Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁନ୍ ମାସ ପର୍ଯ୍ୟନ୍ତ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ଚାପରେ ରଖିବା କ’ଣ ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ସିବିଏସଇ ବୋର୍ଡ ପରୀକ୍ଷା ଉପରେ ଏକ ବଡ ନିଷ୍ପତ୍ତି ନେଇଛି। ଦଶମ ଶ୍ରେଣୀ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଥିବା ବେଳେ ଦ୍ଵାଦଶ ଶ୍ରେଣୀ ପରିକ୍ଷାକୁ ସ୍ଥଗିତ ରଖିଛି। ହେଲେ ଆସନ୍ତା ଜୁନ ୧ ତାରିଖରେ ଦ୍ଵାଦଶ ପରୀକ୍ଷାର ନିଷ୍ପତ୍ତି ଉପରେ ସମୀକ୍ଷା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।

ତେବେ ଦ୍ଵାଦଶ ପରୀକ୍ଷାକୁ ନେଇ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସମାଲୋଚନା କରିଛନ୍ତି। ସେ ଟ୍ବିଟ କରି କେନ୍ଦ୍ର ସରକାରକୁ ଏକ ପରାମର୍ଶ ଦେଇଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଯେ, ଦଶମ ପରୀକ୍ଷା ବାତିଲ ହେବା ଏକ ଭଲ ନିଷ୍ପତ୍ତି। କିନ୍ତୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଜୁନ ମାସ ପର୍ଯ୍ୟନ୍ତ ଚାପରେ ରଖିବା କ’ଣ ଆବଶ୍ୟକ? କେନ୍ଦ୍ର ସରକାରକୁ ଅନୁରୋଧ କି, ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଉପରେ ବର୍ତ୍ତମାନ ନିଷ୍ପତ୍ତି ନିଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ରକୁ ଟୀକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ବର: ପୁଣି କେନ୍ଦ୍ର ସରକାରକୁ ଚିଠି ଲେଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଟୀକା ମାଗିଛନ୍ତି। ୧୦ ଦିନ ପାଇଁ ପ୍ରାୟ ୨୫ ଲକ୍ଷ ଟୀକା ମାଗିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଟୀକା ଅଭାବ ଯୋଗୁଁ ଟୀକାକରଣ ବାଧାପ୍ରାପ୍ତ ହେଉଛି।

ତେଣୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟୀକା ଦେବା ପାଇଁ କେନ୍ଦ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। ଏବେ ରାଜ୍ୟରେ ଯେତିକି ଟୀକା ଅଛି ତାହା ଗୋଟିଏ ଦିନରେ ସରିଯିବ। ରାଜ୍ୟର କୌଣସି ଉପକେନ୍ଦ୍ରରେ ଟୀକା ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ୭୦୦ ଟିକାକେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି। ଟୀକା ଦେବାରେ ଅନିୟମିତତା ଯୋଗୁଁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହେଉଛି ବୋଲି ନବ ଦାସ କହିଛନ୍ତି।

କିନ୍ତୁ ସେପଟେ ନବ ଦାସଙ୍କ ଚିଠିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ଟୀକାର ଅଭାବ ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟୀକା ଉପଲବ୍ଧ ଅଛି। ଟୀକା ପାଇଁ ସମସ୍ତେ ନିଶ୍ଚିତ ରୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାର: କ୍ଷମତା ଲଢେଇରେ ପଙ୍ଗୁ ହେଲା ଏକ ନିର୍ବାଚିତ ସରକାର

ନୂଆଦିଲ୍ଲୀ, ନିକଟରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତା ନେଇ ସଂସଦରେ ଏକ ବିଲ ପାରିତ ହୋଇଛି। ଯେଉଁଥିରେ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ଗୌଣ କରାଯାଇ ଉପରାଜ୍ୟପାଳଙ୍କ କ୍ଷମତାକୁ ଅଧିକ କରାଯାଇଛି। ଫଳରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ନିଷ୍ପତି ଏବଂ ବିଧାନସଭା ନିଷ୍ପତି ଉପ ରାଜ୍ୟପାଳଙ୍କ ବିନା ପାଶ ହୋଇପାରିବ ନାହିଁ। ଏପରି ନିୟମକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। କାରଣ ହେଲା ଦିଲ୍ଲୀରେ ଏକ ନିର୍ବାଚିତ ସରକାର ଅଛି। ହେଲେ ସେହି ନିର୍ବାଚିତ ସରକାରଙ୍କୁ ସ୍ବାଧୀନଭାବେ ନିଷ୍ପତି ନେବା ଅଧିକାରରୁ ବଞ୍ଚିତ କରାଗଲା।

ବିଭିନ୍ନ ସମୟରେ କ୍ଷମତାକୁ ନେଇ ଦିଲ୍ଲୀ ସରକାର ଏବଂ ଉପ ରାଜ୍ୟପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିଲା। ଫଳରେ ଏହା ଉପରେ ସୁପ୍ରିମ କୋର୍ଟରେ ମାମାଲ ଦାୟର କରାଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀରେ ଜମି, ପୋଲିସ କିମ୍ବା ଆଇନି ଶୃଙ୍ଖଳା ସହ ଜଡିତ ନିଷ୍ପତ୍ତି ବ୍ୟତୀତ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅନୁମୋଦନ ଆବଶ୍ୟକ ନାହିଁ।

ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ସେମାନଙ୍କ ନିଷ୍ପତ୍ତି ପୂର୍ବରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ପଠାଇବା ବନ୍ଦ କରି କେବଳ ସେମାନଙ୍କୁ ଜଣାଇବା ଆରମ୍ଭ କରିଥିଲେ। ଏହାଦ୍ୱାରା ବିବାଦ ସୃଷ୍ଟି ହୋଇଥିଲା। ଗୋଟିଏ ପ୍ରକାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଦିଲ୍ଲୀ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଅଧିକାରକୁ ନେଇ ବିବାଦ ଜାରି ରହିଥିଲା। କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଏହି ବିବାଦକୁ ଦୂର କରିବା ପାଇଁ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକାରକୁ ଆହୁରି ସ୍ପଷ୍ଟ କରିବା ପାଇଁ ଉକ୍ତ ବିଲ୍ ଅଣାଯାଇଛି।

ବର୍ତ୍ତମାନ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ କଥା ବିଚାରକୁ ନିଆଯାଉ। ପୁଡୁଚେରୀ ଏବଂ ଗୋଆ ପରି କେନ୍ଦ୍ର ଶାସିତ ରାଜ୍ୟରେ ଏହି ନିୟମ ଲାଗୁ ହୋଇ ନାହିଁ। ସେଠାକାର ନିର୍ବାଚିତ ସରକାର ଯାହା ନିଷ୍ପତି କରିବେ ତାହା ଚୁଡାନ୍ତ। ଅର୍ଥାତ ଅନ୍ୟ ରାଜ୍ୟରେ ଯେପରି ନିୟମ ରହିଛି ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ରହିଛି। ହେଲେ ଦିଲ୍ଲୀ ପାଇଁ ଏପରି ନୂଆ ଆଇନି କରିବାର କାରଣ କଣ ତାହା ବୁଝାପଡୁ ନାହିଁ।

