Categories
ଆଜିର ଖବର ରାଜ୍ୟ ଖବର

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାରରେ ବିଭାଗୀୟ ତଦନ୍ତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଏହାର ସୁଯୋଗ ନେଇ ଅସାଧୁ ଡିଲର ମାନେ ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସମୟରେ ଭେଲି ଘଟଣାରେ ସମଗ୍ର ଓଡିଶାରେ ତୁମ୍ଭି ତୋଫାନ ଚାଲିଥିବା ବେଳେ କେତେ ଜଣ ଅସାଧୁ ଡିଲରଙ୍କୁ ଗିରଫ କରାଯାଇଥିବାର ଜଣାପଡିଥିଲା। କଳାହାଣ୍ଡି ଜିଲ୍ଲାରେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହେଉଥିଲା। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରାଯିବା ସହିତ ଜିଲ୍ଲା କୃଷି ବିଭାଗ ଦପ୍ତର ମାନଙ୍କରେ ଡିଲର ମାନଙ୍କ ସପକ୍ଷରେ ଲବି ଆରମ୍ଭ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ମଧ୍ୟ ବିଭିନ୍ନ ପ୍ରକାର ଚାପ ପକାଇବାର ଯୋଜନା ଜଣାପଡିବା ପରେ ସେସଂପର୍କରେ ରାଜ୍ୟ ଭିଜିଲାନ୍ସ ବିଭାଗ ଉକ୍ତ ଘଟଣାର ତଦନ୍ତ କରିଥିବା ଜଣାପଡିଛି। ହେଲେ ଅସାଧୁ ଡିଲର ମାନେ ବିଭିନ୍ନ ଉପାୟରେ ସରକାରୀ ନୀତି ନିୟମ ଆଖିରେ ଧୁଳି ପକାଇ ସଫଲ ହୋଇଯାଇଥିବା ଦେଖାଯାଉଛି। ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟ ହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।

କ୍ଲାସ, ୟନମାର ଭଲି ନାମୀ କାମ୍ପାନିର ହାରଭେଷ୍ଟର ସୋରୁମ ରେ ଏଭଲି ଅସାଧୁ କାରବାର ହୋଇଥିବା ଜନସାଧାରଣରେ ଅଭିଯୋଗ ହେବା ସହିତ ଜୟପାଟଣା ଅଂଚଳରେ ଥିବା ଜନୈକ ଅସା ଭୟବସାୟୀ ଙ୍କ ନାମରେ ଥିଭା କୃଷି ଯନ୍ତପାତି ନିର୍ମାଣ କାରଖାନା ମାଧ୍ୟମରେ ଏଭଲି ଅନେକ ହେରାଫେରି ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ବ୍ୟବସାୟୀ ପୁର୍ବରୁ ରାସତା କଢରେ ପେଟ୍ରୋଲ, ମୋବିଲ ବିକ୍ରି କରୁଥିବା ବେଳେ କୃଷି ଯନ୍ତ୍ରପାତି ନିର୍ମାଣ ଓ ଯୋଗାଣ ଫେକ୍ଟ୍ରି କରି କୃଷି ବିଭାଗରୁ ଚାଷିଙ୍କୁ ସବସିଡିରେ ଯୋଗାଣ କରିଥିବା କାଗଜାତ ପ୍ରସ୍ତୃତ କରିଦେଇ ବିଲ ଉଠାଣ କରି ହେରାଫେରି କରୁଥିବା ଅଭିଯୋଗ ହେଉଛି। ଏହି ବ୍ୟବସାୟିଙ୍କ ଲମ୍ବାହାତ ଥିବା ଏବଂ ସେଥିପାଇଁ କୌଣସି ତଦନ୍ତ କାରୀ ସଂସ୍ଥା ପହଂଚି ପାରୁନଥିବା ଜନସାଧାରଣରେ ଆଲୋଚନା ହେଉଛି।

ଏସଂପର୍କରେ ଜୁନାଗଡ ଠାରେ କୃଷି ଜିଲ୍ଲା ଅଧିକାରୀ ରଂଜନ ପଟେଲଙ୍କୁ ପଚାରିବାରୁ ଏବେ ଆଉ ସେଭଲି ଭାବେ ସବସିଡି ଦିଆଯାଉନାହିଁ ଆପଣ ପରେ ଆସନ୍ତୁ ଏବେ କିଛି କହିହେବ ନାହିଁ ବୋଲି ବେଶ ହାଲୁକା ଭାବେ ଜବାବ ଦେଇଥିଲେ। ହେଲେ ଏଭଲି ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ଚାଷୀ ମାନଙ୍କ ନାମରେ ଆସୁଥିବା ସବସିଡି ଟଙ୍କା ବାଟମାରଣା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ସବସିଡି ଟଙ୍କା ପାଇ ପାରୁନଥିବା ହେତୁ ସରକାରୀ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସ-ଷ୍ଟି ହେଉଛି। ଏସଂପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନିୟ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୩-୨୪ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କୃଷି ଯାନ୍ତ୍ରିକୀକରଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ କୃଷି ଯନ୍ତ୍ରପାତି ବିକି୍ର ୨୦୨୨-୨୩ ଆର୍ଥିକ ବର୍ଷରେ ୮୦୫ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ହଜାର କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।

