Categories
ବିଶେଷ ଖବର

ଓଡିଶାରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ପରିବର୍ତ୍ତନ ନୁହଁ, ବରଂ ସ୍ଥିତାବସ୍ଥାଆଡକୁ ପୁନଶ୍ଚ ରାଜ୍ୟର ଜନମତ

କେଦାର ମିଶ୍ର

ଓଡିଶାରେ କ୍ଷମତା ପରିବର୍ତ୍ତନର ପାଦଶବ୍ଦ ଶୁଭୁଛି କି ? ବେଳେ ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଯେଉଁ ପରିବର୍ତ୍ତନର କଥା କହୁଛନ୍ତି ବା ଗୋଟେ ଅଧେ ଟେଲିଭିଜନ ଚାନେଲରେ ଯେଉଁ ପରିବର୍ତ୍ତନର ଆଲୋଚନା ଚାଲିଛି, ସାଧାରଣ ଲୋକ ତାକୁ କେମିତି ଦେଖୁଛନ୍ତି ? ଗତ ଏପ୍ରିଲ ୨ ତାରିଖରୁ ୨୬ ତାରିଖ ପର୍ୟନ୍ତ ଆମେ ପାଖାପାଖି ୩୦୦୦ କିଲୋମିଟର ଘୂରିଛୁ ଓ ଏଇ ଯାତ୍ରାରେ ଆମେ ୧୮ଟି ଲୋକସଭା ଓ ୮୪ ଟି ବିଧାନସଭା କ୍ଷେତ୍ର ବୁଲି ଦେଖିଛୁ। ରାସ୍ତାରେ, ଚା ଦୋକାନରେ, ଗାଁ ମୁଣ୍ଡ ବରଗଛ ତଳେ, ରାଲିରେ, ପେଟ୍ରୋଲ ପମ୍ପରେ ଓ ରାସ୍ତାରେ ଆମେ ଶହ ଶହ ଲୋକଙ୍କ ସହ ଭୋଟ ରାଜନୀତିକୁ ନେଇ ଚର୍ଚ୍ଚା କରିଛୁ। ଶେଷ ପର୍ୟାୟ ନିର୍ବାଚନ ହେବାକୁଥିବା କେନ୍ଦ୍ରାପଡା, ଭଦ୍ରଖ, ଜଗତସିଂପୁର, ଯାଜପୁର, ବାଲେଶ୍ଵର ଓ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ଅଧିକାଂଶ ବିଧାନସଭା କ୍ଷେତ୍ର ବୁଲି ବୁଲି ଆମେ ଜାଣିବାକୁ ଚାହିଁଛୁ ଯେ ବାସ୍ତବରେ ପରିବର୍ତ୍ତନର ସମ୍ଭାବନା ଦିଶୁଛି କି ? ଏତେ ବାଟ ବୁଲିଲା ପରେ ଗୋଟେ କଥା କହିବାକୁ ପଡିବ ଯେ, ପରିବର୍ତ୍ତନ ତ ଦୂରର କଥା ବର୍ତ୍ତମାନର ସରକାର ଉପରେ ସାମାନ୍ୟ ଆକ୍ରୋଶ କେଉଁଠି ନାହିଁ। ୧୯ ବର୍ଷ ଶାସନ କଲାପରେ ମଧ୍ୟ ନବୀନଙ୍କ ବିକଳ୍ପ ଖୋଜିବାକୁ ଲୋକେ ପ୍ରସ୍ତୁତ ନୁହନ୍ତି। ଯେମିତି ୨୦୧୪ ନିର୍ବାଚନରେ ବିଜେପିର ଚାବିକାଠି ଥିଲା “ଆଚ୍ଛେ ଦିନ” , ସେହିପରି ୨୦୧୯ ନିର୍ବାଚନରେ ଓଡିଶାର ଚାବିକାଠି ହେଉଛି “ନବୀନ ବାବୁ ଭଲଲୋକ”। ସୋସିଆଲ ମିଡିଆରେ କିମ୍ବା ଟେଲିଭିଜନରେ ନବୀନ ବାବୁଙ୍କୁ ଯେତେ ଗାଳି କଲେ ମଧ୍ୟ, ତାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ।

ନବୀନଙ୍କ ଭଲଲୋକ ହେବାର ଛବିଟି ଏତେ ବିରାଟ ହୋଇ ଯାଇଛି ଯେ, ତା ପାଖରେ ଠିଆ ହେବାଲାଗି ଆଉ କାହାର ସାହସ ହେବା ସହଜ କଥା ନୁହଁ। ତେବେ ନବୀନଙ୍କ ସହ ତୁଳନୀୟ ଆଉ ଜଣେ ନେତାଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି, ସେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛୋଟ ଛୋଟ ସହରରେ ଓ ସହରକୁ ଲାଗିଥିବା ଗାଁମାନଙ୍କରେ ନରେନ୍ଦ୍ର ମୋଦୀଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ସେଠି ମୋଦୀ ଚର୍ଚ୍ଚାର ପରିସର ଅଲଗା। “ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ” ଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି। ତେବେ ଏଇ ଚର୍ଚ୍ଚାର ଆରମ୍ଭ ମଧ୍ୟ ନବୀନଙ୍କ ପାଖରୁ। ନବୀନ ଯେହେତୁ ମୋଦୀଙ୍କୁ କେବେ ବିରୋଧ କରିନାହାନ୍ତି, ତାହାର ପ୍ରଭାବ ଲୋକଙ୍କ ଭିତରକୁ ଯାଇଛି। ଆଜି ଲୋକସଭା ପାଇଁ ବିଜେଡ଼ିକୁ ଯେଉଁ ସଂଘର୍ଷ କରିବାକୁ ପଡୁଛି, ତାହାର ଏକମାତ୍ର କାରଣ ହେଉଛି, ମୋଦୀ ସରକାରର ସବୁ ଜନବିରୋଧୀ ନୀତି ଉପରେ ବିଜେଡ଼ିର ନୀରବତା। ନବୀନଙ୍କ ପ୍ରତି ରାଜ୍ୟରେ ପ୍ରଚଣ୍ଡ ଜଣ ସମର୍ଥନ ସତ୍ତ୍ୱେ ଲୋକସଭା ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆଗ୍ରହର ଏହା ଏକା ପ୍ରମୁଖ କାରଣ।

ତେବେ ପରିବର୍ତ୍ତନ ଅପେକ୍ଷା ସ୍ଥିତାବସ୍ଥା ସପକ୍ଷରେ ଆଜି ବି ଓଡିଶାରେ ପ୍ରବଳ ଜନମତ ରହିଛି। କେନ୍ଦ୍ରାପଡା ସମ୍ପର୍କରେ ଆଗରୁ ଆମେ ଆଲୋଚନା କରିଛୁ। ନବରଙ୍ଗପୁର ପରେ ଭଦ୍ରଖ ହେଉଛି ଆଉ ଏକ ଆସନ ଯେଉଁଠି କଂଗ୍ରେସ ସହିତ ବିଜେଡ଼ିର ତୀବ୍ର ମୁକାବିଲା ହେଉଛି। ସୋରୋ, ଭଣ୍ଡାରି ପୋଖରୀ ଓ ସିମୁଳିଆରେ କଂଗ୍ରେସର ସ୍ଥିତି ବେଶ ଭଲ ଜଣା ପଡୁଛି। ବାଲେଶ୍ଵର ଓ ଯାଜପୁରରେ ବିଜେଡ଼ିର ସ୍ଥିତି ଯଥା ପୂର୍ବ ରହିଥିବା ବେଳେ ମୟୂରଭଞ୍ଜରେ ବିଜେଡି ଲାଗି ବହୁ ସଙ୍କଟ ରହିଛି। ଅନେକ ଜାଗାରେ ସ୍ଥାନୀୟ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ରହିଛି। ହେଲେ ନବୀନ ଅଜାତଶତ୍ରୁ। ତାଙ୍କ ବିରୋଧରେ କହିବାର କିଛି ନାଇଁ।

ଏହାକୁ ଆମ ରାଜନୈତିକ ମନସ୍ତତ୍ତ୍ଵରେ କଣ ବୋଲି କହିପାରିବା? ସ୍ଥିତାବସ୍ଥା ସପକ୍ଷରେ ଜନମତର ଏକ ଲମ୍ବା  ଇତିହାସ ଆମ ଦେଶରେ ରହିଛି। ଜ୍ୟୋତି ବସୁ(୨୩ ବର୍ଷ), ପବନ କୁମାର ଚାମଲିଙ୍ଗ(୨୪ ବର୍ଷ), ମାଣିକ ସରକାର(୧୯ ବର୍ଷ) ଙ୍କ ପରି ନବୀନ ବାବୁ ମଧ୍ୟ ଦୀର୍ଘ ବର୍ଷ ଶାସନରେ ରହିଲେଣି। ଏଥର ନିର୍ବାଚିତ ହେଲେ ସେ ଜ୍ୟୋତି ବସୁଙ୍କ ରେକର୍ଡ ସହ ସମକକ୍ଷ ହେବେ। ଏତେ ଦିନ କ୍ଷମତାରେ ରହିବା ପରେ ସ୍ଵାଭାବିକ ଭାବରେ ନେତୃତ୍ୱ ପରିବର୍ତ୍ତନ ଲାଗି ଲୋକଙ୍କ ମନରେ ଉଦ୍ବେଳନ ତିଆର ହେବା କଥା। ସେଥିଲାଗି ବିଜେପି ଏଥର ନିଜର ମୁଖ୍ୟ ସ୍ଲୋଗାନ ରଖିଛି- “ଏ ସରକାର ବଦଳିବା ଦରକାର”। ହେଲେ ଲୋକ ବୋଧ ହୁଏ ଚାହୁଁଛନ୍ତି- “ଏ ସରକାର ରହିଥିବା ଦରକାର”।

( ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ବଲାଙ୍ଗୀର ନିର୍ବାଚନ, ଦୁଇଟି ପରିବାରର ରାଜନୈତିକ ସ୍ଵାର୍ଥ ଆଗରେ ବନ୍ଧା ପଡିଛି ଦୁଇଟି ଜିଲ୍ଲାର ଭାଗ୍ୟ

କେଦାର ମିଶ୍ର

ବଲାଙ୍ଗୀରରେ ନିର୍ବାଚନ କହିଲେ ମାତ୍ର ଦୁଇଟି ପରିବାର। ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଦୁଇଟି ପରିବାର ହାତରେ ତିନୋଟି ଦଳ ଓ ପ୍ରାୟ ସାଢେ ପନ୍ଦର ଲକ୍ଷ ଭୋଟରଙ୍କ ଭାଗ୍ୟ ନିୟନ୍ତ୍ରିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସ ଦଳର ଭାଗ୍ୟଡୋରୀ ରହିଛି। ଲୋକସଭା ପାଇଁ ବିଜେପିରୁ ସଂଗୀତା ସିଂ ଦେଓ, ବିଜେଡ଼ିରୁ କଳିକେଶ ନାରାୟଣ ସିଂ ଦେଓ ଓ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢୁଛନ୍ତି। ତିନିଜଣ ଯାକ ପ୍ରମୁଖ ପ୍ରାର୍ଥୀ ଦୁଇଟି ପରିବାରରୁ ଆସିଛନ୍ତି। ଏଠି କୁହାଯାଇପାରେ, ରାଜା ଓ ବ୍ରାହ୍ମଣଏଅ କ୍ଷମତା ଲଢେଇରେ ସାଧାରଣ ଭୋଟର ଏଠି ଭକୁଆ ମାତ୍ର। ବଲାଙ୍ଗୀର ଜିଲ୍ଲାର ରାଜନୈତିକ ନେତୃତ୍ୱ ବର୍ଷ ବର୍ଷ ଧରି ଦୁଇଟି ପରିବାରର ହସ୍ତ ମୁଦି ମାହାଲ ହୋଇ ରହି ଆସିବା, ଆମ ଗଣତନ୍ତ୍ର ପକ୍ଷେ ଆଦୌ ଶୁଭଂକର ନୁହେଁ। କିନ୍ତୁ ବଲାଙ୍ଗୀର ର ରାଜନୈତିକ ବାସ୍ତବତାକୁ  ଦେଖି ଏକଥା ଆମକୁ ସ୍ଵୀକାର କରିବାକୁ ପଡିବ ଯେ, ପରିବାରବାଦରୁ ମୁକୁଳିବାର ଲୋକସୂତ୍ର ବଲାଙ୍ଗୀର ଆଜି ମଧ୍ୟ ଖୋଜିପାଉନାହିଁ।

ଗତ ୨୧ ବର୍ଷ ଧରି ବଲାଙ୍ଗୀରର ପ୍ରାକ୍ତନ ରାଜପରିବାର ହାତରେ ବଲାଙ୍ଗୀର ଲୋକସଭା ଆସନ ରହିଆସିଛି। ୧୯୯୮ ରୁ ଏଠାରୁ ସଂଗୀତା ସିଂ ଦେଓ ତିନିଥର ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବରେ ଜିଣିଥିବା ବେଳେ ୨୦୦୯ ଓ ୨୦୧୪ ନିର୍ବାଚନରେ କଳିକେଶ ନାରାୟଣ ସିଂ ଦେଓ ଜିଣିଛନ୍ତି। ଏଥର ମଧ୍ୟ ଦିଅର –ଭାଉଜଙ୍କ ଭିତରେ ପୁନଶ୍ଚ ପ୍ରତିଯୋଗିତା ହେଉଛି। ତେବେ ରାଜା ପରିବାରର ପ୍ରତିଦ୍ବନ୍ଦ୍ବୀ ଭାବରେ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର ମଇଦାନ ରେ ଅଛନ୍ତି। ଗତ ନିର୍ବାଚନରେ କଳିକେଶ ସଙ୍ଗୀତାଙ୍କଠାରୁ ୧,୦୪,୨୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ କଳିକେଶ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କଠାରୁ ପ୍ରାୟ ୯୦ ହଜାର ଭୋଟରେ ଜିତିଥିଲେ। ବଲାଙ୍ଗୀରରେ ତୀବ୍ର ତ୍ରିମୂଖୀ ଲଢେଇ ଥିବା ଯୋଗୁଁ, ଯେଉଁ ପ୍ରାର୍ଥୀ ସାଢେ ତିନ ଲକ୍ଷ ଭୋଟ ପାଇପାରିବେ, ତାଙ୍କ ବିଜୟ ସହଜ ହୋଇଯିବ।

ଗତ ନିର୍ବାଚନରେ ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନ ବିଜେଡି ହାତକୁ ଯାଇଥିବା ବେଳେ ବଲାଙ୍ଗୀରରେ କଂଗ୍ରେସ ଓ ପାଟଣାଗଡରେ ବିଜେପି ବିଜୟଲାଭ କରିଥିଲେ। ଏଥର ବିଜେଡି ସେଇ ସମାନ ସଂଖ୍ୟକ ଆସନ ହାସଲ କରିପାରିବ କି? ବୀରମହାରାଜପୁର ଓ ସୋନପୁରରେ ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀ ତଥା ପଦ୍ମନାଭ ବେହେରାଙ୍କ ବିରୋଧରେ ପ୍ରବଳ ଜନମତ ରହିଥିଲେ ହେଁ, ବିଜେପିର ଅସନ୍ତୁଷ୍ଟ  ପ୍ରାର୍ଥୀ ଭାବରେ ସୋନପୁରରେ ନବକୃଷ୍ଣ ଦନ୍ତା ଏବଂ ବୀରମହାରାଜପୁରରେ ଆନନ୍ଦ ବାରିକ ଏକ ବଡ ଭୋଟ ଖାଇଯିବେ। ଏହାହିଁ ବିଜେଡି ଲାଗି ସୁବିଧା ଓ ବିଜେପି ଲାଗି ସବୁଠୁ ବଡ ଅସୁବିଧା ହେବାକୁ ଯାଉଛି। ବଲାଙ୍ଗୀରରେ ଏଥର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ସ୍ଥିତି ସାମାନ୍ୟ ଦୁର୍ବଳ ହୋଇଛି। ସବୁ ଆସନରେ ତୀବ୍ର ତ୍ରିମୂଖୀ ଲଢେଇ ଓ ସବୁ ଆସନରେ କଂଗ୍ରେସର ଭଲ ଭୋଟ ରହିଥିବା କାରଣରୁ, ଏହା ବିଜେଡ଼ିକୁ ଲାଭ ଦେଇପାରେ।

