Categories
ଆଜିର ଖବର ଖେଳ ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି

ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ଫୁଟବଲ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

ଶ୍ରୀ ପ୍ରଧାନ ଏଥିପାଇଁ ଖୁସିବ୍ୟକ୍ତ କରିବା ସହ ନିମନ୍ତ୍ରଣ ପାଇଁ ଏଆଇଏଫଏଫର ସଭାପତି ଶ୍ରୀ ଚୌବେଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସବୁ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଛନ୍ତି। ଭାରତକୁ ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।

ଦେଶରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଅନୁଷ୍ଠିତ ହେବା ଦ୍ୱାରା କ୍ରୀଡାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ। ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଏହି ବିଶ୍ୱକପ ପ୍ରତିଯୋଗିତା ଦେଶରେ କ୍ରୀଡ଼ାର ପ୍ରୋତ୍ସାହନ ସହ କ୍ରୀଡ଼ା କ୍ଷେତ୍ରରେ ଯୁବବର୍ଗ ବିଶେଷ ଭାବରେ ମହିଳାଙ୍କୁ ଉତ୍ସାହିତ କରିବ। ଏହି ବିଶ୍ୱକପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାର ନୂତନ ପିଢିର କ୍ରୀଡ଼ାବିତଙ୍କୁ ଲମ୍ବା ସମୟ ଧରି ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।