ଆଜି କୃଷି ଭବନଠାରେ କୃଷି ଯନ୍ତ୍ରପାତି/ଉପକରଣ/ଯନ୍ତ୍ରାଂଶ ନିର୍ମାତାମାନଙ୍କ ଏକ ବୈଠକରେ ଯୋଗଦେଇ ଡ. ପାଢ଼ୀ କହିଛନ୍ତି ଯେ ରାଜ୍ୟର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବା ନିମନ୍ତେ ବିଭାଗ ପକ୍ଷରୁ କେତେଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ଫସଲ ବିବିଧିକରଣ କରାଯାଇ ଅଧିକରୁ ଅଧିକ ଅଣଧାନ ଫସଲ ଚାଷ କରି କୃଷକମାନଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଦ୍ୱିତୀୟରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଯନ୍ତ୍ରପାତିର ବ୍ୟବହାର କରି ମାନବସମ୍ବଳର ସମସ୍ୟାର ସମାଧାନ କରାଯାଇପାରିଛି। ଏଥି ସହିତ ଆନୁଷଙ୍ଗିକ କୃଷିରେ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ର ସମେତ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟରେ କୃଷି ଯନ୍ତ୍ରପାତି ବ୍ୟବହାର ଆଶାନୁରୂପ ବୃଦ୍ଧି ପାଉଥିବା ଦୃଷ୍ଟିରୁ କୃଷି ଯନ୍ତ୍ରପାତି ନିର୍ମାତାମାନେ ଯନ୍ତ୍ରପାତି ବିିକି୍ରବଟା ଦିଗରେ ଯେପରି କୌଣସି ଅସାଧୁ ଉପାୟ ଅବଲମ୍ବନ ନକରନ୍ତି ସେଥି ନିମନ୍ତେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଚେତାବନୀ ଦେଇ କହିଲେ ଯେ ମାର୍ଗଦର୍ଶିକାକୁ ଠିକ୍‌ ଭାବରେ ଅନୁପାଳନ କରୁନଥିବା ଫାର୍ମଗୁଡ଼ିକ ଉପରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହିତ ଯନ୍ତ୍ରପାତି ନିର୍ମାତାମାନେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ଏ ସଂପର୍କରେ ବିଭାଗୀୟ ସଚିବଙ୍କ ସମେତ ପଦାଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା ଆୟୋଜନର ସକରାତ୍ମକ ପ୍ରଭାବ ପଡ଼ିଛି ବୋଲି କହିବା ସହିତ ଆଗାମୀ ଦିନରେ ଏପରି କୃଷି ଯନ୍ତ୍ରପାତି ମେଳା ଆୟୋଜନ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା କଥା ସୂଚାଇଥିଲେ। କୃଷକମାନଙ୍କ ଦ୍ୱାରା କୃଷି ଯନ୍ତ୍ରପାତି କିଣିବା ଦିଗରେ ଋଣ ମିଳିବା ଯୋଗାଣ ଦିଗରେ ‘ସଫଲ’ ପୋର୍ଟାଲର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ସହିତ ଚୁକ୍ତି ଅନୁଯାୟୀ ଯନ୍ତ୍ରପାତି କାର୍ଯ୍ୟକ୍ଷମ ଓ ବ୍ୟବହାର ଦିଗରେ ନିର୍ମାତାମାନେ ଅଧିକ ସକି୍ରୟ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ରଗତିଶୀଳ କୃଷକମାନଙ୍କ ସହିତ ଏ ଦିଗରେ ଅଧିକ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକର ବିବରଣୀ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସମୁଦାୟ ୨,୧୯,୭୪୯ଟି କୃଷି ଯନ୍ତ୍ରପାତି/ଉପକରଣ ବିକି୍ର ହୋଇଛି । ଏ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪୧୭.୪୬୪ କୋଟି ଟଙ୍କା ସବ୍‌ସିଡି ଆକାରରେ ପ୍ରଦାନ କରାଯାଇଛି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୪୫,୩୨୪ଟି କୃଷି ଯନ୍ତ୍ରପାତି ଓ ଉପକରଣ ବିକି୍ର ହୋଇଥିବାବେଳେ ୨୬୨.୯୫୦ କୋଟି ଟଙ୍କା ସବ୍‌ସିଡି ଆକାରରେ ପ୍ରଦାନ କରାଯାଇଛି । ମୋଟ ଉପରେ ରାଜ୍ୟରେ ୨,୬୫,୦୭୩ଟି କୃଷି ଯନ୍ତ୍ରପାତି ଓ ଉପକରଣ ବିକି୍ର ହୋଇଥିବାବେଳେ ସବ୍‌ସିଡି ଆକାରରେ ମୋଟ ୧୬୮୦.୪୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୨୦୧୭ ମସିହା ମାର୍ଚ୍ଚ ମାସଠାରୁ କୃଷି ଯନ୍ତ୍ରପାତି କ୍ରୟରେ କୃଷକମାନଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ସବ୍‌ସିଡି ପ୍ରଦାନ କରାଯାଉଛି । ସଂପ୍ରତି ରାଜ୍ୟରେ ୧୮୬ଟି କାର୍ଯ୍ୟରତ ପଂଜୀକୃତ କୃଷି ଯନ୍ତ୍ରପାତି ନିର୍ମାତା ଏବଂ ୨୨୧୨ଟି ପଂଜୀକୃତ ଡିଲର କୃଷି ଯନ୍ତ୍ରପାତି ବିିକି୍ର କରୁଛନ୍ତି ଏବଂ ସମୁଦାୟ ୩୬ ପ୍ରକାରର କୃଷି ଯନ୍ତ୍ରପାତି ଓ ଉପକରଣ ଚାଷୀମାନଙ୍କୁ ଉପଲବ୍ଧ କରାଯାଉଛି ।