ଓଡିଶାରେ ଯେତେଦିନ ପର୍ୟନ୍ତ ତ୍ରିମୂଖୀ ଲଢେଇ ରହିବ, ସେତେଦିନ ଯାଏ ଏହା ବିଜେଡି ପକ୍ଷରେ ସୁବିଧାଜନକ ସ୍ଥିତି ତିଆରି କରୁଥିବ। ବିଜେଡି ବିପକ୍ଷରେ କଂଗ୍ରେସ ଓ ବିଜେପି ଭୋଟର ଧୃବୀକରଣ ହେଲେ ଯାଇ ବିଜେଡ଼ିର ପରାଜୟ ସମ୍ଭବ। ବଲାଙ୍ଗୀରରେ ବିଜେଡ଼ିର ଏହି ସମୀକରଣ ଆଜି ମଧ୍ୟ ବଳବତ୍ତର ରହିଛି। ବିଜେପି କେବଳ ପାଟଣାଗଡ ବିଧାନସଭା କ୍ଷେତ୍ରକୁ ବାଦ ଦେଲେ ଅନ୍ୟ କେଉଁଠି ନିଜର ପ୍ରଭାବ ବିସ୍ତାର କରିପାରୁନାହିଁ। ଚଳିତ ନିର୍ବାଚନରେ ସୋନପୁର ଓ ବୀରମହାରାଜପୁର ଆସନରେ ବିଜେପିର ସଂଗଠନ ସୁଦୃଢ ରହିଥିଲା। ତେବେ ଭୁଲ ପ୍ରାର୍ଥୀ ଚୟନ କାରଣରୁ ବିଜେପିର ଦୁଇ ଟାଣୁଆ ନେତା ଏବେ ବିଜେପିର ଭୋଟ ବିଭାଜିତ କରୁଛନ୍ତି।

ଟିଟିଲାଗଡ ଆସନରେ ମଧ୍ୟ ଏଥର ବିଜେଡ଼ିର ବାଟ ସୁଗମ ମନେ ହେଉନାହିଁ। ୨୦୧୪ ନିର୍ବାଚନ ପରି ଏଥର ବିଜେଡି ଲାଗି ବଲାଙ୍ଗୀର ଆଦୌ ସହଜ ନୁହେଁ। ଗତଥର କେବଳ ସୋନପୁର ଓ ବୀର ମହାରାଜପୁରରୁ କଳିକେଶ ୭୦ ହଜାର ଅଧିକ ଭୋଟ ପାଇଥିଲେ। ଏଥର ତାହା ସହଜ ଲାଗୁ ନାହିଁ। କଂଗ୍ରେସ କେତେ ଭୋଟ ପାଉଛି, ତାରି ଉପରେ ବିଜେଡ଼ିର ବିଜୟ ନିର୍ଭର କରିବ।

ତେବେ ପୁଣି ସେ ପରିବାରବାଦ ପ୍ରସଙ୍ଗକୁ ଆମେ ଫେରିବା। ବଲାଙ୍ଗୀର ରାଜନୀତିରୁ ପରିବାରବାଦର ଏ ଅକ୍ଟୋପାସ ପଞ୍ଝା କେବେ ହୁଗୁଳା ହେବ ? ବଲାଙ୍ଗୀର ର ଭୋଟର ପରିବାର ର ସୀମା ଟପି ଏକ ମୁକ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିକଳ୍ପ ଭାବରେ କେବେ ବାଛିବେ ?

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta ଆପ୍, ସ୍କ୍ରିନ କୁ ଆଙ୍ଗୁଠିରେ ଘଷି ଗୋଟିଏ ପରେ ଗୋଟିଏ ଖବର ପଢି ଚାଲନ୍ତୁ)

Categories
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ କାହିଁକି!!