ସରକାରୀ ଦଳର କହିବା କଥା ନୂଆ ଦିଲ୍ଲୀରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ପରି ଭିଭିଭିଆଇପିମାନେ ରହୁଛନ୍ତି। ସେଥିପାଇଁ ଦିଲ୍ଲୀର ସରକାରଙ୍କ କ୍ଷମତା ହ୍ରାସ କରାଯାଇଛି। ତେବେ ଏହି ଭିଭିଭିଆଇପିମାନେ ବହୁ ପୂର୍ବରୁ ରହିଆସୁଛନ୍ତି। ସେଥିପାଇଁ ଦିଲ୍ଲୀ ସରକାରଙ୍କ ହାତରେ ପୋଲିସ କ୍ଷମତା ନାହିଁ।

ପୂର୍ବରୁ ଦିଲ୍ଲୀ ସରକାର ପୋଲିସ, ଆଇନି ଶୃଙ୍ଖଳା ଏବଂ ଜମି ଉପରେ କୌଣସି ନିଷ୍ପତି ନେଇପାରୁ ନ ଥିଲେ। ହେଲେ ଏହି ନିର୍ବାଚିତ ସରକାର ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ପାନୀୟ ଜଳ ବ୍ୟବସ୍ଥା ସହ ଜଡିତ ଅଧିକାର ରହି ଥିଲା। ଦିଲ୍ଲୀର ସଫେଇ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଅଧିକାର ଏହାର ପୌରପାଳିକା ନିଗମ ହାତରେ ରହିଛି। ହେଲେ ବର୍ତ୍ତମାନର ନୂଆ ନିୟମ ଦ୍ବାରା ଦିଲ୍ଲୀ ସରକାର ସମସ୍ତ ନିଷ୍ପତି ଉପରାଜ୍ୟପାଳଙ୍କ ବିନା ଆଇନିରେ ପରିଣତ କରିପାରିବେ ନାହିଁ।

ସ୍ୱାଧୀନତା ପରେ ଦେଶର ରାଜ୍ୟଗୁଡ଼ିକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଥିଲା। ଦିଲ୍ଲୀ ତୃତୀୟ ପର୍ଯ୍ୟାୟ ରାଜ୍ୟ ଥିଲା। 1952 ରୁ 1956 ପର୍ଯ୍ୟନ୍ତ ଦିଲ୍ଲୀର ନିଜସ୍ୱ ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ଥିଲେ। 1956 ମସିହାରେ ଦିଲ୍ଲୀ ଏକ ୟୁନିଅନ୍ ଟେରିଟୋରୀ ହେଲା ଏବଂ ଏହାର ବିଧାନସଭା ବିଲୋପ ହେଲା ।

1991 ରେ ପୁଣିଥରେ ବିଧାନସଭା ଗଠନ ହେଲା। 1993 ରେ ପୁନର୍ବାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ବିଜେପିର ମଦନଲାଲ ଖୁରାନା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ମଧ୍ୟ କ୍ରମାଗତ ଭାବେ କେନ୍ଦ୍ର ସରକାର ଦିଲ୍ଲୀର ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରମାନଙ୍କୁ ପର୍ଯ୍ୟାପ୍ତ କ୍ଷମତା ଦେବାକୁ ଦ୍ୱିଧା ପ୍ରକାଶ କରିଛନ୍ତି। ଏହାର କାରଣ ହେଉଛି ଦିଲ୍ଲୀରେ ରହୁଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହାକୁ ନିଜସ୍ୱ ଶାସନ ନିଜେ କରିବା ମାନସିକତା ରହିଛନ୍ତି। ଫଳରେ ଦିଲ୍ଲୀର ନିର୍ବାଚିତ ସରକାର ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ, ସବୁବେଳେ କେନ୍ଦ୍ର ଦ୍ବାରା ଉଠବସ ହେବାକୁ ବାଧ୍ୟ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ସମାଜ ଗଠନ ପାଇଁ ପାରମ୍ପରିକ ଚିକିତ୍ସା ପଦ୍ଧତିର ପୁନରୁତ୍ଥାନ ଜରୁରୀ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହାୟତାରେ ଚଳିତବର୍ଷର ଆୟୁର୍ବେଦ ପର୍ବ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜରେ ଗତକାଲି ଉଦ୍‌ଘାଟନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଶିଳ୍ପୀଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ାଇରେକ୍ଟର ଆୟୁଷ, ଓଡ଼ିଶା ସରକାର ଡ଼ାକ୍ତର ତ୍ରିଲୋଚନ ମାଝି, ଡ଼ାକ୍ତର ସୁଧୀର ଦାସ, ପ୍ରିନ୍ସିପାଲ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜ, ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନର୍ବାଚନ କମିଶନ, ଭାରତ ସରକାର, ନମ୍ରତା ଚଢା, ପୂର୍ବତନ ଚେୟରମ୍ୟାନ, ରାଜ୍ୟ ମହିଳା କମିଶନ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଗଠନର ସାଧାରଣ ସମ୍ପାଦକ ମନୋଜ ଜେନା ସ୍ୱାଗତ ଭାଷଣ ଦେଇ କରୋନା ସମୟରେ ଦୁନିଆର ସମସ୍ତ ବିତ୍ତଶାଳୀ ଦେଶ ଏହି ମହାମାରୀ ସହିତ ଲଢୁଥିବା ବେଳେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଆମର ଲୋକମାନଙ୍କୁ ଏହି ମହାମାରୀରୁ ବଞ୍ଚାଇ ପରିଥିବା କହିଥିଲେ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟସଭା ସାଂସଦ ଶ୍ରୀ ମହାପାତ୍ର ଆୟୁର୍ବେଦର ସମୃଦ୍ଧିରେ ହିଁ ସମାଜର ସମୃଦ୍ଧି ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଶ୍ରୀ ଦାସ ଆୟୁଷ ଚିକିତ୍ସାକୁ ସର୍ବୋତ୍କୃଷ୍ଟ ଚିକିତ୍ସା କହି, ସର୍ବଦା ଜଣେ ମଣିଷ ଏହି ଚିକିତ୍ସାରେ ରହିଲେ ଦୀର୍ଘାୟୁ ହୋଇପାରିବ ବୋଲି କହିଥିଲେ।

ରାଜ୍ୟ ସରକାର ଏହି ଚିକିତ୍ସା ପଦ୍ଧତିର ପ୍ରାଚୀନ ଓ ପ୍ରସାରକୁ ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ। ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନିର୍ବାଚନ କମିଶନ, ଭାରତ ସରକାର ଗତ ଦୁଇ ଦଶନ୍ଧିରେ ଆୟୁର୍ବେଦର ଲୋକପ୍ରିୟତା ବଢିବା ସହିତ ଏହାର କମ୍ ମୂଲ୍ୟରେ ଭଲ ଚିକିତ୍ସା ଯୋଗାଇ ଦେବା ସହ ଆଦର ବଢିବା ବିଷୟରେ ନିଜର ଖୁସି ପ୍ରକାଶ କରିଥିଲେ। ଆୟୁଷ ଡ଼ାଇରେକ୍ଟ ଶ୍ରୀ ମାଝି ପ୍ରତିଷ୍ଠାନର ଏହିଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏକ ଉଚ୍ଚସ୍ତରୀୟ ମିଟିଙ୍ଗ କରି କିଭଳି ଭାବରେ ଏହି ପ୍ରୟାସକୁ ରାଜ୍ୟର କୋଣ ଅନୁକୋଣକୁ ପହଞ୍ଚା ଯାଇପାରିବ ଆଲୋଚନା କରିଥିଲେ।

