Categories
ଆଜିର ଖବର ଜାତୀୟ ଖବର

ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବଂ ଉଦ୍ଭାବନର ଶକ୍ତିକେନ୍ଦ୍ର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଇଏମଏଫର ବିକାଶ ପୂର୍ବାନୁମାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବ ଉଦ୍ଭାବନର ଏକ ପାୱାରହାଉସ୍। ଏହା ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳ କାରଣରୁ ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଆମ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଆମର ଯାତ୍ରାକୁ ଆହୁରି ମଜଭୁତ କରିବାର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି।

ଆଇଏମଏଫର ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ‘ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳରେ ଚାଳିତ ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବଂ ଉଦ୍ଭାବନର ଏକ ପାୱାରହାଉସ୍। ଆମେ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଯାତ୍ରାକୁ ଆହୁରି ମଜଭୁତ କରିବୁ।’

Categories
ଆଜିର ଖବର ଜାତୀୟ ଖବର

“ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର” ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର (ଆରଭିପି)ର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ଉଦ୍ଭାବକମାନଙ୍କୁ ବ୍ୟକ୍ତିଗତ କିମ୍ବା ଦଳଗତ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଭାରତରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ହେବ। ସରକାରୀ, ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ବୈଜ୍ଞାନିକ/ ବୈଷୟିକ ଜ୍ଞାନକୌଶଳ/ଉଦ୍ଭାବକ କିମ୍ବା କୌଣସି ସଂସ୍ଥା ବାହାରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି, ଯେଉଁମାନେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା କିମ୍ବା ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କ୍ଷେତ୍ରରେ ଗବେଷଣା କିମ୍ବା ଉଦ୍ଭାବନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ଦେଇ ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମାନେ ମଧ୍ୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପୁରସ୍କାର ନିମ୍ନଲିଖିତ ଚାରିଟି ବର୍ଗରେ ପ୍ରଦାନ କରାଯିବ:-

୧- ବିଜ୍ଞାନ ରତ୍ନ (ଭିଆର) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଜୀବନବ୍ୟାପୀ ସଫଳତା ଏବଂ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବ।

୨- ବିଜ୍ଞାନ ଶ୍ରୀ (ଭିଏସ୍) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

୩- ବିଜ୍ଞାନ ଯୁବଶାନ୍ତି ସ୍ୱରୂପ ଭଟ୍ଟନାଗର (ଭିୱାଇଏସଏସବି) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବ ବୈଜ୍ଞାନିକମାନଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବ।

୪- ବିଜ୍ଞାନ ଟିମ୍ (ଭିଟି)  ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଏକ ଦଳରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତିନି କିମ୍ବା ଅଧିକ ବୈଜ୍ଞାନିକ/ଗବେଷକ/ଉଦ୍ଭାବକଙ୍କୁ ନେଇ ଗଠିତ ଏକ ଟିମକୁ ପ୍ରଦାନ କରାଯିବ।

ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ବିଜ୍ଞାନର ଯେ କୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଏବଂ ଉଦ୍ଭାବକମାନେ ଯେଉଁମାନେ ବିଜ୍ଞାନର କୌଣସି କ୍ଷେତ୍ରରେ ଗବେଷଣା, ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କିମ୍ବା ଆବିଷ୍କାର କିମ୍ବା ଉଲ୍ଲେଖନୀୟ ସାମାଜିକ ପ୍ରଭାବ ଥିବା ଅଭିନବ ଜ୍ଞାନକୌଶଳ/ଉତ୍ପାଦର ବିକାଶରେ ଯୋଗଦାନ କରିଛନ୍ତି କିମ୍ବା କରୁଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହେବେ।

