Categories
ଆଜିର ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଖରିଫ ୨୦୨୩ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ରଲେଖି ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କହିଛନ୍ତି। ଚଳିତ ଖରିଫ ପାଇଁ ଜୁଲାଇ ୩୧, ୨୦୨୩କୁ ସମୟସୀମା ଭାବେ ଧାର‌୍ୟ୍ୟ କରାଯାଇଥିବାବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ଖରିଫ ୨୦୨୩ରୁ ରବି ୨୦୨୫ ମଧ୍ୟରେ ରାଜ୍ୟ ସରକାର ନିଜ ଭାଗରେ ପ୍ରିମିୟମ୍ ବହନ କରିବା ସହିତ କୃଷକମାନଙ୍କ ପ୍ରିମିୟମ୍ ଅଂଶ ମଧ୍ୟ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଏହି ସକରାତ୍ମକ ପଦକ୍ଷେପ ଯୋଗୁ ଅଧିକ ଚାଷୀ ଓ ଅଧିକ ଫସଲ ଜମି ବୀମାଭୁକ୍ତ ହେବ ବୋଲି ଆଶା କରାଯାଉଛି।

୨୦୧୬ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର‌୍ୟ୍ୟକାରୀ କରୁଛନ୍ତି। ପ୍ରାକୃତିକ ବିପର‌୍ୟ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଚଳିତ ଖରିଫରେ ଫସଲ ଧାନ, ମକା, କପା, ମାଣ୍ଡିଆ, ହରଡ଼, ଚିନାବାଦାମ, ଅଦା ଓ ହଳଦୀ ଆଦି ୮ ଗୋଟି ଫସଲକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଖାଦ୍ୟଶସ୍ୟ ଓ ତୈଳବୀଜ ଫସଲ ପାଇଁ ମୋଟ ବୀମା ପରିମାଣର ୨ ପ୍ରତିଶତ (ଋଣ ପ୍ରଦାନ ସମତୁଲ ଅର୍ଥରାଶି) ପ୍ରିମିୟମ୍ ଆକାରରେ ପ୍ରଦାନ କରାଯାଇଥାଏ। କପା, ହଳଦୀ, ଅଦା ଆଦି ବ୍ୟବସାୟିକ ଫସଲ ପାଇଁ ଏହି ପ୍ରିମିୟମ୍ ମୋଟ ବୀମାରାଶିର ୫ ପ୍ରତିଶତ ଅଟେ। ଅବଶିଷ୍ଟ ପ୍ରକୃତ ପ୍ରିମିୟମ୍‌କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୫୦:୫୦ ଅନୁପାତରେ ବହନ କରିଥାଆନ୍ତି।

ଫସଲବୀମା ଯୋଜନା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଗତ ୩ଟି ଋତୁର ବୀମାଭୁକ୍ତ କୃଷକଙ୍କ ସଂଖ୍ୟାକୁ ବିବେଚନା କରି ବ୍ଲକ୍ ଓ ପଞ୍ଚାୟତୱାରୀ ବୀମାର ଧାର୍ଯ୍ୟ ଲକ୍ଷ୍ୟ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥି ସହିତ କୃଷି ଓ କୃଷକ ସଶକ୍ତିକରଣ, ସମବାୟ ଓ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯିବା ପାଇଁ କୁହାଯାଇଛି।

ଖରିଫ ୨୦୨୩ରେ ବିଜ୍ଞପିତ ଫସଲ ପାଇଁ ଋଣ ଗ୍ରହଣ କରିଥିବା ଚାଷୀଙ୍କ ବୀମା କରିବା ପାଇଁ ଉଭୟ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ପାଇଁ କୁହାଯାଇଛି। ଏଥି ନିମନ୍ତେ ଫସଲବୀମା କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ପ୍ରଚାରପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତ୍ୟେକ ଦିନର ବୀମାର ଅଗ୍ରଗତି ରିପୋର୍ଟ ଅପ୍‌ଲୋଡ୍ କରିବା ସହିତ ସମୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି।

ଶେଷ ଦିନରେ ଫସଲବୀମା ନିମନ୍ତେ ବ୍ୟାଙ୍କ ଓ ଜନସେବା କେନ୍ଦ୍ରରେ ଭିଡରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଫସଲବୀମା କରାଇନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ଖରିଫ-୨୦୨୩ କାଳିଆ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ  କରାଯାଇଛି। ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଅପ୍ରେଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୮୭୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ପରିପ୍ରେକ୍ଷୀରେ କାଳିଆ ସହାୟତା ରାଶି ଝାରସୁଗୁଡ଼ା ଜିଲ୍ଲାର କାଳିଆ ହିତାଧିକାରୀ କୃଷକମାନଙ୍କୁ ଦିଆଯାଇ ନଥିଲା। ଇତି ମଧ୍ୟରେ ଝାରସୁଗୁଡ଼ାର ଉପନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଉପରୋକ୍ତ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଐତିହାସିକ କୃଷକ କଲ୍ୟାଣକାରୀ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ପ୍ରତି ଫସଲ ଋତୁ ପ୍ରାରମ୍ଭରେ ନଗଦ ଅର୍ଥ ଆକାରରେ ସହାୟତା ଦିଆଯାଇଥାଏ ଯାହାକି ଚାଷୀ ଭାଇଭଉଣୀମାନଙ୍କୁ କୃଷିକାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ ଭଳି ସାହାଯ୍ୟ କରିଥାଏ।
ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ପରିବାରର ଆୟବୃଦ୍ଧି କରିବା ସହିତ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ। କାଳିଆ ହିତାଧିକାରୀ ଚାଷୀମାନେ ଏହି ଯୋଜନାରେ ସହାୟତା ରାଶି ପ୍ରାପ୍ତି ପରେ ଆଉ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ଗାଁ ସାହୁକାରଙ୍କଠାରୁ ଉଚ୍ଚ ସୁଧହାରରେ ହାତଉଧାରୀ ଋଣ ଆବଶ୍ୟକ କରୁନାହାନ୍ତି। ଏହି ସହାୟତା ରାଶି ଚାଷୀମାନଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ କ୍ଷତିକୁ ସାମ୍‌ନା କରିବା ପାଇଁ ମନରେ ଦମ୍ଭ ଆଣିଦେଇଛି। ଏଥି ସହିତ କାଳିଆ ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଜୀବିକା ସହାୟତା ନିମନ୍ତେ ତିନୋଟି କିସ୍ତିରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି।
ଗତ ୨୦୨୨-୨୩ ରବି ଋତୁ ସୁଦ୍ଧା ରାଜ୍ୟର ୪୧ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀଙ୍କ ପରିବାରକୁ ମୋଟ ୮ଟି କିସ୍ତିରେ ସମୁଦାୟ ୨୨ ହଜାର ଟଙ୍କାର କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଥିଲା। ସେହିଭଳି ୧୮ ଲକ୍ଷରୁ ଊଦ୍ଧ୍ୱର୍ ଭୂମିହୀନ କୃଷି ଶ୍ରମିକ ପରିବାରକୁ ବିଭିନ୍ନ କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି।
ସେହିପରି କାଳିଆ ହିତାଧିକାରୀ ପିଲାମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ନିମନ୍ତେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ଶିକ୍ଷାବର୍ଷଠାରୁ ପ୍ରଦାନ କରାଯାଉଛି। ୨୦୨୨-୨୩ ଶିକ୍ଷାବର୍ଷରେ ୧୦୭୪ ଜଣ କାଳିଆ ହିତାଧିକାରୀ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ସମୁଦାୟ ୨.୬ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।