Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସମ୍ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ “କ୍ରିଟିକାଲ୍ କେୟାର ନର୍ସିଂ ଅପ୍‌ଡେଟ୍‌-୨୦୨୨” ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦ ଜଣ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ଉପରେ ଜୋର ଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏଭଳି ସିଏମ୍‌ଇକୁ ଗୋଟିଏ ଦିନ ମଧ୍ୟରେ ସିମୀତ ନ ରଖି ନିୟମିତ ଭାବେ ପରିଚାଳନା କରିବା ନେଇ ମତ ବ୍ୟକ୍ତ କରିଥିଲେ।

ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶକ୍ତି ବେଦାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନର୍ସମାନଙ୍କ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଇସିୟୁରେ ଭତି ର୍ ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ସେବା ସୁଶୃଷା ଦିଗରେ ନର୍ସମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ।

ତେବେ ନର୍ସିଂ ପାଠ୍ୟକ୍ରମରେ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ବ୍ୟବସ୍ଥା ନାହିଁ। ତେଣୁ ଏଭଳି ସିଏମ୍‌ଇ ଦ୍ୱାରା ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିହେବ ବୋଲି ଡାକ୍ତର ମିଶ୍ର କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତି ପ୍ରଜ୍ଞା ଦଳବେହେରା ଯୋଗ ଦେଇ ନର୍ସମାନଙ୍କୁ ଫିଜିଓଥେରାପି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ସାଗରିକା ପଣ୍ଡା ଓ ଡାକ୍ତର ଅଭିଳାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ଶୋଭାମଞ୍ଜରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ର ପୁଣି ଏକ ସଫଳତା: ଯୁବତୀଙ୍କ ଛାତିରୁ ୩ କେଜିର ଟ୍ୟୁମର ବାହାର କଲେ ଡାକ୍ତର

ଭୁବନେଶ୍ୱର: “ହସ୍ପିଟାଲ୍‌କୁ ଆସିବା ବେଳେ ମୁଁ ଆଉ ବଂଚିବି ବୋଲି ଭାବି ନଥିଲି। ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି”। ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍‌ରୁ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ। ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ।

ସୋନାଲୀଙ୍କ ଉପସ୍ଥିତିରେ ଏହି ସଫଳ ଅସ୍ତ୍ରୋପଚାର ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍‌ର ଡାକ୍ତର ଓ କର୍ତୃପକ୍ଷ। ଛାତିରେ ଟ୍ୟୁମର ଥିବା ଯୋଗୁଁ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ନେଇ ସୋନାଲୀ ଅନେକ ଡାକ୍ତରଖାନା ବୁଲିବା ପରେ ଶେଷରେ ସମ୍ ହସ୍ପିଟାଲ୍ ଆସିଥିଲେ। ପ୍ରଥମେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡାଙ୍କ ଅଧିନରେ ଚିକିତ୍ସା ଆରମ୍ଭ କରାଯାଇ ତାଙ୍କ ଛାତିରେ ଏକ ବଡ ଟ୍ୟୁମର ଥିବାର ଜଣାପଡ଼ିଥିଲା ଯାହାକି ହୃତ୍‌ପିଣ୍ଡ ଓ ଶ୍ୱାସନଳୀକୁ ଡାହାଣପଟକୁ ଠେଲି ରଖିଥିଲା ଓ ବାମପାଶ୍ୱର୍ ଫୁସ୍‌ଫୁସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା। ଏହା ଫଳରେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିଲା ଓ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ।

ତାଙ୍କ ଶରୀରରେ ଥିବା ଟ୍ୟୁମରଟି କ୍ୟାନ୍‌ସରସ ନଥିଲା ଓ ଏହାକୁ ଇନ୍‌ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା। ଏଥି ସହିତ ତାଙ୍କ ମୁହଁ ଏବଂ ହାତରେ ଅନେକ ଗୁଡ଼ିଏ ନ୍ୟୁରୋଫାଇବ୍ରୋମା ସୃଷ୍ଟି ହୋଇଥିଲା।

ଡାକ୍ତର ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିବାକୁ ନିଷ୍ପତି ନେଇଥିଲେ। ରୋଗୀଟିର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଏତେ ବଡ ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା । ତେବେ କାର୍ଡିଆକ୍ ଆନେସ୍‌ଥେଟିଷ୍ଟ ଡାକ୍ତର ସୁଶାନ୍ତ କୁମାର ଭୋଇଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସମ୍ଭବପର ହୋଇଥିଲା।

କ୍ଲାମ୍‌ସେଲ ଥୋରାକ୍ଟୋମି ଓ ମେଡିଆନ୍ ଷ୍ଟେର୍‌ନୋଟୋମି ପଦ୍ଧତିରେ ଗୋଟିଏ ପଟର କାନ୍ଧରୁ ଅନ୍ୟପଟକୁ କଟାଯାଇ ଟ୍ୟୁମରଟିକୁ କଢ଼ା ଯାଇପାରିଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଏହି ଅସ୍ତ୍ରୋପଚାର ଓ ପରବର୍ତୀ ଚିକିତ୍ସା କରିଥିବା ଟିମ୍‌ରେ ଡାକ୍ତର ସାହୁ ଓ ଡାକ୍ତର ଭୋଇଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶକ୍ତିବେଦାନ୍ତ ମିଶ୍ର ଓ ଡାକ୍ତର ସାଗରିକା ପଣ୍ଡା ସାମିଲ ହୋଇ ରୋଗୀର ଯତ୍ନ ନେଇଥିଲେ।

ଅସ୍ତ୍ରୋପଚାର ପରେ ରୋଗୀଙ୍କର ସୁସ୍ଥ ହେବା ଗରୁତ୍ୱପୂର୍ଣ୍ଣ ଥିବା ବେଳେ ପ୍ରାୟ ଏକ ମାସ ଧରି ଆଇସିୟୁରେ ତାଙ୍କର ଯତ୍ନ ନିଆଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି । ସେହିପରି ଅପରେସନ୍ ପରେ ଛାତିର କସ୍‌ମେଟିକ୍ ରିପେୟାର କରିଥିଲେ ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ବିନାୟକ ମିଶ୍ର।

ବିଏସ୍‌କେୱାଇ ଯୋଜନାରେ ଏହି ଯୁବତୀଙ୍କର ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଇଥିଲା ବୋଲି ସମ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଥିଲେ।

ଏହା ଏକ ଡାକ୍ତରୀ ଟିମ୍‌ର ସଫଳତା। ସିଟିଭିଏସ୍‌, କ୍ରିଟିକାଲ କେୟାର, ଥୋରାସିକ୍‌, ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ଅସ୍ତ୍ରେପଚାର ସଫଳ ହୋଇପାରିଥିବା ମେଡିସିନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଝିଅଟି ସୁସ୍ଥ ହେବା ପରେ ସମ୍ ହସ୍ପିଟାଲ ଓ ଡାକ୍ତର ସାହୁଙ୍କ ସମେତ ସମ୍ପୂର୍ଣ୍ଣ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି ସୋନାଲୀଙ୍କ ମା ଓ ତାଙ୍କ ସମ୍ପର୍କୀୟ ଡାକ୍ତର ଏଲ୍‌.ଏନ୍ ପଣ୍ଡା। ବିଏସ୍‌କେୱାଇ ଯୋଜନାରେ ଏହି ଚିକିତ୍ସା ସମ୍ଭବପର ହୋଇପାରିଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଡାକ୍ତର ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ରକ୍ତ କର୍କଟ ରୋଗୀଙ୍କ ଶରୀରରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି।

ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ କର୍କଟ ରୋଗ)ରେ ପୀଡ଼ିତ ଥିବା ଯୁବକଙ୍କର ସଫଳ ଚିକିତ୍ସା କରାଯାଇଥିବା ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର କ୍ଲିନିକାଲ ହେମାଟୋଲୋଜି ଏବଂ ହେମାଟୋ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ।

ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ପ୍ରକ୍ରିୟା ବ୍ୟବହାର କରିବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍। ଯଦିଓ ସମ୍‌ରେ ୨୦୧୮ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ପ୍ରଥମ ଥର ପାଇଁ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ କ୍ରାଇଓପ୍ରିଜରଭେସନ୍ ଜରିଆରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି ବୋଲି ପ୍ରଫେସର ସାମଲ କହିଛନ୍ତି।

ଯଦିଓ କୋଭିଡ ମହାମାରୀ ଯୋଗୁଁ ଅନେକ ମାସ ଧରି ବିଭିନ୍ନ ସ୍ୱାସ୍ଥ୍ୟସେବାରେ ବ୍ୟାହତ ହୋଇଥିଲା ତଥାପି ଗତ ୧୮ ମାସ ମଧ୍ୟରେ ମାଇଲୋମା ଏବଂ ଲ୍ୟୁକୋମିଆ ଭଳି ରକ୍ତ ଜନିତ କ୍ୟାନ୍‌ସର ଥିବା ୨୫ ଜଣ ରୋଗୀଙ୍କ ଶରୀରରେ ଏହି ଡାକ୍ତରଖାନାରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ପ୍ରଫେସର ସାମଲ କହିଛନ୍ତି। ଏହି ପ୍ରକ୍ରିୟାରେ ଚିକିତ୍ସିତ ହୋଇଥିବା ସମସ୍ତ ରୋଗୀ ବର୍ତମାନ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି।

ଏହି ପ୍ରତ୍ୟାରୋପଣ ଟିମ୍ ନିରନ୍ତର ଗୁଣାବତା ତଦାରଖ କରିବା ସହ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଚିକିତ୍ସା କରିଥିଲେ। କ୍ରାୟୋପ୍ରିଜରଭେସନ୍ ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଶରୀରର ସେଲ୍ ଏବଂ ଟିସ୍ୟୁଗୁଡ଼ିକ ମାଇନସ୍ ୮୦ ଡିଗ୍ରୀ ସେଲ୍‌ସିୟସ୍ ଭଳି ଅତି କମ୍ ତାପମାତ୍ରାରେ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷିତ କରି ରଖାଯାଇଥାଏ। ଶରୀରର କୋଷିକାଗୁଡ଼ିକ ଦୁଇ କିମ୍ବା ତିନି ଦିନ ପାଇଁ ବ୍ୟବହାର ଯୋଗ୍ୟ ମାତ୍ର ଏହି ପ୍ରକ୍ରିୟାରେ ଅନେକ ମାସ ପର୍ଯ୍ୟନ୍ତ ଏହା ସଂରକ୍ଷିତ କରି ରଖାଯାଇପାରେ ବୋଲି ସେ କହିଛନ୍ତି।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଗିରିଜା ନନ୍ଦିନୀ କାନୁନ୍‌ଗୋ ଏବଂ ହେମାଟୋଲୋଜି ଆଇସିୟୁର ଇନ୍‌ଚାର୍ଜ ଡାକ୍ତର ସନ୍ତୋଷ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପ୍ରଫେସର ସାମଲ କହିଥିଲେ ଯେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣରେ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ି ନଥାଏ। ଷ୍ଟେମ୍ ସେଲ୍ ଗୁଡ଼ିକ ବୋନ୍‌ମ୍ୟାରୋରେ ଥାଏ ଏବଂ ଶରୀରର ପୁରୁଣା ଏବଂ କ୍ଷୟ ପାଇଥିବା ରକ୍ତକଣିକା ଗୁଡ଼ିକ ସ୍ଥାନରେ ନୂତନ ରକ୍ତକଣିକା ସୃଷ୍ଟି କରେ। ଷ୍ଟେମ୍ ସେଲ୍ ସୃଷ୍ଟି ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ରକ୍ତ କର୍କଟ ଭଳି ରୋଗ ଦେଖାଦେଇଥାଏ ବୋଲି ସେ କହିଥିଲେ।
ଏହି ଚିକିତ୍ସା ପ୍ରକ୍ର୍ରିୟାରେ ରକ୍ତକର୍କଟ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଅଧିକ ଶକ୍ତି ବିଶିଷ୍ଟ କେମୋଥେରାପି ପ୍ରୟୋଗ କରି ଶରୀରର ସମସ୍ତ ଷ୍ଟେମ୍ ସେଲ୍‌କୁ ନଷ୍ଟ କରିଦିଆଯିବା ପରେ ଉତମ ବୋନ୍‌ମ୍ୟାରୋ ସେଲ୍‌କୁ ଶରୀର ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ। ଏହାକୁ ଅଟୋଲୋଗସ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କୁହାଯାଏ। ଯେତେବେଳେ ଏହି ଷ୍ଟେମ୍ ସେଲ୍‌କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଗ୍ରହଣ କରି ରୋଗୀ ଠାରେ ବ୍ୟବହାର କରାଯାଏ ଏହାକୁ ଆଲୋଜେନିକ ପ୍ରତ୍ୟାରୋପଣ ବୋଲି କୁହାଯାଇଥାଏ।

ପ୍ରଫେସର ସାମଲ କହିଲେ ଯେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ଉପଯୋଗୀ ସମସ୍ତ ରକ୍ତକର୍କଟ ରୋଗୀଙ୍କୁ ଏହି ସୁବିଧା ଯୋଗାଇବାକୁ ପ୍ରସ୍ତୁତ।

ଏହି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କ୍ରାୟୋପ୍ରିଜରଭେସନ୍ ବ୍ୟବସ୍ଥାରେ ସଂଗୃହୀତ ଷ୍ଟେମ୍ ସେଲ୍ ଗୁଡ଼ିକୁ ଭବିଷ୍ୟତରେ ବ୍ୟବହାର ନିମନ୍ତେ ସୁରକ୍ଷିତ କରି ରଖିବା। ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହି ଦାୟିତ୍ୱ ତୁଲାଇଥାଏ ବୋଲି ବିଭାଗର ମୁଖ୍ୟ ପ୍ରଫେସର କାନୁନ୍‌ଗୋ କହିଥିଲେ। ଏଥିପାଇଁ ଅତ୍ୟନ୍ତ ଉଚ୍ଚସ୍ତରର ଉତ୍କର୍ଷ ଓ ଦାୟିତ୍ୱବଦ୍ଧତା ଆବଶ୍ୟକ ହୋଇଥାଏ ବୋଲି ସେ କହିଥିଲେ।

ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଡାକ୍ତରଖାନାର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌, ଲ୍ୟାବ ହେମାଟୋଲୋଜି, ମାଇକ୍ରୋବାଇଓଲୋଜ ିଓ ଆଇସିୟୁ ଆଦି ବିଭାଗଗୁଡ଼ିକର ମିଳିତ ଉଦ୍ୟମରେ ଏହି ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇପାରୁଛି ଓ ଏହା ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବା ନିମନ୍ତେ ଖର୍ଚ୍ଚ ମଧ୍ୟ କମ୍ ରଖାଯାଉଛି।

ଡଃ ସିଂହ ଏହି ପ୍ରକ୍ରିୟାର ସଫଳତା ନିମନ୍ତେ ନର୍ସିଂ ଷ୍ଟାଫ ଓ ପାରାମେଡିକ୍ ମାନଙ୍କର ଦାୟିତ୍ୱବଦ୍ଧତା ଓ ସହଯୋଗକୁ ଶ୍ରେୟ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜଟିଳ ବ୍ୟାଧି ଲୁପସ୍‌କୁ ଚିହ୍ନଟ କରିବା ସହ ଏହାକୁ ନେଇ ଭୟଭୀତ ନହେବା ବିଷୟରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ଏଠାରେ ମଙ୍ଗଳବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସମ୍ ହସ୍ପିଟାଲର କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସକାଳୁ ମାଷ୍ଟରକ୍ୟାଂଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନତା ର‌୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ସଚେତନତା ର‌୍ୟାଲିର ଶୁଭାରମ୍ଭ କରିଥିଲେ।

ସମ୍ ହସ୍ପିଟାଲର ଏଭଳି ସଚେତନତା ପଦକ୍ଷେପକୁ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ
ନାରାୟଣ ଜେନା ପ୍ରଶଂସା କରିଥିଲେ।

ଏହି ର‌୍ୟାଲିରେ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ, ସୋଆ ଛାତ୍ରମଙ୍ଗଳ ଡ଼ିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ଓ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏହି ମାରାତ୍ମକ ରୋଗ ବିଷୟରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ।

ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ସୃଷ୍ଟି ହେଲେ ଲୁପସ୍ ଭଳି ମାରାତ୍ମକ ବ୍ୟାଧି ଶରୀରରେ ଦେଖା ଦେଇଥାଏ। ବିଶେଷକରି ମହିଳା ମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଦେଇଥିବା ବେଳେ ଶରୀରରେ ବିଭିନ୍ନ ପ୍ରକାର ଦାଗ, ଜ୍ୱର, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ହୃଦ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଥି ନିମନ୍ତେ ଠିକ୍ ସମୟରେ ରୋଗର
ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଓ ଚିକିତ୍ସାର ଆବଶ୍ୟକତା ରହିଛି। ଏହି ଦିଗରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ୱ ଲୁପସ୍ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ପ୍ରଫେସର ପାତ୍ରୋ କହିଛନ୍ତି।

ଏହା ଏକ ଜଟିଳ ସମସ୍ୟା, ଦଶଟି ରୋଗ ମିଶି ଯେତିକି ସମସ୍ୟା ସୃଷ୍ଟି କରିନଥାଏ, ଏହି ଗୋଟିଏ ରୋଗ ତା ଠାରୁ ଅଧିକ ସମସ୍ୟା ସୃଷ୍ଟି କରେ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ। ତେଣୁ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗରୁ ମୁକ୍ତ ହୋଇ ସୁସ୍ଥ ଜୀବନ ଶୈଳୀ ଆପଣେଇ ହେବ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ସେହିପରି ସମ୍ ହସ୍ପିଟାଲରେ ଏହି ଅବସରରେ ଏକ ସିଏମଇର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଫେସର ସାମନ୍ତସିଂହାର ଓ ପ୍ରଫେସର ପାତ୍ରୋଙ୍କ ସମେତ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଲୁପସ ରୋଗ ଓ ଏ ବିଷୟରେ ସଚେତନତା ନେଇ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡାକ୍ତର ଓ ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ। ଲୁପସ୍ ଦିବସ ଅବସରରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ମଧ୍ୟ ପ୍ରସ୍ତୁତ
କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସମ୍ ରେ ହେଲା ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ ହସ୍ପିଟାଲ୍‌ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍  ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍‌ମୁନାରୀ ଭାଲ୍‌ଭ ଷ୍ଟେନୋସିସ୍ ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍।

ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଗ୍ରହଣ କରିପାରୁ ନଥିଲା। ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାରୁ ବିଫଳ ହେବା ପରେ ଶେଷରେ ସେ ଆଇଏମ୍‌ଏସ୍ ଆଣ୍ଡ ସମ୍  ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗରେ ଶିଶୁଟିକୁ ଭର୍ତି କରାଇଥିଲେ।

ହସ୍ପିଟାଲ୍‌ର କାର୍ଡିଓଲୋଜିଷ୍ଟ ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଂଜନ ମହାପାତ୍ରଙ୍କ ତତ୍ୱାବଧାନରେ ଶିଶୁ ପୁତ୍ରଟିର ଚିକିତ୍ସା ଆରମ୍ଭ କରାଯାଇଥିଲା। ବିଭିନ୍ନ ପରୀକ୍ଷାରୁ ଶିଶୁଟିର ହାର୍ଟରେ ପଲମୁନାରୀ ଭାଲବ୍ ଷ୍ଟେନୋସିସ୍ ଭଳି ଜଟିଳ ସମସ୍ୟା ରହିଥିବା ଜଣାପଡ଼ିଥିଲା। ହାର୍ଟର ଭାଲ୍‌ବରେ ଥିବା ତୃଟି ଯୋଗୁଁ ଫୁସଫୁସ୍‌କୁ ଠିକ୍ ଭାବରେ ଏବଂ ଉପଯୁକ୍ତ ପରିମାଣର ରକ୍ତ ସଂଚାଳନ ହୋଇପାରୁ ନଥିଲା। ମାତ୍ର ୬ ମାସର ଶିଶୁଟିର ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ପାଇଁ ଖୁବ୍ ଜଟିଳ ଥିବା ବେଳେ ତା’ର ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା।

ତେବେ ଏହି ଅସ୍ତ୍ରୋପଚାର ନିମନ୍ତେ ସମ୍ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚାରିଜଣିଆ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ହୃଦ୍‌ରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଶରତ କୁମାର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ଆନେସ୍‌ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ବେଲୁନ୍ ପଲ୍‌ମୁନାରୀ ଭାଲ୍‌ଭୋଟାମି ପ୍ରକ୍ରିୟାରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଥିଲେ।

ଅସ୍ତ୍ରୋପଚାର ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ସୂଚନା ଯୋଗ୍ୟ ଯେ ସମ୍ ହସ୍ପିଟାଲ୍‌ରେ ଶିଶୁମାନଙ୍କ କ୍ଷେତ୍ରରେ ଜନ୍ମଗତ ଏବଂ ପରବର୍ତି ସମୟରେ ସୃଷ୍ଟି ହେଉଥିବା ହୃଦଜନିତ ତୃଟିର ସମସ୍ତ ପ୍ରକାର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବା ସହ ଶିଶୁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଧାରରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର: ବିରଳ ଓ ଜଟିଳ ଜ୍ୟାଂଟ ଆନ୍ୟୁରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ୍।

ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ ଥିବା ପ୍ରାୟ ୩୦ ରୁ କମ୍ ବ୍ୟକ୍ତିଙ୍କର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛୁ ବୋଲି ସୂଚନା ଦେଇଛନ୍ତି ଏହି ଅସ୍ତ୍ରୋପଚାର ଟିମ୍‌ର ନେତୃତ୍ୱ ନେଇଥିବା ସମ୍‌ର ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସ।

ସୁବାଶିଷ ରାଉତ ନାମକ ଏହି ଯୁବକ ଜଣଙ୍କର ଦୀର୍ଘ ୧ ମାସ ଧରି ପ୍ରବଳ ମୁଣ୍ଡ ବ୍ୟଥା ଲାଗି ରହିବା ଯୋଗୁଁ ସେ ସମ୍ ହସ୍ପିଟାଲ୍‌କୁ ଆସିଥିଲେ। ତାଙ୍କ ମସ୍ତିଷ୍କର ସ୍କାନିଂ ହେବା ପରେ ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୋଇଥିବାର ଜଣାପଡିଥିଲା। ବ୍ରେନ୍ ଆଞ୍ଜିଓ କରାଯିବା ପରେ ପଛଭାଗରେ ଥିବା ମସ୍ତିଷ୍କର ଧମନୀରେ ଏକ ବଡ଼ ଫୋଟକା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ କି ଡାକ୍ତରୀ ଭାଷାରେ ଜ୍ୟାଂଟ ପିସିଏ ଆନ୍ୟୁରିଜିମ୍ କୁହାଯାଏ।

ଏହା ଖୁବ୍ ବିରଳ ସମସ୍ୟା ଏବଂ ତଥ୍ୟ ଅନୁଯାୟୀ ବିଶ୍ୱରେ ୩୦ ରୁ କମ୍ ଏଭଳି ଘଟଣା ସାମ୍ନାକୁ ଆସିଛି ବୋଲି କହିବା ସହ ଯଦି ଠିକ୍ ଭାବରେ ଚିକିତ୍ସା କରା ନଯାଏ ତେବେ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ବୋଲି ଡା. କହିଛନ୍ତି।

ଡା. ଦାସ ଏବଂ ତାଙ୍କ ଟିମ୍ ଦୀର୍ଘ ୮ ଘଂଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ ଏବଂ ଠିକ୍ ଏହାର ପରଦିନ ରୋଗୀଟି ଚାଲିବାକୁ ସକ୍ଷମ ହୋଇପାରିଥିଲା। ଏକ ସପ୍ତାହ ପରେ ସେ ଠିକ୍ ଭାବରେ କଥା କହିବାରେ ସକ୍ଷମ ହେବା ସହ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଯାଇଛି।

ଡା. ଦାସଙ୍କ ନେତୃତ୍ୱ ଏହି ଟିମ୍‌ରେ ନ୍ୟୁରୋସର୍ଜନ୍ ଡା. ସତ୍ୟଭୂଷଣ ସେନାପତି ଏବଂ ଡା. ଅଭିଜିତ୍ ଆଚାର୍ଯ୍ୟ ରହିଥିବା ବେଳେ ଆନେସ୍‌ଥେସିଆ ଟିମ୍‌ରେ ଡା. ସୁଦୀପ ମହାପାତ୍ର ଏବଂ ଡା. ଶିଖା ସାମିଲ୍ ଥିଲେ। ଅସ୍ତ୍ରୋପଚାର ଗୃହ ଷ୍ଟାଫ୍ ଲଳିତ ନାରାୟଣ ସାହୁ ଏବଂ ବିଜୟ ଅସ୍ତ୍ରୋପଚାର ସମୟରେ ସାହାଯ୍ୟ କରିଥିଲେ।

