Categories
ଆଜିର ଖବର ରାଜ୍ୟ ଖବର

ନୂଆପଡ଼ା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଗୁରୁତ୍ବ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ପ୍ରମୁଖ ବେଉସା ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ନୂଆପଡ଼ାଠାରେ ଏହା ପ୍ରକାଶ କରିଛନ୍ତି । ବିଶେଷ ଭାବେ ନୂଆପଡ଼ା ଜିଲ୍ଲା ଏ କ୍ଷେତ୍ରରେ ଅଧିକ ଲାଭାନ୍ୱିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମରୁଡ଼ି ପ୍ରପୀଡ଼ିତ ନୂଆପଡ଼ା ଜିଲ୍ଲାରେ ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାରେ କୃଷି, ଗମନାଗମନ, ଟେଲି ଯୋଗାଯୋଗ, ବିଦ୍ୟୁତ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ଅନେକ ବିକାଶ ହୋଇଛି ।

ବିଶେଷ ଭାବେ ସ୍ଥାନୀୟ ମୃର୍ତ୍ତିକା କପାଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୪୬ଟି କୁକୁଡ଼ା ଫାର୍ମ ଗଢ଼ି ଉଠିଥିବା ଏକ ଭଲ ଖବର ବୋଲି ସେ କହିଥିଲେ । ତା’ଛଡ଼ା ଉଦ୍ୟାନକୃଷି, ମାଛଚାଷ, ପ୍ରାଣୀପାଳନ ଆଦି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ପାଇଁ ଅର୍ଥକରୀ ବେଉସା ହୋଇପାରିବ । ସେହିପରି ସୂର୍ଯ୍ୟମୁଖୀ ଚାଷକୁ ବ୍ୟାପକ ଭାବେ କରିବା ପାଇଁ ସ୍ଥାନୀୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଉଦ୍ୟାନକୃଷି ବିଭାଗକୁ ପ୍ରବର୍ତ୍ତାଇଥିଲେ । ଏବେ ଜୈବିକ ଫସଲ ବିକ୍ରିବଟାର ଚାହିଦା ରହିଥିବା ହେତୁ ଚାଷୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାଣ୍ଡିଆ ଚାଷର ଭଲ ରେକର୍ଡ ଥିବା ହେତୁ ନୂଆପଡ଼ା ଜିଲ୍ଲାରେ ମାଣ୍ଡିଆ ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସେ ପ୍ରକାଶ କରିଥିଲେ । ବିଜୁ ଏକ୍ସପ୍ରେସ୍‌ େୱ ଜିଲ୍ଲା ପାଇଁ ବରଦାନ ପାଲଟିବ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ଗଢ଼ିଉଠିଲେ ଜିଲ୍ଲାର ଅର୍ଥନୀତିରେ ପ୍ରଭୂତ ଉନ୍ନତି ସାଧନ ହେବା ସହିତ ସ୍ଥାନୀୟ ଲୋକେ କର୍ମସଂସ୍ଥାନ ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ଏଥିପାଇଁ କେତେକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଇଡ୍‌କୋ ତରଫରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଥିବା ସେ ଦର୍ଶାଇଥିଲେ ।

ଜିଲ୍ଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଏସବୁ ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାକୁ ବାହାର ପର୍ଯ୍ୟଟକ କିପରି ଆସିପାରିବେ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ । ପତୋରା ଡ୍ୟାମ୍‌ଠାରେ ନେଚର କ୍ୟାମ୍ପ୍‌ ପ୍ରତିଷ୍ଠା ଏବଂ ତିଖାଲିଠାରେ ବୋଟିଂ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସାମ୍ବାଦିକମାନଙ୍କୁ କହିଥିଲେ । ଏଥି ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଆବଶ୍ୟକୀୟ ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ତାଙ୍କର ଗସ୍ତ କାଳରେ ସେ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣର ଅଗ୍ରଗତି ପରିଦର୍ଶନ କରିବା ସହ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ସେଠାରେ ଥିବା ୱାଚ୍‌ ଟାୱାର, ସ୍ପିଲ୍‌ୱେ, ଡ୍ୟାମ୍‌ହେଡ୍‌, ଉଦ୍ୟାନ ପ୍ରଭୃତି ବୁଲି ଦେଖିଥିଲେ । ପରେ ସେ ଖଡ଼ିଆଳ ନିକଟସ୍ଥ ବାଦୀଗାଆଁଠାରେ ନିର୍ମିତ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ । ତାଙ୍କ ଗସ୍ତ ସମୟରେ ସେ ସ୍ଥାନୀୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇଥିଲେ । ତାଙ୍କର ଏହି ଚାରିଦିନିଆ ଗସ୍ତରେ ସେ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।