କୃଷି ଯନ୍ତ୍ରପାତି ବ୍ୟବହାର ଫଳରେ କୃଷି କ୍ଷେତ୍ରରେ ବିଦୁ୍ୟତ ଶକ୍ତିର ବ୍ୟବହାର ବୃଦ୍ଧିପାଇଛି ଏବଂ ୨୦୨୨ ମସିହା ସୁଦ୍ଧା ଏହା ହେକଫର ପିଛା ୨.୨୩ କିଲୋୱାଟ୍‌ ରହିଛି । କୃଷି ଯାନ୍ତ୍ରିକୀକରଣ ପ୍ରକି୍ରୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋ-ସୁଗମ ପୋର୍ଟାଲ ପ୍ରଚଳନ କରାଯାଇଛି ଏବଂ ଚାଷୀମାନଙ୍କୁ ଏଥିରେ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ଆବଶ୍ୟକୀୟ ସୂଚନା ଉପଲବ୍ଧ କରାଯାଇଛି ।

ବୈଠକରେ ରାଜ୍ୟର ୧୦୦ରୁ ଊଦ୍ଧ୍ୱର୍ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୃଷି ଯନ୍ତ୍ରପାତି ମରାମତି ନିମନ୍ତେ ଦିଆଗଲା ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭୁବନେଶ୍ୱର: କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକଫର, ପାୱାର ଟିଲର, ପମ୍ପସେଟ୍‌, ରିପର୍ସ ପାୱାର ଉଇଡର୍‌ ଆଦି କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଶିକ୍ଷିତ ଓ ବେରୋଜଗାର ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଆଜି ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

କୃଷି ଭବନଠାରେ ଆୟୋଜିତ ତାଲିମ ଶିବିରର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ଯୁବକଯୁବତୀମାନଙ୍କର ଦକ୍ଷତା ବୃଦ୍ଧିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ନିଗମ ପକ୍ଷରୁ ରାଜ୍ୟର ବେରୋଜଗାର ଶିକ୍ଷିତ ଯୁବକଯୁବତୀଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ବିନା ଦେୟରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ କରାଯାଉଛି।

ଏହା ଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହିତ ଚାଷୀମାନେ ସୁବିଧାରେ କୃଷି ଯନ୍ତ୍ରପାତିର ମରାମତି କରାଇପାରିବେ। ଏଥି ପାଇଁ ଚାଷୀମାନଙ୍କୁ ଆଉ ସହରକୁ ଯିବାକୁ ପଡ଼ିବ ନାହିଁ । ନିଗମ ପକ୍ଷରୁ ଏପରି ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଚାଷୀମାନଙ୍କ ନିମନ୍ତେ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ନିଗମର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ବେଜ୍‌, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ପ୍ରମୁଖ ମତପ୍ରକାଶ କରିଛନ୍ତି।

