Categories
ଆଞ୍ଚଳିକ

ପ୍ରତିଭାକୁ ସମ୍ମାନ ଦେଲେ ପ୍ରତିଭା ବିକଶିତ ହେବ: ସମ୍ବିତ ପାତ୍ର

ପୁରୀ: ପୁରୀ ଜିଲ୍ଲାର ଗଙ୍ଗାନାରାୟଣପୁରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏଇ ବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଥିବା ଆଶୁତୋଷ ସାହୁ ଓ ଋତୁପର୍ଣ୍ଣା ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି।

ଋତୁପର୍ଣ୍ଣାଙ୍କ ରେଙ୍କ ୯୩ ଥିବାବେଳେ ଆଶୁତୋଷଙ୍କ ରେଙ୍କ ୧୫୮। ଏହା ସହ ଦାମିନି ଦିବ୍ୟଜ୍ୟୋତି ମହାରଣା (ମାଟ୍ରିକ ପରୀକ୍ଷାରେ ଟପର), ବିଭୂତି ଭୂଷଣ ଚମ୍ପତି (ବରିଷ୍ଠ ସାମ୍ବାଦିକ), ସମୀର ସାହୁ (ଗୋଟି ପୁଅ ନୃତ୍ୟ ଶିଳ୍ପୀ ), ରଶ୍ମୀ ରଞ୍ଜନ ସ୍ବାଇଁ (ଆନ୍ତର୍ଜତୀୟ ସ୍ତରରେ ସଫଳତା ପାଇଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ) ଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବିତ ପାତ୍ର ସମ୍ମାନୀତ କରିଛନ୍ତି।

କାର୍ଯ୍ୟକ୍ରମରେ ହରଚଣ୍ଡି ହାଇ ସ୍କୁଲର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର 500ରୁ ଉର୍ଦ୍ଧ ବ୍ୟକ୍ତି ସମ୍ମିଳିତ ହେଇଥିଲେ।

ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରତ୍ୟେକ ପ୍ରତିଭାକୁ ସମ୍ମାନ ହେବା ଉଚିତ୍। ଏହି ପ୍ରତିଭା ଆମ ଦେଶର ସମ୍ବଳ। ପ୍ରତିଭାକୁ ସମ୍ମାନ ଦେଲେ ହେଁ ପ୍ରତିଭା ବିକଶିତ ହେବ। ଆମ ସମସ୍ତଙ୍କ ଦାଇତ୍ୱ ଆମ ଯୁବ ପ୍ରତିଭାଙ୍କୁ ଆଗକୁ ବଢେଇବାର। ଏମାନେ ସମସ୍ତେ ଆମ ମାଟିର ଗୌରବ।

କାର୍ଯ୍ୟକ୍ରମ ଶେଷରେ ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ହରଚଣ୍ଡି ହାଇ ସ୍କୁଲରେ ବୃକ୍ଷ ରୋପଣ କରିଥିଲେ।

Categories
ଆଞ୍ଚଳିକ

ରେଢାଖୋଲର ଲିପସାରାଣୀ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ

କନ୍ଦର୍ପ ବେହେରା
ରେଢାଖୋଲ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରେଢାଖୋଲ ବ୍ଲକ୍ ହାତୀବାହାଳ ଗ୍ରାମର ଲିପସାରାଣୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି।

ରେଢାଖୋଲ ବ୍ଲକ୍ ହାତୀବାହାଳ ଗ୍ରାମ ତଥା ନାକଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତ ଛତ୍ରପୁର ଗ୍ରାମର ଆବାସିକ ସେବା ଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ପ୍ରଧାନଙ୍କ କନ୍ୟା ଅଟନ୍ତି ଲିପସାରାଣୀ ପ୍ରଧ।।ନ। ଛତ୍ରପୁର ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ବେଳେ ପରମୁହୁର୍ତରେ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ନବମ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢିଥିଲେ। ଢେଙ୍କାନାଳ ଇଟେକ୍ କଲେଜରେ ବିଜ୍ଞାନରେ ଅଧ୍ୟୟନ କରି ସଫଲତା ପାଇଥିଲେ। ଗୁଣପୁର ଜିଆର୍ ଇଟି ବିଶ୍ୱବିଦ୍ୟାଲୟରେ ବିଏସ୍ ସି କରି ପରେ ଭୁବନେଶ୍ୱରର ଉତ୍କଲ ବିଶ୍ୱ ବିଦ୍ୟାଳୟରେ ଏମ୍ ଏସ୍ ସି କରିଥିଲେ।

ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଜାଣି ଲିପସାରାଣୀଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସେ ବାପା ମାଆ, ଗୁରୁଜୀ, କାକା, ଭଉଣୀ, ଭାଇ ତଥା ପରିବାରର ସମସ୍ତଙ୍କ ଶ୍ରେୟ ବୋଲି ପ୍ରକାଶ କରିଛନ୍ତି। ସେ ଦିନକୁ ୫ରୁ ୬ ଘଂଟା ଅଧ୍ୟୟନ କରନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ଆଗକୁ ଲୋକମାନଙ୍କର ସେବା କରିବେ ବୋଲି ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି୨୦୨୦ ବ୍ୟାଚ୍  ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଜି  ଉଦଘାଟନ କରିଛନ୍ତି। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧୀନରେ ପ୍ରଶିକ୍ଷଣ ନେବାପାଇଁ ଯୋଗ ଦେଇଥିବା ଏହି ୧୨୯ ଜଣ ଓଏଏସ୍ ପ୍ରୋବେସନରଙ୍କ ମଧ୍ୟରୁ ୧୨୮ ଜଣ ଓଏଏସ୍ – ୨୦୨୦ ବ୍ୟାଚ୍ ଏବଂ ଜଣେ ଓଏଏସ୍- ୨୦୧୮ ବ୍ୟାଚ୍ ର ଅଟନ୍ତି।  ଏହି ବ୍ୟାଚ୍ ରେ ୫୬ ଜଣ ମହିଳା ଓ ୭୩ ଜଣ ପୁରୁଷ ପ୍ରଶିକ୍ଷାର୍ଥୀ ରହିଛନ୍ତି। ୨୨ ସପ୍ତାହ ବ୍ୟାପୀ ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜୁନ୍ ୨୬.୦୬.୨୦୨୩ରୁ ୨୪.୧୧.୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଓଏଏସ୍ ପ୍ରୋବେସନରମାନଙ୍କୁ ଶୃଙ୍ଖଳା ଅନୁସରଣ ପୂର୍ବକ ସଠିକ୍ ମାର୍ଗରେ ପରିଚାଳିତ ହେବା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଦିବସର ପ୍ରାରମ୍ଭରେ ପରାମର୍ଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ଜେନା ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ନବ ନିଯୁକ୍ତ ଅଧିକାରୀମାନେ ପ୍ରାୟ ୩୦ରୁ ୩୫ ବର୍ଷ ଧରି ସରକାରଙ୍କ ସେବା କରିବାକୁ ଯାଉଛନ୍ତି। ପ୍ରୋବେସନରମାନେ ନିରନ୍ତର ଜ୍ଞାନ ଅର୍ଜନ, ରାଜ୍ୟ ସରକାରଙ୍କ ‘୫-ଟି’ ଆଭିମୁଖ୍ୟକୁ  କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବା, ଅଭିନବ ଚିନ୍ତାଧାରା  ବ୍ୟବହାର ପୂର୍ବକ ଦକ୍ଷ ସେବା ପ୍ରଦାନ, ସାମର୍ଥ୍ୟକୁ ସର୍ବାଧିକ ଉପଯୋଗ କରିବା, ସେବାରେ ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଓଡ଼ିଶା ସରକାରୀ ସେବା ଆଚରଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ରାଜ୍ୟର ରୂପାନ୍ତରଣକୁ ଆହୁରି ଆଗେଇ ନେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ,  ଜୀବନ ଚକ୍ର ପଦ୍ଧତିରେ ଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ସଠିକ୍  ପୋଷଣ ଏବଂ ପରାମର୍ଶ ସହିତ ଆରମ୍ଭ ହୁଏ। ସରକାରୀ ସେବା କାର୍ଯ୍ୟକାଳ ମଧ୍ୟରେ ସଚ୍ଚୋଟତା