Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟପାଳଙ୍କ ଦ୍ବାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ଉଦଯାପନ

ଭୁବନେଶ୍ୱର: ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ।

ଏହା ଅସୀମ ଦୁନିଆକୁ ପ୍ରବେଶ ପଥ। ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ। ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ। ପୁସ୍ତକର ଶକ୍ତି ବନ୍ଧୁକର ଗୁଳିଠୁ ବି ଅଧିକ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ପୁସ୍ତକକୁ ଆଦରିବାର ଅର୍ଥ ହେଉଛି ଜ୍ଞାନ ଓ ଧର୍ମକୁ ସମ୍ମାନ କରିବା। ପୁସ୍ତକର ଯାତ୍ରା ମୌଖିକ ମାଧ୍ୟମରୁ ଆରମ୍ଭ କରି ଏଠି ପହଂଚିଛି। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ପୁସ୍ତକ ନୂଆ ରୂପ ନେବାରେ ଲାଗିଛି। ଏହାକୁ ଆପଣେଇବା ହିଁ ଆଜିର ବାସ୍ତବତା ବୋଲି ରାଜ୍ୟପାଳ କହିଛନ୍ତି।

ପଠନାଭ୍ୟାସକୁ ଗୁରୁତ୍ୱ ଦେବା ଦରକାର। ବ୍ୟକ୍ତିଗତ ତଥା ସାମାଜିକସ୍ତରରେ ବେଶୀ ପାଠାଗାର ସ୍ଥାପନ ହେବା ଆବଶ୍ୟକ। ଆମ ଦେଶର ସାହିତ୍ୟର ଏକ ଦୀର୍ଘ ଓ ସମୃଦ୍ଧ ପରଂପରା ରହିଛି। ଓଡ଼ିଆ ସାହିତ୍ୟ ସହ ଅନ୍ୟ ଭାଷାର ସାହିତ୍ୟ ମଧ୍ୟରେ ସଂପର୍କକୁ ଗଠନମୂଳକ ଓ କ୍ରିୟାଶୀଳ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।

ଓଡ଼ିଆ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନ ସମାରୋହରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ.ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ କବିତାର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। କବି ଶ୍ରୀ ରଥଙ୍କ ସହ ଅନୁବାଦକ ଜିତେନ୍ଦ୍ରନାଥ ମିଶ୍ର ମଂଚରେ ଉପସ୍ଥିତ ଥିଲେ। ବିଭାଗୀୟ ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶିଷ୍ଟ ଲେଖିକା ତଥା ରାଜ୍ୟ ସଂଗ୍ରାହାଳୟର ଅଧ୍ୟକ୍ଷା ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଦ୍ୱିତୀୟ ଦିବସରେ କେନ୍ଦ୍ର ପୁରସ୍କାରପ୍ରାପ୍ତ ୫ ସାହିତ୍ୟିକ ସମ୍ମାନିତ

ଭୁବନେଶ୍ୱର: ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସ। ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ ଯେ ପାଠକ ହେଉଛି ପୁସ୍ତକର ବାସ୍ତବ ବିଚାରକ। ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ବହିର ପାଠକୀୟ ଆଦରତା ଅକ୍ଷୁଣ୍ଣ ରହିଛି, ଯାହା ପୁସ୍ତକ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟକୁ ଯଥାର୍ଥ ପ୍ରତିପାଦନ କରୁଛି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟକର ବିଭାଗ ମୁଖ୍ୟ କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ପୁସ୍ତକ ହେଉଛି ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ, ଯାହା ମୃତୁ୍ୟ ପରେ ମଧ୍ୟ ବଞ୍ଚାଇ ରଖିଥାଏ। ପୁସ୍ତକ ମେଳା ହେଉଛି ସାହିତ୍ୟ, ଭାଷା ଓ ସଂସ୍କୃତିର ତି୍ରବେଣୀ ସମ୍ଭାର ଯାହା ମାନବୀୟ ଚେତନା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।

ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କନ୍ନଡ଼ ସାହିତି୍ୟକ ଡ. ମୁଦନାକୁଡ଼ୁ ଚିନ୍ନାସ୍ୱାମୀ, ମରାଠୀ ସାହିତି୍ୟକା ଅନୁରାଧା ପାଟିଲ, ମାଲାୟଲମ୍‌ ସାହିତି୍ୟକା ପି୍ରୟା ଏ. ଏସ୍‌., ବଙ୍ଗଳା ସାହିିତି୍ୟକ ସୁବୋଧ ସରକାର ଏବଂ ତାମିଲ ସାହିତି୍ୟକ ଆର୍‌.ଏନ୍‌. ଜୋଡି କୃଜ୍‌ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା ଓ ସାହିତ୍ୟର ବ୍ୟାପକତା ଓ ସମୃଦ୍ଧତା ଉପରେ ସେମାନେ ଆଲୋକପାତ କରିଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କବି ଜୟନ୍ତ ମହାପାତ୍ରଙ୍କ ପ୍ରତି ଉତ୍ସର୍ଗୀକୃତ ଅରୁଣ ଚନ୍ଦ୍ର ସାହୁଙ୍କ ଇଂରାଜୀ କବିତା ‘ଦି ବଟରଫ୍ଲାଏ ଅଫ୍‌ ଦି କେଜ୍‌’, ଭାନୁମତି ସାହୁଙ୍କ ଉପନ୍ୟାସ ‘ମୁଁ ବିକର୍ଣ୍ଣ’, ପଦ୍ମାଳୟା ପାଢ଼ୀଙ୍କ ଗଳ୍ପ ସଂକଳନ ‘ରକ୍ଷା କବଚ’, ଶିଶୁ ଲେଖିକା ଶୈଳବାଳା ରାଉତଙ୍କ ଗଳ୍ପ ସଂକଳନ ‘କେଦାରନାଥ’ ଓ ଶିଶୁ ଉପନ୍ୟାସ ‘ଗୁରବେ ନମଃ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ପୁସ୍ତକମେଳା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ଆୟୋଜିତ ହୋଇଛି। ଏହି ମେଳାରେ ୫୭୨ଟି ଷ୍ଟଲ ରହିଛି। ଏଥିରେ ବିଭିନ୍ନ ରାଜ୍ୟର ପ୍ରକାଶକମାନେ ସେମାନଙ୍କ ପୁସ୍ତକ ପ୍ରଦର୍ଶନ ଏବଂ ବିକ୍ରୟ କରୁଛନ୍ତି। ଏହି ମେଳା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ।

ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମଧୁମିତା ମହାନ୍ତି ଓ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାଚୀ ତାରା ସଂସ୍ଥା ଦ୍ୱାରା ଫକୀର ମୋହନ ସେନାପତିଙ୍କ ଡାକ୍‌ମୁନ୍‌ସୀର ଗଳ୍ପାୟନ ପରିବେଷିତ ହୋଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦଯାପିତ ହେଲା ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର: ଡିସେମ୍ବର ୯ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହୋଇଥିବାରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ “ଅକ୍ଷର” ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପୁସ୍ତକ ମହୋତ୍ସବରେ ଯୋଗଦେଇମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ପୁସ୍ତକ ଜରିଆରେ ବିଶ୍ୱକୁ ଦେଖିବାରେ ଏକ ପରିବ୍ୟାପ୍ତ ଜୀବନକୁ ଲମ୍ଫ ପ୍ରଦାନ କରିବାକୁ ହୋଇଥାଏ। ପୁସ୍ତକ, ପାଠକମାନଙ୍କୁ ସୁବିଚାର ସହ ସେମାନଙ୍କର ଜୀବନକୁ ନିଖୁଣ କରି ଗଢିବାରେ ସହାୟକ ହୋଇଥାଏ।

ପାଠକ ପାଠିକାମାନଙ୍କର ପାଠକୀୟ ଅନୁରାଗ ବା କ୍ରେତାଙ୍କ ଆବେଗକୁ ନେଇ ଲେଖକମାନଙ୍କର ଲେଖା ଦ୍ୱାରା ପ୍ରକାଶକମାନେ ପୁସ୍ତକ ପ୍ରକାଶନ ପାଇଁ ଉତ୍ସାହିତ ହୁଅନ୍ତି । ଅନୁଷ୍ଠିତ ୪ର୍ଥ ପୁସ୍ତକ ମହୋତ୍ସବ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହିତ ଆସନ୍ତା ବର୍ଷ ୫ମ ପୁସ୍ତକମେଳାକୁ ଆହୁରି ନୂଆ କରି ଅଧିକ ଭଲ ଭାବରେ ଆୟୋଜନ କରିବାକୁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, ୧୦ ଦିନ ଧରି ଚାଲିଥିବା ଏହି ପୁସ୍ତକ ମହୋତ୍ସବ ସବୁ ଦିଗରୁ ସଫଳ ହୋଇଛି। ୨ ବର୍ଷ କରୋନା ସଂକ୍ରମଣ କଟକଣା ଫଳରେ ସାହିତ୍ୟିକଙ୍କ ପାଇଁ ନିରାଶା ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପୁସ୍ତକମେଳା ନେଇ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହୋଇଥିଲା। ପୁସ୍ତକ ମେଳା ସହିତ ଯୋଡି ହୋଇ ରହିଥିବା ସାହିତ୍ୟିକ, ଲେଖକ, ପାଠକ,ପାଠିକା, ପ୍ରକାଶକଙ୍କ ସହିତ ମେଳାରେ ବହୁ ଜନସମାଗମ ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ପୁସ୍ତକ ପଠନମାଧ୍ୟମରେ ପୁସ୍ତକ ଭିତରେ ଥିବା ବିଭିନ୍ନ ଚରିତ୍ର ସଂପର୍କରେ ଜାଣିବା ଓ ଦେଶ ବିଦେଶ ସଂପର୍କରେ ଅଧିକରୁ ଅଧିକ ଅବଗତ ହେବା ଦ୍ୱାରା ପାଠକର ଚରିତ୍ର ଗଠନ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥାଏ ଓ ସେମାନେ ଦେବୋପମ ଗୁଣର ଅଧିକାରୀ ହୋଇଥାନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ସମସ୍ତ ସହଯୋଗୀ ଆୟୋଜକ ଅନୁଷ୍ଠାନ ଓ ପୁସ୍ତକ ପ୍ରକାଶକମାନଙ୍କର ସହଯୋଗ ଯୋଗୁଁ ପୁସ୍ତକମେଳା ସଫଳ ହୋଇଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ପୁସ୍ତକ ମେଳାର ସଫଳ ଆୟୋଜନ ପାଇଁ ରାଜଧାନୀ ପୁସ୍ତକ ମେଳାର ସଭାପତି ଡଃ. ଉପେନ୍ଦ୍ର କୁମାର ଜେନା, ସଂପାଦକ ଶ୍ରୀ ବିଧୁଭୂଷଣ ପଟ୍ଟନାୟକ, ଆବାହକ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ଡଃ. ପୀତବାସ ରାଉତରାୟ ଓ ସଂପାଦକ ଶ୍ରୀ ଭାସ୍କର ଜେନା, ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର କାର‌୍ୟ୍ୟକାରୀ ସଭାପତି ଶ୍ରୀ ଗଙ୍ଗାଧର ତ୍ରିପାଠୀଓ ସାଧାରଣ ସଂପାଦକ ଶ୍ରୀ ଶୁଭେନ୍ଦୁ ଶେଖର ରଥଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ପୁସ୍ତକ ମହୋତ୍ସବ ଆୟୋଜନରେ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ୧୦ ଦିନ ମଧ୍ୟରେ ଶତାଧିକ ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ଆୟୋଜକ ଓ ପ୍ରକାଶକମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଉଦଯାପନୀ ସଂଧ୍ୟାରେ ଉଦଯାପନୀ ମଂଚରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ୟାପନୀ ସଂଧ୍ୟାର ଶୁଭାରମ୍ଭ କରାଯାଇଥିଲା। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସ୍ୱାଗତ ସଂଗୀତ ପରିବେଷଣ ପରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଅତିଥିମାନଙ୍କୁ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଏବଂ ଗାଳ୍ପିକ ଶ୍ରୀ ମଧୁସୂଦନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅନ୍ୟତମ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ , ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଚାଟାର‌୍ୟୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ- ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ପୁସ୍ତକ ମହୋତ୍ସବରେ “ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର: ଯେଉଁଠି ସଭ୍ୟତା ଥାଏ, ସେଠାରେ ଲୋକ ସାହିତ୍ୟ ରହିଥାଏ। ଆମ ଦେଶର ସଭ୍ୟତା ବହୁ ପ୍ରାଚୀନ। ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକ ସାହିତ୍ୟ ତାର ଅସ୍ତିତ୍ୱ ହରାଉଥିବା ବେଳେ ଆମ ଭାରତୀୟ ଲୋକ ସାହିତ୍ୟ ବଞ୍ଚି ରହିଛି। ଏହି ସାହିତ୍ୟକୁ ଆଦର କରିବାରେ ସମସ୍ତଙ୍କର ପ୍ରସାସ ରହିବା ଆବଶ୍ୟକ ବୋଲି ଆଜି ବକ୍ତାମାନେ ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର” ର ୫ ମ ଦିନ ସଂଧ୍ୟାରେ ” ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ବିଷୟରେ ଆଲୋଚନା ସଭାରେ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ କାଶ୍ମୀର ସାହିତ୍ୟିକ ସୌଫି ସୌକ୍ ଯୋଗଦେଇ କହିଲେ ଯେ, ଲୋକ ସାହିତ୍ୟ ୭୦୦ ବର୍ଷରୁ ଊର୍ଦ୍ଧ୍ୱ ପୂରୁଣା , ଯାହା ପିଢି ପରେ ପିଢି କଥିତ ଓ ଲିଖିତ ଭାବରେ ବିଭିନ୍ନ ଭାଷାରେ ଉପଲବ୍ଧ ହୋଇ ଆସିଛି। ପୂର୍ବରୁ ଇତିହାସ ଓ ଲୋକକଥା ଏକାଠି ବର୍ଣ୍ଣିତ ହେଉଥିଲା। କେନ୍ଦ୍ର ଏସିଆରୁ ବହୁ ଲୋକକଥା ଆସିଛି।

କାଶ୍ମିରୀବାସୀଙ୍କୁ ପରିଚୟ ଲୋକ କଥା ହିଁ ଦେଇଛି। ବିଭିନ୍ନ ସମୟରେ କାଶ୍ମୀର ଆକ୍ରମଣ ପରବର୍ତ୍ତୀ ଶାସକମାନଙ୍କର ରାଜ୍ୟ ଜୟ ଆଦି କଥା ବିଭିନ୍ନ ଲୋକ ସାହିତ୍ୟ ଭାବରେ ପରିଚିତି ଲାଭ କରିଥିଲା । ଗାନ୍ଧାର ସଂସ୍କୃତି, ରାଜା ମହାରାଜା ଓ ପରୀ ରାଇଜର କାହାଣୀ, ଏସୀୟ ଦେଶର ଲୋକ କଥା ତାମିଲନାଡୁ, କେରଳର ଓ ବିଭିନ୍ନ ପ୍ରଦେଶର ଲୋକେ କାଶ୍ମିର ଯିବା ଫଳରେ ଏବଂ ଅନ୍ୟ ଭାଷାକୁ ରୂପାନ୍ତରିତ ହେବା ଫଳରେ ଲୋକ ସାହିତ୍ୟର ପ୍ରଚାର ପ୍ରସାର ଘଟିଥିଲା ।

ଏହି ଲୋକ ସାହିତ୍ୟକୁ ଚିହ୍ନିବା, ଜାଣିବା ଓ ପୁନରୁଦ୍ଧାର ପାଇଁ ସମସ୍ତେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ପ୍ରସିଦ୍ଧ ସାହିତ୍ୟିକ ସୌଫି ସୌକ୍ ପ୍ରକାଶ କରିଥିଲେ।
ଆଲୋଚନା ଚକ୍ରରେ ବିଶିଷ୍ଟ ଅତିଥି ଭାବେ ଓଡିଆ ସାହିତ୍ୟିକ ଶ୍ରୀ ହରପ୍ରସାଦ ଦାସ ଯୋଗଦେଇ କହିଲେ ଯେ,ସଂସ୍କୃତ କାବ୍ୟ ସାହିତ୍ୟର ମହାକବି କାଳିଦାସ, ଶାରଳା ଦାସଙ୍କ ଆଦିରେ କେତେକ ଚରିତ୍ରରେ ଲୋକ ସାହିତ୍ୟର ବ୍ୟବହାର ରହିଥିଲା ।ସ୍ମରଣୀୟତା, ତତ୍କାଳୀକତା, ଅନ୍ତର୍ପାଠ, ମୌଳିକତା ଆଦି ଲୋକ ସାହିତ୍ୟର ଭାଷା ,ଯେଉଁଥିରେ ଆବେଦନ ଓ ସମ୍ବେଦନଶୀଳତା ରହିଛି।

ଆମ୍ଭେମାନେ ଧିରେ ଧିରେ ଲୋକ ସାହିତ୍ୟକୁ ହରାଇ ବସୁଛେ। ପୂର୍ବେ ଗ୍ରାମ୍ୟ ସଂସ୍କୃତିରେ ଜେଜେ ବାପା, ଜେଜେ ମା’ ମାନେ ଶିଶୁମାନଙ୍କୁ ଲୋକ କଥା କହୁଥିଲେ, ଯାହା ଆଜି ଆଉ ନାହିଁ। ଗାଁର ସ୍ୱପ୍ନ ସହର ହେବା ଯୋଗୁଁ ଲୋକ କଥା ଲୋପ ପାଇବାକୁ ବସିଛି । ଲୋକ ସାହିତ୍ୟକୁ ବଂଚାଇ ରଖିବାରେ ଆମର ପିଲା, ଯୁବପିଢି ଓ ବୟସ୍କ, ସମସ୍ତଙ୍କର ଆଦର ରହିବା ଉଚିତ। ଅନେକ ଲୋକ କଥା ଆମ ଓଡିଆ ଲୋକ ସାହିତ୍ୟରେ ଭରି ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିବା ସହିତ ଓଡିଆ ଲୋକ ସାହିତ୍ୟର ସଂକଳନ ଓ ପ୍ରୟୋଗାତ୍ମକ ଆଲୋଚନା ଏବଂ ଲୋକ ଶ୍ରୁତିରୁ ଲୋକ ସାହିତ୍ୟକୁ ଲୋକଲୋଚନକୁ ଆଣିବାକୁ ପଡିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

କାର‌୍ୟ୍ୟକ୍ରମରେ ସଭାପତିତ୍ୱ କରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ କହିଲେ ଯେ, ଲୋକ କଥା ଲୋକ ଗୀତର ସର୍ବଦା ଆଦର ରହିଛି। ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଲୋକ ସାହିତ୍ୟ ଓଡିଆ ସାହିତ୍ୟର ଅମୂଲ୍ୟ ଧନ। ଲୋକଙ୍କ ମନକୁ ଛୁଇଁବା ଭଳି ଏହି ସାହିତ୍ୟକୁ ଆଦର କରିବା ପାଇଁ ଲୋକ ସାହିତ୍ୟ ପୁସ୍ତକ ଅଧ୍ୟୟନ ସହିତ ପିଢି ପରେ ପିଢି ଏହି ଧାରାକୁ ଆଗକୁ ନେବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ପୁସ୍ତକ ସମସ୍ତଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ୍ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ। ମଂଚାସୀନ ବରେଣ୍ୟ ଅତିଥିମାନଙ୍କୁ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଏବଂ ଉତ୍ତରୀୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଚାଟ୍ଟାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଅଭିନେତ୍ରୀ ତଥା ଉପସ୍ଥାପିକା ଶ୍ରୀମତୀ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡିଆ ଭାଷା ପ୍ରତିଷ୍ଠାନର ସଂପାଦକ ଶ୍ରୀ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ରାଜଧାନୀ ପୁସ୍ତକ ମହୋତ୍ସବ, କବି ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ ‘ପ୍ରତିଫଳନ’ ଉନ୍ମୋଚିତ

ଭୁବନେଶ୍ୱର: ୪ର୍ଥ ଓଡିଶା ରାଜଧାନୀ ପୁସ୍ତକ ମହୋତ୍ସବର ଆଜି ୩ୟ ଦିନରେ “ଅପୂର୍ବା” ପ୍ରକାଶନ ତରଫରୁ ଆୟୋଜିତ ପ୍ରତିଷ୍ଠିତ କବି ଶ୍ରୀ ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ “ପ୍ରତିଫଳନ” ର ଶୁଭ ଉନ୍ମୋଚନ ହୋଇଛିି। ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି ।

କବି ଶ୍ରୀ ମିଶ୍ରଙ୍କ ଦ୍ୱାରା ଲିଖିତ ଉନ୍ମୋଚିତ କବିତା ପୁସ୍ତକ ସକରାତ୍ମକ ପରିବର୍ତ୍ତନଓ ସାମାଜିକ ସଂସ୍କାରଦିଗରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କବିତାରେ ରହିଥିବା ବାର୍ତ୍ତା ଆଗାମୀ ପିଢିକୁ ନୂତନ ଦିଗଦର୍ଶନ ଦେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରି ପୁସ୍ତକର ପାଠକୀୟ ଆଦୃତି କାମନା କରିଥିଲେ। କାର‌୍ୟ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହୃଷିକେଶ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପୁସ୍ତକ ପ୍ରଦର୍ଶନ ‘ଅକ୍ଷର’ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ରେ ଚାଲିଛି ସାହିତ୍ୟ ଅଲୋଚନା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ ୪ର୍ଥ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର” ର ଦ୍ଵିତୀୟ ଦିବସ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମରେ ବକ୍ତାମାନେ ଯୋଗଦେଇ “ ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ ଏବଂ ଓଡ଼ିଆ ନାଟକର ଭବିଷ୍ୟତ” ସମ୍ପର୍କରେ ଆଲୋଚନା କରିଥିଲେ। ମଂଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅରୁନ କମଲ ଓ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଆ ଭାଷା ପ୍ରତିଷ୍ଠାନର କାର‌୍ୟ୍ୟକ୍ରମ ସଂଯୋଜକ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଓଡିଶା ସାହିତ୍ୟ ଏକାଡେମୀର ଉପସଭାପତି ଡକ୍ଟର ସଂଗ୍ରାମ ଜେନା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ଓ ମଂଚାସୀନ ଅତିଥିମାନଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ପ୍ରଦାନ ସହିତ ବରେଣ୍ୟ ସାହିତ୍ୟିକମାନଙ୍କୁ ଉତ୍ତରୀୟରେ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

ନୂଆଦିଲ୍ଲୀ: ‘ନାମ’ର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତିର ସ୍ଵଭାବ ଉପରେ ପ୍ରଭାବ ପକାଇଥାଏ। ‘ନାମ’ ବ୍ୟକ୍ତି ଉପରେ ଗଭୀର ପ୍ରଭାବ ପକାଇଥାଏ। ଅଭିଭାବକମାନେ ନିଜ ସନ୍ତାନର ନାମ ପ୍ରତି ଅତ୍ୟନ୍ତ ଗମ୍ଭୀର। ଝିଅମାନଙ୍କର ‘ନାମ’ ବିଷୟରେ ଗମ୍ଭୀରତା ମଧ୍ୟ ଦେଖାଯାଏ। ଝିଅମାନେ ଦେବୀଙ୍କର ରୂପ ବୋଲି ବିବେଚନା କରାଯାଏ। ନବରାତ୍ରୀ ପର୍ବରେ ଝିଅମାନଙ୍କୁ ପୂଜା କରିବାର ଏକ ପରମ୍ପରା ଅଛି। ଆଜି ଆମେ କିଛି ଭାଗ୍ୟଶାଳୀ ‘ନାମ’ ଅକ୍ଷର ବିଷୟରେ ଆଲୋଚନା କରିବା, ଯେଉଁ ଝିଅମାନଙ୍କର ‘ନାମ’ ଏହି ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ‘ସୌଭାଗ୍ୟବତୀ’ ବୋଲି କୁହାଯାଏ।

ଯେଉଁ ଝିଅମାନଙ୍କର ନାମ “D” ଅକ୍ଷରରୁ ଆରମ୍ଭ ହୁଏ ସେମାନେ ଅତି ନିର୍ଭୟରେ ଏବଂ ସମସ୍ତ କାର୍ଯ୍ୟଗୁଡିକ ଅତି ଦକ୍ଷତାର ସହିତ କରନ୍ତି। ସେମାନେ ବହୁତ କଳାତ୍ମକ। ଶିକ୍ଷା କ୍ଷେତ୍ରରେ ବିଶେଷ ସଫଳତା ପାଇଥାନ୍ତି। ସେମାନେ ନିଜ ଦାୟିତ୍ଵ ଉପରେ ଅତ୍ୟନ୍ତ ଗମ୍ଭୀର। ସେମାନେ କାର୍ଯ୍ୟଗୁଡିକୁ ନିଜ ହାତକୁ ନେଇ ପୂର୍ଣ୍ଣ ନହେବା ଯାଏଁ ଛାଡନ୍ତି ନାହିଁ।

ଯେଉଁ ଝିଅମାନଙ୍କର ନାମ “P” ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ସେମାନଙ୍କର କୌଶଳ ଏବଂ କଠିନ ପରିଶ୍ରମ ସହିତ ପିତାମାତାଙ୍କୁ ପ୍ରଶଂସିତ କରିଥାନ୍ତି। ଏହିପରି ଝିମାନଙ୍କର ବିଶେଷ ପ୍ରତିଭା ଥାଏ। ଯଦି ଏହି ପ୍ରତିଭାକୁ ଠିକ୍ ସମୟରେ ଚିହ୍ନଟ କରାଯାଏ, ତେବେ ଏହା ବହୁତ ଅଗ୍ରଗତି କରେ। ଧନ ଦୃଷ୍ଟିରୁ ସେମାନେ ମଧ୍ୟ ବହୁତ ଲକି।

ଯେଉଁ ଝିଅମାନଙ୍କର ନାମ “L” ଅକ୍ଷରରୁ ଆରମ୍ଭ ହୁଏ। ସେମାନେ ପ୍ରତ୍ୟେକ କାର୍ଯ୍ୟ କରିବାରେ ପାରଙ୍ଗମ। ପରିବାର ବ୍ୟତୀତ ସେମାନେ ବାହାରେ ବଡ ଦାୟିତ୍ଵ ଗ୍ରହଣ କରିବାରେ ମଧ୍ୟ ଉତ୍କୃଷ୍ଟ। ନିଜର ଦକ୍ଷତା ପାଇଁ ସେମାନେ ସର୍ବତ୍ର ସମ୍ମାନ ପାଆନ୍ତି। ସେମାନେ ମଧ୍ୟ ଅର୍ଥ ସଞ୍ଚୟ କରିବାରେ ସଫଳତା ହାସଲ କରନ୍ତି। ଧାର୍ମିକ ଏବଂ ଅନ୍ୟମାନଙ୍କ ଯତ୍ନ ନେବାକୁ ଆଗ୍ରହ ପ୍ରକାଶ କରନ୍ତି। ସେମାନେ ମଧ୍ୟ ଦାନ କାମ କରିବାକୁ ପସନ୍ଦ କରନ୍ତି।

ବିଦ୍ର: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଏବଂ ସୂଚନା ଉପରେ ଆଧାରିତ। କୌଣସି ସୂଚନା କିମ୍ବା ମାନ୍ୟତା ପାଇବା ପୂର୍ବରୁ, ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।