Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା: ୧୦ ତାରିଖରେ ପ୍ରକାଶିତ ହେବ ପରୀକ୍ଷା ଫଳ

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପରୀକ୍ଷା ଚାଲିବ। ପ୍ରତିଦିନ ଦୁଇଟି ଲେଖାଏଁ ସିଟିଂ ପରୀକ୍ଷା କରାଯାଉଛି।

ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ହେବାକୁ ଥିବାବେଳେ ଦ୍ଵିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏଁ ଚାଲିବ। ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ଵିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ‌ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ।

ପ୍ରାୟ ୬ ହଜାରରୁ ଅଧିକ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ସ୍କୁଲରେ ଏହି ପରୀକ୍ଷା କରାଯାଉଛି। ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ସାମ୍ଭାବ୍ୟ ପ୍ରଶ୍ନପତ୍ର ଢାଞ୍ଚାରେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ।

ତେବେ ଆସନ୍ତା ୮ ତାରିଖ ଓଷ୍ଟା ୱେବସାଇଟରେ ossta.in ପ୍ରି-ବୋର୍ଡ ପରୀକ୍ଷାର ଆଦର୍ଶ ଉତ୍ତର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଲେଖିଥିବା ଉତ୍ତରକୁ ନିଜେ ସମୀକ୍ଷା କରିବେ। ଶିକ୍ଷକମାନେ ମଧ୍ୟ ସେହି ଆଦର୍ଶ ଉତ୍ତର ମାଧ୍ୟମରେ ଖାତା ମୂଳ୍ୟାୟନ କରିବେ। ସମଗ୍ର ରାଜ୍ୟରେ ଅପ୍ରେଲ ୧୦ ତାରିଖ ଦିନ ପରୀକ୍ଷା ଫଳ ପ୍ରକାଶିତ ହେବ। ଉତ୍ତରକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅବଗତି ନିମନ୍ତେ ଦିଆଯିବ।

ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାକୁ ଆଧାର କରି ବୋର୍ଡ ପରୀକ୍ଷାରେ ଆହୁରି ଅଧିକ ନମ୍ବର ରଖିବାକୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଶିକ୍ଷକମାନେ ଯୋଗାଇ ଦେବେ। ସେହିଭଳି ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅପ୍ରେଲ ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ। ଏନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।