ରାଜ୍ୟର ପୂର୍ବତନ ମହିଳା କମିଶନର ନମ୍ରତା ଚଢା ସ୍କୁଲ୍ ପାଠ୍ୟକ୍ରମରେ ଆୟୁଷ ଚିକିତ୍ସା ପଦ୍ଧତିକୁ ମିଶାଇବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। କଲେଜର ପ୍ରିନ୍ସିପାଲ ଶ୍ରୀ ଦାସ ଏହିଭଳି କାର୍ଯ୍ୟକ୍ରମ ସହ ଆୟୋଜକ ସହ ଆୟୋଜକ ହୋଇଥିବାରୁ ନିଜକୁ ଧନ୍ୟ ମନେ କରି ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ।

ଓଡ଼ିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ ବାସୁଦେବ ଭଟ୍ଟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସୁରକ୍ଷାରେ ହିଁ ଆମ ଭବିଷ୍ୟତ ସୁରକ୍ଷା ବୋଲି କହିଥିଲେ। ଏହି ଉପଲକ୍ଷେ ଏକ ସୋଭେନିଅରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଲୋଚନା ସହିତ କାର୍ଯ୍ୟକ୍ରମରେ ସେମିନାର ମାଧ୍ୟମରେ ଡ଼ାକ୍ତର ଦୀପକ ସ୍ୱାଇଁ, ଡ଼ାକ୍ତର ଜି.ସି ଭୂୟାଁ, ଡ଼ାକ୍ତର ଭବାନୀ ଶଙ୍କର ପାଲ, ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା, ଡ଼ାକ୍ତର ଅଶୋକ ପଣ୍ଡା, ଡାକ୍ତର ଇନ୍ଦୁ, ଡ଼ାକ୍ତର ସ୍ନେହମୟୀ ମିଶ୍ର, ଡ଼ାକ୍ତର କେଦାରନାଥ ନାୟକ ଆଦି ପାରମ୍ପରିକ ଚିକିତ୍ସା ଉପରେ ନିଜର ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ। ସେମିନାରର ପ୍ରଥମ ଅଧିବେଶନକୁ ଡ଼ାକ୍ତର ଅଶୋକ ପଣ୍ଡା ଓ ଦ୍ୱିତୀୟ ଅଧିବେଶନକୁ ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଦେଶ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଡ଼ାକ୍ତର, ବୁଦ୍ଧିଜୀବୀ, ବକ୍ତା, ସାଧାରଣ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସରକାରଙ୍କ ଆୟୁର୍ବେଦ, ହୋମିଓପ୍ୟାଥି, ସିଦ୍ଧ, ୟୁନାନୀ ଓ ଯୋଗ ବିଭାଗ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୫୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କର ଚିକିତ୍ସା କରାଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାନର ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା, ସଂଯୋଜକ ରମେଶ ଭାରତୀ, ରଘୁନାଥ ମଣ୍ଡଳ, ଶୁଭଶ୍ରୀ ମହାପାତ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଶରେ ୭୭୧ ଟି ନୂଆ ଷ୍ଟ୍ରେନ: ଓଡିଶାରୁ ଚିହ୍ନଟ ହେଲେ ୩ ଜଣ

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ଟି ୟୁକେ ଷ୍ଟ୍ରେନ ଚିହ୍ନଟ କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଟି ରାଜ୍ୟରୁ ମୋଟ ୭୭୧ ଟି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି।

ଏହି ନୂଆ ୭୭୧ ଟି ନୂଆ ଷ୍ଟ୍ରେନ ମଧ୍ୟରୁ ୭୩୬ ଟି ୟୁକେ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବେଳେ ୩୪ ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ମୋଟ ୭୩୬ ଟି ୟୁକେ ଷ୍ଟ୍ରେନ ମଧ୍ୟରୁ ସର୍ବାଧିକ ୩୩୬ ଟି ପଞ୍ଜାବରୁ ଚିହ୍ନଟ ହୋଇଥିବା ବେଳେ  ଓଡିଶାରୁ ୩ଟି ରହିଛନ୍ତି। ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ.କେ ସିଂହ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାର୍ଚ୍ଚ ୧୨ରେ ସଂସଦ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଛାତ୍ର ବିରୋଧି ନୀତି ପ୍ରତିବାଦରେ ‘ନୌକରି ଦୋ ୟା ଡିଗ୍ରୀ ୱାପସ୍ ଲୋ’ କାର୍ଯ୍ୟକ୍ରମରେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ। ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଓଡିଶାର ଛାତ୍ର ନେତା ଅଂଶଗ୍ରହଣ କରିବେ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଅଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ରୋଶନଲାଲ ବିଟୁ କଂଗ୍ରେସ ଭବନ ଠାରେ ଏକ ମିଳିତ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି।

ୟାସିର ନୱାଜ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଦେଶର ଛାତ୍ର ଓ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ର ଓ ଯୁବକମାନଙ୍କ ଠାରୁ ଭୋଟ ଲୁଟିନେବା ପରେ ଏବେ ନରେନ୍ଦ୍ର ମୋଦିଙ୍କର ପକୋଡା ନିଯୁକ୍ତି ପ୍ରସଙ୍ଗ ଦେଶର ଛାତ୍ର ସମାଜକୁ ଗଭୀର ଦୁଃଖ ଦେଇଛି। ମୋଦି ଓ ନବୀନ ଦୁହେଁ ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହିତ କରୁଛନ୍ତି। ଓଡିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାର ମାନ ଭୁଷୁଡି ପଡିଛି। ସ୍କୁଲରେ ଓ କଲେଜରେ ଶିକ୍ଷକ ନାହାନ୍ତି, ଶ୍ରେଣୀଗୃହର ଅବସ୍ଥା ଶୋଚନୀୟ, ଲାବ୍ରୋଟାରୀ ରୁମ୍ ଓ ଉପକରଣ ନାହିଁ, ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ବି ନାହିଁ।

ଅନ୍ୟପଟରେ ୧୪ ହଜାର ସ୍କୁଲ ବନ୍ଦ କରିଦିଆଯାଇଛି। ବେସରକାରୀ ସ୍କୁଲ ମାଲିକମାନେ କିପରି ପରିତୁଷ୍ଟ ହେବେ ଏବଂ ଅଭିଭାବକ ଓ ଛାତ୍ରଙ୍କର ରକ୍ତ ଶୋଷଣ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟବସ୍ଥା କରିଦେଇଛନ୍ତି। ଅଖିଳ ଭାରତ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ବିଟୁ କହିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ କୌଣସି ପାର୍ଥକ୍ୟ ନାହିଁ। ଉଭୟ ସରକାର ଛାତ୍ର ଓ ଯୁବକମାନଙ୍କ ସ୍ୱାର୍ଥ ବିରୋଧୀ। ଦରଦାମ୍ ବୃଦ୍ଧି ବେଲଗାମ। ଛଟେଇ ଚାଲିଛି। ଦେଶର ଯୁବକଯୁବତୀ ଓ ଛାତ୍ର ସମାଜ ଆଜି ବେସାହାରା। ଏଣୁ ଗାଦିରେ ମୋଦି ସରକାର ରହିବାର ଅଧିକାର ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀର ବିକାଶ ପାଇଁ ୧୭୫ କୋଟି ଟଙ୍କା ଦେବ କେନ୍ଦ୍ର ସରକାର

