Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଏବଂ ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ  ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଏକ ଜ୍ଞାନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଟଳ ଇନୋଭେସନ୍ ମିଶନ୍ ମାଧ୍ୟମରେ ବିଦ୍ୟାଳୟରୁ ଶିଳ୍ପ କାରଖାନା ଯାଏଁ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ସାକ୍ଷାତକାରରେ ଡକ୍ଟର ବେରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ବୈଠକରେ ନୀତି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ସର୍ବୋଚ୍ଚ ସ୍ତରରେ ଏକ ବ୍ୟାପକ ସହମତି ଭିତ୍ତିରେ ବିଭିନ୍ନ ଯୋଜନା ଉପରେ କ୍ରିୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ଏବଂ ଫଳାଫଳ ଆଧାରିତ ଯୋଜନା ଚୂଡ଼ାନ୍ତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ରା ପ୍ରସାଦ ସିଂ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆଜି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି। କିଛି ସମୟ ପୂର୍ବରୁ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ନକଭି ଇସ୍ତଫା ଦେଇଛନ୍ତି। ଏହାପରେ ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ସିଂ ରାଜ୍ୟସଭା ସଦସ୍ୟ ଥିଲେ। ତାଙ୍କର ସଦସ୍ୟତା ସମୟ ପୁରଣ ହେଉଥିବାରୁ ସେ ଇସ୍ତଫା ଦେଇଛନ୍ତି।

ଆଜି କ୍ୟାବିନେଟ ବୈଠକରେ ଉଭୟ ନକଭି ଏବଂ ସିଂ ଉପସ୍ଥିତ ଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ପ୍ରଶଂସା କରିଥିଲେ। ଏହି ବୈଠକ ପରେ ଉଭୟ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁକ୍ତାର ନକଭିଙ୍କୁ ମୋଦୀ ଏକ ବଡ ଦାୟିତ୍ବ ଦେଇପାରନ୍ତି।

Categories
ଆଜିର ଖବର ଜାତୀୟ ଖବର

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ହାଇଦ୍ରାବାଦ: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ସୋମବାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧା ଗୁଡିକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଡ଼ିଜିଟାଲ ଲର୍ଣ୍ଣିଂ ଏବଂ ଟ୍ରେନିଂ ରିସୋର୍ସେସ ଏବଂ ସ୍କୁଲ ଅଫ୍ ଫିଜିକ୍ସ ଏଣ୍ଡ୍ ସ୍କୁଲ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜିର ଉଦଘାଟନ କରିଛନ୍ତି। ଏହାସହ ଇଂରାଜି ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ(ଇଫ୍‌ଲୁ)ରେ ଅଡ଼ିଟୋରିୟମ ସହ ଏକ ବହୁମୁଖୀ ଇନଡ଼ୋର୍ ସ୍ପୋର୍ଟ୍ସ କମ୍ପଲେକ୍ସ ଏବଂ ଓପନ୍ ଆମ୍ପିଥିଏଟର ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ହେଇଛି ଅନେକ ନୂଜନ ଆଇଡ଼ିଆର ସମାହାର। ଜାତୀୟ ଶିକ୍ଷା ନୀତି-୨୦୨୦ ସୃଜନ ପ୍ରତିଭା ଏବଂ ଗଭୀର ଚିନ୍ତନକୁ ପ୍ରାଧାନ୍ୟ ଦେଇଥାଏ । ଏହି ଶିକ୍ଷା ନୀତି ଆଧାରରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଦରକାର। ଏହାସହ ବିଶ୍ୱବିଦ୍ୟାଳୟ ବୈଶ୍ୱିକ ନାଗରିକ ତିଆରି କରିବା, ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେବା ସହ ମାନବତାର କଲ୍ୟାଣ ପାଇଁ ଆମର ସଭ୍ୟତା ସଂଯୋଗକୁ ଦୃଢ଼ୀଭୂତ କରିବା ଦିଗରେ ବ୍ରତୀ ହେବା ଦରକାର।

ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବ। ତେଣୁ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ନିଜର ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଯୁବ ସମାଜକୁ ଦକ୍ଷତା ସହ ଯୋଡ଼ିବାକୁ ହେବ। ଯୁବବର୍ଗଙ୍କୁ ସଠିକ୍ ଦକ୍ଷତା ପ୍ରଦାନ କରାଗଲେ ଆର୍ôଥକ ଅଭିବୃଦ୍ଧି ହାସଲ ହୋଇପାରିବ। ଏହାବ୍ୟତିତ ଆମେ ସମସ୍ତେ ଆମର ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ଉଚିତ୍। କାରଣ ସବୁ ଭାରତୀୟ ଭାଷା ଆମର ରାଷ୍ଟ୍ରଭାଷା। ଓଡିଆ, ହିନ୍ଦୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ମରାଠୀ, ଗୁଜୁରାଟୀ ଭଳି ସବୁ ଆଂଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ସେ ମତବ୍ୟକ୍ତ କରିଛନ୍ତି।

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼, ବହୁମୁଖୀ ଶିକ୍ଷା ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ଅନେକ ପରୀକ୍ଷଣରେ ସଂପୃକ୍ତ ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଭୂମିପୂଜନ ଏବଂ ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ସାମିଲ ହେବାର  କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି(ଗୁରୁବାର) ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତ କରିବେ। ଏମସିଏଲର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ। ରେଳ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଖୋର୍ଦ୍ଧା ରୋଡ଼୍ ଷ୍ଟେସନର ନୂତନ ବିଲଡିଂର ଲୋକାର୍ପଣ କରିବା ସହ ଭୁବନେଶ୍ୱର- ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି ରେକ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସର ଉଦଘାଟନ କରିବେ। ଏହାବ୍ୟତୀତ ସେହି ସ୍ଥାନରୁ ରହି ଉଭୟ ମନ୍ତ୍ରୀ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲ୍ଡିଂକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ଜୁଲାଇ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହେବେ। ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ । ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଶ୍ରୀ ପ୍ରଧାନ ରଥଯାତ୍ରାରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ: କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ

ଭୁବନେଶ୍ବର: ଇସ୍ପାତ ମନ୍ତ୍ରଣାଳୟ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାରେ ଥିବା ପ୍ରାଥମିକ ଓ ଦ୍ବିତୀୟକ ଇସ୍ପାତ କମ୍ପାନୀର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଇସ୍ପାତ କ୍ଷେତ୍ରରେ ଦେଖା ଦେଉଥିବା ଆହ୍ବାନ ଗୁଡ଼ିକୁ କମ୍ପାନୀ ଅଧିକାରୀମାନେ ଉପସ୍ଥାପନ କରିଥିଲେ, ଯେଉଁଥିରେ ଏହି ଶିଳ୍ପ ପାଇଁ ଏକ ଉତ୍ତମ ପରିସଂସ୍ଥାନ ବିଶେଷ ଭାବରେ ପୁଞ୍ଜି, କଞ୍ଚାମାଲ ଯୋଗାଣ, ଯୋଗାଯୋଗ ସୁବିଧା ଓ ଦ୍ବିତୀୟକ କମ୍ପାନୀ ଗୁଡ଼ିକ ପାଇଁ ସହାୟତା ଅନ୍ତର୍ଭୁକ୍ତ ଥିଲା।

