ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ

Published: Jan 8, 2024, 7:17 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଆଜି ବ୍ଲକର ସାତ ଗୋଟି ପଞ୍ଚାୟତରେ ଉକ୍ତ ରଥର ଶୁଭାରମ୍ଭ ହୋଇଛି।

ନନ୍ଦପୁର ଗ୍ରାମ ପଞ୍ଚାୟତର ମଠପଟଣା ଗ୍ରାମ ଜଗନ୍ନାଥମନ୍ଦିର ନିକଟରୁ ଅର୍ପଣ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ନଡ଼ିଆ ଫଟାଇ ଶ୍ରୀ ଖୁଣ୍ଟିଆ ଅର୍ପଣ ରଥକୁ ଉଦଘାଟନ କରିଥିଲେ। ସମସ୍ତ ଏମବିକେ, ସିଆରପି, ସ୍ୱୟଂ ସହାୟକ ସଙ୍ଘର ସଭାପତିଙ୍କ ସମେତ ସଙ୍ଘର କର୍ମକର୍ତ୍ତାମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

ହରିବୋଲ ହୁଳହୁଳି ଧ୍ୱନିରେ ରଥକୁ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ କର୍ମକର୍ତ୍ତା ମାନେ ଘର ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବିଭିନ୍ନ ପଞ୍ଚାୟତର ଅର୍ପଣ ରଥ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅନୁରୂପ ଭାବେ ଆଜି ବାଣପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ୱାବଧାନରେ ପରିକ୍ରମା ଅର୍ପଣ ରଥର ଉଦଘାଟନ କରାଯାଇଛି। ସବୁ ସ୍ଥାନରେ ଜନସାଧାରଣଙ୍କର ଅପୂର୍ବ ଭକ୍ତିଭାବ ପରିଲକ୍ଷିତ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଥିଲା।

Related posts