ପୁରୀ: ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ର ଧାମକୁ କେନ୍ଦ୍ର ସରକାର ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଉ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପୁରୀର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ୧୫ତମ ଫାଇନାନ୍ସ କମିଶନରେ ୧୭୫କୋଟି ଟଙ୍କା ପୁରୀର ବିକାଶ ପାଇଁ ଯୋଜନା କରିଥିବା କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡେଶ୍ୱରୀ କ୍ଲବଠାରେ କମ୍ୟୁନିଟ ସେ ରକୁ ଶୁଭଟଦଘାଟନ କରି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀର ବିକାଶ ପାଇଁ ସଦାବେଳେ ଉଦ୍ୟମ ଜାରି ରଖିଛନ୍ତି। ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ହିନ୍ଦୁ ଧର୍ମାବଲମ୍ବୀ ତୀର୍ଥଯାତ୍ରୀଙ୍କ ଶ୍ରୀଜଗନ୍ନାଥ ଦର୍ଶନ କରିବା ପାଇଁ ଅନେକ ଭିତିଭୂମିର ବିକାଶ କରାଯିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି।

ଆଜି ଅପରାହ୍ନରେ ୧୮ଲକ୍ଷ ଟଙ୍କା ବ୍ୟୟରେ ବାସେଳୀ ସାହି କମ୍ୟୁନିଟ ହଲ ଓ ୨୨ଲକ୍ଷ ଟଙ୍କାର ଝାଡେଶ୍ୱରୀ କ୍ଲବର କମ୍ୟୁନିଟ୍ ସେ ରକୁ ଲୋକର୍ପିତ କରିଥିଲେ। ଏହାସହ ବାଲିସାହି ହିଞ୍ଜଳଯାଗାରେ ୪୯ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟ୍ ହଲ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିନ ନାଲକୋ ଗାନ୍ଧୀପାର୍କର ଉନ୍ନତିକରଣ କରିଛନ୍ତି। ସମୁଦ୍ରକୂଳକୁ ସିଧାସଳଖ ପର୍ଯ୍ୟଟକଙ୍କ ବସ ଯିବା ପାଇଁ ହରେକୃଷ୍ଣପୁରଠାରୁ ମଙ୍ଗଳାଘାଟ ଦେଇ ଷ୍ଟ୍ରଲିଂ ହୋଟେଲ ନିକଟରେ ଜାତୀୟ ରାଜପଥ ସଂଯୋଗ କରିଛି। ଯାହାଫଳରେ ପର୍ଯ୍ୟଟକମାନେ ସିଧାସଳଖ ସମୁଦ୍ରକୂଳକୁ ଯାଇପାରିବେ। ପୁରୀକୁ ଆନ୍ତର୍ଜାତିୟ ସ୍ତରରେ ଅତ୍ୟାଧୁନିକ ସହର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ ଯୋଗାଇ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଉପରେ ସୂଚନା ଦେଇଛନ୍ତି।

ସେ ଏହି ଅବସରରେ କହିଛନ୍ତି ଯେ, ଦେଶରେ ସାମାଜିକ ଗଣମାଧ୍ୟମକୁ ଅପବ୍ଯବହାର କରାଯାଉଛି। ଏହି ମାଧ୍ୟମରେ ଅନେକ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଆସୁଛି। ଯାହାକୁ ଗ୍ରହଣ କରିବା ସମ୍ଭବ ନୁହେଁ। ସୀମାପାରରୁ ମଧ୍ୟ ଦେଶରେ ଅଶାନ୍ତ ସୃଷ୍ଟି କରିବା ପାଇଁ ଏହାକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ଏସବୁ ଦୂର କରିବା ପାଇଁ ଗାଇଡଲାଇନ ଜାରି କରାଯାଉଛି।

ସବୁ ସର୍ଭିସ ପ୍ରୋଭାଇଡରଙ୍କୁ ଅଭିଯୋଗ ସେଲ ରଖିବା ଆବଶ୍ୟକ। କୌଣସି ଅଭିଯୋଗ ଆସିଲେ ୨୪ ଘଣ୍ଟା ମଧ୍ୟରେ ଏହାକୁ ଗ୍ରହଣ କରିବା ସହ ୧୫ ଦିନ ଭିତରେ ଏହାର ସମାଧାନ କରିବାକୁ ପଡିବ। କୌଣସି ସନ୍ଦିଗ୍ଧ ଟୁଇଟ କିମ୍ବା ମେସେଜ ଆସିଲେ ସୃଷ୍ଟିକର୍ତ୍ତାର ତଥ୍ୟ ଦେବା ଅନିବାର୍ଯ୍ୟ। ଜାତୀୟ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବା ମେସେଜକୁ ଅଧ୍ୟୟନ କରି ମେସେଜ କରିଥିବା ବ୍ୟକ୍ତିର ତଥ୍ୟ ଜଣାଇବା ଆବଶ୍ୟକ। ଏହାସହ ତିନି ମାସ ମଧ୍ୟରେ ଏକ ନୂତନ ଗାଇଡଲାଇନ ଲାଗୁ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ରବୀଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।

ସେହିପରି ଓଟିଟି ପ୍ଲାଟଫର୍ମ ପାଇଁ ଗାଇଡଲାଇନ ଜାରି କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବେଦକର କହିଛନ୍ତି ଯେ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡ଼ିଆକୁ ନିଜ କାମ ଉପରେ ସୂଚନା ଦେବାକୁ ପଡିବ। ଏଥିପାଇଁ ସୁପ୍ରିମକୋର୍ଟର ଏକ ଅବସରପ୍ରାପ୍ତ ବିଚାରିପତିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ବିଦ୍ୟୁତ ଗଣମାଧ୍ୟମ ଭଳି ଡିଜିଟାଲ ଗଣମାଧ୍ୟମକୁ ମଧ୍ୟ ତ୍ରୁଟି ପାଇଁ କ୍ଷମା ପ୍ରସାରଣ କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି: ଡ. ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ।