ବିଦେଶରେ ଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବକମାନେ ମଧ୍ୟ ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ପାଇଁ ଯୋଗ୍ୟ ବିବେଚିତ ହେବେ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ, ଭୂ ବିଜ୍ଞାନ, ମେଡିସିନ୍, ଇଞ୍ଜିନିୟରିଂ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ଭାବନ, ପରମାଣୁ ଶକ୍ତି, ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ୧୩ଟି କ୍ଷେତ୍ରରେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରାଯିବ। ଲିଙ୍ଗଗତ ସମାନତା ସମେତ ପ୍ରତ୍ୟେକ ଡୋମେନ୍ /କ୍ଷେତ୍ରରୁ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପାଇଁ ମିଳିଥିବା ସମସ୍ତ ନାମାଙ୍କନକୁ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମଶୋଦାତା (ପିଏସଏ)ଙ୍କ ଅଧ୍ୟକ୍ଷତାରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର କମିଟି (ଆରଭିପିସି) ନିକଟରେ ଉପସ୍ଥାପିତ କରାଯିବ, ଯେଉଁଥିରେ ବିଜ୍ଞାନ ବିଭାଗର ସଚିବ, ବିଜ୍ଞାନ ଓ ଇଞ୍ଜିନିୟରିଂ ଏକାଡେମିର ସଦସ୍ୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ କ୍ଷେତ୍ରର କିଛି ବିଶିଷ୍ଟ ବୈଜ୍ଞାନିକ ଓ ବୈଷୟିକ ବିଜ୍ଞାନୀ ରହିବେ।

ପ୍ରତିବର୍ଷ ଜାନୁଆରି ୧୪ ରେ ଏହି ପୁରସ୍କାର ପାଇଁ ନାମାଙ୍କନ ଆହ୍ୱାନ କରାଯିବ, ଯାହା ପ୍ରତିବର୍ଷ ଫେବ୍ରୁଆରି ୨୮ (ଜାତୀୟ ବିଜ୍ଞାନ ଦିବସ) ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତିବର୍ଷ ମଇ୧୧(ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ)ରେ ଏହି ପୁରସ୍କାର ଘୋଷଣା କରାଯିବ। ଅଗଷ୍ଟ ୨୩ (ଜାତୀୟ ମହାକାଶ ଦିବସ)ରେ ସମସ୍ତ ବର୍ଗର ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ସମସ୍ତ ପୁରସ୍କାରରେ ଗୋଟିଏ ମାନପତ୍ର ଓ ପଦକ ରହିବ।

ଏହି ନୂତନ ଜାତୀୟ ପୁରସ୍କାର ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ସ୍ତରରେ ବୈଜ୍ଞାନିକ ସମୁଦାୟର ସଫଳତାକୁ ସ୍ୱୀକୃତି ଦେବା ଦିଗରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ସମଗ୍ର ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସହିତ, ବୈଜ୍ଞାନିକ ଉଦ୍ଭାବକ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମସ୍ତ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଅନ୍ୟ ଜାତୀୟ ପୁରସ୍କାର ସହିତ ସମାନ ମାନ୍ୟତା ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷାକୁ କର୍ମସଂସ୍ଥାନ ଓ ଔଦ୍ୟୋଗିକ ସାମର୍ଥ୍ୟ ସହ ସଂଯୋଗ କରିବା ପାଇଁ ବଜେଟରେ ହୋଇଛି ଉଦ୍ୟମ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି।

ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଦେଶର ଯୁବଗୋଷ୍ଠୀର ଆତ୍ମବିଶ୍ୱାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣଙ୍କର ଆତ୍ମବିଶ୍ୱାସ ତାର ଶିକ୍ଷା ଓ ଜ୍ଞାନର ବିଶ୍ୱାସ ଉପରେ ନିର୍ଭରଶୀଳ। ଆତ୍ମବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ହୃଦବୋଧ ହେବ ଯେ ସେମାନଙ୍କ ଶିକ୍ଷା ସେମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ନିମନ୍ତେ ସୁଯୋଗ ଓ ଆବଶ୍ୟକ କୌଶଳ ପ୍ରଦାନ କରିଛି। ଏହି ଭାବନାକୁ ଆଧାର କରି ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ସହ ଚଳିତ ବଜେଟ ଏଥିପାଇଁ ଖୁବ ଭଲଭାବେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ ପରେ ଦ୍ୱିତୀୟ ସର୍ବବୃହତ ଗୁରୁତ୍ୱ ଶିକ୍ଷା, କୌଶଳ, ଗବେଷଣା ଏବଂ ଉଦ୍ଭାବନ ଉପରେ ଆରୋପ କରାଯାଇଛି। ଦେଶର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଏଥିରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବଜେଟରେ କୌଶଳ ବିକାଶ ଓ ଶିକ୍ଷା ନବୀଶ ଉପରେ ଦିଆଯାଇଥିବା ଗୁରୁତ୍ୱ ଅଭୂତପୂର୍ବ ବୋଲି ସେ କହିଛନ୍ତି। ଯେପରି କର୍ମନିଯୁକ୍ତି ଓ ଔଦ୍ୟୋଗିକ ସାମର୍ଥ୍ୟ ଆଗାମୀ ଦିନରେ ବୃଦ୍ଧି ପାଇବ ସେଥିପାଇଁ ବଜେଟ ଶିକ୍ଷାର ଆର୍ଥିକ ପରିସରକୁ ସଂପ୍ରସାରିତ କରିଛି। ଏସବୁ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଜ୍ଞାନିକ ପ୍ରକାଶନ, ପିଏଚଡି ବିଦ୍ୱାନଙ୍କ ସଂଖ୍ୟା ଓ ଷ୍ଟାର୍ଟଅପ ସେ ତୃତୀୟ ସ୍ଥାନରେ ରହିଛି।

