Categories
ଜାତୀୟ ଖବର ବିଶେଷ ଖବର

ଶେଷରେ ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ-ଲ, ପୁଣି ଥରେ ପ୍ରମାଣିତ ହେଲା ଓଡିଶାରେ ଜଗନ୍ନାଥ ଅଛନ୍ତି

ଭୁବନେଶ୍ବର, ଶେଷରେ ବହୁ ବାଦବିବାଦ ପରେ କେନ୍ଦ୍ର ସଂସ୍କୃତି ବିଭାଗ ବିବାଦୀୟ ଶ୍ରୀମନ୍ଦିର ବାଇ-ଲ କୁ ପ୍ରତ୍ୟାହାର କରିଛନ୍ତି। ଏ ନେଇ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାର ସାଂସଦମାନେ ତାଙ୍କୁ ଭେଟିବା ପରେ ସେ ଏହି ବାଇ-ଲକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଓଡିଶାରେ ଯାହା କିଛି ହେବ ତାହା ସାଂସଦମାନଙ୍କ ସହମତିରେ କରାଯିବ।

ତେବେ ଆଜି ଏହି ବାଇ-ଲ ପ୍ରତ୍ୟାହର ପାଇଁ ଘଟିଯାଇଛି ତିନୋଟି ବଡ ଘଟଣା। ପ୍ରଥମତଃ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଗସ୍ତ କରିଥିଲେ। କୋଭିଡ କଟକଣାରେ ଶ୍ରୀମନ୍ଦିର ବହୁ ମାସ ଧରି ବନ୍ଦ ଥିଲା। ତାହା ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ସମୟରେ ସେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଏଥସହିତ ସେ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି ଯେ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ। କେନ୍ଦ୍ର ସରକାର ତୁରନ୍ତ ଏହି ବାଇ-ଲ ପ୍ରତ୍ୟାହର କରନ୍ତୁ ବୋଲି ଦାବୀ କରିଥିଲେ।

ସେହିପରି ନୂଆଦିଲ୍ଲୀରେ ମଧ୍ୟ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୟରେ ବିଜେଡି ସାଂସଦମାନେ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଥିରେ ସାଂସଦ ଭର୍ତ୍ତୃହରି ମହତାବ, ଡ ସସ୍ମତି ପାତ୍ର, ଡ ଅମର ପଟ୍ଟନାୟକ, ଅନୁଭବ ମହାନ୍ତି ଏବଂ ମୁନା ଖାଁ ପ୍ରମୁଖ ଥିଲେ। ସେହିପରି ଅନ୍ୟ ଏକ  ଘଟଣା କ୍ରମେ ଓଡିଶାର ବିଜେପି ସାଂସଦମାନେ ମଧ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଦୁଇ ଘଟଣା ଏବଂ ମୁଖ୍ୟମନ୍ତ୍ରୀଙ୍କ ପୁରୀରେ ଜଗନ୍ନାଥଙ୍କ କାମ କେହି ଅଟକାଇପାରିବେ ନାହିଁ କହିବା ପରେ କେନ୍ଦ୍ର ଏହାକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ. ଯେ, କେନ୍ଦ୍ର ସରକାର ଏପରି ନିଷ୍ପତି କଲେ କାହିଁକି। କେନ୍ଦ୍ର ସଂସ୍କୃତି ବିଭାଗ ଅଧିନରେ ଥିବା ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷ ଏପରି ବିଜ୍ଞପ୍ତି କଣ ପାଇଁ ପ୍ରକାଶ କଲେ। ଯାହାକୁ ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏଥିରେ ଥିଲା ଯେ ଶ୍ରୀମନ୍ଦିରରୁ 300 ମିଟର ଅଞ୍ଚଳକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯିବ। ଏଥିରେ କୌଣସି କାମ ସେମାନଙ୍କ ବିନା ଅନୁମତିରେ ହେବ ନାହିଁ। ସେହି ଅଞ୍ଚଳରେ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କ ଆଧିପତ୍ୟ ରହିବ। ଏହା କି ପ୍ରକାରର ନିଷ୍ପତି ଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ପୂର୍ବରୁ ରାଜ୍ୟ ସରକାର ଶ୍ରୀମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ 75 ମିଟର ପରିଧୀକୁ ଐତିହ୍ୟ କରିଡର ଭାବେ ଘୋଷଣା କରି କାମ କରୁଛନ୍ତି। ଏହି କାମକୁ ଯେ କେହି ପୁରୀ ଆସୁଛି ସେ ପ୍ରଶଂସା କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ବିକାଶ କାମ ଚାଲୁ ରହିଛି। ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ସେହି ଅଞ୍ଚଳକୁ ନିଜ କବଜାକୁ ନେବାର ଅର୍ଥ କଣ ତାହା ବୁଝି ହେଉ ନାହିଁ। ନିୟମ ଅନୁସାରେ ଶ୍ରୀମନ୍ଦିରଟି ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଛି। ସେ ଭିତରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ହେଲେ ବାହାର ଭିତ୍ତିଭୂମି କରିବାରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି ଏବଂ ରାଜ୍ୟ ମଧ୍ୟ କାମ କରି ଦେଖାଇଛି।

