Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ମିଶନ କାର୍ଯ୍ୟକ୍ରମ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସହରାଂଚଳ ଜାଗା ମିଶନ ଅନୁସାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଂଚଳ ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦା ମାନଙ୍କୁ ଜମି ପଟ୍ଟା ବଂଟନ ଯୋଜନା ରହିଛି। ଜୁନାଗଡ ସହରାଂଚଳରେ ବସବାସ କରୁଥିବା ନିଃସହାୟ ଘରଡିହ ହୀନ ବାସିନ୍ଦା ମାନଙ୍କୁ ଚିହ୍ନଟ କରାଯାଇ ଜାଗା ମିଶନ କାର୍ଯୟକ୍ରମରେ ଜମିପଟ୍ଟା ବଂଟନ କରାଯାଇଛି।

ଏହି ଯୋଜନାରେ ଜୁନାଗଡ ଏନଏସି ର ୧୨ ଗୋଟି ୱାର୍ଡ ମଧ୍ୟରେ ଥିବା ୧୮ ଟି ବସ୍ତିକୁ ଚିହ୍ନଟ କରାଯାଇ ୧୩୭୫ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ, ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୦ ଜଣ ହିତାଧିକାରିଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ପଟ୍ଟା ବଂଟନ କରିଥିବା ବେଳେ ଏହି ଯୋଜନା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପବୋଲି କହିଛନ୍ତି। ଏହି ଅବସରରେ ଜୁନାଗଡ ତହସିଲଦାର, ଧର୍ମଗଡ ଉପଜିଲ୍ଲାପାଳ ପ୍ରମୂଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା: କୃଷି ବିଭାଗର ତଦନ୍ତକୁ ଡିଲରମାନଙ୍କ ଦ୍ଵାରା ଚପାଇ ଦେବାକୁ ଉଦ୍ୟମ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଇଥାଏ। ଏହାର ସୁଯୋଗ ନେଇ ଅସାଧୁ ଡିଲର ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଫଳତଃ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରୁଥିବା ମଧ୍ୟ କୁହାଯାଉଛି। ଜିଲ୍ଲା କୃଷି ବିଭାଗ ଦପ୍ତର ମାନଙ୍କରେ ଡିଲର ମାନଙ୍କ ସପକ୍ଷରେ ଲବି ଆରମ୍ଭ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ମଧ୍ୟ ବିଭିନ୍ନ ପ୍ରକାର ଚାପ ପକାଇବାର ଯୋଜନା କରାଯାଉଥିବା ଆଲୋଚନା ହେଉଛି। ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।

ଅନ୍ୟପକ୍ଷରେ କ୍କ୍ାସ ସୋରୁମରେ ମେକାନିକ କାମ କରୁଥିବା ଧନଂଜୟ ମାଝୀ, ବିଜୁ ପକ୍କାଘର ପାଇଥିବା ଈଶ୍ୱର ଭୋଇ ଏବଂ ବେଦାନ୍ତ ମାଝି, ଉପେନ୍ଦ୍ର ମାଝୀ, ବିଜୟ ମାଝୀ, ପବିତ୍ର ମାଝି ଭଲି ସରଳ ନୀରିହ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କ ଖାତାରେ ସରକାରୀ ସବସିଡି ୬ ଲକ୍ଷ ଦିଆଯାଇଥିଲେହେଁ ସେମାନେ ଶୋଷିତ ହୋଇଥିବା କୁହାଯାଉଥିବା ବେଳେ ଏସଂପର୍କରେ ଠୋସ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଏଭଲି ଶୋଷଣ ବୃଦ୍ଧିପାଇବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ। କୋକସରା ବ୍ଲକର କାଶୀବାହାଲ ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ସାହୁ ନାମକ କୌଣସି ଚାଷୀ ରହୁନଥିବା ବେଳେ ସେହି ଠିକଣା ଓ ନାମରେ ୨୩ ଲକ୍ଷ୬୦ହଜାର ଟଙ୍କାର କର୍ତାର ହାରଭେଷ୍ଟର ଦିଆଯାଇଥିବା ଦର୍ଶାଇ ୬ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ସରକାରୀ ଦସ୍ତାବିଜରୁ ଜଣାପଡିଛି।