ଏହି ଅଧିବେଶନକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି କହିଛନ୍ତି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଭୁବନେଶ୍ୱର ଭଳି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶା ସରକାର ଦକ୍ଷତା ବିକାଶ ଉପରେ ସଠିକ୍ ଧ୍ୟାନ ଦେଇଛନ୍ତି ଯାହାକି ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ ମଧ୍ୟ ଖଣିଜ, ପ୍ରାକୃତିକ ସମ୍ପଦ, ପରିବହନ ସୁବିଧା ତଥା ପର୍ଯ୍ୟାପ୍ତ ବିଦ୍ୟୁତ ଶକ୍ତି ରହିଛି, ଯାହାକି ଓଡ଼ିଶାକୁ ଏକ ଉତ୍କୃଷ୍ଟ ନିବେଶ ସ୍ଥାନରେ ପରିଣତ କରିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ଯୋଜନା ଯେପରିକି ଗତିଶକ୍ତି ମାଷ୍ଟରପ୍ଲାନ ଦ୍ବାରା ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ, ଯେଉଁଥିରେ ଦ୍ବିତୀୟକ ଇସ୍ପାତ କ୍ଷେତ୍ରର ଅବଦାନ ବହୁତ ଅଧିକ ହେବ। ଏହି କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ମନ୍ତ୍ରଣାଳୟର ଅଧିକାରୀମାନେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଇସ୍ପାତ ଶିଳ୍ପ ସମସ୍ୟାର ସମାଧାନ ପାଇଁ ସରକାର ସକ୍ରିୟ ଭାବରେ ସମସ୍ତ ପଦକ୍ଷେପ ନେଉଛନ୍ତି ଏବଂ ଏହି ଉଦ୍ୟୋଗରେ ବିଶେଷ ଭାବରେ ଦ୍ବିତୀୟକ ଇସ୍ପାତ କମ୍ପାନୀଗୁଡିକର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ନିର୍ଦ୍ଦିଷ୍ଟ ବିଷୟ ଉପରେ ମତାମତ ଏବଂ ପରାମର୍ଶକୁ ସ୍ୱାଗତ କରିଛନ୍ତି।

ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଇସ୍ପାତ କମ୍ପାନୀ ଗୁଡିକର ପ୍ରତିନିଧି ଏବଂ ଇସ୍ପାତ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀଙ୍କ ଝିଅ ବାହାଘରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଝିଅ ବାହା ଘରରେ ଯୋଗ ଦେଇଛନ୍ତି। ସାଧାରଣତଃ ପୁଅଝିଅ ବାହାଘରରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ସମ୍ଭବ ହୋଇ ନ ଥାଏ। ହେଲେ ତାଙ୍କର କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଝିଅ ବାହାଘରରେ ଯୋଗ ଦେଇଥିଲେ।

