Categories
ଆଜିର ଖବର ରାଜ୍ୟ ଖବର

ରଣପୁର ଏନଏସି ରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ

ରଣପୁର: ନୟାଗଡ ଜିଲ୍ଲା ରଣପୁର ଏନଏସି ରେ ଥିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଆସୁଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉଦ୍ଦେଶ୍ୟରେ ଏକ ଅର୍ପଣ ରଥ ବାହାରିଥିବା ଜଣାଯାଇଛି। ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଜଗନ୍ନାଥ ମନ୍ଦିରରେ ଦୁଇଟି ଶୁଭ କଳସୀ ମଧ୍ୟରେ କିଛି ଅକ୍ଷତ ଓ ଗୁଆ ରଖି ପୂଜାର୍ଚ୍ଚନା ସାରି ଆଜ୍ଞାମାଳ ପାଇବା ପରେ ଏହି ରଥ ଶୁଭାରମ୍ଭ ହୋଇଥିବା ଜଣାଯାଇଛି।

ଏହି ରଥ ପ୍ରତି ଓାର୍ଡ ର ପ୍ରତ୍ୟେକ ଦ୍ୱାର ବୁଲି ମହାପ୍ରଭୂଙ୍କ ଉଦ୍ଦେଶ୍ୟରେ ମୁଠାଏ ଅରୁଆ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ ପାଇଁ ଏକ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅଭିଯାନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦୁଆରେ ଏହି ରଥକୁ ସ୍ୱାଗତ କରାଯିବା ସହ ଏହି ରଥ ସମ୍ମୁଖରେ ପ୍ରଦର୍ଶିତ ଖୋଳ, ଝାଞ୍ଜ ଓ ଜଗନ୍ନାଥ ନାମ କୀର୍ତନ ମଧ୍ୟରେ ତିନୋଟି ଓାର୍ଡ ପରିକ୍ରମା କରିଥିବା ବେଳେ ଆସନ୍ତା ୧୫ତାରିଖ ମଧ୍ୟରେ ଏହି ରଥ ରଣପୁର ଏନଏସି ର ସମସ୍ତ ଦୁଆର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଆଜି ବ୍ଲକର ସାତ ଗୋଟି ପଞ୍ଚାୟତରେ ଉକ୍ତ ରଥର ଶୁଭାରମ୍ଭ ହୋଇଛି।

ନନ୍ଦପୁର ଗ୍ରାମ ପଞ୍ଚାୟତର ମଠପଟଣା ଗ୍ରାମ ଜଗନ୍ନାଥମନ୍ଦିର ନିକଟରୁ ଅର୍ପଣ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ନଡ଼ିଆ ଫଟାଇ ଶ୍ରୀ ଖୁଣ୍ଟିଆ ଅର୍ପଣ ରଥକୁ ଉଦଘାଟନ କରିଥିଲେ। ସମସ୍ତ ଏମବିକେ, ସିଆରପି, ସ୍ୱୟଂ ସହାୟକ ସଙ୍ଘର ସଭାପତିଙ୍କ ସମେତ ସଙ୍ଘର କର୍ମକର୍ତ୍ତାମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

ହରିବୋଲ ହୁଳହୁଳି ଧ୍ୱନିରେ ରଥକୁ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ କର୍ମକର୍ତ୍ତା ମାନେ ଘର ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବିଭିନ୍ନ ପଞ୍ଚାୟତର ଅର୍ପଣ ରଥ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅନୁରୂପ ଭାବେ ଆଜି ବାଣପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ୱାବଧାନରେ ପରିକ୍ରମା ଅର୍ପଣ ରଥର ଉଦଘାଟନ କରାଯାଇଛି। ସବୁ ସ୍ଥାନରେ ଜନସାଧାରଣଙ୍କର ଅପୂର୍ବ ଭକ୍ତିଭାବ ପରିଲକ୍ଷିତ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଥିଲା।

Categories
ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ପରିକ୍ରମା କଲା ଅର୍ପଣ ରଥ

ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅର୍ପଣ ରଥ ପରିକ୍ରମା କରୁଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ବାଲୁଗାଁ ଏନଏସି ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଅର୍ପଣ ରଥକୁ ସ୍ୱାଗତ କରି ୧ନଂ ୱାର୍ଡ ଅନ୍ତର୍ଗତ ଅଶୋକ ନଗର, ସୂର୍ଯ୍ୟ ନଗର ଓ ଶାନ୍ତି ନଗର ପରିକ୍ରମା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସଂଗଠକ ସନ୍ତୋଷ ପାଇକରାୟ, ବିଜେଡି ନଗରମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମିଶନ ଶକ୍ତିର ଶତାଧିକ ମହିଳା ଏବଂ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ଶହ ଶହ ଶ୍ରଦ୍ଧାଳୁଙ୍କ ଘରୁ ଗୁଆ, ଚାଉଳ, ନଡିଆ ସଂଗ୍ରହ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ମହିଳା ଓ ପୁରୁଷ ଜଗନ୍ନାଥ ପ୍ରେମୀଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ପରିବେଶ। ଘରେ ଘରେ ମହିଳା ଓ ପୁରୁଷମାନେ ସ୍ୱତଃପ୍ରତ ଭାବେ ଅକ୍ଷତ ଅରୁଆ ଚାଉଳ, ନଡିଆ ଓ ଗୁଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର, ସୋରଣ, ହାଟବରଡି, ଆଙ୍କୁଲା, ସିଙ୍ଗେଶ୍ୱର, ସାନନଈରୀ ଆଦି ପଞ୍ଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯିବାସହ ପ୍ରତି ପଞ୍ଚାୟତର ନୋଡାଲ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଜଗନ୍ନାଥ ପ୍ରେମୀ ମହିଳା ଓ ପୁରୁଷ ମାନେ ଘରକୁ ଘର ବୁଲି ଚାଉଳ,ଗୁଆ ସଂଗ୍ରହ କରିଥିଲେ।