Categories
ଆଞ୍ଚଳିକ

ଶିଶୁ ଦିବସ ଅବସରରେ ‘କ୍ରାନ୍ତି’ ଅନୁଷ୍ଠାନ ପକ୍ଷରୁ ଅଭିନବ ପ୍ରୟାସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କ୍ରାନ୍ତି’ ପକ୍ଷରୁ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଦେବାନନ୍ଦ ଦାସ ପୌରହିତ୍ୟ ରେ ଖଲିକୋଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ କୁନି କୁନି ପିଲାମାନଙ୍କୁ ଜଙ୍କ୍ ଫୁଡ୍ ରୁ ଦୁରେଇ ରୁହନ୍ତୁ ଓ ସୁସ୍ଥ ଶରୀର ଅତିବାହିତ କରିବା ପାଇଁ ଉପଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ରିସର୍ଚ୍ଚ ସେଣ୍ଟର ର ରେଡିଏସନ୍ ଆଙ୍କୋଲଜି ଡାକ୍ତର କାହ୍ନୁ ଚରଣ ପାତ୍ର, ଏମ୍ କେ ସି ଜି ଡାକ୍ତରଖାନାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡଃ ରାଜେନ୍ଦ୍ର ପ୍ରସାଦ ବେହେରା,ଏସ୍ ଏମ୍ ଆଇ ଟି ସଭାପତି ଡ଼ଃ ଭଗବାନ ଗନ୍ତାୟତ ଓ ସି ଏମ୍ ଏ ଧର୍ମେନ୍ଦ୍ର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ। ଡଃ କାହ୍ନୁଚରଣ ପାତ୍ର କର୍କଟ ରୋଗର ଲକ୍ଷଣ,କାରଣ ଓ ନିରାକରଣ ବିଷୟରେ ବୀବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଦେବାନନ୍ଦ ଦାସ କର୍କଟ ମୁକ୍ତ ଭାରତ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଥିଲେ।

ଅନୁଷ୍ଠାନର କଳାକାର ଚିନ୍ମୟାନନ୍ଦଙ୍କର ଚଢ଼େଇଆ ନାଚ ବହୁତ ମନଛୁଆଁ ହୋଇଥିଲା। ଏତଦବ୍ୟତୀତ କିଡଜୀ,ସନରାଇଜ୍,କିଡ୍ସ ପ୍ଲେ ଓ ନବଜୀବନ ଆଶ୍ରମର ଶିଶୁ କଳାକାର ମାନଙ୍କର ମିଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କ୍ରୁତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଛି। ଦେବରାଜ ରାଉତ ଓ ଶୁଭ୍ରାଂଙ୍ଗୀ ଉଦଘୋଷକ କାର୍ଯ୍ୟକ୍ରମ ତୁଲାଇଥିଲେ। ଅନୁଷ୍ଠାନର ନିର୍ମଳା ଦାସ, ଅନୀଲ କୁମାର ସେଠୀ, ସଞ୍ଜୟ ରଥ, ସରୋଜ କୁମାର ସାହୁ ଓ ରାଜାରାମ ପାଢ଼ୀ ଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱରର ଅଭିନବ ପ୍ରୟାସ, ସ୍ଥାନୀୟ ଅଞ୍ଚଳରେ ଆୟୋଜନ କଲା ସ୍ୱାସ୍ଥ୍ୟମେଳା

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଉପରେ ସାଧାରଣନାଗରିକଙ୍କର ରହିଥିବା ଆଶା, ବିଶ୍ବାସକୁ ଦୃଢ଼ୀଭୂତ କରିବା ସହିତ ସେମାନଙ୍କର ଭରସାକୁ ଚରିତାର୍ଥ କରି ଜନଭାଗିଦାରୀ ଗଠନ ଦିଗରେ ଅଭିନବ ପ୍ରୟାସ କରିଛି ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଗୋଷ୍ଠୀ ନିକଟରେ ପହଞ୍ଚିବା ସହିତ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ମହତ ଉଦ୍ଦେଶ୍ୟ ନେଇ ସ୍ଥାନୀୟ ସିଜୁଆ ଗ୍ରାମରେ ଏକ ସ୍ୱାସ୍ଥ୍ୟମେଳାର ଆୟୋଜନ କରିଛି ଏମ୍‌ସ ଭୁବନେଶ୍ୱର। ଜି-୨୦ ଜନଭାଗିଦାରୀ ଅଭିଯାନକୁ ଶାକାର ରୂପ ଦେବା ନିମନ୍ତେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିରକୁ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦ୍‌ଘାଟନ କରିଥିଲେ। ଏହି ମହତ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଡ. ବିଶ୍ବାସ। ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏଥିସହିତ ପ୍ରାକୃତିକ ଉପାୟରେ କିପରି ନିଜକୁ ଫିଟ୍‌ ଏବଂ ସୁସ୍ଥବାନ ରଖାଯାଇପାରିବ ସେନେଇ ମଧ୍ୟ ଆବଶ୍ୟକୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ। ଏହି ସ୍ୱାସ୍ଥ୍ୟମେଳାରେ ଏମ୍‌ସର ଡାକ୍ତର, ନର୍ସିଂ, ପାରାମେଡିକାଲ୍ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ମାଗଣା ଔଷଧ ମଧ୍ୟ ପ୍ରଦାନ କରିଥିଲେ।