ଚଳିତ ବର୍ଷ ନିଗମ ପକ୍ଷରୁ ୧୮୦ ଜଣ ଯୁବକଯୁବତୀଙ୍କୁ ୬ଟି ବ୍ୟାଚ୍‌ରେ ତାଲିମ ପ୍ରଦାନ କରାଯିବ। ପ୍ରତି ବ୍ୟାଚ୍‌ରେ ୩୦ ଜଣ ଲେଖାଏଁ ଯୁବକଙ୍କୁ ୧୨ ଦିନ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଗତବର୍ଷ ମଧ୍ୟ ନିଗମ ଦ୍ୱାରା ରାଜ୍ୟର ୧୨୦ ଜଣ ବେରୋଜଗାର ଓ ଶିକ୍ଷିତ ଯୁବକଯୁବତୀଙ୍କୁ ବିନାଦେୟରେ ଏହି ତାଲିମ ପ୍ରଦାନ କରାଯାଇଥିଲା । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ସୋନାଲିକା, କାମ୍‌କୋ, ଭିଏସ୍‌ଟି, ହୋଣ୍ଡା, କିର୍ଲୋସ୍କାର ବ୍ରଦର୍ସ, ଓଡ଼ିଶା ଫାର୍ମ ମେସିନାରୀ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ସେଣ୍ଟର, ଭୁବନେଶ୍ୱର ଆଦି ଅନୁଷ୍ଠାନର ବୈଷୟିକ ଅଧିକାରୀଙ୍କ ଦ୍ୱାରା ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଶିଳ୍ପ ନିଗମ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୨୧୦୦ଟି ଟ୍ରାକଫର, ୬୦୦ଟି ପାୱାର ଟିଲର୍‌ ବିକି୍ର ନିମନ୍ତେ ଓ ୬୯୨୫ଟି ମାଇକ୍ରୋ ରିଭର ଲିଫ୍‌ଟ୍‌ ପ୍ରକଳ୍ପ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥି ସହିତ ୨୦୨୨-୨୩ ଆର୍ଥିକ ବର୍ଷରେ ନିଗମ ପକ୍ଷରୁ ୩ଟି ଜିଲ୍ଲାରେ ୭୪୬୭ଟି ନୂତନ କ୍ଲଷ୍ଟର ମାଇକ୍ରୋ ରିଭର ଲିଫଟ୍‌ ପ୍ରକଳ୍ପ ଏବଂ ୨୪୦ଟି କ୍ଲଷ୍ଟର ସୋଲାର ରିଭର ଲିଫଟ୍‌ ପ୍ରକଳ୍ପ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଛ। ସାର, କୀଟନାଶକ ଓ ନଳକୂପ, ଡିଜେଲ୍‌ ପମ୍ପସେଟ୍‌ ବିକି୍ର ସହିତ ନିଗମ ପକ୍ଷରୁ ଗୋଖାଦ୍ୟ ଉତ୍ପାଦନ ଓ ବିକି୍ରର ମଧ୍ୟ ବ୍ୟବସ୍ଥା ରହିଛି।

ଏଥି ସହିତ ଓଡ଼ିଶା କୃଷି ଶିଳ୍ପ ନିଗମ ରାଜ୍ୟ ସରକାରଙ୍କୁ ନିୟମିତ ଲାଭାଂଶ ପ୍ରଦାନ କରିଆସୁଛି । ନିଗମ ପକ୍ଷରୁ ୨୦୧୮ ମସିହାରେ ୬ କୋଟି ୨୦ ଲକ୍ଷ ୭୩ ହଜାର ଟଙ୍କା, ୨୦୨୨ ମସିହାରେ ୨ କୋଟି ୫୨ ଲକ୍ଷ ୧୭ ହଜାର ଟଙ୍କା ଏବଂ ୩ କୋଟି ୧୦ ଲକ୍ଷ ୩୬ ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ପ୍ରଦାନ କରାଯାଇଛି । ଏଥି ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଆସୁଛି । ଉଦଘାଟନୀ ଉତ୍ସବରେ ନିଗମର ବରିଷ୍ଠ ଅଧିକାରୀ ଓ ତାଲିମ ପାଇବାକୁ ଥିବା ଯୁବକଯୁବତୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ହେରାଫେରି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିବା ସହିତ କୃଷି କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ରିହାତି ମୂଲ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହାର ସୁଯୋଗ ନେଇ କଳାହାଣ୍ଡିର ନୀରିହ ଚାଷୀମାନଙ୍କ ସରଳତାର ସୁଯୋଗ ନେଇ କେତେକ ଅସାଧୁ ଡିଲର ଚାଷୀଙ୍କୁ କୌଣସି କୃଷି ଯନ୍ତ୍ରପାତି ଯୋଗାଇ ନଦେଇ ଚାଷୀଙ୍କ ନାମରେ ସବସିଡି ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି। ଅନେକ ଚାଷୀ ନିଜ ନାମରେ କୌଣସି କୃଷି ଯନ୍ତ୍ରପାତି ଆଣିନଥିବାର ପ୍ରକାଶ କରିଛନ୍ତି।

