Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସରକାରର କୃଷକ ବିଲକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଲା ଆମ ଜନତା ଅଧିକାର

ଭୁବନେଶ୍ବର: ସଂସଦରେ ଆଗତ କୃଷିସଂକ୍ରାନ୍ତ ବିଧେୟକକୁ ସାରା ଦେଶର କୃଷକ ସଂସଦ ବାହାରେ ଓ ସଂସଦ ଭିତରେ ବିରୋଧୀ ଦଳ ଓ ଏନଡିଏର ଅଂଶୀଦାର ଦଳ ବିରୋଧ ଜାରି ରଖିଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୃକ୍ଷେପ ନକରି ବିଧେୟକକୁ ଆଗତ କରିଛି।

କେନ୍ଦ୍ର ସରକାର ରାଜ୍ୟସଭାରେ ମଧ୍ୟ ଲୋକସଭା ଭଳି ବାଚନିକ ଭୋଟ ବଳରେ ଆଗତ ହୋଇଥିବା କୃଷି ସମ୍ପର୍କିତ ୩ଟି ବିଧେୟକକୁ ଗୃହୀତ କରାଇଛନ୍ତି। କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ ୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷିସେବା ବିଧେୟକ ୨୦୨୦ ଏଵଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦ ବାଦ ବିବାଦ ମଧ୍ୟରେ ଶୁକ୍ରବାର ଦିନ ଲୋକସଭାରେ ଗୃହୀତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଅଣଦେଖା କରି କର୍ପୋରେଟ ଜଗତର ସ୍ଵାର୍ଥ ଲାଗି ନିରୀହ ଗରୀବ କୃଷକମାନଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି ବୋଲି ଅଭିଯୋଗ କରିଛି “ଆମ ଜନତା ଅଧିକାର“।

ରାଜ୍ୟସଭାରେ ଏନଡିଏର ସହଯୋଗୀ ଶୀରୋମଣୀ ଅକାଳୀ ଦଳ ସମେତ ଟିଆରଏସ, ଆମ ଆଦମୀ ପାର୍ଟି ଭଳି ଅନେକ ଦଳ ବିରୋଧ ଜାରୀ ରଖିଥିବା ବେଳେ ପୂର୍ବରୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବା ବିଜୁ ଜନତା ଦଳ ମଧ୍ୟ ଏହି ବିଲକୁ ପୂର୍ବରୁ ଲୋକସଭାରେ ବିରୋଧ କରିନଥିଲେ ବି ରାଜ୍ୟସଭାରେ ବିରୋଧ କରିଛି। ତେଣୁ ଶୀରୋମଣୀ ଅକାଳୀ ଦଳର ମନ୍ତ୍ରୀ ଇସ୍ତଫା ଦେବା ଫଳରେ କେନ୍ଦ୍ର ସରକାର ବିଜୁ ଜନତା ଦଳର ସାଂସଦଙ୍କ ସମର୍ଥନ ଲାଗି ସିବିଆଇର ଦୁରୁପଯୋଗ କରିବା ଓ ଚିଟଫଣ୍ଡ ତଦନ୍ତ ନାଁରେ ଜନୈକ ପୂର୍ବତନ ମନ୍ତ୍ରୀଙ୍କ ଘରେ ରେଡ଼ କରିବା ନେଇ ପ୍ରଶ୍ନ କରିଛି ‘ଆମ ଜନତା ଅଧିକାର’ ସଂଗଠନ। ସିବିଆଇ ଦୀର୍ଘ ସାତବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି  ନିରୀହ ବେସାହାରା ଚିଟଫଣ୍ଡ ଜମାକାରୀଙ୍କ ଅର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କ ଘରେ ହଠାତ ଚଢ଼ାଉ କରିବା ମନ୍ଦ ଉଦ୍ଧେଶ୍ୟ ଥିଲା ବୋଲି ସଂଗଠନ କହିଛି।

ତେଣୁ କୃଷକବିରୋଧୀ ବିଧେୟକକୁ ରାଜ୍ୟସଭାରେ ବିଜେଡି ସମର୍ଥନ ନଦେବାକୁ ସ୍ୱାଗତ କରିଛି “ଆମ ଜନତା ଅଧିକାର”। ରାଜ୍ୟସଭାରେ ବିଲ ବିପକ୍ଷରେ ବିରୋଧଭାସ ରଖିବା ସହ ବିଲକୁ ସଂଶୋଧନ କମିଟିକୁ ପଠାଇବା ସୁପାରିଶ କରି ଏଭଳି ତାନାଶାହୀ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଓଡ଼ିଶାର ଭାତହାଣ୍ଡିର ଦାୟାଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂଗଠନର କର୍ମକର୍ତ୍ତାଗଣ।

