Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣିରେ ଚଢ଼ାଉ ବେଳେ ଏନଫୋର୍ସମେଣ୍ଟ ଟିମକୁ ଗାଡି ଚଢାଇ ମାରିଦେବା ଉଦ୍ୟମ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରଣପୁରର ବେଆଇନ ଖଣିକୁ ନେଇ ସାରା ନୟାଗଡ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି। ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆଜି ଖଣି ମାଫିଆ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।  ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଆଜି ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଖଣି ମାଫିଆମାନେ ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ସୁଦାମ ଚରଣ ବେହେରା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ରଣପୁର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଏମାନେ ପହଂଚିବା ମାତ୍ରେ ଉପସ୍ଥିତ ଖଣି ମାଫିଆମାନେ ଗାଡି ଚଢାଇ ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଆହତ କର୍ମଚାରୀଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯିବା ନେଇ ପ୍ରକାଶ କରିଛନ୍ତି ଅତିରିକ୍ତ ତହସିଲଦାର।

ଆଜିର ଏହି ଚଢ଼ାଉ କାର୍ଯ୍ୟରେ ରାଜସ୍ବ ସୁପର ଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ ବେହେରା, ରାୟପଡା ଆରଆଇ ରାକେଶ ରଞ୍ଜନ ସେଠି ଓ ରଣପୁର ତହସିଲର ଚାରି ଜଣ ଅମିନ ସାମିଲ ହୋଇଥିଲେ।