Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ବର୍ଷ, ଧାର୍ଯ୍ୟ ଲକ୍ଷ ପୁରଣ ପାଇଁ ଚେଷ୍ଠା

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୫୦ତମ ବର୍ଷର ପଦାର୍ପଣ ପରିପ୍ରେକ୍ଷୀରେ ଏହାର ପ୍ରତିଷ୍ଠା ଦିବସ କାର‌୍ୟ୍ୟକ୍ରମକୁ ଗତ ଏକ ତାରିଖରେ ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ନିଗମର ୫୦ତମ ବର୍ଷ ପୂର୍ତ୍ତିକୁ ନେଇ ନିଗମ ଅନେକ କାର‌୍ୟ୍ୟକ୍ରମ ହାତକୁ ନେଇଛି।

ଏହି ଅବସରରେ ଗତ ୨୧ ତାରିଖ ପୂର୍ବାହ୍ଣରେ ଭୁବନେଶ୍ୱର ଓଏଲ୍ଆଇସି ଡିଭିଜନ ଠାରେ ନୂତନ ଟେକ୍ନୋଲୋଜିର ଆଇ.ଏସ୍.ଓ ପ୍ରାମାଣୀକୃତ ପମ୍ପ ପରୀକ୍ଷା ପ୍ରୟୋଗଶାଳା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ।

ସନ୍ଧ୍ୟାରେ ନିଗମର ସାସ୍କୃତିକ ପାରିଷଦ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳସଂପଦ , ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏଥିରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦାନ କରି ବାର୍ଷିକ ପତ୍ରିକା ଉନ୍ମୋଚନ ପୂର୍ବକ ଓ ସଫଳ ଚାଷୀମନଙ୍କୁ ସମର୍ଦ୍ଧିତ କରିଥିଲେ।

ମନ୍ତ୍ରୀ ନିଜ ବକ୍ତବ୍ୟରେ ଜଳସେଚନ କ୍ଷେତ୍ରରେ ଓଏଲ୍ ଆଇ ସିର ଉଦ୍ୟମ ପ୍ରଶଂସନୀୟ ରହିଛିବୋଲି ପ୍ରକାଶ କରିବା ସହ ନିଗମ ଆଗକୁ ଆହୁରି ଭଲ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦେଇ, ଏବେ ଓଏଲ୍ଆଇସି ଗୋଲ୍ଟଡ କ୍ୟାଟେଗୋରୀରେରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ କୃଷି ଓ କୃଷକର ଉନ୍ନତିରେ ଓଏଲ୍ଆଇସିର କାର‌୍ୟ୍ୟକୁ ପ୍ରସଂସା କରିଥିଲେ ।

ତତ୍ ସହିତ ଉପସ୍ଥିତ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ଓ କୃଷକମାନଙ୍କୁ କେବଳ ଧାନ ଫସଲ ନକରି ଅଧିକରୁ ଅଧିକ ଡାଲି, ତୈଳବୀଜ, ପନିପରିବା ପରି ଅର୍ଥକରୀ ଫସଲ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ଯେଉଁ ସ୍ଥାନରେ ଅନ୍ୟ ବିଭିନ୍ନ ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ସହଜ ହୋଇପାରୁ ନାହିଁ, ସେ କ୍ଷେତ୍ରରେ ଓଏଲ୍ଆଇସି ସବୁ ଅପହଂଚ ସ୍ଥାନରେ ପହଞ୍ଚି ପାରୁଛି । ମୁଖ୍ୟମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ରେ ୫ଲକ୍ଷ ହେକ୍ଟର ଜମିରେ ଜଳସେଚନ ର ଯେଉଁ ଧାର‌୍ୟ୍ୟ ଲକ୍ଷ୍ୟ ଦେଇଛନ୍ତି, ତାହାକୁ ପୂରଣ କରିବାକୁ ଓଏଲ୍ଆଇସି ନିଶ୍ଚିତ ଭାବେ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ପତ୍ରୀ କହିଥିଲେ ।

ଏହି ବର୍ଷ ଓଏଲ୍ଆଇ ସିଗୋଷ୍ଠୀ ଉଠା ଜଳସେଚନ ନିମନ୍ତେ ଜାତୀୟ ସ୍ତରୀୟ ପୁରସ୍କାରରେ ପୁରସ୍କୃତ ହୋଇଛି । ଏଥିପାଇଁ ସମସ୍ତ କର୍ମଚାରୀ ଓ ଚାଷୀ ଭାଇମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମର୍ଦ୍ଧିତ ଚାଷୀମାନଙ୍କ ମଧ୍ୟରେ ବହୁ ମହିଳା ସଫଳ ଚାଷୀ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମର ସଫଳ ରୂପାୟନ ହୋଇଥିବା ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦେଶିକା ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିବା ବେଳେ ନିଗମର କାର‌୍ୟ୍ୟନିର୍ବାହୀ ନିର୍ଦେଶକ ଇଂ ବାଲେଶ୍ୱର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ନିଗମର ସାସ୍କୃତିକ ପରିଷଦ ଦ୍ୱାରା ସାମାଜିକ ନାଟକ ‘ଶେଷ ନିଷ୍ପତ୍ତି’ ପରିବେଷଣ କରାଯାଇଥିଲା।