ଚାଷୀଙ୍କ ସ୍ଵାର୍ଥକୁ ଯଦି କୌଣସି ଆଞ୍ଚ ଆସେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରି ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବନାହିଁ ବୋଲି ସଂଗଠନର ରାଜ୍ୟ ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ୱାଇଁ, ମୁଖପାତ୍ର ପ୍ରସନ୍ନ ବିଷୋୟୀ,ସଂଯୋଜକ ଭକ୍ତିରଞ୍ଜନ ପଳାଇ ପ୍ରମୁଖ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସେବା ଓ ଦ୍ରବ୍ୟକର ପ୍ରାପ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ଠକିଛନ୍ତି: ଓଡିଶା କଂଗ୍ରେସ

ଭୁବନେଶ୍ବର: ଜିଏସଟି ଭରଣା ବାବଦ ଅର୍ଥ ଦେବାରେ ଓଡ଼ିଶାକୁ ପ୍ରବଞ୍ଚିତ କରାଯାଇଛି ବୋଲି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ ଅଭିଯୋଗ କରିଛନ୍ତି। ଭାଜପାକୁ ପ୍ରଶ୍ନ ପଚାରି କାନୁନଗୋ କହିଛନ୍ତି ଯେ, ଦୁଃଖ ଓ ପରିତାପର ସହିତ କହିବାକୁ ହେଉଛି ଯେ ଭାରତୀୟ ଜନତାପାର୍ଟି ଓ ତା’ର ନେତାମାନେ ସମସ୍ତ ରାଜ୍ୟବାସୀଙ୍କୁ ମୁର୍ଖ ବିବେଚନା କରି ଅନେକ ସମୟରେ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟମାନ ଦେବାରେ ଲାଗିଛନ୍ତି।
ସେବା ଓ ଦ୍ରବ୍ୟକର ବାବଦରେ କାନୁନ୍‍ଗୋ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଦେଉଥିବା ଅର୍ଥ କ’ଣ ରାଜ୍ୟକୁ ଦାନ ଓ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ନୁହେଁ ? ସେବା ଓ ଦ୍ରବ୍ୟ କର ଆଇନାନୁସାରେ ଏହି ନେତାମାନେ କ’ଣ ଜାଣନ୍ତି ନାହିଁ ଯେ ରାଜ୍ୟକୁ ୨୦୧୫-୧୬ ବର୍ଷକୁ ମୂଳବର୍ଷକରି ପ୍ରତିବର୍ଷ ୧୪% ବର୍ଦ୍ଧିତ ଟିକସ୍‍ ହାରରେ ରାଜ୍ୟମାନଙ୍କୁ ୨୦୨୧-୨୨ ମସିହା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ଅଛି? ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ କେଉଁ ସ୍ୱାର୍ଥରେ କେଉଁ ସ୍ୱାଭିମାନରେ କେନ୍ଦ୍ର ସରକାରଙ୍କର ଅନୁଗୃହୀତ ଓ କାହା ସ୍ୱାର୍ଥରେ ଦାନୀ ପଣିଆକୁ ପ୍ରଶ୍ନ କରି ନାହାନ୍ତି ତାହା ତାଙ୍କୁ ଓ ତାଙ୍କ ଅଫିସରମାନଙ୍କୁ ଜଣା ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହା ଯାଇଛି।
୨୦୧୯-୨୦ ବର୍ଷପାଇଁ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ୬.୨୦୦ କୋଟି ଟଙ୍କା ଜି.ଏସ୍‍.ଟି ରାଜସ୍ୱ କ୍ଷତିପୂରଣ ପାଇବା କଥା। ରାଜ୍ୟ ପାଇଛି ମୋଟ୍‍ ୫୧୨୨କୋଟି ଟଙ୍କା।ଏକଥା କ’ଣ ଭାଜପା ନେତାମାନେ ହିସାବ କରି ନାହାନ୍ତି କାରଣ ଗତବର୍ଷ (୨୦୧୯-୨୦) ପାଇଁ ରାଜ୍ୟର ଜି.ଏସ୍‍.ଟି. ଆଦାୟ ୭.୮୬% ଥିଲା। ଅବଶିଷ୍ଟ ୬.୧୪% କେନ୍ଦ୍ର ଭରଣା କରିବା କଥା। ଏ ବାବଦରେ ରାଜ୍ୟ ପ୍ରାୟ ହଜାରେ କୋଟି ଟଙ୍କାର କ୍ଷତି ସହିଛି ବୋଲି କାନୁନଗୋ କହିଛନ୍ତି।