Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ସମାନ ଧରଣର ଲୁଟର ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନ ଧରି ଏନଏଚ ୧୬ ରେ ଲୁଟ୍ ଆତଙ୍କ ମଚାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ଟାଙ୍ଗୀ ପୋଲିସ୍। ଏ ନେଇ ଟାଙ୍ଗୀ ଥାନାରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ୍ ମିଟ୍ ଜରିଆରେ ସୁଚନା ଦେଇଛନ୍ତି। ଗତ କିଛି ଦିନ ଧରି ୧୬ ନଂ ଜାତୀୟ ରାଜପଥରେ ଯାଉଥିଵା ମହିଳାମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ୍ କରୁଥିଲେ।

ମହିଳାମାନଙ୍କ ଠାରୁ ବାଇକରେ ଆସି ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେବା ସହ ସୁନା ହାର ଛିନତାଇ କରୁଥିଲେ। ଫଳରେ ମହିଳାମାନେ ସ୍କୁଟି ଏବଂ ବାଇକରୁ ପଡି ଗୁରୁତର ହୋଇଥିଲେ। ଗତ କିଛିଦିନ ତଳେ ଟାଙ୍ଗୀ ବାଇପାସ୍ ରେ ଦୁଇ ଜଣ ମହିଳାଙ୍କଠାରୁ ଝାମ୍ପି ନେବା ବେଳେ ୨ ଜଣ ମହିଳା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଲୁଟର ଶୀକାର ହୋଇଥିବା ମହିଳାମାନଙ୍କ ଠାରୁ ଅଭିଯୋଗ ପାଇଵା ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ୍।

ଏସପି ଶ୍ରୀ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଥାନା ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଥିଲା। ପୋଲିସ ନିରାକାରପୁର ଓ ଟାଙ୍ଗୀର ବିଭିନ୍ନ ଅଂଚଳରେ ଚଢାଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି। ୩ ଜଣ ଜାତୀୟ ରାଜପଥ ଲୁଟେରା ହେଲେ ରାମେଶ୍ୱର ମଙ୍ଗଳାସାହିର କାଳିଆ ଓରଫ ଲଳିତ କୁମାର ପଣ୍ଡିତ( ୩୦ ), ନିରାକାରପୁର ଖଜୁରୀ ପଡାର ଡାକା ଓରଫ ଅନିଲ କୁମାର ସୁନ୍ଦରାୟ(୨୭) ଓ ରଣପୁର ଥାନା ଗୋପାଳପୁର ବଘେଇ ସାହିର ସାଗର ମହାପାତ୍ର( ୨୩)।

ଏହା ସହ ଚୋରା ସୁନା ଗହଣା କିଣିଥିବା ଅଭିଯୋଗରେ ଜଣେ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଚୋରା ବେପାରୀ ହେଲେ ପୁରୀ ଜିଲା ଗଡିଶାଗଦା ଥାନା ରାୟଗରପୁରର ବିଭୁତି ଭୁଷଣ ସାହୁ ଓରଫ ବିଭୁ। ଗିରଫ ଲୁଟେରାମାନଙ୍କ ଠାରୁ ୨ ଟି ସୁନା ଚେନ, ୧ ଟି ସୁନା ହାର, ୩ ଟି ସୁନା ମୁଦି, ୪ ଟି ମୋବାଇଲ ଫୋନ୍, ୨ ହଳ ସୁନା ଚୁଡି ଏବଂ ୩ ଟି ଭ୍ୟାନିଟ୍ ବ୍ୟାଗ୍ ଜବତ କରିଛି ପୋଲିସ୍। ଏହା ସହ ଲୁଟରେ ବ୍ୟବହାର ହୋଇଥିବା ୨ ଟି ସ୍ପିଡ୍ ବାଇକ ମଧ୍ୟ ଜବତ କରିଛି ପୋଲିସ।

ଉକ୍ତ ପ୍ରେସ ମିଟରେ ଏସପିଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।