ଏହି ସ୍ୱାସ୍ଥ୍ୟମେଳାରେ ୨୨୦ ଜଣ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିବା ୬୫ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ। ସେହିପରି ୪୦ଜଣ ମହିଳାଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଶିଶୁମାନଙ୍କର ପୁଷ୍ଟିକର ସ୍ଥିତି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ମଧ୍ୟ ବିଶେଷ ଧ୍ୟାନ ପ୍ରଦାନ କରାଯାଇଥିଲା। ସେହିଭଳି, ବିଭିନ୍ନ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ସେମାନଙ୍କୁ ଡାକ୍ତରୀ ପରାମର୍ଶ ଏବଂ ସଚେତନ କରାଯାଇଥିଲା। ଏହି ଅବସରରେ ଏମ୍‌ସ ପକ୍ଷରୁ ନିଜସ୍ବ ମୋବାଇଲ ବ୍ଲଡ୍‌ ଭ୍ୟାନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଭ୍ରାମ୍ୟମାଣ ରକ୍ତଦାନ ଶିବିରରୁ ୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ନେଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରୁ ପ୍ରେରିତ ହୋଇ ଏମ୍‌ସ ଭୁବନେଶ୍ୱର ଏହି ମାସରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି ଅଭିଯାନର ଏକ ଅଂଶ ଭାବରେ, ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ସହିତ ଏକ ଦୃଢ଼ ଭାଗିଦାରୀ ଗଠନ କରିବାର ଅଂଶସ୍ବରୂପ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିର ଆୟୋଜନ କରିଥିବା ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରକାଶ କରିଛନ୍ତି।

କମ୍ୟୁନିଟି ଏବଂ ଫ୍ୟାମିଲ୍‌ ମେଡିସିନ୍‌(ସିଏମ୍‌ଏଫ୍‌ଏମ) ଏବଂ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ବରିଷ୍ଠ ଡାକ୍ତର, ପାରାମେଡିକାଲ୍ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସ୍ଥାନୀୟ ଗ୍ରାମବାସୀ ଏମ୍‌ସ ଭୁବନେଶ୍ୱରର ଏପରି ମାନବୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ: ‘ନାଲି ବିନ୍ଦୁ’ ଅଭିଯାନ

ଭୁବନେଶ୍ଵର: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଜୀ ସାର୍ଥକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ। ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି। ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏ ନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ କରୁଥିବାରୁ ରଜପର୍ବ ଠାରୁ ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକ ‘ନାଲିବିନ୍ଦୁ’ କ୍ୟାମ୍ପେନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ ହୋଇଛି।

ମାସିକ ଋତୁସ୍ରାବ କାରଣରୁ ଅଧିକାଂଶ କିଶୋରୀ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି। ମାସକୁ ଅନ୍ୟୁନ ୫ ଦିନ କିଶୋରୀମାନେ ସ୍କୁଲ ଯାଇପାରୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୁଏ। ଫଳରେ ଲକ୍ଷ ଲକ୍ଷ ଛାତ୍ରୀ ମାନସିକ ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି। ଗ୍ରାମାଞ୍ଚଳରେ ଏହି ହାର ଅଧିକ ରହିଥିବା ବେଳେ ସାନିଟାରୀ ନାପକିନ ବ୍ୟବହାର ଦିଗରେ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଛି। ରଜପର୍ବରେ ଧରଣୀରାଣୀ ରଜସ୍ୱିଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ଏହି ପର୍ବରେ ଏଭଳି ମହାନ ଅଭିଯାନ ଆରମ୍ଭ କରି ଜୀ ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କେବଳ ସେତିକି ନୁହେଁ ‘ନାଲି ବନ୍ଧୁ’ ସ୍ଲୋଗାନ ସହ କିଶୋରୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆହ୍ୱାନ ଦେଇଛି ଜୀ ସାର୍ଥକ।

ଜୀ ସାର୍ଥକର ଏହି ଅଭିନବ ଅଭିଯାନ ସମ୍ପର୍କରେ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ କୁହନ୍ତି, “ ଓଡିଶାରେ ମହିଳାମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରିବାକୁ ଏଭଳି ଏକ ଅଭିଯାନ ଆମେ ଆରମ୍ଭ କରିଛୁ। ଏହାଦ୍ୱାରା ସଚେତନତା ବଢ଼ିବା ସହ ଲୋକମାନଙ୍କ ସହ ଯୋଗାଯୋଗ ବୃଦ୍ଧି ହୋଇପାରିବ। ସେହିଭଳି ଆମେ ସମସ୍ତେ ଚାହିଁଲେ ପ୍ରତିମାସରେ ଛାତ୍ରୀମାନଙ୍କୁ ୫ ଦିନ ସ୍କୁଲ ବନ୍ଦ କରିବାରୁ ରୋକା ଯାଇପାରିବ। ଏ ଦିଗରେ ଆମ ସମସ୍ତଙ୍କୁ ଗୁରୁତ୍ୱ ଦେବାକୁ ପଡିବ। ଜୀ ସାର୍ଥକ ଏନେଇ ‘ନାଲି ବନ୍ଧୁ’ ଅଭିଯାନ ଆରମ୍ଭ କରିଛି , ଯେଉଁଥିରେ ସାଧାରଣ ଲୋକେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ।”

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ”ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ଅଭିନବ ପ୍ରୟାସ, ଫୋନ ମାଧ୍ୟମରେ ମାଗଣାରେ ପରାମର୍ଶ ନେବେ ରୋଗୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସମସ୍ତଙ୍କର ଆନ୍ତରିକ ସହଯୋଗ ଏବଂ ଅତୁଟ ବିଶ୍ୱାସକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗାନ୍ଧୀଛକ ସ୍ଥିତ ”ସ୍ଵର୍ଣ୍ଣ ହୋମିଓ ହଲ୍” ଆଜି ତାର ପ୍ରଥମ ସ୍ଵନକ୍ଷତ୍ର ପୂର୍ଣ୍ଣ କରିଛି। ଗତ ଏକ ବର୍ଷ ମଧ୍ୟରେ ସ୍ଵର୍ଣ୍ଣ ହୋମିଓ ହଲ୍ ଅନେକ ରୋଗୀଙ୍କୁ ସଫଳତାର ସହ ସେବା ପ୍ରଦାନ କରିବା ସହ ୭୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ଶାରୀରିକ ବିକଳାଙ୍ଗ ରୋଗୀଙ୍କୁ ମାଗଣାରେ ପରାମର୍ଶ ତଥା ଔଷଧ ପ୍ରଦାନ କରିଚାଲିଛି।

ଆଜି ପ୍ରଥମ ସ୍ଵନକ୍ଷତ୍ର ଅବସରରେ ସ୍ଵର୍ଣ୍ଣ ହୋମିଓ ହଲ୍ ରୋଗୀଙ୍କୁ କିପରି ଭାବରେ ଶୀଘ୍ର, ସହଜ ଏବଂ କମ୍ ଖର୍ଚ୍ଚରେ ଆରୋଗ୍ୟ କରିବାର ଉଦ୍ଦେଶ୍ୟ ନେଇ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଏଣିକି କେହି ଅସୁସ୍ଥ ଅନୁଭବ କଲେ ତତକ୍ଷଣାତ ଘରେ ରହି ନିଜ ଫୋନ ମାଧ୍ୟମରେ ସ୍ଵର୍ଣ୍ଣ ହୋମିଓ ହଲ୍ ର ଅଭିଜ୍ଞ ହୋମିଓପାଥି ଡାକ୍ତର ମାନଙ୍କ ଠାରୁ ମାଗଣାରେ ପରାମର୍ଶ ନେଇପାରିବେ। ଏଥି ସହିତ ପ୍ରତ୍ୟେକ ପୀଡିତ କିପରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଶୀଘ୍ର ଏବଂ କମ୍ ଖର୍ଚ୍ଚରେ ପାଇପାରିବେ, ସେଥିପାଇଁ ସ୍ଵର୍ଣ୍ଣ ହୋମିଓ ହଲ୍ ପ୍ରାୟସ କରିବ।

ତେବେ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ରୋଗୀଙ୍କୁ ଏଭଳି ସେବା ଯୋଗାଇଦେବା ପାଇଁ ଏକ ଯୋଗାଯୋଗ ନମ୍ବର ଜାରି କରାଯାଇଛି। ମାଗଣାରେ ଚିକିତ୍ସା ସମ୍ବଦ୍ଧୀୟ ପରାମର୍ଶ ପାଇବା ପାଇଁ ୭୩୨୮୦୫୪୪୩୩ ନମ୍ବରରେ ଯୋଗାଯୋଗ କରିବାକୁ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ କୁହାଯାଇଛି।

ଏଥି ପାଇଁ ଅନେକ ଅଭିଜ୍ଞ ହୋମିଓ ବିଶେଷଜ୍ଞ ଯଥା:- ଡାକ୍ତର ପ୍ରେମଲତା ଦେବୀ (ସ୍ତ୍ରୀ ଏବଂ ଶିଶୁ ରୋଗ ବିଶେଷଜ୍ଞ), ଡାକ୍ତର ସି. ଧର ବି.ଏଚ.ଏମ.ଏସ (ଉତ୍କଳ) ଏମଡ଼ି (ହୋମିଓ) ଆଗ୍ରା, ଲେକଚର ଓଏମସିଏଚ ଏବଂ ଆର (ଶ୍ଵାସ ଏବଂ ବାତ ରୋଗ ବିଶେଷଜ୍ଞ), ଡାକ୍ତର ଜ୍ୟୋତି ପ୍ରକାଶ ପରିଡା ଡ଼ି.ଏଚ.ଏମ.ଏସ (ଉତ୍କଳ) (ପାରାଲିସିସ୍ ବିଶେଷଜ୍ଞ), ଡାକ୍ତର ଶୁଭଶ୍ରୀ ରାୟସିଂ, ଏଫ.ଏମ.ଇ.ଏଚ (ଏଫ.ବି.ଇ.ଏଚ) (ଗଳା, ନାସା ଏବଂ କର୍ଣ୍ଣ ବିଶେଷଜ୍ଞ), ଡାକ୍ତର ମିନାକ୍ଷୀ ବଳିୟାରସିଂହ, ବି.ଏଚ.ଏମ.ଏସ (ଉତ୍କଳ) (ସ୍ତ୍ରୀ ଏବଂ ଚର୍ମ ରୋଗ ବିଶେଷଜ୍ଞ)ଙ୍କ ପରି ଅନେକ ଅଭିଜ୍ଞ ଡାକ୍ତର ନିସ୍ୱାର୍ଥପର ଭାବରେ ତାଙ୍କର ସହଯୋଗ ଓ ସେବା ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ସରକାରଙ୍କ ଅଭିନବ ପ୍ରୟାସ, ପଦ୍ମ ପୁରସ୍କାର ପାଇବେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ!: ମନୋନୀତ କରିବେ ରାଜ୍ୟବାସୀ

ନୂଆଦିଲ୍ଲୀ: ପଦ୍ମ ପୁରଷ୍କାରକୁ ନେଇ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛି। ଚଳିତ ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରକୁ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ନାମ ଦିଲ୍ଲୀ ସରକାର ସୁପାରିଶ କରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଚଳିତ ବର୍ଷ ପଦ୍ମ ପୁରସ୍କାର କେନ୍ଦ୍ରକୁ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ସୁପାରିଶ କରିବ। ସର୍ବସାଧାରଣଙ୍କ ପାଇଁ ଦିଲ୍ଲୀ ସରକାର ଏକ ଇ-ମେଲ୍ ଆଇଡି ମଧ୍ୟ ଜାରି କରିବ, ଯେଉଁଥିରେ ସିଧା ସଳଖ ଲୋକେ ଏହାର ମତାମତ ଦେବେ। ଇ-ମେଲ୍ ଆଇଡି ମାଧ୍ୟମରେ ଡାକ୍ତରଙ୍କ ନାମ ଲେଖିବା ସହ ସେମାନଙ୍କୁ କାହିଁକି ପଦ୍ମ ପୁରଷ୍କାର ମିଳିବା ଉଚିତ, ତାହାର କାରଣ ଲେଖି ଲୋକେ ସରକାରଙ୍କ ନିକଟକୁ ପଠାଇପାରିବେ। ସେଥିପାଇଁ ଏକ ଇ-ମେଲ୍ ଆଇଡି ଦିଲ୍ଲୀ ସରକାର ଜାରି କରିଛି। ଅଗଷ୍ଟ ୧୫ ସୁଦ୍ଧା [email protected] ଇ-ମେଲ୍ ଆଇଡି ଜରିଆରେ ଲୋକେ ନିଜର ମତାମତ ଜଣାଇପାରିବେ। ଏହି କୋଭିଡ ସମୟରେ କେଉଁ ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ କଠିନ ପରିଶ୍ରମ କରିଛନ୍ତି ତାଙ୍କୁ କାହିଁକି ପୁରସ୍କାର ମିଳିବା ଉଚିତ, ତାହା ଲେଖି ଲୋକେ ଏହି ମେଲ ମାଧ୍ୟମରେ ଜଣାଇପାରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନ କରିବାର ଏହା ହେଉଛି ସଠିକ ସମୟ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବାଦ ପରିବେଷଣକୁ ନେଇ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓର ଅଭିନବ ପ୍ରୟାସ

ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି। ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ। କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି।

ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି। ସବୁ କିଛି ହାତ ପାହାନ୍ତାରେ ମିଳୁଛି। କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍‌ ସହିତ ସଂଶ୍ଳିଷ୍ଟ। ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ। କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ।

ଗୋଟେ ମିଥ୍ୟା ଖବରର ପ୍ରଭାବ କେବଳ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନୁହେଁ ବରଂ ପୁରା ସମାଜ ଉପରେ ଗଭୀର ରେଖାପାତ କରେ। ଯଦିଓ ଆଜି ଆମେ ସଭ୍ୟ ଶିକ୍ଷିତ ବା ସମୟ ସହ ଅଭିଜ୍ଞ ହୋଇଛେ ତଥାପି ଆମେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ଜାଲରୁ ମୁକ୍ତ ହୋଇ ପାରିନାହୁଁ। ଖାସ ଏହି ସମସ୍ୟାକୁ ବିଶ୍ଲେଷଣ କରିବା ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏହି ପ୍ରୟାସରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ରେ ପ୍ରସାରିତ ହେଉଛି ଫ୍ୟାକ୍ଟ ଶାଲା କାର୍ଯ୍ୟକ୍ରମ।

ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୭ଟା, ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି। ଏହି ପ୍ରୟାସରେ ବିଭିନ୍ନ ବର୍ଗର ଅଭିଜ୍ଞମାନେ ଆମ ସହ ଯୋଡି ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସୂଚନା (ଇନ୍‌ଫର୍ମେସନ୍‌) ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକ ସମ୍ପର୍କ ନିର୍ଦ୍ଦେଶକ ପରେଶ ଦାସ। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏ ନେଇ ବିଶେଷ ଆଲୋଚନା କରିଛନ୍ତି।

ସେହିପରି ଏକତରଫା ସମ୍ବାଦ ପରିବେଷଣ (ବାୟେସ୍‌ଡ ନ୍ୟୁଜ୍‌) ସମ୍ପର୍କରେ ସାମ୍ବାଦିକା ତଥା ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନି ମିଶ୍ର। ତାଙ୍କ ସହିତ ଆର୍‌ଜେ କେପି ଏବଂ ଆର୍‌ଜେ ସବ୍‌ନମ୍ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ସମ୍ବାଦ କ’ଣ (ହ୍ୱାଟ ଇଜ୍ ନ୍ୟୁଜ୍‌) ଏ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ର ଯାଜପୁର ଏଡିସନ୍‌ର ଚିଫ୍‌ କୋ-ଏଡିଟର୍ ସୁଦାମ୍‌ବନ୍ଧୁ ଭଟ୍ଟମିଶ୍ର। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏବଂ ଆର୍‌ଜେ କେପି ଆଲୋଚନା କରିଥିଲେ।

