Categories
ବିଶେଷ ଖବର

ସ୍ମୃତି ଇରାନୀ ସମେତ ବିଜେପିର ମହିଳା ସାଂସଦମାନଙ୍କୁ କୁସ୍ତିଯୋଦ୍ଧାଙ୍କ ଖୋଲା ଚିଠି, ଜାଣନ୍ତୁ କ’ଣ ରହିଛି ଦାବି

ନୂଆଦିଲ୍ଲୀ: ଗତ ୨୨ ଦିନ ଧରି ଜନ୍ତର ମନ୍ତ୍ରରରେ ଧାରଣା ଉପରେ ବସିଥିବା କୁସ୍ତିଯୋଦ୍ଧାମାନେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବିଜେପିର ମହିଳା ସାଂସଦମାନଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ କୁସ୍ତିଯୋଦ୍ଧା ମହିଳା ସାଂସଦଙ୍କ ସମର୍ଥନ ଲୋଡିଛନ୍ତି, ଯାହାଫଳରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ, “ବେଟି ବାଚାଓ, ବେଟି ପଢାଓ”ର ସ୍ଲୋଗାନ ଉଠାଇଥିବା ଏହି ମହିଳା ସାଂସଦମାନେ ମଧ୍ୟ ଆମର ଦୁଃଖରେ ଯୋଗଦେବା ଉଚିତ ଏବଂ ଆମକୁ ସମର୍ଥନ କରିବା ଉଚିତ। କେବଳ ଏତିକି ନୁହେଁ, ମେ ୧୬ ତାରିଖରେ ଦେଶର ଜିଲ୍ଲା ମୁଖ୍ୟାଳୟରେ ଏକ ଦିନିଆ ସତ୍ୟାଗ୍ରହ ଆୟୋଜନ କରିବାକୁ ମଧ୍ୟ ଦାବି କରାଯାଇଛି।

ଜନ୍ତର ମନ୍ତ୍ରରରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିନେଶ ଫୋଗାଟ କହିଛନ୍ତି ଯେ, ଆମେ ଏଠାରେ ଧାରଣ ଉପରେ ବସିବାର ୨୨ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ବିଜେପିରୁ କେହି ଆମ ପାଖକୁ ଆସିନାହାଁନ୍ତି। କୌଣସି ମହିଳା ସାଂସଦ ମଧ୍ୟ ଆସି ନାହାଁନ୍ତି। ଯେଉଁମାନେ ବେଟି ବାଚାଓ, ବେଟି ପଢାଓ ସ୍ଲୋଗାନ ଦିଅନ୍ତି, ସେମାନେ ଏହି ଦୁଃଖରେ ଆମ ସହ ଯୋଗ ଦେଇ ନାହାଁନ୍ତି। ସୋମବାର ଦିନ ଆମେ ବିଜେପିର ମହିଳା ସାଂସଦମାନଙ୍କୁ ସାହାଯ୍ୟ ମାଗିବା ପାଇଁ ଏକ ଖୋଲା ଚିଠି ଲେଖିବୁ। ଆମର କୁସ୍ତିଯୋଦ୍ଧାମାନେ ଏହି ପତ୍ରକୁ ସେମାନଙ୍କ ଘରେ ପହଞ୍ଚାଇବେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ସ୍ମୃତି ଇରାନୀ, କହିଲେ ବଡ କଥା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ମରଣ କରି ଭାବପ୍ରବଣ ହୋଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବନ୍ଧୁ ସୁଶାନ୍ତ ତାଙ୍କୁ ଅତି କମରେ ଥରେ ହେଲେ ବି ଫୋନ କରିଥାନ୍ତେ। ସ୍ୱର୍ଗତ ଅଭିନେତାଙ୍କୁ ସ୍ମରଣ କରି ସ୍ମୃତି ଇରାନୀ ବହୁତ ଭାବପ୍ରବଣ ହୋଇଥିଲେ। ଇରାନୀ ନିଜ ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ କହିଥିଲେ ଯେ, ଯେଉଁ ଦିନ ସୁଶାନ୍ତଙ୍କ ଦେହାନ୍ତ ହୋଇଥିଲା, ମୁଁ ଏକ ଭିଡିଓ କନଫରେନ୍ସରେ ଥିଲି। କିନ୍ତୁ ମୁଁ ଏହାକୁ ସଂପୂର୍ଣ୍ଣ କରିପାରିନଥିଲି। ମୁଁ ଭାବିଲି ଯେ, ସେ ମୋତେ କାହିଁକି ଫୋନ କଲେ ନାହିଁ? ସେ ଥରେ ଫୋନ କରିବାର ଥିଲା। ମୁଁ ତାଙ୍କୁ ମଧ୍ୟ କହିଥିଲି ଯେ, ତୁମେ ନିଜକୁ ଶେଷ କରିବା ଉଚିତ୍ ନୁହେଁ।