ଭାରତ ବୈଶ୍ୱିକ ଉଦ୍ଭାବନ ସୂଚୀର ପଚାଶତମ ସ୍ଥାନରେ ରହିଛି ଓ ଏହି ସ୍ଥାନ କ୍ରମଶଃ ଉନ୍ନତ ହେବାରେ ଲାଗିଛି। ଉଚ୍ଚଶିକ୍ଷା, ଗବେଷଣା ଓ ଉଦ୍ଭାବନ ଉପରେ ଅଧିକ ଧ୍ୟାନ ଦିଆଯବା ଯୋଗଁତ ଆମର ଛାତ୍ରଛାତ୍ରୀ ଓ ଯୁବ ବିଜ୍ଞାନୀଙ୍କ ନିମନ୍ତେ ଅଧିକରୁ ଅଧିକ ନୂତନ ସୁଯୋଗ ସୃଷ୍ଟି ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ନିମନ୍ତେ ବିଦ୍ୟାଳୟଗୁଡିକରେ ଅଟଳ ଟିଙ୍କରିଂ ଲ୍ୟାବରୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଟଳ ଉଷ୍ମେଳନ କେନ୍ଦ୍ର ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ଷ୍ଟାର୍ଟ ଅପ ନିମନ୍ତେ ହକାଥନ ଭଳି ନବୀନ ପରମ୍ପରା ସୃଷ୍ଟି ହୋଇ ଦେଶର ଯୁବାଗୋଷ୍ଠୀ ଓ ଶିଳ୍ପ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଦେଶରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ୩୫୦୦ରୁ ଅଧିକ ଷ୍ଟାର୍ଟଅପ ମଧ୍ୟ ବିକଶିତ କରାଯାଇଛି। ସେହିପରି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ତିନିଟି ସୁପର କମ୍ପ୍ୟୁଟର ପରମ ଶିବାୟ, ପରମ ଶକ୍ତି ଏବଂ ପରମ ବ୍ରହ୍ମ ଆଇଆଇଟି ବିଏଚୟୁ, ଆଇଆଇଟି ଖଡଗପୁର ଓ ଆଇଜର ପୁଣେରେ ସ୍ଥାପନ କରାଯାଇଛି। ଦେଶରେ ଏକ ଡର୍ଜନରୁ ଅଧିକ ପ୍ରତିଷ୍ଠାନ ଏହି କମ୍ପ୍ୟୁଟର ନେବାକୁ ପ୍ରସ୍ତାବ ଦେଇଛନ୍ତି। ତିନିଟି ଅତ୍ୟାଧୁନିକ ବିଶ୍ଳେଷକ ଏବଂ ବୈଷୟିକ ସାହାଯ୍ୟକାରୀ ପ୍ରତିଷ୍ଠାନ (ସାଥୀ) ଆଇଆଇଟି ଖଡଗପୁର, ଆଇଆଇଟି ଦିଲ୍ଲୀ ଏବଂ ବିଏଚୟୁରୁ କାର୍ଯ୍ୟ କରୁଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଜ୍ଞାନ ଓ ଗବେଷଣା ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ଦେଶର ସାମର୍ଥ୍ୟ ପ୍ରତି ଏକ ଅନ୍ୟାୟ। ମେଧାବୀ ଯୁବଗୋଷ୍ଠୀଙ୍କ ନିମନ୍ତେ ମହାକାଶ ଆଣବିକ ଶକ୍ତି, ଡିଆରଡିଓ ଓ କୃଷି କ୍ଷେତ୍ରରେ ଅନେକ ସୁଯୋଗ ରଖିଛି। ଦେଶ ପ୍ରଥମ ଥର ନିମନ୍ତେ ପାଣିପାଗ କ୍ଷେତ୍ରରେ ଆନ୍ତର୍ଜତିକ ମାନ୍ୟତା ହାସଲ କରିବାରେ ସମର୍ଥ ହୋଇଛି। ଏ ଦିଗରେ ଥିବା ଗବେଷଣା ଓ ବିକାଶ ଯୋଗୁଁ ବୈଶ୍ୱିକ ଦକ୍ଷତା ବୃଦ୍ଧି ସହ ଯେଉଁ ତଥ୍ୟ ମିଳିବ ତାହା ମହାକାଶ କ୍ଷେତ୍ରରେ ଦେଶର ଯୁବଗୋଷ୍ଠୀ ନିମନ୍ତେ ବେଶ ସହାୟକ ହେବ। ଦେଶରେ ପ୍ରଥମ ଥର ନିମନ୍ତେ ଜାତୀୟ ଗବେଷଣା ପ୍ରତିଷଠାନ ତିଆରି ହେଉଛି। ଏଥିପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଏହା ଗବେଷଣା ପ୍ରତିଷ୍ଠାନଗୁଡିକ ପ୍ରଶାସନିକ ପରିପାଟୀକୁ ସୁଦୃଢ଼ କରିବା ସହ ଗବେଷଣା ଓ ପରିପାଟୀ, ଶିକ୍ଷା ବ୍ୟବସ୍ଥା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଶତକଡା ଶହେ ଭାଗରୁ ଅଧିକ ବ୍ୟୟବରାଦ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣା କ୍ଷେତ୍ରରେ କରାଯାଇଥିବାରୁ ଏହା ସରକାରଙ୍କ ପ୍ରାଥମିକତାର ଯଥାର୍ଥତା ପ୍ରତିପାଦନ କରିଥାଏ। ଖାଦ୍ୟ ନିରାପତ୍ତା, ପୌଷ୍ଟିକତା ଓ କୃଷି କ୍ଷେତ୍ରରେ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣାର ପରିସର ବୃଦ୍ଧି ପାଇଁ ସେ ଆହ୍ୱାନ ଜଣାଇଛନ୍ତି।

ଆନ୍ତର୍ଜାତିକ କ୍ୟାମ୍ପସ ସିଲେକସନ ଜରିଆରେ ସର୍ବୋତ୍ତମ କୌଶଳ ଆହରଣ ପାଇଁ ଯୁବଗୋଷ୍ଠୀଙ୍କୁ ତାଲିମ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଶିକ୍ଷାନବୀଶ କାର୍ଯ୍ୟକ୍ରମର ସୁଗମତା ନେଇ ବଜେଟରେ ଯେଉଁ ବ୍ୟବସ୍ଥା ରହିଛି ତାହା ଦେଶର ଯୁବଗୋଷ୍ଠୀଙ୍କ ପାଇଁ ବେଶ ଲାଭପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭବିଷ୍ୟତରେ ଇନ୍ଧନ ଓ ଗ୍ରୀନ ଏନର୍ଜି ଆମର ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆବଶ୍ୟକ। ସେଥିପାଇଁ ବଜେଟରେ ଉଦଯାନ ମିଶନ ଘୋଷଣା କରଯାଇଛି। ଭାରତ ଉଦଯାନରୁ ଯାନ ପରୀକ୍ଷା କରିଛି ଓ ଉଦଯାନକୁ ପରିବହନ ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଛି ଓ ସେଥିପାଇଁ ଆମ ଶିଳ୍ପଜଗତ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।

ନୂତନ ଜାତୀୟ ଶିକ୍ଷାନୀତି ଅଧିକରୁ ଅଧିକ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିଛି। ସେ ଦୃଷ୍ଟିରୁ ପ୍ରତ୍ୟେକ ଭାଷାର ବିଶେଷଜ୍ଞ ଓ ଶିକ୍ଷାବିତ ପ୍ରତ୍ୟେକ ବିଷୟ ଭାରତୀୟ ଭାଷାରେ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନେବେ। ପ୍ରଯୁକ୍ତି ଯୁଗରେ ଏହା କିଛି ବଡ କଥା ନୁହେଁ। ବଜେଟରେ ପ୍ରସ୍ତାବିତ ଜାତୀୟ ଭାଷା ଅନୁବାଦ ମିଶନ ଏ ଦିଗରେ ଅନେକ କିଛି କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।