Categories
ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ କୋଟିପତି ଶିକ୍ଷକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକଙ୍କ ଘର ଏବଂ ଅନ୍ୟାନ୍ୟ ଅଂଚଳରେ ଥିବା ବିଭିନ୍ନ ଘର ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ସଂପତ୍ତି ମୋଟ ପରିମାଣ ବ୍ୟୟକୁ ବାଦ୍ ଦେଇ ବେଆଇନ ଭାବେ ୨୫୬.୯% ପ୍ରତିଶତ ଅଧିକା ଆୟ କରିଥିବାରୁ ତାଙ୍କୁ ଆଜି ଭିଜିଲାନସ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି।

ଦୁଶ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ଏସ୍‌. ରାଉତପେଟା ସରକାରୀ ୟୁପି ସ୍କୁଲରେ କାର୍ଯ୍ୟରତ ଥିଲେ। ଗତ ୧.୫.୧୯୯୨ ରୁ ୧୫.୧୨.୨୦୨୦ ମଧ୍ୟରେ ଦରମା ଏବଂ ଅନ୍ୟାନ୍ୟ ବାବଦରେ ୧ କୋଟି ୨୭ ଲକ୍ଷ ୩୮ହଜାର ୨୭୦ ଟଙ୍କା ଆୟ କରିଥିବାବେଳେ ଏହି ସମୟ ମଧ୍ୟରେ ତାଙ୍କର ୫୧ଲକ୍ଷ ୮୧ହଜାର ୨୫୫ ଟଙ୍କା ଖର୍ଚ୍ଚ ହୋଇଛି।

କିନ୍ତୁ ଚଢ଼ାଉ ପରେ ତାଙ୍କ ମୋଟ ସଂପତ୍ତିର ମୂଲ୍ୟ ୪ କୋଟି ୨ ଲକ୍ଷ ୮୨ହଜାର ୪୬୩ ଟଙ୍କା ଠାବ କରାଯାଇଥିଲା। ତେଣୁ ସେ ବେଆଇନ ଭାବେ ଅଧିକ ୩ କୋଟି ୨୭ ଲକ୍ଷ ୨୫ହଜାର ୪୪୮ (୨୫୬.୯%) ଟଙ୍କାର କୌଣସି ହିସାବ ଦେଖାଇ ପାରିନଥିଲେ। ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ ହୋଇଥିବାବେଳେ ତାଙ୍କର ମଧ୍ୟ କିଛି ଆୟ ନଥିଲା। ତେଣୁ ଶ୍ରୀ ନାୟକ ବେଆଇନ ଭାବେ ବଡ଼ଧରଣର ସଂପତ୍ତି ଠୁଳ କରିଥିବାରୁ ତାଙ୍କୁ ଆଜି ଗିରଫ କରି କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।