ପୂର୍ବତନ ଟିଭି ଅଭିନେତା ଇରାନୀ କହିଛନ୍ତି ଯେ, ସେ ସୁଶାନ୍ତ ସିଂ ରାଜପୁତଙ୍କୁ ଜାଣିଥିଲେ। କାରଣ ସେମାନଙ୍କ ସେଟ୍ ବେଳେବେଳେ ମୁମ୍ବାଇର ସମାନ ସ୍ଥାନରେ ଥିଲା। ୨୦୧୩ ଚଳଚ୍ଚିତ୍ର ‘କୋଇ ପୋ ଚେ’ ରେ ସୁଶାନ୍ତ ସିଂ ରାଜପୁତଙ୍କ ସହ କାମ କରିଥିବା ଅଭିନେତା ଅମିତ ସାଧଙ୍କ ବିଷୟରେ ଇରାନୀ କହିଛନ୍ତି ଯେ, “ମୁଁ ଅମିତଙ୍କ ବିଷୟରେ ତୁରନ୍ତ ଚିନ୍ତା ଅନୁଭବ କଲି। ମୁଁ ଅମିତଙ୍କୁ ଫୋନ କରିଥିଲେ ଏବଂ ସେ କିପରି ଅଛନ୍ତି ବୋଲି ପଚାରିଥିଲି।

ସ୍ମୃତି ଇରାନୀ କହିଛନ୍ତି ଯେ, ଅଭିନେତା ଅମିତ ବହୁତ ବିବ୍ରତ ଥିଲେ। ସେ ତାଙ୍କୁଙ୍କୁ କହିଥିଲେ ଯେ, ସୁଶାନ୍ତ କ’ଣ କରିଦେଲା? ମୁଁ ଆଉ ରହିବାକୁ ଚାହେଁ ନାହିଁ। ସ୍ମୃତି ଇରାନୀ କହିଛନ୍ତି ଯେ, ଯେତେବେଳେ ମୁଁ ଅମିତଙ୍କୁ ଅଧିକ ପ୍ରଶ୍ନ ପଚାରିଲି, ସେ ବିରକ୍ତ ହେଲେ ଏବଂ ସେ ପଛକୁ ଫେରି କହିଲେ, କଣ ଆପଣଙ୍କର ଅନ୍ୟ କୌଣସି କାମ ନାହିଁ? ପରେ ଅମିତ ଏବଂ ଇରାନୀ ପ୍ରାୟ ୬ ଘଣ୍ଟା ଧରି ଏହି ପ୍ରସଙ୍ଗରେ କଥା ହୋଇଥିଲେ।

ଉଲ୍ଲେଖନୀୟ ଯେ, ଜୁନ୍ ୨୦୨୦ ରେ ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟରେ ୩୪ ବର୍ଷୀୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମିଳିଥିଲା। ତେବେ ଶବ ବ୍ୟବଚ୍ଛେଦ ଆଧାରରେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କରିଥିଲା। ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏହି ମାମଲା ଦାୟର କରିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ପିତା ତାଙ୍କ ପୁଅର ତତ୍କାଳୀନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ତାଙ୍କୁ ଆର୍ଥିକ ତଥା ମାନସିକ ସ୍ତରରେ ହଇରାଣ କରିଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ।