କେଦାର ମିଶ୍ର

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ୨୦ ବର୍ଷ ତଳେ ସେ ଯେତେବେଳେ ଓଡିଶା ରାଜନୀତିକୁ ଆସିଲେ ସେତେବେଳେ ସେ ଥିଲେ ରାଜନୀତିରେ ଏଗଦମ ନୂଆ ଓ ଅନଭିଜ୍ଞ ଚେହେରାବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ତାଙ୍କର କୌଣସି ରାଜନୈତିକ ପରିଚୟ ନଥିଲାବିଜୁ ବାବୁ ନିଜ ଜୀବନକାଳରେ ନିଜ ପରିବାରକୁ ନିଜ ରାଜନୀତିଠୁ ଦୂରରେ ରଖିଥିଲେ, ତେଣୁ ନବୀନ ରାଜନୀତିକୁ ଆସିବାରେ ତାଙ୍କ ବାପାଙ୍କ ଇଚ୍ଛା ବା ପ୍ରଭାବ ନଥିଲା। ଯଦିଓ ବିଜୁ ବାବୁଙ୍କ ପ୍ରତି ଓଡିଶା ଲୋକଙ୍କର ଯେଉଁ ଭଲ ପାଇବା ଥିଲା, ତାହାର ଲାଭ ନବୀନଙ୍କୁ ମିଳିଛି, କିନ୍ତୁ ଅନ୍ୟ ପାରମ୍ପରିକ ପାରିବାରିକ ରାଜନୈତିକ ଦାୟାଦଙ୍କ ପରି ସେ ବାପାଙ୍କ ହାତ ଧରି ରାଜନୀତିକୁ ଆସିନାହାନ୍ତି। ରାଜନୀତିର ସବୁଠୁ ଅନଭିଜ୍ଞ ଚେହେରା ଭାବରେ ରାଜନୀତି ଆରମ୍ଭ କରିଥିବା ନବୀନ, ଆଜି ୨୦ ବର୍ଷ ପରେ ଦେଶର ସବୁଠୁ ଅଭିଜ୍ଞ ଓ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ। ଆଜି ତାଙ୍କର ୭୩ ତମ ଜନ୍ମଦିବସରେ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି- ନବୀନ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜନେତା ଯିଏ ଗତ ଅନେକ ବର୍ଷ ଧରି ଓଡିଶାର ସେବା କରି ଆସୁଛନ୍ତି

ବାସ୍ତବ କ୍ଷେତ୍ରରେ ନବୀନଙ୍କୁ ଓଡିଶା ରାଜନୀତିର ବିସ୍ମୟ ବାଳକ ବୋଲି କୁହାଯାଇପାରେ। ଏ ରାଜ୍ୟର ବହୁ ତୁଙ୍ଗ ଜନନେତା ଯାହା କରିପାରିନଥିଲେ, ନବୀନ ଆଜି ତାହା କରି ଦେଖେଇଛନ୍ତିଏକାଦିକ୍ରମେ ଚାରୋଟି ବିଧାନସଭା ନିର୍ବାଚନ ଜିଣି ସାରିଲା ପରେ ମଧ୍ୟ ୨୦୧୯ ନିର୍ବାଚନରେ ସେ କୌଣସି ବଡ ଆହ୍ୱାନର ସମ୍ମୁଖୀନ ହେବେ ଭଳି ମାନେ ହେଉନାହିଁ। ଗତ ଦୁଇ ଦଶନ୍ଧି ଧରି ଓଡିଶା ରାଜନୀତିରେ ସେ ଇ ଏକମାତ୍ର ନାୟକ। ଅଥଚ ନାୟକ ହେବାର କୌଣସି ପାରମ୍ପରିକ ଗୁଣ ତାଙ୍କ ପାଖରେ ନାଇଁ। ନବୀନ ବହୁତ ଭଲ ବକ୍ତା ନୁହନ୍ତି। ତାଙ୍କ କହିବାରେ ଆଜି ମଧ୍ୟ ଗୋଟେ ପ୍ରକାର ଲାଜକୁଳା ସ୍ଵଭାବ ରହିଛି। ଲୋକଙ୍କ ଭାଷାରେ ସେ କଥା କହୁନଥିବାରୁ ବିରୋଧୀ ଓ ବୁଦ୍ଧିଜୀବୀ ତାଙ୍କୁ ଯେତେ ସମାଲୋଚନା କାଲେ ମଧ୍ୟ, ଲୋକେ ତାଙ୍କର ଭାଷାକୁ ସ୍ଵୀକାର କରିନେଇଛନ୍ତି। ନବୀନଙ୍କ ଖଣ୍ଡି ଓଡିଆ କଥା, ତାଙ୍କ ଲାଗି ଗୋଟେ ପ୍ରକାର ଆଶୀର୍ବାଦ ପାଲଟି ଯାଇଛି। ଯେଉଁଥି ପାଇଁ ସେ ବିରୋଧୀଙ୍କ ଦ୍ଵାରା ଭର୍ତ୍ସିତ, ସେଇ ସମାନ କାରଣ ଲାଗି ସେ ଅଧିକ ଲୋକପ୍ରିୟ। ଏହାର ରାଜନୈତିକ ସମୀକ୍ଷା ଆମେ କେମିତି କରିବା?