ଇନ୍ଦ୍ରାବତୀ ଜଳ ସେଚନ ଯୋଜନାରୁ ବ୍ୟାପକ ଭାବେ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଧାନ ଚାଷ ବୃଦ୍ଧିପାଇବାରେ ଲାଗିଛି। ଏହାର ସୁଯୋଗ ନେଇ ଜିଲ୍ଲା ସାରା ଅଣଓଡିଆ ଚାଷୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଧାନ ଅମଳ କରିବା ପାଇଁ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଶ୍ରମିକ ମିଳୁନଥିବାରୁ ଧାନ ଅମଳରେ ଅସୁବିଧା ହେଉଥିବା କାରଣରୁ ଧାନ ଅମଳ ପାଇଁ କମ୍ବାଇନ ହାରଭେଷ୍ଟର ଭଲି ମୂଲ୍ୟବାନ ଯନ୍ତ୍ରଚାଲିତ ମେସିନର ଆବଶ୍ୟକ ପଡିଥାଏ। ପ୍ରାୟ ଚବିଶ ରୁ ଛବିଶ ଲକ୍ଷ ଟଙ୍କାର ଏହି କମ୍ବାଇନ ହାରଭେଷ୍ଟର ପାଇଁ ସରକାର ପକ୍ଷରୁ ଛଅ ଲକ୍ଷ ଟଙ୍କା ହିତାଧିକାରୀ ଚାଷୀଙ୍କୁ ସବସିଡି ଆକାରରେ ଯୋଗାଇ ଦିଆଯାଇଥାଏ। ଏହାର ସୁଯୋଗ ନେଇ କିଛି ଅସାଧୁ ଡିଲର ନିଜର କେତେକ ଏଜେଂଟ ମାଧ୍ୟମରେ ଗରିବ ନୀରିହ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ କାଗଜାତ ସଂଗ୍ରହ କରିବା ସହିତ ଫୁସୁଲାଇ ଆଧାର କାର୍ଡ, ଚେକ ସହିତ ବ୍ୟାଙ୍କ ପାଶବୁକ, ଜମି ସଂକ୍ରାନ୍ତୀୟ କାଗଜାତର କପି ଇତ୍ୟାଦି ସଂଗ୍ରହ କରି ସଂପୃକ୍ତ ଚାଷୀଙ୍କ ନାମରେ କମ୍ବାଇନ ହାରଭେଷ୍ଟର ମେସିନ ଆଣିଥିବା ଦର୍ଶାଇ ଚାଷୀଙ୍କ ବେଙ୍କ ପାଶବୁକରେ ସବସିଡି ଟଙ୍କା ପଡିଗଲେ ଚେକ ମାଧ୍ୟମରେ ଟଙ୍କା ଉଠାଣ କରିନେଇ ଚାଷୀଙ୍କୁ ଦଶ ହଜାରରୁ କୋଡିଏ ହଜାର ଟଙ୍କା ଧରାଇ ଦେଇ ସବସିଡି ହରିଲୁଟ କରିଥିବା ଅଭିଯୋଗ ମାନ ହୋଇଛି।