ସେହିପରି ସମ୍ବାଦକୁ ଠିକ୍ ଭାବେ ତଦାରଖ କରି ପରିବେଷଣ କରିବା (ଷ୍ଟପ୍‌, ଚେକ୍‌, ଗୋ ଆହେଡ) ସମ୍ପର୍କରେ ଆଲୋଚନା କରିଥିଲେ ନ୍ୟୁଜ୍‌୭ ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ। ତାଙ୍କ ସହ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ସବ୍‌ନମ୍ ଓ ଆର୍‌ଜେ କେପି। ସମ୍ବାଦର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଆର୍‌ଜେ ସବ୍‌ନମ୍‌, ଆର୍‌ଜେ ରମାବଲ୍ଲଭ ଓ ଆର୍‌ଜେ କେପି।

ସେହିପରି ଭୁଲ୍ ସମ୍ବାଦ (ମିସ୍‌ଇନ୍‌ଫର୍ମେସନ୍‌) କୁ ଭିତ୍ତି କରି କିଭଳି ସମ୍ବାଦ ପରିବେଷଣ କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ଗୌର ଏବଂ ଆର୍‌ଜେ ସବ୍‌ନମ୍।

ଏଥି ସହିତ ନ୍ୟାରୋ କାଷ୍ଟିଂ ଜରିଆରେ ସୋଆ ରେଡିଓ ଆଖପାଖ ବିଭିନ୍ନ ଅଂଚଳକୁ ଯାଇ ଏ ସମ୍ବନ୍ଧରେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏକ ଅଭିନବ ପ୍ରୟାସ

ଭୁବନେଶ୍ୱର: କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନ (କେୱାଇଏଫ) ଭୁବନେଶ୍ୱରରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନସ୍ଥଳ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା; ଆହ୍ୱାନ ଏବଂ ସୁଯୋଗ ନାମରେ ଏକ ଆନ୍ତର୍ଜାତୀୟ ୱେବିନାର ଆୟୋଜନ କରିଛି। ବିଶ୍ୱସ୍ତରରେ ‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ ଥିଲା।

ସମଗ୍ର ବିଶ୍ୱର ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପରୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଓ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପ୍ରୟାସକୁ ଆହୁରି ମଜଭୁତ କରିବା ପାଇଁ ତଥା ଓଡ଼ିଶା ପର୍ଯ୍ୟଟନକୁ ଆହୁରି ଆକର୍ଷିତ କରିବାର ସୁଯୋଗକୁ କିପରି ଉପଯୋଗ କରାଯାଇ ପାରିବ ସେ ନେଇ ସେମାନେ ଗଠନମୂଳକ ପ୍ରସ୍ତାବମାନ ପ୍ରଦାନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଥାଇଲାଣ୍ଡ ପର୍ଯ୍ୟଟନ ପରିଷଦ ଓ ଇଣ୍ଡୋଥାଇ ଚାମ୍ବର୍ସ ଅଫ କମର୍ସର ଉପାଧ୍ୟକ୍ଷା ସମସଙ୍ଗ ପାସାପିମୁଖ୍‌, ସ୍ୱତନ୍ତ୍ର ଅତିଥି ଭାବେ ଇଣ୍ଡୋନେସିଆ ପର୍ଯ୍ୟଟନ ପ୍ରୋତ୍ସାହନ ବୋର୍ଡ଼ର ଅଧ୍ୟକ୍ଷ ଅର୍ଗୁସ ମହାଉସାଢା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ମାଲେସିଆ ପାରାଡ଼ାଇଜ ଗ୍ରୁପ ଅଫ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରଦୀପ କୁମାର କୁକ୍ରେଜା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଙ୍ଗାପୁର ଇଣ୍ଡିଆ ଚାମ୍ବର୍ସ ଅଫ କମର୍ସ ଉପାଧ୍ୟକ୍ଷ ମନୀଷ କୁମାର, କାମତ ଗ୍ରୁପ୍ ଅଫ ହୋଟେଲସର ନିର୍ଦ୍ଦେଶକ ବିଶାଳ କାମତ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ପର୍ଯ୍ୟଟନ, ଯାତ୍ରା ଓ ଆତିଥ୍ୟ ଶିଳ୍ପର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କେୱାଇଏଫର ନିର୍ଦ୍ଦେଶକ ଡଃ ପାର୍ଥସାରଥୀ ମିଶ୍ର ୱେବିନାରକୁ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂପ୍ରସାଦ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ପ୍ରଫେସର ବିନୟ ଭୂଷଣ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱଜିତ ମହାପାତ୍ର, ସୁଶ୍ରୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଏବଂ ଅମିତ ପ୍ରକାଶ ନାୟକ ମଞ୍ଚ ପରିଚାଳନା କରିଥିଲେ।