ସେ କହିଛନ୍ତି, ଏହି ପଦକ୍ଷେପ ଫଳରେ ପରଲୋକଗତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ‘ଜୀବନ ଧାରଣ ସହଜ’ ହେବା ସହିତ ସେମାନଙ୍କୁ ଯଥେଷ୍ଟ ଆର୍ଥିକ ସୁରକ୍ଷା ପ୍ରଦାନ ମିଳିପାରିବ। ମନ୍ତ୍ରୀ ଆହୁରି କହିଥିଲେ ଯେ, ମାତାପିତାଙ୍କ ମୃତ୍ୟୁ ପରେ ଯଦି ସେମାନଙ୍କର ସନ୍ତାନ ଫ୍ୟାମିଲି ପେନସନର ଦୁଇଟି କିସ୍ତି ଉଠାଇବା ଲାଗି ଅଧିକୃତ ହୋଇଥାନ୍ତି, ସେହି ଅର୍ଥରାଶିର ପରିମାଣ ସମ୍ପର୍କରେ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଡ. ସିଂହ କହିଛନ୍ତି ଯେ ଏବେ ଏହି ଦୁଇଟି କିସ୍ତିର ମୋଟ ଅର୍ଥରାଶି ୧,୨୫,୦୦୦ ଟଙ୍କାରୁ ଅଧିକ ହେବ ନାହିଁ। ଏହା ପୂର୍ବ ସର୍ବାଧିକ ସୀମା ଠାରୁ ଅଢ଼େଇ ଗୁଣା ଅଧିକ ବୃଦ୍ଧି।

କେନ୍ଦ୍ର ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ର ଉପନିୟମ ୧୧ ଅନୁରୂପ, ଯଦି ସ୍ବାମୀ ଏବଂ ସ୍ତ୍ରୀ ଉଭୟ ସରକାରୀ ଚାକିରିରେ ଅଛନ୍ତି ଏବଂ ଏହି ନିୟମ ଅଧୀନରେ ଆସୁଛନ୍ତି, ତା’ହେଲେ ସେମାନଙ୍କର ପରଲୋକ ସ୍ଥିତିରେ ତାଙ୍କର ଜୀବିତ ସନ୍ତାନ ଓ ମାତାପିତାଙ୍କୁ ଦୁଇଟି କିସ୍ତି ଫ୍ୟାମିଲି ପେନସନ ପାଇବା ଲାଗି ଯୋଗ୍ୟ ହେବେ। ଏଥିପୂର୍ବରୁ ଜାରି ନିର୍ଦ୍ଦେଶରେ ନିର୍ଦ୍ଧାରଣ କରାଯାଇଥିଲା ଯେ ଏପରି ମାମଲାରେ ଦୁଇଟି ପେନସନ କିସ୍ତିର ମୋଟ ଅର୍ଥରାଶି ମାସିକ ଯଥାକ୍ରମେ ୪୫,୦୦୦ ଟଙ୍କା ଏବଂ ୨୭,୦୦୦ ଟଙ୍କା ହେବ, ଅର୍ଥାତ୍ କ୍ରମଶଃ ୫୦ ପ୍ରତିଶତ ଏବଂ ୩୦ ପ୍ରତିଶତ ଦରରୁ ଅଧିକ ହେବ ନାହିଁ। ଷଷ୍ଠ ବେତନ ଆୟୋଗଙ୍କ ସୁପାରିସ ଅନୁରୂପ ୯୦,୦୦୦ ଟଙ୍କାର ସର୍ବାଧିକ ବେତନ ସନ୍ଦର୍ଭରେ ଏହି ବର୍ଦ୍ଧିତ ଅର୍ଥରାଶି ନିର୍ଦ୍ଧାରଣ କରାଯାଇଛି।

ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ସର୍ବାଧିକ ବେତନ ବୃଦ୍ଧି ପାଇଁ ମାସିକ ୨,୫୦,୦୦୦ ଟଙ୍କା ହୋଇସାରିଛି। ତେଣୁ କେନ୍ଦ୍ରୀୟ ପ୍ରଶାସନିକ ସେବା ପେନସନ ନିୟମ ୫୪(୧୧) ଅନୁସାରେ ଏହି ଅର୍ଥରାଶି ୨,୫୦,୦୦୦ ଟଙ୍କାର ୫୦ ପ୍ରତିଶତ ଅର୍ଥାତ ୧,୨୫,୦୦୦ ଟଙ୍କା ଏବଂ ୨,୫୦,୦୦୦ ଟଙ୍କାର ୩୦ ପ୍ରତିଶତ ଅର୍ଥାତ୍ ୭୫,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ନିକଟରୁ ପ୍ରାପ୍ତ ପ୍ରସ୍ତାବ ସମ୍ପର୍କରେ ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି। ବର୍ତ୍ତମାନର ନିୟମ ଅନୁଯାୟୀ ଯଦି କୌଣସି ସନ୍ତାନଙ୍କ ମାତା-ପିତା ସରକାରୀ ଚାକିରିରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଚାକିରି କାଳରେ ମୃତ୍ୟୁ ହୋଇସାରିଛି କିମ୍ବା ସେ ଅବସର ଗ୍ରହଣ କରିସାରିଛନ୍ତି ତା’ହେଲେ ପରଲୋକଗତ ବ୍ୟକ୍ତିଙ୍କର ଫ୍ୟାମିଲି ପେନସନ ତାଙ୍କର ଜୀବିତ ସାଥୀଙ୍କୁ ଦିଆଯିବ। ଆହୁରି ଯଦି ସାଥୀଙ୍କର ମୃତ୍ୟୁ ଘଟେ ତା’ହେଲେ ତାଙ୍କର ଜୀବିତ ପିଲା ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପରେ ତାଙ୍କୁ ନିଜ ସ୍ବର୍ଗବାସୀ ମାତା-ପିତା ଉଭୟଙ୍କ ପାରିବାରିକ ପେନସନ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳ ଅନୁଦାନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଜାଣନ୍ତୁ ଓଡିଶା ପାଇଁ ବଜେଟରେ କଣ ରହିଛି

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ରେଳ ବଜେଟ ଘୋଷଣା ପରେ ବିରୋଧୀ ଦଳର ନେତା ସମାଲୋଚନା କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶା ପାଇଁ ଗତବର୍ଷ ଅପେକ୍ଷା ଅଧିକ ଅନୁଦାନ ଆସିଛି। ଚଳିତ ବଜେଟରେ ପାଖାପାଖି ୭୦୦ କୋଟି ଟଙ୍କାର ଅନୁଦାନ ଓଡିଶା ପାଇଁ ବ୍ୟୟ ବରାଦ ହୋଇଛି। କିଛି ଲୋକ ଏ ବିଷୟରେ ନଜାଣି ଲୋକଙ୍କୁ ଭ୍ରମରେ ପକାଉଛନ୍ତି।

ପୂର୍ବରୁ ପଶ୍ଚିମକୁ ଯୋଡ଼ୁଥିବା ଲାଇନ୍‌ ପାଇଁ ହଜାରେ କୋଟି ବ୍ୟୟବରାଦ। ସୋନପୁର-ବୌଦ୍ଧ ଓ କନ୍ଧମାଳରେ ଜମି ଅଧିଗ୍ରହଣ ସମସ୍ୟା ଅଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ତୁରନ୍ତ ସମାଧାନ କରନ୍ତୁ। ଖୁବ୍‌ଶୀଘ୍ର ହରିଦାସପୁର ରେଳ ଲାଇନ୍‌ ଲୋକାର୍ପଣ ହେବ। ଅନୁଗୁଳରେ ବିଦ୍ୟୁତ ଇଞ୍ଜିନ ନିର୍ମାଣ ପ୍ରକଳ୍ପ ସଂପ୍ରସାରଣ ହେବ। କଳାହାଣ୍ଡିରେ ଇଲେକ୍ଟ୍ରି ଇଞ୍ଜିନ ମରାମତି କାରଖାନା ହେବ। ବଜେଟର ପ୍ରକୃତ ତଥ୍ୟ ନଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି।