ନବୀନଙ୍କ ଲୋକପ୍ରିୟତାର କେତୋଟି କାରଣ ଭିତରୁ ଗୋଟେ ବଡ କାରଣ ହେଉଛି, ସେ ବୋଧେ ଭାରତର ଏକମାତ୍ର ରାଜନେତା ଯିଏ ଦୀର୍ଘ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଆକ୍ରାମକ ରାଜନୀତି କରି ନାହାନ୍ତି। କୌଣସି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ବା ବିରୋଧୀଙ୍କୁ କଟୁ ଭାଷାରେ ଆଲୋଚନା କରିବା, ତାଙ୍କ ସ୍ଵଭାବରେ ନାହିଁ। କୁହା ଯାଇପାରେ, ସେ ବୋଧେ ଭାରତୀୟ ରାଜନୀତିର ସୁନିଲ ଗାଭାସ୍କର। ତାଙ୍କ ବ୍ୟାଟିଂ ରେ ସ୍ଥିରତା ଓ ସଂଯମ ଅଛି। ବିନା ହେଲମେଟ ରେ ଗାଭାସ୍କର ଯେମିତି ଗୋଟେ ସମୟରେ ୱେଷ୍ଟ ଇଣ୍ଡିଜ ର ଦୁର୍ଦ୍ଦର୍ଷ ପେସ ବୋଲିଂ କୁ ସାମ୍ନା କରୁଥିଲେ, ନବୀନ ସେମିତି ସହଜରେ ନିଜ ବିରୋଧୀଙ୍କୁ ମୁକାବିଲା କରିଛନ୍ତି। ତାଙ୍କ ରାଜନୈତିକ ରଣ କୌଶଳ ଏତେ ଶାନ୍ତ ଆଉ ଶକ୍ତିଶାଳୀ ଯେ ତାକୁ ଭେଦିବାର କୌଶଳ ତାଙ୍କର ପ୍ରତିପକ୍ଷଙ୍କୁ ଜଣାନାହିଁ

ଗତ ୨୦ ବର୍ଷ ଭିତରେ ତାଙ୍କର ଏକଦା ସହଯୋଗୀ ଓ ଆଜିର ଶତ୍ରୁ ବିଜେପି, ତାଙ୍କୁ ଚିହ୍ନିବାରେ ସଫଳ ହୋଇ ପାରିନାହିଁ। ବିଜେପି ଲୋକଙ୍କ ଆଗରେ ନବୀନଙ୍କୁ ନେଇ ଯେତେ ଟାଣ କଥା କହୁଥିଲେ ମଧ୍ୟ, ଭିତରେ ଭିତରେ ବିଜେପି ଲାଗି ନବୀନ ସବୁଠୁ ବଡ ଭରସା। ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନଙ୍କ ସମର୍ଥନ ଉପରେ ବିଜେପିର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ ସେଇ ପରିସ୍ଥିତିକୁ ଆଖି ଆଗରେ ରଖି, ବିଜେପି ନବୀନଙ୍କ ପ୍ରତି ନିଜର ନରମ ଗରମ ଆଭିମୁଖ୍ୟ, ବଜାୟ ରଖିବ । ଅପର ପକ୍ଷରେ କଂଗ୍ରେସକୁ ନବୀନ ସବୁବେଳେ ନିଜର ବିରୋଧୀ ବୋଲି ମାନି ଆସିଛନ୍ତି। ତେଣୁ କଂଗ୍ରେସର ବିଘଟନ ଓ ଗୋଷ୍ଠୀ ବିବାଦରୁ ନବୀନଙ୍କୁ ସବୁବେଳେ ଲାଭ ମିଳି ଆସୁଛି।  ବର୍ତ୍ତମାନ ସମୟରେ ଆପାତତଃ ଶକ୍ତିଶାଳୀ ଲାଗୁଥିବା କଂଗ୍ରେସ, ନବୀନଙ୍କ ଲାଗି ବେଶ ଲାଭଦାୟକ। କଂଗ୍ରେସ ନିଜର ୨୨-୨୫% ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିପାରିଲେ, ତାହା ବିଜେଡି ବିଜୟର ବାଟ କୁ ସହଜ କରିଦେବ

