Categories
ଆଜିର ଖବର ରାଜ୍ୟ ଖବର

କବି କେଦାର ମିଶ୍ର, ଗବେଷକ ସଂଜୟ ବାଗ୍ ପାଇବେ ଭୁବନେଶ୍ବର ବେହେରା ସାହିତ୍ୟ ସମ୍ମାନ

ଭୁବନେଶ୍ବର: କବି ତଥା ଗବେଷକ କେଦାର ମିଶ୍ର ଏବଂ ଗାଳ୍ପିକ ତଥା ଗବେଷକ ଡ ସଂଜୟ କୁମାର ବାଗ୍ ପାଇବେ ଭୁବନେଶ୍ବର ବେହେରା ସାହିତ୍ୟ ସମ୍ମାନ। କେଦାର ମିଶ୍ରଙ୍କୁ 2020 ମସିହା ଏବଂ ସଂଜୟ ବାଗଙ୍କୁ 2021 ମସିହା ପୁରସ୍କାର ପାଇଁ ମନୋନିତ କରାଯାଇଛି। ମହାବୀର ସାଂସ୍କୃତି ଅନୁଷ୍ଠାନ ତରଫରୁ ଏହି ପୁରସ୍କାର ପ୍ରତି ବର୍ଷ ପ୍ରଦାନ କରାଯାଇଥାଏ।

ଆଜି ଅନୁଷ୍ଠାନର ଏକ ଚୟନ କମିଟ ବସି ଏହି ନିଷ୍ପତି ଗ୍ରହଣ କରିଛନ୍ତି। କେଦାର ମିଶ୍ରଙ୍କ ଲିଖିତ ‘ଶଦ୍ଦକୁ ଚାରିପାଦ’, ‘ଆଶାସୁପ୍ତ’, ‘ରାଗ କେଦାର’ ଏବଂ ‘ପ୍ରେମର ଦୂରଗୀତି’ ପ୍ରଭୃତି କୃତି ବେଶ ଆଦୃତି ଲାଭ କରିଛି। ସେହିପରି ଗବେଷକ ତଥା ଗାଳ୍ପୀକ ସଂଜୟ ବାଗଙ୍କ ‘ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା’, ‘ପଶ୍ଚିମ ଓଡିଶାର ପାରଂପାରିକ କ୍ରୀଡା’, ‘ଓଡିଶାର ଲୋକ କ୍ରୀଡା’ ପ୍ରଭୃତି କୃତି ରହିଛି। ଏହି ଦୁଇ ଜଣଙ୍କୁ ନଭେମ୍ବର ମାସରେ ଅନୁଷ୍ଠାନ ତରଫରୁ ଆୟୋଜିତ ଏକ ଉତ୍ସବରେ ପୁରସ୍କୃତ କରାଯିବ।

Categories
ବିଶେଷ ଖବର

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ଭାରତର ସାମ୍ବାଦିକତା ଆଜି ଆତ୍ମହତ୍ୟାର ରାସ୍ତାରେ!!

କେଦାର ମିଶ୍ର

ଜଣେ ଚିତ୍ର ତାରକାଙ୍କ ଆତ୍ମହତ୍ୟା ପରେ ଦେଶରେ ସତୀପ୍ରଥା ପୁଣିଥରେ ଲେଉଟି ଆସିଛି। ଜୁନ ୧୪ ତାରିଖ ଦିନ ବଲିଉଡର ସଫଳ ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ପୂରା ଭାରତୀୟ ଗଣମାଧ୍ୟମର ମାନସିକ ସନ୍ତୁଳନ ନଷ୍ଟ ହୋଇଯାଇଛି ଓ ସେମାନେ ଏବେ ସମ୍ମିଳିତ ଆତ୍ମହତ୍ୟାର ରାସ୍ତାରେ ଚାଲିଛନ୍ତି। ଏ କଥା ଭାବ ପ୍ରବଣ ହୋଇ କିମ୍ବା କ୍ରୋଧର ବଶବର୍ତ୍ତୀ ହୋଇ ମୁଁ କହୁନାହିଁ। ଏହା ଆଜିର ଭୟଙ୍କର ସତ୍ୟ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଆତ୍ମାକୁ ନ୍ୟାୟ ଦେବାର ତଥାକଥିତ ଲଢେଇରେ ଆମର ଗଣମାଧ୍ୟମ, ବିଶେଷ କରି ଟିଭି ଚ୍ୟାନେଲ ଗୁଡିକ ପାଗଳ ଭଳି ବ୍ୟବହାର ଆରମ୍ଭ କରିଛନ୍ତି। ସେମାନଙ୍କ ପାଗଳାମୀକୁ କିଛି ଦର୍ଶକ ନ୍ୟାୟ ପାଇଁ ଲଢେଇ ବୋଲି କହି, ସୋସିଆଲ ମିଡିଆରେ ତାଙ୍କର ପାଗଳାମୀକୁ ବଢାଇ ଚାଲିଛନ୍ତି। ଏହି ପାଗଳାମୀର ସ୍ତର ଏତେ ନିମ୍ନଗାମୀ ହୋଇଛି ଯେ, ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ଜଣେ ପାଠଶାଠ ପଢିଥିବା ସମ୍ପାଦକ “ମୋତେ ଡ୍ରଗ୍ସ ଦିଅ, ମୋତେ ଚରସ ଦିଅ, ମୋତେ ଗଞ୍ଜେଇ ଦିଅ” ବୋଲି ପ୍ରଳାପ କରୁଛନ୍ତି। ଟେଲିଭିଜନରେ ତାଙ୍କର ବିଳିବିଳା ଶୁଣିଲା ପରେ, ଜୀବନରେ ଆଉଥରେ ଟିଭି ଦେଖିବାକୁ କେହି ସାହସ କରିପାରିବେ ନାହିଁ।

ତେବେ ଏହି ବିଳିବିଳା କାରଣରୁ ସେ କୁଆଡେ ଏ ଦେଶର ଏକ ନମ୍ବର ଟେଲିଭିଜନ ସାମ୍ବାଦିକ। ତାଙ୍କ କାର୍ଯ୍ୟକ୍ରମ ଏକନମ୍ବର। ଯଦି କୌଣସି ସଭ୍ୟ, ଶିକ୍ଷିତ ଓ ଗଣତାନ୍ତ୍ରିକ ସମାଜ ଏ ପ୍ରକାର କାର୍ୟକ୍ରମକୁ ଏକନମ୍ବର କରାଏ, ସେ ସମାଜର ଅବସ୍ଥା ଯେ ଶୋଚନୀୟ, ଏ କଥା ସ୍ପଷ୍ଟ। ଆମେ ପୁଣିଥରେ ମଧ୍ୟଯୁଗୀୟ ବର୍ବରତା ଆଡକୁ ବୋଧେ ଫେରି ଯାଉଛୁ। ଆମର ସାମ୍ବାଦିକମାନେ ଏବେ ଖୋଦ ବିଚାରପତି, ଓକିଲ ଓ ଜଲ୍ଲାଦ ହୋଇ ସିଧା ସିଧା ଦୋଷୀଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବା ହତ୍ୟାର କାରଣ ଆମେ କେହି ଜାଣିନୁ। ପ୍ରଥମେ ଏହାକୁ ନେଇ ମୁମ୍ବାଇ ପୋଲିସ ବିରୋଧରେ ବିହାର ପୋଲିସ ଅଭିଯୋଗ ଆଣିଲା। ମହାରାଷ୍ଟ୍ର ଓ ବିହାର ପୋଲିସର ଝଗଡା ଅପେକ୍ଷା ଏଥିରେ ବିହାର ନିର୍ବାଚନ ଲାଗି ଏକ ପୃଷ୍ଠଭୂମି ତିଆରି କରିବାର ଷଡଯନ୍ତ୍ର ସ୍ପଷ୍ଟ ବାରି ହୋଇ ପଡୁଥିଲା। ଘଟଣା ଘଟିବାର ଅଢେଇ ମାସ ଇତି ମଧ୍ୟରେ ବିତି ଗଲାଣି। ପ୍ରଥମେ ଏଥିରେ ମୁମ୍ବାଇ ପୋଲିସକୁ ସନ୍ଦେହ କରି ଏହାର ସିବିଆଇ ତଦନ୍ତ ପାଇଁ ଗଣମାଧ୍ୟମରେ ଚାପ ତିଆରି କରାଗଲା। ସୁପ୍ରିମ କୋର୍ଟ ଏଥିଲାଗି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ, ଦେଶର କେତୋଟି ଟେଲିଭିଜନ ଚ୍ୟାନେଲ ହଠାତ ନିଜର ଅଦାଲତ ଖୋଲି ସେଥିରେ, ସୁଶାନ୍ତଙ୍କ ବାନ୍ଧବୀ/ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କୁ ଦୋଷୀ ଘୋଷଣା କରି ତାଙ୍କୁ ଫାଶୀକାଠରେ ଝୁଲାଇବାର ନିର୍ଦ୍ଦେଶ ଶୁଣାଇ ଚାଲିଛନ୍ତି।

ରିଆ ଚକ୍ରବର୍ତ୍ତୀ ଦୋଷୀ କି ନିର୍ଦ୍ଦୋଷ, ତାର ତଦନ୍ତ ସିବିଆଇ କରୁଛି। ସିବିଆଇ ତଦନ୍ତ ଉପରେ ଚୂଡାନ୍ତ ବିଚାର ଦେଶର ଅଦାଲତ କରିବେ। ହେଲେ ଗଣମାଧ୍ୟମ ରିଆ ଚକ୍ରବର୍ତ୍ତୀଙ୍କୁ ପ୍ରତି ଦିନ ମାରି ଚାଲିଛି କାହିଁକି? ରିଆଙ୍କୁ କେବଳ ବଦନାମ କରାଯାଉନି, ତାଙ୍କ ବିରୋଧରେ ଯାବତୀୟ ଗାଲୁଗପ ପ୍ରଚାର ଚାଲିଛି। ତାଙ୍କ ବଞ୍ଚିବାର ଅଧିକାର ଓ ସମ୍ମାନଜନକ ଭାବେ ନିଜକୁ ସୁରକ୍ଷା ଦେବାର ଅଧିକାରକୁ ଛଡେଇ ନିଆଯାଉଛି।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଆମର ସାମ୍ବାଦିକମାନେ ନିଜକୁ ଭଗବାନ କିମ୍ବା ସର୍ବଶ୍ରେଷ୍ଠ ବିଚାରପତି ବୋଲି ଭାବୁଛନ୍ତି। ଅର୍ଣ୍ଣବ ଗୋସ୍ଵାମୀ କହୁଛନ୍ତି ରିଆ ଚକ୍ରବର୍ତ୍ତୀ ହତ୍ୟାକାରୀ, ତେଣୁ ତାହା ହିଁ ଚୂଡାନ୍ତ ସତ୍ୟ। ଏ ପ୍ରକାର ସାମ୍ବାଦିକତାକୁ “ସୁପାରି ସାମ୍ବାଦିକତା” ବ୍ୟତୀତ ଅଧିକ କିଛି କୁହା ଯାଇପାରିବ ନାହିଁ। ଜଣେ ଯୁବତୀ (ସେ ଯଦି ଅପରାଧୀ, ତାର ପ୍ରମାଣ ପୋଲିସ ଦେବା ଓ ସେହି ପ୍ରମାଣ ଆଧାରରେ ବିଚାରପତି ତାଙ୍କୁ ଦଣ୍ଡ ଦେବେ) ପଛରେ ଦେଶର ଟିଭି ଚ୍ୟାନେଲ ଗୁଡିକ ଡାହାଳ କୁକୁର ପରି ଆକ୍ରମଣ କରିବା, କୌଣସି ସଭ୍ୟ ରାଷ୍ଟ୍ରରେ ଦେଖିବାକୁ ମିଳେନାହିଁ।

ଆଜି ଦେଶରେ ପ୍ରତିଦିନ ହଜାରେ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ୭୫ ହଜାରରୁ ଅଧିକ ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି। ଦେଶର ଅର୍ଥନୈତିକ ସ୍ଥିତି ଏତେ ଖରାପ ଯେ କେନ୍ଦ୍ର ସରକାର, ରାଜ୍ୟ ମାନଙ୍କୁ ପଇସା ଦେବାକୁ ଅକ୍ଷମ ବୋଲି କହୁଛନ୍ତି। ଚୀନ ସୀମାନ୍ତରେ ପରିସ୍ଥିତି ଅଧିକ ଜଟିଳ ହେଉଛି। ଏବେ ଲଦ୍ଦାଖ ଓ ନାଥୁଲା ଅଞ୍ଚଳରେ ଚୀନ ନିଜର ସାମରିକ ନିର୍ମାଣ ତୀବ୍ର ଗତିରେ ବଢାଇ ଚାଲିଛି। ଏ ସବୁ ପ୍ରସଙ୍ଗରେ ଆଲୋଚନା କରିବା ଅପେକ୍ଷା, ଜଣେ ମୃତ ଚିତ୍ର ତାରକାଙ୍କ ଭୂତ ପଛରେ ଆମର ଗଣମାଧ୍ୟମ ପାଗଳ ହୋଇ ଯାଇଛି।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଖୋଜିବାକୁ ଯାଇ, ଆମର ସାମ୍ବାଦିକତା ଆଉ କିଛି କରୁ ବା ନ କରୁ, ନିଜର ଆତ୍ମହତ୍ୟା ଲାଗି ବାଟ ସଫା କରି ଦେଇଛି। ବାତୁଳଙ୍କ ପରି ଚିତ୍କାର କରୁଥିବା ଟେଲିଭିଜନ ସାମ୍ବାଦିକତାକୁ ଦେଖି ଯେଉଁମାନେ ତାଳି ମାରୁଛନ୍ତି, ସେମାନେ ବି କ୍ରମେ କ୍ରମେ ନିଜ ଘରକୁ ପାଗଳଖାନାରେ ପରିଣତ କରୁଛନ୍ତି। ଏହି ମାନସିକ ରୋଗରୁ ଦେଶକୁ, ଦେଶର ସାମ୍ବାଦିକତାକୁ ଓ ସାମ୍ବାଦିକତା ଦ୍ଵାରା ପୀଡିତ ସାଧାରଣ ଜନତାଙ୍କୁ ମୁକ୍ତି ମିଳୁ, ସେ ପ୍ରାର୍ଥନା କରିବା ବ୍ୟତୀତ ଆଉ ଅଧିକ କିଛି କରିବା ଆମ ହାତରେ ନାହିଁ!!

Categories
ବିଶେଷ ଖବର

କରୋନା ଭୂତାଣୁ ଦୈବୀ କୃତ, ହେଲେ ଦେଶର ଆର୍ଥିକ ଦୁରବସ୍ଥା ସରକାରୀ କୁପରିଚାଳନାର ପରିଣାମ 

କେଦାର ମିଶ୍ର

ପରିଶେଷରେ ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସ୍ଵୀକାର କରିଛନ୍ତି ଯେ ଦେଶର ଅର୍ଥନୀତି ଚଳିତ ବର୍ଷ ନକରାତ୍ମକ ହେବାକୁ ଯାଉଛି। ଅର୍ଥାତ ପୂର୍ବରୁ ପୃଥିବୀର ବିଭିନ୍ନ ସଂସ୍ଥା ଭାରତର ଅର୍ଥନୀତିର ଦୁରବସ୍ଥା ବିଷୟରେଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସତ୍ୟ ବୋଲି ପ୍ରଥମ ସରକାରୀ ସ୍ଵୀକାରୋକ୍ତି ଆମକୁ ମିଳିଛି। ତେବେ ଏଥିଲାଗି ଭଗବାନଙ୍କୁ ଦାୟୀ କରିଛନ୍ତି ଆମର ଅର୍ଥମନ୍ତ୍ରୀ। କରୋନା ଭୂତାଣୁ ଦୈବୀ କୃତ ଓ ସେଥିଲାଗି ଅର୍ଥନୀତି ଋଣାତ୍ମକ ଦିଗକୁ ଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କରୋନା ଭୂତାଣୁ ଭଗବାନଙ୍କ ଦାନ ହୋଇଥାଇପାରେ ହେଲେ ଏହି ଭୂତାଣୁ ର ମୁକାବିଲା କରିବାକୁ ଯାଇ ଦେଶର ଅର୍ଥନୀତି ତାଳି ତଳାନ୍ତ କରିବାରେ ଭଗବାନଙ୍କୁ ଦାୟୀ କରିବା, ଏକ ହାସ୍ୟାସ୍ପଦ ଯୁକ୍ତି। ପୃଥିବୀର ବହୁ ଦେଶ କରୋନା ମୁକାବିଲା ସହିତ ଅର୍ଥନୀତିକୁ ଚଳାଇ ରଖିବାର ସମାନ୍ତରାଳ ରଣନୀତି ତିଆରି କରିଛନ୍ତି। ଆମର ପଡିଶା ବାଂଲାଦେଶ ଓ ପାକିସ୍ତାନ “ଲକ ଡାଉନ” କୁ ଅତ୍ୟନ୍ତ ସୀମିତ ଓ ଅର୍ଥନୀତିର ଗତିବିଧିରେ ବେଶୀ ବାଧା ସୃଷ୍ଟି ନକରି କରୋନା ଭୂତାଣୁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଭାରତ ସରକାର “ଲକ ଡାଉନ” ମାଧ୍ୟମରେ ପ୍ରାୟ ଦୁଇମାସରୁ ଅଧିକ ସମୟ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଠପ କରିଦେବା ପରେ, ଏହା ଆଜି ମଧ୍ୟ ନିଜର ସାଧାରଣ ଗତିକୁ ଫେରିନାହିଁ।

କରୋନା ପାଇଁ ପୃଥିବୀର ଅର୍ଥନୀତି ସହିତ ଆମର ଅର୍ଥନୀତି ମଧ୍ୟ ଖରାପ ପ୍ରଦର୍ଶନ କରୁଛି। ତେବେ ଏହା କେବଳ କରୋନା ଯୋଗୁଁ ଘଟିନାହିଁ। ବିମୂଦ୍ରାକରଣ ଏବଂ ବିଭ୍ରାନ୍ତିକର ଜିଏସଟି ବ୍ୟବସ୍ଥା ପରଠୁ ଆମର ଅଭିବୃଦ୍ଧି ତଳକୁ ତଳକୁ ଖସି ଚାଲିଥିଲା। କରୋନା ଭୂତାଣୁ ସେହି ନିମ୍ନ ଗତିକୁ ଅଧିକ ଧ୍ଵଂସ ଆଡକୁ ଟାଣି ନେଇଛି। ଆଜି ଜିଏସଟି ଆଇନ ଅନୁଯାୟୀ ରାଜ୍ଯମାନଙ୍କୁ ଦେବାକୁ ଥିବା ଭରଣା ଅର୍ଥ ଦେବାକୁ କେନ୍ଦ୍ର ସରକାର ନିଜକୁ ଅସମର୍ଥ ବୋଲି କହୁଛନ୍ତି। ଅର୍ଥନୀତି ତଥା ରାଜ୍ଯମାନଙ୍କର ଦେବାଳିଆ ଅବସ୍ଥା ଲାଗି ଭଗବାନ ନୁହନ୍ତି, ଖୋଦ କେନ୍ଦ୍ର ସରକାର ଏଥିଲାଗି ଦାୟୀ।

ଗୋଟେ ସମୟରେ ଆମେ ଦୁଇ ଅଙ୍କ ବିଶିଷ୍ଟ ଜିଡିପି କଥା ଚିନ୍ତା କରୁଥିଲେ। ଅର୍ଥାତ ବାର୍ଷିକ ୧୦% ରୁ ଅଧିକ ଅଭିବୃଦ୍ଧି ଆମର ହେବ ବୋଲି ଆମର ଚିନ୍ତା ଥିଲା। ଆମେ ସେହି ସ୍ଥିତିର ପାଖାପାଖି ପହଞ୍ଚି ଯାଇଥିଲେ ମଧ୍ୟ।୨୦୦୬-୦୭ ଆର୍ଥିକ ବର୍ଷରେ ଆମର ଆର୍ଥିକ ଅଭିବୃଦ୍ଧି ୯.୫୭ ରେ ପହଞ୍ଚିଥିଲା। ଅଟଳ ବିହାରୀ ବାଜପାୟୀ ଓ ମନମୋହନ ସିଂ ସରକାର ସମୟରେ ଭାରତକୁ ପୃଥିବୀର ନୂଆ ଅର୍ଥନୈତିକ ସିଂହ ବୋଲି କୁହା ଯାଉଥିଲା। ଆର୍ଥିକ ଉଦାରୀକରଣ ଓ ଏକ ଭାରତୀୟ ବଜାରର ସଂପ୍ରସାରଣ ଫଳରେ ପୂରା ପୃଥିବୀର ଅର୍ଥନୈତିକ ଆଶାବାଦ ଭାରତରେ ଗଢିଉଠୁଥିଲା। ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ଲକ୍ଷ୍ୟ ରୁ ଆମେ ଏବେ ଆସି ନକରାତ୍ମକ ଅଭିବୃଦ୍ଧି ର ସମୟରେ ପହଞ୍ଚିଛୁ।

କରୋନା ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର -୪.୯ ହୋଇପାରେ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଲକ ଡାଉନ ର ପ୍ରଥମ ପର୍ୟାୟ ପରେ ଦେଶର ଅଭିବୃଦ୍ଧି ୧.୯ କୁ ଖସିଆସିବ ବୋଲି ଏପ୍ରିଲ ରେ ଆଇଏମଏଫ କହିଥିଲା। ଏବେ ନିଜର ପୂର୍ବାନୁମାନକୁ ସଂଶୋଧନ କରି ଏହା -୪.୯ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋଭିଡ ସଂକ୍ରମଣ ତଥା ଏଥିଲାଗି ଆଗକୁ ଜାରି ରହିଥିବା ଲକ ଡାଉନର ସମୟସୀମା ଉପରେ, ଏହି ଅଙ୍କ ନିର୍ଭର କରୁଛି। ଲକ ଡାଉନ ଖୋଲିବାର ପ୍ରକ୍ରିୟା ଭାରତରେ ଆରମ୍ଭ ହୋଇଥିଲେ ମଧ୍ୟ ଦେଶରେ କୋଭିଡ ସଂକ୍ରମଣ ବଢି ବଢି ଚାଲିଛି। ଦେଶରେ ସଂକ୍ରମିତ ଅଞ୍ଚଳ ଯେତେ ବଢିବ, ସେହି ସବୁ ଅଞ୍ଚଳରେ ଆର୍ଥିକ ଗତିରୋଧ ଲାଗି ରହିବ। ଅତି ସହଜ ଭାବରେ କହିଲେ, ଯେତେ ଅଧିକ ବନ୍ଦ ସେତେ ଅଧିକ ଆର୍ଥିକ କ୍ଷତି। ଆର୍ଥିକ କ୍ଷତିର ଏହି ଦୁର୍ଦ୍ଦିନ ଆମର ଅର୍ଥନୈତିକ ଭବିଷ୍ୟତକୁ ଘୋର ଅନ୍ଧାର ଆଡକୁ ନେଇଯିବ।

ତେବେ ଆମର ମୂଳ ଚିନ୍ତା ହେଉଛି ନେଗେଟିଭ ଜିଡିପିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କଣ ପଡିବ! ସାଧାରଣ ଲୋକର ଭାଷାରେ କହିଲେ ଯେତେବେଳେ ଘରକୁ ଅଧିକ ପଇସା ଆସୁଛି, ଆପଣ ସେତେବେଳେ ଅଧିକ ଖର୍ଚ୍ଚ ଓ ଅଧିକ ସଞ୍ଚୟ କରୁଛନ୍ତି। ଆୟ ଯେତେ କମୁଛି, ବ୍ୟୟ ମଧ୍ୟ ସେତିକି କମୁଛି। ଯେତେବେଳେ ଆମର ଅଭିବୃଦ୍ଧି ହାର ୭% ରୁ ୪% କମି ଆସିଲା, ସେତେବେଳେ ଆମେ ଦେଖିଲୁ ଆମ ଦେଶରେ ନୂଆ ଗାଡି କିଣିବା ବନ୍ଦ ହୋଇଗଲା। ଲୋକେ ବିସ୍କୁଟ ଓ ଚକୋଲେଟ କିଣିବା କମ କରିଦେଲେ। ନୂଆ ଲୁଗାର ବିକ୍ରି କମ ହୋଇଗଲା। ଏବେ ୪% ଜାଗାରେ ଯେତେବେଳେ -୪.୯% ଅଭିବୃଦ୍ଧି ହେବ, ସେଥିରେ ଆମ ଜୀବନ ଋଣ ଯନ୍ତାରେ ପଡିବାକୁ ବାଧ୍ୟ। ନେଗେଟିଭ ଜିଡିପିର ଅର୍ଥ ହେଉଛି, ଆମର ଆୟ ତୁଳନାରେ ବ୍ୟୟ ବହୁତ ବହୁତ ଅଧିକ।

ଅତି ସହଜ ଭାଷାରେ କହିଲେ, ଆଗାମୀ ଦିନରେ ଆମ ହାତକୁ ପଇସା ଆସିବା କମିଯିବ। ଉତ୍ପାଦନ କମିବା ସହିତ ରୋଜଗାର କମିବ। ଲୋକଙ୍କର ଚାକିରୀ ଚାଲିଯିବ। ଚାକିରୀ ଯାହାର ରହିବ, ସେ ପୂର୍ବ ତୁଳନାରେ କମ ଉପାର୍ଜନ କରିବେ। ବଜାରରେ ବିକାକିଣା ସଙ୍କୁଚିତ ହେବ। ସରକାର ଜନ କଲ୍ୟାଣ ଲାଗି ଯେତେ ଟଙ୍କା ଖର୍ଚ୍ଚ କରୁଥିଲେ, ସେତିକି ଖର୍ଚ୍ଚ କରି ପାରିବେ ନାହିଁ। ଆୟ କମିବ, ହେଲେ ବଜାରରେ ଦରଦାମ ବଢିବ। ଦରଦାମ ବଢିଲେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବ।

ଆଜି ଦେଶର ଆର୍ଥିକ ଦୁରବସ୍ଥାକୁ ସମ୍ଭାଳିବା ଲାଗି ସରକାରଙ୍କର କୌଣସି ପ୍ଯାକେଜ କାମ ଦେଉନାହିଁ। ଋଣ ମାଧ୍ୟମରେ ଅର୍ଥନୀତିକୁ ସୁଧାରିବାର ଯେଉଁ ଅବାସ୍ତବ ପ୍ଯାକେଜ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ, ତାର ସାମାନ୍ଯ ପ୍ରଭାବ ଆମ ଅର୍ଥନୀତିରେ ପଡିଲା ନାହିଁ। ଏହି ପ୍ଯାକେଜ କେବଳ କାଗଜ କାଳିର ଅପବ୍ୟୟ ବୋଲି ଅର୍ଥନୀତିଜ୍ଞମାନେ ସେତେବେଳେ କହିଥିଲେ। ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି। ଆସନ୍ତା ମାସରୁ ଅନେକ ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ବୋଲି କହିଲେଣି। “ଲକ ଡାଉନ” ଜରିଆରେ ସବୁ ରାଜ୍ୟ ସରକାରଙ୍କ ଉପରେ ଦାଦାଗିରି ଦେଖାଇଥିବା କେନ୍ଦ୍ର ସରକାର ଏବେ ରାଜ୍ୟ ମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେବାକୁ ଅସମର୍ଥ ବୋଲି କହୁଛନ୍ତି।

ଏହା ଭଗବାନଙ୍କର କାମ ନୁହେଁ, ବରଂ ମୋଦୀ ସରକାରର ଆର୍ଥିକ କୁପରିଚାଳନାର ପରିଣାମ ବୋଲି ଆମକୁ ସ୍ଵୀକାର କରିବାକୁ ହେବ।

Categories
ବିଶେଷ ଖବର ସଂସ୍କୃତି

କରୋନା ସମୟର ନୂଆଖାଇ ଜୁହାର, ଇତିହାସରେ ଇଏ ବି ଗୋଟେ ସ୍ମରଣୀୟ ଅଧ୍ୟାୟ

କେଦାର ମିଶ୍ର

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ  ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି। ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି। ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ। ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ। ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ। ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ  ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି। ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

ଦିନେ ଏମିତି ବି ସମୟ ଆସିବ ଯେ, ନୂଆଖାଇ ଭଳି ପାର୍ବଣ ବି ଫିକା ପଡିଯିବ, ଏକଥା କେହି କେବେ ସ୍ଵପ୍ନରେ ବି ଚିନ୍ତା କରିନଥିବେ। ନୂଆଖାଇ ସହିତ ସବୁଠୁ ବଡ ସମ୍ପର୍କ ହାଟର। ବିନା ହାଟରେ କି ନୂଆଖାଇ? ତିହାର ଆଗରୁ ତାର ସଜବାଜରେ ଦୁଇ ସପ୍ତାହ ବିତିଯାଏ। ହାଟରୁ ଖାଇବା, ପିନ୍ଧିବା, ମଉଜ କରିବାର ସବୁ ସାମାନ କିଣିବା ଲାଗି କେତେ ଯୋଜନା ଚାଲେ। ଏଥରର ନୂଆଖାଇରେ ହାଟ ଆଉ ବସିନାହିଁ। ହାଟରୁ କରଡି କିଣାହୋଇ “ଲେଥା” ( ଆମ୍ବିଳ- ବହୁ ପରିବା ମିଶାମିଶି ଖଟା ଜାତୀୟ ଏକ ବ୍ୟଞ୍ଜନ) ବନାଇବାର ମଜା ଏଥର ଆଉ ନାହିଁ। “ଜୀଇଁ ଜାଗିଥିଲେ ବଚ୍ଛରେ”- ବଞ୍ଚିଥିଲେ ବର୍ଷକ ଥରେ ନୂଆଖାଇରେ ସମସ୍ତଙ୍କର “ଭେଟଘାଟ”- ସେ ବି ହେବାର ସମ୍ଭାବନା ନାହିଁ। ନୂଆଖାଇ ସମୟରେ ପୂରା ପରିବାର ଯିଏ ଯେଉଁଠି ଥିଲେ ଘରକୁ ଫେରନ୍ତି। ଆଜିର “ଲକ ଡାଉନ-ଶଟ ଡାଉନ” ସମୟରେ ସେ ବି ହେବାର ନାହିଁ। ଏମିତି ଗୋଟେ ସର୍ବନାଶୀ ସମୟରେ ନୂଆଖାଇ ପାଳିବାର ଆନନ୍ଦ ଆଜି ନାହିଁ।

ଆଜିର ଏ ଉଜୁଡା ସମୟରେ ନୂଆଖାଇ ଆମ ଜୀବନକୁ ସଜାଡି ପାରିବ କି? ଗତ ସାଢେ ପାଞ୍ଚମାସ ହେଲା, ଭାରତର ସବୁ ପର୍ବ ପର୍ବାଣି ଫିକା ପଡିଯାଇଛି। ଭାରତ ପାର୍ବଣର ଦେଶ। ଭାରତ ଭିତରେ ଓଡିଶା, ବାର ମାସରେ ତେର ପର୍ବ ଲାଗି ପ୍ରସିଦ୍ଧ। ସେଥିରେ ଅଧା ବର୍ଷ ଆମର ବିନା ପାର୍ବଣରେ ଯାଇ ସାରିଛି। କରୋନା ମହାମାରୀ ପରଠୁ ଚନ୍ଦନ ଯାତ୍ରା, ରଜ,ଇଦ, ସାବିତ୍ରୀ, ସ୍ନାନଯାତ୍ରା,  ରଥଯାତ୍ରା, ଝୁଲଣ ଯାତ୍ରା, ଗହ୍ମା ପୂର୍ଣ୍ଣମୀ,  ଗଣେଶ ପୂଜା ଓ ଆଜି ନୂଆଖାଇ- କୌଣସି ପାର୍ବଣ ସାମୁହିକ ଭାବରେ ପାଳିତ ହୋଇ ପାରିନାହିଁ। ସାଢେ ପାଞ୍ଚ ମାସ ପରେ ବି ଆମେ କରୋନା ଭୂତାଣୁକୁ ଆମ ଜଣ ଜୀବନରୁ ମୁକ୍ତ କରିପାରିନାହୁଁ।

ଆଜି ଯେତେବେଳେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ କେବଳ ପରିବାର ଭିତରେ ନାମକୁ ମାତ୍ର ପାଳନ ହେଉଛି, ସେତେବେଳେ ଚୀନ ର “ଉହାନ” ସହରରେ ବିନା ମୁଖା ଲଗାଇ ଶହ ଶହ ଲୋକ “ୱାଟର ପାର୍କ” ରେ ଉତ୍ସବ ମନାଉଛନ୍ତି।ଆମେ ଜାଣୁ ଉହାନ ସହର ହେଉଛି କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ।ଆଜି ସେଠାରୁ ଭୂତାଣୁ ବିଦାୟ ନେଇଛି।ଚୀନରେ ପ୍ରଥମ ସୋପାନ ପରେ ଦ୍ଵିତୀୟ ସୋପାନରେ କରୋନା ସଂକ୍ରମଣ ଆସିଛି ଓ ଯାଇଛି।

ଆଜି ଆମ ଲାଗି ନୂଆ କିଛି ଚିନ୍ତା କରିବାର ଆବଶ୍ୟକତା ଆସିଛି। ଜୀବନ ଭୟକୁ ସାଥି କରି ଚାଲି ପାରିବ ନାହିଁ। ବିନା ପାର୍ବଣ ଓ ଉତ୍ସବରେ ଜୀବନ କରୋନା ଜ୍ଵରଠୁ ଅଧିକ ମାରାତ୍ମକ ରୋଗ ପାଲଟିଯିବ।ତେଣୁ ଆମ ଜୀବନରେ ଉତ୍ସବର ପରିବେଶ ଫେରିବା ଜରୁରୀ। ଭୂତାଣୁ ଲାଗି ସତର୍କତା ରହୁ, ହେଲେ ଏହା ଏକ ଚିରସ୍ଥାୟୀ ଭୟ ହୋଇ ଆମ ଜୀବନରେ ନ ରହୁ।

ପଶ୍ଚିମ ଓଡିଶାର ସାମାଜିକ ଜୀବନ ବହୁ ଘାତ ପ୍ରତିଘାତକୁ ସାମ୍ନା କରିଛି। ସବୁ ସଂଘର୍ଷ ଓ ସଙ୍କଟର ମହୌଷଧି ହେଉଛି ନୂଆଖାଇ। ଭୋକ, ଅଭାବ ଓ ଦାରିଦ୍ର୍ୟକୁ ତୁଚ୍ଛ କରି ଆମେ ନୂଆ ଧାନର ଉତ୍ସବ ପାଳି ଆସିଛୁ। ସଙ୍କଟ ଆଗରେ ଆମେ କେବେ ହାର ମାନିନୁ। ଆଜି ବି ମାନିବାର ନାହିଁ।

ମହାମାରୀ ସମୟର ଏ ନୂଆଖାଇ ଆମକୁ ନୂଆ କିଛି ସୁଯୋଗ ଦେବା ନିଶ୍ଚୟ। ସମସ୍ତଙ୍କୁ ନୂଆଖାଇର ଜୁହାର।

Categories
ବିଶେଷ ଖବର

ଆମେ ଚଳାଉଛୁ ଦେଶ ଆମରି, ସତରେ କିଏ ଚଳାଉଛି ଆମର ଦେଶ!!

କେଦାର ମିଶ୍ର

ପିଲାଦିନର ପାଠ ବହିରେ ଆମେ ପଢିଥିଲୁ- “ଆମେ ଚଳାଉଛୁ ଦେଶ ଆମରି, ଆମରି ନାଆ ରେ ଆମେ ନାଉରୀ”। ସ୍ଵାଧୀନ ଭାରତ ପରେ ଗଣତାନ୍ତ୍ରିକ ଭାରତର ଗଠନକୁ ଏହାଠୁ ସରଳ ଭାଷାରେ ଆଉ କହି ହୋଇନଥାନ୍ତା। ଗଣତନ୍ତ୍ରର ଅର୍ଥ ଇ ସେଇଆ। ଆମେ ଆମର ଶାସନ ଚଳାଉଛୁ। ଆମରି ହାତରେ ଇ ଆମକୁ ଶାସନ କରିବାର ଲଗାମ ରହିଛି। ଦେଶକୁ ଚଳାଇବା ଲାଗି ଆମେ ନିଜେ ନିଜର ସମ୍ବିଧାନ ପ୍ରସ୍ତୁତ କରିଛୁ। ମନେ ରଖନ୍ତୁ, ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ, ଦେଶର ସମ୍ବିଧାନ ପ୍ରଣୟନ ଲାଗି ୧୯୪୬ ମସିହାରେ “ସମ୍ବିଧାନ ପ୍ରଣୟନ ସଭା” ଲାଗି ନିର୍ବାଚନ ହୋଇଥିଲା ଓ ସେଥିରେ ନିର୍ବାଚିତ ୨୯୯ ଜଣ ସଦସ୍ୟ ଆମ ସମ୍ବିଧାନ ପ୍ରଣୟନରେ ଅଂଶଗ୍ରହଣ କରିଥିଲେ। ବିଧିବଦ୍ଧ ସ୍ଵାଧୀନତା ପାଇବା ଆଗରୁ ସ୍ବାଧିନତାର ସଦୁପଯୋଗ ପାଇଁ ସମ୍ବିଧାନ ପ୍ରଣୟନ ସଭା ଏକ ଗଣତାନ୍ତ୍ରିକ ଭାରତ ଗଠନର ଚିଠା ପ୍ରସ୍ତୁତ କରିଥିଲା। ସେହି ଚିଠା ହିଁ ଆମର ଗଣତନ୍ତ୍ରର ଏନ୍ତୁଡିଶାଳ।

ବାରମ୍ବାର ଦେଶର ସ୍ଵାଧୀନତା ଓ ଗଣତନ୍ତ୍ର କଥା କହିଲା ବେଳେ, ଆମକୁ ମନେ ରଖିବାକୁ ପଡିବ ଯେ, ଆମ ସମ୍ବିଧାନ ନାଗରିକକୁ ପ୍ରଜା ବୋଲି ଗ୍ରହଣ କରିନାହିଁ। ଆମର ନାଗରିକ ହେଉଛି, ସ୍ଵୟଂ ଶାସକ। ପୂରା ଶାସନ ବ୍ୟବସ୍ଥାର ପରିଚାଳକ ହେଉଛୁ ଆମେ “ ଉଇ ଦ ପିପୁଲ ଅଫ ଇଣ୍ଡିଆ”। ସ୍ବାଧିନତାର ୭୩ ପରେ ଆଜି ଆମକୁ ପୁଣି ଥରେ ପଚାରିବାକୁ ପଡୁଛି, ଆମେ ସତରେ ଆମ ଶାସନ ବ୍ୟବସ୍ଥାର ପରିଚାଳକ କି? ପାଞ୍ଚ ବର୍ଷରେ ଥରେ ଭୋଟ ଦେବାର ଅଧିକାର ହିଁ କେବଳ ଆମର ଶାସକ ହେବାର ସଙ୍କେତ କି? ଆମେ ଭୋଟ ଦେଉଛୁ, ତେଣୁ ଆମେ ଇ ଦେଶ ଚଳାଉଛୁ ବୋଲି ଭାବିନେବା ସାମ୍ବିଧାନିକ ସତ୍ୟ କି? ଭାରତୀୟ ସମ୍ବିଧାନ ଆମକୁ ସକ୍ରିୟ ନାଗରିକ ହେବାଲାଗି ଆମକୁ ଯେଉଁ ଭିତ୍ତିଭୂମି ଦେଇଛି , ତାର ମୂଳରେ ରହିଛି ଆମର “ମୌଳିକ ଅଧିକାର”। ସମ୍ବିଧାନ ଦେଶର ଶାସନ ଚଳାଇବାକୁ ଯେଉଁ ସବୁ ସଂସ୍ଥା ଓ ସଂଗଠନ ଗଢିବାର ବ୍ୟବସ୍ଥା କରିଛନ୍ତି, ସେମାନଙ୍କର ପ୍ରାଥମିକ ଦାୟିତ୍ଵ ହେଉଛି ଲୋକଙ୍କର ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା। ନାଗରିକ ଦ୍ଵାରା ନିର୍ବାଚିତ ବିଧାନପାଳିକା, ବିଧାନପାଳିକାରେ ବହୁମତ ପାଇଥିବା ଦଳର ସରକାର ଓ ସମ୍ବିଧାନର ସୁରକ୍ଷା ଲାଗି ନିଯୁକ୍ତି ପାଇଥିବା ଅଦାଲତ, ଏହି ତିନୋଟି ଯାକ ବ୍ୟବସ୍ଥା ନାଗରିକର ଅଧିକାର ପାଇଁ କାମ କରିବେ। ତାହା ହିଁ ସମ୍ବିଧାନର ଆଦର୍ଶ ଓ ଆଦେଶ।

ସମ୍ବିଧାନର ଏହି ଆଦର୍ଶ ଓ ଆଦେଶକୁ ମାନିବାରେ ଆମର ସଂସ୍ଥା ଗୁଡିକ ସତରେ ସଫଳ ହୋଇଛନ୍ତି କି? କ୍ଷମତା ପାଇଲା ପରେ ଗଣତନ୍ତ୍ର ସିଦ୍ଧାନ୍ତକୁ ସଂସ୍ଥାମାନେ କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ସେ କଥାର ବିଶ୍ଳେଷଣ ଆଜି ଜରୁରୀ। ସମ୍ବିଧାନରେ ସରକାର ଗଠନ ପ୍ରକ୍ରିୟାକୁ ଏକ ସ୍ପଷ୍ଟ ଆକାର ଦିଆ ଯାଇଛି। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ସରକାର ଗଠନ ପ୍ରକ୍ରିୟାରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ମନ୍ତ୍ରୀମଣ୍ଡଳ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବଣ୍ଟନ ପ୍ରକ୍ରିୟା ରହିଛି। ରାଷ୍ଟ୍ରପତି ଯଦିଓ ଶାସନମୁଖ୍ୟ, ସେ ମନ୍ତ୍ରୀମଣ୍ଡଳ ଦ୍ଵାରା ପରିଚାଳିତ ହେବେ। ଆମ ଦେଶରେ ମନ୍ତ୍ରୀମଣ୍ଡଳ ବା “କାଉନ୍ସିଲ ଅଫ ମିନିଷ୍ଟର” ଲୋକଙ୍କ ପାଖରେ ଉତ୍ତରଦାୟୀ। ସେଥିଲାଗି ସମ୍ବିଧାନ ବାରମ୍ବାର ମିଳିତ ଉତ୍ତର ଦାୟିତ୍ଵ ବା “କଲେକ୍ଟିଭ ରେସ୍ପନ୍ସିବିଲିଟି” କଥା କହିଛି। ମନ୍ତ୍ରୀମଣ୍ଡଳ ଜଣେ ଲୋକ ନୁହେଁ, ସେ ଏକ ସମ୍ମିଳିତ ବ୍ୟବସ୍ଥା।

ଅସଲ କଥାଟି ସେୟା।ଦେଶ ମନ୍ତ୍ରୀମଣ୍ଡଳ ଦ୍ଵାରା ସଞ୍ଚାଳିତ ହେଉଛି ନା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା? ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ଅନୁଷ୍ଠାନରେ ସବୁତକ କ୍ଷମତା ଯେମିତି ଠୂଳ ହୋଇ ନ ରହେ, ସେଥିଲାଗି ଏ ବ୍ୟବସ୍ଥା। ହେଲେ ସମୟ କ୍ରମେ ମନ୍ତ୍ରୀମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ଅଧସ୍ତନ ଏକ ବିଭାଗ ଭଳି କାମ କରୁଛି। ଯେଉଁ ଦଳ ଅଧିକ ସଂଖ୍ୟା ଗରିଷ୍ଠତା ପାଉଛନ୍ତି, ସେ ଦଳର ନେତା ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବାପରେ, ସେ ହିଁ ସର୍ବେସର୍ବା ଓ ମନ୍ତ୍ରୀମଣ୍ଡଳ ତାଙ୍କ ଇଚ୍ଛାର ଖେଳଣା ଭାବେ କାମ କରୁଛି। ଏକଚାଟିଆ କ୍ଷମତା କେନ୍ଦ୍ର ସାମ୍ବିଧାନିକ ସିଦ୍ଧାନ୍ତର ଘୋର ବିରୋଧୀ।

ଆଜିର ସମୟରେ କ୍ଷମତାର ବିକେନ୍ଦ୍ରୀକରଣ କଥା ଆଉ ଉଠୁନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନାଗରିକର ଶାସନ ଅପେକ୍ଷା ଏକ କଲ୍ୟାଣକାରୀ ରାଜତନ୍ତ୍ରର ଭାଷା ଆମେ ଅଧିକ ଶୁଣୁଛୁ। ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ, ଆମ ସମୟରେ ଆଉ ମନ୍ତ୍ରୀ ମଣ୍ଡଳ ଜରିଆରେ ଶାସନ କରୁନାହାନ୍ତି। ସେ ସ୍ଵୟଂ ସବୁ କ୍ଷମତାର ଅଧିକାରୀ। ବ୍ୟକ୍ତିତ୍ବ ଆଧାରିତ ନେତୃତ୍ଵ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ। କୌଣସି ନେତାଙ୍କୁ ସର୍ବାଧିକ କ୍ଷମତା ନ ଦେବାକୁ ସମ୍ବିଧାନରେ ଯେଉଁ ବ୍ୟବସ୍ଥା ରହିଛି, ସେଥିରୁ ଗଳା ବାଟ ବାହାର କରି ଏବେ ବ୍ୟକ୍ତି ହାତକୁ ଏକଚାଟିଆ କ୍ଷମତା ହସ୍ତାନ୍ତର ହେଉଛି। ଏହି ବ୍ୟବସ୍ଥା ସତୁରୀ ଦଶକରୁ ବଢି ବଢି ଚାଲିଛି। ସେଥିଲାଗି ୧୯୮୯ ରୁ ୨୦୧୪ ପର୍ୟନ୍ତ  କୌଣସି ରାଜନୈତିକ ଦଳକୁ ଭାରତର ଜନ ସାଧାରଣ ପୂର୍ଣ୍ଣ ବହୁମତ ଦେଉନଥିଲେ। ପୂର୍ଣ୍ଣ ବହୁମତ ସରକାର ଭିତରେ ସ୍ଵେଚ୍ଛାଚାରୀ ସ୍ଵଭାବ ବଢାଇବାର ସୁଯୋଗ ତିଆରି କରେ। ଆଜି ସେହି ସୁଯୋଗ ଆମକୁ ପୁଣିଥରେ ଏକଚାଟିଆ କ୍ଷମତା କେନ୍ଦ୍ର ପାଖରେ ପହଞ୍ଚାଇ ଦେଇଛି।

ସ୍ବାଧିନତାର ଅର୍ଥ ହେଉଛି, ଏକଚାଟିଆ କ୍ଷମତାରୁ ମୁକ୍ତି। ଯଦି “ଆମରି ନାଆ ରେ ଆମେ ନାଉରୀ” ତାହେଲେ “ଜଣେ ହିଁ ଆମର ହର୍ତ୍ତା, କର୍ତ୍ତା, ବିଧାତା” ଭଳି ବ୍ୟବହାର କରି ପାରିବ କେମିତି??

Categories
ବିଶେଷ ଖବର

ଲକ ଡାଉନ ଯେତିକି ବଢୁଛି, ସଂକ୍ରମଣ ବି ସେତେ ବ୍ୟାପକ ହେଉଛି, ତାହେଲେ ତାଲା ପଡୁଛି କାହିଁକି?      

କେଦାର ମିଶ୍ର

ଆଜିକାଲି ଅନେକ ମଜାଦାର ଖବର କରୋନାକୁ ନେଇ ଆସୁଛି। ଏତେବଡ ମହମାରିକୁ ଆମେ ମଜାଦାର ଖବର କହୁଛୁ ବୋଲି କେହି କେହି ଆମ ଉପରେ ରାଗି ପାରନ୍ତି। ତେବେ ଅସଲରେ କଥାଟି ମଜାଦାର। ଏବେ ଟିଭିରେ ଖବର ଆସୁଛି, କରୋନା ସଂକ୍ରମଣ ରୋକିବାକୁ ଅମୁକ ଜିଲ୍ଲାକୁ ସରକାର ଶଟ ଡାଉନ କି ଲକ ଡାଉନ ଘୋଷଣା କରିଛନ୍ତି। ମାର୍ଚ୍ଚ ମାସ ୧୫ ତାରିଖରୁ ଏହି ସମାନ କଥା ଆମେ ଶୁଣି ଆସୁଛୁ। ଶଟ ଡାଉନ ହେଉଛି, ସମାନ୍ତରାଳରେ କରୋନା ସଂକ୍ରମଣ ବି ବଢୁଛି।ମାସେ ତଳେ ଠିକ ଜୁଲାଇ ୧୦ ତାରିଖ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ ଥିଲା। ମାସେ ପରେ ଓଡିଶାରେ ଏହି ସଂଖ୍ୟା ୪୫, ୯୨୭ ରେ ପହଞ୍ଚିଛି। ମାସେ ଭିତରେ ୩୩,୯୭୧ ଆକ୍ରାନ୍ତ ରାଜ୍ୟରେ ବଢିଛନ୍ତି। କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଏହାରି ଭିତରେ ଢେର ବଢିଛି। ଏହି ସଙ୍ଖ୍ଯାରୁ ଆମେ ସଂକ୍ରମଣ ଉପରେ ଲକ ଡାଉନ ବା ଶଟ ଡାଉନ ର ଫଳାଫଳ ଦେଖିପାରିବା।

ଓଡିଶା ସରକାର ଅଗଷ୍ଟ ମାସରେ ମଧ୍ୟ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଗଜପତି  ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ସପ୍ତାହାନ୍ତ ଶଟଡାଉନ ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ଅନେକ ଜିଲା ଓ ସହର ଏବେବି ଶଟ ଡାଉନ ଅବସ୍ଥାରେ ରହିଛନ୍ତି।  ଲକ ଡାଉନ ଘୋଷଣା ପୂର୍ବରୁ ସ୍ଵାଭାବିକ ଭାବରେ ସରକାରୀ ଅଧିକାରୀମାନେ ଯାହା କହିଛନ୍ତି, ତାହା ଗତ ଚାରିମାସ ହେଲା ଆମେ ଶୁଣି ଆସୁଛୁ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ହେଲେ ସେଥିସହିତ ଦେଶରେ “ଅନଲକ” ପ୍ରକ୍ରିୟା ମଧ୍ୟ ଅବ୍ଯାହତ ରହିଛି। ଜୁନ ଓ ଜୁଲାଇ ମାସରେ ସାରା ଦେଶରେ “ଅନଲକ” ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ସରକାର ଏହି ଦୁଇ ମାସ ଏକ ପ୍ରକାର ମନମୁଖି ଶୈଳୀ ରେ ୧୦ ଟି ଜିଲ୍ଲାକୁ ୧୨ ଦିନ ପୂରା ଶଟ ଡାଉନ କରି ରଖିଥିଲେ। କରୋନାର ମୁକାବିଲା କରିବାକୁ  ଲକ ଡାଉନକୁ ରାଜ୍ୟ ସରକାର ନିଜର ଏକମାତ୍ର ଆଶ୍ରୟ ବୋଲି ଭାବିଛନ୍ତି।

ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୫୧ ଲକ୍ଷ କରୋନା ପୀଡିତ ଓ ପ୍ରାୟ ୧ ଲକ୍ଷ ୬୫ ହଜାର ମୃତ ଲୋକଙ୍କ ସଙ୍କଟ ସତ୍ତ୍ୱେ ଆମେରିକାର ବିଭିନ୍ନ ରାଜ୍ୟ ଏବେ ଲକ ଡାଉନ ହଟାଇବା ଆରମ୍ଭ କରିଛନ୍ତି। ଆମେରିକାର ସଙ୍ଘୀୟ ବ୍ୟବସ୍ଥାରେ ଜାତୀୟ ଲକ ଡାଉନ ଘୋଷଣା କରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରେ ସମ୍ଭବ ନଥିଲା। ସମୟ କ୍ରମେ ଲକ ଡାଉନ ଆମେରିକାର ବିଭିନ୍ନ ରାଜ୍ୟରେ କୋହଳ ହେଉଛି।