ଭୂପେନ୍ଦ୍ର ବର୍ତ୍ତମାନ ମୋଦି ମନ୍ତ୍ରୀ ମଣ୍ଡଳରେ ଜଙ୍ଗଲ, ପରିବେଷ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଅଛନ୍ତି। ତାଙ୍କର ଝିଅ ଶୋଭାଙ୍କର ଶୁକ୍ରବାରରେ ବାହାଘର ଥିଲା। ସେଥିପାଇଁ ନୂଆଦିଲ୍ଲୀରେ ଏକ ବଡ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏଥିସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ବରକନ୍ୟାଙ୍କୁ ଆର୍ଶିବାଦ ଦେବା ପାଇଁ ଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଆଜି ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨ ଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ୨ ଜଣ ଅଧିକାରୀଙ୍କୁ ଅଫିସ ଡାକି ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଉଭୟ ଅଧିକାରୀଙ୍କୁ ଚେୟାରରେ ପିଟିବାରୁ ଜଣଙ୍କର ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ତେବେ ଉଭୟଙ୍କୁ ଆହତ ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଜିଲ୍ଲା ଯୋଜନା ବିଭାଗ ଡେପୁଟି ଡ଼ିରେକ୍ଟର ଅଶ୍ଵିନୀ ମଲିକ ଏବଂ ଆସିଷ୍ଟାଣ୍ଡ ଡ଼ିରେକ୍ଟର ଦେବାଶିଷ ମହାପାତ୍ର ଏନେଇ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ଅଧିକାରୀ ଥାନାର ଦ୍ଵାରସ୍ଥ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଯେତେବେଳେ ଓଡ଼ିଆ ଭାଷା ଓ
ସାହିତ୍ୟ ନୂଆ ରୂପ ନେଉଛି, ଏହାର ପ୍ରଗତିକୁ କେହି ଅଟକାଇ ପାରିବେ ନାହିଁ। ଏହି ସମୟ ହିଁ ଠିକ୍ ସମୟ। ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶୁକ୍ରବାର ଦୁଇଟି ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ଇଡକୋଲ ଅଡିଟୋରିଓମ ଠାରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଲିଖିତ ପୁସ୍ତକ ‘ଶିରୋଧାର୍ଯ୍ୟ ଶିରୋନାମା’ ପୁସ୍ତକ ଉନ୍ମୋଚନ କରିଛନ୍ତି। ସେହିପରି ରାଜ୍ୟ ବିଜେପି ଶାଖା କାର୍ଯ୍ୟାଳୟ ଠାରେ ବିଜେପିର ବରିଷ୍ଠ ନେତା ଦୁର୍ଗା ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ ଅନ୍ୟ ଏକ ପୁସ୍ତକ “ଗଡ଼ଜାତ ଆନ୍ଦୋଳନ-ଢ଼େଙ୍କାନାଳ ଓ ତାଳଚେର” ମଧ୍ୟ ଲୋକାର୍ପିତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୈତିକ କାର୍ଯ୍ୟକର୍ତ୍ତା କେବଳ କେବଳ ରାଜନୀତିରେ ନୁହେଁ ବରଂ ନିଜର ପ୍ରତିଭାକୁ ବିକାଶ କରିବା ଦରକାର। ଏହିପରି ବିଷ୍ଣୁ ଭାଇଙ୍କ ପ୍ରତିଟି ଲେଖା ରାଷ୍ଟ୍ରବାଦୀ ଚିନ୍ତା ଓ ଚେତନାରେ ଉଦବୁଦ୍ଧ। ରାଜନୈତିକ ବ୍ୟକ୍ତିତ୍ୱ ଥାଇ ମଧ୍ୟ ସାହିତ୍ୟର ଭାବଧାରାକୁ ଆପଣାଇଥିବା ବିଷ୍ଣୁ ଭାଇଙ୍କର ଉତ୍କଣ୍ଠା ଓ ଉତ୍ସାହ ବେଶ୍ ଚମତ୍କାର। ଗୋଟିଏ ସମାଜ ଓ ଜାତିର ଆତ୍ମା ହେଉଛି ଭାଷା। ସେହିପରି ସାହିତ୍ୟ ମନୁଷ୍ୟ ଅଭିବ୍ୟକ୍ତିର ମାଧ୍ୟମ।

ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଓଡ଼ିଆ ଜାତିକୁ ସାମାନ୍ୟ ଲୋକ ହିଁ ପରିବର୍ତନ କରିଛି। କଟକର ବାଇମୁଣ୍ଡି, ଧର୍ମପଦ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱ ଏହାର ବଳିଷ୍ଠ ଉଦାହରଣ। କଳିଙ୍ଗ ଯୁଦ୍ଧରେ ଓଡ଼ିଆ ଜାତି ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତନ କରିବା ପାଇଁ ବାଧ୍ୟ କରିଥିଲା। ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” କାଳଜୟୀ ବାକ୍ୟ ସାହିତ୍ୟରେ ଉଲ୍ଲେଖ ରହିଛି।

ଏଥିରୁ ଆମ ସାହିତ୍ୟ ଆମକୁ ସମାଜର ପରିବର୍ତ୍ତନ ସାଧାରଣ ଲୋକ ଦ୍ୱାରା ହିଁ ହୋଇଥାଏ ଏହି ମହତ ବାର୍ତା ଦେଉଛି। ଏ ପ୍ରକାର ସଂସ୍କାର, ପ୍ରେରଣା ସବୁ ଭାରତୀୟ ଭାଷାରେ ରହିଛି। ତେଣୁ ଭାରତକୁ ଏକ ବୌଦ୍ଧିକ ମହାଶକ୍ତି ଭାବେ ତିଆରି କରିବା ପାଇଁ ଦୀର୍ଘ ତିନି ଦଶନ୍ଧି ପରେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ କରାଯାଇଛି। ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରି ମାତୃଭାଷା ଓ ଭାରତୀୟ ଭାଷାକୁ ଆଗକୁ ନେବା ଏ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚା’ ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜନ ବର୍ଲା ହେଲେ କେନ୍ଦ୍ରମନ୍ତ୍ରୀ: ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ ୨୦୦୭ ମସିହାରେ ଗୋରଖାଲ୍ୟାଣ୍ଡ ଆନ୍ଦୋଳନରେ ସାମିଲ ହୋଇଗଲେ।

ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ ହୋଇଗଲେ। ଏହାପରେ ତରାଇ ଡୁଅର୍ସ କୋର୍ଡିନେସନ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ଆଦିବାସୀ ବିକାଶ ପରିଷଦ ମନୋନୀତ କରିଥିଲା। ତା’ପରେ ୨୦୧୪ ମସିହାରେ ଜନ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ଆଲିପୁରଦ୍ଵାର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କୀଚଚି ଦିନ ତଳେ ଜନ ବର୍ଲା ଚର୍ଚ୍ଚାକୁ ଆସିଥିଲେ। ସେ ଉତ୍ତର ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଠାରୁ ପୃଥକ କରି ଅଲଗା ରାଜ୍ୟ କରିବା ପାଇଁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଜନଙ୍କ ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରାଯାଇଛି। ପୃଥକ ରାଜ୍ୟର ଦାବି କରୁଥିବା ଏହି ଶ୍ରମିକ ନେତାଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହିତ ସଂପ୍ରସାରଣ, ଚର୍ଚ୍ଚାରେ ଓଡିଶାର 2AB

ନୂଆଦିଲ୍ଲୀ, ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ କରିବେ। ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହି ଅଦଳବଦଳ ସହ ସଂପ୍ରସାରଣ ହେବ ବୋଲି ଜଣାପଡିଛି। ସେଥିପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂପ୍ରସାରଣରେ ଉତ୍ତର ପ୍ରଦେଶକୁ ବେଶୀ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ସଂପ୍ରସାରଣର ଆଶା ଓ ଆଶଙ୍କା ଭିତରେ ଓଡିଶାର ଭାଗ୍ୟ କଣ ହେବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ନୂଆଦିଲ୍ଲୀର ରାଜନୈତିକ ହାୱା ଅନୁସାରେ ଓଡିଶାର ତିନିଜଣଙ୍କ ନାମ କୁଆଡେ କେନ୍ଦ୍ର ଦରବାରରେ ବେଶ୍ ଚର୍ଚ୍ଚା ଚାଲିଛି। ସେମାନେ ହେଲେ 2AB।  ଅପରାଜିତା ଷଡଙ୍ଗୀ, ଅଶ୍ବନୀ ବୈଷ୍ଣବ ଏବଂ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ପଣ୍ଡା ବର୍ତ୍ତମାନ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ତାଙ୍କର ଆସାମ ସଫଳତା ଏହି ମନ୍ତ୍ରୀ ପଦ ଆଣିବ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କୁ ଏବେ ମନ୍ତ୍ରୀ କରି, ପରେ କୌଣସି ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନିତ କରାଯିବ ବୋଲି ବିଚାର ଚାଲିଛି। ଆସାମ ନିର୍ବାଚନର ସଫଳତା ପରେ ବୈଜୟନ୍ତଙ୍କ କ୍ଷମତା ଦିଲ୍ଲୀ ଦରବାରରେ ବେଶ୍ ବୃଦ୍ଧି ପାଇଛି। ଏଥିସହିତ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ବୈଜୟନ୍ତଙ୍କ ଘନିଷ୍ଠତା ମଧ୍ୟ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବ। ସେଥିପାଇଁ ତାଙ୍କ ନାମ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ସେହିପରି ଆଉ ଦୁଇ ସାଂସଦ ଅଶ୍ବନୀ ବୈଷ୍ଣବ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଯଦି ଓଡିଶା ସାଂସଦଙ୍କ ମଧ୍ୟରେ ଦିଲ୍ଲୀ ଦରବାରରେ କାହାର ସବୁଠୁ ବେଶୀ ଦବଦବା ଥାଏ ତେବେ ସେ ହେଉଛନ୍ତି ସାଂସଦ ଅଶ୍ବନୀ ବୈଷ୍ଣବ। ରାଜ୍ୟସଭା ସଦସ୍ୟ ଭାବେ ସେ ବିଜେପିର ପ୍ରାର୍ଥ ହୋଇ ବିଜେଡିର ସମର୍ଥନ ହାସଲ କରିଥିଲେ। ସେଥିପାଇଁ ଓଡିଶାର ଯଦି କାହାକୁ ନୂଆ ମନ୍ତ୍ରୀ କରାଯାଏ ତେବେ ସେ ଅଶ୍ବନୀ ବୈଷ୍ଣବ ହେବେ ବୋଲି ଆଶା କରାଯାଉଛି।

