Categories
ଆଞ୍ଚଳିକ

ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ନମିଳିଲେ କରାଯିବ ଆଇନ ଅମାନ୍ୟ ଆନ୍ଦୋଳନ: କ୍ରିୟାନୁଷ୍ଠାନ କମିଟି

ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ରାଜ୍ୟ ସରକାର ଏକାଧିକ ଅଞ୍ଚଳକୁ ନୂତନ ଏନଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇବା ପାଇଁ ସଂଘର୍ଷ ଜାରି ରଖିଛି। ବିଗତ ଚାରି ଦଶନ୍ଧି ହେଲା ବାରମ୍ବାର ପ୍ରତିବାଦ ଏବଂ ଆନ୍ଦୋଳନ ସତ୍ବେ ସରକାର ଉକ୍ତ ଦାବିକୁ କର୍ଣ୍ଣପାତ କରୁନଥିବାରୁ ଆଜି ବାଣପୁର-ବାଲୁଗାଁ-ଚିଲିକା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଛାୟା ମଣ୍ଡପ ପରିସରରେ କମିଟି ସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଫେସର ପଟ୍ଟନାୟକ ବାଣପୁରକୁ ଯଥାଶୀଘ୍ର ରାଜସ୍ୱ ଉପଖଣ୍ଡ ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ତେବେ ଯଦି ଆଗାମୀ ସାତ ଦିନ ମଧ୍ୟରେ ସରକାର ଏହି ଦାବି ପୂରଣ ନକରନ୍ତି ତେବେ ବାଧ୍ୟ ହୋଇ ବାଣପୁର ବାସି ଆଇନ ଅମାନ୍ୟ ଆନ୍ଦୋଳନ ହାତକୁ ନେବେ ବୋଲି ପ୍ରଫେସର ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

“ମିଶନ ଇନ୍ଦ୍ରଧନୁଷ ଅଭିଯାନ-୫.୦” ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ

ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ ଟୀକାକରଣ କାର‌୍ୟ୍ୟକ୍ରମ (ଆଇଏମଆଇ) “ମିଶନ ଇନ୍ଦ୍ରଧନୁଷ-ଅଭିଯାନ-୫.୦” କୁ  ସଫଳ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ  ଅଧ୍ୟକ୍ଷତାରେ  ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସହଯୋଗୀ ବିଭାଗର ସମନ୍ୱୟରେ ମିଶନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ – ମିଶନ ଇନ୍ଦ୍ରଧନୁଷ- ଅଭିଯାନ-୫.୦ ର ସଫଳତା ପାଇଁ ନିଆଯାଇଥିବା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ  କରିଥିଲେ।