ଗତ ୨୦୧୮ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଗ୍ରାମପଂଚାୟତ ର ପଣ୍ଡରାପଲା ଗ୍ରାମର ନେତ୍ର ମୋହନ ମାଝୀ ପି. ଦକ୍ଷିଣ ମାଝୀ ଙ୍କ ନାମରେ ୟନମାର କରମଣ୍ଡଳ ଏଗ୍ରୋ ଟୁଲ୍ସ କମ୍ପାନୀର ଏକ କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ସରକାରୀ ରେକର୍ଡରେ ଥିବା ବେଳେ ତାଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ନଥିବାର ପ୍ରକାଶ କରିଛନ୍ତି। ଏପରିକି ନେତ୍ର ମୋହନ ଙ୍କୁ ତିରୁମାଳା ଏଗ୍ରୋ ଏଜେନ୍ସିର ଜନୈକ କର୍ମଚାରୀ ଡାକି ନେଇ ଧର୍ମଗଡ ନିକଟସ୍ଥ ବସୁଲ ଗ୍ରାମରେ ଏକ ଧାନ କ୍ଷେତରେ ଥିବା ହାରଭେଷ୍ଟର ସାମନାରେ ଠିଆ କରାଇ ଦେଇ ଫଟୋ ଉଠାଇ ନେଇଥିବା ନେତ୍ରାନନ୍ଦ ପ୍ରକାଶ କରିଛନ୍ତି। ନେତ୍ର ମୋହନ ମାଝୀଙ୍କ ବେଙ୍କ ଚେକ ନଂ.୫୨୪୯୮୧ ଓ ୫୨୪୯୮୨ ଯୋଗେ ୧୮.୦୧.୨୦୧୯ ଦିନ ଏବଂ ଚେକ ନଂ. ୫୨୪୯୮୩ ଯୋଗେ ଏନଇଏଫଟି କରି କମ୍ପାନୀ କର୍ମଚାରୀ ସମସ୍ତ ସବସିଡି ଟଙ୍କା ଉଠାଣ କରିନେଇଥିବା ଜଣାପଡିଛି। ଏସଂପର୍କରେ ନେତ୍ର ମୋହନ ଜିଲ୍ଲାପାଳ ଓ କୃଷିବିଭାଗ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି।
ସେହିପରି ଗତ ୨୦୧୮-୧୯ ମସିହାରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମୋହନଗୁଡା ଗ୍ରାମର ଅର୍ଜୁନ ମାଝୀ ନିଜ ନାମରେ କମ୍ବାଇନ ହାରଭେଷ୍ଟର ମେସିନ ଆସିନଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ନିକଟସ୍ଥ ବିମଳା ଗ୍ରାମରେ ରହୁଥିବା ଜୁନାଗଡିଆ ଚିରିକୁରୁ ନାମକ ଜଣେ ଅଣଓଡିଆ ଚାଷୀ ଅର୍ଜୁନ ମାଝୀକୁ ଆଶା ଦେଖାଇ ଭବାନୀପାଟଣାସ୍ଥିତ କ୍ଲାସ ସୋରୁମକୁ କୁ ଡାକିନେଇ କମ୍ବାଇନ ହାରଭେଷ୍ଟର କିଣିବା ପାଇଁ କହିଥିଲେ। କ୍ଲାସ ସୋରୁମର ମାଲିକ ସହ ଚିରିକୁରୁ କଥା ହୋଇ ସେଠାରେ କେତେକ କାଗଜାତରେ ସ୍ୱାକ୍ଷର କରାଇବା ସହିତ ଅର୍ଜୁନକୁ ନିକଟରେ ଥିବା ଏକ ପ୍ରାଇଭେଟ ବେଙ୍କକୁ ଡାକିନେଇ ସେଠାରେ ଋନ କରିବା ପାଇଁ କେତେକ କଲାଗଜାତରେ ସ୍ୱାକ୍ଷର କରାଇବା ସହିତ ମୋର ପିଏନବିର ପାଶବୁକ ର ସାତଟି ଖାଲି ଚେକ ରେ ସ୍ୱାକ୍ଷର କରାଇନେଇଥିଲେ। କିଛିଦିନପରେ କମ୍ବାଇନ ହାରଭେଷ୍ଟର ଆସିଯିବ ବୋଲି କହି ସେଠାରୁ ମୋତେ ଘରେ ଛାଡିଦେଇଥିଲେ। ପଚାରିଲେ ତୋର କୌଣସି ହାରଭେଷ୍ଟର ମଂଜୁରୀ ହୋଇପାରିଲା ନାହିଁ ବୋଲି ଅର୍ଜୁନକୁ କହୁଥିବା ଅର୍ଜୁନ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ସବସିଡି ମଂଜୁର ହୋଇଥିବା ସରକାରୀ ରେକର୍ଡରେ ଏଭଲି ଅନେକ ଚାଷୀ ଙ୍କ ନାମରେ କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ତଥ୍ୟ ମିଳିଥିବା ବେଳେ ତନ୍ମଧ୍ୟରୁ ଅଧିକାଂଶ ଚାଷୀଙ୍କୁ କୌଣସି କମ୍ବାଇନ ହାରଭେଷ୍ଟର ଯୋଗାଇ ନଦେଇ କମ୍ପାନୀ ମାଲିକ ଓ ଏଜେନ୍ସି ମାଲିକ ମାନେ ଦଲାଲ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ସବସିଡି ହରିଲୁଟ କରିଥିବା ଅଭିଯୋଗମାନ ହୋଇଛି।

ଗତ ୨୦୧୮-୧୯ ମସିହାରେ ଜୁନାଗଡ ବ୍ଲକର ଗୌଡଛେଣ୍ଡିଆ ଗ୍ରାମର ସରୋଜ ସୁନାନିଙ୍କ ନାମରେ ୟାନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ପାଇଁ ଛଅ ଲକ୍ଷ ଟଙ୍କା ସବସିଡି ମିଳିଥିବା ବେଳେ ତାଙ୍କ ପାଖରେ କୌଣସି ହାରଭେଷ୍ଟର ନଥିବା ଜଣାପଡିଛି। ସେହିପରି ୟନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଇଦେବା ପାଇଁ ଅସ୍ଥାୟୀ ଭାବେ ଚାରବାହାଲ ଠାରେ ଏକ ଚେଆର ଟେବୁଲ ପକାଇ ତିରୁମାଳା ଏଗ୍ରୋ ଏଜେନ୍ସି ମାଧ୍ୟମରେ କେତେକ ଦଲାଲ ଏଭଲି ଭାବେ ନୀରିହ ଚାଷୀଙ୍କ ନାମରେ ସବସିଡି ହରିଲୁଟ ଯୋଜନା କରିଥିବା କୁହାଯାଉଛି। ବର୍ତମାନ ଚାରବାହାଲ ଠାରେ ଏହି ଏଜେନ୍ସି ହିଁ ନଥିବା ଜଣାପଡିଛି। କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମର ପେଶାରେ ଜଣେ ମେକାନିକ ଧନଂଜୟ ମାଝୀଙ୍କ ନାମରେ କ୍ଲାସ କମ୍ପାନୀର ପ୍ରାୟ ୨୭ ଟକ୍ଷ ଟଙ୍କାର କ୍ଲାସ କମ୍ବାଇନ ହାରଭେଷ୍ଟର ବାବଦକୁ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ଧନଂଜୟ ପାଖରେ କୌଣସି ହାରଭେଷ୍ଟର ନଥିବାର ପ୍ରକାଶ।

ସେହିପରି ଦୁଲକିବନ୍ଧ ଗ୍ରାମର ବିଜୁପକ୍କାଘର ହିତାଧିକାରୀ ଈଶ୍ୱର ଭୋଇ ନାମରେ କ୍ଲାସ କମ୍ବାଇନ ହାରଭେଷ୍ଟର ପାଇଁ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ଈଶ୍ୱର ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ନଥିବା ତାଙ୍କ ପରିବାର ଲୋକଙ୍କଠାରୁ ପ୍ରକାଶ। ଜୟପାଟଣା ବ୍ଲକର ଭଇଁରୀପାଲି ଗ୍ରାମର ବେଦାନ୍ତ ମାଝୀଙ୍କୁ ମାଁ ସନ୍ତୋଷି ଇଂଜିନିୟରିଂ ଜୟପାଟଣା ତରଫରୁ କର୍ତାର ଏଗ୍ରୋ କମ୍ପାନୀର କମ୍ବାଇନ ହାରଭେଷ୍ଟ ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥରବା ବେଳେ ବେଦାନ୍ତକୁ କୌଣସି ହାରଭେଷ୍ଟର ଦିଆଯାଇନଥିବା ଜଣାପଡିଛି। ଭଇଁରୀପାଲି ଗ୍ରାମର ଉପେନ୍ଦ୍ର ମାଝୀ ଓ ମୋହନଗୁଡା ଗ୍ରାମର ବିଜୟ କୁମାର ମାଝୀଙ୍କ ନାମରେ କ୍ଲାସ କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଣ କରାଯାଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ ହୋଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ସେହିପରି ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡବସୁଲ ଗ୍ରାମର ପର୍ଶୁରାମ ଶବର ଓ ରାମେଶ୍ୱର ଶବର ଙ୍କ ନାମରେ ୟନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ଦର୍ଶାଇ ଛଅଲକ୍ଷ ଟଙ୍କା ଲେଖାଏ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ଗତ ୨୦୧୯-୨୦ ମସିହାରେ କ୍ଲାସ ଇଣ୍ଡିଆ କମ୍ପାନୀ ର କମ୍ବାଇନ ହାରଭେଷ୍ଟର ଭବାନୀପାଟଣାସ୍ଥିତ ନର୍ମଦା ଇଣ୍ଢଷ୍ଟ୍ରୀଜ ପକ୍ଷରୁ ଭବାନୀପାଟଣା ବ୍ଲକ ତୁର୍ପି ଗ୍ରାମର ବିଶ୍ୱନାଥ ପାତ୍ର, ଗୋଲାମୁଣ୍ଡା ବ୍ଲକ ତୁମୁରା ଗ୍ରାମର ଦୁଯ୍ୟୋଧନ ମାଝୀ, ଜୟପାଟଣା ବ୍ଲକର ଭଇଁରୀପାଲି ଗ୍ରାମର ଦୁର୍ଜନ ବାଗ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇ ଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ। ସେହିପରି ୟନମାର କରମଣ୍ଡଳ ଏଗ୍ରି ସଲୁ୍ୟସନ କମ୍ପାନୀର କମ୍ବାଇନ ହାରଭେଷ୍ଟର ତିରୁମାଳା ଏଗୋ୍ର ଏଜେନ୍ସି ପକ୍ଷରୁ ନର୍ଲା ବ୍ଲକର କୁଟେନ ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ, ଜୟପାଟଣା ବ୍ଲକ ବଡଟେମରୀ ଗ୍ରାମର ରବିନ୍ଦ୍ର ମାଝୀ, କଲମପୁର ବ୍ଲକର ପରୁଆଗୁଡା ଗ୍ରାମର ତୋପିନ୍ଦ୍ର ସୁନାନୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇ ଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ସେହିପରି ଏକସନ କନଷ୍ଟ୍ରକସନ ଇକୁ୍ୟପମେଂଟ କମ୍ପାନୀର କମ୍ବାଇନ ହାରଭେଷ୍ଟର ଅସ୍ଥା ଏଗୋ୍ର ଟୁଲ୍ସ ପକ୍ଷରୁ ଜୁନାଗଡ ବ୍ଲକର କର୍ଲାକୋଟ ଗ୍ରାମର ଡେଙ୍ଗା ମାଝୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ। ସେହିପରି କରତାର ଏଗ୍ରୋ ଇଣ୍ଡଷ୍ଟ୍ରିଜ କମ୍ପାନୀର କମ୍ବାଇନ ହାରଭେଷ୍ଟର ମାଁ ସନ୍ତୋଷୀ ଇଂଜିନିୟରିଂ ପକ୍ଷରୁ ଜୁନାଗଡ ବ୍ଲକର ଦାସିଗାଁ ଗ୍ରାମର ଡେଙ୍ଗା ମାଝୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ବିଗତ ବର୍ଷ ମାନଙ୍କରେ କୃଷି ଯନ୍ତପାତି ଯୋଗାଣ ପାଇଁ ସରକାରୀ ସବସିଡି ଯୋଗାଣ କରାଯାଇଥିବା ସଂପର୍କରେ ଅନୁସନ୍ଧାନ କରାଗଲେ ଏଭଲି ଅନେକ ତାଲିକା ବାହାରିବ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ବିଭିନ୍ନ କୃଷିଯନ୍ତ୍ରପାତିର ଏଜେନ୍ସି ମାଲି ମାନେ ଦଲାଲ ଲଗାଇ ନୀରିହ ଚାଷିମାନଙ୍କୁ ଅଲ୍ପ କିଛି ଟଙ୍କା ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ଏଭଲି ଅନେକ କମ୍ବାଇନ ହାରଭେଷ୍ଟର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ନାମରେ ସବସିଡି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ଅଭାବି ଚାଷୀ ଅଳ୍ପ କିଛି ଟଙ୍କା ଲାଲସାରେ ନିଜସ୍ୱ କାଗଜାତ ଦେଇଦେଉଥିବା ବେଳେ କେତେକ ଚାଷୀଙ୍କ ଅଜାଣତରେ ଏଭଲି ଭାବେ ସବସିଡି ହରିଲୁଟ ହୋଇଥିବା ଅଭିଯୋଗ ହେଉଛି। ନିଜ ପକେଟରୁ କିଛି ଖର୍ଚ୍ଚ କରାନଯାଇ କାଗଜାତ କପି ଓ ପାଶ ବୁକ ବ୍ୟବହାର କରି କିଛି ଟଙ୍କା ପାଇ ଚାଷି ଖୁସ ରହୁଥିବା ବେଳେ ଚଂଚକତା କରି ଦଲାଲ ଓ ଏଜେନ୍ସି ମାଲିକ ମାନେ ମାଲେମାଲ ହେଉଥିବା ଜଣାପଡିଛି।