ନିକଟରେ ଡା. ଦାସଙ୍କ ନେତୃତ୍ୱରେ ଏହି ନ୍ୟୁରୋସର୍ଜରୀ ଟିମ୍ ଜଟିଳ ବ୍ରେନ୍‌ଷ୍ଟେମ୍  କାଭେରନୁମା ମାୟୋକ୍ଲୋନିକ୍ ଏପିଲେପ୍ସି ବ୍ୟାଧିରେ ପୀଡ଼ିତ ଥିବା ଜଣେ ୨୮ ବର୍ଷୀୟ ଯୁବକଙ୍କ ଠାରେ ସଫଳତା ସହ ଜଟିଳ ଅସ୍ତ୍ରୋପଚାର କରିଥିଲେ।

Categories
ଆଜିର ଖବର ସ୍ବାସ୍ଥ୍ୟ

୮୦ ପ୍ରତିଶତ ଆକ୍ରାନ୍ତ ଶିଶୁ କ୍ୟାନସରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ: ସମ୍ ହସ୍ପିଟାଲ୍‌ ଡାକ୍ତର

ଭୁବନେଶ୍ୱର: ପୃଥିବୀରେ କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଆଗୁଆ ରୋଗର ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଫଳରେ ଏଭଳି ଦୁଃସାଧ୍ୟ ରୋଗକୁ କୁନି କୁନି ଶିଶୁ ପରାସ୍ତ କରିପାରିବେ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ୍ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସରୋଜ ପ୍ରସାଦ ପଣ୍ଡା।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆର୍ନ୍ତଜାତିକ ଶିଶୁ କର୍କଟ ଦିବସ ପାଳନ ଅବସରରେ ଡାକ୍ତର ପଣ୍ଡା କହିଛନ୍ତି ଯେ ବିଶ୍ୱରେ ପ୍ରତ୍ୟେକ ବର୍ଷ ପାଖାପାଖି ୪ ଲକ୍ଷ ଶିଶୁ ବିଭିନ୍ନ ପ୍ରକାର କ୍ୟାନ୍ସରରେ ଆକ୍ରାନ୍ତ ହେଉଛନ୍ତି। ସେହିଭଳି ଭାରତରେ ପାଖାପାଖି ୫୦ ହଜାର ଶିଶୁ ଆକ୍ରାନ୍ତ ହେଉଛନ୍ତି। କ୍ୟାନ୍ସର ଆକ୍ରାନ୍ତ ଶିଶୁର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଭାବେ ସର୍ଜରୀ, କେମୋଥୋରାପି ଓ ରେଡିଏସନ୍ ଦ୍ୱାରା ଚିକିତ୍ସା କରାଗଲେ ୮୦ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇ ସୁସ୍ଥ ଜୀବନ କାଟିପାରିବେ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଆକ୍ରାନ୍ତ ଶିଶୁଙ୍କର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସର୍ଜରୀ, କେମୋଥେରାପି ଓ ରେଡ଼ିଏସନ୍ ଦ୍ୱାରା ଚିକିତ୍ସା କରାଗଲେ ସେମାନେ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇ ସୁସ୍ଥ ଜୀବନ କାଟିପାରିବେ ବୋଲି ଡାକ୍ତର ପଣ୍ଡା କହିଥିଲେ। ତେବେ ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ ଅଲ୍ଟିମେଟ୍  ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ବାପାମା’ଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଡକ୍ଟର ଦାଶ କହିଥିଲେ ଯେ, ଅଭିଭାବକ ବିଶେଷକରି ପିଲାଟିର ମା’ଙ୍କୁ ମାନସିକ ସ୍ତରରେ ଦୃଢ଼ ହେବା ସହ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଏହାହିଁ କ୍ୟାନ୍ସର ଚିକିତ୍ସାରେ ଏକ ବଡ଼ ଅସ୍ତ୍ର ହୋଇଥାଏ ଏବଂ ଏହା ସୁସ୍ଥ ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନଙ୍କୁ ପ୍ରଶଂସା କରି ଡକ୍ଟର ଦାଶ କହିଥିଲେ ଯେ ସେମାନଙ୍କର ନିଷ୍ଠାପର ସେବା ମନୋବୃତି ଏବଂ ଉପଯୁକ୍ତ ଚିକିତ୍ସା ଯୋଗୁଁ ହିଁ ରୋଗୀମାନେ ସୁସ୍ଥ ହୋଇପାରୁଛନ୍ତି।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଶିଶୁମାନେ ପ୍ରଥମେ ମାନସିକ ଓ ଶାରୀରିକ ସ୍ତରରେ ଦୃଢ଼ ରହିବା ଆବଶ୍ୟକ ବୋଲି କହିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ର୍ନିମାଲ୍ୟ ଦେଓ ପ୍ରଧାନ ଚଳିତ ବର୍ଷର ଆନ୍ତର୍ଜାତିକ ଶିଶୁ କର୍କଟ ଦିବସର ଥିମ୍ “ ବେଟର ସର୍ଭାଇଭାଲ୍ ଇଜ୍ ଆଚିଭେବଲ୍ ଥ୍ରୁ ଇଓର୍‌ ହ୍ୟାଣ୍ଡ୍‌ସ” ଅର୍ଥାତ୍ ଜୀବନ ରକ୍ଷା ଆପଣଙ୍କ ହାତରେ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ବର୍ତମାନ ଆମ ରାଜ୍ୟରେ
କ୍ୟାନ୍ସରରେ ଆକ୍ରାନ୍ତ ହେଉଥିବା ଶିଶୁମାନଙ୍କ ପାଇଁ ଉପଯୁକ୍ତ ଓ ଉନ୍ନତ ଚିକିତ୍ସା ବ୍ୟବସ୍ଥା ରହିଛି। ଚିକିତ୍ସା ପାଇଁ ଆମକୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବା ନାହିଁ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତା ଦେବୀ ମହାନ୍ତି, ମେଡିକାଲ୍‌ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୌମ୍ୟ ସୁରଥ ପଣ୍ଡା ଏବଂ ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁନୀଲ କୁମାର ଅଗ୍ରୱାଲ୍ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲାୟନ୍ସ କ୍ଲବ ଲୋଟସ୍ ସହଯୋଗ କରିଥିଲେ।

ଏହି ଅବସରରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କୁନି କୁନି ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ର‌୍ୟାମ୍ପ ଶୋ ପରିବେଷଣ କରାଯାଇଥିଲା। ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ଶ୍ରେଷ୍ଠ ଶିଶୁ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ସଚେତନତା ସୃଷ୍ଟି ନିମନ୍ତେ ସମ୍ ହସ୍ପିଟାଲ୍‌ରେ ଏକତ୍ରିତ ହେଲେ ସର୍ଜନ୍‌

ଭୁବନେଶ୍ୱର: ଭାରତର ପ୍ରଥମ ମାକ୍ସିଲୋଫେସିଆଲ୍ ସର୍ଜନ୍ ଡାକ୍ତର ମିନୁ ସୋରାବ୍‌ଜୀ ଗିନ୍‌ୱାଲାଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନର ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍‌ମାନେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ୍‌ରେ ଏକତ୍ରିତ ହୋଇ ଏହି ଅସ୍ତ୍ରୋପଚାରର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରି ସଚେତନତା ସୃଷ୍ଟି କରିଥିଲେ।

ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍‌ସ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖାର ସଦସ୍ୟମାନେ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖରେ ଡାକ୍ତର ଗିନ୍‌ୱାଲାଙ୍କ ଜନ୍ମ ଦିନକୁ ପାଳନ କରିବା ସହ ଏହି ବିଶେଷ ଚିକିତ୍ସା ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିଥାନ୍ତି।

ଡେଂଟିଷ୍ଟ୍ରିର ୯ଟି ବିଶେଷତ୍ୱ ମଧ୍ୟରୁ ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜରୀ ହେଉଛି ଏକ ସର୍ଜିକାଲ୍ ଶାଖା ଯାହା ମୁଣ୍ଡ, ବେକ, ମୁହଁ, ପାଟି ଏବଂ ଓରାଲ୍ ଓ ମାକ୍ସିଲୋଫେସିଆଲ୍ ଅଂଶର ବିଭିନ୍ନ କଠିନ ଏବଂ ନରମ କୋଷିକା ଗୁଡ଼ିକରେ ସୃଷ୍ଟି ହେଉଥିବା ବିଭିନ୍ନ ରୋଗ, ଆଘାତ ଓ ସମସ୍ୟାର ଉପଚାର ନିମନ୍ତେ ଉଦ୍ଧିଷ୍ଟ ଅଟେ।

କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌, ଭୁବନେଶ୍ୱର ସ୍ଥିତ ହାଇ-ଟେକ୍ ଡେଂଟାଲ୍ କଲେଜ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍‌ମାନେ ଏଥିରେ ଯୋଗ ଦେଇଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଶୋଭନ୍ ମିଶ୍ର, ଅଲ୍ ଓଡ଼ିଶା ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖାର ସଭାପତି ଡାକ୍ତର ସ୍ୱର୍ଣ୍ଣାଭ ପଟ୍ଟନାୟକ, ସଂପାଦକ ଡାକ୍ତର ସ୍ତିତିପ୍ରଜ୍ଞ ଲେଙ୍କା ଏବଂ କୋଷାଧ୍ୟକ୍ଷ ଡାକ୍ତର ପ୍ରତିକ ତ୍ରିପାଠୀ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଏବଂ ଡାକ୍ତର ସୁଧାଂଶୁ ଷଢ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖଗହ୍ୱର କର୍କଟ ରୋଗର ନିରାକରଣ, ସଡକ ସୁରକ୍ଷା ଏବଂ ଘରୋଇ ହିଂସା ବିଷୟରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ହାଇ-ଟେକ୍ ଡେଂଟାଲ୍ କଲେଜର ଅଧ୍ୟକ୍ଷ ଡାକ୍ତର ସଂଗ୍ରାମ ପାତ୍ର, ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲ୍‌ର ଆସୋସିଏଟ୍ ପ୍ରଫେସର ଡାକ୍ତର ନିରଞ୍ଜନ ମିଶ୍ର, ହାଇ-ଟେକ୍ ଡେଂଟାଲ୍ କଲେଜର ଓଏମ୍‌ଏଫ୍‌ଏସ୍ ବିଭାଗର ମୁଖ୍ୟ ଡାକ୍ତର ସନ୍ଦୀପ୍ ସାମଲ୍‌,
କିଡ୍‌ସର ଓଏମ୍‌ଏଫ୍‌ଏସ୍ ବିଭାଗର ମୁଖ୍ୟ ଡାକ୍ତର ଲେହରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଚାରୋଟି ମେଡିକାଲ୍ କଲେଜର ଡେଂଟାଲ୍ ସର୍ଜନମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ, କୁଇଜ୍‌, ମୁଖ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କେବଳ ସେତିକି ନୁହେଁ ଲୋକମାନଙ୍କୁ ମୁଖଗହ୍ୱର କ୍ୟାନ୍ସର ଏବଂ ଟ୍ରାଫିକ୍ ନିୟମ ବିଷୟରେ
ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉଭୟ ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲ୍ ଏବଂ ଆଇଡିଏସ୍ ପରିସରରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ଆଇଡିଏସ୍ ପକ୍ଷରୁ ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଡାକ୍ତର ସନ୍ତୋଷ ସୁବୁଦ୍ଧି, ଡାକ୍ତର ସୁବ୍ରତ ପଢ଼ିଆରୀ, ଡାକ୍ତର ସତ୍ୟବ୍ରତ ପଟ୍ଟନାଏକ, ଡାକ୍ତର ପ୍ରତୀକ୍ଷା କୋଠିଆ ଏବଂ ଡାକ୍ତର ସ୍ତିତି ପ୍ରଜ୍ଞ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ପାଳିତ ହେଲା ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍  ହସ୍ପିଟାଲ୍‌ରେ ଶୁକ୍ରବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ହସ୍ପିଟାଲ୍‌ର କର୍କଟ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କର୍କଟ ରୋଗକୁ ନେଇ ସଚେତନତା, ପରୀକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଥିବା ରୋଗୀମାନଙ୍କୁ ଡାକ୍ତରମାନେ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡ଼) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ସମ୍ ହସ୍ପିଟାଲ୍‌ରେ କ୍ୟାନ୍ସର ରୋଗର ସମସ୍ତ ପ୍ରକାର ଚିକିତ୍ସା ଉପଲବ୍ଧ ବୋଲି କହିଥିଲେ। ପ୍ରାରମ୍ଭିକ ସ୍ତରରୁ ରୋଗର ଚିହ୍ନଟ ଏବଂ ଚିକିତ୍ସା ଦ୍ୱାରା ୬୦ ପ୍ରତିଶତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇପାରିବେ ବୋଲି ଏହି
ଅବସରରେ ସୂଚନା ଦେଇଥିଲେ ସର୍ଜିକାଲ୍ ଅଙ୍କୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା।

ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ଥିମ୍ “କ୍ଲୋଜ ଦ କେୟାର ଗ୍ୟାପ୍‌”, ଅର୍ଥାତ୍ ଯତ୍ନର ଦୂରତାକୁ କମାଇବା, ସମ୍ପର୍କରେ ମତ ରଖି ମେଡିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୋମ୍ୟ ସୁରଥ ପଣ୍ଡା ରୋଗକୁ ନେଇ ଲୋକମାନେ ସଚେତନ ହେବା ସହ ଭୂଲ ସୂଚନାରୁ ଦୂରେଇ ରୁହନ୍ତୁ ବୋଲି କହିଥିଲେ।

ଏହି ଅବସରରେ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ପେଡିଆଟି ୍ରକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ପଣ୍ଡା, ଆସୋସିଏଟ୍ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ, ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁ , ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଦାମ ଷଢ଼ଙ୍ଗୀ, ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁନୀଲ୍ ଅଗ୍ରୱାଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେହିପରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଆଉଟରିଚ୍ ସେଲ ଓ ସୋଆ ଜାତୀୟ ସେବା ସଂସ୍ଥା ଦ୍ୱାରା ସମ୍ ହସ୍ପିଟାଲ୍‌ ଶିଶୁ କର୍କଟ ୱାର୍ଡରେ ବିଶ୍ୱ କ୍ୟାନସର ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର (ଡାକ୍ତର ) ଅଶୋକ କୁମାର ମହାପାତ୍ର କର୍କଟ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି
ହୋଇଥିବା ଶିଶୁମାନଙ୍କୁ ଭେଟି ସେମାନଙ୍କୁ ଥର୍ମୋଫ୍ଲାସ୍କ ଓ ଶୁଖିଲା ଖାଦ୍ୟ ବିତରଣ କରିଥିଲେ।

ଏହି ସମୟରେ ସମ୍‌ ହସ୍ପିଟାଲର ଅଧ୍ୟୀକ୍ଷକ ପ୍ରଫେସର ସାମନ୍ତସିଂହାର, ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପଣ୍ଡା, ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା, ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଡ.ସୌମ୍ୟରଂଜନ ଦାସ, ଡ.ବିକାଶ ଚନ୍ଦ୍ର, ଡ.ଶୋଭନ ପଟ୍ଟନାୟକ ଓ ଓଏସ୍‌ଡି ପ୍ରହ୍ଲାଦ ମହାନ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ତୁଲାଇଥିଲେ ପ୍ରତୀକ ଦାସ, ଅମିତ, ଅବିନାଶ, ସୋମି,ସତ୍ୟମ, ବିଶାନ୍ତ ଓ ରାଜଶ୍ରୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅମୃତସର ଠାରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ସମ୍ ଫିଜିଓଥେରାପିଷ୍ଟ ସମ୍ମାନିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ “ଦ ଫିଜିଓ ଲିଜେଣ୍ଡ ଆୱାର୍ଡ-ସିକନ୍ଦର ଅଫ୍ ଫିଜିଓ” ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ପୋର୍ଟସ କନେକ୍ଟ ପକ୍ଷରୁ ଅମୃତସର ଠାରେ ଆୟୋଜିତ ଦୁଇ ଦିନିଆ ଫିଜିଓଥେରାପିଷ୍ଟ ସମ୍ମିଳନୀରେ ଡାକ୍ତର ଦଳବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଫିଜିଓଥେରାପି କ୍ଷେତ୍ରରେ ଗତ ୨୩ ବର୍ଷ ଧରି ଉଚ୍ଚକୋଟୀର ଅବଦାନ ନିମନ୍ତେ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଓମ୍ ପର୍କାଶ ସୋନୀଙ୍କ ଠାରୁ ଡାକ୍ତର ଦଳବେହେରା ଏହି ସମ୍ମାନ ଗ୍ରହଣ କରିଛନ୍ତି। ଅର୍ଥୋପେଡିକ୍ ଫିଜିଓଥେରାପି, ସ୍ପୋର୍ଟସ ଏବଂ ମସ୍କୁଲୋସ୍କେଲିଟାଲ୍  ଫିଜିଓଥେରାପି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଡାକ୍ତର ରୁଚି ଭର୍ସନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ସାରା ଦେଶରୁ ପ୍ରାୟ ୧୫୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଯାହାକି ଭାରତରେ ପ୍ରଥମ ଓ ବଶ୍ୱରେ ୭ମ ବୋଲି ଅବିହିତ କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି ହସ୍ପିଟାଲ୍‌ରେ ଡାକ୍ତରମାନେ ଜଟିଳ ବ୍ରେନ୍‌ଷ୍ଟେମ୍‌ କାଭେରନୁମା ଆଣ୍ଡ ମ୍ୟୋକ୍ଲୋନିକ୍  ଏପିଲେପ୍ସି ରୋଗୀର ସଫଳ ଅସ୍ତ୍ରୋପଚାର କରିବା ସହ ରୋଗୀଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ସଫଳ ହୋଇଛନ୍ତି।

ଗତ ୨୨ ବର୍ଷ ଧରି ଝାରସୁଗୁଡା ଅଂଚଳର ୨୮ ବର୍ଷୀୟ ଅନୀଲ ମହାନନ୍ଦିଆ ଏହି ଜଟିଳ ରୋଗରେ ପୀଡ଼ିତ ଥିବାବେଳେ ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶୁକ୍ରବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏହା ଏକ ବିରଳ ବ୍ୟାଧି ଏବଂ ଆମେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସଂପାଦନ କରିପାରୁଛୁ । ଯଦି ଅସ୍ତ୍ରୋପଚାର କରାଯାଇ ନଥାନ୍ତା ତେବେ ମସ୍ତିଷ୍କରେ ରକ୍ତକ୍ଷରଣ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ପ୍ରତ୍ୟେକ ଦିନ ସାଢ଼େ ୩ ହଜାରରୁ ୪ ହାଜର ରୋଗୀ ଆସୁଥିବା ବେଳେ ସେମାନଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଉଛି। ଯେଉଁ ରୋଗୀମାନେ ରୋଗମୁକ୍ତ ହେବାର ଆଶା ହରାଇ ବସୁଛନ୍ତି ସେମାନେ ମଧ୍ୟ ସମ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରୁଛନ୍ତି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ପ୍ରଫେସର ମହାପାତ୍ର କହିଛନ୍ତି ଯେ, ରୋଗୀଟିର ବାରମ୍ବାର ବାତ ମାରିବା ସହ ତା’ର ମୁହଁ, ଜିଭ, ତଳିପେଟ ଏବଂ ଜଙ୍ଘ ସବୁବେଳେ ଥରୁଥିଲା। ଗୋଟିଏ ମିନିଟ୍‌ରେ ତା’ର ୩୦ ଥର ହାକୁଟି ହେଉଥିଲା। ସେ ଖାଦ୍ୟ ଗ୍ରହଣ କରିବା, ଶୋଇବା କିମ୍ବା ଛିଡା ହେବା ପାଇଁ ସକ୍ଷମ ନଥିଲା। ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ ତାକୁ ସୁଫଳ ମିଳିପାରି ନଥିଲା।

ସମ୍ ହସ୍ପିଟାଲ୍‌କୁ ଆସିବା ପରେ ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍ ଚୌଧୁରୀ ତାଙ୍କର ପରୀକ୍ଷା ନିରୀକ୍ଷା କରିବା ସହ ସେ ମ୍ୟୋକ୍ଲୋନିକ୍ ଏପିଲେପ୍ସି ରୋଗରେ ପୀଡ଼ିତ ଥିବାର ଚିହ୍ନଟ କରିଥିଲେ ଏବଂ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଅଧିକ ପରୀକ୍ଷା ନିରୀକ୍ଷା କରିବା ପରେ ଜଣାପଡିଥିଲା ଯେ, ମହାନନ୍ଦିଆଙ୍କର ମସ୍ତିଷ୍କ (ବ୍ରେନ୍‌ଷ୍ଟେମ୍ କାଭେରନୁମା) ରେ ଗଭୀର ଭାବେ ଏକ ଟ୍ୟୁମର ରହିଛି। ଯାହା ଖୁବ୍ ବିରଳ ଏବଂ ଏଥି ନିମନ୍ତେ ଅପରେସନ୍‌ର ଆବଶ୍ୟକତା ରହିଛି ଯାହାକି ଖୁବ୍ ଜଟିଳ ଏବଂ ବିପଦସଙ୍କୁଳ।

ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ନଭେମ୍ବର ୨୬ ତାରିଖ ଦିନ ଦୀର୍ଘ ୭ ଘଂଟା ଧରି ଅସ୍ତ୍ରୋପଚାର କରି ଟ୍ୟୁମରଟିକୁ କାଢ଼ିବାରେ ସଫଳ ହୋଇଥିବା ପ୍ରଫେସର ମହାପାତ୍ର କହିଛନ୍ତି।

ପ୍ରକାଶିତ ଗବେଷଣା ଅନୁଯାୟୀ ଏହି ସର୍ଜରୀ ବିଶ୍ୱରେ ସପ୍ତମ ଏବଂ ଭାରତରେ ପ୍ରଥମ ଘଟଣା। ଏଭଳି ଅସ୍ତ୍ରୋପଚାର ପୂର୍ବରୁ ଦେଶରେ କେଉଁଠାରେ ମଧ୍ୟ ହୋଇ ନାହିଁ ବୋଲି ଡାକ୍ତର ଦାସ କହିଛନ୍ତି। ଗୋଟିଏ ସର୍ଜନର ଆତ୍ମବିଶ୍ୱାସ ହିଁ ମୋତେ ଏହି ସର୍ଜରୀ କରାଇବା ପାଇଁ ପ୍ରବର୍ତାଇଥିଲା। ଏହା ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା କିନ୍ତୁ ଆମ ଟିମ୍ ଏହି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିଲେ। ଆମେ ବ୍ରେନ୍ ମ୍ୟାପିଙ୍ଗ-ଥ୍ରୀଡି ମଡେଲିଙ୍ଗ୍ ପ୍ରକ୍ର ିୟା ବଳରେ ତଥ୍ୟ ସଂଗ୍ରହ କରି ଏହି ଅସ୍ତ୍ରୋପଚାରରେ କରିପାରିଥିଲୁ।

ଅପରେସନ୍‌ର ଗୋଟିଏ ଦିନ ପରେ ହିଁ ରୋଗୀଟି ହାକୁଟିରୁ ମୁକ୍ତି ପାଇଥିଲା ଏବଂ ଚାଲିବାକୁ ମଧ୍ୟ ସକ୍ଷମ ହୋଇଥିଲା। ଯାହାକି ଚିକିତ୍ସା ବିଜ୍ଞାନର ଏକ ଚମତ୍କାରିତା ବୋଲି କୁହାଯାଇପାରିବ। ସେ କେବଳ ନୂଆ ଜୀବନ ପାଇଲା ତାହା ନୁହେଁ ବର୍ତମାନ ସେ ଠିକ୍ ଭାବରେ ଖିଆ ପିଆ କରିବା ସହ ଶୋଇପାରୁଛି। ଏପରିକି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ନିଜେ ଚାଲିକି ଯାଇଥିବା ଡାକ୍ତର ଦାସ କହିଛନ୍ତି।

ଏହି ସର୍ଜରୀ ଦର୍ଶାଉଛି ଯେ, ଓଡ଼ିଶା ମଧ୍ୟ ବିଶ୍ୱର ଅନ୍ୟ ସ୍ଥାନ ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସକ୍ଷମ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆନ୍ତର୍ଜାତିକ ସ୍ତରର ଉନ୍ନତ ଧରଣର ଚିକିତ୍ସା ପ୍ରଣାଳୀ, ସରଞ୍ଜାମ ଏବଂ ଜ୍ଞାନକୌଶଳ ଉପଲବ୍‌ଧ ବୋଲି ଡାକ୍ତର ଚୌଧୁରୀ କହିଛନ୍ତି।

