙ୍କର ଏକ ଉତ୍ସ ବିକାଶରେ ସାହାଯ୍ୟ କରିବ, ଯେଉଁମାନେ ଭାରତୀୟ ଐତିହ୍ୟ, ସଂସ୍କୃତି ଏବଂ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଲେଖି ପାରିବେ।

ଜାତୀୟ ଶିକ୍ଷା ନୀତି ୨୦୨୦ ଯୁବ ମନର ସଶକ୍ତିକରଣ ଏବଂ ଏକ ଶିକ୍ଷଣ ପାରିବେଶିକ ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛି, ଯାହା ଭବିଷ୍ୟତରେ ବିଶ୍ବରେ ନେତୃତ୍ୱର ଭୂମିକା ନିର୍ବାହ କରିବା ପାଇଁ ଯୁବକ ପାଠକ/ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରି ପାରିବ। ଯୁବ ଜନସଂଖ୍ୟାରେ ଭାରତ ମୋଟ ୬୬ ପ୍ରତିଶତ ସହିତ ତାଲିକାରେ ଶୀର୍ଷରେ ରହିଛି, ଦକ୍ଷତା ବୃଦ୍ଧି ଏବଂ ଏସବୁ ଦ୍ୱାରା ରାଷ୍ଟ୍ର ନିର୍ମାଣ ପାଇଁ ସେମାନଙ୍କୁ ଅପେକ୍ଷା କରାଯାଇଛି। ଯୁବ ସୃଜନଶୀଳ ଲେଖକ ମାନଙ୍କର ଏକ ନୂତନ ପିଢ଼ିର ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ, ଉଚ୍ଚ ସ୍ତରରେ ପଦକ୍ଷେପ ନେବା ପାଇଁ ଏକ ଆବଶ୍ୟକତା ରହିଛି ଏବଂ ଏହି ପରିପ୍ରେକ୍ଷୀରେ, ଯୁବା ୨.୦ ସୃଜନଶୀଳ ଜଗତର ଭବିଷ୍ୟତର ନେତୃତ୍ବ ମାନଙ୍କର ମୂଳଦୁଆ ପକାଇବାରେ ବହୁ ଦୂର ଯିବ।

ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ, କାର୍ଯ୍ୟକାରୀ ଏଜେନ୍ସି ଭାବରେ ଏହି ଯୋଜନାର ପର୍ଯ୍ୟାୟ ନିର୍ଦ୍ଧାରିତ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ। ଏହି ଯୋଜନା ଅଧୀନରେ ପ୍ରସ୍ତୁତ ପୁସ୍ତକ ଗୁଡ଼ିକ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଭାରତ ଦ୍ବାରା ପ୍ରକାଶିତ ହେବ ଏବଂ ସଂସ୍କୃତି ଏବଂ ସାହିତ୍ୟର ଆଦାନପ୍ରଦାନକୁ ସୁନିଶ୍ଚିତ କରି ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୁବାଦ କରାଯିବ, ଯାହା ଦ୍ଵାରା ‘ଏକ ଭାରତ ଶ୍ରେଷ୍ଠ ଭାରତ’କୁ ପ୍ରୋତ୍ସାହିତ କରାଯିବ। ମନୋନୀତ ଯୁବ ଲେଖକମାନେ ଦୁନିଆର କିଛି ଶ୍ରେଷ୍ଠ ଲେଖକଙ୍କ ସହିତ ଯୋଗାଯୋଗ କରିବେ, ସାହିତ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ।