ସେହିପରି ନେତ୍ରମୋହନ ମାଝୀ, ଅର୍ଜୁନ ମାଝୀ, ଟୋପିନ୍ଦ୍ର ସୁନାନୀ ଭଲି ନୀରିହ ବ୍ୟକ୍ତି ମାନଙ୍କୁ ସରକାରୀ ସହାୟତା ମିଳିବା ପ୍ରଲୋଭନ ଦେଖାଇ ହାରଭେଷ୍ଟର ଯୋଗାଇ ନଦେଇ ସେମାନଙ୍କ ସବସିଡି ଟଙ୍କା ଉଠାଣ କରାଇନେଇଥିବା ବେଳେ ସେମାନଙ୍କୁ ୬ଲକ୍ଷ ଟଙ୍କା ସରକାର ଦେଇଥିଲେହେଁ ପ୍ରକୃତ ହିତାଧିକାରୀ ସେହି ସୁବିଧାରୁ ବଂଚିତ ହୋଇଯାଇଥିବା ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ମାତ୍ର ୧୧ ଡିସମିଲ ଘରଡିହ ଥିବା ଜନଜାତି ବ୍ୟକ୍ତିଙ୍କ ନାମରେ ୨୪ଲକ୍ଷ ୬୦ହଜାର ଟଙ୍କାର ଋଣରେ ହାରଭେଷ୍ଟର ଯୋଗାଣ କରାଯାଇ ୬ଲକ୍ଷ ଟଙ୍କା ସବସିଡି ଦିଆଯାଇ ବାଟମାରଣା ହୋଇଥିବା କୁହାଯାଉଛି।

କୃଷିବିଭାଗ ପକ୍ଷରୁ ହିତାଧିକାରୀ ପାଖରେ ହାରଭେଷ୍ଟର ଅଛି କି ନାହିଁ ସେବିଷୟରେ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ କିପରି ଭାବରେ କେଉଁ ବେଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଋଣ ହେଲା, ସବସିଡି ଟଙ୍କା ପାଶବୁକରେ ପଡିଲା ପରେ କାହା ପାଖକୁ ଟ୍ରାନସଫର ହେଲା, ହିତାଧିକାରୀ କଣ ପାଇଲା, ବର୍ତମାନ ହାରଭେଷ୍ଟର କାହା ପାଖରେ ଅଛି, ଯଦି ଲିଜ ଦିଆଯାଇଛି ବୋଲି କୁହାଯାଉଛି ତେବେ କିପରି ଭାବେ ଲିଜ ଦିଆଯାଇଛି, ହିତାଧିକାରୀ କେତେ ଟଙ୍କା ପାଉଛି ଆଦି ବିଭିନ୍ନ ବିଷୟରେ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଏସଂପର୍କରେ ଉଚିତ ପଦକ୍ଷେପ ନିଆନଗଲେ ସରକାରୀ ସବସିଡି କେବଳ ଦଲାଲ ଓ ଡିଲରଙ୍କ ଦ୍ୱାରା ବାଟମାରଣା ହିଁ ସାର ହେବ ଏବଂ ସରକାରଙ୍କ କୃଷକ ପୋ୍ରତ୍ସାହନ ଯୋଜନା ସଫଳ ହୋଇପାରିବ ନାହିଁ ବୋଲି ଚାଷୀମହଲରେ ମତପ୍ରକାଶ ପାଇବାରେ ଲାଗିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଇକ୍ ଲୁଟେରାଙ୍କ ରାକେଟର ପର୍ଦ୍ଦାଫାସ: ୭ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା 
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନଥାନା ଆଇ.ଆଇ.ସି. ସତ୍ୟନନ୍ଦ ଙ୍କ ଉଦ୍ୟମରେ ଏହି ଅଞ୍ଚଳର ବାଇକ୍ ଲୁଟେରାଙ୍କ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ୭ ଟି ବାଇକ ଜବତ କରିବାସହ ୭ ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାନେ ହେଲେ କେସିଙ୍ଗା ଥାନା ଅଞ୍ଚଳର ବିକି ପାତ୍ର ,ଦିତିକୃଷ୍ଣ ନା, ଚିନା ହରିଜନ, କୂଳମଣି ମାଝି, ସୁମିତ ନାଏକ, ଥୁଅମୂଳ ରାମପୁର ଥାନା ଅଞ୍ଚଳର ଜଗନ୍ନାଥ ନାଏକ ବୋଲି ଜଣା ପଡ଼ିଛି। ସେମାନଙ୍କ ଠାରୁ ୮ ଟି ବାଇକ ଜବତ କରାଯାଇଛି। ତଦନ୍ତ ପରେ ଜଣାପଡିଛି ସେମାନେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବହୁ ବାଇକ ଚୋରି ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

୨୪ ଘଂଟା ପାଇଁ ଧର୍ମଗଡ ଏନଏସି ସଟ ଡାଉନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ରେ ପହଂଚିଥିବା ବେଳେ ଗତକାଲି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଜିଲ୍ଲାର ଧର୍ମଗଡ ଏନଏସିକୁ ୨୪ ଘଂଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସିର ୧୪ ଟି ୱାର୍ଡରେ ବସବାସ କରୁଥିବା ୧୬ହଜାର ବାସିନ୍ଦାଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମ ଅଙ୍ଗନୱାଡି ଆଶା ଦିଦି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟଗତ ତଥ୍ୟ ସରକାରଙ୍କ ଠାରେ ପହଂଚାଇବ।

ଏଥିପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୩୧ ଜଣିଆ ଟିମ ଗଠନ କରାଯାଇଛି ବୋଲି ଧର୍ମଗଡ ଉପଜିଲ୍ଲାପାଳ ଦିବାକର ଟିଏସ ସୁଚନା ଦେଇଛନ୍ତି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସି ଭିତରକୁ ପ୍ରବେଶ ଓ ବାହାରକୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ସମସ୍ତ ଲୋକ ନିଜ ଘରେ ରହି ସ୍ୱତପ୍ରବୃତ ଭାବେ ସମସ୍ତ ତଥ୍ୟ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଉପଜିଲ୍ଲାପାଳ ନିବେଦନ କରିଛନ୍ତି।

ପୁଲିସ ପ୍ରଶାସନ ପକ୍ଷରୁ ଧର୍ମଗଡ ସହରରେ ସମସ୍ତ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହିତ ଜରୁରୀକାଳିନ ଓ ଡାକ୍ତରଖାନା ଯିବା ପାଇଁ ଅନୁମତି ଦିଆଯଅଉଥିବା ଦେଖିବାକୁ ମିଳିଛି। ସଟଡାଉନ ଯୋଗୁଁ ଧର୍ମଗଡ ସହରର ଦୋକାନ ବଜାର ସବୁ ବନ୍ଦ ରହିବା ସହିତ ଯାତାୟତ ମଧ୍ୟ ବନ୍ଦ ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ରତ୍ନ ପଥର ବେପାରୀ ଗିରଫ, ୩ କ୍ୱିଂଟାଲ ପଥର ଜବତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରତ୍ନଗର୍ଭା କଳାହାଣ୍ଡି ଜିଲ୍ଲାରେ ବହୁ ମୂଲ୍ୟବାନ ରତ୍ନ ପଥର ମିଳୁଥିବା ବେଳେ ଅତୀତରେ ଓଡିଶା ଖଣି ନିଗମ ( ଓଏମସି) ସେହି ମୂଲ୍ୟବାନ ରତ୍ନ ପଥର ସଂଗ୍ରହ ଦାୟୀତ୍ୱ ନେଇଛି। କିନ୍ତୁ କିଛିବର୍ଷ ପରେ ବର୍ତ୍ତମାନ ଓଏମସି ନୀରବ ଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ବିଭିନ୍ନ ରତ୍ନ ପଥର ଚୋରା ବେପାରୀମାନଙ୍କ ଲୋଲୁପ ଦୃଷ୍ଟି କଳାହାଣ୍ଡିର ମୂଲ୍ୟବାନ ରତ୍ନ ପଥର ଉପରେ ରହୁଥିବା ଜଣାପଡିଛି। ବିଗତ ଦିନରେ ଏପରି ଅନେକ ଚୋରା ବେପାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ।