କରୋନା ଦ୍ଵାରା ସର୍ବାଧିକ ପୀଡିତ ଇଟାଲି ଓ ସ୍ପେନ ମଧ୍ୟ ଲକ ଡାଉନ ଉଠାଇବାର ପ୍ରକ୍ରିୟା ଆରମ୍ଭ କଲେଣି। ଚୀନ ନିଜ ଦେଶରେ ପ୍ରଥମେ ଲକ ଡାଉନକୁ ସ୍ଥାନୀୟ ସ୍ତରରେ ସୀମିତ ରଖିଥିଲା ଓ ଏହାର ସୁଫଳ ମଧ୍ୟ ପାଇଥିଲା। ଏସିଆର ଦେଶ ଗୁଡିକ ସବୁ କ୍ଷେତ୍ରରେ ଲକ ଡାଉନକୁ ସୀମିତ ଏବଂ ହଟ ସ୍ପଟ କୈନ୍ଦ୍ରିକ ରଖିଛନ୍ତି। ଲକ ଡାଉନ ସମୟରେ ବ୍ୟାପକ ପରୀକ୍ଷା କରିବା ସହିତ କ୍ବାରେଣ୍ଟାଇନ ନିୟମକୁ ଲାଗୁ କରିଛନ୍ତି। ଏସିଆରେ କେବଳ ଭାରତ ସବୁଠୁ ଅଧିକ ସମୟ ଲକ ଡାଉନ ଲାଗୁ କରିଛି ଓ ଏହାକୁ ଅଧିକ କଡାକଡି ଲାଗୁ କରୁଛି। ତେବେ ଲକ ଡାଉନ ସତ୍ତ୍ୱେ ପୂରା ଏସିଆର ୬୦% କରୋନା ଆକ୍ରାନ୍ତ ଏବେ କେବଳ ଭାରତରୁ ବାହାରୁଛନ୍ତି। ସରକାରୀ ଅଧିକାରୀମାନେ ଲକ ଡାଉନ କୁ ଯେତେ ବିଜ୍ଞାନ ସମ୍ମତ ଓ ସଂକ୍ରମଣ ରୋକିବାର ଏକମାତ୍ର ପନ୍ଥା ବୋଲି କହିଲେ ମଧ୍ୟ, ଆମ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିନାହିଁ କିମ୍ବା ଆଗକୁ ପଡିବାର ସମ୍ଭାବନା ଦିଶୁନାହିଁ।

ସାରା ପୃଥିବୀ ଏବେ କରୋନା ସହିତ କେମିତି ବଞ୍ଚିହେବ ଓ ଅର୍ଥନୀତିକୁ ମଧ୍ୟ କେମିତି ବଞ୍ଚାଇ ହେବ, ସେ ବାଟ ଖୋଜୁଛି।ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ବିଭିନ୍ନ ଭାଷଣରେ ସେ କଥାର ଆଭାସ ମଧ୍ୟ ଦେଇଥିଲେ। “ବଚନା ଭି ହୈ, ଆଗେ ବଢନା ଭି ହୈ”। ତେବେ ଅନଲକ-୧ ଓ ୨ ବେଳକୁ ଓଡିଶା ନିଜକୁ ତାଲାବନ୍ଦ କରି ରଖିବା ପରେ ଏବେ ରାଜ୍ୟର ପ୍ରମୁଖ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ତାଲା ପକାଇ ରଖିଛି। ଏହାର ପରିଣାମ ଆଗକୁ ଯଥେଷ୍ଟ  ମହଙ୍ଗା ସାବ୍ୟସ୍ତ ହେବ। ଏବେ ଅର୍ଥନୀତିକୁ ଆମେ ବଞ୍ଚାଇବାର ବାଟ ଖୋଜିବା ନା ଏକ ଦୀର୍ଘକାଳୀନ ଅର୍ଥନୈତିକ ଆତ୍ମହତ୍ୟାର ବାଟ ବାଛିବା, ତାହା ହିଁ ବଡ ପ୍ରଶ୍ନ। ଲକ ଡାଉନ ଖୋଲିବା ବା ଆଗକୁ ବଢାଇବା ଉପରେ ଅର୍ଥନୀତି ଆଜି ଆଉ ନିର୍ଭର କରୁନାହିଁ। ଏବେ ଆଇସିୟୁ ରେ ଥିବା ଅର୍ଥନୀତି ଓ ରାଜ୍ୟର ଆର୍ଥିକ ପରିଚାଳନାକୁ ଜୀବନ ଦେଇ ହେବ କି ନାହିଁ, ତାହା ହିଁ ପ୍ରଶ୍ନ।

ପୂର୍ବର ଲକ ଡାଉନ ସମୟରେ ଆମର ଉତ୍କଟ ଦାରିଦ୍ର୍ୟ ଓ ଅସହାୟତାର ଚିତ୍ର ଅଧିକ ସ୍ପଷ୍ଟ ହୋଇଛି।ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଆମକୁ ଯାହା ଦେଖାଉଛନ୍ତି, ସେଥିରେ ମିଛର ପରିମାଣ ବହୁ ଅଧିକ। ଗଞ୍ଜାମ ଓ ଖୁର୍ଦ୍ଧା ଜିଲାରେ ସଂକ୍ରମଣ ବ୍ୟାପକ ହେବାର କାରଣ ଭାବେ ଏବେ କାହାକୁ ଦାୟୀ କରାଯିବ? ସର୍ବାଧିକ ଲକ ଡାଉନ ପରେ ବି ଏହି ଦୁଇ ଜିଲାରେ ସଂକ୍ରମଣ କମୁନି। ଚାରିମାସ ଧରି ଓଡିଶା ସରକାର ଆମକୁ କେବଳ ପ୍ରବଚନ ଶୁଣାଉଛନ୍ତି, ହେଲେ ସଂକ୍ରମଣ ରୋକିବାରେ ସରକାରଙ୍କର କୌଣସି ଉଦ୍ୟମ ସଫଳ ହେଉନାହିଁ। “ଲକ ଡାଉନ” କୁ କରୋନା ସଂକ୍ରମଣ ରୋକିବାର ଏକ ମାର୍ଗ ଭାବେ ବିବେଚନା ନ କରି ଏହାକୁ ଆଉ ଏକ “ମଣିଷ ସଙ୍କଟ” ରେ ଆମର ସରକାର ଜାଣିଶୁଣି ରୂପାନ୍ତରିତ କରିଚାଲିଛନ୍ତି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବେ କି  ଓଡିଆରେ ଲିଖିତ ରୁଇପାଦ କାଥେଡପଦି ରାମାୟଣ ସେ କେଉଁଠି ପଢିଛନ୍ତି!!

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ଯାହା କହନ୍ତି ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ କହନ୍ତି। ତାଙ୍କ କଥାରେ ସତ୍ୟ ଓ ତଥ୍ୟ ଥାଉ କି ନଥାଉ ଆତ୍ମ ବିଶ୍ଵାସ କିନ୍ତୁ ଭରପୂର ରହିଥାଏ। ଗଭୀର ଆତ୍ମ ବିଶ୍ବାସର ସହିତ ସେ କିଛି ବି କହିପାରନ୍ତି। ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରକୁ ୨୦୦୦ ବର୍ଷର ପୁରୁଣା ବୋଲି ସେ ଆରାମରେ କହିପାରନ୍ତି। ତକ୍ଷଶିଳାକୁ ସେ ବିହାରର ବୋଲି କହିପାରନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମୋହନଲାଲ ବୋଲି କହିପାରନ୍ତି। ତାଙ୍କର କହିବାର ବାଗ ହିଁ ସେମିତି। ଅନ୍ୟ ଦେଶର ମୁଖିଆଙ୍କ ପରି ଭୁଲ କହିଲେ କ୍ଷମା ମାଗିବାକୁ ଆମ ପ୍ରଧାନମନ୍ତ୍ରୀ ଦୁର୍ବଳତା ବୋଲି ଭାବନ୍ତି। ମଣିଷ ଯେ ଭୁଲ କରେ, ଏ କଥା ମାନିବା ହୁଏତ ସାଧାରଣ ଲୋକପାଇଁ। ନରେନ୍ଦ୍ର ମୋଦୀ ଅସାଧାରଣ, ତେଣୁ ସେ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ଅପେକ୍ଷା ତାଙ୍କର ଭକ୍ତମାନେ ଅଧିକ ଅସାଧାରଣ। ସେମାନେ ମୋଦୀଙ୍କୁ ମହାଦେବତାର ସ୍ତରକୁ ନେଇ ସାରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ହିଁ ସତ୍ୟ ବୋଲି ସେମାନେ ଧରି ନେଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ କୋଣାର୍କକୁ ୨୦୦୦ ବର୍ଷର କହିଲେ ମାନେ ତାହା ହିଁ ସତ୍ୟ। ବେଶୀ ଯୁକ୍ତି କଲେ ସେମାନେ କହିବେ ମାର୍କ୍ଶିଷ୍ଟ ଇତିହାସରେ ସବୁ ଭୁଲ ଲେଖା ହୋଇଛି। ମୋଦୀ କହୁଛନ୍ତି ମାନେ କୋଣାର୍କ ୧୨ ଶହ ବର୍ଷ ପଛକୁ ଫେରିବାକୁ ବାଧ୍ୟ।

ଗଲା ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ନୂଆ ରାମ ମନ୍ଦିରର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ଅଧ ଘଣ୍ଟା ଭାଷଣ ଦେଇଥିଲେ। ସତ କହିବାକୁ ଗଲେ ଆମ ଭଳି ଅଭକ୍ତ ଆଜିକାଲି ଆଉ ମୋଦୀଜୀଙ୍କୁ ଶୁଣିବାର ସାହସ ରଖି ପାରୁନୁ। କେବଳ ସାମ୍ବାଦିକତାର ଦାୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କେବେ କେମିତି ପଢିବାକୁ ବାଧ୍ୟ ହେଉଛୁ। ସେଦିନ ପ୍ରଧାନମନ୍ତ୍ରୀ ଓଡିଶାର ରାମାୟଣ ପରମ୍ପରା ବିଷୟରେ କିଛି ଗୋଟେ କହିଛନ୍ତି ବୋଲି ଗତକାଲି ଓଡିଶାର ପ୍ରଖ୍ୟାତ ସଂବାଦପତ୍ର “ସମ୍ବାଦ” ଲେଖିଲା। ଓଡିଆ ଭାଷାରେ ରୁଇପାଦ କାଥେଡପଦି ରାମାୟଣ ବୋଲି କିଛି ଗୋଟେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବୋଲି “ସମ୍ବାଦ” ଲେଖିଲା। ଉତ୍ସୁକତା ବଶତଃ ଆମେ ୟୁଟୁବରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲା ପରେ ମୁଣ୍ଡ ଝାଇଁ ଝାଇଁ ହୋଇଗଲା।

ଭାରତର ବିଭିନ୍ନ ଅଞ୍ଚଳ ଓ ଭାଷାରେ ରହିଥିବା ରାମାୟଣ ବିଷୟରେ ପ୍ରଧାନମନ୍ତ୍ରୀ କହୁଥିଲେ। ସଂସ୍କୃତରେ ବାଲ୍ମୀକିଙ୍କ ମୂଳ ରାମାୟଣ ବ୍ୟତୀତ ତାମିଲରେ କମ୍ବନ ରାମାୟଣ, ବଙ୍ଗଳାର କୃତ୍ତିବାସ ରାମାୟଣ, ତେଲୁଗୁରେ ରଘୁନାଥ-ରଙ୍ଗନାଥ ରାମାୟଣ, କାନ୍ନାଡ଼ାରେ କୁମୁଦେନ୍ଦୁ ରାମାୟଣ ଇତ୍ୟାଦିର କଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଓଡିଆରେ “ରୁଇପାଦ କାଥେଡପଦି” ରାମାୟଣ ରହିଛି। ଇଏ ତ ଗୋଟେ ଭାଷା ଓ ତାର ବିଶାଳ ରାମ ସାହିତ୍ୟ ପରମ୍ପରା ପ୍ରତି ଘୋର ଅପମାନ। ପ୍ରଧାନମନ୍ତ୍ରୀ ଆମକୁ କହିବା ଉଚିତ, ସେ ଯେଉଁ “ରୁଇପାଦ କାଥେଡପଦି” ରାମାୟଣ କଥା କହୁଛନ୍ତି, ତାର ସୂଚନା ସେ କେଉଁଠୁ ପାଇଲେ। ଏମିତି ଏକ ଶବ୍ଦ ଓଡିଆ ସାହିତ୍ୟରେ କେହି କେବେ ଶୁଣି ନାହାନ୍ତି ବା ଜାଣି ନାହାନ୍ତି। ତାହେଲେ ପ୍ରଧାନମନ୍ତ୍ରୀଙ୍କର ସୂଚନାର ଆଧାର କଣ?

ଓଡିଆ ରାମ ସାହିତ୍ୟର ଦୁଇ ଜଣ ପ୍ରକାଣ୍ଡ ବିଦ୍ଵାନ ଡ. କୃଷ୍ଣ ଚରଣ ସାହୁ ଓ ପଣ୍ଡିତ ନୀଳମଣି ମିଶ୍ର ଓଡିଆ ରାମ ସାହିତ୍ୟର ବିବିଧତାକୁ ନେଇ ଅନେକ ପ୍ରବନ୍ଧ ଲେଖିଛନ୍ତି। ସେମାନେ ଏମିତି କୌଣସି ରାମାୟଣର ନାମ ଗନ୍ଧ ଉଲ୍ଲେଖ କରି ନାହାନ୍ତି। ଓଡିଆ ସାହିତ୍ୟର ଆଦିକବି ସାରଳା ଦାସ ଥିଲେ ଉଭୟ ରାମାୟଣ ଓ ମହାଭାରତର ରଚୟିତା। ମହାକବି ସାରଳା ଦାସଙ୍କର “ବିଲଙ୍କା ରାମାୟଣ” ରେ ଆମେ ରାମୟଣର ମୂଳ କାହାଣୀଠାରୁ ଭିନ୍ନ ଏକ କାହାଣୀର ଅବତାରଣା ଦେଖିଛୁ। ଷୋଡଶ ଶତାବ୍ଦୀରେ ବଳରାମ ଦାସଙ୍କର ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ଓଡିଆ ଭାଷାର ପ୍ରଥମ ପୂର୍ଣ୍ଣାଙ୍ଗ ରାମାୟଣ। ରାମାୟଣ, ରାମକଥା ଓ ରାମକାବ୍ୟର ଏକ ବିଶାଳ ପରମ୍ପରା ଆମର ରହିଛି।

ଏକେ ରାମାନୁଜନ ତାଙ୍କର ପ୍ରସିଦ୍ଧ ପ୍ରବନ୍ଧରେ ୩୦୦ ରାମାୟଣର କଥା କହିଛନ୍ତି। ହେଲେ ଓଡିଆ ଭାଷାରେ କେବଳ ଶତାଧିକ ରାମାୟଣ ରଚିତ ହୋଇଛି। ସାରଳା ଦାସଙ୍କର “ବିଲଙ୍କା ରାମାୟଣ”, ବଳରାମ ଦାସଙ୍କର “ଜଗମୋହନ ରାମାୟଣ”, ବିଶ୍ଵନାଥ ଖୁଣ୍ଟିଆଙ୍କର “ବିଚିତ୍ର ରାମାୟଣ”, ଉପେନ୍ଦ୍ର ଭଞ୍ଜଙ୍କର “ବୈଦେହୀଶ ବିଳାସ”, ଅର୍ଜୁନ ଦାସଙ୍କର “ରାମବିଭା”, ମହେଶ୍ଵର ଦାସଙ୍କର “ଟୀକା ରାମାୟଣ”, ଧନଞ୍ଜୟ ଭଞ୍ଜଙ୍କର “ରଘୁନାଥ ବିଳାସ”, ହଳଧର ଦାସଙ୍କର “ଆଧ୍ୟାତ୍ମ୍ୟ ରାମାୟଣ”, ବନମାଳୀ ଦାସଙ୍କର “ରାମାୟଣ ଚମ୍ପୁ”, କୃଷ୍ଣଚନ୍ଦ୍ର ରାଜେନ୍ଦ୍ରଙ୍କର “ଆର୍ଷ ରାମାୟଣ” (ଏହା ମୂଳ ବାଲ୍ମୀକି ରାମାୟଣର ଓଡିଆ ଅନୁବାଦ), ରାମ ଦାସଙ୍କର “ରାମ ରସାମୃତ”,  ବୈଶ୍ୟ ସଦାଶିବଙ୍କର “ରାମଳୀଳା” (ଏହାରି ଆଧାରରେ ପ୍ରାୟତଃ ଆମର ରାମଳୀଳା ନାଟକ ପ୍ରଦର୍ଶିତ ହୋଇଥାଏ), ଯଦୁମଣି ମହାପାତ୍ରଙ୍କର “ରାଘବ ବିଳାସ”, କେଶବ ପଟ୍ଟନାୟକଙ୍କର “ନୃତ୍ୟ ରାମାୟଣ” ଇତ୍ୟାଦି ଆମ ସାହିତ୍ୟର ଅମୂଲ୍ୟ ସମ୍ପଦ। ତେବେ ଓଡିଶାର ଘରେ ଘରେ ପରିଚିତ ରାମାୟଣ ହେଉଛି ବଳରାମ ଦାସଙ୍କର “ଜଗମୋହନ ରାମାୟଣ”। ଓଡିଆ ରାମାୟଣର ଏହି ମହାର୍ଘ ପରମ୍ପରାରରେ ନରେନ୍ଦ୍ର ମୋଦୀଙ୍କର “ରୁଇପାଦ କାଥେଡପଦି” ରାମାୟଣ ଟି ଆସିଲା କେଉଁଠୁ?

ପ୍ରଧାନମନ୍ତ୍ରୀ ଯାହା କହନ୍ତି, ତାର ଏକ ଐତିହାସିକ ମୂଲ୍ୟ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟରେ କୌଣସି ଭାଷା ସାହିତ୍ୟ ସମ୍ପର୍କରେ କହିଲା ବେଳେ ଅଧିକ ସତର୍କ ହେବା ଜରୁରୀ। ଓଡିଆ ଭାଷା ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ଭାଷା। ଏହି ଭାଷାର ରାମ ପରମ୍ପରା ବିଷୟରେ କହିଲା ବେଳେ ପ୍ରଧାନମନ୍ତ୍ରୀ ସଠିକ ତଥ୍ୟ ରଖିବା ଉଚିତ।

ଏକଥା ପ୍ରଧାନମନ୍ତ୍ରୀ ନ କହି ଯଦି ଅନ୍ୟ କୌଣସି ରାଜନୈତିକ ଦଳର ନେତା କହିଥାନ୍ତେ ତାହେଲେ, ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ସେହି ନେତାଙ୍କୁ ହଜାର ଥର ଅପଦସ୍ତ କରି ସାରନ୍ତେଣି। ପ୍ରଧାନମନ୍ତ୍ରୀଙ୍କୁ ଓଡିଆ ରାମାୟଣ ଓ ଓଡିଆ ରାମକଥାର ଏକ ସଠିକ ତାଲିକା ତାଙ୍କର ଓଡିଆ ସହଯୋଗୀମାନେ ଦେବା ଉଚିତ ହେବ।

Categories
ବିଶେଷ ଖବର

ଚୀନ ସେନାର ସୀମା ଅତିକ୍ରମଣ, କିଏ ସତ କହୁଛି ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ??

କେଦାର ମିଶ୍ର

“ନା ଆମର ସୀମାରେ କେହି ଅନୁପ୍ରବେଶ କରିଛି, ନା କେହି ଆମ ମାଟିରେ ପାଦ ଦେଇଛି କିମ୍ବା ଆମର ସାମରିକ ପୋଷ୍ଟ ଦଖଲ କରିଛି। ଲଦ୍ଦାଖରେ ଆମର ୨୦ ବୀର ଜବାନ ସହିଦ ହୋଇଛନ୍ତି। ସେମାନଙ୍କର ବଳିଦାନ ବ୍ୟର୍ଥ ହୋଇନାହିଁ।“ ଗତ ଜୁନ ୨୦ ତାରିଖ ଦିନ ଏକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା ଦୃଢତାର ସହିତ କହିଥିଲେ। ସେହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଦେଶର କେତେଜଣ ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ଆମକୁ ଚେତାଇ ଦେଉଥିଲେ ଯେ ଲଦ୍ଦାଖ ଅଞ୍ଚଳରେ ଆମର ଅନେକ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିଛନ୍ତି। ସେତେବେଳେ ସରକାର ଓ ସରକାରଙ୍କ ଗୁଣଗାନ କରୁଥିବା ଆମର କେତୋଟି ଟେଲିଭିଜନ ଚ୍ୟାନେଲ ଏହି ସତ୍ୟକୁ ଲୁଚାଇବାକୁ ଚାହୁଁଥିଲେ। ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଚୀନର ଅନୁପ୍ରବେଶକୁ ଲୋକଙ୍କ ଆଗରେ ଅସ୍ଵୀକାର କରିଥିଲେ। ଯଦି ଚୀନ ସେନା ଆମର ସୀମା ଭିତରକୁ ଅନୁପ୍ରବେଶ କରିନାହିଁ, ତା ହେଲେ ଏ ଉତ୍ତେଜନା କାହିଁକି ଓ କେଉଁ କାରଣରୁ ଆମର ୨୦ ଜବାନ ସହିଦ ହେଲେ, ତାର ସ୍ପଷ୍ଟ ଉତ୍ତର ଆମକୁ ମିଳିଲା ନାହିଁ। ମଇ ମାସରୁ ଗଲାୱାନ ନଦୀ ଉପତ୍ୟକାରେ ଚୀନ ସେନା ନିଜର ଡେରା ପକାଇ ରହିବା ଓ ଭାରତୀୟ ସେନାଙ୍କୁ ନିଜ ଅଞ୍ଚଳରେ ପେଟ୍ରୋଲିଂ କରିବାକୁ ଅଟକାଇବା କାରଣରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ଜଣା ପଡୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ତାଙ୍କର ବିଶ୍ଵସ୍ତ ଗଣମାଧ୍ୟମ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ।

ପ୍ରଧାନମନ୍ତ୍ରୀ ଜୁନ ମାସରେ ଯାହା କହିଥିଲେ, ଠିକ ତାର ବିପରୀତ ତଥ୍ୟ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବ ସାଇଟରେ ରଖିଛନ୍ତି। ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ନଥି ମାଧ୍ୟମରେ ପ୍ରଘଟ କରିଛନ୍ତି ଯେ “ମଇ ମାସ ୧୭-୧୮ ତାରିଖରେ “ଚୀନ ସେନା ଉତ୍ତର ହଟ ସ୍ପ୍ରିଙ୍ଗ-ପେଟ୍ରୋଲିଂ ପଏଣ୍ଟ  ୧୫ ପାଖରେ ଥିବା କୁଗ୍ରାଙ୍ଗ ନାଳ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ”। ସରକାରଙ୍କ ପ୍ରତିରକ୍ଷା ବିଭାଗ ସ୍ପଷ୍ଟ ଭାବେ ମାନିଛନ୍ତି ଯେ ଚୀନ ସେନା ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଅତି ସ୍ପଷ୍ଟ ଭାବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ ଅନୁକ୍ରମଣ ବା transgression ଶବ୍ଦ ବ୍ୟବହାର କରିଛନ୍ତି। ମଇ ୫-୬ ତାରିଖରୁ ପାଙ୍ଗଙ୍ଗ ସୋ ଅଞ୍ଚଳରେ ଚୀନ ସେନା ସହିତ ଆମର ମୁହାଁମୁହିଁ ଆରମ୍ଭ ହେଲାଣି। ଆଗକୁ ମଧ୍ୟ ଚୀନ ସେନା ସହିତ ଆମର ଏ ପ୍ରକାର ମୁହାଁମୁହିଁ ପରିସ୍ଥିତି ଲାଗି ରହିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ତେବେ ଏହି ନଥି ସରକାରୀ ୱେବ ସାଇଟରେ ଉପଲବ୍ଧ ହେବାର ଅଳ୍ପ ସମୟ ଭିତରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେବେ ଏହାରି ଆଧାରରେ ସେତେବେଳକୁ ସବୁ ଗଣମାଧ୍ୟମ ରେ ଏ ଖବର ପ୍ରକାଶ ପାଇ ସାରିଥିଲା। ପ୍ରତିରକ୍ଷା ବିଭାଗର ଏହି ତଥ୍ୟ ଆସିବା ପରେ ସ୍ଵାଭାବିକ ଭାବରେ ପ୍ରଶ୍ନ ଉଠୁଛି- କିଏ ସତ କହୁଛି? ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ଆମ ସୀମାକୁ କେହି ଅତିକ୍ରମଣ କରି ନାହାନ୍ତି ବୋଲି ସ୍ପଷ୍ଟ କହିଥିବା ବେଳେ ମନ୍ତ୍ରଣାଳୟ କହୁଛି, ଅତିକ୍ରମଣ ହୋଇଛି। ଆଜି ଆମେ ସତ ମିଛର ଚକ୍ରବ୍ୟୁହରେ ଠିଆ ହୋଇଛୁ। ଦେଶର ସାଧାରଣ ନାଗରିକ ଭାବରେ ଅନ୍ତତଃ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆମକୁ ସତ କୁହାଯିବ ବୋଲି ଆମେ ବିଶ୍ଵାସ ରଖୁଛୁ। ଏଠି କିନ୍ତୁ ସରକାର ଭିତରେ ଦୁଇଟି ପରଷ୍ପର ବିରୋଧୀ ମତ ଆସୁଛି। ପ୍ରଧାନମନ୍ତ୍ରୀ ଛାତିରେ ହାତ ଦେଇ ଲୋକଙ୍କୁ ଯାହା କହିଥିଲେ, ତାର ବିପରୀତ କଥା ପ୍ରତିରକ୍ଷା ବିଭାଗର ସରକାରୀ ନଥି କହୁଛି।

୧୫ ଜୁନରେ ଚୀନ ସେନା ଆମର ୨୦ ଜଣ ଜବାନଙ୍କୁ ନୃଶଂସ ଭାବେ ହତ୍ୟା କରିବା ପୂର୍ବରୁ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଏ ସମ୍ପର୍କରେ ଖବର ଛାପିଥିଲେ। ଚୀନ ସେନା ଦୁଇ ଦେଶ ମଧ୍ୟରେ ରହିଥିବା ବାସ୍ତବ ସୀମାରେଖା ଅତିକ୍ରମ କରୁଛି ବୋଲି ପ୍ରମାଣ ମିଳୁଥିବା ବେଳେ ସେମିତି କିଛି ଘଟୁନାହିଁ ବୋଲି ଆମକୁ ସରକାର କହୁଥିଲେ। ଜୁନ ୧୫ରେ ଆମର ୨୦ ସୈନିକ ସହିଦ ହେଲେ ଓ ପଚାଶରୁ ଅଧିକ ଆହତ ହେଲେ। ଆମର କିଛି ସୈନିକ ଓ ସେନା ଅଧିକାରୀଙ୍କୁ ଚୀନ ସେନା ବନ୍ଦୀ କରିଥିବାର ଖବର ମଧ୍ୟ ଆସିଲା। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ତଥା ଉତ୍ତେଜନାର ବାତାବରଣ ତିଆରି ହୋଇଥିଲା। ଏହି ଉତ୍ତେଜନାକୁ ସାମୟିକ ଭାବେ ପ୍ରଶମିତ କରିବାକୁ ସରକାର କେତେକ ଚାଇନିଜ ଆପ୍ଲିକେସନ କୁ ନିଷିଦ୍ଧ ଘୋଷଣା କରିଥିଲେ। ଏହା ସହିତ ଚୀନ-ଭାରତ ସୀମାରେ ଉତ୍ତେଜନା ହ୍ରାସ ଲାଗି ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନା ଚାଲିଥିବା ବେଳେ ସୀମାନ୍ତରେ ଚୀନ ପଛକୁ ହଟିବାର ନାଁ ଧରୁନାହିଁ, ବରଂ ସୀମାରେ ଅଧିକ ସାମରିକ ଗତିବିଧି ବଢାଇ ଚାଲିଛି।

ଏବେ ଚୀନ ସେନା ଆକ୍ରାମକ ଗୋଟି ଚାଳନା କରୁଛି ବୋଲି ସ୍ପଷ୍ଟ ଜଣା ପଡୁଥିବା ବେଳେ ଭାରତ ସରକାର ଏ ପ୍ରସଙ୍ଗରେ ଅଧା ଲୁଚାଇବା-ଅଧା ଦେଖାଇବା ନୀତି ଆପଣେଇଛନ୍ତି। ଚୀନ ସେନା ଆମ ସୀମାରେ ଅନୁପ୍ରବେଶ କରିଥିବା ସତ୍ୟ ଓ ଆମ ସୀମାକୁ ସୁରକ୍ଷା ଦେବାକୁ ଯାଇ ଆମର ସେନାବାହିନୀ ପ୍ରାଣାମୂର୍ଚ୍ଛା ସଂଘର୍ଷ କରୁଛନ୍ତି। ଭାରତୀୟ ସୀମା ଅତିକ୍ରମଣ କରିଥିବା ଚୀନକୁ ତାଙ୍କରି ଭାଷାରେ ଉତ୍ତର ଦେବା ଲାଗି ଆମର ସେନାବାହିନୀ ସମର୍ଥ।

ହେଲେ ଆମର ପ୍ରଧାନମନ୍ତ୍ରୀ ଏହି ସତ୍ୟକୁ ଅସ୍ଵୀକାର କରୁଛନ୍ତି କାହିଁକି?