ଏହି ଯୋଜନା ଲେଖକ ମାନଙ୍କର ଏକ ଉତ୍ସକୁ ବିକଶିତ କରିବାରେ ସାହାଯ୍ୟ କରିବ, ଯେଉଁମାନେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ନେଇ ଭାରତରେ ଗଣତନ୍ତ୍ରର ବିଭିନ୍ନ ଦିଗରେ ଲେଖି ପାରିବେ। ଏହା ବ୍ୟତୀତ ଏହା ଘରୋଇ ତଥା ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ବିସ୍ତୃତ ଦୃଷ୍ଟିକୋଣ ଉପସ୍ଥାପନ କରିବାକୁ ଆଗ୍ରହୀ ଯୁବକ ମାନଙ୍କୁ ଏକ ୱିଣ୍ଡୋ/ ମାଧ୍ୟମ ପ୍ରଦାନ କରିବ। ଏକ ବିଂଶ ଶତାବ୍ଦୀର ଭାରତ ଭାରତୀୟ ସାହିତ୍ୟର ରାଷ୍ଟ୍ରଦୂତ ସୃଷ୍ଟି କରିବା ପାଇଁ ବର୍ତ୍ତମାନ ପିଢିର ଯୁବ ଲେଖକଙ୍କୁ ସହାୟତା ଦେବା ଆବଶ୍ୟକ ବୋଲି ଧାରଣା ଅନୁସାରେ ଏହି ଯୋଜନାକୁ ପ୍ରସ୍ତୁତ କରା ଯାଇଛି। ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଆମ ଦେଶ ତୃତୀୟ ସ୍ଥାନ ଅଧିକାର କରିଛି ଏବଂ ଆମ ନିକଟରେ ଦେଶୀ ସାହିତ୍ୟର ଏକ ଭରପୁର ଭଣ୍ଡାର ଅଛି, ଏହାକୁ ଦୃଷ୍ଟିରେ ରଖି ଭାରତ ଏହାକୁ ବିଶ୍ୱ ସ୍ତରରେ ଉପସ୍ଥାପିତ କରିବ।

ୟୁବା ୨.୦ ର (ଯୁବ, ଭବିଷ୍ୟତର, ବହୁମୂଖୀ ଲେଖକ ସମୂହ) ସୂଚୀ ସମ୍ପର୍କରେ ନିମ୍ନରେ ପ୍ରଦାନ କରାଗଲା :

– ଏହି ଯୋଜନା ୦୨ ଅକ୍ଟୋବର ୨୦୨୨ରେ ଘୋଷିତ ହେଲା

– ୦୨ ଅକ୍ଟୋବର ୨୦୨୨ରୁ ୩୦ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ https://www.mygov.in/ ମାଧ୍ୟମରେ ହେବାକୁ ଥିବା ଏକ ସର୍ବଭାରତୀୟ ପ୍ରତିଯୋଗିତା ମାଧ୍ୟମରେ ମୋଟ ୭୫ ଲେଖକଙ୍କୁ ଚୟନ କରାଯିବ।

– ପ୍ରାପ୍ତ ପ୍ରସ୍ତାବ ଗୁଡିକ ୧ ଡିସେମ୍ବର ୨୦୨୨ ରୁ ୩୧ ଜାନୁୟାରୀ ୨୦୨୩ ମଧ୍ୟରେ ମୂଲ୍ୟାଙ୍କନ କରାଯିବ।

– ୨୮ ଫେବୃଆରୀ ୨୦୨୩ ରେ ବିଜେତା ମାନଙ୍କର ନାମ ଘୋଷିତ ହେବ।

– ଯୁବ ଲେଖକ ମାନଙ୍କୁ ୦୧ ମାର୍ଚ୍ଚ ୨୦୨୩ – ୩୧ ଅଗଷ୍ଟ ୨୦୨୩ ଭିତରେ ବିଶିଷ୍ଟ ଲେଖକ / ପରାମର୍ଶଦାତା ମାନେ ତାଲିମ୍ ଦେବେ।

– ମେଣ୍ଟରସିପ୍ ଅନୁଯାୟୀ, ପ୍ରକାଶିତ ପୁସ୍ତକ ଗୁଡ଼ିକର ପ୍ରଥମ ସେଟ୍ ୦୨ ଅକ୍ଟୋବର ୨୦୨୩ ରେ ଲଞ୍ଚ ହେବ।

Categories
ଆଜିର ଖବର ଜାତୀୟ ଖବର

୨୦୧୮– ୧୯ ଏବଂ ୨୦୧୯– ୨୦ ବର୍ଷ ପାଇଁ ସର୍ବପ୍ରଥମ ପିଜିଆଇ– ଡି ରିପୋର୍ଟ ପ୍ରକାଶିତ

ଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଆଜି ୨୦୧୮ – ୧୯ ଏବଂ ୨୦୧୯ – ୨୦୨୦ ନିମନ୍ତେ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ – ଡି) ପ୍ରକାଶ କରିଛନ୍ତି, ଯାହା ଜିଲ୍ଲା ସ୍ତରରେ ବିସ୍ତୃତ ବିଶ୍ଲେଷଣ ପାଇଁ ଏକ ସୂଚକାଙ୍କ ସୃଷ୍ଟି କରି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଦର୍ଶନକୁ ଆକଳନ କରିଥାଏ।

