Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏକ ଅଭିନବ ପ୍ରୟାସ

ଭୁବନେଶ୍ୱର: କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନ (କେୱାଇଏଫ) ଭୁବନେଶ୍ୱରରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନସ୍ଥଳ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା; ଆହ୍ୱାନ ଏବଂ ସୁଯୋଗ ନାମରେ ଏକ ଆନ୍ତର୍ଜାତୀୟ ୱେବିନାର ଆୟୋଜନ କରିଛି। ବିଶ୍ୱସ୍ତରରେ ‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ ଥିଲା।

ସମଗ୍ର ବିଶ୍ୱର ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପରୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଓ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପ୍ରୟାସକୁ ଆହୁରି ମଜଭୁତ କରିବା ପାଇଁ ତଥା ଓଡ଼ିଶା ପର୍ଯ୍ୟଟନକୁ ଆହୁରି ଆକର୍ଷିତ କରିବାର ସୁଯୋଗକୁ କିପରି ଉପଯୋଗ କରାଯାଇ ପାରିବ ସେ ନେଇ ସେମାନେ ଗଠନମୂଳକ ପ୍ରସ୍ତାବମାନ ପ୍ରଦାନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଥାଇଲାଣ୍ଡ ପର୍ଯ୍ୟଟନ ପରିଷଦ ଓ ଇଣ୍ଡୋଥାଇ ଚାମ୍ବର୍ସ ଅଫ କମର୍ସର ଉପାଧ୍ୟକ୍ଷା ସମସଙ୍ଗ ପାସାପିମୁଖ୍‌, ସ୍ୱତନ୍ତ୍ର ଅତିଥି ଭାବେ ଇଣ୍ଡୋନେସିଆ ପର୍ଯ୍ୟଟନ ପ୍ରୋତ୍ସାହନ ବୋର୍ଡ଼ର ଅଧ୍ୟକ୍ଷ ଅର୍ଗୁସ ମହାଉସାଢା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ମାଲେସିଆ ପାରାଡ଼ାଇଜ ଗ୍ରୁପ ଅଫ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରଦୀପ କୁମାର କୁକ୍ରେଜା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଙ୍ଗାପୁର ଇଣ୍ଡିଆ ଚାମ୍ବର୍ସ ଅଫ କମର୍ସ ଉପାଧ୍ୟକ୍ଷ ମନୀଷ କୁମାର, କାମତ ଗ୍ରୁପ୍ ଅଫ ହୋଟେଲସର ନିର୍ଦ୍ଦେଶକ ବିଶାଳ କାମତ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ପର୍ଯ୍ୟଟନ, ଯାତ୍ରା ଓ ଆତିଥ୍ୟ ଶିଳ୍ପର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କେୱାଇଏଫର ନିର୍ଦ୍ଦେଶକ ଡଃ ପାର୍ଥସାରଥୀ ମିଶ୍ର ୱେବିନାରକୁ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂପ୍ରସାଦ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ପ୍ରଫେସର ବିନୟ ଭୂଷଣ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱଜିତ ମହାପାତ୍ର, ସୁଶ୍ରୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଏବଂ ଅମିତ ପ୍ରକାଶ ନାୟକ ମଞ୍ଚ ପରିଚାଳନା କରିଥିଲେ।