ମହାନନ୍ଦିଆଙ୍କ ପରିବାର ଡାକ୍ତର ଦାସ ଓ ଡାକ୍ତର ଚୌଧୁରୀଙ୍କ ସମେତ ଡାକ୍ତର ଇଶ୍ୱର ବେହେରା, ଡାକ୍ତର ସୁଦୀପ୍ ମହାପାତ୍ର, ଡାକ୍ତର ସୁମିରିନ୍‌, ଡାକ୍ତର ଅଭିଜିତ ଆଚାର୍ଯ୍ୟ, ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ସୁମିତ୍ରା ସ୍ୱାଇଁ, ଡାକ୍ତର ଜୀବନ ପ୍ରତୀକ ଖଟୁଆ, ହସ୍ପିଟାଲ୍‌ର ନର୍ସ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଏହି ଜଟିଳ ଅସ୍ତ୍ରୋପଚାର ବର୍ତ୍ତମାନ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହେବ। ଏହି ବ୍ୟୟବହୁଳ ଅସ୍ତ୍ରୋପଚାରଟି ବିନା ମୂଲ୍ୟରେ ବିଜୁ
ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ କରାଯାଇଛି।

ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ବୋନ୍ ମ୍ୟାରୋ ପ୍ରତ୍ୟାରେପଣ ଓ ଜୀବନ୍ତ ଯକୃତ ପ୍ରତ୍ୟାରୋପଣ ପରେ ସମ୍ ହସ୍ପିଟାଲ୍‌ରେ ଏହି ଅସ୍ତ୍ରୋପଚାର ଦ୍ୱାରା ଆଉ ଏକ ସଫଳତା
ଯୋଡି ହୋଇଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମସ୍ତିଷ୍କରୁ ୫୦୦ ଗ୍ରାମ୍ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହେଲେ ସମ୍ ସର୍ଜନ

ଭୁବନେଶ୍ୱର: ଜଣେ ଯୁବକଙ୍କ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଏକ ବଡ ଟ୍ୟୁମରକୁ ସଫଳତାର ସହ ବାହାର କରିପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସକ। ଅନ୍ୟ ଏକ ହସ୍ପିଟାଲ୍‌ରେ ଅପରେସନ୍ କରିବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଏବଂ ମୁଣ୍ଡରେ ଗୋଟିଏ ଅଂଶ ଫୁଲି ବାହାରକୁ ବାହାରିଥିବାରୁ ଯୁବକ ଜଣକ ନିକଟରେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିଲେ।

ରୋଗୀଙ୍କର ଏମ୍‌ଆର୍‌ଆଇ ସ୍କାନ୍ କରାଯିବା ପରେ ତାଙ୍କ ମୁଣ୍ଡରେ ଏକ ବଡ ଟ୍ୟୁମର୍ ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା ଯାହାକି ଖପୁରୀ ହାଡ ବାହାରକୁ ବାହାରି ଆସିବା ସହ ମସ୍ତିଷ୍କରେ ଏକ ବଡ ଯାଗା ମାଡିବସିଥିଲା। ଏହା ଛଡା ମସ୍ତିଷ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ
ଧମନୀ ଚାରିପଟେ ଏହି ଟ୍ୟୁମର ବେଡି ରହିଥିଲା। ଏହା ଏକ କଷ୍ଟକର ପରସ୍ଥିତି ଥିଲା ଏବଂ ଅସ୍ତ୍ରୋପଚାର ନିଷ୍ପତି ମଧ୍ୟ ସର୍ଜିକାଲ୍ ଟିମ୍ ପାଇଁ ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। କାରଣ ଏହାଦ୍ୱାରା
ପ୍ରଚୁର ରକ୍ତସ୍ରାବ ଅଥବା ଶରୀରର କୌଣସି ଅଂଶ ପକ୍ଷାଘାତ ହେବାର ମଧ୍ୟ ସମ୍ଭାବନା ରହିଥିଲା।

ତେବେ ସମ ହସ୍ପିଟାଲ୍‌ର ସିନିୟର ନ୍ୟୁରୋସର୍ଜନ୍ ଓ ପ୍ରଫେସର ଡାକ୍ତର ସୌଭାଗ୍ୟ ପାଣିଗ୍ରାହୀ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇ ସମସ୍ତ ଯୋଜନା କରିଥିଲେ। ଯଦିଓ ଏହି ପ୍ରକ୍ରିୟା ଖୁବ୍ ଜଟିଳ ଥିଲା ତେବେ ସମ୍ପୂର୍ଣ୍ଣ ୫୦୦ ଗ୍ରାମର ଟ୍ୟୁମର ଏବଂ କ୍ଷତିଗ୍ରସ୍ତ ହୋଇଥିବା ମସ୍ତିଷ୍କର ଧମନୀଟିକୁ ବାହାର କରାଯାଇଥିଲା। ସାଧାରଣତଃ ଜଣେ ବୟସ୍କ ବ୍ୟକ୍ତିଙ୍କର ମସ୍ତିଷ୍କର ଓଜନ ୧୩୦୦ ରୁ ୧୪୦୦ ଗ୍ରାମ ରହିଥାଏ।

ପ୍ରଫେସର ଡାକ୍ତର ପାଣିଗ୍ରାହୀ ଆନେସ୍‌ଥେସିଷ୍ଟ ଡାକ୍ତର ସୁଦୀପ୍ ମହାପାତ୍ର ଏବଂ ଡାକ୍ତର ସୁନୀତା ସ୍ୱାଇଁଙ୍କ ସହଯୋଗରେ ବିନା କୌଣସି ସମସ୍ୟାରେ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ କରିଥିଲେ।

ରୋଗୀ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଥିବା ବେଳେ ଅସ୍ତ୍ରୋପଚାର ପରେ କୌଣସି ପ୍ରକାର ସମସ୍ୟା ଉପୁଜି ନଥିଲା। ନ୍ୟୁରୋ ଇନ୍‌ଟେନ୍‌ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବା ପରେ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଙ୍ଗ ପ୍ରତ୍ୟାରୋପଣକୁ ଅପେକ୍ଷା କରି ପ୍ରତିବର୍ଷ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି: ଡାକ୍ତର ମନୋଜ କୁମାର

ଭୁବନେଶ୍ୱର: ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଦେଶରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କିଡ଼୍‌ନୀ ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ବେଳେ ମାତ୍ର ୫ ହଜାର ପ୍ରତ୍ୟାରୋପଣ ସମ୍ଭବ ହୋଇପାରୁଛି।

ସେହିପରି ଯକୃତ ରୋଗରେ ପୀଡ଼ିତ ହୋଇ ଅଙ୍ଗଦାନକାରୀ ନ ମିଳିବା କାରଣରୁ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଭାରତରେ ଅଙ୍ଗ ଦାନର ମାତ୍ରା ମାତ୍ର ୦.୦୧ ପ୍ରତିଶତ ବୋଲି ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ
ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ଶନିବାର ସୂଚନା ଦେଇଛନ୍ତି।

ଜାତୀୟ ଅଙ୍ଗ ଦାନ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାହୁ କହିଥିଲେ ଯେ ଭାରତରେ ପ୍ରତ୍ୟେକ ଦିନ ଡୋନର ନ ମିଳିବା କାରଣରୁ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଅଙ୍ଗ ପ୍ରତ୍ୟାରୋପଣର ଖୁବ୍ ଆବଶ୍ୟକତା ଥିବା ବେଳେ ୨୦୨୦ ମସିହାରେ ଭାରତରେ ମାତ୍ର ୩୯ ହଜାର ଅଙ୍ଗ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଥିଲା ବୋଲି ଡଃ ସାହୁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ ଡାକ୍ତର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ, ନ୍ୟୁରୋଇନ୍‌ଟେନ୍‌ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଏବଂ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ମିନତି ବେହେରା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାଂଶ ବକ୍ତାମାନେ ଅସୁସ୍ଥ ରୋଗୀମାନଙ୍କ ନିମନ୍ତେ ଅଙ୍ଗଦାନ କ୍ଷେତ୍ରରେ ସଚେତନତାର ଅଭାବ ହିଁ ବାଧା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ କରିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସାହୁ କହିଥିଲେ ଯେ ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଅଙ୍ଗଦାନ କରିପାରିବ।

ଡାକ୍ତର ସାହୁ କହିଥିଲେ ଯେ ଜଣେ ନବଜାତ ଶିଶୁ ଯିଏକି ଜନ୍ମ ହେବାର ୧୦୦ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରିଥିଲା ସେ ତା’ର ଦୁଇଟି କିଡ୍‌ନୀ ଦାନ କରିପାରିଛି । ସେହିପରି ଜଣେ ୧୦୭ ବର୍ଷର ମହିଳାଙ୍କ କର୍ନିଆ ମଧ୍ୟ ବ୍ୟବହାର ହୋଇପାରିଛି। ଯେ କୌଣସି ବୟସର ବ୍ୟକ୍ତି ଅଙ୍ଗଦାନ କରିପାରିବେ ବୋଲି ଡାକ୍ତର ସାହୁ କହିଥିଲେ।

ପ୍ରଫେସର ସାହୁ କହିଥିଲେ ଯେ ଆମ ଦେଶରେ ଅଙ୍ଗଦାନର ଅନେକ ସୁଯୋଗ ରହିଛି ।ତେବେ ଏ ନେଇ ଲୋକେ ସଚେତନ ହେବା ଆବଶ୍ୟକ। କେବଳ ଗତ ମାସ କେବଳ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ୧୦ ଜଣ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତିଙ୍କ ଅଙ୍ଗ ତାଙ୍କ ପରିବାର ପକ୍ଷରୁ ଦାନ କରାଯାଇଥିବା ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସାହୁ କହିଥିଲେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଅଙ୍ଗଦାନ ନେଇ ପ୍ରାୟତଃ ଅନିଚ୍ଛା ପ୍ରକାଶ କରିଥାନ୍ତି। ଯଦି କୌଣସି ରୋଗୀଙ୍କୁ ପଚରାଯାଏ ଯେ ତାଙ୍କ ପରିବାରର କେହି ସଦସ୍ୟ କିମ୍ବା ବନ୍ଧୁ ତାଙ୍କ ପାଇଁ ରକ୍ତଦାନ କରିବେ କି ତେବେ ପ୍ରାୟତଃ ତାଙ୍କ ଉତର ରହିଥାଏ ରକ୍ତ ଅନ୍ୟ କେଉଁଠାରୁ ମିଳିପାରିବ କି? ଏହା ଲୋକଙ୍କର ସାଧାରଣ ଚିନ୍ତାଧାରାକୁ ପ୍ରକାଶ କରେ ବୋଲି
ପ୍ରଫେସର ସାହୁ କହିଥିଲେ।

ଲୋକମାନେ ଏ ଦିଗରେ ଉଚିତ୍ ଚିନ୍ତା କରି ନିଷ୍ପତି ନେବା ଉଚିତ୍ ବୋଲି ସେ କହିଛନ୍ତି ।
ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ପୋଷ୍ଟମୋର୍ଟମ୍‌କୁ ରାତିରେ କରାଯିବାର ସରକାରଙ୍କ ନିଷ୍ପତି ଦ୍ୱାରା ଅଙ୍ଗଦାନର ମାତ୍ରା ବୃଦ୍ଧି ପାଇବ। ଏହା ଏକ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଏବଂ ଅଙ୍ଗଦାନ କ୍ଷେତ୍ରରେ ଏହା ଖୁବ୍ ସାହାଯ୍ୟ କରିବ ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟାଇମ୍‌ସ ର‌୍ୟାଙ୍କିଙ୍ଗ୍‌: ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ଶ୍ରେଷ୍ଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍  ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍‌ସ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଙ୍ଗ୍‌ରେ ପୂର୍ବାଂଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି। ଏହି ର‌୍ୟାଙ୍କିଙ୍ଗରେ ଭୁବନେଶ୍ୱରର ହସ୍ପିଟାଲ୍‌ଗୁଡ଼ିକ ମଧ୍ୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍  ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପୂର୍ବାଂଚଳରେ ସମ୍ ହସ୍ପିଟାଲ୍ ଉପରେ କୋଲକାତାର ଆପୋଲୋ ଗ୍ଲିନିଆଗଲସ୍ ହସ୍ପିଟାଲ୍ ଏବଂ ଫୋର୍ଟିସ୍ ହସ୍ପିଟାଲ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ର‌୍ୟାଙ୍କରେ ଅଛନ୍ତି।