ପ୍ରାୟ ୧୫ ଲକ୍ଷ ବିଦ୍ୟାଳୟ, ୯୭ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ – ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା ଅଟେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟ ଗୁଡିକ ପାଇଁ ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ) ପ୍ରସ୍ତୁତ କରିଛନ୍ତି ଏବଂ ୨୦୧୭ – ୧୮ ଠାରୁ ୨୦୧୯ – ୨୦ ପର୍ଯ୍ୟନ୍ତ ସମୟର ସନ୍ଦର୍ଭ (ରେଫରେନ୍ସ) ବର୍ଷ ଗୁଡିକ ପାଇଁ ପ୍ରଦର୍ଶନ ମାନକ ସୂଚକାଙ୍କ ପ୍ରକାଶ କରିଛନ୍ତି। ରାଜ୍ୟ ପିଜିଆଇର ସଫଳତା ଉପରେ ଆଧାର କରି ସମସ୍ତ ଜିଲ୍ଲାରେ ବିଦ୍ୟାଳୟ ଶିକ୍ଷାରେ ପ୍ରଦର୍ଶନର ମାନ ସ୍ଥିର କରିବା ପାଇଁ ଜିଲ୍ଲା ପାଇଁ ୮୩ – ସୂଚକ ଆଧାରିତ ପିଜିଆଇ ପ୍ରସ୍ତୁତ କରା ଯାଇଛି। ଅନ୍ଲାଇନ୍ ପୋର୍ଟାଲ୍ ଜରିଆରେ ଜିଲ୍ଲା ମାନଙ୍କ ଦ୍ୱାରା ତଥ୍ୟ ଗୁଡିକ ପୂରଣ କରା ଯାଇଅଛି। ପିଜିଆଇ – ରାଜ୍ୟ ଶିକ୍ଷା ବିଭାଗ ଗୁଡିକୁ ଜିଲ୍ଲା ସ୍ତରରେ ଥିବା ବ୍ୟବଧାନ ଗୁଡିକୁ ଚିହ୍ନଟ କରିବାରେ ଏବଂ ସେମାନଙ୍କର ପ୍ରଦର୍ଶନକୁ ଏକ ବିକେନ୍ଦ୍ରୀକୃତ ଶୈଳୀରେ ଉନ୍ନତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ସୂଚକ – ଭିତିକ ପିଜିଆଇ ସ୍କୋର୍ ଏକ ଜିଲ୍ଲା କେଉଁ କ୍ଷେତ୍ର ଗୁଡିକରେ ଉନ୍ନତି କରିବାର ଆବଶ୍ୟକତା ରହିଛି ତାହାକୁ ଦର୍ଶାଇଥାଏ। ପିଜିଆଇ – ଡି ସମସ୍ତ ଜିଲ୍ଲାର ଆପେକ୍ଷିକ ପ୍ରଦର୍ଶନକୁ ଏକ ସମାନ ପରିମାପକରେ ପ୍ରତିଫଳିତ କରିବ, ଯାହା ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ।

