Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ କୃଷି ଶିଳ୍ପ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ଦେଲେ ୧୫ କୋଟି ଟଙ୍କାର ଚେକ୍

ଭୁବନେଶ୍ବର: ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ କରିଥିଲେ।

ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର ଏକ ଚେକ୍‌ ଲାଭାଂଶ ବାବଦରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ।

ସେହିପରି ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମୁଦାୟ ୫ କୋଟି ୬୨ ଲକ୍ଷ ୫୩ ହଜାର ୭୯୪ ଟଙ୍କା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଓଡିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ତାର ଲାଭାଂଶ ପ୍ରଦାନ କରିଆସୁଛି।

କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ଏହି ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କୃଷି ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।