ଅଭିନେତ୍ରୀ ଚକ୍ରବର୍ତ୍ତୀଙ୍କୁ ଅଭିନେତାଙ୍କ ପାଇଁ ଡ୍ରଗ୍ସ ବ୍ୟବସ୍ଥା ଅଭିଯୋଗରେ ସେପ୍ଟେମ୍ବର ୨୦୨୦ ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା। ଏକ ମାସ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗକୁ ନିରର୍ଥକ ବୋଲି ରିୟା ଚକ୍ରବର୍ତ୍ତୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ଝିଅଙ୍କ ବିଷୟରେ ଲଗାଇଲା ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଦଳ ସ୍ମୃତି ଇରାନୀଙ୍କ ଇସ୍ତଫା ତୁରନ୍ତ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବାସ୍ତବରେ ଇରାନୀଙ୍କ ଝିଅ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଉଛି। ଯେଉଁଥିରେ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଚାଲୁଥିବା ବାରରେ ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଏହି ଲାଇସେନ୍ସକୁ ନକଲି ଢଙ୍ଗରେ ଦିଆଯାଇଛି। ଯାହାର ଅନୁସନ୍ଧାନ କରାଯିବା ଉଚିତ୍।

କଂଗ୍ରେସ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇରାନୀଙ୍କ ଇସ୍ତଫା ଦାବିକରିଛୁ। ଏହା ଇରାନୀଙ୍କ ବିରୁଦ୍ଧରେ ଅଭିଯୋଗ ନୁହେଁ, ଏହା ସମ୍ପୂର୍ଣ୍ଣ ଦଲିଲ ଯାହା ଆରଟିଆଇରୁ ନିଆଯାଇଛି। ଗୋଆରେ ଚାଲୁଥିବା ଏକ ବାରରେ ସ୍ମୃତି ଇରାନୀଙ୍କ ଝିଅଙ୍କ ଦ୍ଵାରା ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। ଏହା ବେଆଇନ ଭାବରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମରେ ଏହି ଲାଇସେନ୍ସ ନିଆଯାଇଛି। ଗୋଆର ନିୟମ ଅନୁଯାୟୀ ରେଷ୍ଟୁରାଣ୍ଟକୁ ଏକ ଲାଇସେନ୍ସ ମିଳିପାରିବ।

Categories
ଜାତୀୟ ଖବର ବିଶେଷ ଖବର

କରୋନାରେ ବେସାହାରା ହୋଇପଡିଥିବା ପିଲାଙ୍କୁ ମିଳିଲା ପିଏମ କେୟାର୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କରୋନା ମହାମାରୀରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପିଲାମାନଙ୍କ ଜୀବନର ସବୁଠୁ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଥିଲେ। ସବୁଦିନ ଏକ ନୂଆ ସଂଘର୍ଷ, ଏକ ନୂଆ ଆହ୍ୱାନ ଆସିଥାଏ, ଆଜି ଆମ ସହ ଯେଉଁ ପିଲାମାନେ ରହିଛନ୍ତି, ଯେଉଁମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ସେମାନଙ୍କର ଯନ୍ତ୍ରଣା ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ, ଭାବବିହ୍ୱଳ ହୋଇ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ। ପିଲାମାନଙ୍କୁ ସେ କହିଥିଲେ ଯେ, ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପରିବାରର ସଦସ୍ୟ ଭାବେ ସେ ଏ କଥା କହୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଏଭଳି ପରିସ୍ଥିତିରେ, କରୋନା ମହାମାରୀ କାରଣରୁ ନିଜ ମାତା ଓ ପିତାଙ୍କୁ ହରାଇଥିବା ପିଲାମାନଙ୍କ ଯନ୍ତ୍ରଣା ଦୂର କରିବା ଲାଗି ପିଲାଙ୍କ ଲାଗି ପିଏମ କେୟାର୍ସ ଯୋଜନା ଏକ ଛୋଟିଆ ପ୍ରୟାସ। ପ୍ରତ୍ୟେକ ଦେଶବାସୀ ସର୍ବାଧିକ ସମ୍ବେଦନଶୀଳତାର ସହିତ ଆପଣମାନଙ୍କ ସହିତ ରହିଛନ୍ତି, ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନା ଏହାର ଏକ ପ୍ରତିଫଳନ।’’ ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ଯଦି ଉଚ୍ଚ ଶିକ୍ଷା କିମ୍ବା ବୃତ୍ତିଗତ ଶିକ୍ଷା ପାଇଁ କେହି ପିଲା ଯଦି ଶିକ୍ଷା ଋଣ ଚାହୁଁଛନ୍ତି, ତା’ହେଲେ ପିଏମ କେୟାର୍ସ ସେଥିରେ ମଧ୍ୟ ସହାୟତା ଯୋଗାଇ ଦେବ।

ଅନ୍ୟାନ୍ୟ ଦୈନିକ ଆବଶ୍ୟକତା ପାଇଁ, ଅନ୍ୟ ଯୋଜନାଗୁଡ଼ିକ ମାଧ୍ୟମରେ ମାସିକ ୪ ହଜାର ଟଙ୍କାର ସହାୟତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାଛଡ଼ା ପିଲାମାନେ ୨୩ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ପିଲାମାନଙ୍କୁ ଆୟୁଷ୍ମାନ କାର୍ଡ ଜରିଆରେ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ମଧ୍ୟ ମିଳିବ। ମାନସିକ ଏବଂ ଭାବନାତ୍ମକ ସହାୟତା ପାଇଁ ସମ୍ବାଦ ହେଲ୍ପଲାଇନ ଜରିଆରେ ଭାବନାତ୍ମକ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ।

ମହାମାରୀର ସବୁଠୁ ଯନ୍ତ୍ରଣାଦାୟକ ପ୍ରଭାବକୁ ସାହସର ସହିତ ସମ୍ମୁଖିନ ହେଉଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ସଲାମ୍ କରିଥିଲେ। ଏଥିସହିତ ସେ କହିଥିଲେ ଯେ ଜୀବନର ସବୁଠୁ ପ୍ରିୟ ଅଭିଭାବକଙ୍କୁ ହରାଇବାର କ୍ଷତିକୁ କୌଣସି ପ୍ରକାରରେ ଭରଣା କରାଯାଇ ପାରିବ ନାହିଁ । ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ଆପଣମାନଙ୍କ ଭଳି ସବୁ ସନ୍ତାନଙ୍କ ସହିତ ମା’ ଭାରତୀ ଛିଡ଼ା ହୋଇ ରହିଛି । ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନା ଜରିଆରେ ଦେଶ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରୁଛି ବୋଲି ସେ କହିଥିଲେ।

