Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକାକରଣ

ରମେଶ ମହାନ୍ତି 
ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବର୍ହିଃବିଭାଗ ଠାରେ ବରିଷ୍ଠ ନାଗରିକ ମାନଙ୍କର କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସହରର ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୧.୧.୨୦୨୨ ସୁଦ୍ଧା ୬୦ ବର୍ଷ କିମ୍ବା ୬୦ବର୍ଷରୁ ଉର୍ଦ୍ଧ୍ଵ ସେମାନଙ୍କୁ ସହରାଞ୍ଚଳ ଆଶା ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଟୀକା ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଜଗତସିଂହପୁର ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିରିଡ଼ି ଠାରେ ମାର୍ଚ୍ଚ ୧ ଓ ୨ ତାରିଖରେ ଟୀକାକରଣ କରାଯିବ।

ସୋମବାର ଦିନ (ଗତକାଲି)ପ୍ରଥମ ଦିବସରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଠାରେ ୬୯ଜଣଙ୍କୁ ଓ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮୬ଜଣଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କରାଯାଇଛି।

ଉକ୍ତ ଜିଲ୍ଲା ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରମୋଦ କୁମାର ବାରିକ, ଡଃ କ୍ଷେତ୍ରବାସୀ ଦାଶ, ଡି.ପି.ଏମ୍ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଡି.ଭି.ଏଲ୍.ଏମ୍ ପାର୍ଥ ସାରଥି କରଶର୍ମା, ଭ୍ୟାକ୍ସିନେଟର ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଦିପ୍ତିମୟୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।