 ଜାଣନ୍ତୁ ଓଡିଶା ପାଇଁ ବଜେଟରେ କଣ ରହିଛି:

୧- ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର- ନୂତନ ରେଳଲାଇନ୍ (୨୮୯ କିମି) – ୧୦୦୦.୫୦ କୋଟି

୨- ଅନୁଗୁଳ-ସୁକିନ୍ଦା- ନୂତନ ରେଳଲାଇନ୍ (୯୮.୭ କିମି) – ୪୦୦ କୋଟି

୩- ଟିଟିଲାଗଡ- ବିଜୟନଗରମ ଥ୍ରୀ ଲାଇନ୍ (୨୬୪.୬ କିମି) – ୩୦୦ କୋଟି

– ରାଉରକେଲା- ଝାରସୁଗୁଡା ତୃତୀୟ ଲାଇନ୍ -୨୩୦ କୋଟି

– ଭଦ୍ରକ- ନେରଗୁଣ୍ଡି ତୃତୀୟ ଲାଇନ୍ (୮୦ କିମି) – ୨୨୯ କୋଟି

– ବଂଶପାଣି-ଦୈତାରୀ-ଟୋମକା-ଜାଖପୁରା (୧୮୦କିମି) – ୨୨୮ କୋଟି

– ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍ – ୨୨୫ କୋଟି

– ବୁଡାପାଙ୍କ- ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ୍- ୨୧୫ କୋଟି

– ସମ୍ବଲପୁର-ଟିଟିଲାଗଡ ରୋଡ୍ ଡବଲିଂ (୧୮୨.୧୧ କିମି) – ୨୦୦ କୋଟି

୧୦– ସମ୍ବଲପୁର-ତାଳଚେର ରୋଡ୍ ଡବଲିଂ (୧୭୪.୧୧ କିମି) – ୧୭୩.୮୨ କୋଟି

୧୧– ଜାରପଡା-ବୁଡାପାଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍ – ୧୦୧ କୋଟି

୧୨–  ହରିଦାସପୁର-ପାରାଦୀପ ନୂଆ ରେଳଲାଇନ୍ (୮୨ କିମି) – ୧୦୦ କୋଟି

୧୩– ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍ (୨୦୬କିମି ) -୧୦୦ କୋଟି

୧୪– ଜଗଦଲପୁର-କୋରାପୁଟ (୧୧୦ କିମି )- ୮୫ କୋଟି

୧୫– ଜୟପୁର ମାଲକାନଗିରି ନୂଆ ରେଳଲାଇନ୍ (୧୩୦ କିମି) – ୨୮ କୋଟି

୧୬– ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ (୩୮ କିମି) – ୧୫.୧୦ କୋଟି

୧୭– ଖୋର୍ଦ୍ଧାରୋଡ୍-ବିଜୟନଗରମ ବାଏ ପାସ୍ – ୧୧ କୋଟି

୧୮– ତାଳଚେର-ବିମିଳିଗଡ ନୂଆ ରେଳଲାଇନ୍ (୧୫୪ କିମି) – ୧୦ କୋଟି

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଜେଟ-୨୦୨୧: ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା ଏବଂ କେଉଁ ଜିନିଷ ହେବ ମହଙ୍ଗା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବଜେଟରେ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ ବଢାଇଛି। କିନ୍ତୁ ଏହି ଖର୍ଚ୍ଚକୁ ପୂରଣ କରିବା ପାଇଁ ଅନେକ ଦ୍ରବ୍ୟ ଉପରେ ସୀମା ଶୁଳ୍କରେ କମ ବେଶୀ କରାଯାଇଛି। ଏହାସହିତ ବହୁତ ଦ୍ରବ୍ୟ ଉପରେ କୃଷି ସେସ୍ ଲଗାଯାଇଛି।

ଜାଣନ୍ତୁ କଣ ମହଙ୍ଗା ହେବ ଏବଂ ଶସ୍ତା ହେବ:

୧- ମଦ ପିଇବା ମହଙ୍ଗା ପଡ଼ିବ- ଆସନ୍ତାକାଲି ଠାରୁ ମଦ ଦାମ ବୃଦ୍ଧି ହେବ। ଆଲକୋହଲ ଉପରେ ସରକାର ୧୦୦ ପ୍ରତିଶତ କୃଷି ସେସ ଲଗାଇଛନ୍ତି।

୨- ପେଟ୍ରୋଲ ଡିଜେଲ ମହଙ୍ଗା ହେବ- ପେଟ୍ରୋଲ ଲିଟର ପିଛା ୨.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା ହିସାବରେ କୃଷି ସେସ ଲାଗିବ। କିନ୍ତୁ ଏହି ଦାମରେ ପରିବର୍ତ୍ତନ ହେବ ନାହିଁ ବୋଲି ସରକାର ସ୍ପଷ୍ଟିକରଣ ରଖିଛି।

୩- ଖାଇବା ତେଲ ଉପରେ ସେସ ଲାଗିବ- ଏହା ଉପରେ କୃଷି ସେସ ଲାଗିଥିଲେ ମଧ୍ୟ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ। ଏଥିପାଇଁ ବେଶିକ କଷ୍ଟମ ଡ୍ୟୁଟିକୁ ହ୍ରାସ କରାଯାଇଛି।

୪- ସୁନା ଏବଂ ରୂପା ଏପ୍ରିଲ ମାସରୁ ଶସ୍ତା ହୋଇପାରେ।

୫- ଅଟୋ ପାର୍ଟ୍ସ ମହଙ୍ଗା ହେବ, ଗାଡି ଶସ୍ତା ହୋଇପାରେ।

୬- ସୂତା ଲୁଗା ମହଙ୍ଗା ହେବ, ସିନ୍ଥେଟିକ ବସ୍ତ୍ର ଶସ୍ତା ହୋଇପାରେ।

୭- ମୋବାଇଲ, ରେଫ୍ରିଜିରେଟର, ଚାର୍ଜର ମହଙ୍ଗା ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପାଇଁ ବନ୍ୟା ସହାୟତା ରାଶି ମଞ୍ଜୁରୀ କଲା କେନ୍ଦ୍ର ସରକାର

ଭୁବନେଶ୍ବର: କେନ୍ଦ୍ର ସରକାର ପକ୍ଷରୁ ଓଡିଶା ପାଇଁ ବନ୍ୟା ସହାୟତା ରାଶି ମଞ୍ଜୁରୀ କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ କମିଟିରେ ବନ୍ୟା ସହାୟତା ରାଶିକୁ ମଞ୍ଜୁରୀ ମିଳିଛି। ଓଡିଶା ସମେତ ଆଉ ୫ ଟି ରାଜ୍ୟକୁ ମୋଟ ୧୭୫୧ କୋଟି ଟଙ୍କାର ସହାୟତା ମଞ୍ଜୁରୀ ହୋଇଛି।

