Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ମାଡ଼ିଲାଣି ଆଖିଧରା ରୋଗ, ଜରୁରୀ ହୋଇପଡିଛି ସଚେତନତା

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଓ ବାଲୁଗାଁରେ ମାଡିଗଲାଣି ଆଖିଧରା ରୋଗ। ଆଜିକାଲି ଏହା ସମସ୍ତଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ସୁବୁଆଡେ ରୋଗୀ। ଏପରି ହେଉଛି ଯେ, ଦିନକୁ ଶତାଧିକ ରୋଗୀଙ୍କର ନାମ ଡାକ୍ତରଖାନାରେ ରେଜିଷ୍ଟ୍ରସନ ହେଉଛି। ସ୍କୁଲ ଓ କଲେଜ ପିଲାଙ୍କୁ ବି ଉକ୍ତ ରୋଗ ବହୁଳ ମାତ୍ରାରେ ଆକ୍ରାନ୍ତ କଲାଣି।

ସଚେତନତା ଅଭାବରୁ ଏବଂ ରୋଗୀମାନଙ୍କ ଅସାବଧାନତା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜଣାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ମେଡିକାଲରେ ରୋଗୀଙ୍କୁ ଆଇଡ୍ରପ ଦିଆଯାଉଛି। ହେଲେ ବର୍ତ୍ତମାନ ଔଷଧର ଅଭାବ ଦେଖାଦେଇଥିବାରୁ ଖୋଲା ବଜାରରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଆଇଡ୍ରପ କିଣି ରୋଗୀମାନଙ୍କୁ ଦେଉଥିବାର କହିଛନ୍ତି ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ।

ତେବେ ଆଖିଧରା ରୋଗ ଆଗରୁ ଥିଲା,ଏବେ ଅଛି ଏବଂ ଭବିଷ୍ୟତରେ ନିଶ୍ଚୟ ରହିବ। ଏହି ରୋଗ ଛୁଇଁବା ଦ୍ୱାରା ଗୋଟିଏ ରୋଗୀଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମଣ ହୋଇଥାଏ। ଏହି ରୋଗକୁ କଂଜକ୍ଟିଭାଇଟିସ କୁହାଯାଏ। ଏହା ଏକ ଡିଆଁ ରୋଗ କି ଉଡ଼ା ରୋଗ ନୁହେଁ। ଏହି ରୋଗ ରୋଗୀ ନିଜ ଆଖିକୁ ହାତମାରି ବ୍ୟବହାର କରୁଥିବା ଯେକୌଣସି ବସ୍ତୁକୁ ଯଥା ମୋବାଇଲ,ଲାପଟପ,ବାସନକୁସନ ଏବଂ ବସ୍ତ୍ର ଯାହାକୁ ବି ଛୁଇଁଲେ ହେବା ନିଶ୍ଚିତ ବୋଲି ବାଣପୁର ଅଞ୍ଚଳର ଜନୈକ ଡାକ୍ତର କହିଛନ୍ତି।

ତେବେ ଯଦି ଆଖି ଧରିଥିବା ରୋଗୀଟି ଅନ୍ୟ ସଂସ୍ପର୍ଶରେ ନ ଆସିବ ଏହି ରୋଗ ଅଟକି ଯାଇପାରେ। ଏଥିପ୍ରତି ବାଣପୁର ଓ ବାଲୁଗାଁ ମେଡିକାଲ ପକ୍ଷରୁ ସଚେତନତା ଅଭିଯାନ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।