ସାଧାରଣରେ ଏହି ଆଶଙ୍କା କରାଯାଉଛି ଯେ ରାଜ୍ୟ ସରକାରଙ୍କ ଏପରି ବିକାଶକୁ ଦେଖି କେନ୍ଦ୍ର ବୋଧହୁଏ ସହୟ କରିପାରି ନାହିଁ। ସେଥିପାଇଁ ଏହି କାମରେ କିପିର ବାଧା ସୃଷ୍ଟି କରିହେବ ସେ ନେଇ ତିଆରି କରା ଗଲା ଏହି ବିକୃତ ବାଇ-ଲ। ସତ କହିବାକୁ ଗଲେ ପୁରୀକୁ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ପୂର୍ବର ପୁରୀ ଏବଂ ବର୍ତ୍ତମାନର ପୁରୀ ସହିତ ତୂଳନା କରୁଛନ୍ତି। ଆଉ ଖୁସି ହୋଇ ବାଃ ବାଃ କରୁଛନ୍ତି। ଯାହାକୁ ନେଇ କେନ୍ଦ୍ର ଏଥିରେ ବାଧା ସୃଷ୍ଟି କରିବାକୁ ଯାଉଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଓଡିଶାରେ ଜଗନ୍ନାଥ ଅଛନ୍ତି, ଓଡିଶାର ଉନ୍ନତିରେ ଜଗନ୍ନାଥଙ୍କ ଆର୍ଶିବାଦ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, କେନ୍ଦ୍ର ସଂସ୍କୃତି ବିଭାଗ ଜାରୀ କଲେ ଗାଇଡ ଲାଇନ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ “ସାଂସ୍କୃତିକ ସମାରୋହ ଏବଂ କାର୍ଯ୍ୟକ୍ରମ” ଆୟୋଜନ ଲାଗି ବିସ୍ତୃତ ଏସଓପି ଜାରି କରାଯାଇଛି। ଏହି ଏସଓପି ପାଳନ ସମୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ।

ଏସବୁ ଗାଇଡଲାଇନରେ ସାଧାରଣ ମାନକ ପଦ୍ଧତି (ଏସଓପି) ରହିଛି ଯାହାକୁ ଥିଏଟର ଓ ପ୍ରଦର୍ଶନୀ ସ୍ଥଳୀର ପରିଚାଳକ, ମନୋରଞ୍ଜନ/ସୃଜନଶୀଳ ସଂସ୍ଥା, କଳାକାର ଏବଂ ଅନ୍ୟ ସଦସ୍ୟମାନେ ପାଳନ କରିବେ। ଏମାନେ ଦେୟଯୁକ୍ତ କିମ୍ବା ମାଗଣାରେ କୌଣସି ସଭା ମଣ୍ଡପ କିମ୍ବା ଅନ୍ୟ କୌଣସି ଖୋଲା/ନିବୁଜ ପ୍ରଦର୍ଶନସ୍ଥଳୀ ଅକ୍ତିଆର କରିବା ସମୟରେ ଏହି ଏସଓପି ପାଳନ କରିବେ। କଳାକାର ଏବଂ ଅନ୍ୟ ସଦସ୍ୟ, ଗ୍ରୀନ ରୁମ ପରିଚାଳନା କର୍ତ୍ତୃପକ୍ଷ, ମଞ୍ଚ ପରିଚାଳନା କର୍ତ୍ତୃପକ୍ଷ, କଷ୍ଟ୍ୟୁମ ଓ ମେକଅପ ଟ୍ରାଏଲ ମଞ୍ଚ, ମୁକ୍ତ ବସିବା ସ୍ଥାନ ଆଦି ସମେତ ସମାରୋହ ସ୍ଥଳୀର ସାନିଟାଇଜେସନ ପାଇଁ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି।

ଏସବୁ ଗାଇଡଲାଇନ ତୁରନ୍ତ ଲାଗୁ କରାଯିବ ଏବଂ ଅନ୍ୟାଦେଶ ନଆସିବା ପର୍ଯ୍ୟନ୍ତ ଜାରି ରହିବ। କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ସାଂସ୍କୃତିକ ଓ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି। ତେବେ, ସାଂସ୍କୃତିକ କାର‌୍ୟ୍ୟକଳାପ ଏବେ ଧୀରେ ଧୀରେ ପୁଣିଥରେ ଆରମ୍ଭ ହେଉଛି। ତେଣୁ ସାଂସ୍କୃତିକ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଓ ଏଜେନ୍ସି, ସମେତ ଏପରି ସେବାର ଉପଭୋକ୍ତାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଭାରତରେ ଏପରି ସାଂସ୍କୃତିକ କାର୍ଯ୍ୟକଳାପ ପୁଣିଥରେ ଆରମ୍ଭ କରିବା ନିମନ୍ତେ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି।