୨୦୨୦-୨୧ ମସିହା ନିମନ୍ତେ ଯେଉଁ ହସ୍ପିଟାଲ୍‌ଗୁଡ଼ିକରେ ଅନୁନ୍ୟ ୩ କିମ୍ବା ତତୋଧିକ କ୍ରିଟିକାଲ୍ କେୟାର ସ୍ପେଶିଆଲିଟି ଡିପାର୍ଟମେଂଟ ରହିଛି ସେହି ହସ୍ପିଟାଲ୍‌ଗୁଡ଼ିକୁ ଅନୁଧ୍ୟାନ କରାଯିବା ସହ ସର୍ବେକ୍ଷଣ, ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ଗବେଷଣା କରାଯାଇ ଏହି ଶ୍ରେଷ୍ଠ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

୧୬୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ତଥା ଏନଏବିଏଚ ଆକ୍ରେଡିଟେସନ ଲାଭ କରିଥିବା ସମ୍‌ ହସ୍ପିଟାଲ୍‌ରେ ସର୍ବାଧିକ ଡାକ୍ତର ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। ଏହି ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ ଉତ୍କୃଷ୍ଟଧରଣର ନର୍ସିଂ ସେବା, ଶ୍ରେଷ୍ଠ ଏନ୍‌ଏବିଏଲ୍ ଲାବୋରାଟୋରୀ ତଥା ରେଡିଓଲଜିକାଲ୍ ପରୀକ୍ଷଣ ଓ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ୍ ଯାହାକି ରାଜ୍ୟରେ ମୋଟ ୨୨୦୦ ଶଯ୍ୟା ବିଶିଷ୍ଟ ୫ଟି କୋଭିଡ ହସ୍ପିଟାଲ୍ ସ୍ଥାପନ କରି ମହାମାରୀ ସମୟରେ ଉତ୍କୃଷ୍ଟ ଧରଣର ସ୍ୱାସ୍ଥ୍ୟସେବା ପ୍ରଦାନ କରିସାରିଛି। ଅନୁଭୂତି ସମ୍ପନ୍ନ ଡାକ୍ତର, ନର୍ସ ଓ ପାରାମେଡିକ୍ସ ମାନେ ଏହି ହସ୍ପିଟାଲ୍‌ଗୁଡ଼ିକରେ ନିୟୋଜିତ ହୋଇ କୋଭିଡ୍ ସଂକ୍ରମିତ ମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି।

ହସ୍ପିଟାଲ୍‌ର କାର୍ଡିଓଲୋଜି, ସିଟିଭିଏସ୍‌, କ୍ଲିନିକାଲ୍ ହେମାଟୋଲୋଜି, ହେମାଟୋ-ଅଙ୍କୋଲୋଜି, ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ଗ୍ୟାଷ୍ଟ୍ରୋ ଇନ୍‌ଟେଷ୍ଟାଇନାଲ୍ ସର୍ଜରୀ, ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ପେଡିଆଟ୍ରିକ୍ ସର୍ଜରୀ, ମେଡିକାଲ୍ ଅଙ୍କୋଲୋଜି, ସର୍ଜିକାଲ୍‌ ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ଆଣ୍ଡ କସ୍‌ମେଟିକ୍ ସର୍ଜରୀ ଭଳି ସୁପରସ୍ପେଶିଆଲିଟି ବିଭାଗଗୁଡ଼ିକରେ ଖୁବ୍ କମ୍ ମୂଲ୍ୟରେ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉଛି।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏକ ମେଡିକାଲ କଲେଜ ଯେଉଁଠାରେ ପ୍ରତିବର୍ଷ ୨୫୦ ଛାତ୍ରଛାତ୍ରୀ ଏମବିବିଏସ ପାଠ୍ୟକ୍ରମରେ ଯୋଗଦେଇଥାନ୍ତି। ଏଠାରେ ପ୍ରାୟ ସମସ୍ତ ସ୍ପେସିଆଲିଟି ବିଭାଗ ନିମନ୍ତେ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ବ୍ୟତୀତ ବିଭିନ୍ନ ସୁପରସ୍ପେସିଆଲିଟି ବିଭାଗରେ ଏମସିଏଚ ଓ ଡିଏମ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ଅଟେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀମାନଙ୍କୁ ସ୍ଥାନାନ୍ତର ସମୟରେ ଉପୁଜୁଥିବା ସମସ୍ୟାକୁ ନେଇ ଆଲୋଚନା

ଭୁବନେଶ୍ୱର: ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଉପଲବ୍ଧ ଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା ସମ୍ପର୍କରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁବାର ଆୟୋଜିତ କର୍ମଶାଳାରେ ଏହି ମତ ଦେଇଛନ୍ତି ବିଶେଷଜ୍ଞମାନେ।

ଡାକ୍ତରମାନେ ସ୍ଥାନାନ୍ତର ସମୟରେ ହସ୍ପିଟାଲ୍ ଦ୍ୱାରା ଭେଂଟିଲେଟର ବ୍ୟବହାର ସମ୍ପର୍କରେ ବୁଝାଇବା ସହ ଆଇସିୟୁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକରୁଥିବା ମେଡିକାଲ୍  କର୍ମଚାରୀମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇ ନୂତନ ବୈଷୟିକ ଉପକରଣର ବ୍ୟବହାର, ରୋଗୀମାନଙ୍କର ଚିକିତ୍ସା ଏବଂ ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ନନ୍‌-ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ଏବଂ ଟ୍ରାନ୍ସପୋର୍ଟ ଭେଂଟିଲେସନ୍ ସମ୍ପର୍କିତ ଏହି କଂଟିନ୍ୟୁଇଙ୍ଗ ମେଡିକାଲ୍‌ ଏଜୁକେସନ୍ (ସିଏମ୍‌ଇ) ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ଡିପାର୍ଟମେଂଟ ଓ ରେସ୍‌ମେଡ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ସହର ଗୁଡ଼ିକରେ ବଢ଼ୁଥିବା ବାୟୁ ପ୍ରଦୂଷଣ, ଲକ୍ ଡାଉନ୍ ଆଡକୁ ମୁହାଁଉଥିବା ଦିଲ୍ଲୀ ସହର ଏବଂ ଏହା ଦ୍ୱାରା ଉପୁଜୁଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆମାଜନ୍ ଜଙ୍ଗଲକୁ ବିଶ୍ୱର ଫୁସ୍‌ଫୁସ  ବୋଲି କୁହାଯାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାହା ଧ୍ୱଂସ ହେବାକୁ ଲାଗିଛି। ତେଣୁ ଆମକୁ ଏହି ସମସ୍ୟା ସହିତ ଲଢ଼ିବାକୁ ଓ ରୋଗର ମାତ୍ରାକୁ କମାଇବାକୁ ନୂଆ ଜଙ୍ଗଲ ତିଆରି କରିବାକୁ ପଡିବ ବୋଲି ସେ କହିଥିଲେ।

ସମ୍ ହସ୍ପିଟାଲ୍‌ର ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ଇନ୍‌ଚାର୍ଜ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା କହିଥିଲେ ଯେ ଗୁରୁତର ଥିବା ରୋଗୀମାନଙ୍କର ସ୍ଥାନାନ୍ତର କରିବା ଚିକିତ୍ସାର ଏକ ପ୍ରମୁଖ ଅଂଗ ଏବଂ ଏଭଳି କର୍ମଶାଳାର ଆବଶ୍ୟକତା ରହିଛି। ଏଭଳି ଟ୍ରେନିଂ କାର୍ଯ୍ୟକ୍ରମରୁ ନର୍ସିଂ ଷ୍ଟାଫ୍‌ମାନେ ଜ୍ଞାନ ଆହରଣ କରିବା ସହ କାର୍ଯ୍ୟଶୈଳୀ ମଧ୍ୟ ଶିଖନ୍ତୁ ବୋଲି ଡାକ୍ତର ବେହେରା କହିଥିଲେ। ହସ୍ପିଟାଲ୍‌ର ଅନ୍ୟ ତିନିଜଣ କ୍ରିଟିକାଲ୍ କେୟାର ଏକ୍ସପର୍ଟ ଡାକ୍ତର ଶକ୍ତି ବେଦାନ୍ତ ମିଶ୍ର, ଡାକ୍ତର ସନ୍ତୋଷ ସିଂହ ଓ ଡାକ୍ତର ସାଗରିକା ପଣ୍ଡା ହସ୍ପିଟାଲ୍ ମଧ୍ୟରେ ଏବଂ ଏକ ହସ୍ପିଟାଲ୍‌ରୁ ଅନ୍ୟ ହସ୍ପିଟାଲ୍‌କୁ ଗୁରୁତର ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର
କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସ୍ଥାନାନ୍ତର ସମୟରେ ରୋଗୀ ଗୁରୁତର ହେବାର ସଂଖ୍ୟାକୁ କିଭଳି କମ୍‌ କରାଯାଇପାରିବ ସେ ସମ୍ପର୍କରେ ଡାକ୍ତର ମିଶ୍ର ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟର ମନୋରମା ପରିଡା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଣବତା ବିଭାଗର ମୁଖ୍ୟ ଡାକ୍ତର ଅରୋଲିପି, ସମ୍ ଅଲ୍ଟିମେଟ୍ ମେଡିକେୟାରର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଡିଜିଏମ୍ ଅକ୍ଷୟ କୁମାର ସ୍ୱାଇଁ, ରେସ୍‌ମେଡ୍ ଇଣ୍ଡିଆର ଡାକ୍ତର ପୁଲ୍‌କିତ ସ୍ୱରୂପ, ସମ୍ ହସ୍ପିଟାଲ୍‌ର ଅଫିସର୍ ଅନ୍‌ ସ୍ପେଶିଆଲ୍ ଡ୍ୟୁଟି ପ୍ରହଲ୍ଲାଦ ମହାନ୍ତି ଏବଂ ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରଦୂଷଣ ଯୋଗୁଁ ବହୁଳ ମାତ୍ରାରେ ବଢ଼ୁଛି ସିଓପିଡି ସମସ୍ୟା

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ବର୍ତମାନ ଲକଡାଉନ୍ ଘୋଷଣା କରିବାର ପରିସ୍ଥିତି ଉପୁଜିଥିବା ବେଳେ କ୍ରନିକ୍‌ ଅବ୍‌ଷ୍ଟ୍ରକ୍ଟିଭ୍ ପଲ୍‌ମୁନାରୀ ଡିଜିଜ୍ (ସିଓପିଡି) ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମୁଖ୍ୟତଃ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସ୍ୱଚ୍ଛ ବାୟୁ ମିଳିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିବା ବେଳେ ସିଓପିଡି ରୋଗୀଙ୍କ ସଂଖ୍ୟା ବଢ଼ୁଛି ଏବଂ ସେମାନେ ଶ୍ୱାସ ପ୍ରଶ୍ୱାସ ନେବା ନିମନ୍ତେ ସଂଘର୍ଷ କରୁଥିବାର ଦେଖିବାକୁ ମିଳୁଛି। ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ବଡ ପଦକ୍ଷେପ ନେବା ଜରୁରୀ ବୋଲି ବିଶ୍ୱ ସିଓପିଡି ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ କଂଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସିଓପିଡି ଏକ ସାଧାରଣ ରୋଗ ଏବଂ ଏହାର ଚିକିତ୍ସା ଓ ନିରାକରଣ ମଧ୍ୟ କରାଯାଇପାରିବ। ଫୁସ୍‌ଫୁସ୍‌ରେ ସମସ୍ୟା ସୃଷ୍ଟି ହେଲେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ, ଏହାକୁ ହିଁ ସିଓପିଡି କୁହାଯାଏ। ଧୂଳି, ଧୂଆଁ ଓ ଧୂମ୍ରପାନ ହେଉଛି ସିଓପିଡିର ମୁଖ୍ୟ କାରଣ। ସେହିପରି ଗରୀବ ଶ୍ରେଣୀର ମହିଳାମାନେ ରୋଷେଇ ଘର ଚୁଲିରୁ ବାହାରୁ ଥିବା ଧୂଆଁ ଯୋଗୁଁ ସିଓପିଡି ସମସ୍ୟାର ଶିକାର ହୋଇଥାନ୍ତି ବୋଲି ସମ୍‌ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଛନ୍ତି।

ପ୍ରଫେସର ଜେନା କହିଛନ୍ତି ଯେ, ମୁଖ୍ୟତଃ ଖଣି ଖାଦନରେ କାର୍ଯ୍ୟକରୁଥିବା ଶ୍ରମିକ, ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ଟ୍ରାଫିକ୍ ପୋଲିସ୍‌ ଏପରିକି କୃଷକମାନେ ଯେଉଁମାନେ କି ଚାଷଜମିରେ ସାର ବ୍ୟବହାର କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକ ସିଓପିଡି ସମସ୍ୟା ଦେଖାଯାଇଥାଏ। କିନ୍ତୁ ଆଗୁଆ ରୋଗର ଚିହ୍ନଟ, ପ୍ରଦୂଷଣ ଠାରୁ ଦୂରରେ ରହିବା ଏବଂ ପ୍ରାଥମିକ ସ୍ତରରୁ ଚିକିତ୍ସା କରାଗଲେ ଏହି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି।