ଏସବୁ ଅଭିଯୋଗ ଯଦିଓ ସତ୍ୟ ତେବେ ସରକାରୀ ସବସିଡି ଅର୍ଥ ସଠିକ ମାର୍ଗରେ ଖର୍ଚ୍ଚ ହୋଇପାରୁନଥିବାରୁ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏଜେନ୍ସି ମାଲିକ ମାନଙ୍କ ଏଭଲି କାରବାରରେ ସାଧାରଣ ଚାଷୀ ସବସିଡି ପାଇପାରୁନାହିଁ। କେତେକାଂଶରେ ଅଣଓଡିଆ ଚାଷିମାନେ ଏଜେନ୍ସି ମାଲିକଙ୍କ ସହ ସଲାସୁତୁରା କରି ସ୍ଥାନୀୟ ନୀରିହ ଗରିବ ଚାଷୀ ନାମରେ କୃଷିଯନ୍ତ୍ରପାତି ଉଠାଣ କରି ପଡୋଶୀ ରାଜ୍ୟକୁ ଚାଲାଣ କରୁଥିବା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଲା ଗ୍ରାମରେ ଥିବା ଜନୈକ ଅଣ ଓଡିଆ ଚାଷୀ ପ୍ରାୟ ପନ୍ଦର ଗୋଟି ବିଭିନ୍ନ କମ୍ପାନୀର କମ୍ବାଇନ ହାରଭେଷ୍ଟର ରଖି ବ୍ୟବସାୟ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ କୃଷିଯନ୍ତ୍ରପାତି ସବସିଡି ମାମଲରେ ପୂର୍ବ ଭଲି କୃଷି ଅଧିକାରି ମାନଙ୍କୁ ସାମିଲ କରାଯାଉ ନଥିବାରୁ ଏଜେନ୍ସି ମାଲିକ ମାନେ ସହଜରେ ଏଭଲି ଚଂଚକତା କରିବାରେ ସକ୍ଷମ ହେଉଥିବା ଜନୈକ ବରିଷ୍ଠ କୃଷିପଦାଧିକାରୀ ପ୍ରକାଶ କରିଛନ୍ତି। ଏହି କମ୍ବାଇନ ହାରଭେଷ୍ଟର ସବସିଡି ଯୋଗାଣ ସଂପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଚାଷିମହଲରେ ଦୃଢ ଦାବୀ ହେଉଛି।