Categories
ବିଶେଷ ଖବର

ଆତ୍ମନିର୍ଭରଶୀଳ ଭାରତ ଯୋଜନା : ପ୍ରଥମ ଦିନରେ 5.9 ଲକ୍ଷ କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ମିଟ୍‌ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଘୋଷିତ ଏହି ଅର୍ଥରାଶି ସମ୍ପର୍କରେ ଆଜି ଘୋଷଣା କରାଯାଇଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍‌ ମିଟ୍‌ରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ସମୁଦାୟ 5.9 ଲକ୍ଷ କୋଟିର ପ୍ୟାକେଜ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଥମ ଦିନରେ ଏମ୍‌ଏସ୍‌ଏମ୍‌ଇ, ଇପିଏଫ୍‌, ଫାଇନାନ୍ସ, ବିଦ୍ୟୁତ୍‌ ଶିଳ୍ପ ଏବଂ ଆୟକରରେ ମିଳିବାକୁ ଥିବା ଫାଇଦା ସମ୍ପର୍କରେ ଘୋଷଣା କରାଯାଇଛି । ଏମଏସ୍‌ଏମ୍‌ଇ ପାଇଁ 3 ଲକ୍ଷ 70 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଇପିଏଫ୍‌ ଧାରକଙ୍କ ପାଇଁ 50 ହଜାର କୋଟି ଏବଂ ଫାଇନାନ୍ସ ଓ ଏନ୍‌ବିଏଫ୍‌ସି ପାଇଁ 30 ହଜାର କୋଟିର ଅର୍ଥରାଶି ଘୋଷଣା କରାଯାଇଛି । ବିଦ୍ୟୁତ୍‌ ଶିଳ୍ପ ପାଇଁ 90 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଆୟକରରେ 50 ହଜାର କୋଟିର ରିହାତି ସମ୍ପର୍କରେ ଘୋଷଣା କରାଯାଇଛି ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ସୁଧାର ପାଇଁ ସରକାର 6ଟି ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଟୋବର 31 ପର୍ଯ୍ୟନ୍ତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ବିନା କୌଣସି ଗ୍ୟାରେଣ୍ଟୀରେ 3 ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହି ଯୋଜନା 45 ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଲାଭବାନ ହେବ । 100 କୋଟିର ଟର୍ଣ୍ଣ ଓଭରର ଏମ୍‌ଏସ୍‌ଏମ୍‌ଇ କମ୍ପାନୀକୁ ମଧ୍ୟ ଋଣ ପ୍ରଦାନ ବ୍ୟବସ୍ଥାକୁ ସହଜ କରାଯାଇଛି । 4 ବର୍ଷ ପାଇଁ ଏହି ଋଣ ପ୍ରଦାନ କରାଯାଇଥିବା ବେଳେ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ଶୁଝିବାକୁ ପଡିବ ନାହିଁ । ଏନ୍‌ପିଏ ଦ୍ବାରା ପ୍ରପୀଡିତ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ 20 ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ନେଇ ନିର୍ମଳା ସୂଚନା ଦେଇଥିଲେ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ 50 ହଜାର କୋଟିର ଇକ୍ବିଟି ଫଣ୍ଡ ନେଇ ମଧ୍ୟ ଘୋଷଣା କରାଯାଇଛି । ସଫଳ ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ସଫଳତମ କରିବାରେ ଏହା ସହାୟକ ହେବ ବୋଲି ସୀତାରମଣ ପ୍ରକାଶ କରିଥିଲେ । ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ପରିଭାଷା ବଦଳା ଯାଇଛି । ପୂର୍ବରୁ 25 ଲକ୍ଷରୁ କମ୍‌ ନିବେଶକୁ କ୍ଷୁଦ୍ର ଶିଳ୍ପ ବର୍ଗରେ ରଖାଯାଇଥିବା ବେଳେ ଏହାକୁ 1 କୋଟିକୁ ବୃଦ୍ଧି କରାଯାଇଛି । 200 କୋଟିରୁ କମ୍‌ର ସରକାରୀ ଟେଣ୍ଡରକୁ ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ । କେବଳ ଭାରତୀୟ ଏମ୍‌ଏସ୍‌ଏମ୍‌ଇ ଏହି ଟେଣ୍ଡରରେ ଅଂଶଗ୍ରହଣ କରିବେ । ସେହିପରି କୋଭିଡ୍‌-19 ସମୟରେ ଦେଖାଯାଇଥିବା ସଙ୍କଟ କାରଣରୁ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନ୍‌ଲାଇନ୍‌ କରାଯିବ । ସେହିପରି ଏହି ଶିଳ୍ପରେ ବକେୟା ରହିଥିବା ସରକାରୀ ରାଶି ଆସନ୍ତା 45 ଦିନ ମଧ୍ୟରେ ପ୍ରଦାନ କରାଯିବ ।