ମହାମାରୀ ସମୟରେ ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶିତ କରିଥିବା ଅନୁକମ୍ପା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଭାବିତ ଲୋକମାନଙ୍କ କଲ୍ୟାଣ ପାଇଁ ଯୋଗଦାନ ଦେଇଥିବା ଲୋକମାନଙ୍କୁ ସେ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ମହାମାରୀ ସମୟରେ ଡାକ୍ତରଖାନା ପ୍ରସ୍ତୁତ କରିବା, ଭେଣ୍ଟିଲେଟର କିଣିବା ଏବଂ ଅକ୍ସିଜେନ ପ୍ଲାଣ୍ଟ ବସାଇବାରେ ଏହି ପାଣ୍ଠି ବିଶେଷ ସହାୟକ ହୋଇଥିଲା। ଏହି କାରଣରୁ ବହୁ ସଂଖ୍ୟାରେ ଜୀବନ ରକ୍ଷା କରାଯାଇ ପାରିଲା ଏବଂ ଭବିଷ୍ୟତରେ ଆହୁରି ଅନେକ ପରିବାରକୁ ରକ୍ଷା କରାଯାଇ ପାରିବ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ, ହତାଶାର ସବୁଠୁ ଅନ୍ଧକାରମୟ ସମୟରେ, ଯଦି ଆମେ ନିଜ ଉପରେ ବିଶ୍ୱାସ ରଖିବା, ତା’ହେଲେ ନିଶ୍ଚିତ ଭାବେ ଆଶାର ଏକ ଆଲୋକ ଦେଖାଯିବ। ସେ କହିଥିଲେ ଯେ ଆମ ଦେଶର ଏହାର ସବୁଠୁ ବଡ଼ ଉଦାହରଣ। ହତାଶାକୁ ବିଫଳତାରେ ପରିଣତ ହେବାକୁ ନଦେବା ଲାଗି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଗୁରୁଜନ ଓ ସେମାନଙ୍କ ଶିକ୍ଷକଙ୍କ ଉପଦେଶ ଶୁଣିବା ଲାଗି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏଭଳି କଷ୍ଟକର ସମୟରେ, ଭଲ ପୁସ୍ତକ ଆପଣମାନଙ୍କର ଭରସାଯୋଗ୍ୟ ବନ୍ଧୁ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନିରୋଗ ରହିବା ସହିତ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ଅଭିଯାନରେ ସମ୍ପୃକ୍ତ ହେବା ଓ ନେତୃତ୍ୱ ନେବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ସେମାନଙ୍କୁ ଯୋଗ ଦିବସରେ ଅଂଶଗ୍ରହଣ କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ନକାରାତ୍ମକ ପରିବେଶରେ ଭାରତ ନିଜ ସାମର୍ଥ୍ୟ ଉପରେ ଭରସା କରିଛି । ‘‘ଆମେ ଆମ ବୈଜ୍ଞାନିକ, ଡାକ୍ତର ଏବଂ ଆମର ଯୁବପିଢ଼ି ଉପରେ ବିଶ୍ୱାସ ରଖିଛୁ। ବିଶ୍ୱ ପାଇଁ ଏକ ଚିନ୍ତା ନୁହେଁ, ବରଂ ଏକ ଆଶାର କିରଣ ହୋଇ ଆମେ ଆଗକୁ ଆସିଛୁ। ଆମେ ଏକ ସମସ୍ୟା ନୁହେଁ, ବରଂ ସମାଧାନ ପ୍ରଦାନକାରୀ ଭାବେ ଉଭା ହୋଇଛୁ। ସାରା ବିଶ୍ୱକୁ ଆମେ ଔଷଧ, ଟିକା ପଠାଇଛୁ । ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିଲେ ସୁଦ୍ଧା, ସବୁ ନାଗରିକଙ୍କ ନିକଟରେ ଆମେ ଟିକା ପହଞ୍ଚାଇଛୁ,’’ ସେ କହିଥିଲେ । ଆମ ଦେଶ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଅଗ୍ରସର ହେଉଛି ଏବଂ ସାରା ବିଶ୍ୱ ଆମକୁ ଏକ ନୂଆ ଆଶା ଓ ବିଶ୍ୱାସର ଦୃଷ୍ଟିରେ ଚାହିଁ ରହିଛି, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଆଜି, ଯେତେବେଳେ ଆମ ସରକାର ୮ ବର୍ଷ ପୂରଣ କରୁଛି, ଦେଶର ଆତ୍ମବିଶ୍ୱାସ ଓ ଦେଶବାସୀଙ୍କ ଆତ୍ମବିଶ୍ୱାସ ଏକ ଅଭୂତପୂର୍ବ ସ୍ଥିତିରେ ରହିଛି। ୨୦୧୪ ପୂର୍ବରୁ ଦେଶ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଭ୍ରଷ୍ଟାଚାର, ପରିବାରବାଦ, ଦେଶବ୍ୟାପୀ ଆତଙ୍କବାଦୀ ସଂଗଠନର ପ୍ରଭାବ ଏବଂ ଆଞ୍ଚଳିକ ଭେଦଭାବରେ ଛନ୍ଦି ହୋଇ ରହିଥିଲା । ଏବେ ସେହି ଦୁଷ୍ଟ ଚକ୍ର କବଳରୁ ଦେଶ ମୁକ୍ତ ହୋଇସାରିଛି । ‘‘ପିଲାମାନେ ଏହା ମଧ୍ୟ ଆପଣମାନଙ୍କ ପାଇଁ ଏକ ଉଦାହରଣ ଯେ ଦିନେ ନା ଦିନେ ସବୁଠୁ ଖରାପ ଦିନ ବିତିଯିବ’’, ସେ କହିଥିଲେ ।