ନବୀନଙ୍କ ରାଜନୀତିରେ ତାଙ୍କର ଶତ୍ରୁ ବିରୋଧୀ ଦଳରୁ ଯେତିକି ଆସିଛନ୍ତି, ତାଠୁ ବହୁ ଗୁଣ ଅଧିକ ନିଜ ବିଜେଡି ଦଳରୁ ଆସିଛନ୍ତି। ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନବୀନଙ୍କ ସହଯୋଗୀ, ପରବର୍ତ୍ତୀ ସମୟରେ ତାଙ୍କର ଶତ୍ରୁ ପାଲଟିଛନ୍ତି। ତେବେ ଘର ଶତ୍ରୁ ଓ ବାହାର ଶତ୍ରୁଙ୍କୁ ମୁକାବିଲା କରିବାରେ ନବୀନଙ୍କ ରଣକୌଶଳ ବଡ ବିଚିତ୍ରସେ ପଦେ କଥା କହି ବା ହସିଦେଇ ନିଜ ଶତ୍ରୁକୁ ନିରସ୍ତ୍ର କରିଦେଇପାରନ୍ତି

୨୦ ବର୍ଷର ଶାସନ ଭିତରେ ନବୀନ ଯେ ସବୁ କ୍ଷେତ୍ରରେ ସଫଳ ତାହା ନୁହେଁ। ନବୀନଙ୍କ ବିଫଳତାର ତାଲିକା ବି ଲମ୍ବାତାଙ୍କର ଶତ୍ରୁ ଓ ସମାଲୋଚକ ସଂଖ୍ୟା ବି କମ ନୁହନ୍ତିତଥାପି ନବୀନଙ୍କ ବିକଳ୍ପ ନାହିଁ ବୋଲି ଓଡିଶାବାସୀ ଭାବୁଛନ୍ତି କାହିଁକି? ଟଙ୍କିକିଆ ଚାଉଳ କି ସରକାରୀ ଯୋଜନାରେ ଲୋକ ଭୋଟ ଦେଉଛନ୍ତି ବୋଲି ଭାବିବା ହୁଏତ, ମନକୁ ବୁଝାଇବା ଲାଗି ଯଥେଷ୍ଟ।ଅସଲରେ ଓଡିଶା ରାଜନୀତିର ବିରୋଧୀ ପକ୍ଷ ନିଜ ରାଜ୍ୟର ଲୋକଙ୍କୁ ବୋଧେ ଆଜି ଯାଏ ଠିକ ଭାବରେ ବୁଝିନାହାନ୍ତି। ୨୦ ବର୍ଷର ରାଜନୀତିରେ ଓଡିଆଙ୍କ ନାଡି ନକ୍ଷତ୍ରକୁ ନବୀନ ଯେମିତି ଚିହ୍ନିଛନ୍ତି, ସେତକ ଚିହ୍ନିବାରେ ବିରୋଧୀ ବିଫଳ ହୋଇଛନ୍ତି। ପଦେକଥାରେ କହିଲେ, ବିରୋଧୀଙ୍କ ବିଫଳତା ହିଁ ନବୀନଙ୍କ ସଫଳତାର ଅସଲ ରହସ୍ୟ