Categories
ଆଞ୍ଚଳିକ

ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ନମିଳିଲେ କରାଯିବ ଆଇନ ଅମାନ୍ୟ ଆନ୍ଦୋଳନ: କ୍ରିୟାନୁଷ୍ଠାନ କମିଟି

ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ରାଜ୍ୟ ସରକାର ଏକାଧିକ ଅଞ୍ଚଳକୁ ନୂତନ ଏନଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇବା ପାଇଁ ସଂଘର୍ଷ ଜାରି ରଖିଛି। ବିଗତ ଚାରି ଦଶନ୍ଧି ହେଲା ବାରମ୍ବାର ପ୍ରତିବାଦ ଏବଂ ଆନ୍ଦୋଳନ ସତ୍ବେ ସରକାର ଉକ୍ତ ଦାବିକୁ କର୍ଣ୍ଣପାତ କରୁନଥିବାରୁ ଆଜି ବାଣପୁର-ବାଲୁଗାଁ-ଚିଲିକା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଛାୟା ମଣ୍ଡପ ପରିସରରେ କମିଟି ସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଫେସର ପଟ୍ଟନାୟକ ବାଣପୁରକୁ ଯଥାଶୀଘ୍ର ରାଜସ୍ୱ ଉପଖଣ୍ଡ ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ତେବେ ଯଦି ଆଗାମୀ ସାତ ଦିନ ମଧ୍ୟରେ ସରକାର ଏହି ଦାବି ପୂରଣ ନକରନ୍ତି ତେବେ ବାଧ୍ୟ ହୋଇ ବାଣପୁର ବାସି ଆଇନ ଅମାନ୍ୟ ଆନ୍ଦୋଳନ ହାତକୁ ନେବେ ବୋଲି ପ୍ରଫେସର ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Categories
ଆଞ୍ଚଳିକ

ଜୋର ଧରିଲା ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି: ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ ଯୁବ ସମାଜସେବୀ ଶେଷଦେବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି।  ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆସନ୍ତାକାଲି ଠାରୁ ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିବେ।

ସେ ପ୍ରଥମେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରି ବାଣପୁର ବ୍ଲକ ଓ ତହସିଲରେ ଦାବି ପତ୍ର ପ୍ରଦାନ କରିବେ। ଏବଂ ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବ। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ।

ତେବେ ‘ବାଣପୁର ୟୁଥ ଭଏସ’ ର ସଂପୂର୍ଣ୍ଣ ସହଯୋଗରେ ପ୍ରାୟ ଶତାଧିକ ଯୁବକ ଏହି ପଦଯାତ୍ରାରେ ସାମିଲ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ଏବଂ ଏହି ପଦଯାତ୍ରାରେ ବାଣପୁର ଜନସାଧାରଣ ବହୁଳ ପରିମାଣରେ ସାମିଲ ହେବା ଲାଗି ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି।