Categories
ଆଜିର ଖବର ରାଜ୍ୟ ଖବର

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସୂଚନା ଓ ଲୋକସଂପର୍କ ବିଭାଗ କଲ୍ୟାଣ କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ଅବସର ନେଇଥିବା ଅନୁଶାସନ ସଚିବ ଦିଲ୍ଲୀପ କୁମାର ସିଂହଙ୍କ ବିଭାଗ ପ୍ରତି ଥିବା କର୍ତ୍ତବ୍ୟ, ନିଷ୍ଠା ଓ ଦାୟିତ୍ୱ ସଂପର୍କରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ସୂଚନା ପ୍ରଦାନ କରିଥିଲେ।

ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀ ଅନୁଶାସନ ସଚିବ ଶ୍ରୀ ସିଂହଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବଂ ବିଭାଗ ପ୍ରତି ତାଙ୍କର ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ। ଶ୍ରୀ ସିଂହ ନିଜର ଚାକିରି ଜୀବନରେ ଶକ୍ତି, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସଂପର୍କ ଆଦି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ନିଜର ଚାକିରି ଜୀବନର ଅଭିଜ୍ଞତା ବାବଦରେ ବର୍ଣ୍ଣନା କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସାମଲ ଅବସର ଗ୍ରହଣ କରୁଥିବା ଶ୍ରୀ ସିଂହଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କର ସ୍ୱଚ୍ଛ କାର୍ଯ୍ୟକଳାପର ପ୍ରଶଂସା କରିଥିଲେ।

ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର: ରାଜ୍ୟ ବିଦ୍ୟୁତ ବିଭାଗ ତଥା ବର୍ତ୍ତମାନର ଟି ପି ଏସ୍ ଓ ଡି ଏଲ୍ ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଚୌଧୁରୀଙ୍କୁ ଛତ୍ରପୁର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଯନ୍ତ୍ରୀ ଶ୍ରୀଯୁକ୍ତ ଚୌଧୁରୀ ମହାବାତ୍ୟା ସମୟରେ ଅଞ୍ଚଳର ଜନସାଧାରଣଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଥିଲେ। ବର୍ତ୍ତମାନ ସେବାରୁ ଅବସର ନେବା ପରେ ଛତ୍ରପୁର ବରିଷ୍ଠ ସମାଜସେବୀ କାଳି ଚରଣ ତ୍ରିପାଠୀଙ୍କ ପୌରହିତ୍ୟରେ ଛତ୍ରପୁର ତାମ୍ପରା ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଚୌଧୁରୀଙ୍କୁ କାଳିଚରଣ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ପୁର୍ବତନ ବିଧାୟକ ଅଶୋକ ଚୌଧୁରୀ, ପୁର୍ଣ୍ଣ ଚନ୍ଦ୍ର ବେହେରା, ସରପଞ୍ଚ ବଚନ ଦାସ ବରିଷ୍ଠ ନାଗରିକ ସଦାଶିବ ସାହୁ, ଶିକ୍ଷକ ନେତା କେ ସୁନୀଲ ରାଓ ଓ କୃଷ୍ଣଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସାତ ଜନ୍ମର ପୁଣ୍ୟ କଲେ ଶିକ୍ଷକ ବୃତ୍ତି ମିଳେ: ମୁଖ୍ୟ ଅତିଥି ଦେବାଶିଷ ପଟ୍ଟନାୟକ

ରଣପୁର: ଆଜି ରଣପୁର ବ୍ଲକ ନିକଟସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ସାଧନ କେନ୍ଦ୍ର କର୍ମୀ ଜ୍ୟୋତି ରଞ୍ଜନ କର, ସ୍ଥାନୀୟ କାଉନସିଲର ରମେଶ ଚନ୍ଦ୍ର ନାୟକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାସ୍କର ପ୍ରଧାନ, ମୋ ସ୍କୁଲ ସଭାପତି ପ୍ରକାଶ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସାହିତ୍ୟିକ ରାଜ କିଶୋର ପଟ୍ଟନାୟକ, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘ ସଭାପତି ଅଶୋକ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଭାତ କୁମାର ପଣ୍ଡା ଓ ମାନସ ରଞ୍ଜନ ପଟ୍ଟନାୟକ ମଞ୍ଚ କାର୍ଯ୍ୟ ପରିଚାଳନା କରିବା ସହ ବାଦ୍ୟ ସରଞ୍ଚନା କରିଥିଲେ।

ଏଥିରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶ, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ସାହୁ, କାଣ୍ଡରାସିଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରପ୍ରସାଦ ଦାଶଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥିମାନେ ବିଦାୟୀ ଶିକ୍ଷକମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରିବା ସହ ଅବଶିଷ୍ଟ ଜୀବନ ସୁଖମୟ ହେବା ନିମନ୍ତେ କାମନା କରି ବିଦାୟ ସମ୍ବର୍ଦ୍ଧନା ଜଣାଇ ଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକର ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ବିଦାୟୀ ଶିକ୍ଷକଙ୍କୁ ଉପହାର ଦେଇ ବିଦାୟୀ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏହା ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ମୃତି ରୋମନ୍ଥନ କରି ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ।

ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ, ପୂର୍ବତନ ଛାତ୍ରଛାତ୍ରୀମାନେ, ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ ଏବଂ ଗ୍ରାମବାସୀମାନେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସଙ୍କୁ ବିଭିନ୍ନ ଉପହାର ଦେଇ ବିଦାୟୀ ସମ୍ବର୍ଦ୍ଧନା ଜଣାଇବା ସହ ଗୀତ ଓ ବକ୍ତବ୍ୟ ମାଧ୍ୟମରେ ତାଙ୍କର ଗୁଣ ଗାନ କରିଥିଲେ। ନୂଆଗାଁ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ। ଏହି ଅବସରକାଳୀନ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସଙ୍କ ପତ୍ନୀ, ତିନି ଝିଅ ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିବା ସହ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଥିଲେ। ଏହା ସହ କହିଥିଲେ ଯେ ସାତ ଜନ୍ମ ପୁଣ୍ୟ କଲେ ଶିକ୍ଷକତା ବୃତ୍ତି ମିଳେ। କାରଣ ଶିକ୍ଷକ ଇଞ୍ଜିନିଅର, ଡାକ୍ତର, ବୈଜ୍ଞାନିକ ଭଳି ଲକ୍ଷ ଲକ୍ଷ ଦେଶର ଭବିଷ୍ୟତଙ୍କୁ ତିଆରି କରିଥାଏ। ଶିକ୍ଷକ ହିଁ ସମାଜର ମେରୁଦଣ୍ଡ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ।

ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ବେହେରା ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଫାଇନାଲ ପେନଶନ କାଗଜପତ୍ର ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ସବୁ ସମୟରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସହଯୋଗ କରିବେ ବୋଲି ମତ ରଖିଥିଲେ। ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ।

Categories
ଆଞ୍ଚଳିକ

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କନ୍ଦର୍ପ ବେହେରା
ରେଢ଼ାଖୋଲ: ଦୀର୍ଘ ଛତିଶ ଵର୍ଷ ବିଭିନ୍ନ ଵିଦ୍ୟାଳୟରେ ଶିକ୍ଷକତା କରି ମଣ୍ଡୁଆମ ପ୍ରାଥମିକ ଵିଦ୍ୟାଳୟରୁ ପ୍ରଧାନ ଶିକ୍ଷୟତ୍ରୀ ଭାଵରେ ଅଵସର ନେଇ ଥିବା ରଶ୍ମିତା ମହାନ୍ତିଙ୍କୁ ତାଙ୍କର ଜନ୍ମଦିନରେ ଵିଦ୍ୟାଳୟରେ ଵିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ସହକାରୀ ଶିକ୍ଷୟତ୍ରୀ ଯଶୋମତୀ ଗଡତିଆଙ୍କର ପରିଚାଳନାରେ ଅନୁଷ୍ଠିତ ସଭାରେ ବଂଜା ଗୋଳା ଉଚ୍ଚ ପ୍ରାଥମିକ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଵ୍ରଜ ଚନ୍ଦ୍ର ସାହୁ, ସିଆରସିସି ଲୋକନାଥ ସାମଲ, ଡ଼ ଦୀପେନ ପଟ୍ଟନାୟକ, ରଶ୍ମିତା ଗଡନାୟକ ଓ ବାଵୁଲାଲ ବିଶି ସମ୍ମାନୀତ ଅତିଥି ଯୋଗଦେଇ ଵିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କର ଅଵଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ବିଦାୟ ଗୀତିକା ଗାନ କରିବା ସହିତ ଉପହାର ପ୍ରଦାନ କରିଥିଲେ। ସ୍କୁଲ ପରିଚାଳନା କମିଟିର ସଭାପତି ଗୌତମ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ।