Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏକ କୋଟିରେ ପହଞ୍ଚିଲା ଏମଏସଏମଇ ଉଦ୍ୟମ ପୋର୍ଟାଲ୍ ପଞ୍ଜୀକରଣ

ନୂଆଦିଲ୍ଲୀ : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜୀକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି। ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି।

ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ ଅଟେ। ଏହା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଅଟେ, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମଏସଏମଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ ଅଟେ।

ଏହି ଅବସରରେ ସୂଚନା ପ୍ରଦାନ କରି, ଏମଏସଏମଇ ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭାନୁ ପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜୀକରଣର ଆବଶ୍ୟକତାକୁ ଦର୍ଶାଇଥିଲେ ଓ ଏମଏସଏମଇ ର ଏକ ପରିଚୟ ଭାବରେ ଏହାର ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଏହା ସହାୟତାରେ ଏମଏସଏମଇ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କମାନଙ୍କର ସ୍କିମ୍ ଅଧୀନରେ ଏମଏସଏମଇ ଗୁଡ଼ିକ ସୁବିଧା ଲାଭ କରିପାରିବେ। ଶ୍ରୀ ରାଣେ ମଧ୍ୟ ଜିଡିପିର ଅଭିବୃଦ୍ଧି, ରପ୍ତାନୀ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମଏସଏମଇ ର ଅବଦାନକୁ ଗୁରୁତ୍ବ ପ୍ରଦାନ କରିଥିଲେ।

୨୫ ମାସର ଅବଧି ମଧ୍ୟରେ, ସ୍ବେଚ୍ଛାକୃତ ଭାବରେ ଉଦ୍ୟମ ପୋର୍ଟାଲରେ ୧ କୋଟି ଏମଏସଏମଇ ପଞ୍ଜୀକରଣ କରି ସାରିଛନ୍ତି ଓ ଏହା ଘୋଷଣା କରିଛନ୍ତି ଯେ ସେମାନେ ୭.୬ କୋଟି ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁଥିରେ ୧.୭ କୋଟି ମହିଳା ରହିଛନ୍ତି।

ଏମଏସଏମଇ ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ଏନଏସଆଇସି ସହିତ ଉଦ୍ୟମ ଡାଟାକୁ ସେୟାର କରିବା ପାଇଁ ଏମଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରର ଉଦ୍ୟମ ପଞ୍ଜୀକରଣ ପାଇଁ ଡିଜିଲକର ସୁବିଧାକୁ ମଧ୍ୟ ଶୁଭାରମ୍ଭ କରାଯାଇଛି।