ରକ୍ଷା ସହିତ ଆତ୍ମଶିକ୍ଷା, ଅଭିନବତ୍ୱ ଏବଂ ମୂଲ୍ୟାଙ୍କନ ମାଧ୍ୟମରେ ଏହା ଜାରି ରହିଥାଏ। ଗୋପବନ୍ଧୁ  ପ୍ରଶାସନିକ ଏକାଡେମୀ, ପ୍ରଶିକ୍ଷଣ ମାଧ୍ୟମରେ ଏହା ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପ୍ରଦାନ କରିବା ସହ ଯୁବ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ଅଭ୍ୟାସ ଜାରି ରହିବା ଓ ଶୃଙ୍ଖଳାର ସହ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ କରିଥାଏ। ପ୍ରଶିକ୍ଷଣ ନିମନ୍ତେ କେତେକ ଆନୁଷଙ୍ଗିକ ଆବଶ୍ୟକତା ରହିଥିବା ସତ୍ତ୍ୱେ ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି ଦିଗରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଙ୍କର ମହାନିର୍ଦ୍ଦେଶକଙ୍କ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ଏହି ଟ୍ରେନିଂ ମୋଡ୍ୟୁଲରେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସମ୍ବଳ ଦ୍ୱାରା ଜ୍ଞାନ ଆଦାନପ୍ରଦାନରେ ପ୍ରଶିକ୍ଷଣ ଅବଧିକୁ ୧୮ ସପ୍ତାହରୁ ୨୨ ସପ୍ତାହକୁ ବୃଦ୍ଧି କରାଯାଇଛି। ଏହି ପର୍ଯ୍ୟାୟ ପ୍ରଶିକ୍ଷଣ  ପ୍ରୋବେସନରମାନଙ୍କୁ  ଉଚ୍ଚମାନର  ସଚ୍ଚୋଟତା, ଏକାଗ୍ରତା ଓ ମୂଲ୍ୟବୋଧର ସହ ପୂର୍ଣ୍ଣାଙ୍ଗ ଅଧିକାରୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଥିଲେ। ବିଭିନ୍ନ ଉଦାଗରଣ ଦେଇ ବର୍ଷ ବର୍ଷ ଧରି ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି  ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା କେତେକ ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ପ୍ରଶଂସା କରି ଯୁବ ପ୍ରୋବେସନରମାନେ ଅମଲାତନ୍ତ୍ରରେ ନେତୃତ୍ୱ ନେଇ ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବେ  ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ତଥା ଓଡ଼ିଶା ରାଜସ୍ୱ ପରିଷଦର ସଦସ୍ୟ ରାଜ କୁମାର ଶର୍ମା ଯୁବ ପ୍ରୋବେସନରମାନଙ୍କୁ ‘କର୍ମବୀର’ ବୋଲି ଅଭିହିତ କରିଥିଲେ। ରୂପାନ୍ତରଣ ଜାରି ରହିଥିବା ଓଡିଶାରେ  ଶାସନର ପ୍ରମୁଖ ମାଧ୍ୟମ ଭାବେ ସେମାନେ  କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିବା ସହ ଲୋକ ସେବାର ପ୍ରତୀକ ହୋଇ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି କହିଥିଲେ। ସେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ତିନୋଟି ମୂଳଦୁଆ ଉପରେ ଗୁରୁତ୍ୱାରୋପ କରି ପ୍ରଶିକ୍ଷାର୍ଥୀମାନେ  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ‘ତାବିଜ’(ଟାଲିସମ୍ୟାନ)ର ମହତ୍ୱକୁ ଉପଲବ୍ଧ କରି କାର୍ଯ୍ୟ କ୍ଷେତ୍ରରେ ଲଗାଇବା, ୧୯୪୭ ମସିହା ଏପ୍ରିଲ ୨୧ ତାରିଖରେ ଆଇଏଏସ୍ ପ୍ରୋବେସନରମାନଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବକ୍ତୃତାରେ ରହିଥିବା ଜାତୀୟ ସଂହତିର ମାର୍ଗ ଏବଂ ଏକ ସଫଳ ଜନସେବା ବୃତ୍ତି  ଆପଣେଇବା ଏବଂ ‘୫-ଟି’ର ଦର୍ଶନକୁ  ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବା ସଂପର୍କରେ  ପରାମର୍ଶ ଦେଇଥିଲେ। ଓଡ଼ିଶାର ପରିବର୍ତ୍ତିତ ବିକାଶ ଧାରା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବାଣ୍ଟି ସେ ଉଲ୍ଲେଖ କରିଥିଲେ ଯେ ୨୦୦୦ ପୂର୍ବରୁ   ତୁଳନାତ୍ମକ ପଛୁଆ ଥିବା ଆମ ରାଜ୍ୟ ଏହା ଠାରୁ ଅନେକ କ୍ଷେତ୍ରରେ ଆଗେଇ  ଆଜି ସୁଦ୍ଧା ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ ହୋଇଛି। ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, କୃଷି, ସ୍ୱାସ୍ଥ୍ୟ ସେବା, କ୍ରୀଡା ଆଦି ଅନେକ କ୍ଷେତ୍ରରେ ଓଡିଶା ଏହାର ସଫଳତାକୁ ପ୍ରମାଣିତ କରି ଉଲ୍ଲେଖନୀୟ ଅଗ୍ରଗତି କରିଛି। ଭବିଷ୍ୟତରେ ଓଡ଼ିଶାର ପ୍ରଗତିଶୀଳ ଯାତ୍ରାରେ ଯୁବ ପ୍ରୋବେସନରମାନେ ଆନ୍ତରିକତାର ସହ କାର୍ଯ୍ୟ କରି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ଶ୍ରୀ ଶର୍ମା ଆଶାବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର  ଅତିରିକ୍ତ ମହାନିର୍ଦ୍ଦେଶକ  ମନୀଷ ଅଗ୍ରଓ୍ଵାଲ ୨୦୨୦ ବ୍ୟାଚ୍ ର ପ୍ରଶିକ୍ଷଣ ପ୍ରଣାଳୀର ପ୍ରସ୍ତୁତି, ଅବଧି ଏବଂ ନକ୍ସା ସମ୍ପର୍କରେ ବିଶଦ୍ ସୂଚନା ଦେଇଥିଲେ। ପାଠ୍ୟକ୍ରମ  ଢାଞ୍ଚା ମଧ୍ୟରେ  ଇଣ୍ଡୋର ଏକାଡେମିକ୍ ଅଧିବେଶନ ଏବଂ ଆଉଟଡୋର କାର୍ଯ୍ୟକଳାପର ସନ୍ତୁଳିତ ମିଶ୍ରଣ ସୁନିଶ୍ଚିତ କରିବା ପାଇଁ ଜିଏଏ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି। ପାଠ୍ୟକ୍ରମ ମଡ୍ୟୁଲ୍ ଗୁଡ଼ିକ ଆଭ୍ୟନ୍ତରୀଣ ଏବଂ ବାହ୍ୟ ମଡ୍ୟୁଲ୍ ସଂଯୋଜକଙ୍କ ଦ୍ୱାରା ପରିଚାଳିତ ହେବ। ସେହିପରି ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର, ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଆର୍.ଓ.ଟି.ଆଇ)ଭଳି ସମ୍ବଳ ଏଜେନ୍ସି ମାନଙ୍କ ସହ ବୈଷୟିକ ସହଯୋଗ କରାଯାଇଛି। ପ୍ରଶିକ୍ଷାର୍ଥୀମାନେ ସ୍ୱତଃପ୍ରବୃତ୍ତ ଭାବେ ଆଗ୍ରହର ସହ ପ୍ରଶିକ୍ଷଣରେ ସାମିଲ ହେବା, ଶିକ୍ଷା ଗ୍ରହଣକୁ ଭଲ ଭାବେ ବୁଝିବା, କ୍ଷେତ୍ର ପରିଦର୍ଶନରୁ ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଥିଲେ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ଡଃ. ମମତାରାଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।