ଓଡିଶା ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶକୁ ମଧ୍ୟ ଏହି ବନ୍ୟା ସହାୟତା ମିଳିବ। କେନ୍ଦ୍ର ସରକାର ଓଡ଼ିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁରୀ କରିଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପିରୁ ଇସ୍ତଫା ଦେଲେ ବିଧାୟକ: କେନ୍ଦ୍ର ସରକାର ଉପରେ ଆଣିଲେ ଏଭଳି ଅଭିଯୋଗ

ହରିୟାଣା: କୃଷି ଆଇନକୁ ବିରୋଧ ହରିୟଣାର ବିଧାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଧାୟକ ରାମପାଳ ମାଜରା ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ ନିର୍ବାଚନ ପୂର୍ବରୁ ଇଣ୍ଡିଆନ୍ ଜାତୀୟ ଲୋକ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ। କଳାୟାତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ତେବେ ଟ୍ରାକ୍ଟର ରାଲି ସମୟରେ ହିଂସା ଘଟଣାକୁ ନିନ୍ଦା କରିବା ସହ ଏହା ଏକ ଷଡଯନ୍ତ୍ର ବୋଲି ରାମପାଳ କହିଛନ୍ତି। କ୍ଷମତାରେ ଥିବା ବ୍ୟକ୍ତିଙ୍କ ନିକଟର ଏହି ହିଂସାରେ ସମ୍ପୃକ୍ତ ବୋଲି ସେ କହିଛନ୍ତି। ଏଥିପାଇଁ ସରକାର ସୁରକ୍ଷା ବ୍ୟବସ୍ଥାରେ ଅସଫଳ ହୋଇଛି। ଏହା ସହିତ ବିଜେପି ଏହି ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ପ୍ରୟାସ କରୁଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଫେବୃୟାରୀ ମାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଫେବୃୟାରୀ ମାସ ପାଇଁ ନୂଆ ଗାଇଡଲାଇନ୍ କେନ୍ଦ୍ର ସରକାର ଜାରି କରିଛନ୍ତି। ଫେବୃୟାରୀ  ୨୮ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ ଲାଗୁ ରହିବ। ହେଲେଏହା ଜାନୁୟାରୀ ମାସରେ ଲାଗିଥିବା ଗାଇଡ଼ଲାଇନ ଠାରୁ ବିଶେଷ ଫରକ ନାହିଁ। ଆବଶ୍ୟକ ହେଲେ ଅଳ୍ପ କିଛି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇପାରିବ।

ଗାଇଡଲାଇନ୍ ଅନୁସାରେ ଫେବୃୟାରୀ ମାସରେ କୋଭିଡ୍ ନିୟମ ଅନୁସାରେ ସିନେମା ହଲ୍ ଓ ଥିଏଟର ଖୋଲିବ। ସିନେମା ହଲ୍ ଓ ଥିଏଟରରେ ୫୦% ରୁ ଅଧିକ ଦର୍ଶକ ସଂଖ୍ୟା ବଢାଇବା ପାଇଁ ସାନି ଏଏସଓପି ଜାରି ହେବ। ସୁଇମିଂ ପୁଲ୍ ମଧ୍ୟ ଖୋଲିବାକୁ କୌଣସି କଟକଣା ନହିଁ। ଏହା ସହ ସାମାଜିକ ଓ ଧାର୍ମିକ କାର୍ଯ୍ୟକୁ ମଧ୍ୟ ଗ୍ରୀନ୍ ସିଗନାଲ୍ ମିଳିଛି। ଏସଓପି ପାଳନ ସହ ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକୁ ଅନୁମତି ମିଳିବ।

Categories
ଆଜିର ଖବର ଜାତୀୟ ଖବର

କୃଷି ଆଇନ ବୈଠକ ପୁଣି ଫଳଶୂନ୍ୟ: କୃଷିମନ୍ତ୍ରୀ କହିଲେ ଏହାଠାରୁ ଭଲ ପ୍ରସ୍ତାବ ଦେଇପାରିବୁନାହିଁ

ନୂଆଦିଲ୍ଲୀ: କୃଷି ଆଇନ ମାମଲାରେ କେନ୍ଦ୍ର ସରକାର ଏବଂ କୃଷି ସଂଗଠନ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଆଜିର ବୈଠକରେ ପୁଣି କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଏହି ମାମଲାରେ ଅଧିକ କିଛି କରାଯାଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଆଗାମୀ ପର୍ଯ୍ୟାୟ ଆଲୋଚନା ଉପରେ କୌଣସି ତାରିଖ ସ୍ଥିର ହୋଇପାରି ନାହିଁ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ସରକାର ୧୮ ମାସ ପର୍ଯ୍ୟନ୍ତ କୃଷି ଆଇନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହା ଠାରୁ ଭଲ ପ୍ରସ୍ତାବ ସରକାର ଦେଇପାରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାର ପକ୍ଷରୁ କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। କୋଇଲା ଖଣିର ସଂଚାଳନ ସରଳୀକରଣ କରିବା ପାଇଁ ଏହି ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ ହେବା ଫଳରେ ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହେବ। କୋଇଲା ଖଣିର କାର୍ଯ୍ୟକାରିତା ସହଜ ହେବ। ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସକୁ ମଧ୍ୟ ପ୍ରାଥମିକତା ଦେବ।

ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସରକାର-କୃଷକ ମଧ୍ୟରେ ଆଲୋଚନା ଫଳଶୂନ୍ୟ: ୮ ତାରିଖ ହେବ ପରବର୍ତ୍ତୀ ଆଲୋଚନା

 ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଚାଷୀଙ୍କ ମଧ୍ୟରେ ଚାଲିଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ସମାପ୍ତ ହୋଇଛି। ଏହି ଆଲୋଚନାରେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। ତେବେ ଆସନ୍ତା ୮ ତାରିଖ ଅପରାହ୍ନ ୨ ଟାରେ ପୁନର୍ବାର ଆଲୋଚନା କରାଯିବ ବୋଲି ସୂଚନା ରହିଛି। ଦେଶର ସବୁ କୃଷକଙ୍କୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି। ସରକାର କୃଷକଙ୍କ ଆଲୋଚନାରେ ସମାଧାନର ରାସ୍ତା ବାହାରିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ହେଲେ ଏମ୍‌ଏସ୍‌ପି ବିଷୟରେ ସରକାର ମାନିବା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି।

ତେବେ କୃଷକ ନେତା ରାକେଶ ଟିକୈତ ଆଇନକୁ ସଂପୂର୍ଣ୍ଣ ରଦ୍ଦ କରିବା ପାଇଁ ଅଡି ବସିଛନ୍ତି। ନୂଆ ଆଇନକୁ ସଂପୂର୍ଣ୍ଣ ରଦ୍ଦ ବିନା ଏହାର କୌଣସି ସମାଧାନ ନାହିଁ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବଡ ଘୋଷଣା

