Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା: ମ୍ୟାଚ ଡ୍ର’ ହେଲେ କେଉଁ ଦଳ ହେବ ଚମ୍ପିୟାନ, ଜାଣନ୍ତୁ ଆଇସିସିର ନିୟମ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା ଯୋଗୁଁ ଖେଳାପ୍ରେମୀମାନେ ଚିନ୍ତାରେ ପଡିଛନ୍ତି। ଇଂଲଣ୍ଡର ସାଉଥେମ୍ପଟନରେ ଲଗାତର ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି।

ତେବେ ଆଗାମୀ ଦିନରେ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ଫାଇନାଲ ମ୍ୟାଚକୁ ନେଇ ଆଶଙ୍କା ବଢିଛି। ପ୍ରଥମ ଦିନ ଖେଳ ବାତିଲ ହୋଇଥିଲେ ମଧ୍ୟ ଆଉ ୫ ଦିନ ଖେଳ ବାକି ଅଛି। ଇଂଲଣ୍ଡ ଜଳବାୟୁର ସ୍ଥିତିକୁ ଦେଖି ପୂର୍ବରୁ ଆଇସିସି ଏହି ମ୍ୟାଚ ପାଇଁ ଆଉ ଏକ ରିଜର୍ଭ ଡେ’ ର ବ୍ୟବସ୍ଥା କରିଥିଲା। ଏହି ମ୍ୟାଚ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ୨୩ ତାରିଖଟି ରିଜର୍ଭ ଡେ’ ଭାବେ ଆଇସିସି ଘୋଷଣା କରିଥିଲା।

ଆଇସିସି ମୁତାବକ, ଯେତେବେଳେ ପ୍ରଥମ ୫ ଦିନରେ ମୋଟ ୩୦ ଘଣ୍ଟା ଖେଳାଯାଇପାରିବ ନାହିଁ, ସେତେବେଳ ଏହି ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦିନର ସମସ୍ତ ଓଭର ଭରଣ କରିବା ପାଇଁ ପ୍ରତ୍ୟେକ ଦିନ ଅତିରିକ୍ତ ଓଭର ଖେଳାଯିବ। ଏହାପରେ ମଧ୍ୟ ଅବଶିଷ୍ଟ ଖେଳ ପାଇଁ ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ।

ଏହାପରେ ଯଦି ମ୍ୟାଚ ଡ୍ର କିମ୍ବା ଟାଇ ରହେ, ତେବେ ଦୁଇ ଦଳକୁ ସଂଯୁକ୍ତ ବିଜେତା ଭାବେ ଘୋଷଣା କରାଯିବ। ଆଇସିସି ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଆରମ୍ଭ ହେବା ପୂର୍ବରୁ ଆଇସିସି ଏଭଳି ନିଷ୍ପତ୍ତି ୨୦୧୮ ମସିହା ଜୁନ ମାସରେ ନେଇଥିଲା।