ଜୁନାଗଡ ଥାନା ଅନ୍ତର୍ଗତ ପଳାସ ଗ୍ରାମରେ ଚୋରା ରତ୍ନ ପଥର କାରବାର କରୁଥିବା କୌଣସି ସୂତ୍ରରୁ ଜଣାପଡିବା ପରେ ରାଜ୍ୟ କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସର ସ୍ୱତନ୍ତ୍ର ନଜର ଥିଲା। ଗତ ରବିବାର ଦିନ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜୁନାଗଡ ପୋଲିସ ସହିତ ପଳାସ ଗ୍ରାମର ସୁଜିତ କୁମାର ମେହେର ପିତା- ରାମେଶ୍ୱର ମେହେରଙ୍କ ଘରେ ଚଢାଉ କରି ୩୦୨ କେଜି ମଲ୍ୟୂବାନ ମାଣିକ୍ୟ( ରୁବି) ଓ ପାନ୍ନା ପଥର ଜବତ କରିଥିବା ବିଷୟ କଳାହାଣ୍ଡି ଅତିରିକ୍ତ ଏସପି ଗୋପୀନାଥ ମଣିପାତ୍ର ଆଜି ଗଣମାଧ୍ୟମକୁ ଜଣାଇଛନ୍ତି। ଏନେଇ ଜୁନାଗଡ ଥାନା କେଶ ନଂ. ୧୬୯/୨୦୨୦ ଧାରା ୩୭୯ , ୪୧୧ ଆଇପିସି ଏବଂ ଖଣିଜ ଦ୍ରବ୍ୟ ଚୋରା ଚାଳାଣ ରୋକିବା ଆଇନ ଧାରା ୧୨ ଅନୁସାରେ ଏକ କେଶ ରୁଜ୍ଜୁ କରାଯାଇଛି। ଏହି ଚୋରା ରତ୍ନ ପଥର କାରବାରର ଚେର କେତେ ଦୂର ଲମ୍ବିଛି ଏବଂ କେଉଁ ମାନେ ସଂଶ୍ଳିଷ୍ଟ ଅଛନ୍ତି ସେ ସବୁର ତଦନ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା, ୩ ଅଟକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପରେ ସମଗ୍ର ଜଗନ୍ନାଥ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କୋଭିଡ-୧୯ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ରଥଯାତ୍ରା ପାଇଁ ନାନା କଳ୍ପନା ଜଳ୍ପନା ଜାରିରହିଥିବା ବେଳେ କୋଟୀ କୋଟୀ ଜଗନ୍ନାଥ ପ୍ରେମୀ ଉଦବେଗର ସହିତ ମାନ୍ୟବର ସୁପ୍ରିମ କୋର୍ଟ ରାୟକୁ ଅପେକ୍ଷା କରିରହିଥିଲେ। ସେସମୟରେ କଳାହାଣ୍ଡି ନ୍ୟୁଜ ନାମକ ହ୍ୱାଟସଆପ ଗ୍ରୁପରେ ପିଂଟୁ ନାମକ ଜଣେ ଯୁବକ ରଥଯାତ୍ରାକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଏଭଳି ମନ୍ତବ୍ୟ କଦାପି ସଭ୍ୟ ସମାଜକୁ ଗ୍ରହଣୀୟ ନୁହେଁ ଏବଂ ଏହା ସାଢେ ଚାରିକୋଟୀ ଓଡିଆଙ୍କ ଆଧ୍ୟତ୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରାଯାଇଥିଲା।  ଏଭଳି ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଭାଜପା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ମୁକେଶ ଅଗ୍ରୱାଲ ଏବଂ ଉପସଭାପତି ହିମାଂଶୁ ପଣ୍ଡା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ସେହିପରି କୋକସରା ହିନ୍ଦୁ ସଙ୍ଗଠନର ଗୋଦାବରୀଶ ପାତ୍ର ଏବଂ ଜନ୍ମେଜୟ ଦାସ ଏହି ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ବ୍ୟକ୍ତିକୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ କୋକସରା ଥାନାରେ ଏକ ମାମଲା ଦାଏର କରିଥିଲେ।