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବଡ ଘୋଷଣା ହୋଇଛି। ଆସନ୍ତା ଜାନୁଆରୀ ଏବଂ ଫେବୃୟାରୀ ମାସରେ ପରୀକ୍ଷା ହେବାକୁ ନେଇ ଯେଉଁ ସନ୍ଦେହ ଲାଗିରହିଥିଲା, ତାହା ଏବେ ସ୍ପଷ୍ଟ ହୋଇଯାଇଛି। ଆସନ୍ତା ଫେବୃୟାରୀ ମାସରେ ପରୀକ୍ଷା ହେବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସ୍ପଷ୍ଟ କରିଛନ୍ତି। ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ସମ୍ପର୍କରେ ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ଥିବାରୁ ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ହେବ। କରୋନା ଯୋଗୁଁ ପାଠ ପଢାରେ ଅସୁବିଧା ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସିଲାବସକୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ଯାଳୟ ବନ୍ଦ ରହିବ: ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ବର: କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ଷଷ୍ଠ ପର୍ଯ୍ୟାୟର ଆଲୋଚନା ହେବ। କିନ୍ତୁ ତା’ପୂର୍ବରୁ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଏପର୍ଯ୍ୟନ୍ତ ୨୨ ଟି ବିରୋଧୀ ଦଳ ଏହି ଭାରତ ବନ୍ଦ ଡାକରାକୁ ମଧ୍ୟ ସମର୍ଥନ କରିଛନ୍ତି।

ତେବେ କରୋନା ମହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ ପ୍ରଶମିତ ହୋଇନଥିବା ଏବଂ ସାଧାରଣ ପରିବହନ ବ୍ୟବସ୍ଥା ସ୍ଵଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତରଫରୁ ଆସନ୍ତାକାଲି ସବୁ ସରକାରୀ କାର୍ଯ୍ଯାଳୟ ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଛି। କିନ୍ତୁ ଏହି ସମୟରେ ସମସ୍ତ ଜରୁରୀ ସେବା ଜାରି ରହିବ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ପାଇଁ ମୋଦୀ-ଅମ୍ବାନୀ-ଆଦାନୀଙ୍କର କୂଶପୁତ୍ତଳିକା ଦାହ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ବିରୋଧ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଆଜି ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କୃଷକ ସଂଗଠନ ପକ୍ଷରୁ ମୋଦୀ-ଅମ୍ବାନୀ-ଆଦାନୀଙ୍କର କୂଶପୁତ୍ତଳିକା ଦାହ କରାଯାଇଥିଲା। କର୍ପୋରେଟ କମ୍ପାନୀ ସପକ୍ଷରେ ଏହି ବିଲ ଆଣିଥିବାରୁ ତାକୁ ରଦ୍ଦ କରିବା ପାଇଁଁ କୃଷକମାନେ ଦୀର୍ଘ ୮ ଦିନ ଧରି ପ୍ରବଳ ଥଣ୍ଡା କାକରରେ ସାହସିକ ସଂଘର୍ଷ କରିଆସୁଛନ୍ତି। ହେଲେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଦମନ ପଦକ୍ଷେପ ଏବଂ ଆଲୋଚନାକୁ ଡାକି ଭୁଆଁ ବୁଲାଇବା ନୀତି ଆପଣାଉଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି।

ଏହି ଭୁଆଁ ବୁଲା ନୀତି ବିରୁଦ୍ଧରେ ଆଜି ୫ ଡିସେମ୍ବର ପ୍ରତ୍ୟେକ ଗାଁରେ କର୍ପୋରେଟ୍ ଆମ୍ବାନୀ, ଆଦାନୀ ସହିତ ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗ୍ରାମରେ କୁଶପୁତ୍ତଳିକା ଦାହ କରିବା ସହ ବ୍ରହ୍ମପୁର ସହରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଗଞ୍ଜାମ ଜିଲ୍ଲା ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ କୁଶପୁତ୍ତଳିକା ଦାହ କରାଯାଇଛି।

ଏଥିରେ ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କିଶାନ୍ ମହାସଭା, ଓଡ଼ିଶା କୃଷକ ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୂର ସଂଗଠନ, ଋଷିକୂଲ୍ୟା ରୟତ ମହାସଭା, ବିଭିନ୍ନ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ଆଦି ସାମିଲ ହୋଇଥିଲେ। ଏହାକୁ ସମର୍ଥନ ଜଣାଇ ସିଆଇଟିୟୁର ଯୁଧିଷ୍ଠିର ବେହେରା, ସାମାଜିକ କର୍ମୀ ମଧୂସୁଦନ, ଶ୍ରୀନିବାସ ରାଓ, ଲେନାଚାନ୍ଦ, ନୃସିଂହ ରଥ ଆଦି ସାମିଲ ହୋଇଥିଲେ। ବିକ୍ଷୋଭ ପ୍ରଦର୍ଶନ ସହ କର୍ପୋରେଟ୍ ଆମ୍ବାନୀ, ଆଦାନୀ ଓ ମୋଦି ସରକାରଙ୍କ କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ।

ତେବେ କେନ୍ଦ୍ରର ଵିଜେପି ସରକାରଙ୍କ ଏହି ଆଇନ ବିରୋଧରେ ସାରା ଦେଶରେ କୃଷକ ଏକ ହୋଇ ୮ ଡିସେମ୍ବର ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଓଡିଶା ସରକାରଙ୍କ ଠିକା ଚାଷ ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରିବା, ସମସ୍ତ ମଣ୍ଡି ତୁରନ୍ତ ଖୋଲି ସମସ୍ତ ଚାଷୀ ଠାରୁ ଧାନ କ୍ରୟ କରିବା ପାଇଁ ଦାବି କରିଥିଲେ। କୃଷକ-ଶ୍ରମିକ ବିରୋଧୀ ନବୀନ-ମୋଦୀ ସରକାରଙ୍କ ମଧୁଚନ୍ଦ୍ରିକା ବିରୋଧରେ ସଂଘର୍ଷକୁ ଜୋରଦାର କରିବା ଏବଂ ଭାରତ ବନ୍ଦକୁ ସଫଳ କରି କୃଷକଙ୍କ ଐତିହାସିକ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବକ୍ତାମାନେ ଆହ୍ବାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ଟଙ୍କା ରିହାତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାର ଓଡିଶାର ବିଦ୍ୟୁତ ବଣ୍ଟନ କଂପାନୀକୁ ଏକ ବଡ ରିହାତି ପ୍ରଦାନ କରିଛନ୍ତି। ଏଥିରେ ଏନଏଚପିସିକୁ ୩.୭୮ କୋଟି, ଏନଟିପିସିକୁ ୫୬.୮ କୋଟି ଏବଂ ପିଜିସିଆଇଏଲକୁ ୨୪.୩୫ କୋଟି ରିହାତି ଦିଆଯାଇଛି। ଏହିପରି ମୋଟ ୮୪ କୋଟି ଟଙ୍କା ରିହାତି ପ୍ରଦାନ କରାଯାଇଛି।

ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ କରିବା ପାଇଁ ଏହି ରିହାତି ଦିଆଯାଇଛି। ଏହାଦ୍ବାରା ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନେ ଅଧିକ ଉପକୃତ ହେବେ। କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ଲକ୍ଷ୍ୟ ରଖି ଏହି ରିହାତି ପ୍ରଦାନ କରାଯାଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।