Categories
ଆଜିର ଖବର ରାଜ୍ୟ ଖବର

କବି ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର କୁମାରାଙ୍ଗ ଗ୍ରାମର ହେବ ଉନ୍ନତିକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାର ଓଡିଶାର ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିବା ସହ ଏହାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ମାଟିର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମରେ ସାମିଲ ହୋଇଛି।

ଗତକାଲି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ଗ୍ରାମ ଗସ୍ତରେ ଆସିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା। ତାଙ୍କ ସହ ଜିଲ୍ଲା ସଂକୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ବରପୁତ୍ର ଗୋଦାବରୀଶ ମହାପାତ୍ରଙ୍କ ବାସଗୃହକୁ ଯାଇ ତାଙ୍କ ପରିବାରବର୍ଗ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ସ୍ବର୍ଗତ କବି ଶ୍ରୀ ମହାପାତ୍ରଙ୍କ ଘର ମରାମତି ,କୁମାର ପାଠାଗାରକୁ ନବୀକରଣ , ଗ୍ରାମରେ ନିଆଁଖୁଣ୍ଟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଗ୍ରାମରେ ବରପୁତ୍ରଙ୍କ ସୂଚନା ଫଳକ ସ୍ଥାପନ, ନିଆଁଖୁଣ୍ଟାଙ୍କ ବିଭିନ୍ନ କାଳଜୟୀ କବିତା ଗୁଡ଼ିକକୁ ନେଇ ଏକ ଚିତ୍ରଣ ସ୍ତମ୍ଭ ସ୍ଥାପନ ଏବଂ ନିଆଁଖୁଣ୍ଟାଙ୍କ ଜନ୍ମ ଏବଂ ଶ୍ରାଦ୍ଧ ବାର୍ଷିକୀକୁ ଆଡମ୍ବର ସହକାରେ ପାଳନ ଆଦି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ସୂଚନା ଦେଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମର ମାନ୍ୟତା ମିଳିଥିବାରୁ ସମସ୍ତ ବାଣପୁରବାସୀ ଏ ନେଇ ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।