ଏସଂପର୍କରେ କୋକସରା ଥାନାରେକେଶ ନଂ.୧୨୪/୨୦ ଦଫା ୧୫୩/୫୦୦/୨୯୫/୨୯୫(ଏ)/୫୦୬/୩୪ ଆଇପିସି ଏବଂ ୬୬ (ଏ) ଆଇଟି ଆକ୍ଟ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରୁଥିବା କୋକସରା ଆଇଆଇସି ବାସୁଦେବ ଛତ୍ରୀଆ ପ୍ରକାଶ କରିଛନ୍ତି। ଘଟଣାର ଅନୁସନ୍ଧାନ କରାଯାଇ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଟେମରା ପଂଚାୟତ ଅନ୍ତର୍ଗତ କର୍ଲାଗୁଡା ଗ୍ରାମର ପିଂଟୁ ଓରଫ ଦେବେନ୍ଦ୍ର ଛତ୍ରୀଆ ( ବୟସ ୧୭ ବର୍ଷ ୯ ମାସ ) ଏବଂ କଳାହାଣ୍ଡି ନ୍ୟୁଜ ହ୍ୱାଟସଆପ ଗ୍ରୁପର ଆଡମିନ ଥିବା ଚାରବାହାଲ ଗ୍ରାମର ସୁବଳ ସିଂ ( ୨୦) ତଥା ସୂରଜ ସିଂ ( ୧୬) କୁ କୋକସରା ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ନାବାଳକ ମାନେ ଏଭଲି ଭାବେ ହ୍ୱାଟସଆପ ଗ୍ରୁପ ମାଧ୍ୟମରେ ଜଗନ୍ନାଥଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଘଟଣାକୁ ବୁଦ୍ଧିଜୀବି ମହଲରେ ସହଜରେ ଗ୍ରହଣୀୟ ହୋଇପାରୁନାହିଁ।

Categories
ଆଞ୍ଚଳିକ

ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟ କରୁ ନାହାନ୍ତି ଜୁନାଗଡ କାଡା ଜେଇ, ଚାଷି ପଚାରିଲେ ଧମକ ଦେଉଥିବା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେ ଇନ୍ଦ୍ରାବତୀ କମାଣ୍ଡ ଏରିଆ ଉନ୍ନୟନ ଏଜେନ୍ସି ( କାଡା) ତରଫରୁ ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରିଥାନ୍ତି। ହେଲେ ଜୁନାଗଡ ଠାରେ ଅବସ୍ଥାପିତ କାଡା ବିଭାଗ କନିଷ୍ଠ ଯନ୍ତ୍ରୀ କିଛି ଠିକାଦାରଙ୍କ ସହିତ ମିଳିମିଶି ସମାନଙ୍କ ସହିତ ପାର୍ଟନରସିପ କରୁଥିବା ଅଭିଯୋଗ ହେଉଛି।