ପିଜିଆଇ – ଡି ସଂରଚନା ୮୩ଟି ସୂଚକ ମଧ୍ୟରେ ମୋଟ ୬୦୦ ପଏଂଟର ଗୁରୁତ୍ୱକୁ ନେଇ ଗଠିତ, ଯେଉଁ ଗୁଡିକୁ ୬ ଗୋଟି ବର୍ଗ ଅଧିନରେ ରଖା ଯାଇଛି, ଯଥା – ଫଳାଫଳ, ପ୍ରଭାବଶାଳୀ ଶ୍ରେଣୀ ଗୃହ କାରବାର, ଭିତିଭୂମି ସୁବିଧା ସୁଯୋଗ ଏବଂ ବିଦ୍ୟାର୍ଥୀ ମାନଙ୍କର ଆବଶ୍ୟକତା ସମୂହ, ସ୍କୁଲ୍ ନିରାପତା ଏବଂ ଶିଶୁ ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପରିଚାଳନା ପ୍ରକ୍ରିୟା। ଏହି ବର୍ଗ ଗୁଡିକ ପୁନଶ୍ଚ ୧୨ ଗୋଟି ପରିସରରେ ବିଭକ୍ତ ହୋଇଛି, ଯଥା – ପ୍ରଶିକ୍ଷଣ ଉପଲବ୍ଧି ଏବଂ ଗୁଣବତା (ଏଲ୍ଓ), ଉପଲବ୍ଧତା ଫଳାଫଳ (ଏଓ), ଶିକ୍ଷକ ଉପଲବ୍ଧତା ଏବଂ ବୃତିଗତ ବିକାଶ ଫଳାଫଳ, (ଟିଏପିଡିଓ), ଶିକ୍ଷାଦାନ ପରିଚାଳନା (ଏଲ୍ଏମ୍), ଶିକ୍ଷଣ ସମୃଦ୍ଧି କାର୍ଯ୍ୟକଳାପ (ଏଲ୍ଇଏ), ଭିତିଭୂମି, ସୁବିଧାସୁଯୋଗ, ବିଦ୍ୟାର୍ଥୀ ମାନଙ୍କର ଆବଶ୍ୟକତା (ଆଇଏଫ୍ ଆଣ୍ଡ ଏସ୍ଇ), ବିଦ୍ୟାଳୟ ନିରାପତା ଏବଂ ଶିଶୁ ସୁରକ୍ଷା (ଏସ୍ଏସ୍ ଆଣ୍ଡ ସିପି), ଡିଜିଟାଲ୍ ଶିକ୍ଷାଦାନ (ଡିଏଲ୍), ପାଣ୍ଠି ଏକତ୍ରୀକରଣ ଏବଂ ଉପଯୋଗ (ଏଫ୍ସିଭି) , ସିଆର୍ସି ମାନଙ୍କର ପ୍ରଦର୍ଶନକୁ ଉନ୍ନତ କରାଇବା, (ସିଆରସିପି), ଉପସ୍ଥାନ ନିରୀକ୍ଷଣ ବ୍ୟବସ୍ଥା (ଏଏମ୍ଏସ୍) ଏବଂ ବିଦ୍ୟାଳୟ ନେତୃତ୍ୱ ବିକାଶ (ଏସ୍ଏଲ୍ଡି)।

ପିଜିଆଇ – ଡି ଜିଲ୍ଲା ମାନଙ୍କୁ ଦଶ ଗୋଟି ମାନକରେ ମାନକଭୁକ୍ତ କରିଥାଏ ଯଥା , ସର୍ବାଧିକ ହାସଲ ଯୋଗ୍ୟ ଗ୍ରେଡ୍ ହେଉଛି ଦକ୍ଷ, ଯାହା ସେହି ବର୍ଗରେ ଥିବା ସାମଗ୍ରିକ ଭାବରେ ମୋଟ ପଏଂଟର ୯୦ ପ୍ରତିଶକରୁ ଅଧିକ ସ୍କୋର୍ କରୁଥିବା ଜିଲ୍ଲା ମାନଙ୍କ ପାଇଁ ଉଦ୍ଦିଷ୍ଟ । ପିଜିଆଇ – ଡି’ର ସର୍ବନିମ୍ନ ମାନକକୁ ଆକାଂକ୍ଷୀ – ୩ କୁହା ଯାଇଥାଏ, ଯାହା ହେଉଛି ମୋଟ୍ ପଏଂଟର ୧୦% ସ୍କୋର। ପିଜିଆଇ – ଡିର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି, ସ୍କୁଲ୍ ଶିକ୍ଷାରେ ପ୍ରାଥମିକତାର କ୍ଷେତ୍ର ଗୁଡିକ ପାଇଁ ହସ୍ତକ୍ଷେପ କରିବା ନିମନ୍ତେ ଜିଲ୍ଲା ମାନଙ୍କୁ ସାହାଯ୍ୟ କରିବା ଏବଂ ଏହିଭଳି ଭାବରେ ସର୍ବୋଚ୍ଚ ଗ୍ରେଡ୍ରେ ପହଂଚାଇବା ପାଇଁ ଉନ୍ନତି କରିବାକୁ ସହାୟତା କରିବା।