ଆଗାମୀ ସେପ୍ଟେମ୍ବର ୧୧ ରୁ ୧୬ ତାରିଖ, ୯ ରୁ ୧୪ ଅକ୍ଟୋବର ୬ ରୁ ୧୧ ନଭେମ୍ବର ଆଦି  ୩ ଟି ପର୍ଯ୍ୟାୟରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ଥର ନିୟମିତ  ଟିକାକରଣ ଦିବସକୁ ମିଶାଇ ୬ ଦିନ ଧରି ଏହା ଅନୁଷ୍ଠିତ ହେବ। ଜନ୍ମରୁ ୨୩ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ବୟସ ଅନୁସାରେ ନେବାକୁ ଥିବା ଟିକା, ଆରମ୍ଭରୁ ଟୀକା ନ ନେଇଥିବା ଶିଶୁ, ସଂପୂର୍ଣ୍ଣ ଟୀକା କରଣ ହୋଇନଥିବା ଏବଂ ୨ ରୁ ୫ ବର୍ଷ  ମଧ୍ୟରେ ଏମ୍ଆର-୧, ଏମ୍ଆର-୨, ପେଣ୍ଟା ଏବଂ ଓ ଓପିଭି ଡୋଜ ନେଇନଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରହିଛି। ରାଜ୍ୟରେ ୨୦୧୫ ମସିହାରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ସମସ୍ତ ବାଦ୍ ପଡ଼ିଥିବା ଶିଶୁ, ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନିମନ୍ତେ  ସମ୍ପୂର୍ଣ୍ଣ ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ଟି ପର‌୍ୟ୍ୟାୟରେ ମିଶନ ଇନ୍ଦ୍ରଧନୁଷ ଅଭିଯାନ କରାଯାଇସାରିଛି। ଆଇଏମ୍ ଆଇ- ୫.୦ ଅଭିଯାନ  ଅଧିନରେ ୨୦୨୩ ରେ ଟୀକାକରଣ କରାଯିବାକୁ ଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ୟୁ-ୱିନ୍ (ଡିଜିଟାଲ୍ ପ୍ଲାଟଫର୍ମ)ରେ ପଞ୍ଜୀକରଣ କରିବା ଏବଂ ସ୍ୱତନ୍ତ୍ର ତଥା ଯୋଜନାବଦ୍ଧ ଭାବେ ସେମାନଙ୍କୁ ଆଇଏମ୍ଆଇ  ଜରିଆରେ ଟିକା ଦେବାକୁ ଲକ୍ଷ୍ୟ ରହିଛି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ସମ୍ପୂର୍ଣ୍ଣ ଟୀକାକରଣ କଭରେଜରେ ରାଜ୍ୟ କ୍ରମାଗତ ଉନ୍ନତି ହାସଲ କରିବା ସଙ୍ଗେ ସଙ୍ଗେ ଏହି ସର୍ବେକ୍ଷଣ ଅନ୍ତର୍ଗତ ଏନଏଫଏଚଏସ୍ -୫ ରେ ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। ବିଭିନ୍ନ ସର୍ବେକ୍ଷଣରେ ଏହି ପ୍ରତିଶତ ବୃଦ୍ଧି ପାଇ ଅଧୂନା ସହାରାଂଚଳରେ ଏହା ୯୨ ପ୍ରତିଶତ ଥିବା ବେଳେ ଗ୍ରାମାଂଚଳରେ ୯୦.୨  ରହିଛି। ୨୦ଟି ଜିଲ୍ଲାରେ ୯୦% ରୁ ଅଧିକ ସମ୍ପୂର୍ଣ୍ଣ ଟିକାକରଣ ମାତ୍ରା ରହିଛି। ସମସ୍ତ ଜିଲ୍ଲାର ସମ୍ପୂର୍ଣ୍ଣ ଟିକାକରଣ କଭରେଜ୍ ଜାତୀୟ ହାରାହାରି ଠାରୁ ଅଧିକ ରହିଛି। ସହରାଞ୍ଚଳ ବସ୍ତି, ସହରାଞ୍ଚଳ ପାଖାପାଖି ଅଂଚଳ, ଅଣସଂରକ୍ଷିତ ଜନସଂଖ୍ୟା, ଜନଜାତି ରହୁଥିବା ଅଂଚଳ, ସେବା ଅପହଂଚ ବସତି, ପ୍ରବାସୀ ଜନସଂଖ୍ୟା, ଲୋକମାନେ ରହୁଥିବା ଅଥଚ ପହଞ୍ଚିବା କଷ୍ଟକର ଅଞ୍ଚଳ ଆଇଏମ୍ ଆଇ ଅଭିଯାନରେ ସର୍ବୋଚ୍ଚ ପ୍ରାଥମିକତା କ୍ଷେତ୍ର ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ରାଜ୍ୟରେ ଟୀକାକରଣ କ୍ଷେତ୍ରରେ ଅଧିକ ଯତ୍ନ ଆବଶ୍ୟକ କରୁଥିବା ଜିଲ୍ଲା, ବ୍ଲକ ଓ ଅଂଚଳଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଆଦୌ ଟିକା ବା  ଡୋଜ ନ ନେଇ ଥିବା ଅଂଚଳ, ଛଡା ଯାଇଥିବା ଏବଂ ଡ୍ରପ୍ ଆଉଟ୍ ପିଲାମାନଙ୍କୁ ଧ୍ୟାନ ଦିଆଯିବ। ମିଳିମିଳା, ନୂଆ ଟୀକା ଦିଆଯାଉଥିବା ଅଂଚଳ, ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟକ ଟିକାକରଣ ହୋଇନାହିଁ, ପ୍ରବାସୀ ଏବଂ ଅଣ-ପ୍ରବାସୀ ମାନେ ରହୁଥିବା ସ୍ଥାନ, ସହରାଞ୍ଚଳ – ବସ୍ତି ଓ ସହରାଞ୍ଚଳ ବସ୍ତି ଉପରେ ବିଶେଷ ଧ୍ୟାନ ଦିଆଯିବ। ୨୦୨୨-୨୩ରେ ମିଳିମିଳା , ଡିପଥେରିଆ ଓ ପର୍ଟୁସିସ୍ ପ୍ରକୋପ ଥିବା ଅଞ୍ଚଳରେ  ଟିକାକରଣରେ ଅସୁବିଧା ଦେଖାଦେଉଥିବା ଅଞ୍ଚଳକୁ ମଧ୍ୟ  ଗୁରୁତ୍ୱ ଦିଆଯାଇଛି।