ସେହିପରି ଓଡିଶା ରାଜନୀତି ସମ୍ଭାଳିବା ପାଇଁ ଅପରାଜିତାଙ୍କୁ ମଧ୍ୟ ମନ୍ତ୍ରୀ କରାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେଥିପାଇଁ ନୂଆଦିଲ୍ଲୀରେ ଥିବା ତାଙ୍କର ରାଜନୈତିକ ଗୁରୁମାନେ ଲବି କରୁଛନ୍ତି ବୋଲି ଜଣାପଡିଛି। ଅପରାଜିତ ସିଧା ଦିଲ୍ଲୀ ଲବିରେ ଓଡିଶା ରାଜନୀତିରେ ପ୍ରବେଶ କରିଛନ୍ତି। ଓଡିଶାରେ ସେ ଯାହା କରୁଛନ୍ତି ସେଥିରେ ଦିଲ୍ଲୀର ଗୋଟିଏ ଶକ୍ତି କେନ୍ଦ୍ରର ଆର୍ଶିବାଦ ରହିଛି।

ଫଳରେ ଏକଲା ଚଲୋ ନ୍ୟାୟରେ ଅପରାଜିତା ନିଜେ ସଂଗଠନ କରି ଲୋକପ୍ରିୟତା ବଢାଇବାରେ ଲାଗିଛନ୍ତି। ସେଥିପାଇଁ ଓଡିଶା ସଂଗଠନକୁ ମଜବୁତ କରିବା ପାଇଁ ଅପରାଜିତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ କେନ୍ଦ୍ରମନ୍ତ୍ରୀ ଅଦଳବଦଳ ଭିତରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବଳି ପଡିଯାଇ ପାରନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହିଂସା କମିବାର ନାଁ ଧରୁନି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନଙ୍କ ଉପରକୁ ମେଦିନୀପୁରରେ ଆକ୍ରମଣ ହୋଇଥିବା ଖବର ମିଳିଛି। ଏହି ଆକ୍ରମଣରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ତେବେ ଆକ୍ରମଣର ଏକ ଭିଡିଓକୁ ନିଜେ କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ ଟ୍ବିଟରରେ ସେୟାର କରିଛନ୍ତି। ଟିଏମସି କର୍ମୀ ଏହି ଆକ୍ରମଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍‌ଏଲ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍‌ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ। ଏହାସହ ଏହି କାରଖାନା ଓଡିଶା ଏବଂ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ।

ଉକ୍ତ ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପାୟ ଉପରେ ବିଚାରବିମର୍ଷ କରାଯାଇଛି। ତାଳଚେର ସାର କାରଖାନା ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଏହା ଓଡିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ। ଏହାସହ ଓଡିଶାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସଙ୍ଗେସଙ୍ଗେ ରାଜ୍ୟର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ବୈଠକରେ କୋଇଲା ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ, ସାର ବିଭାଗ ଏବଂ ଏସବିଆଇ ବ୍ୟାଙ୍କର ବରିଷ୍ଠ ଅଫିସରମାନେ ମଧ୍ୟ ସାମିଲ ହୋଇଥିଲେ।