ପିଜିଆଇ – ଡି ୨୦୨୦ – ୨୧ ବର୍ତମାନ ସଙ୍କଳନ ଅବସ୍ଥାରେ ରହି ଅଛି। ପିଜିଆଇ – ଡି ୨୦୧୮ – ୧୯ ଏବଂ ୨୦୧୯ – ୨୦ ଆନ୍ତଃରାଜ୍ୟ ବିଦ୍ୟାଳୟ ଶିକ୍ଷାର ପ୍ରଗତିର ତୁଳନା ନିମନ୍ତେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ। ୨୦୧୮ ଏବଂ ୨୦୧୯ ପାଇଁ ପିଜିଆଇ – ଡି ରିପୋର୍ଟ ଏହି ୱେବ୍ସାଇଟ୍ https://pgi.udiseplus.gov.in/#/home ରେ ଦେଖା ଯାଇ ପାରିବ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିବୀରଙ୍କ ନିମନ୍ତେ ଶିକ୍ଷା ଓ ତାଲିମକୁ ସ୍ୱୀକୃତି: ସ୍ନାତକ ଡିଗ୍ରୀ ପାଇଁ ବିଚାରକୁ ନେବ ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜୁନ ୧୪, ୨୦୨୨ ଦିନ ଭାରତୀୟ ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛି। ଏହାଫଳରେ ଭାରତୀୟ ଯୁବକ ଯୁବତୀମାନେ ସଶକ୍ତ ସେନା ଅଗ୍ନିପଥରେ ଯୋଗଦେବେ ଓ ଏଥିରେ ବଛା ଯାଉଥିବା ପ୍ରାର୍ଥୀମାନେ ଅଗ୍ନିବୀର ଭାବେ ବିବେଚିତ ହେବେ। ଅଗ୍ନିପଥ ଉତ୍ସାହୀ ଓ ଦେଶପ୍ରେମୀ ଯୁବକ ଯୁବତୀଙ୍କୁ ସଶକ୍ତ ସେନାରେ କାର୍ଯ୍ୟ କରିବାକୁ ଚାରିବର୍ଷ ନିମନ୍ତେ ଅନୁମତି ଦେବ। ଅଗ୍ନିପଥ ଯୋଜନା ସଶକ୍ତ ସେନାରେ ଏକ ଯୁବ ସୁଲଭ ଦୃଶ୍ୟପଟ ସୃଷ୍ଟି ପାଇଁ କରାଯାଇଛି।

ଭବିଷ୍ୟତରେ ବୃତ୍ତିଗତ ଅଭିଳାଷ ରଖିଥିବା ଆମର ଅଗ୍ନିବୀରମାନଙ୍କୁ ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରିବାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ଏହି ତିନିବର୍ଷିଆ କୌଶଳ ବିକାଶ ଭିତ୍ତିକ ସ୍ନାତକ ଉପାଧି କାର୍ଯ୍ୟକ୍ରମରେ ସେମାନଙ୍କ ସେନାରେ ନେଇଥିବା କୌଶଳଗତ ତାଲିମକୁ ବେସାମରିକ କ୍ଷେତ୍ରରେ ନିଯୁକ୍ତି କାଳରେ ବିଚାରକୁ ନିଆଯିବ।

ଇଗନୋ ପକ୍ଷରୁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ ଇଗନୋ ହିଁ କାର୍ଯ୍ୟକାରୀ କରୁଥିବା ବେଳେ ସ୍ନାତ୍ତକ ଉପାଧି ନିମନ୍ତେ ଆବଶ୍ୟକ ଶତକଡ଼ା ୫୦ ଭାଗ ଗୁରୁତ୍ୱ ଅଗ୍ନିବୀରମାନେ ଚାକିରି କ୍ଷେତ୍ରରେ ହାସଲ କରିଥିବା ତାଲିମରୁ ହିଁ ଦିଆଯିବ। ଅଗ୍ନିବୀର ପାଇଥିବା ବୈଷୟିକ ବା ଅଣ ବୈଷୟିକ ତାଲିମରୁ ଶତକଡ଼ା ୫୦ ଭାଗ ବିଚାରକୁ ନିଆଯାଉଥିବା ବେଳେ ଅବଶିଷ୍ଟ ୫୦ ଭାଗ ସେମାନେ ପଢୁଥିବା ବିଭିନ୍ନ ପାଠ୍ୟକ୍ରମ ଉପରେ ନିର୍ଭର କରିବ। ଏ ବିଷୟଗୁଡ଼ିକ ହେଲା ଭାଷାତତ୍ତ୍ୱ, ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ସମାଜତତ୍ତ୍ୱ, ଗଣିତ, ଶିକ୍ଷା, ବାଣିଜ୍ୟ, ପର୍ଯ୍ୟଟନ, ବୃତ୍ତିଗତ ଶିକ୍ଷା, କୃଷି ଓ ଜ୍ୟୋତି ଓ ପରିବେଶ ଶିକ୍ଷା ଓ ଇଂରାଜୀରେ ଯୋଗାଯୋଗ କୌଶଳ ଭଳି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ମାନ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମଗୁଡ଼ିକ ୟୁଜିସି ନିୟମ ଅଧିନ ଓ ଜାତୀୟ ଶିକ୍ଷାନୀତି ୨୦୨୨ର ଜାତୀୟ କ୍ରେଡିଟ ଫ୍ରେମୱାର୍କ/ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ (ଏନଏସକିଉଏଫ) ସହ ଯୋଡ଼ା ଯାଇଛି। ଏହାର ବହୁମୁଖୀ ପ୍ରସ୍ଥାନ ଦିଗ ମଧ୍ୟ ରହିଛି। ପ୍ରଥମ ବର୍ଷ ପାଠ୍ୟକ୍ରମ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ନିମ୍ନ ସ୍ନାତ୍ତକ ପ୍ରମାଣପତ୍ର, ପ୍ରଥମ ଓ ଦ୍ୱିତୀୟ ବର୍ଷ ନିମ୍ନ ସ୍ନାତ୍ତକ ଡିପ୍ଲୋମାର ସଫଳତାର ସହ ଉତ୍ତୀର୍ଣ୍ଣ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତିନି ବର୍ଷର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ସମାପନ।

ଏହି କାର୍ଯ୍ୟକ୍ରମର ଢାଞ୍ଚାକୁ ବିଭିନ୍ନ ନିୟାମକ ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି- ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଜାତୀୟ ବୃତ୍ତିଗତ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି) ଏବଂ ୟୁଜିସି। ୟୁଜିସିର ବିଭିନ୍ନ ନାମ ପଦ୍ଧତି ଅନୁସାରେ ସ୍ନାତ୍ତକ ଉପାଧି ପ୍ରଦାନ ଇଗନୋ ଦ୍ୱାରା କରାଯିବ (ବିଏ, ବି କମ, ବିଏ(ବୃତ୍ତିଗତ) ବିଏ (ପର୍ଯ୍ୟଟନ ପରିଚାଳନା) ଓ ଏହି ଉପାଧି ଓ ଭାରତ ବାହାରେ ଶିକ୍ଷା ଓ କର୍ମ ସଂସ୍ଥାନ ପାଇଁ ଅଧିସ୍ୱୀକୃତି ହେବ।

ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥଳ ସେନା, ନୌସେନା ଓ ବାୟୁସେନା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୁ) ସହ ବୁଝାମଣାପତ୍ର ସ୍ୱାକ୍ଷର କରିବେ।

Categories
ବିଶେଷ ଖବର

ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ପାଇଁ ୟୁଜିସିର ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ପାଇଁ ଅନୁମତି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କହିବା ସହ ଏହି ଦୁଇଟି ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ଉଚ୍ଚ ଶିକ୍ଷା ଏବଂ ଏହି ମହାନ କବିଙ୍କ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ ଏବଂ ଏହା ହିଁ ମହାନ କବି ଭୀମ ଭୋଇଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ। ସନ୍ଥ କବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି।

ଦୂରଦୃଷ୍ଟିସମ୍ପନ୍ନ କବି ଭୀମ ଭୋଇ ନିଜ କାଳଜୟୀ କବିତା ମାଧ୍ୟମରେ ସମାଜର ଲୋକଙ୍କୁ ସଶକ୍ତ କରିପାରିଥିଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବତୋମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ।

ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ। ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଭୀମ ଭୋଇ ଚେୟାର ସ୍ଥାପନ ହେବ। ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ।