ନିୟମ ଅନୁସାରେ କାଡା ବିଭାଗ ପକ୍ଷରୁ ବିଭିନ୍ନ ପାଣି ପଂଚାୟତ ମାନଙ୍କ ଅଂଚଳରେ ଚାଷୀ ମାନଙ୍କ ସୁବିଧା ପାଇଁ କରନାଳ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଯେଉଁ ପାଣିପଂଚାୟତ ଗୁଡିକର କାର୍ଯ୍ୟକର୍ତ୍ତାମାନେ ସଂପୃକ୍ତ ଜେଇଙ୍କ ଇଚ୍ଛା ଅନୁସାରେ ଓ ଜେଇ-ଠିକାଦାର ମିଳିତ ଗୋଷ୍ଠୀକୁ ସୁହାଇବା ଭଲି କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି ନାହିଁ। ସେହି ପାଣିପଂଚାୟତ ପାଇଁ ଅନୁଦାନ ଯୋଗାଇଦେବାର ବ୍ୟବସ୍ଥା କିମ୍ବା କୌଣସି ଏଷ୍ଟିମେଟ ପ୍ରସ୍ତୃତ କରୁନଥିବାର ଅଭିଯୋଗ ହେଉଛି।

ଯେଉଁ ପାଣିପଂଚାୟତ ଗୁଡିକ ସଂପୃକ୍ତ ଜେଇ ତଥା ତାଙ୍କ ମନୋନୀତ ଠିକାଦାରଙ୍କୁ ସୁହାଇବା ଭଲି କାର୍ଯ୍ୟକୁ ସ୍ୱୀକାର କରନ୍ତି ସେହି ପାଣିପଂଚାୟତ ପାଇଁ ଅନୁଦାନ ଦେବାର ବ୍ୟବସ୍ଥା କରିବା ସହିତ ନିଜ ମନଇଚ୍ଛା ଏଷ୍ଟିମେଟ କରୁଥିବ କୁହାଯାଉଛି। ଏପରିକି ଅନାବଶ୍ୟକ ସ୍ଥଳରେ କାମ କରିଦେଉଥିବା ଏବଂ ତଳୁ ଉପରମୁଣ୍ଡକୁ ପାଣି ଯିବା ଭଲି କରନାଳ ନିର୍ମାଣ କରିଦେଇ ବିଲ ଉଠାଣ କରୁଥିବା ଅଭିଯୋଗ ହେଉଛି। ଯେଉଁ ପାଣିପଂଚାୟତ ଗୁଡିକ ସଂପୃକ୍ତ ଜେଇ ଓ ତାଙ୍କ ଗୋଷ୍ଠୀ ର ଠିକାଦାରଙ୍କ ସହ ବୁଝାମଣା କରନ୍ତି ନାହିଁ। ତେବେ ସେମାନଙ୍କୁ ବିଭିନ୍ନ ସମୟରେ ଅସାମାଜିକ ଓ ଗୁଣ୍ଡା ଶ୍ରେଣୀୟ ଲୋକ ଲଗାଇ ସେହି ପାଣିପଂଚାୟତ କର୍ମକର୍ତ୍ତା ମାନଙ୍କୁ ଭୟଭୀତ କରାଉଥିବା ହେତୁ ଅଧିକାଂଶ ପାଣିପଂଚାୟତ କର୍ମକର୍ତ୍ତା ଭୟରେ ମୁହଁ ଖୋଲୁନଥିବାର ପ୍ରକାଶ।