Categories
ବିଶେଷ ଖବର

ଆନୁଗତ୍ୟ ଓ ଚାଟୁକାରିତା କାରଣରୁ ଉଚ୍ଚ ପଦବୀକୁ ଯାଉଥିବା ଓଡିଆଙ୍କୁ ନେଇ ଗର୍ବ କରିବାର ସେମିତି କିଛି କାରଣ ସତରେ ଅଛି କି?

କେଦାର ମିଶ୍ର

ଆଉ ଜଣେ ଓଡିଆ ଏବେ ଗୋଟେ ବଡ ସାମ୍ବିଧାନିକ ପଦ ପାଇବାକୁ ଯାଉଛନ୍ତି। ଦେଶର ପ୍ରଥମ ଓଡିଆ ଭାବରେ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ପରବର୍ତ୍ତୀ ମହାଲେଖା ନିୟନ୍ତ୍ରକ ବା ସିଏଜି ଦାୟିତ୍ଵ ନେବେ ବୋଲି ଖବର ମିଳୁଛି। ଭଲକଥା, ଜଣେ ଓଡିଆ ଭାବରେ ଏକ ସାମ୍ବିଧାନିକ ପଦବୀ ପାଇବା ଯୋଗୁଁ ଆମେ ଓଡିଆମାନେ ଖୁସି। ହେଲେ ଏଥିପାଇଁ ଗର୍ବିତ ହେବାର କିଛି ଅଛି କି? ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଅନୁଗତ ଓ ତାଙ୍କର ସହାୟକ ସଚିବ ଭାବରେ ସେ ଦୀର୍ଘ ବର୍ଷ କାମ କରିଛନ୍ତି। ତାଙ୍କର ଆନୁଗତ୍ୟ ଲାଗି ଆଜି ଏତେ ବଡ ସାମ୍ବିଧାନିକ ପଦବୀ ତାଙ୍କୁ ମିଳୁଛି। ଏଥିରେ ଗର୍ବ କରିବା ଅପେକ୍ଷା ଲଜ୍ଜିତ ହେବାର ଅନେକ କାରଣ ରହିଛି।

ସିଏଜି ବା ମହାଲେଖା ନିୟନ୍ତ୍ରକ ଏକ ସ୍ଵାଧୀନ-ସାମ୍ବିଧାନିକ ଅନୁଷ୍ଠାନ। ଏହି ଅନୁଷ୍ଠାନ ସରକାର ପାଖରେ ନୁହଁ, ବରଂ ଦେଶର ସଂସଦ ପାଖରେ ଉତ୍ତରଦାୟୀ। ସରକାର କରୁଥିବା ଖର୍ଚ୍ଚର ଲେଖାଯୋଖା ତିଆରି କରିବା ଓ ସରକାରୀ ଖର୍ଚ୍ଚ ଉପରେ ତୀବ୍ର ନଜର ରଖିବା ଲାଗି ଏହି ଅନୁଷ୍ଠାନର ଗୁରୁ ଦାୟିତ୍ଵ ରହିଛି। ସମ୍ବିଧାନର ଧାରା ୧୪୮ ଅନୁଯାୟୀ ସିଏଜି ପୂର୍ଣ୍ଣତଃ ଏକ ସ୍ଵାଧୀନ ଅନୁଷ୍ଠାନ ହୋଇଥିବା ବେଳେ ଏହାର ମୁଖିଆଙ୍କୁ ସରକାର ନିଯୁକ୍ତି ଦେଇଥାନ୍ତି। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ କ୍ଯାବିନେଟ ସଚିବ ଯୋଗ୍ୟ ବ୍ୟକ୍ତିମାନଙ୍କର ଏକ ତାଲିକା ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରିଥାନ୍ତି। ଅର୍ଥମନ୍ତ୍ରୀ ସେହି ତାଲିକା ପ୍ରଧାନମନ୍ତ୍ରୀଙ୍କୁ ଦିଅନ୍ତି। ସେଥିରୁ ପ୍ରଧାନମନ୍ତ୍ରୀ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ରାଷ୍ଟ୍ରପତିଙ୍କ ପାଖକୁ ପଠାନ୍ତି ଓ ସେହି ଆଧାରରେ ରାଷ୍ଟ୍ରପତି ସିଏଜିଙ୍କୁ ନିଯୁକ୍ତି ଦେଇଥାନ୍ତି। ଏ କ୍ଷେତ୍ରରେ ଚିନ୍ତାର ବିଷୟ ହେଉଛି ପ୍ରଧାନମନ୍ତ୍ରୀ ନିଜର ଏକାନ୍ତ ଅନୁଗତ ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ଦେବାଲାଗି ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି। ଅତି ସ୍ପଷ୍ଟ ଭାବରେ କହିଲେ ପ୍ରଧାନମନ୍ତ୍ରୀ ନିଜର ଏକାନ୍ତ ଅନୁଗତ ସହକାରୀଙ୍କୁ ଏଥିଲାଗି ଯୋଗ୍ୟ ବୋଲି ବିଚାର କରି ଏକ ସ୍ଵାଧୀନ ସଂସ୍ଥାକୁ ନିୟନ୍ତ୍ରିତ କରିବାର ଉଦ୍ୟମ କରିଛନ୍ତି।

ନିଜର ବିଶ୍ଵସ୍ତ ଓ ଅନୁଗତ ଅଧିକାରୀଙ୍କୁ ନିଜ ସରକାରର ଅଡିଟର ଭାବେ ନିଯୁକ୍ତି ଦେବାର ଏ ପ୍ରକ୍ରିୟା ଘୋର ଅନୈତିକ। ୨୦୧୪ ପୂର୍ବରୁ ସିଏଜିଙ୍କର କୌଣସି ବି ରିପୋର୍ଟ ସରକାରକୁ କାଠଗଡାରେ ଛିଡା କରାଉଥିଲା। ମନମୋହନ ସିଂ ସରକାର ଅମଳରେ ତତ୍କାଳୀନ ସିଏଜି ବିନୋଦ ରାୟ ୨-ଜି ଘୋଟାଲା ଏବଂ କୋଇଲା ଖଣି ଘୋଟାଲାକୁ ନେଇ ସରକାରକୁ ଅଡୁଆରେ ପକାଇଥିଲେ। ୨-ଜି ମାମଲାରେ ଦୁର୍ନୀତିର ପ୍ରତ୍ଯକ୍ଷ୍ୟ ପ୍ରମାଣ ନଥିବା ସତ୍ତ୍ୱେ ଏକ ଆନୁମାନିକ ଆକଳନ ଜରିଆରେ ସିଏଜି ସରକାରକୁ ଭ୍ରଷ୍ଟାଚାରୀ ବୋଲି କହିଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ସିଏଜି ରିପୋର୍ଟକୁ ନେଇ ଆଉ କୌଣସି ଚର୍ଚ୍ଚା ହେଉନାହିଁ। ଏକଦା ସିଂହ ପରି ଗର୍ଜନ କରୁଥିବା ଏହି ଅନୁଷ୍ଠାନ ଏବେ ସରକାରଙ୍କ ପୋଷା ବିଲେଇ ଭଳି ବ୍ୟବହାର କରୁଛି। ଏହା କେବଳ ସାଧାରଣ ଅଭିଯୋଗ ନୁହେଁ, ନିର୍ଦ୍ଦିଷ୍ଟ ଭାବରେ ଗତ କିଛି ବର୍ଷ ହେଲାଣି ସିଏଜି ନିଜର ରିପୋର୍ଟ ପ୍ରକାଶ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି। ଦେଶର ଆୟବ୍ୟୟ ସମ୍ପର୍କରେ ସିଏଜି ନିଜର ଚୂଡାନ୍ତ ରିପୋର୍ଟ ବଜେଟ ଅଧିବେଶନ ପୂର୍ବରୁ ଦାଖଲ କରିବା କଥା ଓ ସରକାର ତାହା ସଂସଦରେ ଉପସ୍ଥାପନ କରିବା କଥା। ଗତ ଦୁଇ ବର୍ଷ ହେଲାଣି ଏହି ରିପୋର୍ଟ କୁ ଜାଣିଶୁଣି ବିଳମ୍ବିତ କରାଯାଉଛି।

ଗତ କିଛି ବର୍ଷ ଭିତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଡିଟ ରିପୋର୍ଟ ସଂଖ୍ୟା ୫୦% ଅଧିକ କମିଯାଇଛି। ଅର୍ଥାତ ସିଏଜି ଓ ରାଜ୍ୟର ଏଜି ମାନେ ପୂର୍ବ ତୁଳନାରେ ରିପୋର୍ଟ ପ୍ରସ୍ତୁତି କମାଇ ଦେଇଛନ୍ତି। ବିନୋଦ ରାୟ ସିଏଜି ଥିବା ସମୟରେ ୨୦୧୦-୧୧ ବର୍ଷରେ ସଂସଦରେ ଓ ବିଭିନ୍ନ ବିଧାନସଭାରେ ୨୨୧ଟି ରିପୋର୍ଟ ଦାଖଲ ହୋଇଥିଲା। ଏହି ସଂଖ୍ୟା ବର୍ତ୍ତମାନର ସିଏଜି ରାଜୀବ ମେହେର୍ଷିଙ୍କ ବେଳକୁ ୯୮କୁ କମି ଆସିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରତ୍ଯେକ ବିଭାଗର ଲେଖାଯୋଖା ପାଇଁ ସ୍ଵତନ୍ତ୍ର ଅଡିଟ ରିପୋର୍ଟ ସାଂସଦ ତଥା ବିଧାନସଭାରେ ଉପସ୍ଥାପିତ ହେଉଥିଲା। ବର୍ତ୍ତମାନ ତାହା ଏକ ପ୍ରକାର କାମଚଳା ବ୍ୟବସ୍ଥା ପାଲଟି ଯାଇଛି।

ସିଏଜି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ନିଜ କବଜାରେ ରଖିବାକୁ ଏଥିରେ ସରକାର ନିଜର ଅନୁଗତ ଆଇଏଏସ ଅଧିକାରୀମାନଙ୍କୁ ନିଯୁକ୍ତି ଦେଉଛନ୍ତି। ଅଡିଟ ବ୍ୟବସ୍ଥା ଏକ ସ୍ଵତନ୍ତ୍ର ଦକ୍ଷତାର ଆବଶ୍ୟକତା କରୁଥିବା ବେଳେ ମୋଦୀ ସରକାରରେ ଏଥିଲାଗି ଏକମାତ୍ର ଯୋଗ୍ୟତା ହେଉଛି ଆନୁଗତ୍ୟ। ଏହି ଆନୁଗତ୍ୟ କାରଣରୁ ଇତିହାସର ଛାତ୍ର ଶକ୍ତିକାନ୍ତ ଦାସ ରିଜର୍ଭ ବ୍ଯାଙ୍କର ଗଭର୍ଣ୍ଣର ହୋଇଛନ୍ତି ଓ ସେହି ସମାନ କାରଣରୁ ରାଜନୀତି ବିଜ୍ଞାନର ଛାତ୍ର ନୂଆ ସିଏଜି ହେବାକୁ ଯାଉଛନ୍ତି। ଭାରତୀୟ ଅଡିଟ ସେବା ପାଇଁ ଏକ ନିର୍ଦ୍ଦିଷ୍ଟ କ୍ୟାଡର ରହିଥିବା ବେଳେ ଉଦ୍ଦେଶ୍ଯମୂଳକ ଭାବରେ ସେହି ସେବାରେ ଆଇଏଏସ ଅଧିକାରୀଙ୍କୁ ଲଦି ଦିଆ ଯାଉଛି।

ଓଡିଆ ଭାବରେ ନିଜର ଦକ୍ଷତା ବଳରେ ଶକ୍ତିକାନ୍ତ ଦାସ ବା ଗିରିଶଚନ୍ଦ୍ର ମୁର୍ମୁ ଉଚ୍ଚ ପଦବୀକୁ ଯାଇନାହାନ୍ତି। ଶକ୍ତିକାନ୍ତ ଦାସଙ୍କର ଇତିହାସ ଓ ଗିରିଶ ଚନ୍ଦ୍ର ମୁର୍ମୁଙ୍କର ରାଜନୀତି ବିଜ୍ଞାନ ସହିତ ସେମାନେ କାମ କରୁଥିବା ଅନୁଷ୍ଠାନର କୌଣସି ସମ୍ପର୍କ ନାହିଁ। ମୋଦୀ ସରକାର ର ଏକାଧିପତ୍ୟକୁ ସ୍ଵୀକାର କରିବାକୁ ନ ଚାହିଁବାରୁ ଓ ରିଜର୍ଭ ବ୍ଯାଙ୍କର ସ୍ବାଧିନତାକୁ ସରକାର ପାଖରେ ବନ୍ଧା ପକାଇବାକୁ ସୁଯୋଗ ନ ଦେବାରୁ ଅର୍ଥନୀତିର ଦୁଇ ଦକ୍ଷ ବିଦ୍ଵାନ ରଘୁରାମ ରାଜନ ଓ ଉର୍ଜିତ ପଟେଲଙ୍କୁ ସରକାର ଏହି ପଦରୁ ବିଦା କରିଥିଲେ। ସେହି ଜାଗାରେ ସରକାରଙ୍କ ସଖୀ କଣ୍ଢେଇ ସାଜି ଶକ୍ତିକାନ୍ତ ଦାସ ବସିଛନ୍ତି। ବର୍ତ୍ତମାନ ସିଏଜି ବା ଭାରତର ମହାଲେଖା ନିୟନ୍ତ୍ରକ ପଦବୀରେ ପ୍ରଧାନମନ୍ତ୍ରୀଙ୍କର ଆଉଜଣେ ଅନୁଗତ ସଖୀ କଣ୍ଢେଇ ପୁରସ୍କୃତ ହେବାକୁ ଯାଉଛନ୍ତି।

ଏମିତି ଏକ ପୃଷ୍ଠଭୂମିରେ ଏହି ସୌଖୀନ ସଖୀ କଣ୍ଢେଇମାନେ ଓଡିଆ ବୋଲି ଗର୍ବ କରିବା ପାଇଁ ଆମ ପାଖରେ  କୌଣସି ବିଶେଷ କାରଣ ନାହିଁ।

Categories
ବିଶେଷ ଖବର

କରୋନାରେ ଚାଳିଶ ହଜାର ମୃତ୍ୟୁ, ଆମ ଦେଶରେ ଏଥିଲାଗି ଉତ୍ତରଦାୟିତ୍ଵ ନେବାକୁ କେହି ବି ପ୍ରସ୍ତୁତ ନୁହନ୍ତି!!

କେଦାର ମିଶ୍ର

ଗତକାଲି ଭାରତରେ କରୋନା ଜନିତ ମୃତ୍ୟୁ ୪୦ ହଜାର ଟପିଲା। ଚାଳିଶ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୪୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୪୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ତେବେ ସରକାରକୁ କହିବ କିଏ ଯେ, ପାକିସ୍ତାନରେ ମୃତ୍ୟୁହାର ଆମଠୁ ମଧ୍ୟ କମ। ଭୁଟାନରେ ଜଣେ ବି ଲୋକ କରୋନାରେ ମୃତ୍ୟୁ ବରଣ କରି ନାହାନ୍ତି। ଦକ୍ଷିଣ କୋରିଆରେ ଏହି ଭୂତାଣୁକୁ ସେମାନେ ସହଜରେ ଆୟତ୍ତ କରିପାରିଥିଲେ, ଯେତେବେଳେ କି ଏହି ଭୂତାଣୁ ବିଷୟରେ କାହାକୁ କିଛି ଜଣା ନଥିଲା। ଆମ ପଡୋଶୀ ପାକିସ୍ତାନରେ ଜୁନ ମାସ ବେଳକୁ ଦୈନିକ ୬୦୦୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ। ଏବେ ତାହା ୩୦୦/୪୦୦ କୁ ଖସି ଆସିଛି। ଆମର ଲୋକ ମରି ଚାଲିଛନ୍ତି ଓ ସେଥିରେ ଅଙ୍କୁଶ ଲାଗିବାର କୌଣସି ସମ୍ଭାବନା ଦିଶୁନାହିଁ। ଏଥିଲାଗି ଗୋଟେ ଦେଶରେ କାହାର ବି ଉତ୍ତର ଦାୟିତ୍ଵ ନାହିଁ ଯେମିତି।

ଏବେ ତ ଗଣମାଧ୍ୟମରେ କରୋନାକୁ ନେଇ ଆଲୋଚନା ପ୍ରାୟ ବନ୍ଦ ହୋଇଗଲାଣି। ଏପ୍ରିଲ ମାସରେ ଯେତେବେଳେ ଦିନକୁ ହଜାରେ ଆକ୍ରାନ୍ତ ବାହାରୁଥିଲେ, ସେତେବେଳେ ଆମେ ହାହାକାର କରୁଥିଲେ। ଏ ସଂଖ୍ୟା ଏବେ ଦୈନିକ ହାରାହାରି ପଚାଶ ହଜାର। ସେତେବେଳକୁ ସବୁକିଛି ଚୁପ। ଗଣମାଧ୍ୟମ ମହାମାରୀର ବିଭୀଷିକାକୁ ଚାପି ଦେବାଲାଗି ପ୍ରତିଦିନ ନୂଆ ସୁଆଙ୍ଗ ରଚନା କରୁଛି। ପ୍ରଥମେ ରାଜସ୍ଥାନ ସରକାରକୁ ନେଇ ନାଟକବାଜି ଚାଲିଲା। ତା ପରେ ଆସିଲା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା। ସେଥିରେ ଯୋଡିହେଲା ରାଫେଲ ଯୁଦ୍ଧ ବିମାନ ଓ ରାମ ମନ୍ଦିର ଭୂମି ପୂଜନ। ମନ୍ଦିର ଶିଳାନ୍ୟାସ ଗୋଟେ ଦେଶର ଏତେ ବଡ ପ୍ରସଙ୍ଗ ଯେ ସେଠାରେ ୪୦ ହଜାର ନାଗରିକଙ୍କ ଜୀବନ ମୂଲ୍ୟହୀନ ହୋଇ ପଡୁଛି।

ସରକାରର ବଡ ବଡ ମନ୍ତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଖୋଦ ଗୃହମନ୍ତ୍ରୀ ଏବେ କରୋନା କବଳରେ। ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଗଲା ପରେ ସେ କଣ ଖାଇଲେ, କଣ ଲେଖିଲେ, କି ଗୀତା ଶୁଣିଲେ, ତାକୁ ଖବର କରୁଥିବା ଆମର ଟେଲିଭିଜନ ଚାନେଲ ମେଦାନ୍ତ ଡାକ୍ତରଖାନାରେ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନ କଣ କରୁଛନ୍ତି, ତାର ଖବର ଦେଉନାହାନ୍ତି କାହିଁକି? କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ବିରୋଧିଦଳ ନେତା, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶର ୯ରୁ ଅଧିକ ମନ୍ତ୍ରୀ , ଏମିତି ଅନେକ ନିର୍ଣ୍ଣାୟକ ଶାସକ ଏବେ ଡାକ୍ତରଖାନାରେ। ତାହା କିନ୍ତୁ ଗଣମାଧ୍ୟମର ପ୍ରସଙ୍ଗ ନୁହେଁ। କରୋନା କାରଣରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପ୍ରତି ଯେଉଁପ୍ରକାର ସାମାଜିକ ବିଦ୍ଵେଷ ତିଆରି ହେଉଛି, ସେ ସମ୍ପର୍କରେ ଆମେ ସମସ୍ତେ ଚୁପ।

ଏକ କୃର ବାସ୍ତବତାକୁ ଚପାଇଦେବାକୁ ସରକାର, ଅଦାଲତ, ବିଧାନପାଳିକା ଓ ଗଣମାଧ୍ୟମ, ସମ୍ମିଳିତ ଉଦ୍ୟମ କରିଛନ୍ତି। କୌଣସି ରାଜନୈତିକ ଦଳ ଆଜିର ସମୟରେ ଏତେ ଲୋକଙ୍କ ମୃତ୍ୟୁ ଲାଗି କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ ପଚାରୁନାହାନ୍ତି। ଦେଶର ସର୍ବୋଚ୍ଚ ବିଧାନ ପାଳିକା ସଂସଦର ବର୍ଷାକାଳୀନ ଅଧିବେଶନ ହେଉ ବୋଲି କୌଣସି ରାଜନୈତିକ ଦଳ ଏ ଯାଏ ଦାବି କରିନାହାନ୍ତି। ଦେଶର ସଙ୍କଟ ସମୟରେ ଆମର ସଂସଦର କିଛି ଦାୟିତ୍ଵ ଅଛି ନା ନାହିଁ। ଏକ ସଂକ୍ରାମକ ମହାମାରୀ ସମୟରେ ସଂସଦ ଚାଲିବା ଅନୁଚିତ ବୋଲି କୁହାଯାଉଛି। ମହାମାରୀ ସମୟରେ ସେବକ ଓ ସେବାୟତଙ୍କର କରୋନା ପରୀକ୍ଷା କରି ରଥଯାତ୍ରା ହୋଇପାରୁଛି। ରାମ ମନ୍ଦିରର ଭୂମି ପୂଜନ ହୋଇପାରୁଛି। ସବୁ ସାଂସଦଙ୍କର କରୋନା ପରୀକ୍ଷା କରି ସଂସଦ ଚାଲି ପାରିବନି କାହିଁକି? ସବୁ ବିଧାୟକଙ୍କର ପରୀକ୍ଷା କରି ବିଧାନସଭା ରେ କରୋନାକୁ ନେଇ ବିତର୍କ ହେବନି କାହିଁକି? ଏଥିଲାଗି ଆମର ଲୋକ ପ୍ରତିନିଧିମାନେ ନିଜେ ଆଗ୍ରହୀ ନୁହନ୍ତି।

ଚାରି ମାସରେ ୪୦ ହଜାର ଲୋକ ଏହି ମହାମାରୀରେ ମୃତ୍ୟୁବରଣ କରିବା ଏକ ସାଧାରଣ ଘଟନା କି? ଇଟାଲିରେ ଯେବେ ୨୦ ହଜାର ଲୋକ ମୃତ୍ୟୁବରଣ କଲେ, ସେଠିକାର ପ୍ରଧାନମନ୍ତ୍ରୀ ଭୋ ଭୋ କାନ୍ଦି ପକାଇଥିଲେ। ଜର୍ମାନୀ ର ଚାନ୍ସେଲର ଆଞ୍ଜେଲା ମାର୍କେଲ ନିଜ ଦେଶର ଲୋକଙ୍କୁ ବଞ୍ଚାଇବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ। ସମଗ୍ର ୟୁରୋପରେ ଏପ୍ରିଲ-ଜୁନ, ତିନିମାସ ବ୍ୟାପୀ ନେତୃତ୍ବର ପରାକାଷ୍ଠା ଆମେ ଦେଖିଛୁ। ଆମ ଦେଶରେ ଏବେ ରାଜନୈତିକ ନେତୃତ୍ବର କୌଣସି ମାନବୀୟ ମୁହଁ ଦେଖିବାକୁ ପାଉନୁ।

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବହୁ ଅନୁଷ୍ଠାନ ଓ ଉତ୍ସବ ଦେଶରେ ତଥା ରାଜ୍ୟରେ ପାଳନ ହେଲାଣି। ଯେଉଁମାନେ କୋଭିଡ଼ ଲାଗି କାମ କରୁଛନ୍ତି, ସେମାନେ ଯୋଦ୍ଧା। ହେଲେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି, ସେମାନେ କଣ କାହାର କେହି ନୁହନ୍ତି? ୪୦ ହଜାର ଭାରତୀୟଙ୍କର ମୃତ୍ୟୁରେ କାହା ଆଖିରୁ ଲୁହ ଟୋପାଏ ଝରିଛି କି? ଖାଲି ଯେ ୪୦ ହଜାର ଲୋକ କୋଭିଡ଼ ରେ ମରିଛନ୍ତି, ତାହା ଶେଷ କଥା ନୁହେଁ। ଏହି ମହାମାରୀ କାରଣରୁ ୧୨ କୋଟି ଲୋକଙ୍କର ଜୀବିକା ଉଜୁଡି ଯାଇଛି। କୋଟି କୋଟି ଭାରତୀୟ ପାଦରେ ଚାଲି ରାସ୍ତାରେ ମରିଛନ୍ତି। ମାନସିକ ଅବସାଦରେ ବି ଶହ ଶହ ଲୋକ ଆତ୍ମହତ୍ୟା କରୁଛନ୍ତି। ଏ ସବୁ ଆମକୁ ବିଚଳିତ କରୁନି, ଆଶ୍ଚର୍ୟ।

ଏ ଯାଏ ମୋ ଦେଶର ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଲେଣି। ଆମେ ସେମାନଙ୍କୁ କରୋନା ସହିଦ ବୋଲି କହିବା କି?

Categories
ବିଶେଷ ଖବର

ସେ ଭାଇରସ ହେଉ କି ଭୋକ, ସେ ଲକ ଡାଉନ ହେଉ କି ରେଳ ଦୁର୍ଘଟଣା,  ଗରିବ ଇ ସବୁବେଳେ ମରିବ

କେଦାର ମିଶ୍ର

ଆଜି ସକାଳର ସବୁଠୁ ବଡ ଖବର ଥିଲା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଏକ ରେଳ ଧାରଣାରେ ଶୋଇ ପଡିଥିବା ୧୫ ଜଣ ଶ୍ରମିକଙ୍କ ଉପରେ ରେଳଗାଡି ମାଡି ଗଲା। ସେଥିରେ ସେମାନେ ପ୍ରାଣ ହରାଇଛନ୍ତି। ରେଳଗାଡି କୁ ଦୋଷ ଦେଇ ଲାଭ ନାହିଁ। ସେ ତ ଲୁହାରେ ତିଆରି ମେସିନ। ହେଲେ ଏ ଦେଶରେ ଚାଲିଥିବା ସରକାର ବି ଲୁଆରେ ତିଆରି ମେସିନ କି? ମଣିଷମାନେ ଆମ ଦେଶର ସରକାର ଚଳାଉଛନ୍ତି ନା ମେସିନ ମାଧ୍ୟମରେ ଆମର ସରକାର ଚାଲିଛି? ରେଳ ଧାରଣାରେ ଶୋଇ ପଡିଥିବା ଏ ଶ୍ରମିକମାନଙ୍କର ଏକମାତ୍ର ଦୋଷ ହେଉଛି ଏମାନେ ଗରିବ ଓ ନିରକ୍ଷର। ଏମାନେ ଭାବିଲେ ରେଳ ଚାଲୁନି, ତେଣୁ ରେଳ ଧାରଣାରେ ଶୋଇପଡିଲେ।

ମଣିଷ କେତେ ଅସହାୟ ହେଲେ ଯାଇ ରେଳ ଧାରଣାରେ ଶୋଇପଡେ? ଗତ ମାର୍ଚ୍ଚ ୨୪ ତାରିଖରୁ ହଜାର ହଜାର ଶ୍ରମିକ ଏମିତି ବାଟ ଚାଲୁଛନ୍ତି। ସେମାନଙ୍କ ପାଇଁ ମା ବାପ କେହି ନାହାନ୍ତି। ରାସ୍ତାରେ ଚାଲି ଚାଲି ଗଲାବେଳେ ସେମାନେ ଖାଇବାକୁ ନ ପାଇ ମରୁଛନ୍ତି। ଅନେକ ଜାଗାରେ ପୋଲିସ ହାତରୁ ମାଡ ଖାଇ ବେହୋଶ ହୋଇ ପଡ଼ୁଛନ୍ତି। ରାସ୍ତାରେ ପୋଲିସ ବାଡଉଥିବାରୁ ଅନେକ ସମୟରେ ସେମାନେ ରେଳଧାରଣା କଡେ କଡେ କିମ୍ବା ଜଙ୍ଗଲ ବାଟ ଦେଇ ଆସୁଛନ୍ତି।

ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଫେରୁଥିବା ଏହି ଶ୍ରମିକମାନେ ଚାଲି ଚାଲି ଏତେ ଥକି ପଡିଥିଲେ ଯେ, ସେମାନେ ରେଳଧାରଣା ଉପରେ ହିଁ ଶୋଇ ପଡିଥିଲେ ଆଉ ସେଠାରେ ମୃତ୍ୟୁ ସେମାନଙ୍କୁ ଉଠେଇ ନେଇଗଲା। ଗତ ୪୫ ଦିନ ହେଲା ଏମିତି ଦୃଶ୍ୟ ସବୁ ଆମେ ପ୍ରତିଦିନ ଦେଖୁଛୁ। ସେମାନଙ୍କୁ ବଞ୍ଚାଇବାକୁ ବା ଆହା ପଦେ କହିବାକୁ କେହି ନାହାନ୍ତି। ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଅପେକ୍ଷା ଭୋକର ଭୟ ଓ ଦାରିଦ୍ର୍ୟ ଏ ଦେଶର କୋଟି କୋଟି ଶ୍ରମିକଙ୍କର ମେରୁଦଣ୍ଡ ଭାଙ୍ଗି ସାରିଲାଣି।

ସେମାନେ ଜାଣନ୍ତି ନାହିଁ, ସେମାନଙ୍କର ଭବିଷ୍ୟତ କଣ? ସେମାନେ କେଉଁଠି ରହିବେ? ପ୍ରଧାନମନ୍ତ୍ରୀଙ୍କ କଥା ମାନି ଯେଉଁଠି ଅଛନ୍ତି ସେଠି ରହିଲେ,  ନା ଖାଇବାକୁ ମିଳିବ, ନା ଘରମାଲିକ ବାହାରକୁ ଯିବାକୁ ଦେବ। ଏବେ ଦେଖାଯାଉଛି ଅହମଦାବାଦ, ସୁରତ, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା ଭଳି ସହରରେ ଯେଉଁ ଶ୍ରମିକମାନେ ରହିଥିଲେ, ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇସାରିଛନ୍ତି। ସେମାନେ ରହୁଥିବା ରାଜ୍ୟର ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଏବେ ଭାଇରସ ଓ ଭୋକ, ଦୁଇଟି ଭୟଙ୍କର ବନ୍ଧନୀରେ ସେମାନଙ୍କର ଜୀବନ ଅସହାୟ ହୋଇ ପଡିଛି।

ଲକ ଡାଉନର ପ୍ରଥମ ସୋପାନ ବେଳୁ, ଶ୍ରମିକମାନଙ୍କର ସମସ୍ୟା ଯେ ଉଗ୍ର ହେବାକୁ ଯାଉଛି, ସେକଥା ସ୍ପଷ୍ଟ ହୋଇ ସାରିଥିଲା। ଏହାରି ଭିତରେ ଲକ ଡାଉନ ର ଦୁଇଟି ସୋପାନ ଯାଇ ଏବେ ତୃତୀୟ ସୋପାନ ଚାଲୁଛି। ସରକାର କହୁଛନ୍ତି, ଅର୍ଥନୀତିକୁ ଚଳ ଚଞ୍ଚଳ କରିବାକୁ ଏବେ କଳ କାରଖାନା ଖୋଲାଯିବ। ହେଲେ କାରଖାନା ଖୋଲା ହେବା ବେଳକୁ ଅନେକ ଶ୍ରମିକ ଏବେ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଗତ ୪୫ ଦିନ ଭିତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଥା ରାଜ୍ୟ ସରକାରମାନେ ଚିନ୍ତା କରିନାହାନ୍ତି।

ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ଆଖିରେ ରଖି ଲକ୍ଷ ଲକ୍ଷ ଭାରତୀୟ ଶ୍ରମିକ ଆଜି ବାଟ ଚାଲୁଛନ୍ତି ଓ ବାଟରେ ମରୁଛନ୍ତି। ସେମାନଙ୍କର ହିସାବ ସରକାରଙ୍କ ପାଖରେ ନାହିଁ। ଏପଟେ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କଲାବେଳେ, ସେଠି ମଧ୍ୟ ହଜାର ପ୍ରତିବନ୍ଧକ। ଅନ୍ୟ ରାଜ୍ୟରୁ ଆସିବା ସେମାନଙ୍କ ଜରିଆରେ ସଂକ୍ରମଣ ବ୍ୟାପୁଛି ବୋଲି ଗଣମାଧ୍ୟମ ଜରିଆରେ ଏମିତି ପ୍ରଚାର ଚାଲିଛି ଯେ, ସେମାନେ ଏବେ ନିଜ ଘରେ ପହଞ୍ଚିବା ମୁସ୍କିଲ। ଓଡିଶାରେ ସେମାନଙ୍କର ବିକଳ ଅବସ୍ଥା ଆମେ ଦେଖୁଛୁ।

ଗୁଜରାଟରୁ ଫେରୁଥିବା ପାଖାପାଖି ୫୦ ଜଣ ଓଡିଆ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏବେ ଘୋର ଘୃଣାର ବାତାବରଣ ବଢିଛି। ସେମାନଙ୍କୁ ବିନା ପରୀକ୍ଷାରେ ରାଜ୍ୟକୁ ନ ଆଣିବା ଲାଗି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ହାଇକୋର୍ଟଙ୍କ ଉଦ୍ଦେଶ୍ୟ ହୁଏତ ଭଲ, ହେଲେ ଏହା ପଛରେ ବାସ୍ତବତା କଣ ସେ କଥା ବୋଧହୁଏ ମାନ୍ୟବର ହାଇକୋର୍ଟ ବିଚାର କରିନାହାନ୍ତି।

ଆଜି ପର୍ୟନ୍ତ ସାରା ଦେଶରେ ମାତ୍ର ୧୪ ଲକ୍ଷ କରୋନା ପରୀକ୍ଷା ସମ୍ଭବ ହୋଇଛି। ପୂରା ରାଜ୍ୟରେ ଏ ପର୍ୟନ୍ତ ୫୦,୫୦୦ ପରୀକ୍ଷା ସମ୍ଭବ ହୋଇଛି। ସେଥିରେ ୫-୭ ଲକ୍ଷ ପ୍ରବାସୀ ଓଡିଆ ଶ୍ରମିକଙ୍କର ପରୀକ୍ଷା ସମ୍ଭବ କି? ପୁନଶ୍ଚ କରୋନା ପରୀକ୍ଷା ଅତ୍ୟନ୍ତ ବ୍ୟୟ ତଥା ସମୟ ସାପେକ୍ଷ। ପାଞ୍ଚ ଲକ୍ଷ ଲୋକଙ୍କ ପରୀକ୍ଷା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟ ହୋଇପାରେ। ସବୁଠୁ ବଡ ପ୍ରଶ୍ନ ହେଉଛି, ସମସ୍ତଙ୍କର କରୋନା ପରୀକ୍ଷା ଜରୁରୀ କି? କେବଳ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ନମୂନା ପରୀକ୍ଷା କଥା ହୁଏତ ବିଚାରଯୋଗ୍ୟ। ହେଲେ ସମସ୍ତଙ୍କର ପରୀକ୍ଷା ପରେ ଯାଇ ରାଜ୍ୟକୁ ପ୍ରବେଶ ଅନୁମତି ଦେବା, ଏକ ଅବାସ୍ତବ ଚିନ୍ତା।

ସବୁ ଅନୁଷ୍ଠାନ ତଥା କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦେଶର ଗରୀବ ଶ୍ରମିକମାନଙ୍କୁ ଫୁଟବଲ ଭଳି ଖେଳି ଚାଲିଛନ୍ତି। ବୋଧେ ଗରିବ ହେବା, ଦେଶର ସବୁଠୁ ବଡ ଅପରାଧ ପାଲଟି ଯାଇଛି। ଲକ ଡାଉନ କରୋନା ଭୂତାଣୁ କୁ ରୋକିବାରେ ସମର୍ଥ ହୋଇନାହିଁ, ହେଲେ ଏହା ଦେଶର ଗରିବ ଶ୍ରମିକ,କୃଷକ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ସବୁଠୁ ବଡ ଅଭିଶାପ ପାଲଟି ଯାଉଛି।

Categories
ଭିଡ଼ିଓ

ଆଜିର କଥା ୨୩.୦୪.୨୦୨୦ @ ୬.୦୦PM

Categories
ବିଶେଷ ଖବର

ତେଇଶ ବର୍ଷରେ ବିଜୁ ଜନତା ଦଳ, ନିରଙ୍କୁଶ କ୍ଷମତା ଓ ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ କେନ୍ଦ୍ର ପାଖରେ ଏ ଆତ୍ମ ସମର୍ପଣ କାହିଁକି?

କେଦାର ମିଶ୍ର

ବିଜୁ ଜନତା ଦଳ ଗଠନର ବାଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି। ବିରୋଧୀ ରାଜନୀତି ସହିତ ବିଜେଡ଼ିର ସମ୍ପର୍କ ପ୍ରାୟତଃ ନାହିଁ। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ। ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେକୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ୟକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା। କିନ୍ତୁ ବିଜେଡି ଗଠନର ୨୨ ବର୍ଷ ପରେ ଓ ବିଶେଷ କରି ଓଡିଶାର ନିରଙ୍କୁଶ କ୍ଷମତା ୨୦ ବର୍ଷ ଧରି ଭୋଗି ସାରିଲା ପରେ, ଆଜି ବିଜେଡି କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ।

ରାଜ୍ୟର ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ବିଜେଡି ନେତୃତ୍ବକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ। ଶିକ୍ଷା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାର ଏକ ଆଦର୍ଶ ବ୍ୟବସ୍ଥା  ଦେଶ ଆଗରେ ଥୋଇଛନ୍ତି। ଓଡିଶାରେ ସେମିତି ଶିକ୍ଷା ଓ ସ୍ଵାସ୍ଥ୍ୟର ଭିତ୍ତିଭୂମି ନିର୍ମାଣ କରାଯାଇପାରିବ ନାହିଁ କାହିଁକି? ଯଦିଓ ଦିଲ୍ଲୀ ତୁଳନାରେ ଓଡିଶାର ଭୌଗୋଳିକ ଇଲାକା ବିସ୍ତୃତ ଓ ଏହାର ଜନସଂଖ୍ୟା ର ବିବିଧତା ରହିଛି, ତଥାପି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଓଡିଶା ସରକାର ଯାହା କରିଛନ୍ତି, ତାହା ରାଜ୍ୟର ଆବଶ୍ୟକତା ତୁଳନାରେ ଯଥେଷ୍ଟ ନୁହେଁ।

ସରକାରୀ ଯୋଜନା ଅପେକ୍ଷା ଓଡିଶାର ରାଜନୀତିରେ ବିଜଡି କୌଣସି ମୌଳିକ ପାର୍ଥକ୍ୟ ଆଣି ପାରିଛି କି?  ଆଜି ବିଜେଡି ପ୍ରତିଷ୍ଠା ଦିବସରେ ଏ ପ୍ରଶ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ।ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରୁଥିଲେ ମଧ୍ୟ ଦଳ ଭିତରେ ଏହାକୁ ନେଇ ଏବେବି ଅସ୍ପଷ୍ଟତା ରହିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଥିଲା। କିନ୍ତୁ ବିଜେଡି ଭିତରେ ଓ ବିଜେଡି ସରକାରରେ ମହିଳାଙ୍କ ଅଂଶୀଦାରିତା ଉତ୍ସାହଜନକ ନୁହେଁ। ଦଳରେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ସଙ୍ଖ୍ୟାଲଘୁଙ୍କ ସଂପୃକ୍ତି ବିଷୟ କୁହାଯାଉଥିଲେ ମଧ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସେମାନଙ୍କର ଭୂମିକା ଆଜି ମଧ୍ୟ ସୀମିତ। ତେବେ ମହିଳା ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଇ ବିଜେଡି ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ପରେ କିନ୍ତୁ ମହିଳା ଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ବିଜେଡି ନୀରବ ରହିଛି।

ରାଜନୈତିକ ସ୍ତରରେ ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି। ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତେ ଦୀର୍ଘ ହୋଇଯାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ୟନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ।

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ଦ୍ଵିତୀୟ ଥର ଲାଗି ଜାତୀୟ ରାଜନୀତିରେ ଚାଲିଥିବା ମୋଦୀ ହାୱାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା। ହେଲେ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବିଜେପି ସହିତ ବିଜେଡ଼ିର ନିବିଡତା ଅନେକଙ୍କୁ ଅଡୁଆରେ ପକାଇଛି। ରାଜ୍ୟର ସ୍ଵାର୍ଥ ଲାଗି ଏହା କରାଯାଉଛି ବୋଲି ବିଜେଡି ଯେତେ କହିଲେ ମଧ୍ୟ ବିଜେପିର ବିଭାଜନକାରୀ ଏଜେଣ୍ଡା ପ୍ରତି ଏହାର ନିଃସର୍ତ୍ତ ସମର୍ଥନ ଦଳର ସ୍ଵାଧୀନ ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଛି।ବିଜେଡି ବିଜେପି ପାଖରେ ଆତ୍ମା ସମର୍ପଣ କରିଛି ବୋଲି ଏକ ବାର୍ତ୍ତା ଏବେ ଲୋକଙ୍କ ପାଖକୁ ଯାଇଛି।

୨୨ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ। ହେଲେ ଏହି ସମର୍ଥନ କୁ ଯଦି ଆତ୍ମ ସମର୍ପଣ ଓ ଆତ୍ମ ଲାଭର ମାଧ୍ୟମ ଭାବେ ବ୍ୟବହାର କରାଯାଏ, ତାହେଲେ କ୍ଷମତା ହାସଲର ରାଜନୀତିରେ ଯେତେ ସଫଳ ହେଲେ ମଧ୍ୟ ଇତିହାସରେ ବିଜେଡି ଏକ ସାମ୍ପ୍ରଦାୟିକ ଦଳର ଛାଇ ହୋଇ ରହିଯିବ।

Categories
ବିଶେଷ ଖବର

ମୋଦୀ ସରକାରଙ୍କର ପିଆଜ ବିଳାସ ନାଟକ, ଦେଶବାସୀ କେବଳ ଭକୁଆ ଭକ୍ତ ନଚେତ ଅସହାୟ ଦର୍ଶକ!!

କେଦାର ମିଶ୍ର

ପିଆଜ ଦର ୧୨୦ ରୁ ୧୫୦ ଟଙ୍କା ମାତ୍ର। ପିଆଜକୁ ନେଇ ଏତେ ଉଦବିଗ୍ନତା, ଆତଙ୍କ ଓ କ୍ରୋଧ ର କାରଣ କଣ ଅଛି? ଯଦି ପିଆଜ ଦର ବାଧୁଛି, ପିଆଜ ଖାଇବା ଛାଡି ଦିଅନ୍ତୁ। ବାସ, ସମସ୍ୟାର ସମାଧାନ ହୋଇଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆପାତତଃ ସେଇ କଥା ହିଁ କହିଲେ। ପବିତ୍ର ସଂସଦ ଗୃହରେ ଛିଡା ହୋଇ ସେ କହିଲେ, ଆମ ଘରେ ବିଶେଷ ପିଆଜ ରଶୁଣର ବ୍ୟବହାର ନାହିଁ। ମନ୍ତ୍ରୀଙ୍କ ଘରେ ଯଦି ବିନା ପିଆଜରେ ଚଳି ଯାଉଛି, ଆମ ଘର ଚଳିବ ନାହିଁ କାହିଁକି!! କେହି ଜଣେ ବିଶେଷ ଦେଶପ୍ରେମୀ ଭକ୍ତ କହିଲେ- ସିଆଚୀନରେ ଆମର ସୈନିକମାନେ ଏତେ କଷ୍ଟ ସହି ସୀମାର ସୁରକ୍ଷା କରୁଛନ୍ତି, ଆଉ ତମେ ପିଆଜ କିଲେ କିଣିଲା ବେଳେ ଏତେ କନ୍ଦାକଟା କରୁଛ-ଦେଶଦ୍ରୋହୀ!! ବାସ, ଆମେ ଚୁପ। ଆମେ ଆଜ୍ଞା, ପିଆଜ କିଣିବା ଛାଡି ଦେଇଛୁ। ଜୟଗୁରୁ ଦୀକ୍ଷାରେ ଏବେ ସାରା ଦେଶ ଦୀକ୍ଷିତ ହେବାକୁ ବାଧ୍ୟ। ବାଉଁଶ ରହିଲେ ସିନା ବଇଁଶି ବାଜିବ, ସେମିତି ପିଆଜ ଖାଇଲେ ସିନା ପିଆଜ ଦର ବାଧିବ!!

ଗୋଟେ ଅଦ୍ଭୁତ ସମୟରେ ଆମେ ବଞ୍ଚୁଛୁ। ସରକାରୀ ତଥ୍ୟ କହୁଛି, ପିଆଜ ଉତ୍ପାଦନ ସେତେବେଶୀ କମିନାହିଁ। ପିଆଜ ଯଥେଷ୍ଟ ପରିମାଣରେ ମହଜୁଦ ଥିବା କଥା ମଧ୍ୟ କିଛି ଦିନ ଆଗରୁ କୁହାଯାଉଥିଲା। ଏବେ କିନ୍ତୁ, ସବୁ କଥା ମୂଲ୍ୟହୀନ। ସୁନା ଦର ଭଳି ପ୍ରତିଦିନ ପିଆଜ ଦର କିଲୋ ପିଛା ୧୦-୨୦ ଟଙ୍କା ବଢୁଛି। ସେପଟେ ଚାଷୀ କିନ୍ତୁ ତା ଉତ୍ପାଦନର ମୂଲ୍ୟ ପାଉନାହିଁ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ସରକାର ପିଆଜର ସର୍ବ ନିମ୍ନ ବିକ୍ରି ମୂଲ୍ୟ ଚାଷୀଙ୍କ ପାଇଁ ସ୍ଥିର ରଖିଛନ୍ତି। ବଜାରରେ ପିଆଜ କିଲୋ ୧୫୦ ଟଙ୍କା ହେଲେ ମଧ୍ୟ ମଣ୍ଡିରେ ଚାଷୀକୁ ମିଳିବ ସେଇ ୫ ରୁ ୧୦ଟଙ୍କା। ବାକି ସବୁ କଳା ବଜାରୀ ଖାଇବେ। ମାସ ମାସ ଧରି କଳା ବଜାରୀଙ୍କ ହାତରେ ପିଆଜ ବଜାରକୁ ଟେକି ଦିଆ ଯାଇଛି। ସରକାର କହୁଛନ୍ତି, ଅପେକ୍ଷା କର, ଇଜିପ୍ଟ ରୁ ପିଆଜ ଆସିବା, ତୁର୍କୀରୁ ପିଆଜ ଆସିବ। ଆଗରୁ ପାକିସ୍ତାନରୁ ମଧ୍ୟ ପିଆଜ ଆସୁଥିଲା। ଏବେ ଅବଶ୍ୟ ପାକିସ୍ତାନୀ ପିଆଜ ଖାଇବା ଦେଶଦ୍ରୋହ!

ପିଆଜ ଆଲୋଚନାରେ ଆଉ ଗୋଟେ ମଜା କଥା ମଧ୍ୟ ଦେଖିବାକୁ ମିଳୁଛି। କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର- ଏ ଦଳ କହୁଛନ୍ତି, ଏଥି ପାଇଁ କେନ୍ଦ୍ର ଦାୟୀ, ସେ ଦଳ କହୁଛନ୍ତି, ନା ନା , ଏଥି ପାଇଁ ରାଜ୍ୟ ଦାୟୀ। ବଢିଆ ସୁଆଙ୍ଗ। ସର୍ବ ଭାରତୀୟ ସ୍ତରରେ କୃଷି ଉତ୍ପାଦନ ଓ ବିପଣନର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦାୟିତ୍ଵ। ପିଆଜ ଦର କେବଳ ଓଡିଶାରେ ବଢି ନାହିଁ। ଏହା କାଶ୍ମୀରରୁ କନ୍ୟାକୁମାରୀ( ଅବଶ୍ୟ କାଶ୍ମୀରରେ କଣ ହେଉଛି ଆମକୁ ଜଣା ନାଇଁ) ସବୁଠି ସମାନ। ପିଆଜ ଦର ସାରା ଦେଶରେ ୧୨୦ ରୁ ୧୫୦। କାଶ୍ମିରୀ ସେଓ ର ଦାମ ପିଆଜ ଠାରୁ କମ। ଏଥିପାଇଁ କଣ ରାଜ୍ୟ ସରକାରମାନେ ଦାୟୀ। କଳା ବଜାରୀ ଓ କିଳା ପୋତେଇ କରୁଥିବା ଲୋକଙ୍କୁ ଧରିବା ରାଜ୍ୟ ସରକାରଙ୍କ କାମ। ହେଲେ ବ୍ୟବସାୟୀ ତ କହୁଛନ୍ତି- ଗୋଦାମ ଘର ଖାଲି-ମାଲ ନାହିଁ। ରାଜ୍ୟ ସରକାର କରିବେ କଣ? ନାଫେଡ଼ ବୋଲି କେନ୍ଦ୍ର ସରକାରଙ୍କର ଏକ ସଂସ୍ଥା ଏ ସବୁ ବୁଝାବୁଝି କରେ। ସେମାନେ ଅଛନ୍ତି ବୋଲି କାହିଁ ଜଣା ପଡୁନି।

ପିଆଜକୁ ନେଇ ଆମର ଗୋଟେ ଅତି ସାଧାରଣ ପ୍ରଶ୍ନ- ଠିକ ଅଛି, ଅକାଳ ବର୍ଷା ଯୋଗୁଁ ପିଆଜ ଆସିବା କମିଯାଇଛି। ହେଲେ ଦିନକୁ ୧୦ ଟଙ୍କା କିଲୋ ପିଛା ଦର ବଢିବାର କାରଣ କଣ? ସରକାର ଦର ନିୟନ୍ତ୍ରଣ କରିବାକୁ ସତରେ ଚାହୁଁଛନ୍ତି, ନା କଳା ବଜାରୀଙ୍କ ହାତରେ ଲୋକଙ୍କୁ ଲୁଟ କରିବାର ଲାଇସେନ୍ସ ଧରାଇ ଦିଆଯାଇଛି। ସରକାର ଚାହିଁଲେ ଗୋଟିଏ ଦିନରେ ପିଆଜର ଦର ସ୍ଥିର ହୋଇପାରିବ। ହେଲେ ସରକାର ଚାହୁଁ ନାହାନ୍ତି। ସରକାର ନ ଚାହିଁବାର କାରଣ ହେଲା, ଦେଶବାସୀ ଏବେ ସରକାରଙ୍କର ଅନୁଗତ ଭକ୍ତ ହୋଇ ଜୀ ହଜୁରଙ୍କ ଦୟାରେ ବଞ୍ଚୁଛନ୍ତି। ସେଥିରେ ପିଆଜ ୧୫୦ ହେଉ କି ୫୦୦, କାହାକୁ କହିବା-କପାଳରେ ସିନା କର ମାରିବା!!

Categories
ବିଶେଷ ଖବର

ଦୁର୍ନୀତି ହଟୁଛି ଯଦି ବ୍ୟାଙ୍କ ଠକେଇ ବଢୁଛି କେମିତି? 

କେଦାର ମିଶ୍ର 

ନିକଟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା ଟ୍ରାଂସପେରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ ଦେଶର ୫୧% ଲୋକ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛନ୍ତି। ଯଦିଓ ୨୦୧୮ ତୁଳନାରେ ଲାଞ୍ଚର ମାତ୍ରା ସାମାନ୍ୟ କମିଛି, ତଥାପି ୫୧% କିଛି କମ ସଂଖ୍ୟା ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ଯଥା ପୂର୍ବମ ତଥା ପରଂ ରହିଛି। ଏହି ରିପୋର୍ଟରେ ଦିଲ୍ଲୀ, ଓଡିଶା, ଗୁଜରାଟ, କେରଳ, ଗୋଆ ଓ ହରିଆଣା ଭଳି ରାଜ୍ୟରେ ଲାଞ୍ଚ କାରବାର କମିଥିବା ବେଳେ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ,ଝାଡଖଣ୍ଡ ଓ ପଞ୍ଜାବ ଭଳି ରାଜ୍ୟରେ ଦୁର୍ନୀତି ବଢିଛି। ମୋଟାମୋଟି ଦେଶରେ ଦୁର୍ନୀତିର ଧାରା ୨୦୧୪ ପୂର୍ବରୁ ଯାହାଥିଲା, ଆଜି ବି ତାହା ରହିଛି।

ସମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅଭିଯୋଗ ସତ୍ତ୍ୱେ ମୋଦୀ ସରକାର ନିଜକୁ ଦୁର୍ନୀତିମୁକ୍ତ ବୋଲି ଏକ ବିଜ୍ଞାପନ ବ୍ୟବସ୍ଥା କରୁଛନ୍ତି। ଦୁର୍ନୀତି ବିରୋଧୀ ସଂଶୋଧନ ଆଇନ-୨୦୧୮ ପରେ ଏହାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ। ଉପର ସ୍ତରରେ ଦୁର୍ନୀତିକୁ ନେଇ ଏକ ପ୍ରକାର ଚଳେଇ ନେବାର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଘୋଡା ବେପାର ଫଳରେ ଉଲଗ୍ନ ଚେହେରା ଆମକୁ ଆଉ ଆଗପରି ବ୍ୟତିବ୍ୟସ୍ତ କରୁନାହିଁ। କର୍ଣ୍ଣାଟକରେ ଜଣେ ବିଧାୟକ ଦଳ ବଦଳ କଲାପରେ ତାଙ୍କ ସମ୍ପତ୍ତି ୧୮୦ ଗୁଣ ବଢିଗଲା। ଏହାକୁ ଆଜି ଆଉ ଦୁର୍ନୀତି କୁହାଯାଉନି।  ଏତେ ସବୁ ଭ୍ରଷ୍ଟାଚାରର ପ୍ରମାଣ ସତ୍ତ୍ୱେ ମୋଦୀ ସରକାର ନିଜକୁ ସ୍ବଚ୍ଛ ବୋଲି କହି ହେବାରେ ସଫଳ ହୋଇଛନ୍ତି।

ଏକ ଦୁର୍ନୀତିମୁକ୍ତ ବ୍ୟବସ୍ଥାର ହାସ୍ୟାସ୍ପଦ ଚେହେରା ଆଉ ଏକ ତଥ୍ୟରୁ ଆମେ ପାଇପାରିବା। ନିକଟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଗତ ଏପ୍ରିଲ ରୁ ନଭେମ୍ବର ପର୍ୟନ୍ତ ପ୍ରାୟ ୨୪,୭୫୭ କୋଟି ଟଙ୍କାର ହେରାଫେରି ହୋଇଛି। ଏହି ବ୍ୟାପକ ବ୍ୟାଙ୍କ ଠକେଇକୁ ସବୁଠୁ ବଡ କର୍ପୋରେଟ ହେରାଫେରି ବୋଲି କୁହାଯାଉଛି। ଏହି ରିପୋର୍ଟ କେବଳ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହେରଫେର କଥା କହିଛି। ୮ ମାସ ରେ ଏତେ ପରିମାଣର ଟଙ୍କା କର୍ପୋରେଟ ଗୁଡିକ କେବଳ ଗୋଟିଏ ବ୍ୟାଙ୍କରୁ ଖାଇଯାଇଛନ୍ତି। ଅନ୍ୟ ବ୍ୟାଙ୍କ ଗୁଡିକର ଅବସ୍ଥା ମଧ୍ୟ ପାଖାପାଖି ସେଇଆ। ବିନା ଭୟ ଓ ଦ୍ଵିଧାରେ ବ୍ୟାଙ୍କ ଗୁଡିକରେ ରହିଥିବା ଲୋକଙ୍କ ଟଙ୍କା ଖାଇ ଯାଉଥିବା ଶିଲ୍ପପତି ଓ ବ୍ୟବସାୟୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାରେ ସରକାରଙ୍କର ବିଶେଷ ଆଗ୍ରହ ନାହିଁ।କର୍ପୋରେଟ ଠକ ଓ ଦଲାଲମାନେ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଚଳୁ କରି ରାତାରାତି ଫେରାର ହୋଇ ଯାଉଥିବା ବେଳେ ଏ ପ୍ରସଙ୍ଗରେ ସାଧାରଣ ଲୋକ ବିଶେଷ କିଛି ଜାଣିବାର ସୁଯୋଗ ନାହିଁ।

ଷ୍ଟେଟ ବ୍ୟାଙ୍କର ଏହି ଉଦବେଗଜନକ ରିପୋର୍ଟ ସମ୍ପର୍କରେ ଅର୍ଥନୀତି ଓ ବାଣିଜ୍ୟ ସମ୍ପର୍କିତ ଖବର କାଗଜ ଗୁଡିକ କିଛି ଲେଖିଥିବା ବେଳେ ସାଧାରଣ ଖବର କାଗଜ ଏହାକୁ ବିଶେଷ ଗୁରୁତ୍ଵ ଦେଇ ନାହାନ୍ତି। ଟେଲିଭିଜନରେ ଏହାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବାସ୍ତବରେ ବୁଝି ହେଉନାହିଁ ଯେ କର୍ପୋରେଟ ଘୋଟାଲା ସମ୍ପର୍କିତ ଏତେ ବଡ ଖବରକୁ ଚାପି ଦେବାର କାରଣ କଣ? ମାତ୍ର ୮ ମାସରେ କେବଳ ଗୋଟିଏ ବ୍ୟାଙ୍କରେ ୨୪,୭୫୭ କୋଟି ଟଙ୍କା ଖାଇ ଯାଇଥିବା କର୍ପୋରେଟ ଗୁଡିକୁ ସୁରକ୍ଷା ଦେଉଛି କିଏ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭାଷାରେ, ଏହି ଦୁର୍ନୀତିଖୋରଙ୍କୁ ଚାରାପାଣି ଖୁଆଉଛି କିଏ? ଆମେ ଜାଣିଛୁ, ଏହି ପ୍ରଶ୍ନର ଉତ୍ତର ମିଳିବ ନାହିଁ।

ବିଭିନ୍ନ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା କର୍ମକର୍ତ୍ତାମାନେ ଅବସର ପରେ କର୍ପୋରେଟ ଗୁଡିକରେ ମୋଟା ଅଙ୍କର ଦରମା ପାଇ ଥଇଥାନ ହେଉଛନ୍ତି। ଏହାର ବଡ ଉଦାହରଣ ହେଉଛନ୍ତି ପୂର୍ବତନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ୟ। ଚାକିରିରୁ ଅବସର ନେବା ପରେ ଶ୍ରୀମତୀ ଭଟ୍ଟାଚାର୍ୟ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ କମ୍ପାନୀରେ ନିର୍ଦ୍ଦେଶକ ପଦ ପାଇଛନ୍ତି। ଏମିତି ଅନେକ ବ୍ୟାଙ୍କର ବଡ ବାବୁ ଅଛନ୍ତି, ଯେଉଁମାନେ କର୍ପୋରେଟଙ୍କୁ ସାହାଯ୍ୟ କରି ବ୍ୟାଙ୍କକୁ ଖୋଳ କରିଦିଅନ୍ତି। ସେ ସମ୍ପର୍କରେ ଆମର କୌଣସି ଠୋସ ନୀତି ମଧ୍ୟ ନାହିଁ। ଯଦି କୌଣସି ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ଅବସର ପରେ କର୍ପୋରେଟ ଚାକିରିରେ ଯୋଗ ଦିଅନ୍ତି, ତେବେ ସେ ପୂର୍ବରୁ ଦେଇଥିବା ଋଣ ଓ ଋଣ ଖିଲାପି ସମ୍ପର୍କରେ ବ୍ୟାପକ ତଦନ୍ତ ହେବା ଉଚିତ।

ବ୍ୟାଙ୍କ ଠକେଇ ର ଏହି ନୂଆ ଯୁଗ କୁ ଆମେ ମୋଦୀଙ୍କ ନୂଆ ଭାରତର ନୂଆ ନୈତିକତା ବୋଲି ଗ୍ରହଣ କରିନେବା ନା ଏହା ବିରୋଧରେ କିଛି କହିବା?

Categories
ବିଶେଷ ଖବର

ଆଉ କେତେ ନିର୍ଭୟା, କେତେ ଆସିଫା ଓ କେତେ ପ୍ରିୟାଙ୍କା, ମହିଳା ସୁରକ୍ଷା କଣ କେବଳ ଫାଙ୍କା ସ୍ଲୋଗାନ ମାତ୍ର!!   

କେଦାର ମିଶ୍ର  

୧୬, ଡିସେମ୍ବର, ୨୦୧୨ ଓ ୨୭, ନଭେମ୍ବର,୨୦୧୯- ଏ ଦୁଇ ତାରିଖ ର ଏକମାତ୍ର ସାମଞ୍ଜସ୍ୟ ହେଉଛି, ଏହି ଦୁଇ ତାରିଖରେ ଆମେ ଭାରତମାତାକୁ ଭୟଙ୍କର ଭାବରେ ନିନ୍ଦିତ କରିଛୁ। ୧୬, ଡିସେମ୍ବର, ୨୦୧୨ ଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା।  ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରା ଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ତାହା ଏ ଦେଶର ପ୍ରଥମ ବା ଶେଷ ଘଟଣା ନଥିଲା। ନିର୍ଭୟା ଘଟଣା ପରେ ନିୟମିତ ଅବଧିରେ ଆମେ ମଣିଷକୁ ଲଜ୍ଜିତ କଲାପରି ଧର୍ଷଣ ଓ ହତ୍ୟାର ଖବର ଶୁଣିଆସୁଛୁ। ଗତ ୨୭ ନଭେମ୍ବରରେ ସେମିତି ଏକ ଛାତିଥରା ଘଟଣା ଘଟିଛି ହାଇଦ୍ରାବାଦ-ବାଙ୍ଗାଲୋର ରାଜପଥରେ। ପ୍ରିୟାଙ୍କା ରେଡ୍ଡୀ ନାମ୍ନୀ ଜଣେ ପଶୁ ଡାକ୍ତରଙ୍କୁ ଚାରିଜଣ ଦୁର୍ବୃତ୍ତ ଗଣଧର୍ଷଣ କରି ଜିଅନ୍ତା ପୋଡି ଦେଇଛନ୍ତି।

ନିର୍ଭୟା ଘଟନାରେ  ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲେ। ଆଜି ମଧ୍ୟ ଅପରାଧୀ ଗିରଫ ହେଉଛନ୍ତି। ସେଥିରୁ ଅନେକ ଦଣ୍ଡିତ ମଧ୍ୟ ହେଉଛନ୍ତି। ଅନେକଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଗଲାଣି। ତଥାପି ଏ ପ୍ରକାର ଅପରାଧ କମୁନାହିଁ କାହିଁକି? ରାଜନୈତିକ ଦୃଷ୍ଟିରୁ ଦେଖିଲେ ନିର୍ଭୟା ଘଟଣା ପାଇଁ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କମ ହିନସ୍ତା ହେବାକୁ ପଡି ନଥିଲା। ଆଜି ଶ୍ରୀମତି ଶୀଲା ଦୀକ୍ଷିତ ଚାଲି ଗଲେଣି। ସେଦିନ ଇଣ୍ଡିଆ ଗେଟରେ ବିକ୍ଷୋଭକାରୀମାନେ ଲୋକଙ୍କ ସହ କଥା ହେବାକୁ ଆସିଥିବା ଶ୍ରୀମତି ଦୀକ୍ଷିତଙ୍କୁ ଭୟଙ୍କର ଭାବରେ ଅପମାନିତ କରିଥିଲେ। ସେହି ଘଟଣାରେ ପୀଡ଼ିତାଙ୍କୁ ବଞ୍ଚାଇ ହେଲାନାହିଁ, କିନ୍ତୁ ଦୋଷୀମାନେ ଦଣ୍ଡିତ ହେଲେ। ଜଣେ ଦୋଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା। ଜଷ୍ଟିସ ବର୍ମା କମିଟି ଗଠିତ ହୋଇ ଧର୍ଷଣ ଭଳି ଘଟଣାରେ ଆଇନ ବଦଳାଇବାର ପ୍ରୟାସ ଆରମ୍ଭ ହେଲା।

କଥା ସେତିକି ମାତ୍ର। ତାପରେ କାଠୁଆ, କରୀମ ନଗର,ଉନ୍ନାଓ ଭଳି ଅନେକ ଜାଗାରେ ଏମିତି ଜଘନ୍ୟ ଅପରାଧ ଘଟିଛି। ହେଲେ ଆଗପରି ଆଉ ପ୍ରତିବାଦ ହେଉନାହିଁ। ବରଂ ପଚରାଯାଉଛି, ଧର୍ଷିତାର ଧର୍ମ କଣ ବା ଧର୍ଷଣକାରୀ କେଉଁ ଧର୍ମର? କାଠୁଆ ରେ ଆସିଫା ନାମ୍ନୀ ଛୋଟ ଝିଅଟିକୁ ଧର୍ଷଣ ଓ ହତ୍ୟା କରିଥିବା ଅପରାଧୀମାନଙ୍କ ସପକ୍ଷରେ ସେଠିକାର ବାର କାଉନ୍ସିଲ ଯେଉଁ ପ୍ରକାର ଆନ୍ଦୋଳନ କରିଥିଲା ଓ ସେଥିରେ ବିଜେପିର ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇଥିଲେ, ତାହା ଆମ ଦେଶର ଇତିହାସରେ ସବୁଠୁ ବଡ କଳଙ୍କ। ସଂଘ ପରିବାରର ବୁଦ୍ଧିଜୀବୀମାନେ ସେତେବେଳେ କାଠୁଆର ଧର୍ଷଣକାରୀଙ୍କ ସପକ୍ଷରେ ଖୋଲାଖୋଲି ଠିଆ ହୋଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅପରାଧୀମାନେ ଅଦାଲତ ଦ୍ଵାରା ଦଣ୍ଡିତ ହେଲେ ଏଇ ବୁଦ୍ଧିଜୀବୀ ଓ ଶାସକ ଦଳର ନେତାମାନେ ଏବେ ଆଉ ସେକଥା ଉଠାଉ ନାହାନ୍ତି।ଆଜି ବି ପ୍ରିୟାଙ୍କା ରେଡ୍ଡୀ ଙ୍କ କ୍ଷେତ୍ରରେ ସେହି କଥା ଘଟିଛି। ଯେଉଁ ଚାରି ଜଣ ଅପରାଧୀ ଏହି ମାମଲାରେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମୁସଲମାନ ଓ ତିନିଜଣ ହିନ୍ଦୁ। ତେବେ କିଏ କେଉଁ ଧର୍ମର ତାହା ଅପ୍ରାସଙ୍ଗିକ। ଏହି ଚାରି ଜଣ ଜଘନ୍ୟ ଅପରାଧୀ। ଏହାଙ୍କ ଧର୍ମକୁ ନେଇ ଆଲୋଚନା କାହିଁକି?

ଆଜି ଆମର ପ୍ରଶ୍ନ ହେଉଛି, ନିଃସନ୍ଦେହରେ ନିର୍ଭୟା ଭାରତର ଝିଅ ଥିଲେ। ତାଙ୍କୁ ନ୍ୟାୟ ଦେବାଲାଗି ସାରା ଭାରତ ଏକାଠି ହୋଇଥିଲା। ତାପରେ ବିଭିନ୍ନ ପ୍ରସଙ୍ଗରେ ଆମେ ଭିନ୍ନ ଭିନ୍ନ ବାଟ ଖୋଜିଛୁ। ଜଷ୍ଟିସ ବର୍ମା ଓ ଜଷ୍ଟିସ ଲୀଳା ସେଠ ଦେଇଥିବା ରିପୋର୍ଟ ଆଜି ଅନ୍ଧାରରେ। ମହିଳାଙ୍କ ସୁରକ୍ଷା ଲାଗି ଗଢା ଯାଇଥିବା ନିର୍ଭୟା ଫଣ୍ଡ ବିଷୟରେ କାହାକୁ କିଛି ମାଲୁମ ନାହିଁ। ଯେତେବେଳେ ବି ଏମିତି କିଛି ଘଟଣା ଘଟୁଛି, ଆମେ କହୁଛୁ, ଅପରାଧୀଙ୍କୁ ଫାଶିରେ ଝୁଲାଇ ଦିଅ। ଅନେକ ଦୋଷୀ ଫାଶିରେ ଝୁଲିଲେଣି ବା ଝୁଲିବାକୁ ଯାଉଛନ୍ତି। ତଥାପି ଏ ପ୍ରକାର ଅପରାଧ କମୁନାହିଁ। ଏ ପ୍ରକାର ଅପରାଧର ମୂଳ କାରଣ ନ ଖୋଜି ଆମେ କେବଳ ଅନ୍ଧାରରେ ବାଡି ବୁଲାଉଛେ। ଆଜି ମଧ୍ୟ ଆମ ସମାଜ ନାରୀର ସ୍ଵାଧୀନତା ଓ ସ୍ବାଭିମାନକୁ ପୂର୍ଣ୍ଣ ମାତ୍ରାରେ ସ୍ଵୀକୃତି ଦେଉନାହିଁ। ନାରୀକୁ ଆକ୍ରମଣ କରିବା, ଧର୍ଷଣ କରିବା “ମର୍ଦ୍ଦପଣିଆ” ବୋଲି ବିଚାର କରାଯାଉଛି। ହୁଏତ ଅପରାଧୀ ବିରୋଧରେ ଆମେ ସୋସିଆଲ ମିଡିଆରେ ବହୁତ ଭାଷଣ ଦେଉଛୁ, ହେଲେ ରାସ୍ତାରେ ଓହ୍ଲାଇ ଏହାର ପ୍ରତିବାଦ କରିବାକୁ ଆମର ସାହସ ମରି ଯାଉଛି। ନିର୍ଭୟା ଘଟଣାରେ ସାରା ଭାରତର ବିବେକ ଯେମିତି ଜାଗ୍ରତ ହୋଇଥିଲା, ତା ପରଠୁ ତାହା କେମିତି ଗୋଟେ ଶୁପ୍ତ ଅବସ୍ଥାକୁ ଚାଲି ଯାଇଛି।

ପ୍ରିୟାଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦେବା ଲାଗି ଭାରତର ବିବେକ ପୁଣିଥରେ ଜାଗ୍ରତ ହୋଇ ପାରିବ କି?

Categories
ବିଶେଷ ଖବର

ପିଆଜ ଦର ବଢୁଛି କାହିଁକି ଓ କାହା ପାଇଁ, କାହାକୁ ଜଣା ନାହିଁ!! 

କେଦାର ମିଶ୍ର 

ଆମେ ଗୋଟେ ଅଦ୍ଭୁତ ସମୟରେ ବଞ୍ଚୁଛୁ। ଆମ ପାଖରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ନାହିଁ। ତାର ଏକ ଛୋଟିଆ ଉଦାହରଣ ହେଉଛି, ଦେଶସାରା ବଢି ଚାଲିଥିବା ନିଆଁଲଗା ପିଆଜ ଦର। ଆଜିର ତାରିଖରେ ଭୁବନେଶ୍ବରରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଟଙ୍କା। ଏହା କେବଳ ଓଡିଶାରେ ସୀମିତ ନୁହେଁ। ସାରା ଦେଶରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଭିତରେ ରହିଛି। ତେବେ ଏହାକୁ ନେଇ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଖିବାକୁ ମିଲୁନି କାହିଁକି? ସଂସଦର ଅଧିବେଶନ ଚାଲିଛି। ପିଆଜର ଏହି ଅହେତୁକ ଦରବୃଦ୍ଧିକୁ ନେଇ ସଂସଦରେ ଆଲୋଚନା ହେଲାଣି କି? ଗୋଡସେ ଭଳି ଅପରାଧୀକୁ ନେଇ ଦୁଇ ଦିନ ଚର୍ଚ୍ଚା କରୁଥିବା ଆମର ସାଂସଦ, ପ୍ରତ୍ୟେକ ସାଧାରଣ ଲୋକକୁ କନ୍ଦାଉଥିବା ପିଆଜ ଦର ବିଷୟରେ ଆଲୋଚନା କରୁନି କାହିଁକି? କୌଣସି ବି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଳାଇବାର କେହି ଦେଖିଛନ୍ତି କି? କଣ ପାଇଁ ଏହାକୁ ଆମେ ଏତେ ସହଜରେ ଗ୍ରହଣ କରି ନେଇଛୁ? ପିଆଜ ଦର ବଢୁଥିବାରୁ ଏହା ପିଆଜ ଚାଷୀଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆନୁଛି କି? ମୁଁ ଯଦି କିଲେ ପିଆଜକୁ ୧୦୦ ଟଙ୍କାରେ କିଣୁଛି, ତାର ୭୦-୮୦ ଟଙ୍କା ଚାଷୀ ପାଉଛି କି? ଯଦି ଚାଷୀ ପାଖକୁ ସେ ପଇସା ଯାଆନ୍ତା, ତାହେଲେ ଖାଉଟି ପଇସା ଦେବାର ଲାଭ ଅଛି ବୋଲି କହିହେବ। ତାହା ବି ହେଉନାହିଁ। ପିଆଜ ଦର କାହିଁକି ବଢୁଛି, ସେ ସମ୍ପର୍କରେ କେନ୍ଦ୍ର ସରକାର ବା ରାଜ୍ୟ ସରକାର, କେହି କିଛି କହୁନାହାନ୍ତି। କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କର କୌଣସି ବକ୍ତବ୍ୟ ଏ ପ୍ରସଙ୍ଗରେ ଶୁଣିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ତ ବଡ ଲୋକ, ସେ ପିଆଜ ଭଳି ଛୋଟ କଥାରେ ମୁଣ୍ଡ କାଇଁ ପୁରାଇବେ!

ସାଧାରଣ ନାଗରିକ ଭାବରେ ଆସନ୍ତୁ, ଆମେ ଏହାର କାରଣ ଖୋଜିବା। ଅର୍ଥନୀତି ଓ ବଜାରର ଏକ ସାଧାରଣ ନିୟମ ହେଉଛି, ଯଦି ଖାଉଟିର ଦାବି ତୁଳନାରେ ଉତ୍ପାଦନ କମ ହୁଏ, ତାହେଲେ ଦର ବୃଦ୍ଧି ସ୍ଵାଭାବିକ। ଯେତିକି ପିଆଜ ଆମେ ଦରକାର କରୁଛୁ, ତାଠୁ ପିଆଜ ଉତ୍ପାଦନ ଯଦି କମ ହେଉଛି, ତାହେଲେ ଦର ବଢିବାର କାରଣ ବୁଝିହେବ। ହେଲେ ସରକାରୀ ତଥ୍ୟ କହୁଛି, ଆମର ଚାହିଦା ଠାରୁ ପିଆଜ ଉତ୍ପାଦନର ମାତ୍ରା ଢେର ଅଧିକ। ଇକୋନମିକ ଟାଇମ୍ସର ଏକ ରିପୋର୍ଟ ମୁତାବକ ଦେଶରେ ୨୦୧୮-୧୯ ବର୍ଷରେ ପିଆଜ ଉତ୍ପାଦନ ୨୩.୫ ନିୟୁତ ଟନ ହୋଇଥିବା ବେଳେ ଦେଶର ଚାହିଦା ହେଉଛି ୧୬ ନିୟୁତ ଟନ। ଅର୍ଥାତ ଆମ ଚାହିଦା ଠାରୁ ଆମେ ୭.୫ ନିୟୁତ ଟନ ଅଧିକ ଉତ୍ପାଦନ କରୁଛୁ। ବଳକା ପିଆଜକୁ ରପ୍ତାନି କରି ୨୦୧୮ରେ ୩୫୧୬ କୋଟି ଓ ଚଳିତ ବର୍ଷ ଜୁନ ସୁଦ୍ଧା ୧୮୪୦ କୋଟି ଟଙ୍କାର ଆୟ ହୋଇଛି। ତା ସତ୍ତ୍ୱେ ଘରୋଇ ବଜାରରେ ପିଆଜ ଦର ଏତେ ଅଧିକ ହେବାର କାରଣ କଣ? ଯେ କୌଣସି ଅର୍ଥଶାସ୍ତ୍ରୀ ବା ବଜାର ବିଶେଷଜ୍ଞ ଏହି ତଥ୍ୟକୁ ଦେଖି ମୂର୍ଚ୍ଛା ହୋଇପଡିବେ। ୭.୫ ନିୟୁତ ଟନ ବଳକା ପିଆଜ ଉତ୍ପାଦନ କରୁଥିବା ଦେଶରେ ପିଆଜ ସବୁଠୁ ଶସ୍ତା ହେବା କଥା। ଏହାର ବିପରୀତରେ ସବୁଠୁ ମହଙ୍ଗା ପିଆଜ କାହିଁକି?

ଦର ବୃଦ୍ଧିର ଗୋଟେ କାରଣ କୁହାଯାଉଛି, ତାହେଲା ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ଅସମୟ ବର୍ଷା। ଏଥିପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ଵାନ ବଡ ନିରୀହ ଭାବରେ କହିଛନ୍ତି, ପ୍ରକୃତି ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ। ଠିକ କଥା, ଅସମୟ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ହେଲେ ଏହା ଏକ ସାଧାରଣ ଘଟନା। ଆଗରୁ ସତର୍କତାମୂଳକ ଭାବରେ ପିଆଜ ମହଜୁଦ ରଖିବା କଥା। ସରକାରୀ ତଥ୍ୟ ତ କହୁଛି, ପିଆଜ ମହଜୁଦ ଅଛି। ତଥାପି ଦର ବଢୁଛି କେମିତି? ପାଶ୍ୱାନ ସାହେବ ଏହାର ଉତ୍ତର ଦେବାକୁ ଚାହୁଁ ନାହାନ୍ତି। ଗତ ସେପ୍ଟେମ୍ବର ମାସରେ ପିଆଜର ରପ୍ତାନି ଉପରେ ସରକାର କଟକଣା ଲାଗୁ କରିଥିଲେ। ତଥାପି ପରିସ୍ଥିତିରେ ସୁଧାର ଆସୁନାହିଁ। ପରିସ୍ଥିତି ସମ୍ଭାଳିବାକୁ ଏବେ ଇଜିପ୍ଟରୁ ୬୦୯୦ ଟନ ପିଆଜ ଆମଦାନୀ କରାଯାଉଛି। ଯଦି ପିଆଜ ମହଜୁଦ ଅଛି, ତାହେଲେ ଆମଦାନୀ ର ଆବଶ୍ୟକତା କଣ? ଏଠି କେହି ନା କେହି ତ ମିଛ କହୁଛି।

ପିଆଜ ର କଳା ବଜାର ପାଇଁ ବେଆଇନ ଭାବରେ ବ୍ୟବସାୟୀମାନେ ଏହାର ଯୋଗାଣକୁ ବ୍ୟାହତ କରୁଥିବାର ଅଭିଯୋଗ ଆସୁଛି। ସରକାରୀ ନିୟମ ଅନୁଯାୟୀ ଜଣେ ଖୁଚୁରା ପିଆଜ ବ୍ୟବସାୟୀ ୧୦୦ କୁଇଣ୍ଟାଲ ଓ ହୋଲସେଲର ୫୦୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ପିଆଜ ଗୋଦାମ ତଥା ବ୍ୟବସାୟୀଙ୍କ ଉପରେ ଚଢାଉ କରି ଏହି ନିୟମକୁ କଡାକଡି ଲାଗୁ କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର ରହିଛି। ଓଡିଶାରେ ଏଥିପାଇଁ ଯୋଗାଣ ବିଭାଗ କିଛି କରୁଛନ୍ତି ନା କେବଳ ହାତକୁ ହାତ ବାନ୍ଧି ବସିଛନ୍ତି ତାହା ମଧ୍ୟ ଏକ ବଡ ପ୍ରଶ୍ନ।

ନଭେମ୍ବର ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଅହମଦନଗର ର ଜଣେ ପିଆଜ ଚାଷୀ କାନ୍ଦି କାନ୍ଦି କହୁଥିଲେ, ସେ ପିଆଜ କିଲୋ ମାତ୍ର ୮ ଟଙ୍କାରେ ବିକ୍ରି କରୁଛନ୍ତି। ଶ୍ରମିକଙ୍କୁ ମୂଲ ଦେବାଲାଗି ତାଙ୍କର ସାମର୍ଥ୍ୟ ନାହିଁ। ହେଲେ ଖାଉଟି ଶହେ ଟଙ୍କାରେ ପିଆଜ କିଣି ଖାଉଛି। ଚାଷୀର ୮ ଟଙ୍କା ଓ ଖାଉଟିର ୧୦୦ ଟଙ୍କା ଭିତରେ ଯେଉଁ ୯୨ ଟଙ୍କାର ମୁନାଫା, ତାକୁ ଖାଉଛି କିଏ? ଏ ପ୍ରଶ୍ନ ବା ପଚାରିବ କିଏ? ସରକାରକୁ ପ୍ରଶ୍ନ ପଚାରିବା ଯେହେତୁ ଦେଶଦ୍ରୋହ, ତେଣୁ ଏ ପ୍ରଶ୍ନ ନିଜେ ନିଜକୁ ହିଁ ପଚରାଯାଉ!!

Categories
ବିଶେଷ ଖବର

ପଞ୍ଚତାରକା ହୋଟେଲରେ ବେଚାରା ଗଣତନ୍ତ୍ରର ଉଲଗ୍ନ ଫେଶନ ଶୋ, ଜୟ ହୋ!! 

କେଦାର ମିଶ୍ର 

ଗତ ପାଞ୍ଚବର୍ଷ ଭିତରେ ଟେଲି ଗଣମାଧ୍ୟମର ବ୍ୟାପକ ଅବକ୍ଷୟ ଘଟିଥିବା ବେଳେ, ଅନ୍ତତଃ କେତୋଟି ଇଂରାଜୀ ସଂବାଦପତ୍ର ନିଜର ମେରୁଦଣ୍ଡକୁ ସଳଖ ରଖିବାରେ ସମର୍ଥ ହୋଇଛନ୍ତି। ସେଇ ଅଳ୍ପ କେତୋଟି ସମ୍ବାଦପତ୍ର ଭିତରୁ କଲିକତାରୁ ପ୍ରକାଶ ପାଉଥିବା “ଦି ଟେଲିଗ୍ରାଫ” ଅନ୍ୟତମ। ଖବର ପରିବେଷଣ କରିବା ସମୟରେ ସବୁଠୁ ଶକ୍ତିଶାଳୀ ଶିରୋନାମା ଲେଖିବାରେ ଏହି ଖବର କାଗଜ ଇତିହାସ ସୃଷ୍ଟି କରିଛି। ଏହାର ସର୍ବଶେଷ ଉଦାହରଣ ହେଉଛି, ଗତକାଲି ମହାରାଷ୍ଟ୍ର ରାଜନୀତିକୁ ନେଇ “ଦି ଟେଲିଗ୍ରାଫ” ର ଶିରୋନାମା। “ଆଧୁନିକ ଭାରତର ମନ୍ଦିର; ହୋଟେଲ ହେଉଛି ଏକମାତ୍ର ସଂସ୍ଥା ଯେଉଁଠି ଆମର ଗଣତନ୍ତ୍ର ସୁରକ୍ଷିତ”।

ମହାରାଷ୍ଟ୍ର ରାଜନୀତିରେ ଯେଉଁ ହଟ ଚମଟ ଚାଲିଛି, ସେଥିରେ ସବୁଦଳ ନିଜ ନିଜ ବିଧାୟକମାନଙ୍କୁ ବିଭିନ୍ନ ତାରକା ହୋଟେଲ ଗୁଡିକରେ ଲୁଚାଇ ରଖିଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଫଳ ବାହାରିବା ପରଠୁ ସବୁ ଦଳର ବିଧାୟକମାନେ ଏ ହୋଟେଲରୁ ସେ ହୋଟେଲ ନିଜର ଶିବିର ବଦଳାଇ ଚାଲିଛନ୍ତି। କ୍ଷମତାର ଅହଂକାର ଓ ସରକାର ଗଢିବା ଲାଗି ଟଙ୍କା ଖେଳର ଉଲଗ୍ନ ନାଟକ ଆମେ ସମସ୍ତେ ଦେଖୁଛୁ। ତେବେ ଦେଖଣାହାରୀ ଭାବରେ କିଛି ଲୋକ ଏହାକୁ ନେଇ ଭାରି ଖୁସି। ଅନ୍ତତଃ ଗଣତନ୍ତ୍ରର ଏହି ଉଲଗ୍ନ ଫେଶନ ଶୋ ଦେଖିବା ଓ ଦେଖାଇବାରେ ଟେଲିଭିଜନ ସାମ୍ବାଦିକତାର ପ୍ରବଳ ଆସକ୍ତି। ବିକାକିଣା ଓ ଘୋଡା ବେପାରର ଏହି ଅନୈତିକ କେହି କେହି ମାଷ୍ଟର ଷ୍ଟ୍ରୋକ ବୋଲି ବି କହୁଛନ୍ତି। ଯଦି ଚୋରାରେ ରାତି ଅଧିଆ ସରକାର ଗଢିବା, ଦଳ ଓ ପରିବାର ଭାଙ୍ଗି କ୍ଷମତା ଦଖଲ କରିବା ଯଦି ମାଷ୍ଟର ଷ୍ଟ୍ରୋକ ହୁଏ, ତାହେଲେ ଏହା ଗଣତନ୍ତ୍ର ଲାଗି ସବୁଠୁ ଭୟଙ୍କର “ବ୍ରେନ ଷ୍ଟ୍ରୋକ” ମଧ୍ୟ ହୋଇପାରେ। ମସ୍ତିସ୍କରେ ଆଘାତ ଲାଗିଲେ ମଣିଷ ପକ୍ଷାଘାତ ରୋଗ ଭୋଗିଥାଏ। ଆଜି ଆମ ଗଣତନ୍ତ୍ର ସେହି ପକ୍ଷାଘାତ ପୀଡିତ ଅବସ୍ଥାରେ ପଡିଛି।

ଯେତେବେଳେ ବି ଆଜିର କ୍ଷମତା ଯୁଦ୍ଧ କଥା ଉଠୁଛି, ସେତେବେଳେ ଅଶି ଦଶକରେ କଂଗ୍ରେସର ଚେହେରା ମଧ୍ୟ ଦିଶୁଛି। କଂଗ୍ରେସର କଳଙ୍କ ଆଜି ବିଜେପିର ଆଦର୍ଶ ପାଲଟି ଯାଇଛି। ବିଧାୟକ ବିକାକିଣାର ସବୁଠୁ ବଡ ବଜାରରେ ବିଜେପି ହେଉଛି ଆମ ସମୟର ସବୁଠୁ ବଡ ଖରିଦଦାର। ମହାରାଷ୍ଟ୍ର ତ ଆଜିର କଥା। ଆଜି ହୁଏତ ସୁପ୍ରିମ କୋର୍ଟଙ୍କ ପାଖରେ ବିଚାର ପାଇଁ ସମୟ ଅଛି। ଆଉ ସେ ସମୟ ଭିତରେ ବିକାକିଣାର ପର୍ୟାପ୍ତ ସୁଯୋଗ ରହିଛି।

ମାସ ମାସ ଧରି ସରକାର ହୋଇ ପାରୁନଥିବା ମହାରାଷ୍ଟ୍ରରେ ରାତି ଅଧିଆ ସରକାର ହେଉଛି। ଯିଏ ତାଙ୍କ ସହିତ ୫୪ ଜଣ ବିଧାୟକ ଅଛନ୍ତି ବୋଲି ରାଜ୍ୟପାଳ ଓ ସୁପ୍ରିମ କୋର୍ଟଙ୍କୁ ଲେଖିକି ଦେଇଛନ୍ତି,ତାଙ୍କ ପାଖରେ ତାଙ୍କ ନିଜ ବ୍ୟତୀତ ଆଉ କେହିବି ନାହାନ୍ତି। ତେବେ ଏହାର ବିଚାର କରିବା କିଏ? ଆଇନ ଅନୁସାରେ ବିଧାନସଭାର ଗୃହ ଭିତରେ ହିଁ ଏହାର ଚୂଡାନ୍ତ ନିଷ୍ପତ୍ତି ହେବ। ହେଲେ ବିଧାନସଭା ଅଛି କି? ବିଧାୟକମାନେ ନିର୍ବାଚିତ ସିନା ହୋଇଛନ୍ତି, ସେମାନେ ବିଧାୟକ ଭାବରେ ଶପଥ ନେଇ ନାହାନ୍ତି। ଶପଥ ନ ନେବା ଯାଏ ସେମାନେ ବିଧାୟକ ଭାବରେ ଭୋଟ ଦେବେ କେମିତି? ଏବେ ବିଧାନସଭା ବାଚସ୍ପତି କିଏ ହେବେ? ଅବଶ୍ୟ କର୍ଣ୍ଣାଟକରେ କାମଚଳା ବାଚସ୍ପତିଙ୍କ ଅଧୀନରେ ସଂଖ୍ୟା ଗରିଷ୍ଠତାର ପରୀକ୍ଷା ହୋଇଥିଲା। ମହାରାଷ୍ଟ୍ରରେ ମଧ୍ୟ ତାହା ହୋଇପାରେ। ହେଲେ ୨୮୮ ବିଧାୟକ ଶପଥ ନେବାକୁ ସମୟ ଲାଗିବ। ଶପଥ ନେଲା କ୍ଷଣି ବିଧାୟକମାନେ ଦଳବଦଳ ନିରୋଧ ଆଇନର ପରିସରରେ ରହିବେ। ତେଣୁ ଅଜିତ ପାୱାରଙ୍କ ପାଖରେ ଅତିକମରେ ୩୬ ବିଧାୟକଙ୍କ ସମର୍ଥନ ଦରକାର। ୩୬ ବିଧାୟକ କିଣିବା ଲାଗି ଏ ସମୟ ଅତି ଜରୁରୀ।

ତେଣୁ ବିଧାୟକମାନେ ମାନେ ଏବେ ହୋଟେଲ ର ବନ୍ଦ କୋଠରୀରେ ଗଣତନ୍ତ୍ରର ସମାଧି ତିଆରି କରୁଛନ୍ତି। ବର୍ଷ ବର୍ଷ ଧରି ଏ ନାଟକ ଚାଲିଛି। ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, କର୍ଣ୍ଣାଟକ ଓ ମହାରାଷ୍ଟ୍ର- ସବୁ ରାଜ୍ୟରେ କ୍ଷମତା ଦଖଲ କରିବାକୁ ବିଜେପି ଖୋଲା ବିଧାୟକ ବଜାର ନିର୍ମାଣ କରିଛି। ଗୁଜରାଟ ରାଜ୍ୟସଭାରେ ଅହମ୍ମଦ ପଟେଲଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରାଇନଦେବା ଲାଗି କଂଗ୍ରେସ ବିଧାୟକମାନଙ୍କୁ ଏ ହୋଟେଲରୁ ସେ ହୋଟେଲ ବିଲେଇ ଭଳି ଅଦଳ ବଦଳ କରାଗଲା। ଖାଲି ହୋଟେଲ ରେ ବିଧାୟକ ରହିଲେ, ହେଉନାହିଁ। ଏମାନଙ୍କ ପଛରେ କେନ୍ଦ୍ର ସରକାରଙ୍କ ଇଡି, ସିବିଆଇ, ଆୟକର ବିଭାଗ ମଧ୍ୟ ଲାଗିଛନ୍ତି। ଏ ପ୍ରକାର ଘୋଡା ବେପାର ଦେଖି ଗୋଟେ ସମୟରେ ଲୋକେ ଲଜ୍ଜିତ ହେଉଥିଲେ। ଗଣମାଧ୍ୟମ ଏ ପ୍ରକାର ଘଟଣାକୁ ଭର୍ତ୍ସନା କରୁଥିଲା। ଏବେ କିନ୍ତୁ ଗଣମାଧ୍ୟମରେ ଏହା ମାଷ୍ଟରଷ୍ଟ୍ରୋକ ଭାବେ ପ୍ରଚାରିତ ହେଉଛି। ସବୁଠୁ ବେଆଇନ, ସମ୍ବିଧାନ ବିରୋଧୀ ଓ ଅନୈତିକ ବିଧାୟକ କାରବାରକୁ ଚାଣକ୍ୟ ନୀତି ବୋଲି କୁହାଯାଉଛି।

ଆଜି ପ୍ରଶ୍ନ ଉଠୁଛି, ଏ ପ୍ରକାର ଉଲଗ୍ନ ଫେଶନ ଶୋ ରୁ ଆମର ଗଣତନ୍ତ୍ର ମୁକ୍ତ ହୋଇ ପାରିବ କି? ବିଧାୟକ ବିକାକିଣାର ରାଜନୀତି ବିରୋଧରେ ଦେଶର ସବୁ ଅନୁଷ୍ଠାନ (ସୁପ୍ରିମ କୋର୍ଟଙ୍କ ସମେତ) ଚୁପ ରହିବେ ନା ଏହାକୁ ସବୁଦିନ ଲାଗି ବନ୍ଦ କରିବାର ଏକ ବାଟ ବାହାରିବ? ରାଜୀବ ଗାନ୍ଧୀଙ୍କ ସମୟରେ ଯେଉଁ ଦଳ ବଦଳ ନିରୋଧ ଆଇନ ଆସିଥିଲା, ସେଥିରେ ଅନେକ ଗଳା ବାଟ ରହିଛି। ତାହାର ସଂଶୋଧନ ହେଉ ନାହିଁ କାହିଁକି?

Categories
ବିଶେଷ ଖବର

ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାରଙ୍କ ପାଇଁ ବିଜେପିର ସ୍ଵତନ୍ତ୍ର ମଇଳା ଧୁଆ ପାଉଡର; ଦାଗ ଅଚ୍ଛେ ହୈ

କେଦାର ମିଶ୍ର

ଚାର୍ଲ୍ସ ମୋରିସ ତେଲେରାଁ ବୋଲି ଜଣେ ପ୍ରସିଦ୍ଧ ଫରାସୀ ରାଜନେତା ଥିଲେ। ରାଜନୀତିର ଭାଷାକୁ ନେଇ ତାଙ୍କର ଏକ ପ୍ରସିଦ୍ଧ ଆପ୍ତବାକ୍ୟ ହେଉଛି- “ଯଦି ଜଣେ ରାଜନେତା “ହଁ” କହେ, ତାର ଅର୍ଥ ହେଉଛି “ହୋଇପାରେ”। ଯଦି “ହୋଇପାରେ” ବୋଲି କହେ, ତା ଅର୍ଥ ହେଉଛି “ହେବନି”। ହେଲେ “ହେବନି” ବୋଲି ଯେଉଁ ନେତା କହେ, ସେ ରାଜନେତା ହେବାକୁ ଅଯୋଗ୍ୟ।“। ତେଲେରାଁଙ୍କର ଏହି ପ୍ରସିଦ୍ଧ ଉକ୍ତି କିନ୍ତୁ ଜଣକ ପାଖରେ ବିଫଳ ହୋଇଛି, ସେ ହେଉଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ୨୬ ସେପ୍ଟେମ୍ବର, ୨୦୧୪ରେ ଫଡନବିସ ଲେଖିଥିଲେ, “ଏନସିପି ସହ ସମ୍ପର୍କ କେବେ ନୁହେଁ, କେବେ ନୁହେଁ, କେବେ ନୁହେଁ। କାରଣ ଏନସିପି ଏକ ଭ୍ରଷ୍ଟାଚାରୀ ଦଳ ଓ ତାଙ୍କ ବିରୋଧରେ ଆମେ ଜୀବନ ତମାମ ଲଢି ଆସିଛୁ।“ ଆଜି ରାତାରାତି ଏନସିପିକୁ ଭାଙ୍ଗି ଅଜିତ ପାୱାରଙ୍କ ସହ ସରକାର ଗଢିଲା ବେଳେ ବିଜେପି ବା ଫଡନବିସ, ଅବଶ୍ୟ ଏହାର ଉତ୍ତର ଦେବେ ନାହିଁ।

ମହାରାଷ୍ଟ୍ରରେ ସରକାର ଗଢିବା ଏକ ରାଜନୈତିକ ବାଧ୍ୟବାଧକତା ଥିଲା, ତେଣୁ ସେଠାରେ ନୀତି ନୈତିକତାର ମୂଲ୍ୟ କିଛି ନାହିଁ ବୋଲି ବିଜେପିର ଯୁକ୍ତିରେ ଅବଶ୍ୟ ଦମ ଅଛି। କାରଣ ସେଠି ବିଜେପି-ଶିବସେନା ମେଣ୍ଟ ବ୍ୟତୀତ  ଯିଏ ବି ସରକାର ଗଢିଥାନ୍ତା, ତାହା ଏକ ଅସାଧୁ ମେଣ୍ଟ ହିଁ ହୋଇଥାନ୍ତା। ବିଜେପି ଟିକେ ଅଧିକ ଚାଲାକ ହୋଇ ନିଜର ଅସାଧୁତାକୁ ପ୍ରମାଣିତ କଲା! ଅବଶ୍ୟ ବିଜେପି ଏ ପ୍ରକାର ଅସାଧୁ ରାଜନୀତିରେ ଦକ୍ଷତା ହାସଲ କରି ସାରିଛି। ଯେ କୌଣସି ଉପାୟରେ ସରକାର ଗଢିବାର କୌଶଳ ଏବେ ବିଜେପିର ସବୁଠୁ ବଡ ତାକତ ବୋଲି କୁହା ଯାଉଛି। ସେଥିପାଇଁ ବିଜେପି ନେତା ରାମ ମାଧବ କହିଥିଲେ ଯେ – “ ଆମେ ନିର୍ବାଚନ ନ ଜିତି ମଧ୍ୟ ଆଜି ସରକାର ଗଢି ପାରୁଛୁ, କାରଣ ଆମ ପାଖରେ ଅମିତ ଶାହ ଅଛନ୍ତି।“

ଆଜି ସରକାର ଗଢା ସରିଛି। ବିଧାନସଭାରେ କିଏ ଜିତିବ ହାରିବ ତାକୁ ନେଇ ଏବେ କଲ୍ପନା ଜଳ୍ପନା ଲାଗିବ। ମହାରାଷ୍ଟ୍ର ଏବେ ଏକ ଖୋଲା ଘୋଡା ବଜାର ଓ ବିଧାୟକମାନେ ଘୋଡା ହୋଇ  ନିଜର ବିଷୟରେ ମୂଲଚାଲ କରିବାର ପର୍ୟାପ୍ତ ସୁଯୋଗ ପାଇବେ। ବିକାକିଣାର ବଜାର ବଢିଆ ଜମିବ। ହେଲେ ତା ଭିତରେ ଗୋଟେ ପ୍ରଶ୍ନ ବାରମ୍ବାର ଉଠିବ- ଏବେ ଅଜିତ ପାୱାରଙ୍କ ପାପ ଧୋଇ ହୋଇଗଲା କି? ମହାରାଷ୍ଟ୍ର ରାଜନୀତିରେ ବିଜେପିର ଏକ ନିତିଦିନିଆଁ ସ୍ଲୋଗାନ ଥିଲା- ଅଜିତ ପାୱାରଙ୍କୁ ଆମେ ଜେଲରେ ପୂରେଇବୁ।

ଜେଲ ପରିବର୍ତ୍ତେ ଏବେ ଅଜିତ ପାୱାର ବିଜେପି ସରକାର ଗଢିବାରେ ବିଭୀଷଣ ଭୂମିକା ନେଇଛନ୍ତି। ତେଣୁ ୟା ପରେ ତାଙ୍କୁ ନେଇ ଜଳସେଚନ ବିଭାଗର ବ୍ୟାପକ ଘୋଟାଲା,  ସମବାୟ ବ୍ୟାଙ୍କ ଘୋଟାଲା ଇତ୍ୟାଦିର କଣ ହେବ? ମୋଦୀ ଏକଦା ନରେନ୍ଦ୍ର ମୋଦୀ ଏନସିପିର ପୂରା ଅର୍ଥ କରିଥିଲେ-ନେସନାଲିଷ୍ଟ କରପ୍ଟ ପାର୍ଟି। ଆଜି ସେ “କରପ୍ଟ ପାର୍ଟି”ର ସର୍ଦ୍ଦାର ତାଙ୍କ ଦଳର ସହଯୋଗୀ। ଅଜିତ ପାୱାରଙ୍କ ପଛରେ ଅମିତ ଶାହଙ୍କ ଇଡି, ସିବିଆଇ ଲାଗି ପଡିଥିଲେ। ଏବେ ସେମାନେ ଶାନ୍ତିରେ ରହିବେ।

ତେବେ ଆମର ଅନୁଭବ କହୁଛି, ବିଜେପି ପାଖରେ ଏକ ସ୍ଵତନ୍ତ୍ର ମଇଳା ଧୁଆ ପାଉଡର ରହିଛି। ଯିଏ ଯେଉଁଠି ଥାଇ ଯେତେ ଦୁର୍ନୀତି କଲେ ମଧ୍ୟ, ସେ ଯଦି ବିଜେପିକୁ ଆସିଲା, ତାର ସବୁ ପାପ, କଳଙ୍କ ଓ ମଇଳା ଧୋଇ ହୋଇଯିବ। ଆସାମରେ ହେମନ୍ତ ବିଶ୍ଵା ଶର୍ମା, ପଶ୍ଚିମ ବଙ୍ଗରେ ମୁକୁଲ ରାୟ, ହରିଆଣାରେ ଗୋପାଳ କାଣ୍ଡା ଓ ଦୁଷ୍ୟନ୍ତ ଚୌତାଲା ପ୍ରମୁଖ ଏହାର ଜ୍ଵଳନ୍ତ ଉଦାହରଣ। ଏମାନେ ଅନ୍ୟ ଦଳରେ ଥିବା ଯାଏ ଦୁର୍ନୀତିଖୋର ଥିଲେ, ବିଜେପିରେ ମିଶିଲା ପରେ ଏବେ ସେମାନଙ୍କ କଳଙ୍କ ଧୋଇ ହୋଇ ଯାଇଛି।

ଏଇଟା ହୁଏତ ଶୁଣାକଥା ହୋଇପାରେ, ହେଲେ ଟୁଇଟରରେ ଜଣେ ବନ୍ଧୁ ଲେଖିଛନ୍ତି- ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପୂର୍ବରୁ ଅମିତ ଶାହ ପଠାଇଥିବା ଏକ ସ୍ଵତନ୍ତ୍ର ମଇଳାଧୂଆ ପାଉଡର ଘଷି ତାଙ୍କୁ ସଫା କରାଯାଇଛି। ଆଜିଠୁ ଅଜିତଙ୍କର ସବୁ ଦୁର୍ନୀତିର ଅର୍ଥ ହେଉଛି- “ଦାଗ  ଅଚ୍ଛେ ହୈ”। ଯଦି ଅଜିତ ପାୱାର ଶିବସେନା ସାଙ୍ଗେ ଉପ ମୁଖ୍ୟମନ୍ତ୍ରୀ ରହିଥାନ୍ତେ, ତାହେଲେ ବିଜେପି ତାଙ୍କ ପଛରେ ଇଡି, ସିବିଆଇକୁ ଲଗାଇ ତାଙ୍କୁ ରକ୍ତାକ୍ତ କରିଥାନ୍ତା। ଆଜି ସେ ବି ଖୁସି, ବିଜେପି ମଧ୍ୟ ଖୁସି।

ବାକି ମଝିରେ ରହିଲେ ବିଜେପିର ଟ୍ରୋଲ ଓ ଭକ୍ତ ମାନେ। ଏମାନେ ଆଜିଠୁ ଉଦ୍ଧବ ଥାକରେଙ୍କ ଚଉଦ ପୁରୁଷ ଙ୍କ ଶ୍ରାଦ୍ଧ କରିବା ସହିତ ଅଜିତ ପାୱାର ସହସ୍ରନାମ ଲେଖିବା ଆରମ୍ଭ କରିବେ!!

Categories
ବିଶେଷ ଖବର

ନମାମି ନବକୃଷ୍ଣ: ଭାରତର ରାଜନୀତିରେ ନିର୍ବିକଳ୍ପ ନୈତିକତାର ମହାନେତା, ନବକୃଷ୍ଣ ଚୌଧୁରୀ

କେଦାର ମିଶ୍ର-

ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର।  ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା। ବର୍ଷା ଦିନେ ପାଣି ଗଳୁଥିବା ସେ କୁଡ଼ିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢ଼ା ବୁଢ଼ୀ ଦି ଜଣ ରହୁଥିଲେ। ଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡ଼ିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକା। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା। ଏ ନାଁ ସହ ଓଡ଼ିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି। ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ। କ୍ଷମତାର ସବୁଠୁ ବଡ଼ ଆସନରେ ବସି ମଧ୍ୟ ତ୍ୟାଗକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବାପି ଥିଲେ – ସ୍ୱାଧିନ ଓଡ଼ିଶାର ପ୍ରଥମ ରାଜସ୍ୱ ମନ୍ତ୍ରୀ ଓ ୧୯୫୦ ରୁ ୧୯୫୬ ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ପଦବୀ ଓ କ୍ଷମତାର ଅହଂକାର ନବ  ଚୌଧୁରିଙ୍କୁ କେବେବି ଛୁଇଁ ପାରିନଥିଲା। ସେ ଜମିଦାର ପରିବାରରେ ଜନ୍ମ ନେଇ ଜୀବନ ତମାମ ଜମିଦାରୀ ବିରୋଧରେ ଲଢ଼ିଥିଲେ।  ପ୍ରାଚୁର୍ଯ୍ୟ ଭିତରେ ବିତିଥିବା ପିଲାଦିନକୁ ଭୁଲି ଜଣେ ସାଧାରଣ କୃଷକର ଜୀବନ ବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଜମିରେ ହଳ କରି, ଅନୁଗୁଳ ସହରରେ କ୍ଷୀର ବିକି ସେ ତାଙ୍କର ଜୀବିକା ନିର୍ବାହ କରିଛନ୍ତି। ରାଜନୀତି କ୍ଷମତା ହାସଲର ଷଡ଼ଯନ୍ତ୍ର ନୁହଁ, ଏହା ତ୍ୟାଗ ଓ ମାନବ ସେବାର ତପସ୍ୟା, ଏକଥା ନବ ବାବୁଙ୍କ ଜୀବନ ପ୍ରମାଣିତ କରିଛି। ଲୋକଙ୍କ ସହ ଓ ଲୋକଙ୍କ ପାଇଁ ରାଜନୀତି କରିଥିବା ନବକୃଷ୍ଣ ଚୌଧୁରୀ, ଭାରତର ରାଜନୀତିରେ ଅନ୍ୟତମ ନିଷ୍କଳଙ୍କ ଋଷି।

– ନବକୃଷ୍ଣଙ୍କ ବାପା- ଗୋକୁଳାନନ୍ଦ ରାୟ ଚୌଧୁରୀ, ଓଡ଼ିଶାର ନାମଜାଦା ଓକିଲ ଓ ଜମିଦାର। ଅଥଚ ତାଙ୍କର ପୂରା ପରିବାର ସାମନ୍ତବାଦ ବିରୋଧରେ ସଂଘର୍ଷ କରିଛନ୍ତି। ଜଗତସିଂହପୁର ଜିଲ୍ଲାର ଖେରସ ଗାଁ ରେ ନବକୃଷ୍ନଙ୍କ ଜନ୍ମ ୨୩, ନଭେମ୍ବର , ୧୯୦୧ ମସିହାରେ। ବଡ଼ ଭାଇ ଗୋପବନ୍ଧୁ ଚୌଧୁରୀ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି। ଭାଉଜ ରମା ଦେବୀ, ସାରା ଓଡ଼ିଶାବାସୀଙ୍କ ଅତି ଆଦରର ମାଁ। ପିଲାବେଳେ ନବକୃଷ୍ଣ ଥିଲେ ବେଶ୍ ସୁକୁମାର। ତାଙ୍କ ଝିଆରୀ ତଥା ଓଡିଶାର ଅନ୍ୟତମ ମହାନ ସ୍ବାଧିନତା  ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା  ତାଂକ ଆତ୍ମଜୀବନୀ ରେ ଲେଖିଛନ୍ତି- ବାପି ପିଲାବେଳେ ବେଶ୍ ରାଗି ଥିଲେ। ସରୁ ଚକୁଳି ଟିକେ ମୋଟା ହେଲେ ଫୋଫାଡି ଦେଉଥିଲେ। ସେ ବାପି ଗାନ୍ଧୀ ଆଶ୍ରମରେ ବଗଡା ଖାଇ, ସପ ବିଛେଇ ଜୀବନ ତମାମ୍ ଶୋଇଲେ ।

– ରେଭେନଶା  କଲେଜ ରେ ପଢୁଥିବା ସମୟରେ ଗାଂଧିଜିଂକ ଡାକରାରେ ପାଠ ପଢ଼ା ଛାଡ଼ି ସେ ବାପୁଂକ ସାବରମତୀ ଆଶ୍ରମରେ ଯୋଗଦାନ କରନ୍ତି । ଗାଂଧିଂକ ରଚନାତ୍ମକ କାର୍ୟକ୍ରମ କୁ  ଓଡିଶାର ଗାଁ ଗାଁ ରେ ପ୍ରସାରିତ କରିବାରେ ସେ ପ୍ରମୁଖ ଭୂମିକା ନିଅନ୍ତି। ୧୯୨୨ ରୁ ଜୀବନର ଶେଷ ନିଶ୍ବାସ ଯାଏ ଗାନ୍ଧି ଆଦର୍ଶର ସେ ଥିଲେ ଅଗ୍ରଣୀ ନାୟକ ।

– ଦେଶର ସ୍ବାଧିନତା ଆନ୍ଦୋଳନରେ ଯୋଗଦାନ କରି ୧୯୩୦, ୧୯୩୨, ୧୯୪୦ ଓ ୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ସେ କାରା ବରଣ କରିଛନ୍ତି ।  ଏପରିକି ସ୍ବାଧୀନ ଭାରତରେ ବି ତାଂକୁ ଜେଲ୍ ଯିବାକୁ ପଡିଛି  ।  ଜରୁରୀ କାଳୀନ ପରିସ୍ଥିତି କୁ ବିରୋଧ କରିବାରୁ ସେତେବେଳେ ତାଂକୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା ।

– ୧୯୨୫ ରେ ସେ କବି ଗୁରୁ ରବିନ୍ଦ୍ରନାଥ ପ୍ରତିଷ୍ଠିତ ଶାନ୍ତି ନିକେତନ ରେ ସ୍ନାତକ ପରୀକ୍ଷା ଦେଲେ । ସେଇଠି ମାଳତି ଦେବୀଂକ ସହ ତାଂକର ପ୍ରେମ ଓ ପରିଣୟ।ସଂଘର୍ଷ ଓ ତ୍ୟାଗର ଜୀବନ ପଥରେ ଉଭୟେ ଥିଲେ ପରଷ୍ପର ର ପରିପୂରକ ।

– ୧୯୩୭ ମସିହାର ସାଧାରଣ ନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଭାବେ ସେ ତିର୍ତୋଲ୍-ଏରସମା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେଲେ । ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନରେ ସେ କେନ୍ଦ୍ରାପଡା ରୁ ବିଧାନ ସଭାକୁ ଆସିଲେ ଓ କଂଗ୍ରେସ ସରକାରରେ ଓଡିଶାର ପ୍ରଥମ ରାଜସ୍ବ, ଯୋଗାଣ ଓ ଜଂଗଲ ବିଭାଗର ମନ୍ତ୍ରୀ ଦାୟିତ୍ବ ନେଲେ । କ୍ଷମତା ରାଜନୀତି ଓ ନବ ବାବୁଂକ ସମ୍ପର୍କ ସବୁବେଳେ ଜଟିଳ । କ୍ଷମତା ତାଂକ ପଛରେ ଗୋଡେଇ  ଥିବା ବେଳେ ସେ କ୍ଷମତା କୁ ଫାଂକିଦେଇ ଦୌଡି  ପଳାନ୍ତି। ଅଳ୍ପ ସମୟ ମନ୍ତ୍ରୀ ରହିବା ପରେ ସେ ଇସ୍ତଫା ଦିଅନ୍ତି।

– ୧୯୫୦ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପୁଣି ଥରେ ନବକୃଷ୍ନଂକ ଉପରେ ଚାପ ପକାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ । ଅନେକ ଦ୍ବିଧା ପରେ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ଭାବେ ୧୨ , ମଇ , ୧୯୫୦ ରେ  ଦାୟିତ୍ବ ନିଅନ୍ତି । ୧୯, ଅକ୍ଟୋବର ୧୯୫୬ ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଥିଲେ ।

– ଓଡିଶାର ମୌଳିକ ସମସ୍ୟାକୁ ବୁଝିବା ଓ ତାର ରଚନାତ୍ମକ ସମାଧାନ ବାହାର କରିବାରେ ତାଂକ ପରି ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଆଉ ଓଡିଶା ଦେଖି ନାହିଁ  । ଜମିଦାରୀ ଉଛେଦ, ଭାଗଚାଷୀ ର ଭୂମି ଅଧିକାର, ଆଦିବାସୀ ଅଧିକାର, ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଅଂଚଳ ଶାସନ ବା ପଂଚାୟତି ରାଜ୍ ଓ ନିଶା ନିବାରଣ ଭଳି ମୌଳିକ କ୍ଷେତ୍ରର ଆଇନଗତ ସମାଧାନ ଖୋଜିବାରେ ସେ ଥିଲେ ଅନନ୍ୟ ଜନ ନାୟକ । ପ୍ରଶାସନ ଲୋକଂକ ପାଖକୁ ଯାଉ ବୋଲି ସେ ନିଷ୍ଠା ର ସହ ଚାହିଥିଲେ ଓ ସେଥିଲାଗି ନିଜେ ମୁଖ୍ୟମନ୍ତ୍ରୀ ଭାବେ ଗାଁ କୁ ଗାଁ ବୁଲୁଥିଲେ।

– ମୁଖ୍ୟମନ୍ତ୍ରୀ ଭାବରେ ହିରାକୁଦ ନଦୀ ବନ୍ଧ , ରାଉରକେଲା ଇସ୍ପାତ କାରଖାନା, ଓଡିଶା କୃଷି ମହାବିଦ୍ୟାଳୟ , ବୈଷୟିକ ମହାବିଦ୍ୟାଳୟ ଇତ୍ୟାଦି ତାଂକର ଅବଦାନ ।  ନିଷ୍ଠା ର ସହିତ ନୁଆ ଓଡିଶା ଗଠନରେ ମନୋନିବେଶ କରିଥିବା ନବ ବାବୁ ସେତେବେଳର କଂଗ୍ରେସ ରାଜନୀତିରେ ଥିଲେ ବ୍ୟତିକ୍ରମ। କ୍ଷମତା ଲଢେଇ ଓ ରାଜନୈତିକ ପଶାଖେଳର ଖେଳାଳୀ ହେବାକୁ ସେ କେବେ ଚାହିଁ ନଥିଲେ। ସେ ଯେଉଁ ଆଦର୍ଶ ଓ ନୈତିକତା ର ରାଜନୀତି କରୁଥିଲେ କଂଗ୍ରେସ୍ ତା’ଠୁ ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା। ଶେଷରେ ନବ ବାବୁ ୧୯ ଅକ୍ଟୋବର ୧୯୫୬ ରେ ଇସ୍ତଫା ଦେଇ ଚାଲିଗଲେ। କୁହାଯାଏ , ମୁଖ୍ୟମନ୍ତ୍ରୀ ପଦ ଛାଡିବାର ଅଳ୍ପ କେଇ ଘଣ୍ଟା ଭିତରେ ସେ ସରକାରୀ ଘର ଖାଲି କରି ନିଜ ଟିଣ ଟ୍ରଂକ ଟିକୁ ମୁଣ୍ଡେଇ ରେଳଗାଡିରେ ଅନୁଗୁଳ ଫେରି ଯାଇଥିଲେ।

– କ୍ଷମତା ଛାଡିଲା ପରେ ଆଉ ଥରେ ବି ପଛକୁ ଫେରି ଚାହିଁବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି।ବାକି ଜୀବନ ଲୋକଂକ ପାଇଁ ଲଢିଛନ୍ତି। ଧାଡିରେ ଠିଆ ହେଇ ରେଲ୍ ଟିକେଟ୍ କାଟିଛନ୍ତି  । ନିଜକୁ ଅସାଧରଣ ବୋଲି କହିବା ତ ଦୂରର କଥା, ଆଚରଣରେ ଅତି ସାଧାରଣ ଚାଷୀ ପରି ସେ ବନ୍ଚିଛନ୍ତି । କ୍ଷମତା ଅହଂକାର ରେ ଗଣତନ୍ତ୍ର ବିରୋଧରେ ଯିଏ ବି କାମ କରିଛି ତାଂକ ବିରୋଧରେ ନିର୍ଭୟ ଭାବେ ଛିଡା ହୋଇଛନ୍ତି ।

– ଅନ୍ତିମ ଜୀବନରେ ସାମ୍ୟବାଦ ଓ ସମାଜବାଦ ସହ ଗାନ୍ଧୀ ବାଦ କୁ ଯୋଡ଼ିବାର ଏକ ସାହସିକ ପ୍ରୟାସ ସେ କରୁଥିଲେ  । ଇନ୍ଦିରା ଗାଂଧିଂକ ଜରୁରୀ କାଳିନ ପରିସ୍ଥିତି ବିରୋଧରେ ତାଂକୁ ପରିଣତ ବୟସରେ ଜେଲ୍ ଯିବାକୁ ପଡିଲା  । ଜେଲ୍ ରେ ଥିବା ବେଳେ ତାଂକ ଦେହ ଖରାପ ହେବା ଆରମ୍ଭ କଲା। ୨୪ ଜୁନ୍ ୧୯୮୪ ମସିହାରେ ଏହି ଅନନ୍ୟ ଜନନେତା ମୃତ୍ୟୁ ବରଣ କଲେ।

ଓଡିଶାରେ ବହୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ହେବେ। ହେଲେ ନବକୃଷ୍ଣ  ଚୌଧୁରିଂକ ପରି ମୁଖ୍ୟମନ୍ତ୍ରୀ ଏକମାତ୍ର ଏବଂ ଅଦ୍ବୀତିୟ।

Categories
ବିଶେଷ ଖବର

ପିଆଜ କିଲୋ ସତୁରୀ ହେଉ କି ସାତ ଶହ, ଆମେ ଭାଇ ସରକାର ବିରୋଧରେ କିଛି କହିବୁ ନାହିଁ!!  

କେଦାର ମିଶ୍ର 

ପିଆଜ କିଲୋ ସତୁରୀ ଟଙ୍କା ହେଉ କି ସାତ ଶହ ଏ ବିଷୟରେ କିଛି କହିଲେ ମାନେ, ବିଜେପି ଭକ୍ତମାନେ ଆପଣଙ୍କ ତଣ୍ଟି କୁ ମାଡିବସିବେ। ଆପଣଙ୍କୁ କହିବେ- କୋଢିଆମାନେ, ଚାଷ କରୁନ! ମୋଦୀ କଣ ଏଠି ଆଳୁ ପିଆଜ ଦର ବୁଝିବାକୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି! ଭକ୍ତଙ୍କ ଭୟରେ ଆପଣ ପ୍ରତିବାଦ କରିବାକୁ ସାହସ ବି କରି ପାରିବେ ନାହିଁ।  ଆମର ମନେ ଅଛି, ଗତ ତିନି ମାସ ଭିତରେ  ପିଆଜ ଦର ଲେଖାଲେଖି କରି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଉଛୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ ସାଧାରଣ ଶ୍ରମିକ ବା କୃଷକର  ଅଧା ଦିନର ମଜୁରି ଯଦି କିଲେ ପିଆଜରେ ସରିଯାଏ, ତାହେଲେ ସେ ବଞ୍ଚିବ କେମିତି- ଏ ପ୍ରକାର ସମ୍ବେଦନା ଆମ ସମୟରେ ଆଉ ଦେଖିବାକୁ ମିଳୁନାହିଁ।

କଂଗ୍ରେସ ସମୟରେ ଯେତେବେଳେ ବି ଦରଦାମ ବଢିଛି, ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି। ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଗୋଟେ ସମୟରେ ଅଟଳ ବିହାରୀ ସରକାର ପିଆଜ ଦର ଲାଗି ହାରିଥିଲା। ମନମୋହନ ସିଂ ଲୋକଙ୍କ ଆସ୍ଥା ହରାଇବା ପଛରେ ମୁଦ୍ରାସ୍ଫୀତି ଏକ ବଡ କାରଣ ଥିଲା। କଂଗ୍ରେସ ସରକାର ସମୟରେ ପିଆଜ ଦର ଟଙ୍କାଟେ ବଢିଗଲେ ବିଜେପି ସଂସଦରୁ ସଡକ ହୁଲସ୍ତୁଲ କରି ପକାଉଥିଲା। ବିଜେପି ନେତା ଓ ଲୋକ ପ୍ରତିନିଧିମାନେ ପିଆଜ ଓ ଟମାଟୋ ମାଳ ବେକରେ ପକାଇ ଧାରଣାରେ ବସଥିଲେ। ହେଲେ ଆଜି ଦରବୃଦ୍ଧି ବିରୋଧରେ ପଦେ କହିବାକୁ ସାଧାରଣ ଜନତାର ଏତେ ଭୟ କାହିଁକି? ଲୋକଙ୍କ ଭିତରେ ପ୍ରତିବାଦ ମରିଯାଇଛି କାହିଁକି? ଦେଶର ସବୁ ପ୍ରସଙ୍ଗ ଓ ସଙ୍କଟକୁ ଆଜି କଂଗ୍ରେସ ବନାମ ବିଜେପି କରି ଭାଗ କରିଦିଆଯାଇଛି। ସରକାର ବିରୋଧରେ ଯେ କହିଲା ସେ କଂଗ୍ରେସର ଚାମଚା, ନଚେତ ଦେଶଦ୍ରୋହୀ। ତେଣୁ ଆଜି ଦରଦାମ ବଢିଲେ କାହାର କିଛି କହିବାର ନାହିଁ।

ଗତ ତିନିମାସ ଧରି ଅନିୟନ୍ତ୍ରିତ ଭାବରେ ପିଆଜ, ଡାଲି, ଖାଇବା ତେଲ ଇତ୍ୟାଦିର ଦର ବଢିଛି। ଏପଟେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହରାକୁ ଚାଲି ଯାଉଛି। ଅର୍ଥନୀତିର ସାଧାରଣ ନିୟମ ହେଉଛି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି ମାନେ, ଦର ଦାମ ବଢିବା କଥା ନୁହଁ। ତାହେଲ ବଢୁଛି କେମିତି? ଏହାର ଉତ୍ତର ହେବ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଯାଇ ଚାଷୀକୁ ସରକାର ଉଚିତ ମୂଲ୍ୟ ଦେଉ ନାହାନ୍ତି। ଅପରପକ୍ଷେ ପିଆଜର ଦଲାଲି ଓ କଳାବଜାରକୁ ନିୟନ୍ତ୍ରଣ କରାଯାଉନି। ପିଆଜର ଆବଶ୍ୟକତା ତୁଳନାରେ ବଜାରରେ କମ ଉତ୍ପାଦନ ଥିବାରୁ ଏହାର ଲାଭ ବ୍ୟବସାୟୀ ଉଠାଉଛି। ଚାଷୀ ବେଚାରା ଯେଉଁ କ୍ଷତିରେ ଥିଲା, ସେଇ କ୍ଷତିରେ ଆଜି ମଧ୍ୟ ରହିଛି। ସରକାର ମାସମାସ ଧରି କଳାବଜାରୀଙ୍କ ପେଟ ପୋଷି ଚାଲିଛନ୍ତି। ଏକଥା କହିଲେ, ଭକ୍ତଙ୍କ ମୁଣ୍ଡରେ ପିତ୍ତ ଚଢିଯିବ। ଦେଶର ଅର୍ଥନୀତି ଏମିତି ଗୋଟେ ଭୟଙ୍କର ସ୍ଥିତିରେ ପହଞ୍ଚିଛି, ଯେଉଁଠି କେତେବେଳେ କିଛି ବି ଘଟିପାରେ।

ଆମ ସରକାର ଅର୍ଥନୀତିକୁ ମଧ୍ୟ ନିଜର ଟ୍ରୋଲ ଜରିଆରେ ଚଳାଇବାକୁ ଚାହୁଁଛନ୍ତି। ଯାହାର ପରିଣତି ସ୍ଵରୂପ ଆମର ସାମାଜିକ ଓ ଅର୍ଥନୈତିକ ଜୀବନ ଘୋର ସଙ୍କଟ ଆଡକୁ ଗତି କରୁଛି। ଆଗରୁ ପିଆଜ ଦର ଅତି ବେଶୀରେ ମାସେ ବଢୁଥିଲା ଓ ନୂଆ ପିଆଜ ବଜାରକୁ ଆସିବା ପରେ ଦର ନିୟନ୍ତ୍ରଣକୁ ଚାଲି ଆସୁଥିଲା। ପ୍ରାୟ ତିନିମାସ ଧରି ଚଢା ଦରରେ ପିଆଜ ବିକ୍ରି ହେବା ଓ ଏହାର ଲାଭ, ଚାଷୀଙ୍କୁ ନ ମିଳିବା, ମୋଦୀ ସରକାରର ଅପାରଗତାକୁ ସୂଚେଇ ଦେଉଛି। ହେଲେ ଏକଥା ଯିଏ କହିବ, ସେ ଦେଶଦ୍ରୋହୀ ବୋଲାଇବ କିମ୍ବା ପାକିସ୍ତାନ ପଳା ବୋଲି ନୋଟିସ ପାଇବ!!

ତେଣୁ ଆମେ କହୁଛୁ- ପିଆଜ  କିଲୋ ସତୁରୀ ଟଙ୍କା ହେଉ କି ସାତଶହ , ଆମେ ଭାଇ ସରକାର ବିରୋଧରେ କିଛି ବି କହିବୁ ନାହିଁ।