ଏହା ଦ୍ୱାରା ଶତାବ୍ଦୀ ଶତାବ୍ଦୀରୁ ପଛୁଆ ଅଂଚଳରୁ ଆରମ୍ଭ ହୋଇଥିବା ମହାନ୍ ବିଚାର ଅନ୍ତରାଷ୍ଟ୍ରୀୟ ସ୍ତରକୁ ଯିବ। ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Categories
EngExam ଆଜିର ଖବର ଜାତୀୟ ଖବର

ନକଲି ୱେବସାଇଟ୍‌ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଲା ଶିକ୍ଷା ମନ୍ତ୍ରଣାଳୟ, ସତର୍କ ରହିବାକୁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍‌ (ଯେପରିକି  www.sarvashiksha.onlinehttps://samagra.shikshaabhiyan.co.inhttps://shikshaabhiyan.org.in) ଜରିଆରେ ନିରୀହ ଆବେଦନକାରୀମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହୋଇଛି।

ଆଶାୟୀ ପ୍ରାର୍ଥୀମାନଙ୍କୁ ଏସବୁ ୱେବସାଇଟ୍‌ ଜରିଆରେ ନିଯୁକ୍ତି ସୁଯୋଗର ପ୍ରଲୋଭନ ଦିଆଯାଉଛି। ୱେବସାଇଟ୍‌ର ଲେ ଆଉଟ୍‌, ବିଷୟବସ୍ତୁ ଏବଂ ଉପସ୍ଥାପନା ମୂଳ ୱେବସାଇଟ୍‌ ଭଳି ହୋଇଥିବାରୁ ଚାକିରି ଆଶାୟୀମାନେ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏସବୁ ୱେବସାଇଟ୍‌ ଜରିଆରେ ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ଲାଗି ଅର୍ଥ ମଧ୍ୟ ଆଦାୟ କରାଯାଉଥିବାର ଜଣାପଡ଼ିଛି। ଉପରୋକ୍ତ ୱେବସାଇଟ୍‌ଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଓ ସାକ୍ଷରତା ବିଭାଗର ଦୃଷ୍ଟିକୁ ଆସିଥିବା ବେଳେ ଏପରି ଆହୁରି କିଛି ୱେବସାଇଟ୍‌/ସୋସିଆଲ ମିଡିଆ ଆକାଉଣ୍ଟ ଥାଇପାରେ ଯାହା ମାଧ୍ୟମରେ ଚାକିରି ପ୍ରତିଶ୍ରୁତି ଦିଆଯାଇ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଅର୍ଥ ଦାବି କରାଯାଉଥିବ।

ଏତଦ୍‌ ଦ୍ୱାରା ଜନସାଧାରଣଙ୍କ ଅବଗତି ନିମନ୍ତେ ପରାମର୍ଶ ଦିଆଯାଉଛି ଯେ, ଚାକିରି ପାଇଁ ଆବେଦନ କରିବା ସମୟରେ ଏପରି ୱେବସାଇଟ୍‌ ଠାରୁ ସତର୍କ ରହିବା ଆବଶ୍ୟକ। ଜନସାଧାରଣ କୌଣସି ୱେବସାଇଟରେ ଅବେଦନ କରିବା ପୂର୍ବରୁ ନିଜର ହିତ ରକ୍ଷା ନିମନ୍ତେ ସେହି ୱେବସାଇଟ୍‌ ଅସଲି କି ନୁହେଁ ସେ ସମ୍ପର୍କରେ ସମ୍ପୃକ୍ତ ବିଭାଗ ଠାରୁ ବ୍ୟକ୍ତିଗତ ଅନୁସନ୍ଧାନ, ଟେଲିଫୋନ୍‌ କଲ, ଇ-ମେଲ୍‌ ଜରିଆରେ ସୁନିଶ୍ଚିତ କରିବା ଆବଶ୍ୟକ। ଯେଉଁ ଲୋକମାନେ ଏସବୁ ୱେବସାଇଟ୍‌ରେ ଆବେଦନ କରିବେ ସେମାନେ କୌଣସି ପ୍ରକାର ଠକାମିର ଶିକାର ହେଲେ ଏଥିପାଇଁ କେବଳ ସେହିମାନେ ହିଁ ଦାୟୀ ରହିବେ।