ସ୍ୱଚ୍ଛ ଭାରତ ମିଶନ, ଜନ ଧନ ଯୋଜନା କିମ୍ବା ହରଘର ଜଲ ଅଭିଯାନ ଏସବୁ କଲ୍ୟାଣମୂଳକ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ନୀତିରେ ଆଗକୁ ବଢ଼ୁଛନ୍ତି । ବିଗତ ୮ ବର୍ଷ ଗରିବଙ୍କ କଲ୍ୟାଣ ଓ ସେବା ପାଇଁ ସମର୍ପିତ ହୋଇ ରହି ଆସିଛି ବୋଲି ସେ କହିଥିଲେ । ‘‘ପରିବାରର ଏକ ସଦସ୍ୟ ଭାବେ, ଆମେ ଦେଶର ଗରିବ ମାନଙ୍କ କଷ୍ଟ ଦୂର କରିବା ଏବଂ ସେମାନଙ୍କ ଜୀବନକୁ ସହଜ କରିବା ଲାଗି ପ୍ରୟାସ କରିଛୁ’’, ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରଯୁକ୍ତିର ବର୍ଦ୍ଧିତ ଉପଯୋଗ ଜରିଆରେ, ସରକାର ଗରିବଙ୍କ ହକ୍ ସୁନିଶ୍ଚିତ କରିଛନ୍ତି । ଏବେ ସବୁଠୁ ଦରିଦ୍ରତମ ଲୋକ ଲାଭ ପାଇବା ନେଇ ଦୃଢ଼ବିଶ୍ୱାସୀ ହୋଇ ରହିଛି, ସେମାନଙ୍କୁ ଲଗାତାର ଭାବେ ଯୋଜନାର ଲାଭ ମିଳୁଛି । ଏହି ବିଶ୍ୱାସ ବଢ଼ାଇବା ଲାଗି ଆମ ସରକାର ଏବେ ୧୦୦% ସଶକ୍ତିକରଣ ପାଇଁ ଅଭିଯାନ ଚଳାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଭାରତ ଯେଉଁ ସଫଳତା ହାସଲ କରିଛି, ସେ ସମ୍ପର୍କରେ କେହି କେବେ କଳ୍ପନା କରିପାରି ନଥିଲେ । ଆଜି ସାରା ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଇଛି, ବିଶ୍ୱ ମଞ୍ଚରେ ଭାରତର ଶକ୍ତି ବଢ଼ିଛି । ଭାରତର ଏହି ଯାତ୍ରାକୁ ଭାରତର ଯୁବପିଢ଼ି ଆଗେଇ ନେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ‘‘ନିଜର ସ୍ୱପ୍ନ ପୂରଣ କରିବା ଦିଗରେ ନିଜ ଜୀବନକୁ ସମର୍ପି ଦିଅ, ତାହା ନିଶ୍ଚିତ ଭାବେ ସାକାର ହୋଇପାରିବ’’, ପ୍ରଧାନମନ୍ତ୍ରୀ କହିଥିଲେ ।

Categories
ବିଶେଷ ଖବର

ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି କେତେ?, ଜାଣନ୍ତୁ ରାଜ୍ୟସଭାରେ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ମହିଳା ବିରୋଧୀ ହିଂସା ଘଟଣାର ନିରାକରଣ ପାଇଁ ‘ୱାନ ଷ୍ଟପ୍‌ ସେଣ୍ଟର’ ଖୋଲିବା ଏବଂ ପରିଚାଳନା କରିବା ଲାଗି ଏହି ଅର୍ଥ ବିନିଯୋଗ କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି।