ଅଧିକାଂଶ ସମୟରେ ସଂପୃକ୍ତ ଜୁନାଗଡ କାଡା ଜେଇ ଜଣକ ନିଜ ଗୋଷ୍ଠୀର ଠିକାଦାର ଏବଂ କାମ ଯୋଗାଡ କରୁଥିବା ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ବିଶେଷ ମାନଙ୍କ ସହିତ ନକଟୀଗୁଡା ଧାନ ମଣ୍ଡି ନିକଟରେ ବିହାରୀ ପାଣି ସହିତ ଭୋଜିଭାତ କରୁଥିବା କେହି କେହି ଦେଖିଥିବାର ଅଭିଯୋଗ ହୋଇଛି। ଯେଉଁ ପାଣିପଂଚାୟତ କର୍ମକର୍ତ୍ତା ମାନେ ସଂପୃକ୍ତ ଜେଇ ଗୋଷ୍ଠୀ ଙ୍କୁ କାମ ଦେବାକୁ ରାଜି ହୁଅନ୍ତି ନାହିଁ ସେମାନଙ୍କୁ ଏକ ଧଳା ରଙ୍ଗର କାରରେ ବୋହି ଆଣି ଉକ୍ତ ଜେଇଙ୍କ ଦ୍ୱାରା ନିଯୁକ୍ତ ଠିକାଦାରଙ୍କୁ କାମ ଦେବାକୁ ବାଧ୍ୟ କରାଉଥିବାର ମଧ୍ୟ ଅଭିଯୋଗ ହେଉଛି।

ଏସବୁ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ତରଫରୁ ସଂପୃକ୍ତ ଜେଇ ଙ୍କ ମୋବାଇଲ ନଂ. ୮୦୧୮୪୪୯୮୨୮ ରେ ଫୋନ କରି ପଚାରିବାରୁ ଜେଇ ଜଣକ ଉତ୍ୟକ୍ତ ହୋଇ ମୁଁ ତୁମ ଅଧିନରେ ଚାକିରୀ କରିନାହିଁ, ମୋର ଯାହା ଇଚ୍ଛା ତାହା କରିବି ତୁମେ କହିବାକୁ କିଏ ବୋଲି ରୁକ୍ଷ ସ୍ୱରରେ ଜବାବ ଦେଇଥିବା ଜଣାପଡିଛି। ଏଥି ସହିତ କିଛି ଭିନ୍ନ ସ୍ୱରରେ କଥା କହୁଥିବା ତିନି ଜଣ ବ୍ୟକ୍ତି ସୋମବାର ଅପରାହ୍ନରେ ଅଶାଳିନ ଅସଭ୍ୟ ଭାଷାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗାଳି କରୁଥିବା ଦେଖାଯାଇଥିଲା। ଏସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ କାଡା ବିଭାଗ ମୂଖ୍ୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି। ଜଣେ ସରକାରୀ ପଦାଧିକାରୀ ଭାବରେ ଉକ୍ତ କାଡା ଜେଇ ଜଣକ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟ କରିବାକୁ ନିଯୁକ୍ତ ହୋଇଥିବା ବେଳେ ନିଜର ଗୋଷ୍ଠୀ କରି ସେହି ଗୋଷ୍ଠୀ ପାଇଁ କାର୍ଯ୍ୟ କରୁଥିବା ଏବଂ ପ୍ରାୟତଃ ଏକ ଭିନ୍ନ ଦୁନିଆରେ ରହୁଥିବା ହେତୁ ସଂପୃକ୍ତ ଜେଇଙ୍କର ଡାକ୍ତରୀ ପରୀକ୍ଷା କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Categories
ଆଞ୍ଚଳିକ

ତୁଳାପଡା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦୂଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ତୁଳାପଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ନର୍ଲା ଥାନା ଏସ ଆଇ ସଞ୍ଜୟ ମଲ୍ଲିକ, ନର୍ଲା ଥାନା କର୍ମଚାରୀ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ, ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି, ମା ପଝରାଣୀ ସାଂସ୍କୃତିକ ଅନୁଷ୍ଠାନ, ତୁଳାପଡାର କର୍ମକର୍ତ୍ତା ତଥା ସ୍ଥାନୀୟ ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।
ଏହି ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ନେହରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ବେଛାସେବୀ ମିଳନ କୁମାର ଭୋଇ, ହେମସାଗର ସାହୁ , ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ନର୍ଲା ବ୍ଲକ ଉପ ସଭାପତି ନରେଶ କୁମାର ନାଏକ, ମା ପଝରାଣୀ ସଂସ୍କୃତିକ ଅନୁଷ୍ଠାନର ସଭାପତି ମଦନ ମୋହନ ନାୟକ,ଏସ ଏ କେ ର ବ୍ଲକ ସଭାପତି ମିଲନ ଭୋଇ, ସମେତ ନର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଞ୍ଜୟ ନାୟକ, ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ତୁଳାପଡା ଓ ବାଲିପଡା ପଞ୍ଚାୟତ ତଥା ପାଖା ପାଖି ଅଂଚଳ ର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