ସେହିପରି ଘର ଭିତରେ ମଶା ଧୂଆଁ ଏବଂ ଧୂପକାଠି ଲଗାଇବା ଦ୍ୱାରା ସିଓପିଡି ସମସ୍ୟା ଦେଖାଦେଇଥାଏ ତେଣୁ ଏଥିରୁ ନିବୃତ ରହିବା ସହ ନିୟମିତ ବ୍ୟାୟାମ, ପ୍ରଚୁର ପରିମାଣର ପାଣି ପିଇବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ସେ କହିଛନ୍ତି।
ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଉଭୟ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ସଂଖ୍ୟା ବଢ଼ୁଛି ବୋଲି ପ୍ରକାଶ କରିଛନ୍ତି। ଉଭୟ ପୁଅ ଓ ଝିଅମାନଙ୍କର ବୃଦ୍ଧିପାଉଥିବା ଧୂମ୍ରପାନ ଅଭ୍ୟାସକୁ ନେଇ ପ୍ରଫେସର ସାହୁ ଦୁଃଖ ପ୍ରକାଶ କରିବା ସହ ବର୍ତମାନ ପରିସ୍ଥିତିରେ ଜଙ୍ଗଲ ବଂଚାଇବା ସହ ପରିବେଶର ସୁରକ୍ଷା କଲେ ହିଁ ଏଭଳି ଜଟିଳ
ପରିସ୍ଥିତିରୁ ବାହାରି ହେବ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ଚଳିତବର୍ଷ ବିଶ୍ୱ ସିଓପିଡି ଦିବସର ଥିମ୍ “ହେଲ୍‌ଦି ଲଙ୍ଗ୍‌” ଅର୍ଥାତ୍ ସୁସ୍ଥ ଫୁସ୍‌ଫୁସ୍ ରହିଥିବା ବେଳେ ବର୍ତମାନ କରୋନା ମହାମାରୀ ସମୟରେ ଉଭୟ କୋଭିଡ୍ ଓ ସିଓପିଡି ରୋଗୀମାନଙ୍କର ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ତିତିପ୍ରଜ୍ଞା ଦଳବେହେରା କହିଛନ୍ତି।

କୋଭିଡ୍‌ରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କର ଫୁସ୍‌ଫୁସକୁ ସୁସ୍ଥ କରିବା ପାଇଁ ପ୍ରୋନିଙ୍ଗ୍ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ପଦ୍ଧତିରେ ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇପାରୁଛନ୍ତି। ସମ୍ ହସ୍ପିଟାଲ୍‌ରେ ଦୀର୍ଘ ୧୪ ବର୍ଷ ହେବ ପ୍ରୋନିଙ୍ଗ ଚିକିତ୍ସା ପ୍ରଦାନ କରାଯାଉଥିବା ଡାକ୍ତର ଦଳବେହେରା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଲମୁନାରୀ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ରାକ୍ଷୀ ଲୁଦାମ୍‌, ପ୍ରଫେସର ଡାକ୍ତର ଗଣେଶ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରିୟଦର୍ଶିନୀ ବେହେରା, ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡା, ଡାକ୍ତର ପ୍ରିତମ ଛୋଟରାୟ, ଡାକ୍ତର ଶୁଭକାନ୍ତ ନନ୍ଦ ଓ ସିନିୟର ରେସିଡେଂଟ ଡାକ୍ତର ସୋନାଲୀ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର: ବିଶେଷଜ୍ଞ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳିତ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି ରଖିଥିବା ବେଳେ ମଧୁମେହ ରୋଗକୁ ନେଇ ବିଶେଷଜ୍ଞମାନେ ଉଦ୍‌ବେଗଜଜନକ ତଥ୍ୟ ପ୍ରକାଶ କରିଛନ୍ତି। ମଧୁମେହ ରୋଗ ଥିବା ବ୍ୟକ୍ତିଙ୍କୁ କୋଭିଡ୍‌-୧୯ ଅଧିକ ଆକ୍ରାନ୍ତ କରୁଥିବାର ଲକ୍ଷ୍ୟ କରାଯାଇଥିବା ବେଳେ ଏହି ରୋଗୀମାନେ ଅଧିକ ମାତ୍ରାରେ ଗୁରୁତର ହୋଇପଡୁଛନ୍ତି।

ସେହିପରି କୋଭିଡ୍ ଚିକିତ୍ସା ସମୟରେ ରୋଗୀମାନଙ୍କୁ ଦିଆଯାଉଥିବା ଔଷଧ ଯୋଗୁଁ ସେମାନେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇପଡୁଥିବା ବେଳେ କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ପୂର୍ବରୁ ମଧୁମେହ ନ ଥିବା ବ୍ୟକ୍ତିମାନଙ୍କୁ ଏହି ବ୍ୟାଧି ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳୁଛି। ତେଣୁ କୋଭିଡ୍ ଓ ମଧୁମେହ ଉଭୟ ଗୋଟିଏ ଖଣ୍ଡାର ଦୁଇଟି ଧାର ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅଭୟ କୁମାର ସାହୁ। ସମ୍ ହସ୍ପିଟାଲ୍‌ରେ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ଡାକ୍ତର ସାହୁ।

ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ଥିମ୍ ରହିଛି “ ଆକ୍ସେସ୍ ଟୁ ଡାଏବେଟିସ୍ କେୟାର”  ଅର୍ଥାତ୍ ସମସ୍ତଙ୍କୁ ମଧୁମେହର ଚିକିତ୍ସା ଓ ଯତ୍ନଲବ୍ଧ ହେବା ଆବଶ୍ୟକ। ବର୍ତ୍ତମାନ ସହରାଂଚଳରେ ୧୧ ରୁ ୧୨ ପ୍ରତିଶତ ଲୋକଙ୍କୁ ମଧୁମେହ ରୋଗ ଗ୍ରାସ କରୁଥିବା ବେଳେ ଗ୍ରାମାଂଚଳରେ ୮ ରୁ ୧୫ ପ୍ରତିଶତ ଲୋକଙ୍କୁ ମଧୁମେହ ହେଉଥିବାର ଦେଖିବାକୁ ମିଳୁଛି। ଯଦିଓ ସହରାଂଚଳ ଲୋକ ଚିକିତ୍ସା ପାଇପାରୁଛନ୍ତି ଗ୍ରାମାଂଚଳ ଲୋକଙ୍କ ପାଇଁ ଏହା କଷ୍ଟକର ହେଉଛି। ତେଣୁ ସମସ୍ତଙ୍କୁ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର ସାହୁ କହିଛନ୍ତି।

ଏହି ଅବସରରେ ସମ୍ ହସ୍ପିଟାଲ୍ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବର୍ଷ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିବା ବେଳେ ୱାକାଥନ୍‌, ର‌୍ୟାଲି, ପଥପ୍ରାନ୍ତ ନାଟକ ଓ ମାଗଣା ଚିକିତ୍ସା ଶିବିର ଜରିଆରେ ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଯାଇଥାଏ। ଏହି ରୋଗରୁ ଲୋକମାନେ ମୁକ୍ତି ପାଇପାରିବେ ଏବଂ ଏହି ବାର୍ତ୍ତା ଦେବା ଆମର ମୂଳ ଲକ୍ଷ୍ୟ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ଡାକ୍ତର ଜୟଭାନୁ କନ୍‌ୱର କହିଛନ୍ତି ଇନ୍‌ସୁଲିନ୍‌ର ଉଦ୍‌ଭାବନ୧୦୦ ବର୍ଷ ତଳେ ହୋଇଥିଲେ ମଧ୍ୟ ଲୋକମାନେ ଏହାର ବ୍ୟବହାର ସମ୍ପର୍କରେ ଏପର୍ଯ୍ୟନ୍ତ ଅବଗତ ହୋଇପାରୁ ନାହାନ୍ତି। ତେଣୁ ମଧୁମେହ ରୋଗର ଆଗୁଆ ଚିହ୍ନଟ, ଚିକିତ୍ସା ଓ ଏହାର ନିରାକରଣ ଦିଗରେ ସଚେତନତା ଜରୁରୀ ବୋଲି ସେ କହିଛନ୍ତି।

ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜୟଶ୍ରୀ ସ୍ୱାଇଁ, ଡାକ୍ତର ସ୍ୱୟଂସିଦ୍ଧ ମଙ୍ଗରାଜ, ଡିଏମ୍  ରେସିଡେଂଟ ଡାକ୍ତର ଅଙ୍କିତ ମଙ୍ଗଲୁନିଆ, ଡାକ୍ତର ଯଶପ୍ରୀତ ସିଂହ, ଡାକ୍ତର ପୂଜା ଜଦ୍ଧାୱ, ଡାକ୍ତର ଏସ୍‌.ଏଲ୍ ଶ୍ରବ୍ୟ, ସିନିୟର ଡାଏଟିସିଆନ୍ ସୂର୍ଯ୍ୟଶିଖା ମହାନ୍ତି, ଡାଏଟିସିଆନ୍ ତନୟା ବରାଳ, ଫିଜିଓଥେରାପିଷ୍ଟସ୍ ଡାକ୍ତର ଅରବିନ୍ଦ ରଥ, ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସ, ଡିଜିଏମ୍ (ଅପରେସନ୍‌) ପୁଷ୍ପାଞ୍ଜଳୀ ରାଉତ, ଜୁନିଅର୍ ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେଟର୍ ଶଶିଭୂଷଣ ଗିରି ଓ ପ୍ରଭାତ କୁମାର ନାୟକଙ୍କ ସମେତ ଷ୍ଟାଫ୍ ନର୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଅନେକ ମଧୁମେହ ରୋଗୀ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର: ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର। ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା।

ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍‌ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ ବେକରେ ଗୁରୁତର କ୍ଷତ ହୋଇଥିଲା। ଏଥି ସହିତ ତା’ର ଛାତି, ପେଟ, ହାତ ଏବଂ ଗୋଡ ପୋଡି ହୋଇଯାଇଥିବା ବେଳେ ତା’ ପେଟ ମଧ୍ୟରୁ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା।

ଡାକ୍ତରମାନେ ପ୍ରଥମେ ଶିଶୁଟିର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ପ୍ରାଥମିକ ଚିକିତ୍ସା କରିବା ସହ ତା’ ଶରୀରରେ ଥିବା କ୍ଷତଗୁଡିକର ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରିଥିଲେ। ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍‌ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।

ଯଦିଓ ଗୁରୁତର ଭାବେ ପୋଡି ହୋଇଯାଇଥିବା ଏହି ବାଳକଟିର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥିଲା ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତି ନିଆଯାଇଥିଲା. ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା। ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା। “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭିଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟ୍ରିକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି।

ବାଳକଟିର ଚିକିତ୍ସା ନିମନ୍ତେ ଗଠିତ ଟିମ୍‌ରେ ଜେନେରାଲ୍ ସର୍ଜରୀ ବିଭାଗର ଡାକ୍ତର ଜେ.ଏନ ସେନାପତି ଓ ଡାକ୍ତର ସୋନାଲି ମହାନ୍ତି, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଡାକ୍ତର ସୁଧାଂଶୁ ଏସ୍ ପାତ୍ର, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସୁଶାନ୍ତ ମିଶ୍ର ଓ ଡାକ୍ତର ରାଜେଶ ଗନ୍ତାୟତ, ରେଡିଓଲୋଜି ବିଭାଗର ଡାକ୍ତର ସତ୍ୟ ଏସ୍‌. ମହାପାତ୍ର ଏବଂ ଆନେସ୍‌ଥେସିଆ ବିଭାଗର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ରୋହନ୍‌ ନାୟକ, ଡାକ୍ତର ଅଶୋକ ଓ ଡାକ୍ତର ମିନଲ୍ ପ୍ରମୁଖ ସାମିଲ ଥିଲେ।

ଏହି ଟିମ୍‌କୁ ଫାର୍ମାସିଷ୍ଟ ସସ୍ମିତା ଓ ପ୍ରଣତୀ ଏବଂ ନର୍ସିଂ ଷ୍ଟାଫ୍ ବିଶ୍ୱରଞ୍ଜନ, ପୁଷ୍ପଲତା, ସ୍ମୃତିରେଖା ଓ ତୋଫାନ୍ ପ୍ରମୁଖ ସାହାଯ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡକ୍ଟରେଟ୍ ଉପାଧି ଲାଭ କଲେ ସମ୍ ହସ୍ପିଟାଲ୍‌ର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଜସ୍ମୀନ ପଣ୍ଡା

