Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତିର୍ତ୍ତୋଲରେ ଶିରାପ୍ ନିଶାର ବହୁଳ କାରବାର: ପଥଭ୍ରଷ୍ଟ ଯୁବସମାଜ, ପ୍ରଶାସନ ନିଷ୍କ୍ରିୟ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବଜାର ଅଞ୍ଚଳରେ ଦିନକୁ ଦିନ ଶିରାପ୍ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହି ନିଶାକୁ ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସହିତ ନିଜର ହିତାହିତ ଜ୍ଞାନ ହରାଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାଶ ଶିରାପକୁ ବାନ୍ତି ବଟିକାରେ ମିଶ୍ରଣ କରି ନିଶା ଆକାରରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଏଭଳି ଏକ ମାରାତ୍ମକ ନିଶାକୁ ତିର୍ତ୍ତୋଲ ଅଞ୍ଚଳର ଅନେକ ଭଦ୍ରମୁଖା ପିନ୍ଧା ବ୍ୟକ୍ତିଙ୍କ ସମେତ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀ ମାନେ ସେବନ କରି ମୃତ୍ୟୁ ମୁଖକୁ ଠେଲି ହୋଇଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କେତେକ ଔଷଧ ଦୋକାନୀ ଏହି ନିଶା ଶିରାପର ବହୁଳ ବିକ୍ରୟ କରି ମାଲେମାଲ୍ ହେଉଥିବା କୁହାଯାଉଛି।

ସୂଚନାନୁଯାୟୀ ଏଭଳି ଏକ ମାରାତ୍ମକ ନିଶା ଆକାରରେ ବ୍ୟବହାର କରାଯାଉଥିବା ଏହି ଶିରାପ୍ ଓ ବଟିକାକୁ ତିର୍ତ୍ତୋଲ ବଜାର ଅଞ୍ଚଳର ଜନୈକ ଭଦ୍ରମୁଖା ପିନ୍ଧା ଔଷଧ ଦୋକାନୀ ନିର୍ଭୟରେ ଖୁଲମ୍ ଖୁଲ୍ଲା ହୋଲସୋଲିଙ୍ଗ୍ କରୁଥିବା କୁହାଯାଉଥିବା ବେଳେ ଏପରି ଏକ ମାରାତ୍ମକ ନିଶାକୁ ସେବନ କରୁଥିବା ଜନୈକ ଇନ୍ସୁରାନ୍ସ୍ ଏଜେଣ୍ଟ ଉକ୍ତ ଔଷଧ ଦୋକାନରେ ରହି ଏହି ନିଶା ବେପାର ବୃଦ୍ଧିରେ଼ ସହଯୋଗ କରୁଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ପୂର୍ବେ ଡ୍ରଗ୍ସ୍ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ଔଷଧ ଦୋକାନୀ ଉପରେ ଚଢାଉ କରାଯାଇଥିବା କୁହାଯାଉଥିବା ବେଳେ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଖସିଯିବା ପରେ ଏବେ ପୁଣି ଯୋରଦାର ବେପାର ଚଳାଇଥିବା ଶୁଣିବାକୁ ମିଳୁଛି।

ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ ବେଳେ ମଧ୍ୟ ଏହି ଶିରାପ୍ ନିଶା ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏମିତିକି ଏହି ବଜାରର ବିଭିନ୍ନ ସ୍ଥାନରେ କୁଢ କୁଢ ଶିରାପ୍ ବୋତଲ ଗଦା ହେଇଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ଅଞ୍ଚଳର ଯୁବସମାଜଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଓ ବିପଥଗାମୀ କରୁଥିବା ଏହି ଭଦ୍ରମୁଖା ପିନ୍ଧା ବହୁଳ ଶିରାପ୍ ବେପାରୀ ଔଷଧ ଦୋକାନୀ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।