ମିଶନ ଇନ୍ଦ୍ରଧନୁଷ ୫.୦ ପଦକ୍ଷେପକୁ ସଫଳ କରିବା ପାଇଁ କାର‌୍ୟ୍ୟାନ୍ୱୟନ  ନିୟମାବଳୀ ସବୁ ଜିଲ୍ଲା ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପଂଚାୟତିରାଜ ବିଭାଗ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ଲୋକସଂପର୍କ, ଶ୍ରମ ଓ ବୈଷୟିକ ଶିକ୍ଷା, କ୍ରୀଡା ଓ ଯୁବ ସେବା ଆଦି ବିଭାଗର ସମନ୍ୱିତ ପ୍ରୟାସରେ ଏହି ଟୀକାକରଣ କାର‌୍ୟ୍ୟ ସଂପାଦିତ ହେବ। ଏଥିପାଇଁ ଜିଲ୍ଲାସ୍ତରରେ ଟ୍ୟାକ୍ସ ଫୋର୍ସ ବୈଠକ, ବ୍ଲକ ସ୍ତରୀୟ ଟ୍ୟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି। ଟୀକାନେବାକୁ ଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ସର୍ବେକ୍ଷଣ, ଟୀକାକରଣ ଗୁରୁତ୍ୱତ୍ପୂର୍ଣ୍ଣ  ସଂପର୍କରେ ଜଣାଇବା ଓ ସଂପୃକ୍ତି ନିମନ୍ତେ ସବୁ ସଂପୃକ୍ତ ବିଭାଗର ସମନ୍ୱୟକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ସିଡିପିଓ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ  ସାମିଲ ପୂର୍ବକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଜରିଆରେ ଅଭିଭାବକମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ସେହିପରି ଜନଜାତି, ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଅଂଚଳରେ ଏହି ମିଶନକୁ ଗୁରୁତ୍ୱ ଦେବା ସହ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ସହଯୋଗ ନେବାକୁ ମଧ୍ୟ ସେ  ପରାମର୍ଶ ଦେଇଛନ୍ତି।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍.ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ, ଅନୁସୂଚିତ ଜନଜାତି ଓ  ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ସୂଚନା ଓ ଲୋକ ସଂପର୍କ  ବିଭାଗ, ମହିଳା ଓ ଶିଶୁ ବିଭାଗ ଆଦି ବିଭାଗର  ନିର୍ଦ୍ଦେଶକଙ୍କ ସମେତ ସଂପୃକ୍ତ ବିଭାଗର ଅନ୍ୟ ପଦାଧିକାରୀମାନେ  ଉପସ୍ଥିତ   ଥିଲେ।