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଜସ୍ମୀନ୍‌ ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି। ଶ୍ରୀମତି ପଣ୍ଡା ବିଶ୍ୱବିଦ୍ୟାଳୟର ପୂର୍ବତନ ଆସୋସିଏଟ୍ ପ୍ରଫେସର ତଥା ବର୍ତମାନ ଗୀତମ ୟୁନିଭର୍ସିଟିର ପ୍ରଫେସର ଡ. ଅଭିଷେକ ପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ସନ୍ଦର୍ଭ “ଡ୍ରଗ୍ ୟୁଟିଲାଇଜେସନ୍ ଷ୍ଟଡି ଆଣ୍ଡ ରିସେପ୍ଟର ବେସ୍‌ଡ ଡ୍ରଗ୍ ଡିଜାଇନ୍ ୱିଥ୍ ସିନ୍ଥେସିସ୍ ଆଣ୍ଡ ବାୟୋଲୋଜିକାଲ୍ ଇଭାଲୁଏସନ୍ ଅଫ୍ ଆଂଟିଡିପ୍ରେସାଂଟ ଫ୍ଲେଭାରଏଡ୍ସ” ଜାଜନ୍  ୟୁନିଭର୍ସିଟି, ସାଉଦି ଆରବିଆର ପ୍ରଫେସର ଡ. ଏସ୍ ଦୁର୍ଗାରମଣୀ ଏବଂ ଦିପସାର ୟୁନିଭର୍ସିଟି ନୂଆଦିଲ୍ଲୀର ପ୍ରଫେସର ଡ. ପ୍ରଭାତ କୁମାର ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି।

ଡକ୍ଟର ଜସ୍ମୀନ୍ ପଣ୍ଡା ପୁରୀ ସିପସୁରବାଟି ନିବାସୀ ଅବସରପ୍ରାପ୍ତ ଆସିଷ୍ଟାଂଟ ଇଞ୍ଜିନିୟର, ଶିବରାମ୍ ପଣ୍ଡା ଓ ବିଷ୍ଣୁପ୍ରିୟା ପଣ୍ଡାଙ୍କ ଜ୍ୟେଷ୍ଠା କନ୍ୟା ଏବଂ ସର୍ବୋଦୟନଗର, ପୁରୀ ନିବାସୀ ଅବସର ପ୍ରାପ୍ତ ଏଗ୍ରିକଲ୍‌ଚରାଲ୍ ଅଫିସର ସ୍ୱର୍ଗତଃ ନୃସିଂହ ଚରଣ ପଟ୍ଟନାୟକ ଓ ଅବସର ପ୍ରାପ୍ତ ବିଏସ୍‌ଏନ୍‌ଏଲ୍ ଇଞ୍ଜିନିୟର ସ୍ୱର୍ଗତଃ ରଶ୍ମୀରେଖା ଦାସଙ୍କ କନିଷ୍ଠ ପୁତ୍ରବଧୁ ଅଟନ୍ତି।

ଏହି ସଫଳତା ପାଇଁ ସେ ତାଙ୍କ ସ୍ୱାମୀ ଡ. ସୋଭନ୍ ପଟ୍ଟନାୟକ (ଆସୋସିଏଟ୍ ପ୍ରଫେସର, ଏସ୍‌ପିଏସ୍ ସୋଆ ୟୁନିଭର୍ସିଟି), ସାନ ଭାଇ ଶ୍ରୀ ବ୍ୟୋମକେଶ ପଣ୍ଡା (ଆସିଷ୍ଟାଂଟ ମ୍ୟାନେଜର, ଓଟିଡିସି, ପୁରୀ), ଦେଢ଼ଶୁର ଡ. ଗୁରୁଦତ ପଟ୍ଟନାୟକ (ଡିନ୍‌, ସିୟୁଟିଏମ୍  ୟୁନିଭର୍ସଟି, ଭୁବନେଶ୍ୱର), ଝିଅ ଶ୍ରେୟାଶି ତଥା ସମସ୍ତ ପରିବାର ବର୍ଗ ଓ ସୋଆର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା। ଡେକ୍ସଟ୍ରୋ ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ ସୁସ୍ଥ କରିପାରିଛନ୍ତି ସମ୍ କାର୍ଡିଓଲୋଜିଷ୍ଟ। ମାତ୍ର ୨.୩ କେଜି ଓଜନ ଓ ୫୦ ରୁ କମ୍ ପ୍ରତିଶତ ଅମ୍ଳଜାନ ସ୍ତର ଥିବା ନବଜାତ ଶିଶୁ କନ୍ୟାଟି ସମ୍ ହସ୍ପିଟାଲ୍‌ର ଏର୍ମଜେନ୍ସିରେ ପହଂଚିବା ପରେ ତା’ର ଅମ୍ଳଜାନ ସ୍ତର ଲଗାତାର କମୁଥିବା ଦେଖି ତୁରନ୍ତ ନବଜାତ ଶିଶୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି।

ଡି-ଟିଜିଏ ଏକ ଜନ୍ମଗତ ତ୍ରୁଟି ଯେଉଁଥିରେ ହୃତପିଣ୍ଡରୁ ରକ୍ତ ସଂଚାଳନ କରୁଥିବା ଦୁଇଟି ମୁଖ୍ୟ ଆର୍ଟେରୀ, ପଲମୋନାରୀ ଆର୍ଟେରୀ ଏବଂ ଆଓର୍ଟା ନିଜର ସ୍ଥାନ ପରିବର୍ତନ କରିଥାନ୍ତି। ଡାକ୍ତର ବେହେରା କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍ ଜରୁରୀକାଳୀନ ବେଲୁନ୍ ଆଟ୍ରିଆଲ୍ ସେପ୍ଟୋଷ୍ଟୋମି (ବାସ) ସହିତ ପାଟେଂଟ ଡକ୍ଟସ୍ ଆର୍ଟେରୀଓସସ୍ (ପିଡିଏ) ଷ୍ଟେଂଟିଙ୍ଗ୍ ମଧ୍ୟ କରିଥିଲେ। ବାସ୍ ଦ୍ୱାରା ହୃତ୍‌ପିଣ୍ଡରେ ଏକ ଛିଦ୍ର ସୃଷ୍ଟି କରାଯାଇଥିଲା ଏବଂ ପିଡିଏସ୍  ଷ୍ଟେଂଟିଙ୍ଗ୍ ଦ୍ୱାରା ଦୁଇଟି ମୁଖ୍ୟ ରକ୍ତ ନଳୀ ଆଓର୍ଟା ଏବଂ ପଲମୋନାରୀ ଆର୍ଟେରୀକୁ ସଂଯୋଗ କରାଯାଇ ପାରିଥିଲା ବୋଲି ଡାକ୍ତର ବେହେରା କହିବା ସହ ଏହା ଦ୍ୱାରା ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା ଏବଂ ତା’ର ଅମ୍ଳଜାନ ସ୍ତର ୪୦ ପ୍ରତିଶତରୁ ୯୫ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ। ଶିଶୁଟିକୁ ଭେଂଟିଲେଟରରେ ରଖାଯିବା ସହ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ଯାଏ ୭ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ରଖାଯାଇଥିଲା।

ଏନ୍‌ଆଇସିୟୁର ଡାକ୍ତର ଜଗଦୀଶ ସାହୁ ଏବଂ ଡାକ୍ତର ଅଭିଲିପ୍‌ସା ଆଚାର୍ଯ୍ୟ ଏବଂ ତାଙ୍କ ଡାକ୍ତରୀ ଟିମ୍ ଶିଶୁଟିକୁ ସୁସ୍ଥ କରାଇବାରେ ସମସ୍ତ ଯତ୍ନ ନେଇଥିଲେ। ଶିଶୁଟି ସୁସ୍ଥ ହେବା ପରେ ତାକୁ ଥିରୁଭାନନ୍ତପୁରମ୍ ସ୍ଥିତ ଶ୍ରୀ ଚିତ୍ରା ତିରୁନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ଟେକ୍ନୋଲୋଜିକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ତା’ର ଆଉ ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଆମ ରାଜ୍ୟରେ ହୁଏତ ପ୍ରଥମ ଥର ପାଇଁ ଏଭଳି ନବଜାତ ଶିଶୁର ହୃତ ଚିକିତ୍ସା କରାଯାଇଥିବା ଡାକ୍ତର ବେହେରା କହିଛନ୍ତି।

ଡି-ଟିଜିଏ ରୋଗ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହା ଏକ ଜୀବନ ହାନିକାରକ ଜନ୍ମଗତ ହୃଦ୍‌ରୋଗ ଯାହାକି ଜନ୍ମ ହେବାର କିଛି ଦିନ ମଧ୍ୟରେ ଦେଖାଦେଇଥାଏ। ଏଭଳି ପରିସ୍ଥିତିରେ ଶିଶୁଟି ହଠାତ୍ ନୀଳ ପଡିଯାଏ, ଅସୁସ୍ଥ ଅନୁଭବ କରେ ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତା’ର ଅମ୍ଳଜାନ ସ୍ତର ୯୦ % ତଳକୁ ଖସିଯାଏ। ଏଥି ନିମନ୍ତେ ତୁରନ୍ତ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ଓ ଚିକିତ୍ସା କରିବା ଜରୁରୀ।

ଓଡ଼ିଶାରେ ଏଭଳି ନବଜାତ ଶିଶୁଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ନେଇ ଖୁବ୍ କମ୍ ସଚେତନତା ଦେଖାଦେଇଥାଏ ଏବଂ ଅନେକ ଶିଶୁ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ବିନା ମୃତ୍ୟୁବରଣ କରିଥାନ୍ତି ବୋଲି ସେ କହିଛନ୍ତି। ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏଭଳି ହୃଦରୋଗର ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ। ତେଣୁ ଏହି ସୁଯୋଗ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଂଚାଇହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ହେଉଛି ଗଣ୍ଠିରେ ପ୍ରଦାହ ବା ଇନ୍‌ଫ୍ଲାମେସନ୍। ଏହା ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ୱ ଆର୍ଥ୍ରାଇଟିସ  ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଥିବା ବେଳେ ଏହା ସଂକ୍ରମକ ନୁହେଁ। କିନ୍ତୁ ଯଥାଶୀଘ୍ର ଚିକିତ୍ସା ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକ ରୋଗ ମୁକ୍ତ ହୋଇପାରିବେ ବୋଲି ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମରେ ୬୦ ରୁ ଊର୍ଦ୍ଧ୍ୱ ରୋଗୀ ଉପସ୍ଥିତ ଥିଲେ। ର‌୍ୟୁମାଟୋଲୋଜି ହେଉଛି ଏହି ରୋଗର ମୁକାବିଲା କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଜ୍ଞାନର ଏକ ନୂତନ ବିଭାଗ। ମୁଖ୍ୟତଃ ମହିଳମାନେ ଏହି ରୋଗରେ ଅଧିକ ରୋଗାକ୍ରାନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ଅନିୟମିତ ଜୀବନଶୈଳୀ ତଥା ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଏହି ରୋଗର ମୁଖ୍ୟ କାରଣ ଯାହାକି ବର୍ତ୍ତମାନ ଆଧୁନିକ ବିଶ୍ୱରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଲୋକମାନେ ଏହି ସବୁଥିରୁ ନିବୃତ ରହିବା ପାଇଁ ବାଡି ବଗିଚା ଭଳି କାର୍ଯ୍ୟରେ ସମୟ ଦେବା ଜରୁରୀ ବୋଲି ସେ କହିଛନ୍ତି।

ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର କହିଥିଲେ ଯେ ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗ ଖୁବ୍ କାର୍ଯ୍ୟକ୍ଷମ। ଏଠାରେ ଗୋଟିଏ ଛାତ ତଳେ ଆର୍ଥ୍ରାଇଟିସ୍ ରୋଗୀମାନେ ଉତମ ଚିକିତ୍ସା ପାଇପାରୁଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ନ୍ୟୁଟି ୍ରସନ୍ ଓ ଡାଏଟିକ୍‌ସ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର ଏବଂ ଫିଜିଓଥେରାପିଷ୍ଟ ପ୍ରତିଭା ମହାନ୍ତି ମଧ୍ୟ ଯୋଗ ଦେଇ ରୋଗୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ରୋଗୀମାନଙ୍କୁ ମାଗଣାରେ ପରାମର୍ଶ ଓ ଚିକିତ୍ସା ମଧ୍ୟ କରାଯାଇଥିଲା।