ଲକ୍‌ଡାଉନ୍‌ କାରଣରୁ ଦେଶରେ ସମସ୍ତଙ୍କ ବେତନ ଉପରେ ଏହାର ପ୍ରଭାବ ପଡିବାକୁ ଯାଇଛି । ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ କମ୍ପାନୀକୁ 12 ପ୍ରତିଶତ ଇପିଏଫ୍‌ ରାଶି ପ୍ରଦାନ କରାଯାଉଥିବା ବେଳେ ସରକାର ଏହାକୁ 10 ପ୍ରତିଶତକୁ ହ୍ରାସ କରିଛନ୍ତି । ବଳକା ରାଶି ସରକାର ପ୍ରଦାନ କରିବେ । ଏହି ଯୋଜନାରେ ସରକାର 6750 କୋଟିର ସହାୟତା ଘୋଷଣା କରାଯାଇଛି ଏବଂ ଏହା ଦ୍ବାରା କର୍ମଚାରୀଙ୍କ ହାତକୁ ଅଧିକ ଦରମା ଆସିବ । 15 ହଜାରରୁ କମ୍‌ ବେତନ ପାଉଥିବା କର୍ମଚାରୀଙ୍କୁ ସରକାର ଏହି ଯୋଜନାରେ ସାମିଲ କରିଥିବା ବେଳେ ପିଏସ୍‌ୟୁ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । 72 ଲକ୍ଷ କର୍ମଚାରୀ ଏହାଦ୍ବାରା ଲାଭବାନ ହେବ । ଏନ୍‌ବିଏଫ୍‌ସି, ହାଉସିଂ ଏବଂ ଫାଇନାନ୍ସ କ୍ଷେତ୍ର ପାଇଁ 30 ହଜାର କୋଟିର ଋଣ ଘୋଷଣା କରାଯାଇଛି ।

ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ସେବାକୁ ନିଃଶୁଳ୍କ କରାଯାଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ପଡିବାକୁ ଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ 90 ହଜାର କୋଟିର ନିବେଶର ବ୍ୟବସ୍ଥା କରାଯାଇଛି । ସେହିପରି ଦେଶ ବ୍ୟାପୀ ସମସ୍ତ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯାଇଛି । ପ୍ରାୟ 6 ମାସ ପର୍ଯ୍ୟନ୍ତ ବିଭିନ୍ନ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯିବ । ଏହା ସହିତ ଠିକାଦାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟୀ ଅର୍ଥକୁ ଆଂଶିକ ଭାବରେ ଫେରସ୍ତ କରାଯିବ ଯାହାଦ୍ବାରା ଠିକାଦାରଙ୍କ ନିକଟରେ ଆବଶ୍ୟକୀୟ ଅର୍ଥ ରହିବ । ସେହିପରି କୋଭିଡ୍‌-19 ପ୍ରଭାବରେ ରିଅଲ୍‌ ଇଷ୍ଟେଟ୍‌ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସମସ୍ତ ପଞ୍ଜୀକରଣକୁ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆୟକରରେ ସାଧାରଣ ଲୋକଙ୍କୁ 25 ପ୍ରତିଶତର ରିହାତି ପ୍ରଦାନ କରାଯାଇଛି । ବେତନଧାରୀ ଏବଂ ଅଣବେତନଧାରୀ ଏଥିରୁ ଲାଭବାନ ହୋଇପାରିବେ । ଏହାଦ୍ବାରା ସାଧାରଣ ଜନତାଙ୍କୁ 50 ହଜାର କୋଟିର ଲାଭ ମିଳିବ ବୋଲି କୁହାଯାଇଛି । ସେହିପରି ଆୟକର ଦାଖଲର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ସେପ୍ଟେମ୍ବର 13 ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ନଭେମ୍ବର 31କୁ ଘୁଞ୍ଚାଇ ଦିଆଯାଇଛି ।