ବିଭିନ୍ନ ସମୟରେ ଅନଲକ ଗାଇଡଲାଇନଗୁଡ଼ିକ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଛି ଏବଂ ଏହା ସମସ୍ତ କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥାନରେ ଲାଗୁ ହେଉଛି। ତେବେ ଏହାକୁ ଲାଗୁ କରିବା ସମୟରେ ସମ୍ପୃକ୍ତ ସହର/ରାଜ୍ୟରେ କଣ୍ଟେନମେଣ୍ଟ ଜୋନ ସଂକ୍ରାନ୍ତରେ ଜାରି ବିଜ୍ଞପ୍ତିର ସର୍ତ୍ତାବଳୀ ପ୍ରତି ଧ୍ୟାନ ଦିଆଯିବ।

ସାମାଜିକ/ଶିକ୍ଷାଗତ/କ୍ରୀଡ଼ା/ମନୋରଞ୍ଜନ/ସାଂସ୍କୃତିକ/କ୍ରୀଡ଼ା ଏବଂ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ସମାରୋହ ପାଇଁ କଣ୍ଟେନମେଣ୍ଟ ଜୋନ ବାହାରେ ୧୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଲାଗି ଅନୁମତି ଦିଆଯାଇଛି । ଯାହାକି ୨୧ ସେପ୍ଟେମ୍ବର, ୨୦୨୦ରୁ ଲାଗୁ ହୋଇଛି। ତେବେ ଏହି ଜନସମାବେଶ ସମୟରେ ସମସ୍ତ କୋଭିଡ-୧୯ ନିୟମ ଯେପରିକି ସାମାଜିକ ଦୂରତା, ସାନିଟାଇଜେସନ ଆଦି ପାଳନ କରିବାର ସର୍ତ୍ତ ରହିଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ ଗାଇଡଲାଇନ ୫.୦ ସେପ୍ଟେମ୍ବର ୩୦, ୨୦୨୦ରେ ଜାରି କରାଯାଇଛି ଏବଂ ଏହା ବର୍ତ୍ତମାନ ଲାଗୁ ହୋଇଛି। ଏସବୁ ଗାଇଡଲାଇନର ଉପଯୁକ୍ତ ଅଂଶ ଯାହାକି ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ପ୍ରଯୁଜ୍ୟ

1-“କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ/ଶିକ୍ଷାଗତ/କ୍ରୀଡ଼ା/ମନୋରଞ୍ଜନ/ସାଂସ୍କୃତିକ/ଧାର୍ମିକ/ରାଜନୈତିକସମାରୋହ ଏବଂ ଅନ୍ୟାନ୍ୟ ଜନସମାବେଶ ଲାଗି ୧୦୦ ଜଣ ପର‌୍ୟ୍ୟନ୍ତ ଲୋକ ଏକତ୍ରିତ ହେବାର ସୀମା ସହିତ ପୂର୍ବରୁ ଅନୁମତି ମିଳିଛି।

2-କଣ୍ଟେନମେଣ୍ଟ ଜୋନ ବାହାରେ, ଏପରି ସମାବେଶ ପାଇଁ ୧୦୦ରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବା ଲାଗି ଅକ୍ଟୋବର ୧୫, ୨୦୨୦ ପରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ଅନୁମତି ଦେଇପାରିବେ ତେବେ ଏଥିପାଇଁ ନିମ୍ନ ସର୍ତ୍ତଗୁଡ଼ିକୁ ପାଳନ କରିବାକୁ ହେବ:

3-ନିବୁଜ ସ୍ଥାନରେ, ସଭାଗୃହର ୫୦% କ୍ଷମତା ସହିତ ଜନସମାବେଶକୁ ଅନୁମତି ମିଳିବ, ଯାହାକି ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ଫେସ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରିବା ଏବଂ ହାତ ସଫା ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ ହେବ।

4-ଖୋଲା ସ୍ଥାନରେ, ସମାବେଶ ସ୍ଥଳୀ/ପଡ଼ିଆର ଆକାରକୁ ଦୃଷ୍ଟିରେ ରଖି ତଥା ଫେସମାସ୍କ, ଥର୍ମାଲ ସ୍କାନିଂ ଏବଂ ହାତସଫା ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇ ଜନସମାବେଶକୁ ଅନୁମତି ମିଳିଛି।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଜନସମାବେଶ ନିୟନ୍ତ୍ରଣ କରିବା ଲାଗି ବିସ୍ତୃତ ଏସଓପି ଜାରି କରିବେ ଏବଂ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ।”

ସଂପୂର୍ଣ୍ଣ ଗାଇଡ ଲାଇନ ଜାଣିବା ପାଇଁ ନିମ୍ନରେ କ୍ଲିକ କରନ୍ତୁ

http://164.100.117.97/WriteReadData/userfiles/SOPs%20for%20cultural%20programs15October2020.pdf