ନିର୍ଭୟା ପାଣ୍ଠି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ଇରାନୀ କହିଥିଲେ ଯେ, ମହିଳାଙ୍କ ବିରୋଧରେ ହିଂସା ଘଟଣାର ନିରାକରଣ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ନିର୍ଭୟା ପାଣ୍ଠି ମାଧ୍ୟମରେ ଏସବୁ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏବେ ସୁଦ୍ଧା ନିର୍ଭୟା ପାଣ୍ଠିରେ ୬୨୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ୪୩୬୬.୮୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଜାରି କରାଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟତଃ ଚାହିଦା ଆଧାରରେ ନିର୍ଭୟା ପାଣ୍ଠିର ଅର୍ଥ ବିନିଯୋଗ କରାଯାଇଥାଏ। ନିର୍ଭୟା ପାଣ୍ଠିର ବ୍ୟବସ୍ଥା ଅନୁଯାୟୀ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରାଯାଇଛି। ପାଣ୍ଠି ଅଧୀନରେ ବରାଦ ହେଉଥିବା ଅର୍ଥ ବ୍ୟୟ କରିବା ନିମନ୍ତେ ଏହି କମିଟିକୁ ଅବଗତ କରାଯାଇଥାଏ ଏବଂ କମିଟି ଏଥିପାଇଁ ଆବଶ୍ୟକ ସୁପାରିସ ମଧ୍ୟ କରିଥାଏ। ନିର୍ଭୟା ପାଣ୍ଠି ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ମଧ୍ୟ ଏହି କ୍ଷମତାପ୍ରାପ୍ତ କମିଟି ଅନୁଧ୍ୟାନ କରିଥାଏ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଶାସନ ସ୍ତରରେ ମଧ୍ୟ ଯୋଜନା କାର୍ଯ୍ୟକାରିତାର ଅନୁଧ୍ୟାନ ଏବଂ ନିରୀକ୍ଷଣ କରାଯାଇଥାଏ। ତେବେ ନିର୍ଭୟା ପାଣ୍ଠି ଅଧୀନରେ ଅଧିକାଂଶ ପ୍ରକଳ୍ପ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ। ମଞ୍ଜୁରି ପ୍ରାପ୍ତ ଅବଧି ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ତୃଣମୂଳ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି।

ଏପରି କେତେକ ଯୋଜନା ରହିଛି ଯାହାର ଆବର୍ତ୍ତି ବ୍ୟୟ ରହିଛି। ଏଥିପାଇଁ ବିନିଯୋଗ ପ୍ରମାଣପତ୍ର (ୟୁସି) ଏବଂ ଖର୍ଚ୍ଚର ବିବରଣୀ ଦାଖଲ କରିବା ପରେ ମନ୍ତ୍ରଣାଳୟ ପକ୍ଷରୁ ପାଣ୍ଠି ଆବଣ୍ଟନ କରାଯାଇଥାଏ।  ରାଜ୍ୟ ଏବଂ କାର୍ଯ୍ୟକାରୀ ଏଜେନ୍ସିମାନେ ବିନିଯୋଗ ପ୍ରମାଣପତ୍ର ଦାଖଲ କରିଥାନ୍ତି। ଯେଉଁ ଆର୍ଥିକ ବର୍ଷରେ ପ୍ରାରମ୍ଭିକ ପାଣ୍ଠି ଆବଣ୍ଟନ କରାଯାଇଥାଏ ସେହି ବର୍ଷ ପରବର୍ତ୍ତୀ ୧୨ ମାସ ମଧ୍ୟରେ ୟୁସି ଦାଖଲ କରିବାର ନିୟମ ରହିଛି। ତେଣୁ କେତେକ କ୍ଷେତ୍ରରେ ୟୁସି ମିଳିବାରେ ବିଳମ୍ବ ହୋଇଥିବାରୁ ଖର୍ଚ୍ଚ ପରିମାଣ ଅଧିକ ହେବାର ସମ୍ଭାବନା ରହିଛି । କୋଭିଡ୍‌ ୧୯ କାରଣରୁ ଯୋଜନା ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ବାଧା ଉତ୍ପନ୍ନ ହୋଇଛି। ଏହି କାରଣରୁ ଯୋଜନାରେ ଆବଣ୍ଟିତ ହୋଇଥିବା ଅର୍ଥର ବାସ୍ତବ ବ୍ୟୟ ପରିମାଣ ଅଧିକ ହୋଇପାରେ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।