କିଏ ଶୁଣିବ ବସୁଦେବଙ୍କ ଦୁଃଖ, ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅସଲ ହିତାଧିକାରୀ

ସମୀକ୍ଷା ବ୍ୟୁରୋ

କର୍ଲାମୁଣ୍ଡା, ୨୮/୧୨: ଭିନ୍ନକ୍ଷମ ତଥା ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ସରକାରୀ ସୁବିଧାର ବ୍ୟବସ୍ଥା କରିଥିବାବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଂଚିତ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମପଞ୍ଚାୟତର ରେଗଡା ଗ୍ରାମରେ। ଏହି ଗ୍ରାମର ଜଣେ ବାସିନ୍ଦା ହେଉଛନ୍ତି ବସୁଦେବ ସାହୁ। ବୟସ ତାଙ୍କୁ ୩୨ ବର୍ଷ। ପିତାଙ୍କ ନାମ ହେଉଛି କାର୍ତ୍ତିକ ସାହୁ। ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାବରେ ଅଚଳ ବସୁଦେବଙ୍କର। ଘରେ ତାଙ୍କୁ ମିଶାଇ ୭ଜଣ ଲୋକ। ଦୁଇ ପୁଅ, ସ୍ତ୍ରୀ, ବାପ ମାଆ ଓ ଆଉଜଣେ ଅନ୍ଧ ଭାଇ। ବଡ଼ପୁଅ ହେଉଥିବାରୁ ଘରର ସବୁ ବୋଝ ତାଙ୍କ ମୁଣ୍ଡ ଉପରେ। ରୋଜଗାରର ମାଧ୍ୟମ ହେଉଛି ଏକ ଛୋଟିଆ କେବିନ ଦୋକାନ। ଠିକ୍‌ରେ ଆୟ ହେଉନଥିବାରୁ ଦି ଓଳି ଦି’ ମୁଠା ଆହାର ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି। ବୃଦ୍ଧ ବାପାମାଆଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ଦୁଇ ପିଲାଙ୍କ ପାଠପଢା ଓ ଅନ୍ଧ ଭାଇଙ୍କ ସେବା କରିବା ତାଙ୍କର ପାଖରେ ଅସମ୍ଭବ ହୋଇପଡୁଛି।

ସରକାରୀ ସହାୟତା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ, କେହି ତାଙ୍କ ଗୁହାରିକୁ କର୍ଣ୍ଣପାତ କରିନାହାନ୍ତି। ସରକାରଙ୍କ ‘ମୋ ଦକ୍ଷତା’ ଯୋଜନରେ ସେଲସ୍‌ ମ୍ୟାନେଜମେଣ୍ଟରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସିକ୍ୟୁରିଟି ଗାର୍ଡର ଚାକିରି ମିଳିଥିଲା। ସେଠାରୁ ସେ ନିରୂପାୟ ହୋଇ ଫେରିଛନ୍ତି। ସରକାର ଦୁଃଖୀ ରଙ୍କୀ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଅସଲ ହିତାଧିକାରୀମାନେ ଏହି ଯୋଜନାରୁ ଲାଭ ପାଇପାରୁନାହାନ୍ତି। ଯୋଜନାର ଲାଭ ସଠିକ୍‌ ଲୋକ ପାଖରେ ପହଞ୍ଚିବା ନିମେନ୍ତ ସରକାର କଡ଼ା ପଦକ୍ଷେପ ନେଲେ, ଅନେକ ବସୁଦେବ ଦୁଃଖରୁ ଉଦ୍ଧାର ହୋଇପାରନ୍ତେ।